Unknown

 

 

 

 

 

 

 

 

୧୦୪ତମ ସଂଖ୍ୟା କୋଣାର୍କ ୧୯୯୭

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସୌଜନ୍ୟ ସଂପାଦକ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ସଭାପତି

ଶ୍ରୀ କିଶୋରୀ ଚରଣ ଦାସ

 

ସଂପାଦକ

ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

ସଚିବ

ଡକ୍ଟର ହରପ୍ରସାଦ ପରିଚ୍ଛାପଟନାୟକ

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୧୪

 

ପ୍ରଚ୍ଛଦ: ଶ୍ରୀ ଅମର ଜେନା

ମୁଦ୍ରାକର – ପେଜ୍‍ ମେକର୍‍ କମ୍ପୁଟର ସର୍ଭିସେସ୍‍,

ବାପୁଜୀ ନଗର, ଭୁବନେଶ୍ୱର – ୭୫୧୦୦୭, ଫୋନ୍‍ - ୪୦୬୩୪୩

 

ଏକାଡେମୀ କର୍ତ୍ତୃକ ସର୍ବସ୍ୱତ୍ୱାଧିକାର ସଂରକ୍ଷିତ ।

ପ୍ରକାଶିତ ସାମଗ୍ରୀର ପୁନର୍ମୁଦ୍ରଣ ଲେଖକ/ଅନୁବାଦକ

ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ଅନୁମତି ସାପେକ୍ଷ ।

ରଚନାଗୁଡ଼ିକରେ ପ୍ରକାଶିତ ମତାମତ ଲେଖକଙ୍କର ନିଜସ୍ୱ ମତ ।

 

 

 

ସଂପାଦକୀୟ : ଶ୍ରୀ ଶ୍ରୀନିବାସ ଉଦ୍‍ଗାତା

 

୧.

ଓଡ଼ିଆ ଲୋକୋକ୍ତି

ଡକ୍ଟର କୁମୁଦିନୀ ମିଶ୍ର

୨.

ଓଡ଼ିଶାରେ ହିନ୍ଦୁ – ଆଦିବାସୀ ସାଂସ୍କୃତିକ

ସମନ୍ୱୟ ପରିପ୍ରେକ୍ଷୀରେ କରମା

ଡକ୍ଟର ଚିତ୍ରସେନ ପଶାୟତ

୩.

ରସକଲ୍ଲୋଳର ଗୋପାଙ୍ଗନା.

ଡକ୍ଟର ଭଗବାନ ପଣ୍ଡା

୪.

ଓଡ଼ିଆ ସମାଲୋଚନା ସାହିତ୍ୟର

ଆଦିପର୍ବ : ଏକ ଦୃଷ୍ଟିପାତ.

ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ

୫.

ଓଡ଼ିଆ ଶିଶୁ ସାହିତ୍ୟ ସମାଲୋଚନାର

ସମାଲୋଚନା

ଶ୍ରୀ ରମେଶ ଚନ୍ଦ୍ର ଦାସ

୬.

ଅନୁସୃଜିତ ଗଳ୍ପ

ଡକ୍ଟର କଇଲାସ ପଟ୍ଟନାୟକ

୭.

ପୂର୍ବ ଭାରତର ରେବତୀମାନେ

ଡକ୍ଟର ମନୋରଞ୍ଜନ ପ୍ରଧାନ

୮.

ସାହିତ୍ୟ ତୁଳନାତ୍ମକ ଓ ଅନୁବାଦ

ଡକ୍ଟର ବସନ୍ତ କୁମାର ପଣ୍ଡା

୯.

ଓଡ଼ିଆ ଉପନ୍ୟାସରେ ନିମ୍ନବର୍ଗ

ଚରିତ୍ରର ସ୍ଥିତି

ଡକ୍ଟର ପ୍ରକାଶ କୁମାର ପରିଡ଼ା

୧୦.

ଭକ୍ତକବି ଜଗନ୍ନାଥ ଦାସ ଓ ସନ୍ଥ

କବୀର: ଏକ ଅଧ୍ୟୟନ

ଶ୍ରୀ ଗଣନାଥ ଦାସ

୧୧.

ଓଡ଼ିଆ କାହାଣୀ ଗଳ୍ପ

ଶ୍ରୀ ସତ୍ୟପ୍ରିୟ ମହାଳିକ

୧୨

ଅନୁବାଦ ଓ ଓଡ଼ିଆ ସାହିତ୍ୟ

ଶ୍ରୀ ଚିତ୍ତରଞ୍ଜନ ଦାସ

୧୩

ଏକାଡେମୀ ସମାଚାର

 

 

“କୋଣାର୍କ” ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ.୧୫/-ରହିବ । ବାର୍ଷିକ ଗ୍ରାହକ ଦେୟ ଟ.୬୦/- ହେବ ।

୨.

‘କୋଣାର୍କ’ରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ ।

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇ ପାରିବ ।

୪.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାଶ୍ୱର୍ରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ । ଜେରକ୍ସ କିମ୍ୱା କାର୍ବନ କପି ପଠାଇବେ ନାହିଁ । ଫୁଲସ୍କେପ ଅଧାକାଗଜର ଏକ ଚତୁର୍ଥାଂଶ ହାସିୟା ରହିଥିବା ଆବଶ୍ୟକ ।

୫.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଆନୁଷ୍ଠାନିକ ମତାମତରୂପେ ଗୃହୀତ ନହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତରୂପେ ବିବେଚିତ ହେବ ।

୬.

‘କୋଣାର୍କ’ରେ ପ୍ରକାଶିତ ପ୍ରତ୍ୟେକ ଲେଖା ପାଇଁ ଲେଖକଙ୍କୁ ଟ.୨୦୦/-(ଦୁଇଶତ ଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

୭.

‘କୋଣାର୍କ’ସମ୍ପର୍କୀୟ ସମସ୍ତ ଯୋଗାଯୋଗ ପରିଚାଳନା ସମ୍ପାଦକଙ୍କ ସହିତ କରାଯିବ ।

 

ସଂପାଦକୀୟ

 

‘କୋଣାର୍କ’ର ଏହି ସଂଖ୍ୟାଟି ବିବିଧ ପ୍ରସଙ୍ଗର ଆଲୋଚନା ବିଶ୍ଳେଷଣର ସମାହାର । ଏହି ଆଲୋଚନାଗୁଡ଼ିକର ଅନ୍ତଃସ୍ୱର କିଞ୍ଚିତ ଭିନ୍ନ କାରଣ ପ୍ରାୟତଃ ଏହି ନିବନ୍ଧଗୁଡ଼ିକ ମାଧ୍ୟମରେ ଆଲୋଚନାମାନେ ସାହିତ୍ୟ ଓ ସର୍ଜନାପ୍ରକ୍ରିୟାର ଧର୍ମର ବି ଅନୁଶୀଳନ ଲାଗି ଅନୁରାଗୀ ହୋଇଛନ୍ତି ।

 

ଆଲୋଚନା ମଧ୍ୟ ସହିତତାର ଏକ ବଳିଷ୍ଠ ସେତୁ । ଭାବର ପୂର୍ଣ୍ଣତମ ଓ ସଫଳ-ସାର୍ଥକ ଅଭିବ୍ୟକ୍ତି ଆପଣାର ରଚନାରେ ହୋଇଛି ବୋଲି ରଚନାକାରର ହୃଦବୋଧ ହେଲେ ତାକୁ ଯେଉଁ ସନ୍ତୋଷ ଓ ଆନନ୍ଦ ମିଳିଥାଏ ତାହା ଅନିର୍ବଚନୀୟ । ତେବେ ସେଇ ଭାବଭୂମିରେ ଅବତରିତ ନ ହେବାଯାଏ ପାଠକ ପକ୍ଷରେ ଠିକ୍‍ ସେହି ଆନନ୍ଦ ପ୍ରାପ୍ତ ହେବା ଆଦୌ ସଂଭବ ନୁହେଁ । ବହୁ ସମୟରେ ପାଠକ ମଧ୍ୟ କୌଣସି ରଚନାର ମର୍ମକୁ ଆପଣା ବାଟରେ ବୁଝିଥାଏ, ହୁଏତ କବି ଲେଖକଠାରୁ ମଧ୍ୟ ଭିନ୍ନ ଦୃଷ୍ଟିରେ ବିଚାର କରିଥାଏ । ତାହାଫଳରେ ତା’ର ଆନନ୍ଦର ମାତ୍ରା ଅଧିକ ହୋଇଥାଏ । ଏଥିପାଇଁ ବହୁ ସମୟରେ ଭାବ ଓ ରୁଚି ଅନୁକୁଳିତା ବିଶେଷ କାର୍ଯ୍ୟ କରିଥାଏ । ମାତ୍ର ଆଲୋଚକ ନିବନ୍ଧକାରଙ୍କର ତାର୍କିକ ଦୃଷ୍ଟିକୋଣ ତଥା ବିଶ୍ଲେଷଣ କ୍ଷମତା ଫଳରେ ତାର ଯୁକ୍ତିଯୁକ୍ତତାର ପ୍ରତିପାଦନ ମହତ୍ୱପୂର୍ଣ୍ଣ ହୋଇଥାଏ ବୋଲି ଲେଖକ ଓ ପାଠକ ମଝିରେ ତାହା ଏକ ସେତୁବତ୍‍ କାର୍ଯ୍ୟ କରିଥାଏ । ସେଇ କାମ୍ୟ ।

 

ସେଭଳି କେତୋଟି ପ୍ରବନ୍ଧର ସମାହାର, କୋଣାର୍କର ଏହି ସଂଖ୍ୟା ଆପଣଙ୍କୁ ଭଲଲାଗିବ ବୋଲି ବିଶ୍ୱାସ ।

 

ଶ୍ରୀନିବାସ ଉଦ୍‍ଗାତା

 

ଓଡ଼ିଆ ଲୋକୋକ୍ତି

ଡକ୍ଟର କୁମୁଦିନୀ ମିଶ୍ର

 

କୌଣସି ଭାଷାର ପ୍ରାଣସତ୍ତା ସେହି ଭାଷାର ଲୋକୋକ୍ତି ମଧ୍ୟରେ ଅନୁଭୂତ ହୁଏ । ଭାଷାକୁ ପ୍ରଭାବଶାଳୀ କରିବାରେ ଲୋକୋକ୍ତିର ଅବଦାନ ଯଥେଷ୍ଟ ରହିଅଛି । କାରଣ ଅଭିଧାମୂଳକ ଅଭିବ୍ୟକ୍ତିରୁ ଭାଷାର ଗଭୀରତା ଓ ପ୍ରଭାବଶାଳୀତା ଉପଲବ୍ଧ ହୁଏ ନାହିଁ । ଲକ୍ଷ୍ୟାର୍ଥବୋଧକ ଓ ବ୍ୟଙ୍ଗାର୍ଥବୋଧକ ଲୋକୋକ୍ତି ହଁ ବ୍ୟକ୍ତିର ତଥା ସମାଜର ମାନସିକ ଅଭିବୃଦ୍ଧିର ପରିଚାୟକ ହୋଇଥାଏ ।

 

‘ଲୋକୋକ୍ତି’ ଶବ୍ଦର ଅଭିଧାନିକ ଅର୍ଥ ହେଉଛି ଲୋକରେ ପ୍ରଚଳିତ ଉକ୍ତି । ଏହା ସଂପୂର୍ଣ୍ଣରୂପେ ପ୍ରବାଦ ବା ପ୍ରବଚନ ବା ଢଗ-ଢମାଳି ବା ବୋଲି ବା ଋଷିବଚନ ବା ନ୍ୟାୟବଚନକୁ ବୁଝାଏ ନାହିଁ । କିନ୍ତୁ ଏ ସବୁଗୁଡ଼ିକର ସମନ୍ୱୟରେ ଲୋକୋକ୍ତି ଏକ ପ୍ରଭାବଶାଳୀ ସାହିତ୍ୟିକ ତଥା ଭାଷାତାତ୍ତ୍ୱିକ ବିଭବରେ ମଣ୍ଡିତ ହୋଇଅଛି ।

 

ଲୋକପ୍ରିୟ ଛୋଟ ଛୋଟ ବାକ୍ୟ ମଧ୍ୟରେ ଜାଗତିକ ସତ୍ୟର ପରିପ୍ରକାଶ ଓ ପରିପ୍ରସାର ଘଟାଇବାରେ ଲୋକୋକ୍ତିର ବୈଶିଷ୍ଟ୍ୟ ନିହିତ । ଜନସମାଜକୁ ନୈତିକଶିକ୍ଷା ପ୍ରଦାନ କରି ସମାଜକୁ ଶୃଙ୍ଖଳିତ କରିବାରେ ଏହାର ଅବଦାନ ଯଥେଷ୍ଟ ରହିଅଛି । କୌଣସି ସତ୍ୟ ବା ଉପଦେଶ ବା ନୀତିକଥାକୁ ପ୍ରବାଦ, ପ୍ରବଚନ, ଢଗ ଢମାଳି, ଋଷିବଚନ, ଶାସ୍ତ୍ରବଚନ, ନ୍ୟାୟବଚନ ଆଦି ମାଧ୍ୟମରେ କହିଲେ ତାହା ଶ୍ରୋତାର ହୃଦୟରେ ସ୍ଥାୟୀ ଭାବେ ଲାଖି ରହେ ।

 

‘ଲୋକୋକ୍ତି’ ର ସର୍ବନିମ୍ନ ଆବଶ୍ୟକତା ହେଲା :

 

ଏହା କ୍ଷୁଦ୍ର ବାକ୍ୟରେ ପ୍ରକାଶ ପାଇବ ।

ଏହା ସର୍ବଜନ ବିଦିତ ହୋଇଥିବ ।

ଏଥି‌ରେ ସମ୍ଭାବ୍ୟ ସତ୍ୟ ନିହିତ ଥିବ ।

ଏହା ଲୋକଙ୍କୁ ନୈତିକ ଶିକ୍ଷା ପ୍ରଦାନ କରୁଥିବ ।

 

‘ଲୋକୋକ୍ତି’ ଲୋକଙ୍କ ମୁହଁରୁ ମୁହଁକୁ ଗତି କରେ । ଏଠାରେ ଲୋକ ଅର୍ଥ ସାଧାରଣ, ଅସାଧାରଣ ଅର୍ଥାତ୍‌ ଗ୍ରାମ୍ୟ ଲୋକ, ଭଦ୍ରଲୋକ ତଥା ସମସ୍ତ ଜନସମାଜକୁ ବୁଝାଏ । ତେଣୁ ‘ଲୋକୋକ୍ତି’ର ନିର୍ଦ୍ଦିଷ୍ଟ ସ୍ରଷ୍ଟା କେହି ନାହାନ୍ତି । ବେଦବାଣୀ ପରି ଏହା ଅପୁରୁଷେୟ । ତୁଣ୍ଡରୁ ତୁଣ୍ଡକୁ ପ୍ରସାରିତ ହୋଇ ଏହା ଜାତୀୟ ଜୀବନକୁ ପ୍ରାଣ ପ୍ରାଚୁର୍ଯ୍ୟରେ ଅଭିଷିକ୍ତ କରାଏ । ଏହାର ପ୍ରୟୋଗରେ ବହୁବିଧ ରୂପ ଲକ୍ଷ୍ୟ କରାଯାଏ । ସ୍ଥାନ କାଳ ପାତ୍ର ଭେଦରେ ଏହାର ରୂପ ପରିବର୍ତ୍ତିତ ହୋଇଥାଏ । ତେଣୁ ଭାଷାକୁ ଗତିଶୀଳ କରିବାରେ ‘ଲୋକୋକ୍ତି’ର ଅବଦାନ ଅବଶ୍ୟ ସ୍ଵୀକାର୍ଯ୍ୟ ।

 

ଗଦ୍ୟରେ ପ୍ରକାଶ ପାଉ କି ପଦ୍ୟରେ, ଲୋକୋକ୍ତିରେ ସର୍ବଦା ଏକ ଅନ୍ତର୍ନିହିତ ସ୍ଵରଝଙ୍କାର ସୃଷ୍ଟି ହୋଇଥାଏ । ଏ ଲୋକୋକ୍ତି କେବେ ପ୍ରବାଦ ଓ ପ୍ରବଚନ ମାଧ୍ୟମରେ କେବେ ଢଗଢ଼ମାଳି ମାଧ୍ୟମରେ କେବେ ବୋଲି ମାଧ୍ୟମରେ ତ କେବେ ପ୍ରହେଳିକା ମାଧ୍ୟମରେ, କେବେ ପୁଣି ଶାସ୍ତ୍ରବଚନ, ନ୍ୟାୟବଚନ, ଋଷିବଚନ ମାଧ୍ୟମରେ ତ କେବେ ବ୍ୟଙ୍ଗ ବିଦ୍ରୁପ ମାଧ୍ୟମରେ ପ୍ରକାଶ ପାଇଥାଏ ।

 

ଲୋକୋକ୍ତିଗୁଡ଼ିକ ପ୍ରାୟତଃ ଲକ୍ଷଣା ଅର୍ଥରେ ପ୍ରଯୁକ୍ତ ହୋଇଥିଲେ ହେଁ ଜନ୍ମତଃ ଏହା ଲକ୍ଷଣାଧର୍ମୀ ନଥାଏ । ପ୍ରାରମ୍ଭରେ ଏହା ଅଭିଧା ଅର୍ଥରେ ପ୍ରୟୋଗ କରାଯାଇଥାଏ । ମାତ୍ର ପରବର୍ତ୍ତୀ କାଳରେ ପ୍ରୟୋଗ ସମୟରେ ପ୍ରୟୋଜନ ଅନୁସାରେ ଏହାର ଅର୍ଥ ବଦଳିଯାଏ ଏବଂ ଏହା ପ୍ରଯୋଜନ ଲକ୍ଷଣାଗର୍ଭକ ହୋଇଯାଏ । ପୁଣି ଯେତେବେଳେ କୌଣସି ଲୋକୋକ୍ତି ବହୁଭାବେ ବ୍ୟବହୃତ ହୋଇ ଏକ ବିଶିଷ୍ଟ ଅର୍ଥ ଗର୍ଭକ ହୋଇଯାଏ ସେତେବେଳେ ତାହା ରୁଢ଼ି ଲକ୍ଷଣାଯୁକ୍ତ ହୋଇଯାଏ ।

 

ଲୋକୋକ୍ତିର ଉତ୍ପତ୍ତି

ଲୋକୋକ୍ତିର ଉତ୍ପତ୍ତି ସମ୍ବନ୍ଧରେ ମତ ଦେଇ ସ୍ଵର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜ କହନ୍ତି - ‘‘ଆମ୍ଭେମାନେ ଦୈନନ୍ଦିନ ଜୀବନରେ କଥା ଓ କାର୍ଯ୍ୟ ପ୍ରସଙ୍ଗରେ, ହାସପରିହାସରେ, ନାଟତାମସାରେ, କ୍ରୀଡ଼ାକଉତୁକରେ, ବ୍ୟଙ୍ଗବିଦ୍ରୁପରେ, ଉପଦେଶ, ଗାଳି, ଉଲୁଗୁଣା ଦେବାରେ, ସମାଲୋଚନା କରିବାରେ, ଶ୍ରମର ବାଧାକୁ ଲାଘବ କରିବାରେ, ଅବୁଝାମନକୁ ବୁଝାଇବାରେ, ଅବାଗିଆ ଲୋକଙ୍କୁ ବାଗେଇବାରେ, ଋତୁକାଳ ଘଟଣା, କୃଷି ଓ ଗୋ ମେଷାଦିଙ୍କୁ ପରୀକ୍ଷା କରିବାରେ, ପ୍ରଶ୍ନର ଉତ୍ତରରେ, ଠାରଠୁରରେ, ସନାତନ ସତ୍ୟ ଓ ଅନୁଭବମାନ ପ୍ରକାଶ କରିବାରେ, ଶୋକ କରିବାରେ, ଶୁଭକର୍ମ ଅନୁଷ୍ଠାନରେ, ଆଗତ ଭବିଷ୍ୟତକୁ କଳନା କରିବାରେ, ଯେଉଁ ଢଗ, ପ୍ରବଚନ, ଡାକ ଋଷି ବଚନ, ଖନା ବଚନ, ଶାହାସ୍ର ବଚନ, ବୋଲି, ପଦ, ଶ୍ଳୋକ, କବିତା, ଜୁଆ, ଦାଇକା, ବଚନିକା, କାନ୍ଦଣା ଆଦି କହିଥାଉ ବା ଶୁଣିଥାଉ ସେମାନେ ନାନା ସ୍ଥାନରୁ ନାନା ଦେଶରୁ, ନାନା ମୁଖରୁ, ନାନା ଶାସ୍ତ୍ର ପୁରାଣାଦିରୁ ନାନା କାବ୍ୟ ଗ୍ରନ୍ଥାଦିରୁ ଗୋଟିଆ ଗୋଟେଇ ହୋଇ ଆସିଛନ୍ତି । ଏଗୁଡ଼ିକ ପନ୍ଦର ପଣ ଉଣେଇସି ଗଣ୍ଡା ‘ପରବୁଜୁଳି’ । ଶାସ୍ତ୍ର, ପୁରାଣ, କାବ୍ୟ ରଚନାଦି ପାଠ କରୁ କରୁ ବା ଶୁଣୁ ଶୁଣୁ ଯେଉଁ ଅଂଶ, ଛତ୍ର, ପ୍ରସଙ୍ଗ ବା ଉପାଖ୍ୟାନ ଶ୍ରୋତାଙ୍କର କୌଣସି ଉପସ୍ଥିତ ଘଟଣା ବା ମନୋଗତ ଭାବକୁ ଗଚ୍ଛି ହୋଇଯାଏ ଓ ଯହିଁରେ ତାଙ୍କ ମନ ମାନିଯାଏ ଓ ଯହିଁରେ ଉପଯୋଗିତା ବା ସାରବତ୍ତା ସମ୍ବନ୍ଧେ ଏକାଧିକ ବ୍ୟକ୍ତି ଏକମତ ହୋଇ ଯାଆନ୍ତି ତାହା ଏକ ଲୋକ ମୁହଁରୁ ଅନ୍ୟ ମୁହଁକୁ ଚଳପ୍ରଚଳ ହୋଇ ଢଗ ପ୍ରବଚନ, ଆକାର ଧାରଣ କରେ । ଏ ପୁରୁଷରେ ଯାହା ପୋଥିଗତ ବିଦ୍ୟା ରୂପରେ ଥାଏ ତାହା ଆର ପୁରୁଷକୁ ଢଗ, ପ୍ରବଚନ ବା ମହାଜନ ବଚନ ଧାରଣ କରି ଦେଶ ତମାମ ଖେଳାଇ ହୋଇଯାଏ।’’

 

ଓଡ଼ିଆ ଲୋକୋକ୍ତିର ବ୍ୟାପ୍ତି

ଓଡ଼ିଶା ଏକ ସର୍ବଧର୍ମ ସମନ୍ୱୟ କ୍ଷେତ୍ର ହୋଇଥିବାରୁ ଏଠାରେ ବହୁଜାତିର ଲୋକ ଏକତ୍ରିତ ହୋଇଛନ୍ତି । ସେମାନଙ୍କ ଭାବଧାରା ଓ ଚଳଣି ମଧ୍ୟରେ ଆଦାନ ପ୍ରଦାନ ଘଟିଛି । ତେଣୁ ଏଠାରେ ଜୀବନଧାରା ହୋଇଛି ବୈଚିତ୍ର୍ୟପୂର୍ଣ୍ଣ । ଓଡ଼ିଶାବାସୀଙ୍କର ଏହି ବୈଚିତ୍ର୍ୟପୂର୍ଣ୍ଣ ଜୀବନଧାରାକୁ ସାଉଁଟି ଧରିଥିବା ଓଡ଼ିଆ ଲୋକୋକ୍ତି ମଧ୍ୟ ବହୁ ବିଚିତ୍ରବର୍ଣ୍ଣରେ ପ୍ରତିଭାତ ହୋଇଛି-

 

ଓଡ଼ିଆ ଲୋକୋକ୍ତିଗୁଡ଼ିକର ମୂଳ ରୂପ ଖୋଜି ବସିଲେ ତାହାର ଉପାଦାନ ବ୍ରାହ୍ମଣଙ୍କ ଚଳଣିଠାରୁ ଆରମ୍ଭ କରି ତେଲି, ପାଣ, କଣ୍ଡରାଙ୍କ ଚଳଣି ପର୍ଯ୍ୟନ୍ତ ରାଜପ୍ରାସାଦର ଐଶ୍ଵର୍ଯ୍ୟରୁ ଆରମ୍ଭ କରି ପତ୍ରକୁଡ଼ିଆର ଦାରିଦ୍ର୍ୟ ପର୍ଯ୍ୟନ୍ତ, ଈଶ୍ୱର ବିଶ୍ଵାସରୁ ଆରମ୍ଭ କରି ବାସ୍ତବବାଦୀ ଜୀବନ ଦର୍ଶନ ପର୍ଯ୍ୟନ୍ତ ଖାଦ୍ୟପେୟଠାରୁ ଆରମ୍ଭ କରି କୃଷି କାର୍ଯ୍ୟ ପର୍ଯ୍ୟନ୍ତ, ଶିକ୍ଷା, ସ୍ଵାସ୍ଥ୍ୟଠାରୁ ଆରମ୍ଭକରି ପାରିବାରିକ ଓ ସାମାଜିକ ରୀତି ନୀତି ପର୍ଯ୍ୟନ୍ତ - ଏସବୁ ମଧ୍ୟରେ ବିଚ୍ଛୁରିତ ହୋଇ ରହିଅଛି । ଏ ଲୋକୋକ୍ତିଗୁଡ଼ିକ ଶାସ୍ତ୍ର, ପୁରାଣରୁ ଆରମ୍ଭକରି ଶିଶୁ ଗୀତ ପର୍ଯ୍ୟନ୍ତ, ଋଷି ବଚନ ଡାକ ବଚନ, ନ୍ୟାୟ ବଚନରୁ ଆରମ୍ଭ କରି ଢଗ, ଢମାଳି, ବୋଲି, ଜୁଆ ପର୍ଯ୍ୟନ୍ତ, ପ୍ରବାଦ, ପ୍ରବଚନରୁ ଆରମ୍ଭ କରି ପ୍ରହେଳିକା, ସମସ୍ୟା ପର୍ଯ୍ୟନ୍ତ ସବୁଠାରୁ ସଂଗୃହୀତ ହୋଇଅଛି । ଢଗ-ଢମାଳି, ପ୍ରବାଦ-ପ୍ରବଚନ, ପ୍ରହେଳିକା, ସମସ୍ୟା, ନାଁ ଦିଆ, ଶାସ୍ତ୍ର ବଚନ, ଋଷି ବଚନ, ନ୍ୟାୟ ବଚନ, ବ୍ୟଙ୍ଗ-ବିଦ୍ରୂପ ଆଦି ଭିନ୍ନ ଭିନ୍ନ ଅର୍ଥବୋଧକ ହେଲେହେଁ କୌଣସି ଅଭିଧାନରେ ଏଗୁଡ଼ିକର ପ୍ରଭେଦ ସ୍ପଷ୍ଟରୂପେ ସୂଚିତ ହୋଇନାହିଁ । ତେଣୁ ଲୋକମାନେ ପ୍ରବାଦ ସ୍ଥାନରେ ପ୍ରବଚନ, ପ୍ରହେଳିକା ସ୍ଥାନରେ ନାଁ ଦିଆ, ପ୍ରବଚନ ସ୍ଥାନରେ ଢଗ ଆଦି ଯଥାତଥା ବ୍ୟବହାର କରି ଥାଆନ୍ତି । ତେଣୁ ପ୍ରଥମେ ଏଗୁଡ଼ିକ ମଧ୍ୟରେ ଥିବା ସୂକ୍ଷ୍ମ ପ୍ରଭେଦ ଦର୍ଶାଇ ଦିଆଯିବା ଉଚିତ ।

 

ଢଗ -ଢଗମାନଙ୍କରେ ଯତିପାତ ଓ ଉପଧା ମିଳାଇବାର ଚେଷ୍ଟା କରାଯାଇଥାଏ । ଏପରିକି ଶେଷ ପଦର ଯତି ଓ ଉପଧା ମିଳାଇବା ପାଇଁ ଗୋଟିଏ ନିରର୍ଥକ ପ୍ରଥମ ପାଦ ମଧ୍ୟ ଢଗରେ ବୋଲାଯାଇଥାଏ । ଯେପରି

 

‘‘କୁକୁଡ଼ାକୁ ଦେଲି ଚିଆଁ

ମୁଖ ଦରଶନ କରିବି ବୋଲି ନିଜେ ମାଗୁଥିଲି ନିଆଁ’’

 

କିମ୍ୱା

ତେନ୍ତୁଳି ମଞ୍ଜି ।

ତୋ ପାଇଁ ହେଲିଣି କେତେ ମୁଁ ଗଞ୍ଜି

 

ଢମାଳି - ଢମାଳିରେ ଯତି ବା ଶେଷ ବର୍ଣ୍ଣର ମେଳ ନ ହୋଇ ବାକ୍ୟ ଗଠନ କରାଯାଏ । ଯେପରି-

 

କାଳି ଗାଈର ଭିନ୍ନେ ଗୋଠ

ଚୋର ହୋଇ ପୁଣି ପାଇକ ପଣ

ବଗର ପୁଣି ଛାଡ଼ଖାଇ, ଇତ୍ୟାଦି

 

ପହେଳି (ପହଳି) - ଏହା ପ୍ରହେଳିକାର ଅପଭ୍ରଷ୍ଟ ରୂପ । ଏହାର ଅର୍ଥ ଅବୋଧ୍ୟ ପ୍ରଶ୍ନ ବା ସମସ୍ୟା । ପ୍ରହେଳିକା ଓ ନାଁ ଦିଆରେ ବକ୍ତା କୂଟ ପ୍ରଶ୍ନ କରି ଶ୍ରୋତାଠାରୁ ଉତ୍ତର ଅପେକ୍ଷାରେ ରହନ୍ତି । ଯେପରି -

 

ପ୍ରହେଳିକାରେ ବକ୍ତା କହେ -

“କୁଜି, କାନ୍ଥ ଆଜଜି,

ଅଧା ଦୂରଠାରୁ ଆସୁଛି ଯୁଝି ।।

ଶ୍ରୋତା ଉତ୍ତର ଦିଏ-‘ଶିଳପୁଆ’

 

ସେହିପରି ନାଁ ଦିଆରେ ବକ୍ତା ପ୍ରଶ୍ନ କରେ-

‘‘ଟିକି ଟିକି କଣ୍ଟା କର୍ପୂର ବାସ

ଏ ନାଁ ଟି କହିଦେଲେ ବଳରାମ ଦାସ

ଶ୍ରୋତା ଉତ୍ତର ଦିଏ ‘ପଣସ’ ।

 

ବ୍ୟଙ୍ଗ ବିଦ୍ରୁପରେ ବକ୍ତା ଉପସ୍ଥିତ ଘଟଣାକୁ ବା ବ୍ୟକ୍ତି ବିଶେଷଙ୍କୁ ପରିହାସ ବା କଟାକ୍ଷପୂର୍ବକ ବାକ୍ୟ ପ୍ରୟୋଗ କରିଥାଏ, ଯଥା –

 

‘‘ପୂରୁବ ସଦେଇ କି ?

ସଦେଇ ହାତରେ ଜାଉଁଳି ମୁଦି ତାକୁ ମଣିଷ ଦିଶଇ କି ?’’

କିମ୍ୱା

‘‘ଠକଙ୍କ ଗୁରୁ,

ହିଆଟି ଚିକ୍କଣ ମୁଁହଟି ସରୁ ।’’

କିମ୍ବା

‘‘ଓଢ଼ଣା ପଡ଼ିଛି ନାକ ସରିକି, ପାଟି ଶୁଭୁଅଛି ଚଉପାଢ଼ିକି’’

 

ନ୍ୟାୟ ବଚନରେ ବକ୍ତା ଉପସ୍ଥିତ ଘଟଣା ସଂଗେ ଅନ୍ୟଘଟଣାକୁ ତୁଳନା ପୂର୍ବକ ଉପମା ଦେଇଥାଆନ୍ତି –

 

‘‘ପାଣିରେ ଘର କରି କୁମ୍ଭୀର ସଂଗେ ଅପ୍ରୀତି ହେବା ନ୍ୟାୟ ।’’

‘‘ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟ ।’’

 

ଖନା ବଚନ, ଋଷି ବଚନ ଆଦିରେ କୃଷି, ବର୍ଷା, ଜ୍ୟୋତିଷ ସଂପର୍କରେ ମହାଜନମାନଙ୍କ ଅନୁଭୂତିସିଦ୍ଧ ପଦମାନ ଉଦ୍ଧାର କରାଯାଇଥାଏ -

 

‘‘ବାଆଁ ଶିଆଳ, ଯାତ୍ରା ଅନୁକୂଳ କିଛି ନଭାଳ ।’’ (ଖନା ବଚନ)

‘‘ଯେବେ ଦେଖିବୁ ତେଲି, ତେବେ ନଯିବୁ ପେଲି ।’’(ଡାକ ଋଷି ବଚନ)

‘‘ଭୋଦୁଅ ପାଣି, ପକା ହାଣି

ଅଶିଣ ପାଣି, ବନ୍ଧା ଟାଣି ।’’

 

ଉପଦେଶ ଓ ସାର ବଚନରେ ଅନୁଭବ ସିଦ୍ଧ ବିଷୟମାନ ସଂଚିତ ହୋଇଥାଏ । ଯେପରି –

 

‘‘ପଣସ ଚୋପା

ପର ପୁଅକୁ ପରତେ ନଯିବୁରେ ବାପା ।’’ (ଉପଦେଶ)

‘‘ଘୋଡ଼ା ଚଢ଼ାଠାରୁ ସଂପତ୍ତି ନାହିଁ

ଘରପୋଡ଼ି ଠାରୁ ବିପତ୍ତି ନାହିଁ ।’’ (ସାର ବଚନ)

 

ପ୍ରବାଦ - ପ୍ରବାଦଗୁଡ଼ିକ ହେଉଛି କଥା ସମ୍ବଳିତ ଉକ୍ତି ବା କାହାଣୀ ବଚନ । ପ୍ରତ୍ୟେକ ପ୍ରବାଦ ପଛରେ ଏକ କାହାଣୀ ବା ଜନଶ୍ରୁତି ବା କିଂବଦନ୍ତୀ ଥାଏ ଯାହା ପ୍ରବଚନରେ ଅନୁପସ୍ଥିତ । ଉଦାହରଣ ସ୍ଵରୂପ ‘‘ତିନି ତୁଣ୍ଡରେ ଛେଳି କୁକୁର’’ - ଏ ପ୍ରବାଦଟି ପଛରେ ଜଣେ ପଥିକ ଛେଳିଟିଏ କାନ୍ଧରେ ବୋହି ଯିବାବେଳେ ତିନିଜଣ ଧୂର୍ତ୍ତ ଭିନ୍ନ ଭିନ୍ନ ସ୍ଥାନରେ ତା ପାଖକୁ ଆସି ତୁ କାହଁକି କୁକୁରଟିଏ କାନ୍ଧରେ ବୋହି ନେଉଛୁ ? କହିବାରୁ ପଥିକଟି ତା’ ଛେଳିକୁ କୁକୁର ଭାବି ଛାଡ଼ିଯିବା କାହାଣୀଟି ରହିଥିବାର ଆମେ ଜାଣିପାରୁ । ସେହିପରି ‘ଶିବେଇ ସା’ନ୍ତରାଙ୍କ ପରି ଜାଉ ଖାଇବା’ ପ୍ରବାଦଟି ଅନ୍ତରାଳରେ କୋଣାର୍କମନ୍ଦିର ନିର୍ମିତ ହେବା ସମୟର କିଂବଦନ୍ତୀଟି ରହିଛି । ‘ଅତି ଲୋଭରେ ତନ୍ତୀ ମରେ’ ପ୍ରବାଦଟିରେ ଦୁଇ ମୁଣ୍ଡ ଚାରି ହାତ ହେବା ଲାଗି ଦେବୀଙ୍କଠାରୁ ବର ମାଗି ତନ୍ତୀଟି ତା’ ଗ୍ରାମବାସୀଙ୍କଦ୍ୱାରା କିପରି ନିହତ ହୋଇଥିଲା ତା’ର ଚିତ୍ର ରହିଛି ।

 

ପ୍ରବଚନ - ପ୍ରବଚନ ହେଉଛି ପରଂପରାଗତ ଅଭିଜ୍ଞତାଭିତ୍ତିକ ଚେତାବନୀ ବା ଉପଦେଶ-। ଜନ ସମାଜର ସାମଗ୍ରିକ ଜ୍ଞାନ ଓ ଅଭିଜ୍ଞତା ଏଥିରେ ସଂଚିତ ଥାଏ । ଏହା ଜନ ସମାଜର ମାର୍ଗ ନିର୍ଦ୍ଦେଶକ । ଏଗୁଡ଼ିକ ଦୈନନ୍ଦିନ ଜୀବନର ସମସ୍ୟା ଓ ଅଭିଜ୍ଞତା ଭିତ୍ତିକ ହୋଇଥାଏ । ଏଥିରେ ପ୍ରଖ୍ୟାପିତ ସତ୍ୟ ବା ଆଦର୍ଶ ଦାର୍ଶନିକ ବା ବୈଜ୍ଞାନିକ ଭିତ୍ତିରେ ସଂପନ୍ନ ହୋଇ ନଥାଏ । ଗୋଟିଏ ଗୋଟିଏ ଗୋଷ୍ଠୀର ଅଭିଜ୍ଞତା ପ୍ରସୂତ ହୋଇଥିବାରୁ ପ୍ରବଚନଗୁଡ଼ିକ ବେଳେ ବେଳେ ପରସ୍ପର ବିରୋଧୀ ହୋଇଥାଏ । ଉଦାହରଣ ସ୍ଵରୂପ କେତେବେଳେ କୁହାଯାଏ -

 

‘‘ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ ।’’ ପୁଣି କେତେବେଳେ କୁହାଯାଏ- ‘‘ପେଟ ପୋଷ, ନାହିଁ ଦୋଷ ।’’ ସେହିପରି କୃଷି ଓ ପାଣିପାଗ ବିଷୟକ ପ୍ରବଚନ ସର୍ବଦା ବିଜ୍ଞାନ ଦୃଷ୍ଟିରୁ ସତ୍ୟ ହୋଇ ନଥାଏ । ଯେପରି-

 

‘‘ଚନ୍ଦ୍ର ମଣ୍ଡଳ ଭିତରେ ତାରା

ତେବେ ବରଷେ ମୂଷଳ ଧାରା ।’’

 

ଏଥିରେ ବୈଜ୍ଞାନିକ ସତ୍ୟତା ନାହିଁ । କିନ୍ତୁ ଏ ପ୍ରକାର ପ୍ରବଚନ ପ୍ରାକୃତିକ ବୈଚିତ୍ର୍ୟ ଅନୁଧ୍ୟାନ ଲାଗି ଲୋକ ଚିତ୍ତରେ ପ୍ରବୃତ୍ତି ଜାଗ୍ରତ କରାଏ । ପ୍ରବଚନର ବୈଶିଷ୍ଟ୍ୟ ହେଉଛି, ଏହା ବ୍ୟକ୍ତିଗତ ଭାବ ବିନିମୟର ଏକ ନୈର୍ବ୍ୟକ୍ତିକ ମାଧ୍ୟମ । ଏଥିରେ ଉପଦେଶ ବା ଶିକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ମନ୍ତବ୍ୟ ସିଧାସଳଖ ବ୍ୟକ୍ତି ବିଶେଷର ନ ହୋଇ ପୂର୍ବ ପୁରୁଷଙ୍କ ଅନୁଭୂତି ସିଦ୍ଧ ହୋଇଥିବାରୁ ଏହା ପରଂପରା ଗତ ସତ୍ୟବଚନ ଭାବେ ବିବେଚିତ ହୁଏ ।

 

ଏହିପରି ଭାବେ ଦେଖିଲେ ଲୋକୋକ୍ତିଗୁଡ଼ିକର ପ୍ରକାଶ ମାଧ୍ୟମ ଯେପରି ବହୁବିଧ ଏହାର ଭାବଗତ ପରିଧି ମଧ୍ୟ ସେହିପରି ଅତି ବ୍ୟାପକ । ମନୁଷ୍ୟର ଏପରି ଚିନ୍ତା ଓ ଚେତନା ତଥା କାର୍ଯ୍ୟକଳାପ ନାହିଁ ଯାହାକୁ ନେଇ ଲୋକୋକ୍ତି ସୃଷ୍ଟି ହୋଇନାହିଁ । ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ଲୋକୋକ୍ତିଗୁଡ଼ିକ ଆମର ପଥ ପ୍ରଦର୍ଶକରୂପେ କାର୍ଯ୍ୟ କରି ଆସିଛି । କେତେବେଳେ ଏହା ସାମାଜିକ ଚଳଣି ଓ ରୀତି ନୀତି ସଂପର୍କରେ ଆମକୁ ସଚେତନ କରାଏ ତ କେତେବେଳେ ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରଖିବା ଦିଗରେ ଆମକୁ ଉପଦେଶ ଦିଏ । କେବେ ଆମ ମନରେ ଈଶ୍ୱର ବିଶ୍ଵାସ ଆଣିଦିଏ ତ କେବେ ଜୀବନ ଦର୍ଶନର କଥାକୁହେ; କେବେ ପୁଣି କୃଷି, ବାଣିଜ୍ୟ, ସ୍ୱାସ୍ଥ୍ୟ ଶିକ୍ଷା ଆଦି ବିଷୟରେ ଆମକୁ ଅବଗତ କରାଏ ତ କେବେ ଉଚିତ ଅନୁଚିତ ବ୍ୟବହାର କଥା କହେ । ତେଣୁ ଆତ୍ମିକ ବିଭବ ଦୃଷ୍ଟିରୁ ଲୋକୋକ୍ତିର ବିଭାଗୀକରଣ କରାଯାଇପାରେ ।

 

ସାମାଜିକଚଳଣି ଭିତ୍ତିକ ଲୋକୋକ୍ତି

ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ଅନ୍ୟର ସାହାଯ୍ୟ ସହଯୋଗ ବିନା ବଞ୍ଚି ରହିପାରେନା । ତେଣୁ ସେ ଗୋଷ୍ଠୀବଦ୍ଧ ଜୀବନ ଯାପନ କରେ । ଏହି ଗୋଷ୍ଠୀ ବା ସମାଜ ଭିତରେ ରହିବାକୁ ହେଲେ ପରଆପଣା ଭେଦଭାବ ଭୁଲି ସମସ୍ତଙ୍କୁ ସମଦୃଷ୍ଟିରେ ଦେଖି‌ବା ପାଇଁ ଲୋକୋକ୍ତିରେ ଉପଦେଶ ଦିଆଯାଇଛି -

 

‘‘ସଂସାରେ କରିଥିବ ଘର, ଅଧେ ଆପଣା ଅଧେ ପର ।’’

କିମ୍ୱା

‘‘ସମଦୃଷ୍ଟି କରିବ ଯେବେ, ସଂସାରେ ମଣିଷ ହେବ ତେବେ ।’’

 

ସଂସାରରେ ରହିବାକୁ ହେଲେ ମଣିଷକୁ ବହୁ ଦୁଃଖ ଭୋଗ କରିବାକୁ ପଡ଼ିଥାଏ । ତେଣୁ ଧୈର୍ଯ୍ୟର ସହ ବାଧାବିଘ୍ନ ଅତିକ୍ରମ କରିବା ପାଇଁ ଲୋକୋକ୍ତିରେ ମନୁଷ୍ୟକୁ ସଚେତନ କରି ଦିଆଯାଇଛି -

 

‘‘ଚକ ବୁଲୁଥାଇ ଅଖ ବୁଲୁଥାଇ

ଆବର ବୁଲଇ ପହି

ସଂସାର ଭିତରେ ଘର କରିଥିଲେ

ପଥର ପଡ଼ିଲେ ସହି ।’’

 

ଲୋକୋକ୍ତି ଅନୁଯାୟୀ ସମାଜରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଆଣିବା ପାଇଁ ବ୍ୟକ୍ତିକୁ ସଚ୍ଚୋଟ ଓ ନିମକ୍‌ ସଜା ହେବାକୁ ପଡ଼ିବ । -

 

‘‘ଯାହାର ଲୁଣ ଖାଇବ, ତାହାର ଗୁଣ ଗାଇବ ।’’

 

ଭାଇମାନଙ୍କ ମଧ୍ୟରେ ଘରଦ୍ୱାର ଜମିବାଡ଼ି ବଣ୍ଟାଯିବା ଆମ ସମାଜର ଏକ ପ୍ରଚଳିତ ପ୍ରଥା-। ଏଥିରେ ବିଚଳିତ ହେବାର କିଛି ନାହିଁ । ତେଣୁ ଲୋକମୁଖରେ କୁହାଯାଇଛି -

 

‘‘ଯେତେ ଭାଇ ସେତେ ଘର

ଯେତେ କନିଆଁ ସେତେ ବର ।’’

 

ପାରିବାରିକ ସମ୍ପର୍କ ଭିତ୍ତିକ ଲୋକୋକ୍ତି

ବ୍ୟକ୍ତିକୁ ନେଇ ପରିବାର ଓ ପରିବାରକୁ ନେଇ ସମାଜ । ପ୍ରତ୍ୟେକ ପରିବାର ବା ଘରର କେନ୍ଦ୍ରବିନ୍ଦୁ ଘରଣୀ । ଘରଟିକୁ ସୁଦୃଢ଼ କରିବାପାଇଁ ମଜବୁତ ଶ୍ରେଣୀ, ଖୁଣ୍ଟି, ରୁଅ, କାମଡ଼ାର ଆବଶ୍ୟକତା ଯେତିକି ରହିଛି, ପରିବାରଟିକୁ ଅତୁଟ ରଖିବା ପାଇଁ ସବୁକାର୍ଯ୍ୟ ପ୍ରତି ସଜାଗ ଥିବା ସଚେତନ ଘରଣୀଟିର ଆବଶ୍ୟକତା ସେତିକି ରହିଛି । ତେଣୁ କୁହାଯାଇଛି-

‘‘ଉଦ୍ଭାତାଳ, ପୋତାଶାଳ, ରୁଅ ହେନ୍ତାଳ, ଗଣ୍ଠିବେତାଳ

ଘରଣୀ ଚେତୁଆଳ, ତେବେ ସେ ଘରଯାଏ ଅପାରକାଳ ।’’

 

ପ୍ରତ୍ୟେକ ପରିବାରରେ ପିତାମାତା ହେଉଛନ୍ତି ସବୁଠାରୁ ବଳି ଆପଣାର । ତେଣୁ ଲୋକମୁଖରେ ସେମାନଙ୍କୁ ଆଖୁ ଗୁଡ଼ ସହ ତୁଳନା କରାଯାଇଛି -

 

‘‘ମାଆ ବାପଠାରୁ ସୋଦର ନାହିଁ

ଆଖୁଗୁଡ଼ ଠାରୁ ମଧୁର ନାହିଁ ।’’

 

ଭାଇ ଭଉଣୀ ଏକା ମାଆ ପେଟରୁ ଜାତ ହେଲେହେଁ ସେମାନେ ଭିନ୍ନ ଭିନ୍ନ ଭାଗ୍ୟ ଡୋରିରେ ବନ୍ଧା ହୋଇ ଥାଆନ୍ତି । ଏକଥା ନିମ୍ନୋକ୍ତ ଲୋକୋକ୍ତି ଦୁଇଟିରୁ ପ୍ରମାଣିତ ହୁଏ -

 

‘‘ଭାଇ ରାଜା ହେଲେ ଭଉଣୀ ନୁହେଁ ରାଣୀ

ଅତି ସେରନ୍ତାରେ ଡାକିଲେ କହନ୍ତି ଆମ ରାଜାଙ୍କ ଭଉଣୀ ।’’

କିମ୍ୱା

‘‘ଭଉଣୀ ରାଣୀ ହେଲେ ଭାଇ ନୁହେଁ ରଜା

ଅତି ସେରନ୍ତାରେ ଡାକନ୍ତି ଆମ ରାଜାଙ୍କ ପରଜା ।’’

 

ପରିବାରରେ ସ୍ୱାମୀଟି ଯଦି ଅଯୋଗ୍ୟ ହୁଏ ତେବେ ସ୍ତ୍ରୀଟିର ଜୀବନ କେତେ ହୀନିମାନିଆ ହୋଇଥାଏ ତାହାର ଦୃଷ୍ଟାନ୍ତ ମଧ୍ୟ ଲୋକ ମୁଖରେ ପ୍ରଚାରିତ ହୋଇଛି -

 

‘‘ଘଇତା ଅଯୋଗ୍ୟ ପଣେ

ମାଇପ ଶୁଏ ସନ୍ତରା ବଣେ ।’’

 

ପ୍ରତି ପରିବାରର ଅମୂଲ୍ୟନିଧି ହେଉଛି ପୁତ୍ରସନ୍ତାନ । ପୁଅଟିଏ ହେବାପାଇଁ ପିତାମାତାଙ୍କର କେତେ ଆକାଂକ୍ଷା, କେତେ କାମନା ଓ କେତେ ମାନସିକ । ଗୋଟିଏ ପୁଅରେ କିନ୍ତୁ ସେମାନେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ସେମାନଙ୍କ ମନ ସବୁବେଳେ କେବେ କେଉଁ ବିପତ୍ତି ଆସିବ ସେଥିପ୍ରତି ଆଶଂକିତ ଥାଏ । ଠିକ୍‌ ଯେପରି ନଈ କୂଳରେ ଚାଷ କରୁଥିବା ଚାଷୀଟି ସବୁବେଳେ ବନ୍ୟା ପ୍ରତି ଆଶଂକିତ ରହେ । ତେଣୁ ଲୋକେ କହନ୍ତି –

 

‘‘ଏକ ପୁଅରେ ଆଶ, ନଈ କୂଳରେ ଚାଷ ।’’

 

କିଂବଦନ୍ତୀ ଭିତ୍ତିକ ଲୋକୋକ୍ତି

କୁହାଯାଏ, କିଂବଦନ୍ତୀର ଅସ୍ଥିମଜ୍ଜାରେ ଐତିହାସିକ ସତ୍ୟ ଲୁକ୍‌କାୟିତ ଥାଏ । ଇତିହାସ ବା ପୁରାଣର କୌଣସି ଆଖ୍ୟାନ ଲୋକରେ ବହୁଳ ପ୍ରଚାରିତ ହୋଇ କିଂବଦନ୍ତୀ ହୋଇଯାଏ ଏବଂ ଏହି କିଂବଦନ୍ତୀକୁ ଭିତ୍ତିକରି ଲୋକମୁଖରେ ଅନେକ ଉକ୍ତି ପ୍ରସାର ଓ ପ୍ରଚାର ଲାଭ କରେ । ମୁକୁନ୍ଦଦେବଙ୍କ ରାଜତ୍ୱ କାଳରେ କଳାପାହାଡ଼ ଓଡ଼ିଶା ଆକ୍ରମଣ କରିବା ଘଟଣାକୁ କେନ୍ଦ୍ରକରି ସୃଷ୍ଟି ହୋଇଥିବା କେତୋଟି ଲୋକୋକ୍ତି ଏହାର ଦୃଷ୍ଟାନ୍ତ –

 

‘‘ଅଇଲା କଳାପାହାଡ଼ ଭାଙ୍ଗିଲା ଲୁହାରବାଡ଼

ପିଇଲା ମହାନଦୀ ପାଣି

ସୁବର୍ଣ୍ଣ ଥାଳିରେ ହୀରା ପରଶିଲେ

ମୁକୁନ୍ଦ ଦେବଙ୍କ ରାଣୀ ।’’

କିମ୍ୱା

‘‘ଭଲା ରାମଚଣ୍ଡୀ ଭଲାରେ,

କଳାପାହାଡ଼କୁ ଦୁଆରେ ବସାଇ ଭଲା ପାଣି ପାଇଁ ଗଲାରେ ।’’

 

ସେହିପରି କୋଣାର୍କ ମନ୍ଦିର ତୋଳାଯିବା ସମୟରେ କିଂବଦନ୍ତୀକୁ ନେଇ ନିମ୍ନୋକ୍ତ ଲୋକୋକ୍ତି ସୃଷ୍ଟି ହୋଇଛି -

 

‘‘ଶିବେଇ ସାନ୍ତରା ପରି ଜାଉ ଖାଇବା ।’’

‘‘ବାରଶ ବଢ଼େଇର ଦାୟ ନା ପୁଅରେ ଦାୟ ।’’

 

ମହାଭାରତ, ରାମାୟଣ, ଭାଗବତ ଆଦି ପୁରାଣ ଗ୍ରଛରେ ଉଲ୍ଲେଖ ଥିବା କେତେକ ଆଖ୍ୟାନ କ୍ରମେ ଲୋକମୁଖରେ ବହୁଭାବେ ପ୍ରସାରିତ ହୋଇ ଲୋକୋକ୍ତିରେ ପରିଣତ ହୋଇଛି । ଯେପରି -

 

‘‘ଉଆଁସୀ କନ୍ୟାକୁ ସାହାଡ଼ା ବର’’

‘‘ଗଙ୍ଗା କହିଲେ ଥିବି, ଗା’ଙ୍ଗୀ କହିଲେ ଯିବି ।’’

‘‘କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ ।’’

‘‘କର୍ମ କଷଣ ଦେହ ସହେ, ଅରଣ୍ୟେ ଅଜଗର ପ୍ରାୟେ’’

‘‘ମଞ୍ଚାରୁ ପଡ଼ି ମାମୁଁ ମଲା, ମତେ ତ ଦଇବ ରଖିଲା ।’’

 

ଅନୁଭୂତି ସମ୍ବଳିତ ଶିକ୍ଷାପ୍ରଦ ଲୋକୋକ୍ତି

ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଯୁକ୍ତ ରହି ମନୁଷ୍ୟ ଯେଉଁ ସବୁ ଅନୁଭୂତି ସଂଗ୍ରହ କରେ ତାହାକୁ ସେ ସୁନ୍ଦର ଶବ୍ଦବିନ୍ୟାସ ମାଧ୍ୟମରେ ସାଇତି ରଖେ ଅନ୍ୟକୁ ସେ ବିଷୟରେ ଚେତାଇ ଦେବାପାଇଁ । ଯୁଗ ଯୁଗ ଧରି ଅସଂଖ୍ୟ ଲୋକଙ୍କର ଏଇ ଅନୁଭୂତି ସଂପନ୍ନ ଉକ୍ତିମାନ ବେଶ୍‌ ଶିକ୍ଷାପ୍ରଦ ହୋଇ ମନୁଷ୍ୟ ଜୀବନକୁ ଶୃଙ୍ଖଳିତ କରିଆସିଛି । ଏହିପରି କେତୋଟି ଲୋକୋକ୍ତି ହେଉଛି -

 

ଅତି ଭକ୍ତି ଚୋରର ଲକ୍ଷଣ

ଅତି ଲେମ୍ୱୁ ଚିପୁଡ଼ିଲେ ପିତା ।

ଅଳ୍ପ ବିଦ୍ୟା ଭୟଙ୍କରୀ

ଆଲୋ ସଖୀ, ଆପଣା ମହତ ଆପେ ରଖି ।

ମାନିଲେ ଦେବତା, ନମାନିଲେ ପଥର ।

 

ଆପଣା ବୁଦ୍ଧିରେ ଠାକୁର, ପର ବୁଦ୍ଧିରେ କୁକୁର ।

ଯେଡ଼େ ବାଉଁଶକୁ ତେଡ଼େ ପୋଲ ।

ଧର୍ମରୁ ଜୟ, ପାପରୁ କ୍ଷୟ ।

ଯେଣେ ଯିବୁ ତେଣେ ଯା, କର୍ମ ଘେନି ବୁଲୁଥା ।

କପାଳ ଲିଖନ, କେ କରିବ ଆନ ।

ଅଭାଗା କପାଳକୁ ସମୁଦ୍ର ଶୁଖେ ।

 

କେତେବେଳେ ପାଲିଙ୍କି ଉପରେ ପାଟ ଛତା ତ କେତେବେଳେ ବେଡ଼ି ଉପରେ କୋରଡ଼ା ଇତ୍ୟାଦି ।

 

କୃଷି ଓ ପାଣିପାଗ ଭିତ୍ତିକ ଲୋକୋକ୍ତି

ଆମ ଦେଶ ଏକ କୃଷିପ୍ରଧାନ ଦେଶ । ତେଣୁ ଆମ ସଂସ୍କୃତିରେ ମାଟି ହେଉଛି ମାଆ ଏବଂ ଆକାଶ ହେଉଛି ପିତା । ଆକାଶରୁ ମେଘ ଝରିବ ଏବଂ ମାଟିରେ ଫସଲ ଖେଳି ଉଠିବ ସେଥିରେ ଆମ ଚାଷୀଭାଇର ଆନନ୍ଦ କହିଲେ ନସରେ । ଚାଷକାର୍ଯ୍ୟ ସଂପର୍କିତ ତା’ର ଅନୁଭୂତି ବହୁଭାବେ ରୂପାୟିତ ହୋଇ ଢଗ ଢମାଳି, ପ୍ରବାଦ ପ୍ରବଚନ, ଡାକ ବଚନ, ଋଷି ବଚନ ଭାବେ ପ୍ରସିଦ୍ଧି ଲାଭ କରିଛି । ଏ ଅନୁଭୂତି କେବେ ଚଷା ଓ ଜମି ସଂପର୍କିତ ତ କେବେ ବିହନ ଓ ଫସଲ ସଂପର୍କିତ, କେବେ ପୁଣି ଚାଷ ଓ ପାଣିପାଗ ସମ୍ୱନ୍ଧୀୟ ତ କେବେ ବୁଣା, ରୁଆ, ବଛା ସମ୍ବନ୍ଧୀୟ । ଚାଷ ତ ଆମ ମୁଖ୍ୟ ବେଉସା । ତେଣୁ କୁହାଯାଇଛି - ‘‘ଚାଷ ନାହିଁ ଯାହାର, ବାସ ନାହିଁ ତାହାର ।’’ ଚାଷକାର୍ଯ୍ୟ ପରହାତରେ ନଦେଇ ନିଜେ କରିବା ପାଇଁ କେତେକ ଲୋକୋକ୍ତିରେ ଉପଦେଶ ଦିଆ ଯାଇଛି -

 

‘‘ଆପେ ଚଷିବୁ ପୁରା ଚାଷ

ଛତା ଜୋତା ଅଧା ଚାଷ

ମୂଲିଆ ଚାଷ ଫସର ଫାସ ।’’

 

ଚାଷକାର୍ଯ୍ୟ ପାଇଁ ଚାଷୀ ବର୍ଷା ଉପରେ ନିର୍ଭର କରେ । ତେଣୁ କେବେ କିପରି ବର୍ଷା ହେବ ସେ ସଂପର୍କରେ ବିଭିନ୍ନ ସଂକେତ ଲୋକୋକ୍ତିରେ ପ୍ରକାଶ ପାଇଛି -

 

‘‘ଉଇଁ ନଦିଶେ ହସି ପଶେ

ଉତ୍ତର ମେଘ ଦକ୍ଷିଣେ ଆସେ

ସଜ ଗୋବରରେ ଅଂଶେଇ ବସେ

ଡାକ ବୋଲେ ପୁତା ନିଶ୍ଚେ ବରଷେ ।’’

 

ଧାନ ଓଡ଼ିଶାର ପ୍ରଧାନ ଫସଲ ହୋଇଥି‌ବାରୁ ଧାନଚାଷ ସଂପର୍କରେ ବହୁ ଲୋକୋକ୍ତି ପ୍ରଚଳିତ ଥିବାର ଆମେ ଲକ୍ଷ୍ୟ କରୁ । ଯେପରି -

 

‘‘ଉଭା ମୁଠି, ଆଡ଼ ଦିମୁଠି

କିଆରି ମଝିରେ ପୋତିବୁ କାଠି

ବିଲରେ ରଖିବୁ ପାଣି ସମାନ

ପର୍ବତ ଶିଖରେ ବୁଣିବୁ ଧାନ

ଯେବେ ନୋହିବ ତହିଁରେ ଧାନ

ତେବେ କାଟିବୁ ଡାକର କାନ ।’’

 

ଏପରି କିଆରି ପ୍ରସ୍ତୁତ କରି ଅକ୍ଷୟତୃତୀୟା ବେଳକୁ ଅକ୍ଷିମୁଠି ଛାଟି ଯେଉଁ ଧାନ ବୁଣାଯାଇଥାଏ ଗର୍ଭଣାସଂକ୍ରାନ୍ତି ବେଳକୁ ସେ ସବୁ ଧାନଗଛରେ ଧାନ ଭିତରେ ଚାଉଳ ହେବାର ଲକ୍ଷ୍ୟ କରାଯାଏ । ତେଣୁ କୁହାଯାଇଛି -

 

‘‘ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁ ଟୁଣୁ ।’’

 

ଖାଦ୍ୟ ସମ୍ବନ୍ଧୀୟ ଲୋକୋକ୍ତି

ଖାଇବା ଓ ଖୁଆଇବାରେ ଓଡ଼ିଶାବାସୀ ଖୁବ୍‌ ପାରଙ୍ଗମ । ଖାଦ୍ୟ ମଧ୍ୟରେ କଅଣ ସବୁ ସୁଖାଦ୍ୟ ତାହା ଓଡ଼ିଆଙ୍କୁ ଖୁବ୍‌ ଜଣା । ଏସବୁ ଉତ୍ତମ ଖାଦ୍ୟର ତାଲିକା କେତେକ ଲୋକୋକ୍ତିରେ ପ୍ରସ୍ତୁତ କରାଯାଇଛି । ଯେପରି -

 

‘‘ଅଜାଗଜା, ବୁଢା ମେଷ, ଦୁଧର ସର, ଦହିର ଶେଷ

ମାଛର ମା’, ଶାଗର ଝି, ୟା’କୁ ନଖାଇବ ଖାଇବ କି ?’’

 

ଅର୍ଥାତ୍‌ ଅଜା (ଛେଳି) ଛୋଟ ହୋଇଥିବ, ମେଣ୍ଢା ବଡ଼ ହୋଇଥିବ ତାହା ଯେପରି ସ୍ଵାଦିଷ୍ଟ ହୁଏ, ଦୁଧ ଉପରେ ସର, ତଳ ତଳିଆ ଦହି, ବଡ଼ମାଛ ଓ ଛୋଟ ଛୋଟ କଅଁଳିଆ ଶାଗ ସେହିପରି ଖାଇବାକୁ ରୁଚିକର ହୋଇଥାଏ ।

 

ଆମର ଲୋକୋକ୍ତିଗୁଡ଼ିକରେ ଖୁବ୍‌ ବେଶୀ ଖାଇବା ବାଲାଙ୍କୁ ଯେପରି ଉପହାସ କରାଯାଇଛି, ଖାଇବାରେ କୃପଣ ଲୋକମାନଙ୍କୁ ମଧ୍ୟ ସେହିପରି ବ୍ୟଙ୍ଗ କରାଯାଇଛି । ଉଦାହରଣ ସ୍ଵରୂପ ବହୁତ ଖାଉଥିବା ଲୋକମାନଙ୍କୁ ଆକ୍ଷେପ କରି କୁହାଯାଇଛି -

 

‘‘ଅଖାଇ କରିଛି ଓଷା

ଡୋଲିକ ଚାଉଳ ଓଳିକ କରିଛି

ପେଟ ଅଛି ଦରପୋଷା ।’’

କିମ୍ବା

‘‘ଅଖାଇ ନ ଖାଇଲା

ଖାଉ ଖାଉ ଖଡ଼ା/ବାଡ଼ିକ ଖାଇଲା

ସୁଆଦ ନପାଇଲା ।’’

 

ପୁଣି ଖାଇବାରେ କୃପଣ ଲୋକଙ୍କୁ ତାତ୍ସଲ୍ୟ କରି କୁହାଯାଇଛି -

‘‘ବଡ଼ ଘର ବୋଲି ନାଁ ପଡ଼ୁଛି

ଅଢ଼େଇ କୁଲା ଶାଗ ସିଝୁଛି ।’’

 

ବ୍ୟଙ୍ଗାତ୍ମକ ଲୋକୋକ୍ତି

ନିଜର ସାମର୍ଥ୍ୟ, ନିଜର ଯୋଗ୍ୟତା ନଜାଣି ସ୍ଥାନ, କାଳ, ପାତ୍ର ବିବେଚନା ନକରି ଲୋକ ଯେତେବେଳେ ଅରୁଚିକର, ଅପସନ୍ଦ କାର୍ଯ୍ୟ କରିଥାଏ, ସେତେବେଳେ ସେ ସମାଜରେ ଉପହାସର ପାତ୍ର ହୁଏ । ଏହି ଉପହାସ ଜନିତ ଲୋକୋକ୍ତି ଅଦ୍ୟାବଧି ଲୋକମୁଖରେ ସାଇତାହୋଇ ରହିଛି । ଯେପରି -

 

କୃପଣ ଦାନୀ ହେବା ପାଇଁ ମନ ବଳାଇଲେ ଲୋକେ କହନ୍ତି - ।

‘‘ଅଗସ୍ତି ଦେଲେଦାନ, କଷା ଗୁଆକୁ ପଚାପାନ ।’’

 

ଗରିବ ବ୍ୟୟ ବହୁଳ କାର୍ଯ୍ୟ ପ୍ରତି ମନ ବଳାଇଲେ ତାକୁ ଆକ୍ଷେପ କରାଯାଏ-

 

‘‘ଅଣ୍ଟାରେ ନାହିଁ ଧନ, ପୁଅ ବିଭାକୁ ମନ ।’’

 

କେହି ଜାଣିଶୁଣି ନିଜଦୋଷରୁ ବିପଦରେ ପଡ଼ିଲେ ତାକୁ ଲୋକେ ଶୁଣାଇ ଦିଅନ୍ତି -

‘‘ଆ ବଳଦ ମତେ ବିନ୍ଧ୍‌ ।’’

 

ନିଶ୍ଚିତ ଭାବେ କିଛି ନଜାଣି ନବୁଝି ଆଗତୁରା କାର୍ଯ୍ୟ କରିଗଲେ କୁହାଯାଇଥାଏ -

 

‘‘ଆଗତ ଚଢ଼େର କି ବେସର ବଟା ।’’

 

ଉପରେ ଚିକ୍କଣକଥା କହି ଭିତରେ ଭିତରେ ଗୋଛି କାଟିଲେ ଲୋକେ ଆକ୍ଷେପ କରନ୍ତି -

 

‘‘ବଚନ ମଧୁର ତିଳକ ସରୁ

ଜାଣିବ ତାହାଙ୍କୁ ଠକଙ୍କ ଗୁରୁ ।’’

 

ଓଡ଼ିଆ ଲୋକୋକ୍ତିର ବୈଚିତ୍ର୍ୟ

ସ୍ଵଳ୍ପ ପରିସର ମଧ୍ୟରେ ସୁବିସ୍ତୃତ ଭାବ ପ୍ରକାଶ କରିବାରେ ଓଡ଼ିଆ ଲୋକୋକ୍ତିଗୁଡ଼ିକ ଖୁବ୍‌ ଚିତ୍ତାକର୍ଷକ ହୋଇପାରିଛି । ଏହା ଶ୍ରୋତାଙ୍କ ବୁଦ୍ଧିକୁ ଉଜ୍ଜୀବିତ କରିବା ସଂଗେ ସଂଗେ ସେମାନଙ୍କ ମାନସପଟରେ ଅପୂର୍ବ ଝଲକ ସୃଷ୍ଟି କରିଥାଏ । ଯେପରି -

 

‘‘ଦେଇ ମଲା ବଳି, ନଦେଇ ମଲା ରାବଣ

ଦେଖି ମଲା କଂସ ନଦେଖି ମଲା ଦଶରଥ ।’’

 

ଏହା ଶ୍ରୋତାର ପୌରାଣିକ ଜ୍ଞାନକୁ ଉଜ୍ଜୀବିତ କରାଇଥାଏ । ପୁଣି -

 

‘‘ଦେବତା, ବ୍ରାହ୍ମଣ, ଶଙ୍ଖ, ନିରିମାଲ୍ୟ

ବଟୁ, ଶାଳଗ୍ରାମ ଶିଳା

ବିନା ଆସନରେ, ରହିଲେ ଭୂମିରେ

ସହି ନପାରନ୍ତି ଧରା ।’’-

 

ଏ ପ୍ରକାର ଲୋକୋକ୍ତି ଆମ ସାଂସ୍କୃତିକ ଚେତନାକୁ ଉଜ୍ଜୀବିତ କରେ । ଓଡ଼ିଆଭାଷାରେ କେତେକ ଯୁଗ୍ମ ଲୋକୋକ୍ତି ପ୍ରଚଳିତ ଯେଉଁଥିରେ ଗୋଟିଏ ଅପରର ଦୃଷ୍ଟାନ୍ତ ଭାବେ କାର୍ଯ୍ୟକରେ ।

ଯଥା -

 

‘‘କହି ଜାଣିଲେ କଥା ସୁନ୍ଦର

ବାନ୍ଧି ଜାଣିଲେ ମଥା ସୁନ୍ଦର ।’’

କିମ୍ୱା

‘‘ଘରକୁ ସୁନ୍ଦର ଘରଣୀ

ନଈକୁ ସୁନ୍ଦର ତରଣୀ ।’’

 

ସୁନ୍ଦର ଶବ୍ଦବିନ୍ୟାସ ଓଡ଼ିଆ ଲୋକୋକ୍ତିକୁ କିରିଛି ସରସ ଓ ସୁନ୍ଦର । ଯେପରି -

‘‘ଦାରୀଙ୍କି ସୁନ୍ଦର ନାଟ, ଯୋଗୀଙ୍କି ସୁନ୍ଦର ମଠ

କେଳାଙ୍କୁ ସୁନ୍ଦର ହଟଚମଟ, ରାଜାଙ୍କୁ ସୁନ୍ଦର ଭାଟ ।’’

 

ଲୋକୋକ୍ତିଗୁଡ଼ିକର ପ୍ରକାଶରୀତି ଭିନ୍ନ ଭିନ୍ନ ହୋଇଥାଏ । ଏହା କେତେବେଳେ ସିଧା ସଳଖ, ବାକ୍‌ରୀତିରେ ପ୍ରକାଶ ପାଇଛି । ଯେପରି -

 

‘‘ଖତ ବରଷେ, ପଙ୍କ ପୁରୁଷେ ।’’

‘‘ଅଭାବେ ସ୍ୱଭାବ ନଷ୍ଟ ।’’

 

କେତେବେଳେ ଏହାକୁ ପଦ୍ୟବନ୍ଧରେ ଛନ୍ଦାଯାଇଛି -

‘‘ଦୁଷ୍ଟକୁ ସମସ୍ତେ ଭୟ କରନ୍ତି

ସନ୍ଥର ନଥାଏ ଆଦର

ସୃଷ୍ଟିକର୍ତ୍ତା ବ୍ରହ୍ମା ଅପୂଜା ରହିଲେ

ଶିବଙ୍କୁ ସହସ୍ର ଜୁହାର ।’’

 

କେବେ ପୁଣି ଏହା ରୂଢ଼ି ଆକାରରେ ନିତ୍ୟ ବ୍ୟବହୃତ ହୋଇ ଓଡ଼ିଆ ଭାଷାର ବୈଚିତ୍ର୍ୟ ସୃଷ୍ଟିରେ ସହାୟକ ହୋଇଛି ।

‘ଫମ୍ପା ମାଠିଆର ଶବ୍ଦ ବେଶି ।’

‘ଫାଳକ ବିରି ହାଣ୍ଡିଏ କରିବା ।’

‘ଉଷୁନା ଧାନ ଗଜା ହେବା ।’’

‘କଟା ଘା’ରେ ଚୁନ ଦେବା ।’

‘ବାପ ରାଣ ଢିଙ୍କି ଗିଳି ।’

‘ବିଭାବେଳେ ବାଇଗଣ ରୁଆ’

‘ମୁଣ୍ଡ ଝାଳ ତୁଣ୍ଡରେ ମାରିବା’

‘ରକ୍ତ ଚାଉଳ ଚୋବାଇବା ।’

 

ଇତ୍ୟାଦି ଏହାର ଉଦାହରଣ । ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ସାଧନ କରିଥିବା ଲୋକୋକ୍ତି ଗୁଡ଼ିକୁ ନେଇ ଏକ କୋଷଗ୍ରନ୍ଥ ପ୍ରକାଶିତ ହୋଇପାରିଲେ ଓଡ଼ିଆଜାତିର ଅଶେଷ କଲ୍ୟାଣ ସାଧିତ ହେବ- ଏହା କହିବା ବାହୁଲ୍ୟ ମାତ୍ର ।

 

 

ପ୍ରାଧ୍ୟାପିକା

ରମାଦେବୀ ମହିଳା କଲେଜ

ଭୁବନେଶ୍ଵର

 

***

 

Unknown

ଓଡ଼ିଶାରେ ହିନ୍ଦୁ-ଆଦବାସୀ ସାଂସ୍କୃତିକ ସମନ୍ୱୟ ପରିପ୍ରେକ୍ଷୀରେ କରମା

ଡକ୍ଟର ଚିତ୍ରସେନ ପଶାୟତ୍‌

 

କୌଣସି ଜାତି, ସମାଜ ବା ସାଂସ୍କୃତିକ କ୍ଷେତ୍ରର ସଂସ୍କୃତି, ଐତିହ୍ୟ ତଥା ଧର୍ମଧାରାର ଅବିଚ୍ଛିନ୍ନ ଅଂଶରୂପେ ସେଠାରେ ପ୍ରଚଳିତ ପର୍ବପର୍ବାଣିକୁ ଅସ୍ଵୀକାର କରାଯାଇ ପାରିବ ନାହିଁ । ପର୍ବପର୍ବାଣି, ଓଷାବ୍ରତ ଓ ଯାନିଯାତ୍ରା ପ୍ରଭୃତି ସାମାଜିକ ଜୀବନପ୍ରବାହର ସୂଚକ ଓ ଧର୍ମଜୀବନର ବାହ୍ୟରୂପ । ଓଡ଼ିଶାର ଭୌଗୋଳିକ ଅବସ୍ଥିତି ଏବଂ ବିଭିନ୍ନ ସଂସ୍କୃତିର ମଧୁର ସମନ୍ୱୟରୁ ଉଦ୍ଭବ ଏଠାର ପର୍ବପର୍ବାଣିଗୁଡ଼ିକ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ପ୍ରଚଳିତ ପର୍ବପର୍ବାଣି ପରଂପରାରୁ ସଂପୂର୍ଣ୍ଣ ଭିନ୍ନ ହୋଇ ନଥିଲେ ମଧ୍ୟ ଏଥିରେ ବହୁ ସ୍ଵାତନ୍ତ୍ର୍ୟ ପରିଲକ୍ଷିତ ହୋଇଥାଏ । ଇତିହାସର ଧାରାବାହିକତାକୁ ପର୍ଯ୍ୟାଲୋଚନା କଲେ ଓଡ଼ିଶାର ସାମାଜିକ ଜୀବନକୁ ବିଭିନ୍ନ ସମୟରେ ବୌଦ୍ଧ, ଜୈନ, ଶୈବ, ଶାକ୍ତ, ବୈଷ୍ଣବ, ଖ୍ରୀଷ୍ଟ ପ୍ରଭୃତି ବହୁ ଧର୍ମ, ଦର୍ଶନ ଓ ଚିନ୍ତାଧାରା ପ୍ରଭାବ ପକାଇଛି । ପୁନଶ୍ଚ ଏମାନଙ୍କର ପାରସ୍ପରିକ ସଂପର୍କ ତଥା ସମ୍ମିଳିତ ପରିପ୍ରକାଶ ଏଠାର ପର୍ବପର୍ବାଣି ଓ ଓଷାବ୍ରତରେ ଦେଖିବାକୁ ମିଳେ । ଦେବଭୂମି ଉତ୍କଳରେ ଅନେକ ଦେବାଦେବୀଙ୍କୁ ନାନା ରୂପରେ ପୂଜା ଆରାଧନା କରାଯାଏ । କେଉଁଠି ମନ୍ଦିର ତ କେଉଁଠି ନଦୀତଟରେ; କେଉଁଠି ବୃକ୍ଷମୂଳରେ ତ କେଉଁଠି ପଥର ଦେହରେ - ସ୍ଥାନାନୁସାରେ ଏମାନଙ୍କର ବିଭିନ୍ନ ନାମକରଣ ମଧ୍ୟ ହୋଇଥାଏ । ଏହି ଦୃଷ୍ଟିକୋଣରୁ ଓଡ଼ିଶା ସଂସ୍କୃତିରେ କରମାପୂଜା କେବେ ଆତ୍ମପ୍ରକାଶ କଲା ତାର କାଳ ନିରୂପଣ କରିବା ସହଜ ନୁହେଁ ।

 

ଅନୁଧ୍ୟାନ କରି ଜଣାଯାଏ ଯେ ଓଡ଼ିଶାର ଆଦିବାସୀ ସମାଜରେ ପ୍ରଚଳିତ କରମା ପୂଜା ବା କରମାପର୍ବ ମାତୃପୂଜାର ଏକ ଅପୂର୍ବ ନିଦର୍ଶନ । ମାତୃପୂଜା ବା ଶକ୍ତିପୂଜାର ଉପାସନା ବୈଦିକ ସଭ୍ୟତାର ବହୁ ପୂର୍ବରୁ ଭାରତବର୍ଷରେ ପ୍ରଚଳିତ ହୋଇ ଆସିଛି । ହରପ୍ପା, ମହେଞ୍ଜୋଦାରୋ ପ୍ରଭୃତି ସ୍ଥାନଗୁଡ଼ିକରୁ ମାଟି ତଳୁ ଯେଉଁ ସଂସ୍କୃତି ବାହାରିଲା ତାହା ପ୍ରାଗ୍‍ବୈଦିକ ସଂସ୍କୃତି ବୋଲି ପଣ୍ଡିତମାନେ ମତବ୍ୟକ୍ତ କରିଛନ୍ତି । ସେହି ସଂସ୍କୃତିରୁ ଜଣାପଡ଼େ ଯେ ସେତେବେଳେ ସମାଜରେ ପିତୃଉପାସନା ସହ ମାତୃଉପାସନା ମଧ୍ୟ ପ୍ରଚଳିତ ଥିଲା । ଏଠାରେ ଉଲ୍ଲେଖନୀୟ ଯେ, ଆର୍ଯ୍ୟମାନେ ତାଙ୍କ ସଂସ୍କୃତି ବିକାଶ କରିବା ପୂର୍ବରୁ ଓଡ଼ିଶାରେ ଆଦିବାସୀ ସଂସ୍କୃତି ପ୍ରାଧାନ୍ୟତା ଲାଭ କରିଥିଲା । ପୁନଶ୍ଚ ଆର୍ଯ୍ୟ ବା ଅଣ- ଆଦିବାସୀଙ୍କ କୌଣସି ଧର୍ମଗ୍ରନ୍ଥରେ କରମାପୂଜାର ଉଲ୍ଲେଖ ଦେଖାଯାଏ ନାହିଁ କିମ୍ବା କରମାଦେବୀଙ୍କର କୌଣସି ପ୍ରତିମୂର୍ତ୍ତି ମଧ୍ୟ ନାହିଁ । ଅବଶ୍ୟ ମୂର୍ତ୍ତି ଗଠନ କରି ଦେବ ଉପାସନା କରିବା ମୂଳବେଦରେ ମଧ୍ୟ ଉଲ୍ଲେଖ ନାହିଁ ବୋଲି କୁହାଯାଏ । ସେ ଯାହାହେଉ କରମାପର୍ବ ମାଧ୍ୟମରେ ବିଭିନ୍ନ ଜାତି, ଗୋଷ୍ଠୀ, ଧର୍ମ ତଥା ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା ଓ ସାମାଜିକ ତଥା ସାଂସ୍କୃତିକ ସମନ୍ୱୟକୁ ଆଲୋଚନା କରିବା ଏହି ପ୍ରବନ୍ଧର ମୂଳ ଉଦ୍ଦେଶ୍ୟ ।

 

କରମା ଆଦିବାସୀଙ୍କ ଏକ ସକାମ ପର୍ବ ଅଟେ । ମଧ୍ୟ ତଥା ପୂର୍ବ ଭାରତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିଭିନ୍ନ ଆଦିବାସୀ ସଂପ୍ରଦାୟରେ ଏହି ପର୍ବ ମହାନନ୍ଦରେ ପାଳନ କରାଯାଏ । ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ତଥା ଆସାମ ପ୍ରଭୃତି ରାଜ୍ୟରେ ଥିବା ପ୍ରାୟ ସମସ୍ତ ଆଦିବାସୀ ସଂପ୍ରଦାୟରେ କରମାପର୍ବ ଏକ ବିଶେଷ ସ୍ଥାନ ଅଧିକାର କରେ । ରାଜ୍ୟ ତଥା ରାଜ୍ୟ ବାହାରୁ ସଂଗୃହୀତ ବିଭିନ୍ନ ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା ବିଶେଷତଃ ଭାଦ୍ରବ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ପାଳିତ ହୁଏ । କରମସାନୀ, କରମସାଇଁ ବା କରମରାନୀ ହେଲେ ଏହି ପୂଜାର ମୁଖ୍ୟ ଉପାସ୍ୟ ଦେବୀ । ସନ୍ତାନ-ସନ୍ତତି ଲାଭ, ଭାଇ-ଭଉଣୀ, ପୁଅ-ଝିଅ, ପତି-ପତ୍ନୀର ମଙ୍ଗଳ ତଥା ଦୀର୍ଘାୟୁ କାମନା, ସୁଖ-ଶିରୀ ବୃଦ୍ଧି, ଭଲ ଫସଲ ତଥା ସର୍ବମଙ୍ଗଳ କାମନା ପୂର୍ବକ ଦେବୀଙ୍କୁ ପୂଜା କରାଯାଇ ସନ୍ତୁଷ୍ଟ କରିବା ପାଇଁ ରାତିସାରା ଏକ ବିଶେଷ କରମା ନୃତ୍ୟ, ଗୀତର ଆୟୋଜନ କରାଯାଏ । କଷ୍ଟୀକଷ୍ଟ ନିବାରିଣୀ ଆଦ୍ୟାଶକ୍ତି କରମସାନୀଙ୍କର ମହତ୍ତ୍ୱ ବର୍ଣ୍ଣନା କରି ଲୋକଙ୍କୁ ଧର୍ମାଭିମୁଖୀ କରାଇବା ଏହାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ । କରମସାନୀଙ୍କ ଦୁଇଟି ରୂପ ଦେଖିବାକୁ ମିଳେ । ଭାଗ୍ୟଦେବୀ ପ୍ରସନ୍ନା ହେଲେ ଗୃହ ଧନ, ଜନ, ଗୋପ ଲକ୍ଷ୍ମୀରେ ପରିପୂର୍ଣ୍ଣ ହୋଇ ଉଠେ ଓ ରୁଷ୍ଟ ହେଲେ ସେସବୁ କ୍ଷଣିକ ମଧ୍ୟରେ ଅପସରି ଯାଏ । ତେଣୁ ତାଙ୍କୁ ପ୍ରସନ୍ନ କରିବା ଅଭିପ୍ରାୟ ନେଇ ପରଂପରା କ୍ରମେ ତାଙ୍କର ପୂଜାର୍ଚ୍ଚନା ନିମନ୍ତେ ଏକ ଧର୍ମୀୟ ପରିବେଶର ସୃଷ୍ଟି ଏହା ମଧ୍ୟରେ କରାଯାଇଛି ।

 

ସୁବିଧାନୁଯାୟୀ କରମାପର୍ବ ଦିନେ ଦୁଇଦିନ ବା ଦିନ ଦିନ ଧରି ଚାଲେ । କେତେକ ସ୍ଥାନରେ ପ୍ରତି ତିନିବର୍ଷରେ ଥରେ ‘ବଡ଼ କରମା'ର ଆୟୋଜନ ହୋଇଥାଏ । ଆଖପାଖର ଏକାଧିକ ଗ୍ରାମକୁ ନେଇ ଆୟୋଜିତ ହେଉଥିବା ଏହି ବଡ଼ କରମାପର୍ବ ଏକାଧିକ ଦିନବ୍ୟାପୀ ଚାଲେ । ଆଖପାଖ ଗ୍ରାମର ଶତାଧିକ ଯୁବକ ଯୁବତୀ ନିମନ୍ତ୍ରିତ ହୋଇ ଆସନ୍ତି ଏବଂ ନୃତ୍ୟ ଗୀତରେ ଭାଗ ନିଅନ୍ତି । ଏମାନଙ୍କର ଖାଇବା, ପିଇବା, ରହିବା ଇତ୍ୟାଦିର ସମସ୍ତ ଦାୟିତ୍ୱ ବଡ଼ କରମା ଆୟୋଜନ କରୁଥିବା ଗ୍ରାମ ବହନ କରେ । ସମୟ ସମୟରେ ନୃତ୍ୟ, ଗୀତ ପ୍ରତିଯୋଗିତା ଚାଲେ ।

 

ସଂପ୍ରତି ଗ୍ରାମାଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ସମାଜସେବୀ ତଥା ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ଏମିତି ପ୍ରତିଯୋଗିତା ଆୟୋଜନ କରୁଥିବାର ଜଣାପଡ଼େ । ବର୍ଷାୠତୁ ବ୍ୟତୀତ ବର୍ଷର ଯେକୌଣସି ସମୟରେ ଏହାର ଆୟୋଜନ କରାଯାଇ ପାରେ । ଆବାଳ ବୃଦ୍ଧବନୀତା ଏଥିରେ ଭାଗ ନେଉଥିଲେ ମଧ୍ୟ ଯୁବକ ଯୁବତୀଙ୍କର ଆଗ୍ରହ ବିଶେଷ ଭାବେ ଲକ୍ଷ୍ୟ କରାଯାଏ । କେତେକ କରମାଗୀତରେ ଅଶ୍ଳୀଳତାର ଗନ୍ଧ ସୁସ୍ପଷ୍ଟ ଓ ଅନ୍ୟମାନଙ୍କ ପାଇଁ ରୁଚିଗର୍ହିତ ହୋଇପାରେ; କିନ୍ତୁ ପରଂପରାସିଦ୍ଧ ଯୋଗୁଁ ଅଦ୍ୟାବଧି ପ୍ରଚଳିତ । ଅବଶ୍ୟ ଏହି ପରଂପରା ଅନେକ ସ୍ଥାନରେ ଲୋପ ପାଇ ଆସୁଛି । ଶିକ୍ଷିତ ଆଧୁନିକ ଏବଂ ସହରୀ ଆଦିବାସୀଙ୍କ ମଧ୍ୟରେ କରମା ନୃତ୍ୟ ଓ ଗୀତର ଆଗ୍ରହ ଓ ରୁଚି କମିଯାଇଛି । ତଥାକଥିତ ଶିକ୍ଷିତ ସମାଜ ଏହାକୁ ଅଶିକ୍ଷିତ, ଅସଭ୍ୟ, ଅନାର୍ଯ୍ୟଙ୍କ ସଂସ୍କୃତି କହି ନାକ ଟେକନ୍ତି ।

 

କରମା ପୂଜା ବ୍ୟତୀତ ବିବାହ, ଜନ୍ମ କିମ୍ବା ଅନ୍ୟାନ୍ୟ ପର୍ବପର୍ବାଣି ଅବସରରେ କରମା ଗୀତ ଓ ନୃତ୍ୟ ଦେଖିବାକୁ ମିଳେ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଲୋକାନୁରଞ୍ଜନ ବା ଚିତ୍ତବିନୋଦନ । ଆଜି ଟେଲିଭିଜନ, ଭିଡ଼ିଓ, ରେଡ଼ିଓ ଆଦିର ବହୁଳ ପ୍ରଚଳନ ତଥା ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକଳାପ ଯୋଗୁଁ ଆଦିବାସୀ ସମାଜରେ କରମା ସଦୃଶ ଲୋକାନୁରଞ୍ଜନର ସାଧନଗୁଡ଼ିକର ଆଦର କ୍ରମଶଃ କମିବାକୁ ଲାଗିଛି ଓ ଲୋପପାଇ ବସିଛି କିନ୍ତୁ ଯେତେଦୂର କରମା ପୂଜାର ପ୍ରଶ୍ନ ଜଡ଼ିତ ତାହା ଆଜି ମଧ୍ୟ ପାଳିତ ହେଉଛି ।

 

କଥାରେ ଅଛି ‘ଦେଶକେ ଫାଙ୍କ କି ନଈକେ ବାଁକ୍‌’ । ଭୌଗୋଳିକ ଅବସ୍ଥିତି, ସାମାଜିକ ରୀତି-ନୀତି, ଆର୍ଥିକ ପରିସ୍ଥିତି ତଥା ସାଂସ୍କୃତିକ ପରଂପରାର ତାରତମ୍ୟ ଯୋଗୁଁ ଅଞ୍ଚଳ ଭେଦରେ କରମା ପୂଜାବିଧି ତଥା ନୃତ୍ୟରେ କିଛି କିଛି ପ୍ରଭେଦ ଦୃଷ୍ଟିକୁ ଆକର୍ଷଣ କରିଥାଏ । ସମ୍ବଲପୁର ଓ ଏହାର ଆଖପାଖ ଅଞ୍ଚଳରେ ପାଳିତ ହେଉଥିବା କରମାପର୍ବ ଭାଦ୍ରବ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୋଇ ଆଶ୍ୱିନ ମାସର ଅନିର୍ଦ୍ଦିଷ୍ଟ କାଳଯାଏ ଚାଲେ ।୧। କେଉଁଝର ଜିଲ୍ଲାରେ ମଧ୍ୟ ଏହି ପୂଜା ଭାଦ୍ରବ ଶୁକ୍ଳ ଏକାଦଶୀରୁ ଆରମ୍ଭ ହୁଏ ଏବଂ ପୌଷମାସର ଶେଷଯାଏ ଚାଲେ ।୨। ଆମ ଅନୁଧ୍ୟାନରୁ ଜଣାପଡ଼େ ଯେ ବଲାଙ୍ଗୀର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରତିମାସ ଶୁକ୍ଳପକ୍ଷ ଏକାଦଶୀ ଦିନ କରମାସାନୀ ଦେବୀଙ୍କୁ ପୂଜା କରିବାର ବିଧି ରହିଥିଲେ ମଧ୍ୟ ଶରତୠତୁରେ ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ କରମାସାନୀଙ୍କ ଉଦ୍ଦେଶ୍ୟରେ ଏକ ବିଶେଷ ପୂଜାର ଆୟୋଜନ ହୁଏ-। ପୁନଶ୍ଚ ପଦମ୍‌ପୁର ନିକଟସ୍ଥ ଖଏରା ଗ୍ରାମରେ ଆଶ୍ଵିନମାସର ଶୁକ୍ଳ ଏକାଦଶୀ ଦିନ ଅର୍ଥାତ୍‌ ଦୁର୍ଗାଦଶମୀ ପରଦିନ ଏକ ବିରାଟ କରମାପର୍ବର ଆୟୋଜନ ହୁଏ । ଆଖପାଖ ଅଞ୍ଚଳର ବହୁଗ୍ରାମରୁ ଲୋକେ ଆସି ପର୍ବରେ ଭାଗ ନିଅନ୍ତି । ଏହାକୁ କରମ୍‌ସାନୀଙ୍କ ପୀଠ ବୋଲି ସ୍ଥାନୀୟ ଆଦିବାସୀ (ବିଂଝାଲ) ମାନଙ୍କର ବିଶ୍ଵାସ ।

 

ଏଠାରେ ଉଲ୍ଲେଖନୀୟ ଯେ ବିଂଝାଲ ଅଧ୍ୟୁଷିତ ବରଗଡ଼ ଜିଲ୍ଲାର ପଦମ୍‌ପୁର ଓ ଘେଁସ ଅଞ୍ଚଳରେ କରମା ଓ ଡାଲଖାଇ ବିଂଝାଲମାନଙ୍କର ବିଶିଷ୍ଟ ପର୍ବ ଅଟେ । ବଣାଇ ଅଞ୍ଚଳରେ ଆଦିବାସୀମାନଙ୍କର କରମାପର୍ବ ଚୈତ୍ରମାସରେ ଅନୁଷ୍ଠିତ ହୁଏ ଏବଂ ତାକୁ ଚୈତ୍ରପର୍ବ କୁହାଯାଏ । ମଧ୍ୟପ୍ରଦେଶ ରାଜ୍ୟ ଅନ୍ତର୍ଗତ ରାୟପୁର ଅଞ୍ଚଳର ଗଣ୍ଡ, କୋଲ, ବୈଗା ପ୍ରଭୃତି ଆଦିବାସୀମାନେ କରମା ନୃତ୍ୟକୁ Spring dance କହନ୍ତି ।୩। ରାୟଗଡ଼ର ଓରାମମାନେ ଏହାକୁ ମଇ ମାସରେ ପାଳନ କରନ୍ତି ଏବଂ May-Day Festival କହନ୍ତି ।୪। ଏତତ୍‌ ବ୍ୟତୀତ ମୟୂରଭଞ୍ଜ ଓ ଢେଙ୍କାନାଳର ଆଦିବାସୀମାନଙ୍କଦ୍ୱାରା ମଧ୍ୟ ଏହି ପର୍ବ ଅତି ଉତ୍ସାହର ସହ ପାଳିତ ହୁଏ ।

 

ଉପରୋକ୍ତ ତଥ୍ୟ ସମୂହକୁ ଭିତ୍ତି କରି କୁହାଯାଇ ପାରେ ଯେ କରମା ପର୍ବ ପାଳନର କୌଣସି ସଠିକ ଦିନ ବାର ନାହିଁ । କାରଣ ହିନ୍ଦୁ ପର୍ବପର୍ବାଣି ସଦୃଶ ଆଦିବାସୀ ପର୍ବପର୍ବାଣି ପାଳନର କୌଣସି ସଠିକ ଦିନ, ବାର, ନୀତି ନିୟମ ସାଧାରଣତଃ ଦେଖାଯାଏ ନାହିଁ ।୫। ଏଠାରେ ଉଲ୍ଲେଖନୀୟ ଯେ ଅନେକ କ୍ଷେତ୍ରରେ ଶରତଋତୁର ଭାଦ୍ର ଶୁକ୍ଳ ଏକାଦଶୀ ଏବଂ ଆଶ୍ଵିନ ଶୁକ୍ଳ ଏକାଦଶୀ ଦିନ କରମାପୂଜା ପାଳନ କରାଯାଏ । ଏହି ତିଥିକୁ ‘କରମା ଏକାଦଶୀ’ କହନ୍ତି । ଏହା ହିନ୍ଦୁ ସଂସ୍କୃତିର ପ୍ରଭାବ ବୋଲି କୁହାଯାଇପାରେ ।

 

ହିନ୍ଦୁରୀତି ଅନୁଯାୟୀ କାର୍ତ୍ତିକ ଶୁକ୍ଳ, ବୈଶାଖ ଶୁକ୍ଳ ଏବଂ ଆଷାଢ଼ ଶୁକ୍ଳ ଏକାଦଶୀ ପରି ଭାଦ୍ର ଶୁକ୍ଳ ଏକାଦଶୀ ଏକ ବଡ଼ ଏକାଦଶୀ ଅଟେ । ଏହିଦିନ ନିଷ୍ଠାର ସହିତ ହିନ୍ଦୁମାନେ ନିର୍ଜ୍ଜଳା ଉପବାସ କରିବାର ବିଧି ଏଯାବତ୍‌ ବିଦ୍ୟମାନ । ପ୍ରସ୍ତର ଯୁଗରେ ଯେଉଁ ମାତୃଶକ୍ତିର ଆରାଧନା ହେଉଥିଲା, ତହିଁରେ ଶରତୠତୁର ବିଶେଷତ୍ୱ ନଥିଲା । ମାନବ ଜାତି ମଧ୍ୟରେ ଜ୍ଞାନର ବିକାଶ ତଥା ଆର୍ଯ୍ୟସଂସ୍କୃତିର ଅଭ୍ୟୁଥାନ ପରେ ବୈଦିକ ସଭ୍ୟତାରେ ଏହି ଶରତୠତୁର ଶ୍ରେଷ୍ଠତା ପ୍ରତିପାଦିତ ହେଲା । ବୈଦିକ ଋଷିଗଣ ବେଦୋପନିଷଦରେ ଅନେକ ସ୍ଥଳରେ କହିଯାଇ ଅଛନ୍ତି - ‘‘ଜୀବେମ ଶରଦାଂ ଶତଂ,.. ? ପ୍ରବାୟାମ ଶରଦଂ ଶତାତ୍‌ ।’’ ଅର୍ଥାତ୍‌ ଶରତୠତୁଟି ସମଗ୍ର ମାନବସଭ୍ୟତା ତଥା ଜୀବଜଗତ ନିମନ୍ତେ ମୂଳ ତଥା ମୂଖ୍ୟ ଅଟେ । ଏହି ୠତୁରେ ପଞ୍ଚ ମହାଭୂତ ଶୁଦ୍ଧପୂତ ଭାବରେ ପ୍ରତିଭାତ ହୋଇ ଉଠୁଥାଏ । ଜଳ ସୁନିର୍ମଳ ଦେଖାଯାଏ ଆକାଶ ନିର୍ମଳ ଦିଶେ, ପବନ ମୃଦୁ ମନ୍ଦ । ସମସ୍ତ ଧରିତ୍ରୀ ଅନ୍ନ ବ୍ରହ୍ମରେ ପରିପୂର୍ଣ୍ଣ ହେଉଥାଏ । ଏଣୁ ଏହି ୠତୁରେ ମାଆଙ୍କର ଆରାଧନା କରାଯାଏ । ଅନ୍ୟ ଅର୍ଥରେ ବ୍ରହ୍ମ ଆରାଧନା ମଧ୍ୟ ହୁଏ । ଜଳ ବ୍ରହ୍ମ, ବନସ୍ପତି-ଔଷଧାୟ-ଅନ୍ନାଦୟ ବ୍ରହ୍ମ, ଅଗ୍ନିବ୍ରହ୍ମରେ ହୋମାଦି ମନ୍ତ୍ରାଦି ଶବ୍ଦ ବ୍ରହ୍ମ ହୃଦୟାକାଶରେ ଯେଉଁ ଆନନ୍ଦ ଆସେ ତହିଁରେ ଶୂନ୍ୟବ୍ରହ୍ମ ଏସବୁର ଆରାଧନା ହୁଏ ।୬। ଶରତରତୁର ଭାଦ୍ର ଶୁକ୍ଳ ଏକାଦଶୀ କିମ୍ବା ଆଶ୍ଵିନ ଶୁକ୍ଳ ଏକାଦଶୀ ଦିନ କରମାପର୍ବ ପାଳନ ପଛରେ ଉପରୋକ୍ତ ହିନ୍ଦୁ ବିଚାରଧାରାର ପ୍ରଭାବ ସହଜେ ଅନୁମେୟ ।

 

କରମାପୂଜାରେ ପ୍ରତିମା ସ୍ଥାପନ କରା ନଯାଇ ଗୋଟିଏ କିମ୍ବା ଦୁଇଟି ଡାଳ ସ୍ଥାପନ ପୂର୍ବକ ଦେବୀପୂଜା କରାଯାଏ । ଅର୍ଥାତ୍‌ କରମ ଗଛର ଡାଳରେ କରମସାନୀ ଦେବୀଙ୍କୁ ପ୍ରତିଷ୍ଠିତ କରାଯାଏ । ଏଥିରେ ଗ୍ରାମର ଝାଁକର, ଦେହେରୀ କିମ୍ବା ପୂଜାରୀର ଭୂମିକା ଉଲ୍ଲେଖନୀୟ ଅଟେ । ଦେବୀଙ୍କୁ ଆହ୍ୱାନ କରିବା ସମୟରେ କିମ୍ବା ପୂଜା କରିବା ବେଳକୁ ପୂଜା କରୁଥିବା ବ୍ୟକ୍ତିଙ୍କ ଶରୀରରେ ଦେବୀ ପ୍ରବେଶ କରନ୍ତି । ସେ ଯାହାହେଉ ବୃକ୍ଷପୂଜାର (Tree Worship) ଏହା ଏକ ପ୍ରକୃଷ୍ଟ ଉଦାହରଣ । କରମଗଛର ଡାଳକୁ ଦେବୀଙ୍କ ପ୍ରତୀକରୂପେ ପୂଜା କରାଯାଏ । ସଂସ୍କୃତ ଭାଷାରେ କରମ ଗଛକୁ ହରିଦ୍ରୁ ଓ ଦେଶଜ ଭାଷାରେ ହଳନ୍ଦ କୁହାଯାଏ । ବର୍ଣ୍ଣମାନଙ୍କ ମଧ୍ୟରେ ହରିଦ୍ରାବର୍ଣ୍ଣ ସୌଭାଗ୍ୟର ସୂଚକ ହୋଇଥିବାରୁ ଦେବୋପାସନା ନିମନ୍ତେ ମଙ୍ଗଳମୟ ଅଟେ ।୭।

 

ଅଞ୍ଚଳ ଭେଦରେ କରମାଦେବୀଙ୍କ ପ୍ରତୀକରୂପେ ପୂଜା କରାଯାଉଥିବା କରମା ଡାଳରେ ମଧ୍ୟ ପ୍ରଭେଦ ଲକ୍ଷ୍ୟ କରାଯାଏ । ଏହାର Botanical ନାମଗୁଡ଼ିକ ହେଲା: Nauclea Parvifolia Shorea Robusta, Ptero Carpus Marsupium, Adina Cardifolia, Kauclea Parvifolia ।୮। କରମାପୂଜା ଯଦିଓ ଆଦିବାସୀମାନଙ୍କଦ୍ୱାରା ବିଶେଷ ଭାବରେ ପାଳିତ ହୋଇଥାଏ ତଥାପି ଆଞ୍ଚଳିକ ପ୍ରଭେଦ ସାଙ୍ଗକୁ ବିଭିନ୍ନ ଆଦିବାସୀ ସଂପ୍ରଦାୟ ମଧ୍ୟରେ ପୂଜାପ୍ରଣାଳୀରେ ପ୍ରଭେଦ (Inter-tribal differences) ଲକ୍ଷ୍ୟ କରାଯାଏ ।

 

ଓଡ଼ିଶାର ପଶ୍ଚିମାଞ୍ଚଳରେ ମୁଖ୍ୟତଃ ଶାଳଗଛର ଡାଳକୁ ଦେବୀଙ୍କ ପ୍ରତୀକରୂପେ ପୂଜା କରାଯାଉଥିବାର ଦେଖାଯାଏ । ଏହାର ଦୁଇଟି ସମ୍ଭାବ୍ୟ କାରଣ ରହିଥିବାର ମନେହୁଏ । କେଉଁ ଯୁଗରୁ ଆଦିବାସୀମାନେ ଜଙ୍ଗଲରେ ବସବାସ କରି ଆସୁଛନ୍ତି, ତାହା କହିବା ସହଜ ନୁହେଁ । ଜଙ୍ଗଲଜାତ ଦ୍ରବ୍ୟ ଉପରେ ସେମାନେ ନିର୍ଭରଶୀଳ । ଏଠାର ଜଙ୍ଗଲ ମୁଖ୍ୟତଃ ଶାଳଗଛର ଜଙ୍ଗଲ ଅଟେ ।୯। ଏଠାରେ ଶାଳଗଛ ପ୍ରଚୁର ପରିମାଣରେ ଓ ସହଜରେ ମିଳୁଥିବାରୁ ଏହି ଗଛର ଡାଳକୁ ଦେବୀଙ୍କ ପ୍ରତୀକରୂପେ ଗ୍ରହଣ କରି ପୂଜା କରି ଆସୁଛନ୍ତି ବୋଲି କୁହାଯାଇ ପାରେ । ଏହାଛଡ଼ା ଶାଳଗଛର ଡାଳକୁ କରମସାନୀଙ୍କ ପ୍ରତୀକରୂପେ ଗ୍ରହଣ କରିବା ପଛରେ ବୌଦ୍ଧଧର୍ମର ପ୍ରଭାବକୁ ଅନୁମାନ କରାଯାଇପାରେ । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏକଦା ବୌଦ୍ଧଧର୍ମ ପ୍ରସାରଲାଭ କରିଥିଲା ବୋଲି ଐତିହାସିକ ମାନେ ମତବ୍ୟକ୍ତ କରନ୍ତି । ଅଦ୍ୟାପି ସେ ଯୁଗର ଧ୍ୱଂସାବଶେଷ ଆଦିବାସୀ ବହୁଳ ପଶ୍ଚିମ-ଓଡ଼ିଶାର ବଣପାହାଡ଼ରେ ଦେଖିବାକୁ ମିଳେ ।୧୦। ବୁଦ୍ଧଦେବଙ୍କ ଜନ୍ମ ଓ ମୃତ୍ୟୁ ଶାଳବୃକ୍ଷ ଉଦ୍ୟାନରେ ହୋଇଥିଲା ବୋଲି ଜଣାପଡ଼େ ।୧୧। ଏହି ତଥ୍ୟକୁ ଅନୁଧ୍ୟାନ କଲାପରେ କରମାପୂଜାରେ ବୌଦ୍ଧଧର୍ମର ପ୍ରଭାବକୁ ଏଡ଼େଇ ଦିଆଯାଇ ପାରିବ ନାହିଁ ।

 

କରମାପର୍ବ ଏକ ଗୋଷ୍ଠୀପର୍ବ ହେଲେ ମଧ୍ୟ ପାରିବାରିକ ସ୍ତରରେ ଏହା ପାଳିତ ହୋଇଥାଏ । କେନ୍ଦୁଝର ଅଞ୍ଚଳରେ ଏହି ଅନୁଷ୍ଠାନ ପାଇଁ କୌଣସି କରମବାଲା ଆସି ଯାତ୍ରା କରନ୍ତି ନାହଁ । ଯେ କୌଣସି ଗୃହସ୍ଥ ଭାଦ୍ରବ ଶୁକ୍ଳ ଏକାଦଶୀରେ କରମାବ୍ରତ ପାଳନ କରିଥାନ୍ତି । ସଂଧ୍ୟା ସମୟରେ କରମଗଛ ମୂଳେ ପୂଜା କରି କରମ ଡାଳ ଦୁଇଟି ଆଣନ୍ତି ଏବଂ ନିଜ ଘର ଅଗଣାରେ ପୋତି ରାତ୍ରିଟି ଉଜାଗର ରୁହନ୍ତି । ଏଥିରୁ ପାରିବାରିକ ସ୍ତରରେ ହେଉଥିବା କରମା ପର୍ବର ସୂଚନା ମିଳେ । ପୂଜା ପାଇଁ ଆବଶ୍ୟକ ଦୀପରେ ସାଧାରଣତଃ ଘିଅ ବ୍ୟବହୃତ ହୋଇଥାଏ କିନ୍ତୁ ସମ୍ବଲପୁରରେ ମଦ ବ୍ୟବହାର କରାଯାଏ । ଏହାକୁ ‘ଫୁଲି’ କହନ୍ତି । ମହୁଲରୁ ପ୍ରସ୍ତୁତ ଖାଣ୍ଟି ଦେଶୀ ମଦକୁ ଫୁଲି କୁହାଯାଏ । ସ୍ପିରିଟ୍‌ ବା ପେଟ୍ରୋଲ ସଦୃଶ ଏହାର ଇନ୍ଧନ ଶକ୍ତି ଥାଏ ।୧୨।

 

ବୋଡ଼ା ସମ୍ବର ପଦମ୍‍ପୁର, ଖାଲସା, ବାଇଶି, ପହିଲପାର ଇତ୍ୟାଦି ଅଞ୍ଚଳର କେତେକ ସ୍ଥାନରେ କର୍ମଦେବତା ଏବଂ ତାଙ୍କର ସ୍ତ୍ରୀ କରମସାନୀ (ସିଆନୀ ଶବ୍ଦରୁ ସାନୀ ହୋଇଛି, ଏ ଅଞ୍ଚଳରେ ସ୍ତ୍ରୀକୁ ସିଆନୀ କହନ୍ତି)ଙ୍କ ପ୍ରତୀକରୂପେ ଦୁଇଟି ‘କରମା'’ ବା ‘କଲମୀ’ ବା ‘ମୁଏର୍‌’ ଗଛର ଡାଳକୁ ପୂଜା ମଣ୍ଡପରେ ପୋତି ପୂଜା କରାଯାଏ । ଲୋକଙ୍କର ଦୃଢ଼ ବିଶ୍ୱାସ ଯେ କର୍ମ ଦେବତା ଏବଂ ତାଙ୍କ ସ୍ତ୍ରୀଙ୍କ ପରିଣୟରୁ କ୍ଷେତରେ ଫସଲ ଭଲ ହେବ ଓ ଜଙ୍ଗଲରେ ଫଳ, ମୂଳ, କାଠ ପ୍ରଚୁର ମିଳିବ । ଝାଡ଼ଖଣ୍ଡ ଅଞ୍ଚଳରେ ହେଉଥିବା କରମା ପର୍ବରେ ମଧ୍ୟ ଦୁଇଟି କରମ ଡାଳ ପାଖାପାଖି ପୋତା ହୋଇଥାଏ । ଏହା କରମ ରାଜା ଓ କରମ ରାଣୀଙ୍କ ବିବାହ ଅନୁଷ୍ଠାନ ପରି ଲାଗେ । କରମ ରାଜା ସୂର୍ଯ୍ୟ ଓ କରମ ରାଣୀ ପୃଥିବୀର ପ୍ରତୀକ । ଦୁଇଜଣଙ୍କ ପରିଣୟ ପ୍ରଚୁର ଶସ୍ୟ ସମ୍ଭାବନାକୁ ତ୍ୱରାନ୍ୱିତ କରେ ।୧୩। ଏଥିରୁ ଉଭୟ ଅଞ୍ଚଳ ମଧ୍ୟରେ ଥିବା ସାଂସ୍କୃତିକ ଐକ୍ୟର ସୂଚନା ମିଳେ ।

 

ବିଭିନ୍ନ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଥିବା ପ୍ରଭେଦକୁ ଛାଡ଼ିଦେଲେ ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ଆଦିବାସୀ ସଂପ୍ରଦାୟ ମଧ୍ୟରେ ପୂଜା ପ୍ରଣାଳୀରେ ପ୍ରଭେଦ ପରିଲକ୍ଷିତ ହୋଇଥାଏ । ଏ ସଂପର୍କରେ ହିଲ ଖଡ଼ିଆ ଏବଂ ଦୁଧ ଖଡ଼ିଆଙ୍କ ମଧ୍ୟରେ ଥିବା ପ୍ରଭେଦ ଏଠାରେ ଉଲ୍ଲେଖନୀୟ ଅଟେ । ହିଲ ଖଡ଼ିଆ ମାନେ କରମା ପୂଜା ଅବସରରେ କରମ ରାଜାଙ୍କ ପାଖେ କୁକୁଡ଼ା ଓ ବୁକା ବଳି ଦିଅନ୍ତି କିନ୍ତୁ ଓରାମ ଓ ଦୁଧ ଖଡ଼ିଆ କୌଣସି ପ୍ରକାର ବଳି ଦିଅନ୍ତି ନାହିଁ ।୧୪।

 

ଆଞ୍ଚଳିକ ଭିନ୍ନତା ଅନୁସାରେ ପୂଜା ଅର୍ଚ୍ଚନାର ପଦ୍ଧତିରେ ଭିନ୍ନତା ଦେଖା ଦେଲେହେଁ ଦେବୀଆରାଧନାର ମହତ୍ତ୍ୱ ପ୍ରତ୍ୟେକ ଆଦିବାସୀ ନିକଟରେ ସ୍ଵୀକୃତ । ବହୁ ପୂର୍ବରୁ ଆଦିବାସୀ ସମାଜରେ ଶକ୍ତି ଆରାଧନା ବା ମାତୃ ଆରାଧନା ଯେ ପ୍ରଚଳିତ ଥିଲା ଏକଥା ନିଃସନ୍ଦେହରେ କୁହାଯାଇପାରେ । ଆଦିବାସୀ ସମାଜରେ ମାତୃ ଆରାଧନାର ଧାରା ପ୍ରଚଳିତ ନଥିଲେ ଆଜି ମଧ୍ୟ ଭାରତର ସମଗ୍ର ଆଦିବାସୀ ସମାଜରେ ତାର ପ୍ରକାଶ ସମ୍ଭବ ହୁଅନ୍ତା କିପରି ? ସମୟ ସ୍ରୋତରେ ଆଦିବାସୀ ସମାଜର ମାତୃପୂଜା ବହୁ ପରିବର୍ତ୍ତିତ ରୂପ ଗ୍ରହଣ କରିଅଛି ସତ୍ୟ, ମାତ୍ର ତାର ଆରମ୍ଭ ଆର୍ଯ୍ୟେତର ସମୟରେ ହୋଇଥିବା ନିଶ୍ଚିତ ।

 

ଓଡ଼ିଶାର ଆଦିବାସୀ ସମାଜରେ କରମାପୂଜା ପରଂପରା ଏଠାରେ ପୁରାତନ ସଂସ୍କୃତିର ପ୍ରଚଳିତ ମାତୃପୂଜା ବା ଶକ୍ତି ପୂଜାର ବୈଶିଷ୍ଟ୍ୟ ପ୍ରକାଶ କରିଥାଏ । ବୃକ୍ଷପୂଜା (Tree Worship) ପରଂପରା କେବଳ ଭାରତ ନୁହେଁ, ସମଗ୍ର ପୃଥିବୀର ସବୁଠୁ ପ୍ରାଚୀନ ପରଂପରା ବୋଲି ଜଣାପଡ଼େ ।୧୫। ସମୟାନୁକ୍ରମେ ଆଦିବାସୀ ଜୀବନର ଟୋଟେମ ତତ୍ତ୍ୱ ମାତୃଶକ୍ତି ଧାରଣା ବା ବିଶ୍ଵାସର ବିଭିନ୍ନ ରୂପ ଗ୍ରହଣ କରି ହିନ୍ଦୁ ସଂସ୍କୃତିକୁ ପ୍ରଭାବିତ କରିଛି ବୋଲି କୁହାଯାଇପାରେ । ଏହି ପୃଷ୍ଠଭୂମି ଉପରେ ଓଡ଼ିଶାର କରମାପର୍ବ ମାତୃପୂଜା ସହ ଜଡ଼ିତ ହୋଇ ହିନ୍ଦୁସମାଜ ମଧ୍ୟରେ ପ୍ରସାର ଲାଭ କରିଛି । ଯୂଗଚେତନା ପରିବର୍ତ୍ତନ ହେବା ସଂଗେ ସଂଗେ ମାତୃପୂଜା ଆଜି ଜଣକର ନହୋଇ ସାର୍ବଜନୀନ ହୋଇଛି । ଶକ୍ତିପୂଜାର ଏହି ଗଣଧର୍ମୀ ରୂପ ସଂପ୍ରତି ଅନେକ ପ୍ରାଣକୁ ଜାତି, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ଗୋଟିଏ ସୂତ୍ରରେ ବାନ୍ଧିବାକୁ ସକ୍ଷମ ହୋଇ ପାରିଛି ।

 

କରମାପୂଜାର ଉତ୍ପତ୍ତି ସମ୍ବନ୍ଧରେ ମତାନ୍ତର ଅବଶ୍ୟ ଦେଖିବାକୁ ମିଳେ । କେତେଜଣଙ୍କ ମତରେ ଏହା ଏକ ହିନ୍ଦୁପର୍ବ ଏବଂ ଆଉ କେତେଜଣ ଏହାକୁ ଆଦିବାସୀ ପର୍ବ ବୋଲି କୁହନ୍ତି । ଡାଲଟନଙ୍କ ମତରେ ଏହା ଏକ ଆଦିବାସୀ ପର୍ବ ଅଟେ । ଏହି ପର୍ବ ଓ ଭବିଷ୍ୟପୁରାଣ ମଧ୍ୟରେ ସଂର୍ପକ ନିରୂପଣ କରି ହିନ୍ଦୁମାନେ କରମାପର୍ବ ପାଳନ କରିଥାନ୍ତି ।୧୬। ବିଶିଷ୍ଟ ସମାଜ ତଥା ମାନବ ଶାସ୍ତ୍ରବିଦ୍‌ ଶରତ୍‌ଚନ୍ଦ୍ର ରାୟଙ୍କ ମତରେ କରମା ଏକ ହିନ୍ଦୁପର୍ବ ଅଟେ । ଆଦିବାସୀମାନେ ହିନ୍ଦୁମାନଙ୍କ ସମ୍ପର୍କରେ ଆସି ଏହି ପର୍ବ ପାଳନବିଧି ଗ୍ରହଣ କରିଛନ୍ତି ।୧୭। Culshawଙ୍କ ମତରେ ମାହାତୋମାନଙ୍କ ପାଖରୁ ସାନ୍ଥାଳିମାନେ କରମାପର୍ବ ଗ୍ରହଣ କରିଛନ୍ତି । କାରଣ ଅନେକଗୁଡ଼ିଏ କରମାଗୀତ ରାମାୟଣ ଉପରେ ଆଧାରିତ ।୧୮। ଛୋଟା ନାଗପୁରର ମୁଣ୍ଡା, ଓରାମ, ଦୁଧ ଖଡ଼ିଆ ଢେଲକି, ହିଲ ଖଡ଼ିଆ, ଚେରୋ, କୋରୱା, ବିରଜିଆ ପ୍ରଭୃତି ଆଦିବାସୀ ଶ୍ରେଣୀର ଲୋକେ ଯେଉଁ କରମା ପର୍ବ ପାଳନ କରନ୍ତି ତାହା ହିନ୍ଦୁପର୍ବ ଅଟେ ବୋଲି ଅଜିତ କୁମାର ସିଂହ, ମାର୍ଟିନ ଓରାନ ତଥା ପାଉଲ ଓଲୋପ ପ୍ରମୁଖ ପଣ୍ଡିତମାନେ ମତବ୍ୟକ୍ତ କରନ୍ତି ।୧୯।

 

ସେ ଯାହାହେଉ ଉର୍ଦ୍ଦିଷ୍ଟ ଦିନ ହିନ୍ଦୁ ଓ ଆଦିବାସୀ ଉଭୟେ ମିଶି କିମ୍ବା ସ୍ଵତନ୍ତ୍ର ଭାବେ କରମସାନୀ ଦେବୀଙ୍କୁ ପୂଜା କରିବାର ଦେଖାଯାଏ । ଅନେକ ସ୍ଥାନରେ ନିମ୍ନଶ୍ରେଣୀ/ଜାତିର ହିନ୍ଦୁମାନେ କରମାପର୍ବ ମହାନନ୍ଦରେ ପାଳନ କରିବାର ଦେଖାଯାଏ । ମଧ୍ୟ ତଥା ପୂର୍ବ ଭାରତର ବିଭିନ୍ନ ଆଦିବାସୀ ସଂପ୍ରଦାୟରେ କରମାପର୍ବ ଯେଉଁ ଭକ୍ତିଭାବ ଏବଂ ଆନନ୍ଦରେ ପାଳିତ ହୁଏ ସେହି ଉଲ୍ଲାସ ଓ ଉନ୍ମାଦନା ହିନ୍ଦୁମାନଙ୍କଠାରେ ପରିଲକ୍ଷିତ ହୁଏ ନାହିଁ । ଉଦ୍ଦିଷ୍ଟଦିନ ପରିବାରର ସମସ୍ତ ସଭ୍ୟ ଉପସ୍ଥିତ ରହି ଭେଟ ଘାଟ ହୁଅନ୍ତି । ସମସ୍ତେ ସମସ୍ତଙ୍କୁ ମନଭରି ସଂଖୋଳି ନିଅନ୍ତି - ସମସ୍ତ ବାଦ-ବିବାଦ, କଳହ, ମନାନ୍ତର, ମତାନ୍ତରର ପୂର୍ଣ୍ଣଚ୍ଛେଦ ପଡ଼େ । ତେଣୁ ଯଥାର୍ଥରେ କୁହାଯାଇପାରେ ଯେ, ମାତୃପୂଜାର ଏହି ସୁବର୍ଣ୍ଣ ସୁଯୋଗ ଭାଇ, ବନ୍ଧୁ, ଶତ୍ରୁ, ମିତ୍ର ସମସ୍ତଙ୍କୁ ଟାଣି ଆଣେ ଗୋଟିଏ କେନ୍ଦ୍ରବିନ୍ଦୁକୁ ଯେଉଁଠି ନିଷ୍ପାପ ଭକ୍ତି ଭାବଧାରାର ଉନ୍ମେଷ ଘଟେ ।

 

ବିହାର ରାଜ୍ୟ ଅନ୍ତର୍ଗତ ରାଞ୍ଚି ଜିଲ୍ଲାରେ ଅନେକ କ୍ଷତ୍ରିୟ ଜମିଦାର ଉପବାସ ରହି ଉଚିତ ବିଧାନରେ କରମାବ୍ରତ ପାଳନ କରିବାର ସୂଚନା ମିଳେ । ଏଠାରେ କରମସାନୀ ଯାତ୍ରା ଭାଦ୍ର ଶୁକ୍ଳ ଏକାଦଶୀ ଦିନ ଅର୍ଥାତ୍‌ ସୂର୍ଯ୍ୟଦେବଙ୍କର ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ଦିନଠାରୁ ଆରମ୍ଭ ହୁଏ । କେତେକାଞ୍ଚଳରେ ଉଚ୍ଚଶ୍ରେଣୀର ହିନ୍ଦୁମାନେ ଭୋଗ ଆଦି ଅର୍ପଣ କରି କେବଳ କରମା ପୂଜାରେ ଭାଗ ନିଅନ୍ତି; ଆଦିବାସୀଙ୍କ ପରି ରାତିସାରା ଉଜାଗର ରହି ନୃତ୍ୟ -ଗୀତରେ ଭାଗ ନିଅନ୍ତି ନାହିଁ । ଏହି ଦୃଷ୍ଟିରୁ କେତେକ ସ୍ଥଳରେ ଏହା ହିନ୍ଦୁମାନଙ୍କ ପାଇଁ ଏକ ପୂଜା ହୋଇ ପାରେ, କିନ୍ତୁ ଆଦିବାସୀମାନଙ୍କ ପାଇଁ ଏହା ସର୍ବଦା ଏକ ବିଶିଷ୍ଟ ପର୍ବ ଅଟେ ।

 

ହିନ୍ଦୁ ମତାନୁଯାୟୀ କରମାପର୍ବର ମୁଖ୍ୟ ଦେବୀ ହେଲେ କର୍ମ ବା ଭାଗ୍ୟ ଦେବୀ । କେତେକ ସ୍ଥଳରେ ସେ ଦେବତାରୂପେ ମଧ୍ୟ ପୂଜା ପାଆନ୍ତି । ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ଦିନ ଏହି ପର୍ବ ଆରମ୍ଭ ହୋଇଥିବାରୁ ସୂର୍ଯ୍ୟ ଦେବତା ମଧ୍ୟ ଏହାର ଅନ୍ତର୍ଭୁକ୍ତ ବୋଲି କୁହାଯାଇପାରେ । ତିନୋଟି ବାଉଁଶକୁ ଯୋଡ଼ି ତନ୍ମଧ୍ୟରେ କରମତାଳ ପୋତା ହୋଇ କର୍ମ ଦେବତାଙ୍କୁ ଆବାହନ ଓ ପୂଜାଦି ହେଉଥିବାରୁ ତ୍ରିଗୁଣାତ୍ମିକା ପ୍ରକୃତି ମଧ୍ୟରେ ଧର୍ମ ଓ କର୍ମଦେବ ସୂର୍ଯ୍ୟଙ୍କର ବୋଲି କୁହାଯାଇଥାଏ । ଧର୍ମର ବିପ୍ଳବ ବା ପରିବର୍ତ୍ତନ ସମୟରେ ସମନ୍ୱୟକୁ ଶାସ୍ତ୍ରାନୁମୋଦିତ କରିବା ପାଇଁ ଅଥର୍ବ ବେଦର ଆଲ୍ଲା ଉପନିଷଦର ଉତ୍ପତ୍ତି ହୋଇଛି ବୋଲି କୁହାଯାଏ । ଆର୍ଯ୍ୟ ଧର୍ମ ସର୍ବଧର୍ମ ସମନ୍ୱୟଦ୍ୱାରା ଉତ୍‌ଥାନ ପତନ ଓ ପରିବର୍ତ୍ତିତ ହୋଇ ମଧ୍ୟ ଅକ୍ଷୟ ଓ ଅମୃତ ହୋଇ ରହିବ ।୨୦।

 

ବୋଧହୁଏ ହିନ୍ଦୁସମାଜରେ କରମାପର୍ବ ବିଶେଷ ଭାବରେ ଆଦୃତ ନ ହେବାର କାରଣ ହେଲା, ଏହି ଅବସରରେ ହେଉଥିବା ଦେଶୀ ମଦ, କୁସୁନା, ହାଣ୍ଡିଆ ଓ ମହୁଲି ମଦର ବହୁଳ ବ୍ୟବହାର । ଅନ୍ୟାନ୍ୟ ଆଦିବାସୀ ପୂଜାପର୍ବ ସଦୃଶ କରମାପୂଜାରେ ମଦର ଆବଶ୍ୟକତା ସ୍ଵାଭାବିକ ମନେ ହୁଏ । କରମସାନୀ ଦେବୀଙ୍କୁ ଅନ୍ୟାନ୍ୟ ଭୋଗ ସାଙ୍ଗକୁ ମଦ ମଧ୍ୟ ଅର୍ପଣ କରାଯାଏ । ତାପରେ ରାତିସାରା ମଦ୍ୟପାନ ପୂର୍ବକ ନୃତ୍ୟ ଗୀତର ଆସର ଜମେ । ବୟସ୍କଲୋକଙ୍କ ବ୍ୟତୀତ ସ୍ଥଳ ବିଶେଷରେ ଅଳ୍ପ ବୟସର ପୁଅ, ଝିଅମାନେ ମଧ୍ୟ ମଦ୍ୟପାନ କରିବାର ଦେଖାଯାଏ । ପୁନଶ୍ଚ, ଦେବୀଙ୍କୁ ଭୋଗ ଦେବା ଆଳରେ ଭାଙ୍ଗ, ଗଞ୍ଜେଇ, ମହୁଲି ମଦ, ଖଜୁରୀ ରସ, କୁସୁନା, ହାଣ୍ଡିଆ ଇତ୍ୟାଦି ଅନ୍ୟାନ୍ୟ ନିଶାଦ୍ରବ୍ୟର ବ୍ୟବହାର ମଧ୍ୟ ଦେଖାଯାଏ । ଫଳରେ ଉଭୟ ସ୍ତ୍ରୀ ଓ ପୁରୁଷ ମାଦକ ଦ୍ରବ୍ୟ ସେବନ କରିବାର ସୁଯୋଗ ପାଆନ୍ତି । ପୁନଶ୍ଚ ଗୀତ ଓ ନୃତ୍ୟ ସମୟରେ ଯୁବକ-ଯୁବତୀମାନେ ହାତ ଛନ୍ଦା ଛନ୍ଦି ହୋଇ, ଅଣ୍ଟା ଧରାଧରି ହୋଇ କରମାନୃତ୍ୟ ପରିବେଷଣ କରନ୍ତି । ତେଣୁ ସ୍ଥଳ ବିଶେଷରେ ନୃତ୍ୟଭଙ୍ଗୀ ଓ ଗୀତରେ ଅଶ୍ଳୀଳତାର ପ୍ରବେଶକୁ ଅସ୍ଵୀକାର କିମ୍ବା ଅସ୍ଵାଭାବିକ ବୋଲି କୁହାଯାଇ ପାରିବ ନାହିଁ । ଏକ ନିର୍ଦ୍ଦିଷ୍ଟ ପରିବେଶ ଓ ପରିସ୍ଥିତିରେ ଯୁବକ, ଯୁବତୀମାନଙ୍କଦ୍ୱାରା ଏକ ପଟେ ଦେବୀଙ୍କ ନାଁରେ ମାଦକଦ୍ରବ୍ୟ ସେବନ ଏବଂ ଅନ୍ୟପଟେ ସଂଯମ ରକ୍ଷା କରିବା ଘଟଣା ସର୍ବଦା ଗ୍ରହଣଯୋଗ୍ୟ ହୋଇ ନପାରେ । ତେଣୁ କରମା ନୃତ୍ୟ ଓ ଗୀତ ପରିବେଷଣ ସମୟରେ ସ୍ଥଳ ବିଶେଷରେ ଅଶ୍ଳୀଳତାର ଗନ୍ଧ ବାରିହେବା ସ୍ଵାଭାବିକ । ସେଥିପାଇଁ କରମା ନୃତ୍ୟ ଓ ଗୀତ ତଥା କଥିତ ଶିକ୍ଷିତ ସମାଜରେ ବିଶେଷ ପ୍ରଭାବ ପକାଇ ପାରିନାହିଁ । ଅନ୍ୟ ଅର୍ଥରେ କହିବାକୁ ଗଲେ ଏହି ଶ୍ରେଣୀର ଲୋକନୃତ୍ୟ ତଥା ଗୀତକୁ ଆଜିର ସଭ୍ୟ ଓ ଶିକ୍ଷିତ ସମାଜ ନିମ୍ନସ୍ତରର ବୋଲି ବିବେଚିତ କରିଥାଏ ।

 

କରମା ନୃତ୍ୟ ଓ ଗୀତକୁ ଅଶ୍ଳୀଳତାର ପରିଧି ଭିତରେ ଜକେଇ ଦେବା ଏକ ସଂକୀର୍ଣ୍ଣ ଦୃଷ୍ଟିକୋଣର ପରିଚୟ ଦିଏ । ଏତତ୍‌ଦ୍ୱାରା କରମାପର୍ବ ପଛରେ ନିହିତ ଆଦର୍ଶ, ଭକ୍ତିଭାବ ଓ ନିଷ୍ଠା ଲୁଚିଯାଏ । କେଉଁ ଆବାହମାନ କାଳରୁ ପ୍ରଚଳିତ ଏହି ମାତୃପୂଜା ଅଶ୍ଳିଳତାର ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ ହୋଇଛି ବୋଲି ମତବ୍ୟକ୍ତ କରିବା ସମୀଚୀନ ବୋଧହୁଏ ନାହିଁ । ସଭ୍ୟସମାଜ ଯାହାକୁ ଅଶ୍ଳୀଳ କୁହେ ତାହା ଆଦିବାସୀମାନଙ୍କ ପାଖରେ ମୂଲ୍ୟହୀନ କାରଣ ସେମାନଙ୍କ ସମାଜ ଓ ସଂସ୍କୃତି ତାକୁ ସ୍ୱୀକୃତି ପ୍ରଦାନ କରିଛି ।

 

ଅନେକ ଆଦିବାସୀ ସମାଜରେ ଯୌନତା (Sex) ଏବଂ ମଦ୍ୟପାନ ସାମାଜିକ ସ୍ଵୀକୃତି ଲାଭ କରିଥିବାରୁ, ଅବିବାହିତା ସ୍ତ୍ରୀ, ପୁରୁଷଙ୍କ ମଧ୍ୟରେ ଯୌନସଂପର୍କ କିମ୍ବା ଛୁଆ ପିଲା, ସ୍ତ୍ରୀ-ପୁରୁଷଙ୍କ ମଦ୍ୟପାନକୁ ଗୁରୁତର ଅପରାଧ ବୋଲି ଧରାଯାଏ ନାହିଁ । ବାହ୍ୟ ଜଗତର ଲୋକେ ଏସବୁକୁ ନିମ୍ନମାନର ମନେ କଲେ ମଧ୍ୟ ସେମାନଙ୍କ ପାଇଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କୌଣସି ଜିନିଷ ପ୍ରତି ଆକ୍ଷେପ କରିବା ପରିବର୍ତ୍ତେ ତାକୁ ଯୁଗୋପଯୋଗୀ ଏବଂ ସାର୍ବଜନୀନ କରିବା ଆବଶ୍ୟକ ମନେହୁଏ । ଏହି ଦୃଷ୍ଟିକୋଣରୁ କରମାରେ ଥିବା ଅଶ୍ଳୀଳତାର ଚେରକୁ ଉପାଡ଼ି ଫିଙ୍ଗି ଆଦାବାସୀ ସମାଜର ଏହି ସାଂସ୍କୃତିକ ଓ ଧାର୍ମିକ ଚେତନାକୁ ହୃଦୟଙ୍ଗମ କରିବା ଯୁକ୍ତିଯୁକ୍ତ ଅଟେ । କରମାପର୍ବ ପଛରେ ନିହିତ ଭକ୍ତିଭାବ, ସ୍ନେହ, ଶୁଭେଚ୍ଛା, ଶାନ୍ତି ଓ ମୈତ୍ରୀର ବାର୍ତ୍ତାକୁ ପୁନର୍ଜୀବିତ କରିବା ବାଞ୍ଛନୀୟ ।

 

ପରିବର୍ତ୍ତନଶୀଳ ସମାଜର ପ୍ରଭାବରେ ହେଉ ଅବା ଦାରିଦ୍ର୍ୟର କଷାଘାତରେ ହେଉ ଯେଉଁ ଆଦିବାସୀମାନେ ଖ୍ରୀଷ୍ଟିଆନ ହୋଇ ଯାଇଛନ୍ତି କିମ୍ବା ଯାଉଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ କେବଳ ପୂଜା କରୁଥିବାର ଦେଖାଯାଏ । ସାଧାରଣତଃ ସେମାନେ କରମାନୃତ୍ୟ ଓ ଗୀତକୁ ପରିହାର କରିଥାନ୍ତି । ପରଂପରା ନାଁରେ କିଛି ସମୟ ନୃତ୍ୟ କଲେ ମଧ୍ୟ ସେମାନଙ୍କ ମଧ୍ୟରେ ସଂଯମ ରକ୍ଷା କରିବାର ଦେଖାଯାଏ ।

 

ସଂପ୍ରତି ଜାତି, ବର୍ଣ୍ଣ ଗୋଷ୍ଠୀ, ଧର୍ମ ନିର୍ବିଶେଷର ଲୋକେ ଯନ୍ତ୍ର ଯୁଗରେ ପେଶିହୋଇ ସମୟାଭାବରୁ ନିଜର ପାରଂପରିକ ଜୀବନ ସଂସ୍କୃତିକୁ ପାଶୋରିବାକୁ ବସିଛନ୍ତି । ପରିବର୍ତ୍ତୀତ ସମାଜରେ ଶିକ୍ଷିତ ଆଦିବାସୀ ଓ ହରିଜନମାନେ କରମାନୃତ୍ୟ ଓ ଗୀତକୁ ମାଦକଦ୍ରବ୍ୟ ତଥା ଅଶ୍ଳୀଳତାଠୁ ଦୂରେଇ ରଖୁଛନ୍ତି । ସହରାଞ୍ଚଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦୂରଦର୍ଶନ ତଥା ଆକାଶବାଣୀ ପ୍ରଭୃତି ସରକାରୀ ସଂସ୍ଥାଗୁଡ଼ିକ କରମାନୃତ୍ୟ ଓ ଗୀତକୁ ଗୁରୁତ୍ୱ ଦେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଦୃତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିପାଇଁ ନୂଆ ଶିକ୍ଷା ଓ ନୂତନ ସାମାଜିକ ଆଭିମୁଖ୍ୟ ସାଙ୍ଗକୁ ସାଂସ୍କୃତିକଚେତନାର ଆବଶ୍ୟକତାକୁ ଉପଲବ୍ଧି କରିବାକୁ ପଡ଼ିବ ।

 

କରମା ପରି ଆଦିବାସୀ ପର୍ବପର୍ବାଣି ସମୟରେ ଅସଦ୍‌ ଉପାୟରେ ହେଉଥିବା ମାଦକଦ୍ରବ୍ୟ ବ୍ୟବସାୟ ବୃଦ୍ଧିପାଏ । ନିରୀହ, ସରଳ ଆଦିବାସୀ ଭକ୍ତି ଭାବନାକୁ ପ୍ରକାଶ କରିବାକୁ ଯାଇ ମଦ ଆଦି ମାଦକଦ୍ରବ୍ୟର ବଶୀଭୂତ ହୋଇଥାଏ ଏବଂ ତାର ସାମାଜିକ ତଥା ଆର୍ଥିକ ଜୀବନ ଅତିଷ୍ଠ ହୋଇ ଉଠେ । ଏକଦା ସ୍ଥାନୀୟ ପ୍ରଶାସକ କରମାପର୍ବ ସମୟରେ ପଦମପୁର ଅଞ୍ଚଳରେ ମଦ ବ୍ୟବସାୟ ଉପରେ କଟକଣା ଜାରି କରିଥିଲେ । କିନ୍ତୁ ଆଦିବାସୀ ସମାଜରେ ମଦ୍ୟପାନକୁ ସାମାଜିକ ତଥା ଧାର୍ମିକ ସ୍ତରରେ ସ୍ଵୀକୃତି ମିଳିଥିବାରୁ ଏ ଦିଗରେ ଆଶାନୁରୂପ ଫଳପ୍ରାପ୍ତି ହୋଇ ପାରିଲା ନାହିଁ । ଏ କ୍ଷେତ୍ରରେ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର ଉଦ୍ୟମ ଓ ଭୂମିକା ଗୁରୁତ୍ଵପୂର୍ଣ୍ଣ ମନେହୁଏ ।

 

ମାନ୍ଦଳ ଆଶ୍ରିତ କରମା ଗୀତଗୁଡ଼ିକ ବିଶେଷତଃ ଭାଟିଆଳି ଏବଂ ପାହାଡ଼ି ରାଗ ଉପରେ ପର୍ଯ୍ୟବସିତ । ଶକ୍ତି ପୂଜା ମାତ୍ରକେ ମାଳଶ୍ରୀ ଗାନ କରାଯାଏ ଏବଂ କରମାରେ ମଧ୍ୟ ମାଳଶ୍ରୀ ଗାନ କରାଯାଏ । କରମସାନୀଙ୍କ ବନ୍ଦନା, ମହାତ୍ମ୍ୟ ତଥା ପୂଜା ବିଧାନ ସଂପର୍କିତ ଗୀତଗୁଡ଼ିକ ଅନୁଧ୍ୟାନ କଲେ ଜଣାପଡ଼େ ଯେ କରମସାନୀଙ୍କୁ ଦୂର୍ଗା, ଶଙ୍କରକାମେନୀ, ପାର୍ବତୀ ପ୍ରଭୃତିରୂପେ ଆରାଧନା କରାଯାଏ । ରାମାୟଣ, ମହାଭାରତ, ପୁରାଣ ଆଦିର ବହୁ ତଥ୍ୟ ଓ ଚରିତ୍ରର ସୂଚନା କରମା ଗୀତରୁ ମିଳେ । କରମା ନୃତ୍ୟ ଓ ଗୀତର ପରିବେଶକୁ ଆହୁରି ସୁନ୍ଦର ଓ ସରସ କରିବା ପାଇଁ ମଝିରେ ମଝିରେ ମାନ୍ଦଳର ଜନ୍ମ, ମାନ୍ଦଳର ମାପ, କରମସାନୀଙ୍କ ଜନ୍ମବୃତ୍ତାନ୍ତ ପରିବେଷଣ କରାଯାଇଥାଏ । ଦେଖଣାହାରୀ ମାନେ ମଧ୍ୟ ଅନେକ ପ୍ରଶ୍ନ ମାଦଳ ବାଦକ କିମ୍ବା ଗାୟକକୁ ପଚାରିଥାନ୍ତି ।୨୧।

 

ଗୀତର ବିଷୟବସ୍ତୁକୁ ଛାଡ଼ିଦେଲେ ଗୀତ ଓ ନୃତ୍ୟ ଶୈଳୀରେ ମଧ୍ୟ ହିନ୍ଦୁ ଓ ଆଦିବାସୀ ଶୈଳୀର ସମନ୍ୱୟ ସୁସ୍ପଷ୍ଟ ଜଣାପଡ଼େ । ପାର୍ଥକ୍ୟ ଦୃଷ୍ଟି କୋଣରୁ କରମା ନୃତ୍ୟକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ -‘ଆଦିବାସୀ’ ଓ ‘ଦେଶୀ’ କରମା । ଆଦିବାସୀ କରମାରେ ମୁଖ୍ୟତଃ ଆଦିବାସୀ ଶ୍ରେଣୀର ଲୋକେ ଭାଗ ନେବାର ଦେଖାଯାଏ ଓ ଦେଶୀ କରମାରେ ସାଧାରଣତଃ ହରିଜନ ସଂପ୍ରଦାୟର ଲୋକେ ଅଂଶ ଗ୍ରହଣ କରିଥାନ୍ତି । ଆଦିବାସୀ କରମାରେ ଧୁନକେଲ ନାମକ ଏକ ବାଦ୍ୟଯନ୍ତ୍ର ବ୍ୟବହୃତ ହୁଏ । ଏଥିରେ ପୁରୁଷ ଓ ସ୍ତ୍ରୀ ଉଭୟେ ଅଂଶଗ୍ରହଣ କରନ୍ତି । ପୁରୁଷ ବାଦ୍ୟକାରମାନେ ନୃତ୍ୟ ମଧ୍ୟ କରନ୍ତି । ଦେଶୀ କରମାରେ ପ୍ରାୟ ସ୍ତ୍ରୀ ଲୋକମାନେ ଅଂଶ ଗ୍ରହଣ କରିବାର ଦେଖାଯାଏ ନାହିଁ । କାଁ, ଭାଁ କେଉଁଠି ପୁରୁଷ ଓ ସ୍ତ୍ରୀ ଅଲଗା ଅଲଗା ଧାଡ଼ିବାନ୍ଧି ନୃତ୍ୟ କରିବାର ଦେଖାଯାଏ । ଦେଶୀ କରମାରେ ସମ୍ବଲପୁରୀ ଗୀତ ଓ ସ୍ଥଳ ବିଶେଷରେ ଓଡ଼ିଆ ମୁଖ୍ୟତଃ ମଥୁରାମଙ୍ଗଳ ଓ ବୈଦେହୀଶ ବିଳାସର ଛାନ୍ଦ (ସ୍ଵର ଓ ଗାୟନ ପଦ୍ଧତି ସମ୍ପୂର୍ଣ୍ଣ ଭିନ୍ନ) ଶୁଣିବାକୁ ମିଳେ । ସମ୍ବଲପୁରୀ ପଲ୍ଲୀଗୀତ ଓ ନୃତ୍ୟରେ ଛାନ୍ଦର ପାର୍ଥକ୍ୟ ପରିଲକ୍ଷିତ ହେବା ସ୍ଵାଭାବିକ ।୨୨।

 

ଏହି ଆଲୋଚନାରୁ ଗୋଟିଏ କଥା ସୁସ୍ପଷ୍ଟ ଯେ କରମାପର୍ବ ଉପରେ ହିନ୍ଦୁପରଂପରାର ପ୍ରଭାବ ଏବର ନୁହେଁ । ଗତ ଶତାବ୍ଦୀରୁ Culshaw, S.C Roy ପ୍ରମୁଖ ବିଦ୍ୱାନମାନେ ଏ ବିଷୟରେ ଆଲୋକପାତ କରିଛନ୍ତି । ଏହାଛଡ଼ା ଲୋକରତ୍ନ କୁଞ୍ଜ ବିହାରୀ ଦାଶ ମଧ୍ୟ ବହୁ ଆଗରୁ ଏ ବିଷୟ କହିଛନ୍ତି । ତେଣୁ କରମାପର୍ବର ହିନ୍ଦୁକରଣ (Hinduization) ଏବର ନୁହେଁ । ଆଦିବାସୀ ଓ ହିନ୍ଦୁମାନଙ୍କର ଯୁଗ ଯୁଗ ଧରି ସହାବସ୍ଥାନ ଫଳରେ ଆଦିବାସୀ ସଂସ୍କୃତି ଓ ହିନ୍ଦୁ ସଂସ୍କୃତି ପରସ୍ପର ପରସ୍ପରକୁ ପ୍ରଭାବିତ କରିଛନ୍ତି । ହିନ୍ଦୁମାନେ ପରବର୍ତ୍ତୀ କାଳରେ କରମାପର୍ବକୁ ହିନ୍ଦୁ ରୂପଟିଏ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ମନେହୁଏ ।

 

ସମ୍ବଲପୁରସ୍ଥିତ ଠେଲକୋ ପଡ଼ା ଓ ଷ୍ଟେସନ ପଡ଼ାରେ କରମସାନୀ ଦେବୀଙ୍କୁ ମହାଶକ୍ତିରୂପେ ପୂଜା କରନ୍ତି । କରମସାନୀ ଦେବୀଙ୍କୁ କେନ୍ଦ୍ରକରି ପ୍ରଚଳିତ କଥାନୁଯାୟୀ ମଥୁରାରେ ଶ୍ରୀକୃଷ୍ଣ ରାଧାଙ୍କୁ ପାଇବା ପାଇଁ ନଈବାଲି ଉପରେ କରମସାନୀ ଦେବୀଙ୍କୁ ଆରାଧନା କରିଥିଲେ । ବିଷ୍ଣୁ ପୁରାଣର କେତେକ ସ୍ଥଳରେ ପ୍ରକାଶ ପାଇଥିବା ଦେବୀ ପୂଜାର ମହାତ୍ମ୍ୟ ସହ ଉପରୋକ୍ତ ଲୋକୋକ୍ତି ବା ଲୋକବିଶ୍ଵାସର; ସଂପର୍କ ଏଠାରେ ଉଲ୍ଲେଖନୀୟ ଅଟେ ।

 

ହେମନ୍ତ ୠତୁର ପ୍ରାରମ୍ଭରେ ଗୋପକନ୍ୟାମାନେ ଯମୁନା ନଦୀରେ ସ୍ନାନ ସାରି ନଦୀ କୂଳରେ ବାଲୁକାମୂର୍ତ୍ତିଟିଏ ସ୍ଥାପନ କରି ଦେବୀଙ୍କୁ ପୂଜା ଆରାଧନା କରିଥିଲେ । ସେମାନେ ଦେବୀଙ୍କୁ କାତ୍ୟାୟନୀ, ମହାମାୟା, ମହାଯୋଗିନୀ, ସର୍ବାଧିଶ୍ୱରୀ ପ୍ରଭୃତି ଭାବରେ ସମ୍ବୋଧନ କରି ଶ୍ରୀକୃଷ୍ଣଙ୍କୁ ପତିରୂପେ ପାଇବା ପାଇଁ ଦେବୀଙ୍କ ନିକଟରେ ନିଜର କାମନା ପ୍ରକାଶ କରିଥିଲେ । ଦୁର୍ଗାଙ୍କର ବନ୍ଦନାରେ ଏହି ବିଷୟ ମଧ୍ୟ ସୂଚିତ- ‘‘କାତ୍ୟାୟନୀରୂପେ ପୂଜି ତୋମାର ଚରଣ, ଗୋପୀଗନ ପାଇଲେକ ଶ୍ରୀନନ୍ଦନନ୍ଦନ ।’’ ଏହିପରି ମାତୃପୂଜା ଫଳରେ ଗୋପୀମାନେ ଶ୍ରୀକୃଷ୍ଣ ସଙ୍ଗ ଲାଭ କରିଥିଲେ ।୨୩। ଏଥରୁ ସ୍ପଷ୍ଟ ଜଣା ପଡ଼େ ଯେ ଅନେକ ଯୁଗରୁ ଲୌକିକ ଭିତ୍ତିରେ ସ୍ୱଚ୍ଛନ୍ଦ ବର୍ଦ୍ଧିତ ଲୋକ ପରଂପରା ମଧ୍ୟରେ ଭାରତୀୟ ପରଂପରାର ମହାନ କଥା କ୍ରମଶଃ ସଂରଚିତ ହୋଇ ଆସିଛି । ବିଷ୍ଣୁପୁରାଣର ଏକ କଥାବସ୍ତୁର ଅନୁକରଣ କିପରି ଆଞ୍ଚଳିକ କରଣ (Parochialisation) ପ୍ରକ୍ରିୟାଦ୍ୱାରା ସଂଘଟିତ ହୋଇଛି ଓ ଆଞ୍ଚଳିକ ଲୋକକଥାରେ ସଂରଚିତ ହୋଇ ଲୌକିକ ରୂପ ଧାରଣ କରିଛି ତାହା ଏଥିରୁ ସୁସ୍ପଷ୍ଟ ଜଣାପଡ଼େ ।

 

ଆଉ ଏକ ଲୋକୋକ୍ତି ଅନୁଯାୟୀ ‘କରମସାନୀ’ ହେଲେ କାଳୀଙ୍କର ସହଚରୀ ଚଉଷଠୀ ଯୋଗିନୀଙ୍କ ମଧ୍ୟରେ ଅନ୍ୟତମ । ପୂର୍ବରୁ ଦେବୀଙ୍କୁ ମହାଯୋଗିନୀରୂପେ ସମ୍ବୋଧନ କରାଯିବା ବିଷୟ ଉଲ୍ଲେଖ କରାଯାଇଛି । ରକ୍ତବୀର୍ଯ୍ୟ ରାକ୍ଷସକୁ ସଂହାର କରିବା ବେଳକୁ ରକ୍ତବୀର୍ଯ୍ୟର ଶିରଚ୍ଛେଦନ ହେବା ପରେ କବନ୍ଧ ଦେହରୁ ନିର୍ଗତ ହେଉଥିବା ରକ୍ତ ଭୂମିରେ ପଡ଼ି ଅସଂଖ୍ୟ ରାକ୍ଷସ ଜାତ ହେଉଥିଲେ । ଦେବୀ ଅନ୍ୟ ଉପାୟ ନଦେଖି ତାଙ୍କ ସହଚରୀ ଯୋଗିନୀମାନଙ୍କୁ ରକ୍ତବୀର୍ଯ୍ୟର ରକ୍ତ ଭୂମିରେ ପଡ଼ିବା ପୂର୍ବରୁ ଲେହନ କରିଦେବା ପାଇଁ ଆଜ୍ଞା ଦେଲେ । ତାପରେ ଯାଇ ରକ୍ତବୀର୍ଯ୍ୟର ବିନାଶ ସମ୍ଭବପର ହେଲା । ଯୋଗିନୀମାନେ ଏତିକିରେ ସନ୍ତୁଷ୍ଟ ହେଲେ ନାହିଁ । ତେଣୁ ମହାକାଳୀ ସେମାନଙ୍କୁ ସମଲେଇ, ମାଉଲି, ଗରାମପତି, ପିତାବଲୀ, ବୁଢ଼ୀ କମଗେଈ ପ୍ରଭୃତି ନାମରେ ନାମିତ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହି ଲୋକଙ୍କଠାରୁ ମହିଷି, କୁକ୍‌କୁଟ, ଛାଗ, ମେଷାଦି ବଳି ସ୍ଵରୂପ ପାଇ ଶାନ୍ତିରେ ରହିବାକୁ ନିର୍ଦ୍ଦେଶ ଦେଲେ । କିନ୍ତୁ କରମସାନୀ ପଛରେ ପଡ଼ିଗଲେ । ତାଙ୍କୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ମିଳିଲା ନାହିଁ । ତେଣୁ ଦେବୀଙ୍କ ନିର୍ଦ୍ଦେଶାନୁଯାୟୀ ନିଭୃତ ଜଙ୍ଗଲ ମଧ୍ୟରେ ଏକ କରମଗଛରେ ସାଧବ ପୁଅ ସେ ବାଟରେ ଆସିବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ।୨୪ ।

 

ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ଯେ କରମାପର୍ବର ସୃଷ୍ଟି ପୁରାଣଯୁଗ ପରବର୍ତ୍ତୀ କାଳରେ ହୋଇଛି । ଏହି ଦୃଷ୍ଟିରୁ ମଧ୍ୟ ଆଦିବାସୀ ଲୋକ ପରଂପରା ଉପରେ ହିନ୍ଦୁ ପରଂପରାର ପ୍ରଭାବକୁ ଏଡ଼େଇ ଦେଇ ହେବନାହିଁ । ପୁନଶ୍ଚ ଆଦିବାସୀ ପର୍ବପର୍ବାଣିଗୁଡ଼ିକ ମଧ୍ୟରେ କରମା ଏକମାତ୍ର ପର୍ବ ଯାହାକି ହିନ୍ଦୁ ପର୍ବପର୍ବାଣି ସଦୃଶ ଏକ ନିର୍ଦ୍ଦିଷ୍ଟ ତିଥିରେ ପାଳନ କରିବାର ବିଧି ଦେଖାଯାଏ । ଆଦିବାସୀ ପରଂପରା ଉପରେ ହିନ୍ଦୁ ପରଂପରାର ପ୍ରଭାବ କ୍ରମରେ ଏହା ଆଉ ଏକ ଉଦାହରଣ । ଏହି ପରିପ୍ରେକ୍ଷୀରେ ଭାଦୁରୀ କହନ୍ତି ଯେ : The wide prevalence and popularity of the Karama Festival among the aboriginals other than Mundas (Chota Nagpur) however, indicate that it is not of Hindu origin, although the fact of its fixed time of observance indicates some loan of Hindu ideas ।୨୫। ମନେହୁଏ କରମସାନୀ ଦେବୀ କାଳକ୍ରମେ ହିନ୍ଦୁ ଧର୍ମର ଦୁର୍ଗାଙ୍କ ସହ ଏକୀକାର ହୋଇ ଯାଇଛନ୍ତି । ହିନ୍ଦୁ ସଂସ୍କୃତି ସହ କରମାପର୍ବ ନିଜର ସଂପର୍କ ରକ୍ଷା କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ହିନ୍ଦୁସଂସ୍କୃତିର ମହାସ୍ରୋତରେ ପୂର୍ଣ୍ଣରୂପେ ସାମିଲ ହୋଇପାରି ନାହିଁ ।

 

କୌଣସି ଦେବଦେବୀଙ୍କୁ ମନ୍ଦିର ଗୃହ ମଧ୍ୟରେ ସ୍ଥାପନ କରି ପୂଜା କରିବାର ପ୍ରଣାଳୀ ହିନ୍ଦୁ ମାନଙ୍କର । କିନ୍ତୁ ସମ୍ବଲପୁର ଓ ବରଗଡ଼ର କେତେକ ସ୍ଥାନରେ କରମସାନୀ ଦେବୀଙ୍କୁ ମନ୍ଦିର ନିର୍ମାଣ କରି ପୂଜା କରାଯାଉଥିବାର ଦେଖାଯାଏ । ସମ୍ବଲପୁର ସହରର ଠେଲକୋପଡ଼ା ତଥା ବରପାଲିସ୍ଥିତ କରମାଦେବୀଙ୍କର ମନ୍ଦିର ଏଠାରେ ଉଲ୍ଲେଖଯୋଗ୍ୟ । ସମ୍ବଲପୁରର କରମା ମନ୍ଦିର ହରିଜନମାନଙ୍କଦ୍ୱାରା ନିର୍ମିତ ହୋଇଥିବା ସ୍ଥଳେ ବରପାଲିର କରମା ମନ୍ଦିର ମିର୍ଦ୍ଧା ଉପଜାତିର ଲୋକଙ୍କଦ୍ୱାରା ନିର୍ମିତ । ଏହି ମନ୍ଦିର ପ୍ରତିଷ୍ଠା ସମ୍ପର୍କରେ ଏକ କାହାଣୀ ଶୁଣିବାକୁ ମିଳେ । ଏକଦା ମିର୍ଦ୍ଧା ଯୁବକମାନେ କରମସାନୀଙ୍କ ପ୍ରତୀକ ଡାଳ ଖଣ୍ଡିଏ ଆଣିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଦିନ ଗଡ଼ିଯାଇ ରାତି ଆସିଲା କିନ୍ତୁ ଯୁବକମାନେ ନଫେରିବାରୁ ଗାଁର ବୁଢ଼ାମାନେ ଯୁବକମାନଙ୍କୁ ଖୋଜିକା ପାଇଁ ବାହାରିଲେ । ବଣକୁ ଯାଇ ଦେଖନ୍ତି ତ ଯୁବକମାନେ ଗୋଟିଏ କରମାବୃକ୍ଷର ଚାରିପଟେ କିନ୍ଦିରି କିନ୍ଦିରି (ବୃତ୍ତାକାର ହୋଇ) ନାଚୁଛନ୍ତି । ବୁଢ଼ାମାନଙ୍କୁ ଆସିବାର ଦେଖି‌ କରମସାନୀ ଦେବୀ ବୃକ୍ଷ ଉପରୁ କହିଲେ - ‘‘ଗଛ ଉପରେ ଆଉ କେତେଦିନ ରହିବି ? ଗୋଟିଏ ଦେଉଳ ଗଢ଼ି ଦିଅ’’ । ସେହି ଘଟଣା ପରେ ବରପାଲିରେ କରମସାନୀ ଦେବୀଙ୍କର ମନ୍ଦିର ପ୍ରତିଷ୍ଠା ହୋଇ ମିର୍ଦ୍ଧା, କିଷାନ ଉପଜାତିର ଲୋକମାନଙ୍କର ଏକ ପୁଣ୍ୟଭୂମିରୂପେ ପରିଗଣିତ ହେଲା ।୨୬।

 

ସଂପ୍ରତି ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ କରମାନୃତ୍ୟ ଓ ଗୀତକୁ ଓଡ଼ିଶାର ଲୋକ ପରଂପରା ପରିଚାୟକରୂପେ ଗ୍ରହଣ କରିନେଇଛନ୍ତି । ଏମାନଙ୍କଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକରେ ମାନ୍ଦଳ ଆଶ୍ରିତ କରମା ନୃତ୍ୟ ଏକ ବିଶେଷ ସ୍ଥାନ ଅଧିକାର କରେ । ମଞ୍ଚ ବା ଅଡ଼ିଟୋରିଅମ ଭିତରେ ପରିବେଷିତ ହେଉଥିବା କରମା ନୃତ୍ୟରେ ଭାଗ ନେଉଥିବା ଅଧିକାଂଶ କଳାକାର ବ୍ରାହ୍ମଣ, କରଣ ପ୍ରଭୃତି ସମାଜର ଉଚ୍ଚବର୍ଗ/ ଜାତିରୁ ଆସୁଛନ୍ତି । ଅଣ-ଓଡ଼ିଆ ମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି । ସାଧାରଣତନ୍ତ୍ର ଦିବସ, ସ୍ଵାଧୀନତା ଦିବସ, ଆନ୍ତର୍ଜାତିକ ବାଣିଜ୍ୟ ମେଳା (ନୁଆଦିଲ୍ଲୀ), ଦେଶ ବିଦେଶରେ ଆୟୋଜିତ ଭାରତ ଉତ୍ସବ, ଓଡ଼ିଶା ଦିବସ ପ୍ରଭୃତି ଅବସରରେ ଏହି ଲୋକଶୈଳୀ ଓଡ଼ିଶା ବାହାରେ ସର୍ବଭାରତୀୟ ସ୍ତରରେ ତଥା ଭାରତ ବାହାରେ ବିଭିନ୍ନ ଦେଶ ବିଦେଶରେ ପରିବେଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ସଂପ୍ରତି କରମାନୃତ୍ୟ ଓ ଗୀତ କେବଳ ଆଦିବାସୀ କିମ୍ବା ହରିଜନମାନଙ୍କ ମଧ୍ୟରେ ସୀମିତ ନରହି ଏକ ଆଞ୍ଚଳିକ ପରଂପରା/ସଂସ୍କୃତିର ସ୍ତରକୁ ଉନ୍ନୀତ ହୋଇ ଜନମାନସରେ ଆଦୃତ ହୋଇଛି । ଆଜି କରମାପର୍ବ ଓଡ଼ିଶାର ସାଂସ୍କୃତିକ ଚେତନାର ପରିବାହକରୂପେ ଏକ ବ୍ୟାପକତାର ରୂପ ନେବାକୁ ସକ୍ଷମ ହୋଇଛି । ଏହି କ୍ରମରେ ସାଂସ୍କୃତିକ ଐକ୍ୟ ତଥା ସଂହତିର ରକ୍ଷା ତଥା ସାଂସ୍କୃତିକ ଚେତନା ସୃଷ୍ଟି କ୍ଷେତ୍ରରେ କରମାର ଅବଦାନ ଅତୁଳନୀୟ ।

 

ଲୋକ ବିଶ୍ୱାସ ଯେ କରମସନୀ ଦେବୀ ସନ୍ତୁଷ୍ଟ ହେଲେ ରୋଗ, ଦୁଃଖ ଭୟ ରହେ ନାହିଁ, ନିର୍ଦ୍ଧନ ଧନୀ ହୁଏ, ସନ୍ତାନହୀନ ସନ୍ତାନ ଲାଭ କରେ, ଧାନାଦି ଶସ୍ୟରେ ପୋକ ଜୋକର ଆଶଙ୍କା ଦୂରୀଭୂତ ହୁଏ । ଲୋକଙ୍କର ଦୃଢ଼ ବିଶ୍ଵାସ ଯେ କରମରାନୀ ହେଉଛନ୍ତି କର୍ମର ସ୍ଵାମୀନି ଅର୍ଥାତ କର୍ମ ବା ଭାଗ୍ୟ ଦେବୀ ତାଙ୍କୁ ସନ୍ତୁଷ୍ଟ କରି ପାରିଲେ ମନୁଷ୍ୟର ଭାଗ୍ୟ ଉଜ୍ଜଳ ହେବ । ଫସଲକୁ ପୋକ ଦାଉରୁ ରକ୍ଷା କରିବା ପାଇଁ କେତେକ ସ୍ଥାନରେ ‘‘ବହ୍ମା କରମା’’ର ଆୟୋଜନ ହୋଇଥାଏ ଧାନ ଫସଲରେ ବହ୍ମା ନାମକ ଏକ ପ୍ରକାର ପୋକ ଲାଗି ଫସଲକୁ ନଷ୍ଟ କରିଦିଅନ୍ତି । ଏହିପରି ଦୈବୀ-ଦୁର୍ବିପାକରୁ ରକ୍ଷା ପାଇବା ପାଇଁ କରମା ପୂଜାର ଆୟୋଜନ ହୋଇଥାଏ । ତେଣୁ ଏହାକୁ ‘ବହ୍ମା କରମା’ କହନ୍ତି ।

 

ଓଡ଼ିଶାର ପଶ୍ଚିମାଞ୍ଚଳର ଆଦିବାସୀ ସମାଜରେ ପ୍ରଚଳିତ ନୂଆଖାଇ, ପୁଷ୍‌ପୁନି, ଗୁଣିଖାଇ ପ୍ରଭୃତି ପର୍ବପର୍ବାଣି ସଦୃଶ କରମାପର୍ବର ସମ୍ପର୍କ ମଧ୍ୟ କୃଷି ସହିତ ଥିବାର ଜଣାପଡ଼େ । ଭାଦ୍ରବ ମାସ ହେଲା ଜମିରେ ବୁଣା ଯାଇଥିବା ଶସ୍ୟରେ ଫୁଲ ଆସିବାର ସମୟ । ଏ ସମୟରେ ଝଡ଼, ବନ୍ୟା ଆସିବାର ସମ୍ଭାବନା ମଧ୍ୟ ରହିଥାଏ । ଲୋକଙ୍କ ମନରେ ଫସଲ ନଷ୍ଟ ହୋଇଯିବାର ଭୟ ରହିବା ସ୍ଵାଭାବିକ । କରମସାନୀଙ୍କୁ ପୂଜା କଲେ ଜମିର ଫସଲ ନଷ୍ଟ ହେବନାହିଁ ବୋଲି ଲୋକବିଶ୍ଵାସ । ଏହାଛଡ଼ା ସ୍ତ୍ରୀ ଲୋକମାନେ ଏହି ସମୟରେ ଉପବାସ ରହି ନିଜର ଭାଇ ଓ ସନ୍ତାନସନ୍ତତିର ନିରାପତ୍ତା, ରୋଗ, ମୃତ୍ୟୁ ଓ ଅନିବାର୍ଯ୍ୟ ବିପଦରୁ ରକ୍ଷା ପାଇବା ନିମନ୍ତେ ମଧ୍ୟ କରମସାନୀଙ୍କୁ ଉପାସନା କରନ୍ତି ।

 

କୌଣସି ପର୍ବପର୍ବାଣି ପାଳନ ପଛରେ ମନୁଷ୍ୟ ମନର ବିଶ୍ଵାସ ଓ ଭକ୍ତିଭାବନା ପ୍ରଚ୍ଛନ୍ନ ଭାବେ ନିହିତ । ଓଡ଼ିଶା ଏକ ଆଦିବାସୀ ବହୁଳ ଅଞ୍ଚଳ । ଏଠାରେ ବିଭିନ୍ନ ଆଦିବାସୀ ଗୋଷ୍ଠୀଙ୍କ ସହ ହିନ୍ଦୁଜାତିର ଲୋକଙ୍କ ନିରବଚ୍ଛିନ୍ନ ସହାବସ୍ଥାନ ଯୋଗୁଁ କାଳକ୍ରମେ ସେମାନଙ୍କ ମଧ୍ୟରେ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ତଥା ଧାର୍ମିକ ଜୀବନରେ ଆଦାନ ପ୍ରଦାନ ଘଟିଛି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ପ୍ରଚଳିତ ପର୍ବ ପର୍ବାଣି ଓ ପୂଜା-ବିଧିଗୁଡ଼ିକୁ ଆଲୋଚନା କଲେ ଏହାର ସତ୍ୟତା ପ୍ରତିପାଦିତ ହୁଏ । ଇତିହାସର ଧାରାବାହିକତାକୁ ପର୍ଯ୍ୟାଲୋଚନା କଲେ ଅନେକ ଦିନରୁ ଗଢ଼ି ଉଠିଥିବା ସାଂସ୍କୃତିକ ଓ ସାମାଜିକ ସମନ୍ୱୟ ସମ୍ବନ୍ଧରେ ଅନେକ ତଥ୍ୟ ଉଜାଗର ହେବ । ଧର୍ମ କ୍ଷେତ୍ରରେ ଗୋଟିଏ ପଟେ ହିନ୍ଦୁମାନେ ଆଦିବାସୀମାନଙ୍କ ପୂଜା ପ୍ରଣାଳୀ ତଥା ଦେବଦେବୀଙ୍କୁ ଆପଣାର କରି ନେଇଛନ୍ତି (Tribalisation) ଏବଂ ଅନ୍ୟପଟେ ଆଦିବାସୀମାନେ ହିନ୍ଦୁ ଦେବଦେବୀ ତଥା ପୂଜା-ବିଧିକୁ ଗ୍ରହଣ କରି ନେଇଛନ୍ତି (Sanskritisation) ।

 

ଭାରତୀୟ ଜୀବନଧାରାରେ ବହୁ ପ୍ରାଚୀନ କାଳରୁ ମାତୃଶକ୍ତି ବିଭିନ୍ନ ରୂପରେ ପୂଜାପାଇ ଆସୁଛନ୍ତି । ଓଡ଼ିଶାରେ ମାତୃପୂଜା ବା ଆଦିଶକ୍ତିଙ୍କର ପୂଜା ଅତ୍ୟନ୍ତ ବ୍ୟାପକ । ସମଗ୍ର ଅଞ୍ଚଳରେ ଏମିତି କୌଣସି ଗ୍ରାମ ନାହିଁ, ଯେଉଁଠି କି ଗ୍ରାମ ଦେବତୀଙ୍କର ଅଧିଷ୍ଠାନ ସ୍ଥଳ ଦୃଷ୍ଟିଗୋଚର ହୁଏ ନାହିଁ । ସ୍ଵୀୟ ମାତୃକଳ୍ପନାର ପ୍ରତୀକ ବା ଆଦିଶକ୍ତିଙ୍କ ନିକଟରେ ଗ୍ରାମବାସୀ ନିଜର ଶ୍ରଦ୍ଧା, ନୈବେଦ୍ୟ, ନିବେଦନ ପୂର୍ବକ ସଙ୍କଟରୁ ରକ୍ଷା କରିବା ପାଇଁ ଦେବୀଙ୍କୁ ପ୍ରାର୍ଥନା କରିଥାନ୍ତି । କେଉଁଠି ସମଲେଶ୍ଵରୀ ତ କେଉଁଠି ଶାରଳା, କେଉଁଠି ପାଟଣେଶ୍ୱରୀ ତ କେଉଁଠି ବିରଜା, କେଉଁଠି ମହାମାଈ ତ କେଉଁଠି ବୁଢ଼ୀ ମା, କେଉଁଠି ବାଟ ମଙ୍ଗଳା ତ କେଉଁଠି ମଙ୍ଗଳା, କେଉଁଠି ସୁରେଶ୍ଵରୀ ତ କେଉଁଠି ମାଣିକେଶ୍ଵରୀ, କେଉଁଠି ଜାଗୁଳାଈ ତ କେଉଁଠି ଡାଲଖାଇ- ମାତୃଶକ୍ତିର ବିଭିନ୍ନ ପ୍ରକାଶ ମାତ୍ର ।

 

ଓଡ଼ିଶାର ଆଦିବାସୀ ସମାଜରେ ମାତୃପୂଜାର ପରଂପରା ଏଠାର ପୁରାତନ ସଂସ୍କୃତିରେ ପ୍ରଚଳିତ ମାତୃପୂଜାର ବୈଶିଷ୍ଟ୍ୟ ପ୍ରକାଶ କରିଥାଏ । ଏମାନେ ପ୍ରତିମା ସ୍ଥାପନ କରି ପୂଜା କରନ୍ତି ନାହିଁ କେଉଁଠି ଡାଳଟିଏ ତ କେଉଁଠି ପଥର ଖଣ୍ଡିଏ ଓ ଆଉ କେଉଁଠି ଗଛମୂଳେ ସିନ୍ଦୂର ବୋଳି ସେମାନେ ନିଜର ଭକ୍ତି ଅର୍ପଣ କରନ୍ତି । ଗ୍ରାମ ଗ୍ରାମ ମଧ୍ୟରେ ଆଞ୍ଚଳିକ ପ୍ରଭେଦ ଅନୁସାରେ ପୂଜାର୍ଚ୍ଚନାର ପଦ୍ଧତିରେ ଭିନ୍ନତା ଦେଖାଦେଲେ ହେଁ ଦେବୀ ଆରାଧନାର ମହତ୍ତ୍ୱ ପ୍ରତ୍ୟେକଙ୍କ ନିକଟରେ ସ୍ୱୀକୃତ । ଆଦିବାସୀର ଡାଲଖାଇ, ବୁଢ଼ୀ ମାଁ, ମହାମାଈ, ବୁଢ଼ୀ ସମଲେଇ ପ୍ରଭୃତି ଦୁର୍ଗାଙ୍କ ମଧ୍ୟରେ ସମୟାନୁକ୍ରମେ ଲୀନ ହୋଇଛନ୍ତି । ଯେଉଁ ମାତୃଶକ୍ତିକୁ କରମସାନୀ ନାମରେ କର୍ମର ଅଧିଷ୍ଠାତ୍ରୀ ଦେବୀରୂପେ ପୂଜା କରାଯାଉଛି, ସେ ମଧ୍ୟ ସମୟସ୍ରୋତରେ ଦୁର୍ଗା ବା ଶକ୍ତିଙ୍କ ସହିତ ଏକୀକାର ହୋଇଛନ୍ତି । ଏହାଛଡ଼ା ବିଭିନ୍ନ ନାମ ନେଇ ଭାରତର ଅସଂଖ୍ୟ ଜାତି ଓ ଉପଜାତି ମଧ୍ୟରେ ପୂଜିତା ଦେବୀଗୁଡ଼ିକ ନିଜର ସତ୍ତାକୁ ଶକ୍ତିଙ୍କଠାରେ ଲୀନ କରି ଦେଇଛନ୍ତି । ଏଥିରୁ ଆଦିବାସୀ ଓ ହିନ୍ଦୁ ସଂସ୍କୃତିରେ ସମନ୍ୱୟର ପ୍ରମାଣ ମିଳେ । ନିଶ୍ଚିତଭାବରେ ଏହାହିଁ ମାତୃ ଆରାଧନାର ପରମ ବୈଶିଷ୍ଟ୍ୟ । କାରଣ ହିନ୍ଦୁ ଓ ଆଦିବାସୀ ସଭ୍ୟତାର ଆଧ୍ୟାତ୍ମିକ ମିଳନ ଏଥିରେ ସଂପାଦିତ ହୋଇଛି । ମା ପାଖେ ସମସ୍ତଙ୍କର ସମାନ ଅଧିକାର, ମା ଆଖି‌ରେ ତାର ସମସ୍ତ ସନ୍ତାନ ସ୍ନେହ ଓ କରୁଣାର ପାତ୍ର । ଏଠି ଭେଦଭାବର ପ୍ରଶ୍ନ ନାହିଁ । ମାତୃପୂଜାର ଏହି ଅମୂଲ୍ୟ ଆଦର୍ଶକୁ ପ୍ରତ୍ୟେକ ମନୁଷ୍ୟ ଅନୁସରଣ କରିବା ଉଚିତ । ମାତୃପୂଜାର ଉଦ୍ଦିଷ୍ଟ ଆଦର୍ଶ, ବ୍ୟାପକତା ତଥା ସାର୍ବଜନୀନତା ଶ୍ରୀ ଶ୍ରୀ ଦୁର୍ଗାସ୍ତବରେ ମଧ୍ୟ ପ୍ରକାଶ ପାଇଛି :

 

ରାଜାନ୍ୟାନାଂ ବ୍ରାହ୍ମଣାନା° କଞ୍ଚାଞ୍ଚ

ଶୂଦ୍ରାଣାଂ ବା ସର୍ବବର୍ଣ୍ଣାଙ୍ଗନାନାମ୍‌

ମ୍ଳେଚ୍ଛାନାଂ ବା ଭଳିର୍ଯ୍ୟୋ ବିଶେଷୈଃ

କର୍ମଣ୍ୟସ୍ମିନ ନିର୍ବିବାଦୋଽଧିକାରଃ

 

ପାଦଟୀକା

କୁଞ୍ଜ ବିହାରୀ ଦାଶ, ଓଡ଼ିଆ ଲୋକଗୀତ ଓ କାହାଣୀ, ଶାନ୍ତିନିକେତନ, ୧୯୫୮, ପୃ. ୧୭୫ ।

୨.

ପଦ୍ମଲୋଚନ ମହାନ୍ତ, କେନ୍ଦୁଝର ଜିଲ୍ଲାର ଲୋକ ସାହିତ୍ୟ: ଏକ ଅଧ୍ୟୟନ ପି.ଏଚ୍‌.ଡି. ଡିଗ୍ରୀ ନିମିତ୍ତ ଉପସ୍ଥାପିତ ନିବନ୍ଧ, ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଜ୍ୟୋତି ବିହାର, ୧୯୮୪, ପୃ.୧୬୭ ।

୩.

District Gazetteer, Raipur, Madhya Pradesh, 1973, P.123.

୪.

District Gazetteer, Raigarh, Madhya Pradesh, 1976, P.101.

୫.

M.B. Bhaduri, ‘‘Some Munda Religious Ceremonies and their system of Reckoning Time, ‘‘Man in India, Vol.24, 1944, P.149.

୬.

ଅର୍ଜ୍ଜୁନ ହୋତା, ‘‘ଶାରଦୀୟ ଦୁର୍ଗାପୂଜା’’, ସୁରାଜ (ଦୈନିକ) । ୧୪/୧୦/୭୨ ପୃଷ୍ଠା - ୩

୭.

ଚତୁର୍ଭଜ ସାହୁ, ‘‘କରମାକେ ଏକାଦୁଶୀ’’, ଉଦୟନ ସାହିତ୍ୟ ସଙ୍କଳନ ୧୯୭୯,ପୃ.୭ ।

୮.

ନିମାଇଁ ଚରଣ ପଣ୍ଡା, ‘‘ପଶ୍ଚିମ ଓଡ଼ିଶାରେ ନାଗବାଗ ପର୍ବ, ଓଡ଼ିଶାରେ ପର୍ବ ପର୍ବାଣି ଓଷାବ୍ରତ ଯାନିଯାତ୍ରା, କଟକ: ଓଡ଼ିଶା ବୁକ ଷ୍ଟୋର, ୧୯୭୯, ପୃ୧୧୫; William Ekka and A.K. Danda, The Nagesia of Chhatisgarh, Calcutta: Anthropological Survey of India, 1984, P.139.40; M.B.Bhaduri ପାଦଟୀକା - ୫ ଦେଖନ୍ତୁ, ପୃ.୧୪୯; Gazetteer of India, Raigarh District Madhya Pradesh, 1976. P. 101.

୯.

N. Senapati and B.Mahanti (eds), Orissa District Gazetteers, Sambalpur Cuttack: Orissa Government Press, P3.

୧୦.

ପାଦଟୀକା ୯ ଦେଖନ୍ତୁ ।

୧୧.

Chitrasen Pasayat, Rural-Urban Continuum and Folkculture: An Examination : of Persistence and change in Sambalpur, Unpublished Ph.D. Thesis submitted to the JNU, New Delhi, 1991.

୧୨.

ନିମାଇଁ ଚରଣ ପଣ୍ତା, ପାଦଟୀକା ୮, ପୃ୧୧୭; ପଦ୍ମଲୋଚନ ମହାନ୍ତ ପାଦଟୀକା ୨, ପୃ୧୬୯-୭୦ ।

୧୩.

ନିମାଇଁ ଚରଣ ପଣ୍ଡା, ପାଦଟୀକା ୮, ପୃ ୧୧୪-୧୫; ପଦ୍ମଲୋଚନ ମହାନ୍ତ ପାଦଟୀକା ୨,ପୃ ୧୬୮-୭୦ ।

୧୪.

A. K. Danda, op.lit P.97.

୧୫.

S.S. Gupta, ‘‘Sacred Trees across Cultures and Nations, ‘‘Folkore, Vol.22, No.1, 1980; B.C.Sinha, Tree Worship in Ancient India, New Delhi: Books Today, 1979.

୧୬.

V. Elwin, Myths of Middle India, Oxford University Press, 1949, P.487.

୧୭.

S.C.Roy, The Kharias, Vol. I and II, Ranchi, 1937, P. 341.

୧୮.

WJ.Culshaw, ‘‘Some Notes on Bongaism’’, Journal of the Asiatic Society of Bengal, Calcutta, 1939, P.427-32.

୧୯.

A.K.Singh, Tribal Festival of Bihar; A Functional Analysis, New Delhi: Concept Publishing Company, 1982 .P.108.

୨୦.

ଚତୁର୍ଭୂଜ ସାହୁ, ପାଦଟୀକା ୭, ପୃ.୬ ।

୨୧.

ଶୁକଦେବ ସାହୁ, ‘‘ପଶ୍ଚିମ-ଓଡ଼ିଶାର ପର୍ବପର୍ବାଣି ପରିପ୍ରେକ୍ଷୀରେ କରମସାନୀ, ସପ୍ତର୍ଷି, ନଭେମ୍ୱର, ୧୯୮୨, ପୃ ୧୮୦

୨୨.

ମୁରାରୀ ପ୍ରସାଦ ମିଶ୍ର, ‘‘ସମ୍ବଲପୁରୀ ଲୋକନୃତ୍ୟ’’, ସ୍ମରଣିକା ବସନ୍ତ ମିଳନ, ହୀରାଖଣ୍ଡ, ସମ୍ବଲପୁର, ୧୯୮୭, ପୃ ୯-୧୦

୨୩.

ଦେବେନ୍ଦ୍ର ମହାନ୍ତି, ‘‘ଶକ୍ତି ଉପାସନାର ବିକାଶ’’, ଝଙ୍କାର, ୨୭ ଶ ବର୍ଷ, ସପ୍ତମ ସଂଖ୍ୟା, ଅକ୍ଟୋବର, ୧୯୭୫, ପୃ.୬୩୭

୨୪.

ନିମାଇଁ ଚରଣ ପଣ୍ଡା, ପାଦଟୀକା ୮, ପୃ.୧୧୫

୨୫.

M.B.Bhaduri, Op, lit, P.149.

୨୬.

ଦେବେନ୍ଦ୍ର ମହାନ୍ତି, ପାଦଟୀକା ୨୩, ପୃ ୬୩୮ ।

 

 

ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର

ଓଡ଼ିଶା, ଭୁବନେଶ୍ୱର - ୭୫୧୦୧୩ ।

 

***

 

ରସକଲ୍ଲୋଳର ଗୋପାଙ୍ଗନା

ଡକ୍ଟର ଭଗବାନ ପଣ୍ଡା

 

ଓଡ଼ିଶାର ପ୍ରାତଃସ୍ମରଣୀୟ କବିକୋବିଦମାନଙ୍କ ମଧ୍ୟରେ ଯେଉଁମାନେ ଓଡ଼ିଆ କୃଷ୍ଣସାହିତ୍ୟର ଭିତ୍ତିଭୂମି ରଚନା ଓ ପ୍ରତିଷ୍ଠାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ କୃଷ୍ଣୈକମାନସ ଦୀନକୃଷ୍ଣ ଦାସ (୧୬୫୦-୧୭୧୬ ଖ୍ରୀ.ଅ) ଅନ୍ୟତମ ଅଗ୍ରଗଣ୍ୟ କବିରୂପେ ସୁବିଦିତ । ଜଣେ ସଫଳ ସ୍ରଷ୍ଟାଭାବେ ସେ ଓଡ଼ିଆ ରୀତିଯୁଗର ପ୍ରାରମ୍ଭିକ ରଚନାକୁ ସମୃଦ୍ଧ ଓ ପରିପୁଷ୍ଟ କରିଛନ୍ତି । ଛାନ୍ଦ, ଚଉତିଶା, ଗୀତା, ରାସ, ସିନ୍ଧୁ ସାଗରାଦି ଉପନାମ ସମନ୍ୱିତ ବହୁ କାବ୍ୟ କବିତାର ଜନକରୂପେ ସେ ଆଦୃତ ଓ ସମ୍ମାନିତ । ଓଡ଼ିଆ ସାହିତ୍ୟର ଇତିହାସରେ କବି ଦୀନକୃଷ୍ଣ ଓ ତାଙ୍କ ସୃଷ୍ଟିକୁ ନେଇ ବହୁମତ ପ୍ରକାଶ ପାଇ ଆସୁଥିଲେ ମଧ୍ୟ ତାଙ୍କ ରଚନାସମ୍ଭାର ମଧ୍ୟରେ ‘ରସକଲ୍ଲୋଳ’ ସର୍ବଶ୍ରେଷ୍ଠ ଗ୍ରନ୍ଥରୂପେ ବିବେଚିତ । ଓଡ଼ିଆ କୃଷ୍ଣକାବ୍ୟ ମଧ୍ୟରେ ଏହା ଅଦ୍ୱିତୀୟ । ରସମୟ କୃଷ୍ଣକଥା ସାଗରର ଆନନ୍ଦ କଲ୍ଲୋଳରେ ଏହା ଚିର କଲ୍ଲୋଳିତ । ବିଗତ ତିନି ଶତାବ୍ଦୀ ଧରି ରସକଲ୍ଲୋଳ ଭକ୍ତକବି ଦୀନକୃଷ୍ଣଙ୍କ ଉଜ୍ଜ୍ୱଳ କାବ୍ୟପ୍ରତିଭାର ସ୍ଵାକ୍ଷର ବହନ କରିବା ସଂଗେ ସଂଗେ ବହୁ କବି ପଣ୍ଡିତଙ୍କୁ କୃଷ୍ଣଭକ୍ତି ରସରେ । ଯେପରି ଅନୁପ୍ରାଣିତ ପ୍ରଚୋଦିତ ଓ ପ୍ରଭାବିତ କରି ଆସିଛି ତାହାର ଦୃଷ୍ଟାନ୍ତ ବିରଳ ପ୍ରାୟ । ଏଠାରେ ସେହି ଅମର କାବ୍ୟର ନାୟିକା ରସକଲ୍ଲୋଳିନୀ ଶ୍ରୀକୃଷ୍ଣପ୍ରିୟା ଗୋପାଙ୍ଗନାଙ୍କ ପ୍ରେମଭକ୍ତି ସମ୍ବନ୍ଧରେ ଆଲୋକପାତ କରାଯାଇପାରେ ।

 

ରସକଲ୍ଲୋଳ ‘କ’ ଆଦ୍ୟକ୍ଷରରେ ରଚିତ ଏକ ଅପୂର୍ବ ଓ ଅନୁପମ ଓଡ଼ିଆ ଗୀତିକାବ୍ୟ । ଚଉତିରିଶ ଛାନ୍ଦ ଓ ପ୍ରାୟ ୧୨୪୬ ପଦରେ ବିଭକ୍ତ ଏହି କାବ୍ୟରେ ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ କଂସାସୁର ବଧ ସହିତ ଗୋପୀମାନଙ୍କର ସମ୍ବାଦ ନେଇ ଭକ୍ତ ଉଦ୍ଧବଙ୍କ ମଥୁରା ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ ବର୍ଣ୍ଣିତ ହୋଇଛି । ସଂସ୍କୃତ ସାହିତ୍ୟର ମହାକବି କାଳିଦାସ, ଭବଭୂତି, ଶ୍ରୀହର୍ଷ ପ୍ରଭୃତିଙ୍କ ପଦାଙ୍କ ଅନୁସରଣରେ କବି ଦୀନକୃଷ୍ଣ ପୂରାଣ ବର୍ଣ୍ଣିତ କୃଷ୍ଣ କଥାକୁ ‘ରସକଲ୍ଲୋଳ’ କାବ୍ୟ ରୂପରେ ଉପସ୍ଥାପନ କରିଛନ୍ତି । ଶ୍ରୀକୃଷ୍ଣ-ଜଗନ୍ନାଥଙ୍କ ଅନନ୍ୟ ଭକ୍ତକବିରାଜ ଜୟଦେବ ଥିଲେ କବି ଦୀନକୃଷ୍ଣଙ୍କ କବିଗୁରୁ । କବି ଜୟଦେବଙ୍କ ପ୍ରଣୀତ ଅମରକୃତି ‘ଗୀତଗୋବିନ୍ଦ’ଦ୍ୱାରା ପ୍ରଭାବିତ ହୋଇ ତାହାରି ଆଦର୍ଶରେ କବି ଦୀନକୃଷ୍ଣ ଶୃଙ୍ଗାରରସାତ୍ମକ ‘ରସକଲ୍ଲୋଳ’ କାବ୍ୟ ରଚନା କରିଥିବାର ସ୍ପଷ୍ଟ ସୂଚନା ମିଳେ । ରଚନାଶୈଳୀ, ଭାଷା, ଭାବ ଓ ପ୍ରତିପାଦ୍ୟ ବିଷୟ ଦୃଷ୍ଟିରୁ ଉଭୟ କାବ୍ୟ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାର ଲକ୍ଷ୍ୟ କରାଯାଇପାରେ । କବିରାଜ ଜୟଦେବଙ୍କ ପରି କବି ଦୀନକୃଷ୍ଣ ମଧ୍ୟ ‘କର ସାଧୁଜନମାନେ ଏକମନ ରସକଲ୍ଲୋଳ ଗୀତରସ’ (୯ / ୨୪) ଉଲ୍ଲେଖଦ୍ୱାରା ରସକଲ୍ଲୋଳକୁ ସଙ୍ଗୀତୋପଯୋଗୀ କରିବା । ନିମିତ୍ତ ଛାନ୍ଦ ଗୁଡ଼ିକୁ ବିଭିନ୍ନ ୨୩ଟି ଭାଗରେ ରଚନା କରିଛନ୍ତି । ରାଗଗୁଡ଼ିକର ନାମକ୍ରମ ହେଲା -ଆହାରୀ (୪,୮,୧୫), କନକ (୨୧), କଳହଂସ କେଦାର (୨୮) କଲ୍ୟାଣ (୧୭) କଲ୍ୟାଣ ଆହାରୀ (୧୨) କାଫି (୩) କାମୋଦୀ (୨୬,୩୩) କାଳୀ (୧୪,୨୪) କେଦାର (୩,୧୯), କେଦାର-କାମୋଦୀ (୨୦) କେଦାର ଗୌଡ଼ା (୧୩) କୌଶିକ (୬) ଗୂଜ୍ଜରୀ (୫, ୨୭), ଚକ୍ରକେଳି (୧୧), ଚିନ୍ତା ଦେଶାଖ୍ୟ (୨୯,୩୨), ଚୋଖୀ (୨), ପଞ୍ଚମ ବରାଡ଼ୀ (୭,୨୫), ପାହାଡ଼ିଆ-କେଦାର (୧୬), ବଙ୍ଗଳାଶ୍ରୀ (୧୦), ବରାଡ଼ୀ (୩୧,୩୪), ଭୈରବ (୯), ମୁଖାରୀ (୧୮,୨୨) ଓ ସଙ୍ଗମତିଆରୀ (୧) । ଗୀତ-ଗୋବିନ୍ଦର ୧୧ଟି ରାଗରାଗିଣୀ ମଧ୍ୟରୁ ଗୁଜ୍ଜରୀ, ଦେଶାଖ୍ୟ, ବରାଡ଼ୀ ଓ ଭୈରବ ରାଗ ଚାରୋଟି ଏଥିରେ ବ୍ୟବହୃତ ହୋଇଛି । ତେଣୁ ରସକଲ୍ଲୋଳ ଯେ ଏକ ସଙ୍ଗୀତାତ୍ମକ କାବ୍ୟ ତାହା ଏଥିରୁ ସୂଚିତ ହୁଏ ।

 

କାନ୍ତ, କୋମଳ, ସରସ ଓ ମଧୁର ପଦାବଳୀ ଯୋଜନାରେ ରସକଲ୍ଲୋଳର ସମକକ୍ଷ କାବ୍ୟ ଓଡ଼ିଆ ସାହିତ୍ୟରେ ବିରଳ । ସେଥିପାଇଁ ‘କଲ୍ଲୋଳେ ପଦଲାଳିତ୍ୟମ୍‌’ ବୋଲି ଯାହା କୁହାଯାଇଛି ତାହା ଯଥାର୍ଥ ସତ୍ୟ । ମହାକବି ବାଣଭଟ୍ଟ ସ୍ଵପ୍ରଣୀତ ‘କାଦମ୍ବରୀ’ର କଥା ମୁଖରେ କହିଛନ୍ତି –

 

ସ୍ଫୁରତ୍କଳାଳାପବିଳାସ କୋମଳା

କରୋତି ରାଗଂ ହୃଦି କୌତୁକାଧିକମ୍‌

ରସେନ ଶଯ୍ୟାଂ ସ୍ଵୟମଭ୍ୟୁପାଗତା

କଥା ଜନସ୍ୟାଭିନବା ବଧୂରିବ ॥ ୮ ॥

 

ପ୍ରବାହଯୁକ୍ତ, କଳାତ୍ମକ ବାଗ୍‌ବିଳାସଦ୍ୱାରା ସୁଲଳିତ, ଶୃଙ୍ଗାରାଦି ରସ ପରିପାକ ହେତୁ ସରଳ ପଦାବଳୀରେ ରୂପାୟିତା କଥା, ମଧୁର ବଚନ ଓ ଭାବଭଙ୍ଗିମାଯୁକ୍ତ ରତିରସାକାଂକ୍ଷିଣୀ ସ୍ଵୟଂ ଉପଗତା ନବବଧୂପରି ରସିକ ଜନମାନସରେ କୌତୁହଳ ସୃଷ୍ଟି କରିଥାଏ । ସେହିପରି ଲଳିତ ପଦ ବିନ୍ୟାସରେ ରସକଲ୍ଲୋଳ ସ୍ଵୟଂ ଉପଗତା ଅଭିନବା ବଧୂ ପରି ରସିକ ଭକ୍ତ ପାଠକର ପ୍ରାଣ ଓ ମନକୁ ଯେପରି ଯୁଗପତ୍‌ ପୁଲକିତ ଓ ପ୍ରଲୁବ୍ଧ କରେ ତା’ର ପଟାନ୍ତର ନାହିଁ । କବି ଦୀନକୃଷ୍ଣ ସ୍ଵକାବ୍ୟ ରସକଲ୍ଲୋଳ ରଚନା ପ୍ରସଙ୍ଗରେ କହିଛନ୍ତି ଚତୂସ୍ତ୍ରିଂଶ ଛାନ୍ଦରେ -

 

କୋଟି ବ୍ରହ୍ମାଣ୍ଡ ପ୍ରଭୁ ଜଗନ୍ନାଥ

!

କରନ୍ତି ପୂର୍ଣ୍ଣ ଜନ ମନୋରଥ

।।

କଲି ମୁଁ ଘେନି ଏହି ଅଭିମତ କରିବାକୁ ରସକଲ୍ଲୋଳ ଗୀତ

।।

କହିଲେ ସେ ଯେଣୁ,

 

କରରେ ମାତ୍ର ଲେଖି‌ଲି ମୁଁ ତେଣୁ

।। ୨୩ ।।

 

କଅ ଅକ୍ଷରେ ହୋଇଛି ନିୟମ

କଥା ନୋହେ ଦିବ୍ୟ ଅଦିବ୍ୟ ସମ

।।

କେତେ କଉତୁକ ଅଛନ୍ତି ଏଥି

କେବଳ କ୍ଷୀର ସିନ୍ଧୁ ପ୍ରାୟେ ମନ୍ଥି

।।

କର ରସ ଜାତ

 

କରି ଧୀଷଣା ମନ୍ଦର ପର୍ବତ

॥ ୨୪ ॥

 

କୋବିଦଦେବମାନେ ଲଭ ସୁଖ

କରନ୍ତୁ ବାଳିଶ ଅସୁରେ ଦୁଃଖ

।।

କୃଷ୍ଣ ସେବକ ଗୋପୀ ଭକ୍ତି ଯାର

କରନ୍ତୁ ସେମାନେ କଣ୍ଠରେ ହାର

।।

କଠୋର କୁଟିଳ,

 

କପଟି ଲୋକଙ୍କୁ ଏ ଅମଙ୍ଗଳ

॥ ୨୫ ॥

 

ରାଧାମାଧବଙ୍କ ରସକେଳି ବର୍ଣ୍ଣନାତ୍ମକ ଗୀତକାବ୍ୟ ଗୀତଗୋବିନ୍ଦ ରଚନା କରିଥିଲେ ମଧ୍ୟ କୃଷ୍ଣୈକପ୍ରାଣ କବିରାଜ ଜୟଦେବ ଯେପରି ପ୍ରତ୍ୟେକ ଗୀତ ଶେଷରେ କାବ୍ୟ ରଚନାର ଉଦ୍ଦେଶ୍ୟ ଓ ନିଜର ଭକ୍ତି ଭାବକୁ ପ୍ରକାଶ କରିଛନ୍ତି, ସେହିପରି ଭକ୍ତକବି ଦୀନକୃଷ୍ଣ ଦାସ ଶୃଙ୍ଗାର ରସାତ୍ମକ ରସକଲ୍ଲୋଳ । କାବ୍ୟରେ ଛାନ୍ଦ ଶେଷରେ ନିଜ ହୃଦୟର ଅଭିବ୍ୟକ୍ତି ନିବେଦନ କରିବାକୁ ଯାଇ କହିଛନ୍ତି -

 

କଷ୍ଟ ମହୀଧର ମହୀଧର କଣ୍ଠକ

କଳମଷ ବାରଣ ବାରଣ ଅନ୍ତକ

।।

କର ଆଜ୍ଞା ଆଜ୍ଞାସୁର ପ୍ରଭୁ ଏତକ

କହୁ ଦୀନକୃଷ୍ଣ କୃଷ୍ଣକଥା ଅନେକ

।।

॥ ୨୧-୨୨॥

xx      xx      xx      xx      xx

କୃଷ୍ଣ ଦାସ ମନ ବଚନ କର୍ତ୍ତବ୍ୟ ରଖି‌ଅଛି ଅପ୍ରମାଦେ ସେ କାଳେ।

କାଳଭୟ ବିନାଶିବ ହେଳେ

କଷ୍ଟ ନ ପାଇବ ଭବଜଳେ, କିଛି ନ କରିବ ଅମଙ୍ଗଳେ ॥ ୧୩-୩୪ ॥

xx      xx      xx      xx      xx

କହେ ଦୀନକୃଷ୍ଣ କବି            କୃଷ୍ଣପାଦ ପଦ୍ମ ସେବି

କଳୁଷ ଅନ୍ଧାର ଅଳପକେ ଦୂରକରେ ଯାହା ନାମ ରବି ॥ ୧୯-୪୩ ॥

xx      xx      xx      xx      xx

କମଳ ଚରଣକୁ ଆଶ            କରିଛି ଦୀନକୃଷ୍ଣ ଦାସ

କୃତାନ୍ତ ଦଣ୍ଡଭୟ            ହେଳାରେ କରି କ୍ଷୟ ।

କଟିବ ଭବତମ ପାଶ ॥ ୨୬-୩୦ ॥

 

ସମଗ୍ର କାବ୍ୟର ପ୍ରତ୍ୟେକ ଛାନ୍ଦର ଭଣିତାରେ କବି ଏହିପରି ନିଜ ହୃଦୟାବେଗକୁ ପ୍ରକାଶ କରିବା ସଂଗେ ସଂଗେ ଭବସାଗରରୁ ମୁକ୍ତି ଓ କୃଷ୍ଣ ପ୍ରାପ୍ତି ନିମିତ୍ତ ରସକଲ୍ଲୋଳ ପାଠ ନିମିତ୍ତ ସଜ୍ଜନମାନଙ୍କୁ ନିବେଦନ କରିବାକୁ ଯାଇ କହିଛନ୍ତି ।

 

xx      xx      xx      xx      xx

କହେ ଆନନ୍ଦମନେ ଦୀନକୃଷ୍ଣ ଏ ରସ,

କର ସାଧୁଜନମାନେ ଏକମନ ରସକଲ୍ଲୋଳ ଗୀତେ ରସ ॥ ୯ - ୨୪ ॥

xx      xx      xx      xx      xx

କହଇ ଦୀନକୃଷ୍ଣ ବନଭ୍ରମଣି

କର୍ଣ୍ଣେ ଏହା ଶୁଣି ସକୃତ ପରାଣୀ ତର ସଂସାର ତରଙ୍ଗିଣୀ ॥ ୧୨ - ୩୫ ॥

 

ଶ୍ରୀକୃଷ୍ଣଙ୍କର ନାମକୀର୍ତ୍ତନ ଓ ଲୀଳା ପରାୟଣହିଁ ରସକଲ୍ଲୋଳ କାବ୍ୟ ରଚନାର ମୂଳ ଲକ୍ଷ୍ୟ ବୋଲି ନିମ୍ନୋଦ୍ଧୃତିରୁ ସୂଚିତ ହୁଏ -

 

କହେ ଦୀନକୃଷ୍ଣ ରସକଲ୍ଲୋଳ

କର ଜନେ ମନ ଏଥି ନିଶ୍ଚଳ

କିଛି ନୋହେ ଏ ଅସତ୍ୟ ସଂସାର

କଥା ଏତେ ମାତ୍ରକ ଏଥି ସାର

କୃଷ୍ଣ ରୂପ କରୁଥିବ ଧିଆନ

କୃଷ୍ଣଚରିତ କରୁଥିବ ଗାନ

କୃଷ୍ଣ କଥା ଶ୍ରବଣରେ ଶୁଣିବ

କୃଷ୍ଣ ବୋଲି ଜଗତକୁ ଜାଣିବ

କୃଷ୍ଣ କାର୍ଯ୍ୟେ ତତପର ହୋଇବ

କୃଷ୍ଣ ପାଇଁ ଭଲ ଦ୍ରବ୍ୟ ଥୋଇବ

କୃଷ୍ଣ ଗୀତ ଶରଧାରେ ଗାଇବ

କୃଷ୍ଣ ଦାସକୁ ପ୍ରସନ୍ନ ହୋଇବ

୧୧.୯୩-୯୯ ।।

xx      xx      xx      xx      xx

କର ଧରି କହୁଅଛି ହେ ଜନେ

କ୍ରୋଧ ଅଭିମାନ ନଧର ମନେ

କରୁଣା ହୃଦୟ ନିରତେ ହୁଅ

କୃଷ୍ଣ କଥାରେ ଏକା ମନ ଦିଅ

କର ଦୀନେ ଦାନ, କହୁ କହୁ ଯିବଟି ଏ ଜୀବନ ॥ ୩୪-୩୧ ॥

 

କେବଳ ସାଧୁ ସଙ୍ଗେ ସଙ୍ଗ ହୁଅ

କୁଟିଳ ଲୋକ ପାଖକୁ ନଯାଅ

କୋମଳ କରି କଥାମାନ କହ

କୃଷ୍ଣ ଭଗତ ଜନ ମନ ମୋହ

କୃଷ୍ଣ କର ଧ୍ୟାନ, କୃଷ୍ଣ ଚରିତମାନ କର ପାନ ॥ ୩୪-୩୨ ॥

 

କବି ଦୀନକୃଷ୍ଣ ଥିଲେ ଶ୍ରୀଜଗନ୍ନାଥଙ୍କ ପରମ ଉକ୍ତ । ତେଣୁ କାବ୍ୟରଚନା ପରମ୍ପରା ଅନୁଯାୟୀ ସେ ରସକଲ୍ଲୋଳର ବିଭିନ୍ନ ଛାନ୍ଦରେ ନିଜ ହୃଦୟର ଆରାଧ୍ୟ ଦେବତା ଶ୍ରୀକୃଷ୍ଣ -ଜଗନ୍ନାଥଙ୍କୁ ଭବଭୟ ନିବାରଣ ଉଦ୍ଦେଶ୍ୟରେ କୃଷ୍ଣକଥା କହିବା ପାଇଁ ପ୍ରାର୍ଥନା କରିଛନ୍ତି । କବିଙ୍କ ବିଚାରରେ ଶ୍ରୀଜଗନ୍ନାଥହିଁ ନନ୍ଦନନ୍ଦନ ଶ୍ରୀକୃଷ୍ଣ ପୀତାମ୍ବର ଗୋପୀନାଥ, ମାଧବ ଓ ମତ୍ସ୍ୟକଚ୍ଛପାଦି ଅବତାରର ଜନକ । ଦୁଷ୍ଟ କଂସର ବିନାଶ ଓ ସନ୍ଥ ପରିପାଳନ ପାଇଁ ସେ ଗୋପରେ କୃଷ୍ଣ-ଗୋପୀନାଥରୂପେ ଅବତୀର୍ଣ୍ଣ ହୋଇଥିଲେ । ତେଣୁ ସମଗ୍ର କାବ୍ୟରେ ଗୋପୀ-ଗୋପୀନାଥଙ୍କ ଲୀଳାବର୍ଣ୍ଣନ ହିଁ ପ୍ରାଧାନ୍ୟ ଲାଭ କରିଛି ।

 

ଭଗବାନ୍‌ ଶ୍ରୀଜଗନ୍ନାଥ କୃଷ୍ଣ ନନ୍ଦସୂତରୂପେ ଜନ୍ମ ଗ୍ରହଣ କଲେ ବୋଲି ଶୁଣିବା ମାତ୍ରେ ରସକଲ୍ଲୋଳିନୀ ଗୋପରମଣୀଗଣ କୋଟିନିଧି ପ୍ରାପ୍ତିସୁଖ ଅନୁଭବ କରିବା ସଙ୍ଗେ ସଙ୍ଗେ ଅତୀବ ବ୍ୟାକୁଳ ହୋଇ ତାଙ୍କୁ ଦେଖି‌ବା ପାଇଁ ଧାଇଁଲେ । ଅତ୍ୟଧିକ ଆବେଗ, ଔତ୍ସୁକ୍ୟ ଓ ଚିତ୍ତବିଭ୍ରମ ବଶତଃ ସେମାନେ ସବୁକିଛି ଭୁଲିଗଲେ । ଶ୍ରୀକୃଷ୍ଣଦର୍ଶନାଭିଳାଷିଣୀ ଭାବବିହ୍ୱଳା ସେହି ଗୋପାଙ୍ଗନାମାନଙ୍କର ଚିତ୍ର ଅଙ୍କନ କରିବାକୁ ଯାଇ କବି କହିଛନ୍ତି -

 

କରୁଥିଲା କେ ଗୃହକର୍ମମାନ

କଲା ଶ୍ରବଣ ମାତ୍ରକରେ ଆନ

॥ ୩-୩ ॥

କଲା ଭୂଷଣ କେହୁ ବିପରୀତ

କରାଇଲା ବିଭ୍ରମ ସ୍ନେହ ଚିତ୍ତ

॥ ୩ - ୪ ॥

କାଦମ୍ବିନୀ କୋଳେ ଯେହ୍ନେ ବିଜୁଳି

କରେ ଝଟକ ସବୁଦିଗେ ମିଳି

।। ୩ - ୧୦ ।।

କଳଧଉତଲତା ବାତେ ଯେହ୍ନେ

କାମିନୀଙ୍କ ଗମନ ଅଙ୍ଗ ତେହ୍ନେ

।। ୩ - ୧୧ ॥

 

ଶ୍ରୀକୃଷ୍ଣ ପ୍ରୀତିପରାୟଣା କଳାକରମୁଖୀ, ଘନ ପୀନପୟୋଧରା, ଗୁରୁଚାରୁ ନୀତମ୍ବିନୀ, କେଶରୀ ମଧ୍ୟମା, କଳହଂସଗମନା ଗୋପାଙ୍ଗନାମାନଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ଅସୀମ ସ୍ନେହ, ପ୍ରେମ, ପ୍ରୀତି ଓ ଭକ୍ତି ଏଥିରେ ଯଥାର୍ଥରୂପେ ରୂପାୟିତ ହୋଇଥିବାର ଦେଖାଯାଏ । ଅଷ୍ଟମ ଛାନ୍ଦରେ ଗୋପୀ ଓ ଗୋପୀନାଥଙ୍କ ଉକ୍ତି ପ୍ରତ୍ୟୁକ୍ତି ମଧ୍ୟରେ କବି ଦକ୍ଷିଣ ନାୟକ ଶ୍ରୀକୃଷ୍ଣଙ୍କ ପ୍ରତି ଗୋପାଙ୍ଗନାମାନଙ୍କର ଉଜ୍ଜ୍ୱଳରସାଶ୍ରିତ ସ୍ନେହାନୁରାଗହିଁ ପ୍ରକାଶ ପାଇଛି । କାୟମନୋବାକ୍ୟରେ କୃଷ୍ଣାନୁସରଣା ଭକ୍ତି ଭାବ ବିଭୋରା କୃଷ୍ଣ ହୃଦୟହାରିଣୀ ଗୋପାଙ୍ଗନାଙ୍କ ଆକାରଗତ ଚିତ୍ର ଚିତ୍ରଣ କରିବାକୁ ଯାଇ କବି ଅଷ୍ଟମ ଛାନ୍ଦରେ କହିଛନ୍ତି -

 

କଉଁ ଗୋପୀମୂର୍ତ୍ତି ଅନାଇ ବୋଲନ୍ତି ତୋ ଅଙ୍ଗ କାମ ସରୋବର ।

କାନ୍ତି ସ୍ୱଚ୍ଛଜଳ କେଶ ଶଇବାଳ ବଦନ କମଳ ପ୍ରକାର ।

କମଳା, ନୟନ ଯୁଗଳ ଶଫରୀ,

କୁଚ ଚକ୍ରବାକ ନଖ କହ୍ନାରକ ସକଳ ଜନ ମନୋହାରୀ ॥ ୨୦ ॥

 

କବି ଦୀନକୃଷ୍ଣ ଏହି ରୂପକଳ୍ପନା ଶୃଙ୍ଗାର ତିଳକର ନିମ୍ନୋଦ୍ଧୃତ ଶ୍ଳୋକ ଆଧାରରେ କରିଥିବାର ମନେହୁଏ –

 

ବାହୂଦ୍ୱୌ ଚ ମୃଣାଳମାସ୍ୟକମଳଂ ଲାବଣ୍ୟଲୀଳାଜଳଂ

ଶ୍ରୋଣୀ ତୀର୍ଥଶିଳା ଚ ନେତ୍ରଶ୍ରଫରଂ ଧମ୍ମିଲ୍ଲ ଶୈବାଳକମ୍‌

କାନ୍ତାୟାଃ ସ୍ତନଚକ୍ରବାକଯୁଗଳଂ କନ୍ଦର୍ପବାଣାନଳୈ -

ର୍ଦଗ୍ଧାନାମବଗାହନାୟ ବିଧିନା ରମ୍ୟଂ ସରୋ ନିର୍ମିତମ୍‌ ॥ ସୁ:ର:-ପ୍‌-୩୭୮ ॥

 

ପୂଣ୍ୟତୋୟା ଯମୁନାକୂଳବର୍ତ୍ତୀ ବୃନ୍ଦାବନକୁ କନ୍ଦର୍ପ ସଙ୍ଗୀତ ମନ୍ଦିରରୂପେ ଯେପରି ରୁପାୟିତ କରାଯାଇଛି ତାହା ଅତୂଳନୀୟ । ସେହି ବୃନ୍ଦାବନ କବି ବିଚାରରେ –

 

କନ୍ଦର୍ପ ସଙ୍ଗୀତ ମନ୍ଦିର ପରାୟେ ତଟ ନିକଟ ବୃନ୍ଦାବନ ।

କମ୍ପିତ ପବନେ କୁସୁମିତ ଲତା ନର୍ତ୍ତକୀ କରନ୍ତି ନର୍ତ୍ତନ । ।

କୁହୁ କଣ୍ଠର ପଞ୍ଚମସ୍ଵର ଗୀତ ଗାନ

କାଳକଣ୍ଠ ରବ ମର୍ଦ୍ଦନ ବଜାଇ ମୋହଇ ସର୍ବ ଜନମନ ॥ ୯-୧୬ ॥ ।

 

କାମଦେବଙ୍କ ସଙ୍ଗୀତଶାଳା ସ୍ଵରୂପ ବୃନ୍ଦାବନ ବନ ଉପକଣ୍ଠରେ ପ୍ରବାହିତା ଯମୁନାରେ ଜଳକ୍ରୀଡ଼ା (ସ୍ନାନ) ପାଇଁ ସମବେତ ଗୋପାଙ୍ଗନାମାନଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା ନିମ୍ନମତେ କରାଯାଇଥିବାର ଦେଖାଯାଏ -

 

କୁଟିଳକୁନ୍ତଳା କାମକେଳିକଳାକୃଶଳା କମଳବଦନା ।

କରୀନ୍ଦ୍ରଗମନା କରିକୁମ୍ଭସ୍ତନା କୁନ୍ଦକଳିଜିତରଦନା ।

କମ୍ୱୁକଣ୍ଠିନୀ ବଧୂଲୀଦଶନବସନା,

କେଶରୀ ମଧ୍ୟମା ମହାସୁଖସୀମା କଉଷେୟଝୀନ ବସନା ॥ ୯ - ୧୭ ॥

 

କୁରଙ୍ଗ ଲୋଚନା କୋକିଳବଟନା କଉତୁକ କଥା ରଚନା ।

କୁଟିଳକଟାକ୍ଷା ରସିକିନୀ ମୋକ୍ଷା କନ୍ଦର୍ପ ଦର୍ପ ବିମୋଚନା ॥

କୁଞ୍ଜବିହାରୀ ହୃଦୟହାରିଣୀ ଗୋପିକା ।

କାଳିନ୍ଦୀରେ ସ୍ନାନ କରିବାକୁ ମନ କରି ହୋଇଲେ ସେ ଉତ୍ସୁକା ॥ ୯-୧୮ ॥

 

ଶ୍ରୀଗୋପୀନାଥ ଓ ଗୋପାଙ୍ଗନାମାନଙ୍କ ମଧୁର ଲୀଳାବିଳାସର ସଫଳ ରୂପାୟନ ପାଇଁ କବି ଦୀନକୃଷ୍ଣ ଯଥାକ୍ରମେ ଶୀତ (୧୧), ବସନ୍ତ (୧୨-୧୪), ଗ୍ରୀଷ୍ମ (୧୫), ବର୍ଷା (୧୬) ଓ ଶରତ (୧୭) ଋତୁର ଅବତାରଣା କରିଛନ୍ତି । ଋତୁ ବର୍ଣ୍ଣନାକ୍ରମେ କବି ଦୀନକୃଷ୍ଣ ଗୋପୀମାନଙ୍କୁ କରୁଣାବତୀ, କୃଷ୍ଣପ୍ରିୟତମା, ରସବତୀ, କଳାବତୀ, ସୁଶୀଳା, ପ୍ରେମଶୀଳା, କେତକୀଗୌରୀ, କଳାକରହାସୀ, କାମତରଙ୍ଗିଣୀ, କାମିନୀ ପ୍ରଭୃତି ରୂପରେ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ପ୍ରକୃତିର ମନୋହର ଚିତ୍ର ଚିତ୍ରଣ କରିଛନ୍ତି । କବି ଦୀନକୃଷ୍ଣ ସଂସ୍କୃତ କାବ୍ୟଗୁଡ଼ିକଦ୍ୱାରା ବହୁଧା ପ୍ରଭାବିତ ହୋଇଥିବାର ସ୍ପଷ୍ଟ ପ୍ରମାଣ ତାଙ୍କ ଋତୁବର୍ଣ୍ଣନାରୁ ସୂଚିତ ହୁଏ । ରସଲୀଳା ବର୍ଣ୍ଣନାରେ ଗୀତଗୋବିନ୍ଦର ବସନ୍ତରାସ ପରିବର୍ତ୍ତେ ଭାଗବତ ବର୍ଣ୍ଣିତ ଶରତ୍କାଳୀନ । ରାସହିଁ ରସକଲ୍ଲୋଳରେ ପ୍ରାଧାନ୍ୟ ଲାଭ କରିଛି । କିନ୍ତୁ ପଦାବଳୀ ଯୋଜନାରେ କବି ଗୀତଗୋବିନ୍ଦକୁ ଅନୁକରଣ କରିଥିବାର ଦେଖାଯାଏ । ରସକଲ୍ଲୋଳ କାବ୍ୟର ଚାରୋଟି ଛାନ୍ଦରେ (୧୭- ୨୧) ଶରତ୍‌କାଳୀନ ରାସଲୀଳାର ମନୋରମ ଚିତ୍ର ଚିତ୍ରିତ ହୋଇଛି । ଶ୍ରୀକୃଷ୍ଣଙ୍କ ବେଣୁଧ୍ଵନିରେ ମୋହିତା କେଳିଲୋଳା ଗୋପାଙ୍ଗନାଗଣ ନିଜ ନିଜର ବୁଦ୍ଧି ବିବେକ ହରାଇ ସର୍ବସ୍ଵ ତ୍ୟାଗ କରି ଓ ଆତ୍ମହରା ହୋଇ ଅନଳ ପାଖକୁ ପତଙ୍ଗ ଉଦ୍‌ବେଗରେ ଧାଇଁଲା ପରି ପ୍ରିୟତମ କୃଷ୍ଣଙ୍କ ପାଖକୁ ଧାଇଁ ଯାଇଛନ୍ତି । କୃଷ୍ଣାନୁରାଗିଣୀ ସେହି ଗୋପାଙ୍ଗନାମାନଙ୍କର ସ୍ଵରୂପ ନିମ୍ନମତେ ଅଙ୍କନ କରି କବି କହିଛନ୍ତି -

 

କେ କଟୀଭୂଷଣ କଣ୍ଠକୁ ଦେଲା, କଣ୍ଠଭୂଷଣ ଚରଣେ ଖଞ୍ଜିଲା ।

କାହାର ଏକ ନୟନେ ଅଞ୍ଜନ, କେ ଧାଇଁଲା ଖରେ ଘେନି ଚନ୍ଦନ ।

କେ ରସବତୀ କର୍ମ ଛାଡ଼ିଲା, କର୍ମ କରି କୃଷ୍ଣ ଶ୍ରମ ଲୋଡ଼ିଲା ।

କାହା କଟୀତଟେ କିଙ୍କିଣୀମାଳ, କରନ୍ତେ ଗମନ ଶୁଭେ ମଞ୍ଜୁଳ ।

କନ୍ଦର୍ପକରୀ ଚାଲିବାରୁ ଖରେ, କନକଘଣ୍ଟୀ ଚଳିଲେ ମୁଖରେ ।

କାହାର ଉଡ଼େ ବାସ ଅଞ୍ଚଳ, କାମପତାକା ପରାୟେ ଚଞ୍ଚଳ ॥ ୧୬.୧୪-୧୫ ॥

 

ପରମ ପୁରୁଷ ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ଓ ଅଙ୍ଗସଙ୍ଗ ପାଇଁ ବ୍ୟାକୁଳହୃଦୟା ଗୋପାଙ୍ଗନାମାନଙ୍କ ମାନସିକ ଉଦ୍‌ବେଗ ଓ ବ୍ୟଗ୍ରତା ଏଥିରେ ପ୍ରକଟିତ ହୋଇଥିବାର ଦେଖାଯାଏ ।

 

ଅଭିସାରିଣୀ ଗୋପବାଳାମାନଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନାରେ କବି ବିବିଧ ଅଳଙ୍କାରରେ ବିଭୂଷିତା ଓଡ଼ିଆଣୀ ନବଯୁବତୀର ରୂପ-ସମ୍ପଦ ହିଁ ରୂପାୟନ କରିଛନ୍ତି । ଶ୍ରୀକୃଷ୍ଣାନୁରାଗିଣୀ ଲାବଣ୍ୟବତୀ, କାମଶାସ୍ତ୍ରରେ ପଣ୍ଡିତା, କୃଷ୍ଣଙ୍କ ଅଭାବରେ ବିଷୟବାସନା ରହିତା, କୃଷ୍ଣସର୍ପିଣୀ ଓ ଭ୍ରମରଶ୍ରେଣୀବତ୍‌ କୁଟିଳକୁନ୍ତଳା, ବିବିଧ କୁସୁମ ମଣ୍ଡିତା, ଖଞ୍ଜନଗଞ୍ଜନ ନୟନା । ସୁରଙ୍ଗଶାଟିକା ପରିହିତା, ନାନାବିଧ ଭୂଷଣରେ ଭୂଷିତା ଗୋପାଙ୍ଗନାମାନେ ଚନ୍ଦ୍ରୋଦୟ ଦେଖି‌ବା ମାତ୍ରେ ବିଭିନ୍ନଭଙ୍ଗୀରେ ନୃତ୍ୟକରି ଓ ପ୍ରବନ୍ଧ (ଗୀତ) ଗାଇ ଗୋପୀନାଥଙ୍କ ସହିତ ରାସନୃତ୍ୟରେ ଭାବବିହ୍ୱଳା ହୋଇଯାଇଛନ୍ତି । ଗୋପୀ ଓ ଗୋପୀନାଥଙ୍କ ଶରତ୍କାଳୀନ ରାସନୃତ୍ୟରେ ମନୋରମଚିତ୍ର ଅଙ୍କନ ପରେ କବି ଦୀନକୃଷ୍ଣ କୃଞ୍ଜକୁଟୀରରେ ରାଧାକୃଷ୍ଣଙ୍କ ରହଃକେଳି ପ୍ରସଙ୍ଗକୁ (୨୦) ଗୀତଗୋବିନ୍ଦ ଦ୍ୱାଦଶସର୍ଗର ଛାୟାରେ ବର୍ଣ୍ଣନା କରିଛନ୍ତି । ଶ୍ରୀରାଧାକୃଷ୍ଣଙ୍କ ଆଳାପୋକ୍ତି ମାଧ୍ୟମରେ କବି ଗୋପାଙ୍ଗନାମାନଙ୍କର ଶିରୋଭୂଷଣ ସ୍ଵରୂପା ଶ୍ରୀରାଧାଙ୍କ ମହତ୍ତ୍ୱ ନିମ୍ନମତେ ପ୍ରକାଶ କରିଥିବାର ଦେଖାଯାଏ -

 

କରି ତୋ ନାମ ଆଗେ ମୋ’ ନାମ ପଛେ ।

କହୁଅଛନ୍ତି ଯେଉଁ ଲୋକେ ପ୍ରତ୍ୟକ୍ଷେ । ।

କଳିକଳୁଷ ଭବ ଭୟକୁ ହରି ।

କୃତାର୍ଥ ହୋଇଯାଉ ଅଛନ୍ତି ତରି ॥ ୨୦-୨୩ ॥

 

ମାୟାଧର ଶ୍ରୀକୃଷ୍ଣ ହଠାତ୍‌ ରାସଲୀଳା କ୍ଷେତ୍ରରୁ ଅନ୍ତର୍ଦ୍ଧାନ ହୋଇଯିବାରୁ ବିରହକାତରା ଗୋପାଙ୍ଗନାଗଣ ତାଙ୍କୁ ପାଇବା ପାଇଁ ବ୍ୟାକୁଳ ହୋଇ ଇତସ୍ତତଃ ଖୋଜିବୁଲିଛନ୍ତି ଏବଂ ତାଙ୍କୁ ନ ପାଇବାରୁ ଅତି ଦୁଃଖରେ କାନ୍ଦିଛନ୍ତି । ସେମାନେ ଶ୍ରୀକୃଷ୍ଣଙ୍କୁ ଶଠ, କପଟୀ, କଠୋର, କୁଟିଳ ବୋଲି କହି ପରସ୍ପର ଆଲୋଚନା କଲାବେଳେ କୀଟକର (ବାଉଁଶ) ମୋହନ ସ୍ଵନ କୁଞ୍ଜକାନନକୁ ମୁଖରିତ କରିଛି । ସେହି ଧ୍ଵନି ଅନୁସରଣ କରି ଗୋପିକାଗଣ କୃଷ୍ଣଙ୍କୁ ଖୋଜି ଖୋଜି ଯାଇ ସେହ ବଂଶଲତା ପାଖରେ ପହଞ୍ଚି ଶ୍ରୀରାଧାଙ୍କୁ ଦେଖିଛନ୍ତି ।

 

ଶ୍ରୀରାଧା ଓ ଗୋପାଙ୍ଗନାମାନଙ୍କ ଖେଦୋକ୍ତି ମଧ୍ୟରେ କେଶବ, ମୋହନ, ପୀତବାସ, ରଙ୍ଗାଧର କୃଷ୍ଣଙ୍କର ଗୁଣାବଳୀ ବର୍ଣ୍ଣିତ ହୋଇଛି । ଗୋପାଙ୍ଗନାମାନଙ୍କର କରୁଣ ବିଳାପରେ କରୁଣାର୍ଦ୍ର ହୋଇ କରୁଣାମୟ, ନାଗରନାରାୟଣ କୃଷ୍ଣ ପୁଣି ଗୋପାଙ୍ଗନାମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି । ଚିର ଦରିଦ୍ର କୋଟିନିଧି ପାଇଲା ପରି କୃଷ୍ଣଙ୍କୁ ପାଇ ଗୋପୀଗଣ କଳାକର (ଚନ୍ଦ୍ର) ଦର୍ଶନରେ କୁମୁଦବନ । ବିକଶିତ ହେଲାପରି ଆନନ୍ଦିତ ହେବା ସଙ୍ଗେ ସଙ୍ଗେ କୃଷ୍ଣମେଘ ଉଦୟରେ ମୟୂରୀ ପରି ନୃତ୍ୟ କରିଛନ୍ତି ଏବଂ ଗୋପୀ ଓ ଗୋପୀନାଥଙ୍କ ମିଳନ ସମ୍ପାଦିତ ହୋଇଛି ।

 

ମଥୁରାଧିପତି କଂସର ଦୂତ ଅକ୍ରୂର ରାମକୃଷ୍ଣଙ୍କୁ ମଥୁରା ନେଇଯାଉଥିବାର ସମ୍ଵାଦ ଗୋପପୁରରେ ପ୍ରଚାରିତ ହୋଇଯିବା ମାତ୍ରେ ଲୋତକାପ୍ଲୁ ତନୟନା ବ୍ରଜାଙ୍ଗନାଗଣ ବ୍ୟାକୁଳ ହୋଇ ଶ୍ରୀକୃଷ୍ଣଙ୍କୁ କହିଛନ୍ତି ‘ହେ କୃପାମୟ ! କୁଳଶୀଳ ବ୍ୟବହାର ଭୁଲି ଯେଉଁମାନେ କାୟମନୋବାକ୍ୟରେ ତୁମକୁ ସର୍ବସ୍ଵ ଅର୍ପଣ କରିଛନ୍ତି ସେମାନଙ୍କୁ ତୁମେ ତ୍ୟାଗ କରି ଯିବା ଉଚିତ ହେଉନାହିଁ । ତୁମେ କୃପାଳୁ ହୋଇ କିପରି କୃପାଭାବକୁ ଭୁଲିଯାଉଛ ? କାକ ପୋଷିଲା ପିକ ପରି ତୁମେ ଆଚରଣ କଲ । ବାଡ଼ କ୍ଷେତ ଖାଇଯାଉଛି କି କଣ୍ଠର ଭୂଷଣ ମାଳା ଗଳା କାଟି ଦେଉଛି ବୋଲି କହିବା ନିଶ୍ଚୟ ଲଜ୍ଜାଜନକ । ନିଜ ହାତରେ ଲଗାଇଥିବା ବିଷବୃକ୍ଷକୁ ମଧ୍ୟ ଲୋକ କାଟିପାରେ ନାହିଁ (ବିଷବୃକ୍ଷୋଽପି ସମ୍ବର୍ଦ୍ଧ୍ୟ ସ୍ଵୟଂ ଚ୍ଛେତ୍ତୁମସାମ୍ପ୍ରତମ୍‌) । ଆମ ଦୁର୍ଭାଗ୍ୟ କାରଣ କର୍ମ ବାମ ହେଲେ, ବିଧାତା ପ୍ରତିକୂଳ ହେଲେ ଅମୃତ ବୃକ୍ଷରେ ବି ବିଷଫଳ ଧରେ (ପ୍ରତିକୂଳତାମୁପଗତେ ହିଁ ବିଫଳତ୍ୱ ମେତି ବହୁସାଧନତା । ବିଷମପ୍ୟମୃତଂ କ୍ୱଚିଦ୍‌ଭବେଦମୃତଂ ବା ବିଷମୀଶ୍ଵରେଚ୍ଛୟା) । କୃପଣ ବ୍ୟକ୍ତି ପାଖରେ ଦୁଃଖ ଜଣାଇ ମଧ୍ୟ ଲୋଭୀ କେବେ ସଫଳ ହୁଏ ନାହିଁ । ପ୍ରଭୁମାନେ କେତେବେଳେ କାହାକୁ ମଣ୍ଡନ୍ତି ଓ କାହାକୁ ଦଣ୍ତନ୍ତି ତାହା କିଏ କହିପାରିବ ଆଉ କିଏ ବା ଅନ୍ୟଥା କରିପାରିବ ।’’ ଏଥିରୁ କରୁଣ ରସକୁ ସାର୍ବଜନୀନ ରୂପରେ ଉପସ୍ଥାପନ କରିବା ସହିତ ବିଭିନ୍ନ ଶାସ୍ତ୍ରରେ କବିଙ୍କର କେତେଦୂର ଦକ୍ଷତା ଥିଲା ତାହା ସୂଚିତ ହୁଏ । ଅଭିମାନିନୀ କୃଷ୍ଣ ବିରହ ବିଧୁରା ଗୋପାଙ୍ଗନାମାନଙ୍କ ଆନ୍ତରିକ କାମନା ବିଷୟରେ ସୂଚନା ଦେବାକୁ ଯାଇ କବି ଦୀନକୃଷ୍ଣ ଉଲ୍ଲେଖ କରିଛନ୍ତି -

 

କରିଥିଲୁ କାମନା            ସକଳ ଗେପାଙ୍ଗନା

ତୁମ୍ଭେ ଗୋପରେ ଶୁଭେ ଥିବ ।

କଉତୁକ ହରଷ            ରସେ ପାଦ ସରସ

ସେବାରେ ଆମ୍ଭଦିନ ଯିବ, ହେ କୃପାନିଧି !

 

କଲା ସେକଥା ଆନ ବିଧି କରୁଛ ତୁମ୍ଭେ ଏ ଅବିଧି,

କଳାନିଧିକୁ କରେ            ଧରିବାକୁ ମନରେ

ବିଚାରିଲେ କି ହୁଏ ସିଦ୍ଧି ॥

 

କଷ୍ଟ ତରିବା ପାଇଁ            ପ୍ରୀତି ବୋଇତ ନେଇ

ତୁମ୍ଭ ସଙ୍ଗ ସିନ୍ଧୁରେ ମେଲି ।

କୁଳଶୀଳ ବେଭାର      ସବୁ ଏକ ପ୍ରକାର

ଅମ୍ବର କରିଣ ଅଝାଲି, ହେ କୃପାନିଧି !

 

କିଛିକାଳ ବାଣିଜ୍ୟ କଲୁ କେତେ ସୁଖରେ ଦିନ ନେଲୁ,

କଂସ ଦୂତ ବତାସ            କଲା ତ ଏବେ ନାଶ

ଦେଖୁ ଦେଖିୁ ଦୁଃଖକୁ ଗଲୁ ॥ ୨୬.୯,୧୨।।

 

ଗୋପାଙ୍ଗନାମାନଙ୍କର ଏହିପରି ମନୋକାମନା ପ୍ରକାଶନ ମଧ୍ୟରେ କବି ପ୍ରାଚୀନ ଉତ୍କଳର ସମୃଦ୍ଧ ନୌବାଣିଜ୍ୟ ସମ୍ବନ୍ଧରେ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇଥିବାର ଜଣାଯାଏ ।

 

ଗୋପାଙ୍ଗନାମାନଙ୍କ ମୁଖରେ କବି ପୁଣି କହିଛନ୍ତି - ହେ କୃପାନିଧି ! ଆମର ମନକଥା କିଏ ବୁଝିବ, ଆଉ ବିପଦ ଆପଦରୁ କିଏ ଆମକୁ ଉଦ୍ଧାର କରିବ ? ଫଟା କପାଳ ଆମର । କପାଳ ଫାଟିଲେ କଳ୍ପତରୁ ବି ନିଷ୍ଫଳ ହୁଏ । ବିଧାତା ବାମ ହେଲେ ପଣ୍ଡିତମାନେ ବି ବିବେକହୀନ ହୁଅନ୍ତି । ଗୋପୀମାନଙ୍କର ଏହିପରି ଦୁଃଖଦ ନିବେଦନ ଶୁଣି ଶ୍ରୀକୃଷ୍ଣ ସେମାନଙ୍କୁ ଆଶ୍ଵାସନା ଦେଇ ବିଦାୟ ନେଇଛନ୍ତି ।

 

କଂସବଧ ପରେ ବିରହିଣୀ ଗୋପୀମାନଙ୍କର ଅବସ୍ଥା ବିଷୟ ଭାବି ଶ୍ରୀକୃଷ୍ଣ ଅଧୀର ହୋଇ ଉଦ୍ଧବଙ୍କୁ ଦୂତରୂପେ ବ୍ରଜପୁରକୁ ପଠାଇଛନ୍ତି । ଉଦ୍ଧବଙ୍କଠାରୁ କୃଷ୍ଣକଥା ଶ୍ରବଶ କରି ବିରହବିଧୂରା ଗୋପୀମାନଙ୍କ ଅଭିମାନପୂର୍ଣ୍ଣ ବଚନକୁ କବି ଦ୍ୱାତ୍ରିଂଶ ଛାନ୍ଦରେ ନିମ୍ନମତେ ପ୍ରକାଶ କରିଛନ୍ତି -

 

କଂସ ପାଇଲା ଦୀର୍ଘ ଶୟନ            କିମ୍ପା ନଇଲେ ପଦ୍ମନୟନ

କହିଥିବା କଥା            କରିବା ଅନ୍ୟଥା

ପ୍ରଭୁଙ୍କର ଏ ନୋହେ ଅୟନ ହେ ଉଦ୍ଧବ ॥ ୯ ॥

 

କୃଷ୍ଣ ନ ଜାଣନ୍ତି କେଉଁ ନୀତି            କଲେ ଆମ୍ଭଠାରେ ତ ଅନୀତି

କୁଳରେ ଛଡ଼ାଇ            ଦୁଃଖରେ ବୁଡ଼ାଇ

ଏଥୁ ପାଇଲେ କେଉଁ କୀରତି ହେ ଉଦ୍ଧବ ॥ ୧୧ ॥

 

କି କରନ୍ତି ବଡ଼ ପ୍ରଭୁମାନେ             କିଛି ବିଚାରନ୍ତି ନାହିଁ ମନେ

କଲେ ଅବେଭାର            କି ବୋଲିବେ ନର

ନୀତିବନ୍ତ ବିଚକ୍ଷଣମାନେ ହେ ଉଦ୍ଧବ ॥ ୧୮ ॥

 

କୃଷ୍ଣ ଗଙ୍ଗା ଆଣି ବେଗେ ଦିଅ      କୀର୍ତ୍ତି ସମସ୍ତ ଲୋକରେ ପାଅ

କରୁଛୁ ବିନତି            ଗୋକୁଳ ଯୁବତୀ

ଆମ୍ଭମାନଙ୍କୁ ପ୍ରସନ୍ନ ହୁଅ ହେ ଉଦ୍ଧବ ॥ ୩୦ ॥

 

ମହାମୁନି କପିଳଙ୍କ କୋପାନଳରେ ଦଗ୍ଧୀଭୂତ ସଗର ବଂଶକୁ ଯେପରି ଭଗୀରଥ ଭାଗୀରଥୀଙ୍କ ଓ ପବିତ୍ର ଧାରା ସ୍ପର୍ଶରେ ମୁକ୍ତ କରିଥିଲେ ସେହିପରି ତୁମେ କୃଷ୍ଣ ରୂପକ ଗଙ୍ଗାକୁ ଆଣି ଆମର ଦଗ୍ଧୀଭୂତ ପ୍ରାଣକୁ ଶୀତଳ କର ଓ ଯଶସ୍ୱୀ ହୁଅ । ଶ୍ରୀକୃଷ୍ଣ ବିରହିଣୀ ଗୋପାଙ୍ଗନାମାନଙ୍କ କାତରୋକ୍ତିରେ ବିହ୍ୱଳ ହୋଇ ଉଦ୍ଧବ ମଥୁରାକୁ ଫେରିଯାଇ ପ୍ରଭୁ ଗୋପୀନାଥଙ୍କୁ ଗୋପୀଙ୍କ ଅନ୍ତର୍ବେଦନା ଜଣାଇବା ସଙ୍ଗେ ସଙ୍ଗେ ସେମାନଙ୍କର ସାତ୍ତ୍ୱିକାବସ୍ଥା ନିମ୍ନମତେ ବର୍ଣ୍ଣନା କରିଥିଲେ -

 

କି କହିବି ଗୋପୀମାନଙ୍କ କଥା      କହିଲେ ଜାତ ହେବ ମହାବ୍ୟଥା

କେଶବେଶ ବାସ ଅତି ମଳିନ            କୁଜ୍‌ଝଟୀ ସମୟେ ଯେହ୍ନେ ନଳିନ

କାହା ଶରୀର କୃଶ ବିଷାଦୁଁ ନୋହିଛି ବାହାର ॥ ୩୪-୨ ॥

 

କାହାରି ବଦନେ ନାହିଁ ପ୍ରସନ୍ନ            କାହାରି ନାହିଁ ବିଷୟ ଦର୍ଶନ

କହିବାକୁ ନାହିଁ ଶକ୍ୟ କାହାର କାହିଁକି ଥିବ ଆହାର ବିହାର

କେବଳ ବିରସ, କରିଛି ସବୁ ହୃଦୟରେ ବାସ ॥ ୩୪-୩ ॥

 

କାହାର କଙ୍କଣ କେୟୂର ହୋଇଛି ତ କିଏ କଙ୍କଣକୁ ହାରରୂପେ ପିନ୍ଧିଛି । ଚିନ୍ତା, ସ୍ମୃତି, ଗୁଣକୀର୍ତ୍ତନାଦି ଦଶବିଧ ସ୍ମରଦଶାରେ ଅଭିଭୂତା ଗୋପାଙ୍ଗନାଗଣ ତୁମ ବିରହରେ ଚରମ ଦୁର୍ଦ୍ଦଶାଗ୍ରସ୍ତ ହୋଇ ପଡ଼ିଛନ୍ତି । ତୁମର ପ୍ରିୟଲୋକ ବୋଲି ଜାଣି ସେମାନେ ମୋ ହାତରେ ତୁମକୁ ଜଣାଇଛନ୍ତି -

 

କହିଛନ୍ତି କୋଟି ଦଣ୍ଡ ପ୍ରଣାମ            କରି ତୁମ୍ଭ ଆଜ୍ଞା ଆଶା ବିଶ୍ରାମ

କଉଁ ଭାଗ୍ୟରୁ ରହିଅଛି ପ୍ରାଣ            କରୁଣାସିନ୍ଧୁ ତାହା ତୁମେ ଜାଣ ।

କର୍ଣ୍ଣେ ଶୁଣି ହରି, କମଳନେତ୍ରୁ ପକାଇଲେ ବାରି ॥ ୩୪-୧୮ ॥

 

କୃଷ୍ଣାନୁଗତପ୍ରାଣା ଗୋପାଙ୍ଗନା ମାନଙ୍କ ପ୍ରେମ, ମିଳନ ଓ ବିରହ ବର୍ଣ୍ଣନା ମଧ୍ୟରେ କବି ଦୀନକୃଷ୍ଣ ଦାସ ରସକଲ୍ଲୋଳର ପ୍ରତ୍ୟେକ ଛାନ୍ଦରେ ଅହୈତୂକୀ କୃଷ୍ଣ ଭକ୍ତିର ହିଁ ଚରମ ପରାକାଷ୍ଠା ପ୍ରତିପାଦନ କରିଛନ୍ତି, ଯେଉଁ ଭକ୍ତି ବିଷୟବାସନା ତ୍ୟାଗ ଓ ପୂର୍ଣ୍ଣ ଆତ୍ମନିବେଦନ ଉପରେ ଆଧାରିତ । କବି ବିଭାବାନୁଭାବ ସଞ୍ଚାରୀଭାବର ଅବତାରଣା ମଧ୍ୟରେ ସମ୍ଭୋଗ ଓ ବିପ୍ରଲମ୍ଭାତ୍ମକ ଶୃଙ୍ଗାର ରସର ପ୍ରତିଷ୍ଠା ସହିତ ରସିକ ଭକ୍ତଗଣଙ୍କୁ ତାହା ସହଜ ଆସ୍ଵାଦନ କରାଇବାରେ ଯେପରି ସାଫଲ୍ୟ ଅର୍ଜନ କରିଛନ୍ତି, ତାହା ବାସ୍ତବରେ ଅତୁଳନୀୟ ଓ ଅଭିନନ୍ଦନୀୟ । ଶ୍ରୀକୃଷ୍ଣ ଗୋପୀନାଥଙ୍କ ବିନା ଗୋପାଙ୍ଗନାମାନଙ୍କର ମହତ୍ତ୍ଵ ଓ ଗୋପାଙ୍ଗନାଙ୍କ ବିନା ଅଥବା ଗୋପୀଭାବ ବିନା କୃଷ୍ଣଭକ୍ତି ରସର ଆନନ୍ଦ ଲାଭ ସମ୍ଭବ ନୁହେଁ । ଗୋପୀ ଭାବରେ ସର୍ବସ୍ଵ ସମର୍ପଣଦ୍ୱାରାହିଁ କୃଷ୍ଣପ୍ରାପ୍ତି ହୁଏ - ଏହାହିଁ ରସକଲ୍ଲୋଳର ପ୍ରତିପାଦ୍ୟ । ରସକଲ୍ଲୋଳ କାବ୍ୟ ବାହ୍ୟତଃ ଉତ୍ତାଳ ଶୃଙ୍ଗାର ରସ କଲ୍ଲୋଳିତ ସାଗର ହେଲେ ମଧ୍ୟ କୃଷ୍ଣଭକ୍ତି ରୂପକ ଅମୂଲ୍ୟ ରତ୍ନରେ ପରିପୂର୍ଣ୍ଣ ।

 

‘ରସେ ସାରଃ ଚମତ୍କାରଃ’ – ଅର୍ଥାତ୍‍ ଅଷ୍ଠବିଧ କାବ୍ୟରସ ମଧ୍ୟରେ ଚମତ୍କାର ବା ଶୃଙ୍ଗାର ରସ ହେଉଛି ଆଦିରସ ଓ ପ୍ରଧାନ ରସ । ଅନ୍ୟାନ୍ୟ ରସର ଏହାହିଁ ମୂଳ ଉତ୍ସ । ଶୃଙ୍ଗାର ଶ୍ୟାମବର୍ଣ୍ଣ ଓ ତା’ର । ଅଧିଦେବତା ହେଲେ ବିଷ୍ଣୁ ଅର୍ଥାତ୍‌ ପରମ ପୁରୁଷୋତ୍ତମ ଶ୍ରୀକୃଷ୍ଣ । ତେଣୁ ଶୃଙ୍ଗାରରସ କଲ୍ଲୋଳିତ କାବ୍ୟର ନାମ ରସକଲ୍ଲୋଳ ହେବା ସର୍ବଥା ଯୁକ୍ତିସମ୍ମତ । ଗୋପାଙ୍ଗନାମାନଙ୍କ ପ୍ରେମଭକ୍ତିର ଚିତ୍ରଣ ମଧ୍ୟରେ କୃଷ୍ଣଭକ୍ତିର ମହତ୍ତ୍ୱ ପ୍ରଖ୍ୟାପନ ଥିଲା ରସକଲ୍ଲୋଳ ରଚନାର ମୂଳ ଉଦ୍ଦେଶ୍ୟ । ଏଥିରେ ବର୍ଣ୍ଣିତ ଗୋପାଙ୍ଗନାମାନଙ୍କ ସ୍ନେହ, ପ୍ରେମ, ମିଳନ, ବିରହ, ଅନୁଚିନ୍ତା, କ୍ରୋଧ, ମାନ, ଅଭିମାନ ପ୍ରଭୃତିକୁ କୃଷ୍ଣଭକ୍ତିର ନିଦର୍ଶନରୂପେ ଗ୍ରହଣୀୟ ।

 

ଶ୍ରୀକୃଷ୍ଣଙ୍କର ବୃନ୍ଦାବନ (ଗୋପ) ମଥୁରା ଓ ଦ୍ୱାରକାଲୀଳାକୁ ନେଇ ଓଡ଼ିଶାର କୃଷ୍ଣସାହିତ୍ୟ ବିକାଶ ଲାଭ କରିଥିବାର ଦେଖାଯାଏ । ଏହି ଲୀଳା ମଧ୍ୟରୁ ବୃନ୍ଦାବନ ଲୀଳାକୁ ନେଇ ତୁଳନାତ୍ମକ ଭାବେ ଅଧିକ କାବ୍ୟ କବିତା ରଚିତ ହୋଇଛି । କବି ଦୀନକୃଷ୍ଣ ଅଥବା କୃଷ୍ଣଦାସ ଏ କ୍ଷେତ୍ରରେ ପଥପ୍ରଦର୍ଶକରୂପେ ପରବର୍ତ୍ତୀ କବିକୋବିଦଙ୍କଦ୍ୱାରା ଆଦୃତ ଓ ସମ୍ମାନିତ ହୋଇଛନ୍ତି । କବି ନିଜର ଇଷ୍ଟଦେବ, ଶ୍ରୀଜଗନ୍ନାଥଙ୍କ ପ୍ରିୟ-ଗୀତ ଗୀତଗୋବିନ୍ଦ ଅନୁକରଣରେ ରସକଲ୍ଲୋଳ କାବ୍ୟ ରଚନା କରିଥିବା ବିଷୟରେ ପୂର୍ବରୁ ସୂଚନା ଦିଆଯାଇଛି । ତେଣୁ ଉଭୟ ଗ୍ରନ୍ଥ ମଧ୍ୟରେ ବହୁଧା ସାମ୍ୟ ରହିଛି । କେତେକ ଆଲୋଚକ ଗୀତଗୋବିନ୍ଦ ଓ ରସକଲ୍ଲୋଳ ଉଭୟ କାବ୍ୟକୁ ଅଶ୍ଳୀଳ ଦୋଷ ଦୁଷ୍ଟ ବୋଲି କହିଲାବେଳେ, ଆଉ କେତେକ ଗୀତଗୋବିନ୍ଦକୁ ପ୍ରଶଂସା କରି ରସକଲ୍ଲୋଳକୁ ନିନ୍ଦା ପରିସରଭୁକ୍ତ କରିଥିବାର ଜଣାଯାଏ । ଏପ୍ରକାର ବିଚାର ଭିତ୍ତିହୀନ ମନେ ହୁଏ । କାରଣ, କାବ୍ୟ ରଚନା କ୍ଷେତ୍ରରେ ଦେବଦେବୀଙ୍କ ରତିବର୍ଣ୍ଣନା, ପରମ୍ପରାରୂପେ ବହୁ ପ୍ରାଚୀନ କାଳରୁ ଗୃହୀତ ହୋଇ ଆସିଥିବାରୁ ଗୀତଗୋବିନ୍ଦକୁ ଅଥବା ରସକଲ୍ଲୋଳକୁ ଅଶ୍ଳୀଳ କାବ୍ୟ ବୋଲି ପ୍ରଚାର କରିବା ଆଦୌ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ । ଏପ୍ରକାର ବିଚାରଦ୍ୱାରା ସର୍ବବିଧ କଳାତ୍ମକ ରଚନା ବିଶେଷ ଓ ଜୀବସତ୍ତା ବା ଜୀବନ ଚିରଦିନ ପାଇଁ ଧରାବକ୍ଷରୁ ଅପହୃତ ହୋଇଯିବ ଏବଂ ସତ୍ୟ, ଶିବ ଓ ସୁନ୍ଦରର ଅସ୍ତିତ୍ୱ ବୋଲି ଆଉ କିଛି ରହିବ ନାହିଁ । ସୃଜନାତ୍ମକ କଳା ଓ କାବ୍ୟରେ ଅଶ୍ଳୀଳ ଭାବପୋଷଣ କରିବା ଅଦୂରଦର୍ଶିତା ଓ ଅବିବେକିତାର ପରିଚାୟକ ।

 

କବିରାଜ ଜୟଦେବଙ୍କ ପରି ରସକଲ୍ଲୋଳକାର ଦୀନକୃଷ୍ଣ ଦାସ ମଧ୍ୟ ଜଣେ ପରମ ବୈଷ୍ଣବ ଥିଲେ । ଶ୍ରୀଜଗନ୍ନାଥ ଥିଲେ ତାଙ୍କର ଆରାଧ୍ୟ ଦେବତା । ପ୍ରାୟ ତାଙ୍କର ପାଞ୍ଚଶତ ବର୍ଷ ପୂର୍ବରୂ ସେହି ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣରୂପେ ପ୍ରତିଷ୍ଠିତ ହୋଇ ସାରିଥିଲେ । ତେଣୁ ଆଦିକବି ସାରଳାଦାସଙ୍କଠାରୁ ଆରମ୍ଭ କରି ପରବର୍ତ୍ତୀ କାଳର ଓଡ଼ିଆ କବିଗଣ ନିଜ ନିଜ ରଚନାରେ ଶ୍ରୀକୃଷ୍ଣ ବା ବିଷ୍ଣୁ ପର୍ଯ୍ୟାୟଭୁକ୍ତ ବିଭିନ୍ନ ନାମରେ ଶ୍ରୀଜଗନ୍ନାଥଙ୍କୁ ବର୍ଣ୍ଣନା କରି ଆସିଛନ୍ତି । ଓଡ଼ିଆ ସାହିତ୍ୟର ସେହି ପରମ୍ପରା ଅନୁସରଣରେ କବି ଦୀନକୃଷ୍ଣ ଶ୍ରୀଜଗନ୍ନାଥଙ୍କୁ ହିଁ ରସକଲ୍ଲୋଳର ବିଭିନ୍ନ ଛାନ୍ଦରେ ଗୋପୀ ସୁଲଭ ଭକ୍ତିଭାବରେ ଉପାସନା ଓ ପ୍ରାର୍ଥନା କରିବା ପାଇଁ ନିବେଦନ କରିଛନ୍ତି । ସେଥିପାଇଁ କବି କହିଛନ୍ତି - ‘କୃଷ୍ଣ ସେବକ ଗୋପୀଭକ୍ତି ଯାର, କରନ୍ତୁ ସେମାନେ କଣ୍ଠରେ ହାର’ - ଅର୍ଥାତ୍‌ ଯେଉଁମାନେ ଗୋପୀ ଭାବାପନ୍ନ ଭକ୍ତ, କେବଳ ସେମାନେ ରସକଲ୍ଲୋଳର ରସ ଆସ୍ଵାଦନ ପାଇଁ ଯୋଗ୍ୟ ଓ ସମର୍ଥ । ଉକ୍ତିରସହୀନ ବ୍ୟକ୍ତି ପକ୍ଷରେ ଏହା ମଙ୍ଗଳକର ଅର୍ଥାତ୍‌ କୁଶଳ ଚିନ୍ତା ଦ୍ୟୋତକ ହେବ ନାହିଁ ବୋଲି ଉକ୍ତ କାବ୍ୟରେ ଘୋଷଣା କରାଯାଇଛି । ଏଥିରୁ ଗୋପାଙ୍ଗନାମାନଙ୍କ ପ୍ରେମଭକ୍ତିର ପରାକାଷ୍ଠା ପ୍ରତିପାଦନହିଁ ରସକଲ୍ଲୋଳ ରଚନାର ମୂଳ ଲକ୍ଷ୍ୟ ବୋଲି ମନେ ହୁଏ । ଭକ୍ତିଶାସ୍ତ୍ରକାରମାନଙ୍କ ବିଚାରରେ ପ୍ରେମ ଭକ୍ତିତତ୍ତ୍ଵ ହୃଦୟଙ୍ଗମ କରିପାରିଲେ ମନରେ କାବ୍ୟ ବର୍ଣ୍ଣିତ ଅଶ୍ଳୀଳଭାବନା ବା ମାନବସୁଲଭ ଦେହସର୍ବସ୍ଵ ଭାବନା ସୃଷ୍ଟି ହେବ ନାହିଁ । କାବ୍ୟର ଶ୍ଳୀଳତା ଓ ଅଶ୍ଳୀଳତା ସମ୍ପର୍କରେ ମନ୍ତବ୍ୟ ପୋଷଣ କରୁଥିବା ଆଲୋଚକମାନେ ଏଥିପ୍ରତି ସଚେତନ ଥିଲା ପରି ବୋଧ ହୁଏ ନାହିଁ ।

 

ଶ୍ରୀଗୀତଗୋବିନ୍ଦ ପରି ରସକଲ୍ଲୋଳ ମଧ୍ୟ ଏକ ବୈଷ୍ଣବ କାବ୍ୟ । କେବଳ କୃଷ୍ଣଭକ୍ତ ନୁହେଁ, ରସିକ ଜନସାଧାରଣଙ୍କୁ କାବ୍ୟିକ ଆନନ୍ଦ ଦେବା ଉଦ୍ଦେଶ୍ୟରେ ଏହା ରଚିତ ହୋଇଛି । ରସକଲ୍ଲୋଳକୁ ଅଶ୍ଲୀଳ ଦୋଷଦୁଷ୍ଟ ବୋଲି କହିଲେ କାବ୍ୟ ପଠନର ମୌଳିକ ଉଦ୍ଦେଶ୍ୟ ଯେ ବ୍ୟାହତ ହେବ ସେଥିରେ ସନ୍ଦେହ ନାହିଁ । କାବ୍ୟପଠନର ଉପକାରିତା ବିଷୟରେ ଆଳଙ୍କାରିକ ଭାମହ କହିଛନ୍ତି -

 

ଧର୍ମାର୍ଥକାମମୋକ୍ଷେଷୁ ବୈଚକ୍ଷଣ୍ୟଂ କଳାସୁଚ ।

କରୋତି କୀର୍ତ୍ତିଂ ପ୍ରୀତିଂଚ ସାଧୁକାବ୍ୟ ନିଷେବଣମ୍‌ ॥ (ସାହିତ୍ୟ ଦର୍ପଣ -ପୃ-୪)

 

ଅର୍ଥାତ୍‌ ଉତ୍ତମକାବ୍ୟ ପଠନଦ୍ୱାରା ଚତୁବର୍ଗ (ଧର୍ମାର୍ଥକାମ ମୋକ୍ଷ), କଳାନୈପୁଣ୍ୟ, କୀର୍ତ୍ତି ଓ ପ୍ରୀତି ଲାଭ ହୁଏ । ସାଧୁକାବ୍ୟ ସମ୍ବନ୍ଧରେ ସୂଚନା ଦେବାକୁ ଯାଇ ‘ସରସ୍ଵତୀକଣ୍ଠାଭରଣ’ ଗ୍ରନ୍ଥରେ ଭୋଜଦେବ କହିଛନ୍ତି -

 

ଅଦୋଷଂ ଗୁଣବତ୍କାବ୍ୟମଳଙ୍କାରୈରଳଙ୍କୃତମ୍‌ ।

ରସାନ୍ୱିତଂ କବିଃ କୁର୍ବନ୍‌ କୀର୍ତ୍ତିଂ ପ୍ରୀତିଂ ଚ ବିନ୍ଦତି ॥

(ସାହିତ୍ୟ ଦର୍ପଣ-ପୃ- ୧୬)

 

ଅର୍ଥାତ୍‌ ଦୋଷ ରହିତ, ଗୁଣଯୁକ୍ତ, ଅଳଙ୍କାର ସମନ୍ୱିତ ଓ ରସାଳ ରଚନାକୁ ସାଧୁକାବ୍ୟ କୁହାଯାଏ, ଯାହାର ସୃଷ୍ଟିଦ୍ୱାରା କବି ଆନନ୍ଦିତ ହୁଏ ଓ ଯଶସ୍ୱୀ ହୁଏ । ସେହି ଦୃଷ୍ଟିରୁ ରସକଲ୍ଲୋଳକୁ ଏକ ଉତ୍ତମ କାବ୍ୟରୂପେ ଗ୍ରହଣ କରାଯାଇପାରେ ॥

 

ସହାୟକ ସୂଚୀ -

୧.

ସାହିତ୍ୟ ଦର୍ପଣ - ସମ୍ପାଦକ, ଆଚାର୍ଯ୍ୟ କୃଷ୍ଣମୋହନ ଶାସ୍ତ୍ରୀ, ଚୌଖମ୍ବା, ୧୯୬୭

୨.

ରସକଲ୍ଲୋଳ

 

 

କୋଟିତୀର୍ଥ ଲେନ୍‌ ।

କେଦାରଗୌରୀ, ଭୁବନେଶ୍ୱର

 

***

 

ଓଡ଼ିଆ ସମାଲୋଚନା ସାହିତ୍ୟର ଆଦିପର୍ବ: ଏକ ଦୃଷ୍ଟିପାତ

ଡକ୍ଟର ପ୍ରସନ୍ନ କୁମାର ସ୍ୱାଇଁ

 

ମୌଳିକ ସାହିତ୍ୟ ଓ ସମାଲୋଚନା ପରସ୍ପର ପରିପୂରକ ଓ ଆପେକ୍ଷିକ । ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ପ୍ରଥମେ ସାହିତ୍ୟର ସୃଷ୍ଟି ଏବଂ ସମାଲୋଚନା ସେହି ସୃଷ୍ଟିର ଅନୁଗାମୀ । ସମାଲୋଚନା ସୃଷ୍ଟିକୁ ସଂଜତ, ଶୃଙ୍ଖଳିତ, ପରିମାର୍ଜିତ, ପରିବର୍ଦ୍ଧିତ, ସୁନିୟନ୍ତ୍ରିତ ଓ ଉନ୍ନତ କରିଥାଏ । ସମଲୋଚନା ପାଠକ ଓ ମୌଳିକ ସୃଷ୍ଟି ମଧ୍ୟରେ ଯୋଗସୂତ୍ର ସ୍ଥାପନ କରେ । ସାହିତ୍ୟର ଯଥାର୍ଥ ମୂଲ୍ୟାବଧାରଣ ପ୍ରକ୍ରିୟା ହିଁ ସମାଲୋଚନା । ମୂଳ ସୃଷ୍ଟିର ସ୍ଵରୂପ ବିଚାର ଓ ସୃଷ୍ଟି ସୌନ୍ଦର୍ଯ୍ୟର ଉତ୍କର୍ଷ ଅପକର୍ଷ ନିରୂପଣ ହେଉଛି ସମାଲୋଚନାର ମୂଳ ଧର୍ମ । ସୁତରାଂ ପକ୍ଷପାତ ବିହୀନ ସମୀକ୍ଷା ସହିତ ସାହିତ୍ୟର ଦୋଷ ଗୁଣ ନିରୂପଣ ହେଉଛି ଯଥାର୍ଥରେ ସମାଲୋଚନାର ବୈଶିଷ୍ଟ୍ୟ ।

 

ଉନବିଂଶ ଶତକର ଦ୍ୱିତୀୟ ଭାଗରେ ହିଁ ଯଥାର୍ଥରେ ଓଡ଼ିଆ ସମାଲୋଚନା ସାହିତ୍ୟର ଆରମ୍ଭ ଓ ବିକାଶ ହୋଇଥିଲା । ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କରିଥିଲେ ହେଁ ଇଂରେଜଭାଷା ଶିକ୍ଷା ଲାଭ କରିବାକୁ ଓଡ଼ିଶାର ଜନସାଧାରଣଙ୍କୁ ଆହୁରି ତିରିଶ ପଇଁତିରିଶ ବର୍ଷ ଲାଗି ଯାଇଥିଲା । ୧୮୩୭ ମସିହାରେ ଓଡ଼ିଶାରେ ପ୍ରଥମେ ‘‘ଓଡ଼ିଶା ମିଶନ୍‌ ପ୍ରେସ’’ ସ୍ଥାପିତ ହୋଇ ଖ୍ରୀଷ୍ଟଧର୍ମ ସଂକ୍ରାନ୍ତୀୟ ପୁସ୍ତିକା ସମେତ ଅନ୍ୟାନ୍ୟ ପୁସ୍ତକ ଛପା ଯାଇଥିଲା । ୧୮୪୯ ମସିହାରେ ରେଭେରେଣ୍ଡ ସି.ଲେସୀଙ୍କ ସମ୍ପାଦନାରେ ଓଡ଼ିଶାର ପ୍ରଥମ ମୁଦ୍ରିତ ଓଡ଼ିଆ ପତ୍ରିକା ‘ଜ୍ଞାନାରୁଣ’ ପ୍ରକାଶ ପାଇଥିଲା । ୧୮୬୬ ମସିହାରେ ଓଡ଼ିଶାରେ ଦେଖା ଦେଇଥିଲା ନଅଙ୍କ ଦୁର୍ଭିକ୍ଷ । ୧୮୬୮-୬୯ ମସିହାରେ ବାଲେଶ୍ଵର ଜିଲ୍ଲା ସ୍କୁଲର ଜନୈକ ବଙ୍ଗାଳୀ ପଣ୍ଡିତ ଶ୍ରୀ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ 'ଉଡ଼ିୟା ସ୍ଵତନ୍ତ୍ର ଭାଷା ନୟ’’ ନାମରେ ଏକ ପୁସ୍ତିକା ପ୍ରକାଶ କରି ଓଡ଼ିଶାରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାକୁ ଓଡ଼ିଶାର ମାତୃଭାଷା କରିବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । ଇଂରେଜମାନଙ୍କର ଓଡ଼ିଶା ଆଗମନ ଓ ଓଡ଼ିଶାରେ ଇଂରେଜ ଶିକ୍ଷାର ପ୍ରଚଳନ ହିଁ ଦୀର୍ଘଦିନ ଧରି ପରାଧୀନତା ମଧ୍ୟରେ ଥିବା ଓଡ଼ିଆମାନଙ୍କର ଚକ୍ଷୁ ଖୋଲି ଦେଇଥିଲା । ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ଭାଷା ବିଲୋପ ପାଇଁ ହୋଇଥିବା କୂଟ ଚକ୍ରାନ୍ତ ପ୍ରଥମେ ଓଡ଼ିଶାର ବିକାଶ ପଥରେ ପ୍ରତିବନ୍ଧକ ସୃଷ୍ଟି କରିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଓଡ଼ିଶାର ଜନସାଧାରଣଙ୍କୁ ସଚେତନ କରି ଦେଇଥିଲା । ଅବଶ୍ୟ ଏହା ପୂର୍ବରୂ ଐତିହାସିକ ଷ୍ଟାର୍ଲିଂ ଓଡ଼ିଆ ଭାଷାର ସ୍ଵରୂପ ସଂକ୍ରାନ୍ତରେ ସମାଲୋଚନା ପୁସ୍ତକ ପ୍ରକାଶ କରି ସାରିଥିଲେ । ମାତ୍ର ସେ ଓଡ଼ିଶାର ସାହିତ୍ୟ ବା ସାମାଜିକ ପାଣିପାଗ ସହିତ ଓତପ୍ରୋତ ଭାବେ ଜଡ଼ିତ ହୋଇନଥିବାରୁ ଓଡ଼ିଆ ସାହିତ୍ୟର ଯଥାର୍ଥ ମୂଲ୍ୟାଙ୍କନ କରିପାରିନଥିଲେ । ଅନୂରୂପ ଭାବେ ହଣ୍ଟର ସାହେବ ସାରଳା ଦାସ, ଜଗନ୍ନାଥ ଦାସ, ଉପେନ୍ଦ୍ର ଭଂଜ ପ୍ରଭୃତିଙ୍କୁ ଗୋଟିଏ ଶତାବ୍ଦୀର ସ୍ରଷ୍ଟା ଭାବେ ଗ୍ରହଣ କରିଥିଲେ । ଐତିହାସିକ ଷ୍ଟାର୍ଲିଂ ଓଡ଼ିଆ ଭାଷା ଓ ସାହିତ୍ୟ ସମ୍ପର୍କରେ ମନ୍ତବ୍ୟ ଦେଇ କହିଥିଲେ ଯେ - ‘‘ଓଡ଼ିଆ ଭାଷା ସଂସ୍କୃତିର ଏକ ଉପଭାଷା ଓ ବଙ୍ଗଳା ସହ ଏହାର ନିବିଡ଼ ସମ୍ପର୍କ ରହିଛି । ବଙ୍ଗଦେଶ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଓଡ଼ିଆ ଭାଷା ବ୍ୟବହାର ଶୁଦ୍ଧ । କାଞ୍ଚିକାବେରୀ ପୋଥି ଛଡ଼ା ଓଡ଼ିଆରେ ଅନ୍ୟ କୌଣସି ଲକ୍ଷ୍ୟଣୀୟ ମୌଳିକ ରଚନା ନାହିଁ । ୧୮୬୮ ଖ୍ରୀଷ୍ଟାଦ୍ଦରେ କଟକ ଡିବେଟିଂ କ୍ଲବ୍‌ରେ ଭାଷଣ ଦେଇ ରାଜେନ୍ଦ୍ର ଲାଲ ମିତ୍ର ଓଡ଼ିଆ ଭାଷା ଓ ସାହିତ୍ୟ ସଂପର୍କରେ କହିଥିଲେ ଯେ - ‘‘ଏକ ମିଥ୍ୟା ଜାତୀୟଭାବ ବା ଜାତୀୟତା ନାମରେ ପ୍ରତ୍ୟେକ ଜିନିଷ ପ୍ରତି ଅନ୍ଧ ଅନୁରାଗ ଜାତିର ପ୍ରକୃତ ଉନ୍ନତି ଦିଗରେ ଘୋର କ୍ଷତିକାରକ । ଓଡ଼ିଆମାନଙ୍କର କ୍ଷୁଦ୍ର ଉପଭାଷାକୁ ଏକ ସ୍ଵତନ୍ତ୍ର ଭାଷାରେ ପରିଣତ କରିବାର ଉଦ୍ୟମ ହିଁ ସେମାନଙ୍କର ବହୁ କ୍ଷତି କରୁଛି ।

 

ଇଂରେଜ ଶାସକମାନଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଏପରି ରୁକ୍ଷ ମନୋଭାବ ଓ କଟୂକ୍ତି ଦୁର୍ଭିକ୍ଷ ପ୍ରପୀଡ଼ିତ ଓଡ଼ିଆମାନଙ୍କୁ ଖୁବ୍‌ ବାଧିଥିଲା । ଫଳତଃ ସମସ୍ତ ଓଡ଼ିଆମାନଙ୍କୁ ସଚେତନ କରି ଓଡ଼ିଆ ଭାଷାକୁ ରକ୍ଷା କରିବା ପାଇଁ କର୍ମବୀର ଗୌରୀଶଙ୍କରଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ‘ଉତ୍କଳ ଦୀପିକା’ (୧୮୬୬) । ଓଡ଼ିଶାର ଏହିପରି ଏକ ସନ୍ଧିକ୍ଷଣରେ ବଙ୍ଗାଳୀ ଓ ବିଦେଶୀ ଶାସକଙ୍କର ସମସ୍ତ ଅପକୌଶଳକୁ ଦୀପିକା ହିଁ ପଦାରେ ପକାଇ ଓଡ଼ିଆ ଭାଷାର ପ୍ରାଚୀନତା ପ୍ରତିପାଦନ କରିବାକୁ ସମର୍ଥ ହୋଇଥିଲା । ଓଡ଼ିଶାରୁ ଓଡ଼ିଆ ଭାଷାକୁ ଉଠାଇ ଦେବାକୁ ବାଲେଶ୍ଵର ଜିଲ୍ଲା ସ୍କୁଲରେ ଅବସ୍ଥାପିତ ବଙ୍ଗାଳୀ ପଣ୍ଡିତ ଶ୍ରୀ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ ସମେତ ବହୁ ବିଦେଶୀ ଯେଉଁ ଚକ୍ରାନ୍ତ ଆରମ୍ଭ କରିଥିଲେ, ତାହାକୁ ତତ୍‌କାଳୀନ କମିଶନର ଗୋଲଡ଼୍‌ସବରୀ ଲକ୍ଷ୍ୟ କରି କହିଥିଲେ - ‘‘ଉଚ୍ଚ ଶିକ୍ଷାବିତ୍‌ମାନେ କହନ୍ତି ଯେ ଓଡ଼ିଆ ଭାଷା ସଂସ୍କୃତ ଭାଷାର ଗୋଟିଏ ଶୁଦ୍ଧ ଉପଭାଷା । ବଙ୍ଗଭାଷା ସହିତ ଏହାର ବହୁ ସାମ୍ୟ ଥିଲେ ସୁଦ୍ଧା ଏହା ବଙ୍ଗଳାରୁ ଉଦ୍‌ଭୂତ ନୁହେଁ । ଏହା ୨୦/୩୦ ଲକ୍ଷ ଓଡ଼ିଆଙ୍କର କଥିତ ଭାଷା । ସୁବର୍ଣ୍ଣରେଖାଠାରୁ ଗଞ୍ଜାମର ଦକ୍ଷିଣକୁ ୪୫ ମାଇଲ୍‌ ପର୍ଯ୍ୟନ୍ତ ଭୂଭାଗ, କଟକ ଟ୍ରିବ୍ୟୁଟାରୀ ମାହାଲ ଓ ମାନ୍ଦ୍ରାଜର କେତେକ ବଡ଼ ବଡ଼ ଜମିଦାରୀମାନଙ୍କରେ ଏ ଭାଷା ପ୍ରଚଳିତ । ଏପରି ଭାଷା ଲୋପ ପାଇଯିବା କିମ୍ବା ଏହାର ଲିପି ପରିବର୍ତ୍ତିତ ହେବା ଓ ଉଭୟକଥା ସମ୍ପୂର୍ଣ୍ଣ ମୂଲ୍ୟହୀନ । ଓଡ଼ିଶାରେ ଓଡ଼ିଆ ପରିବର୍ତ୍ତେ ବଙ୍ଗଭାଷା ପ୍ରଚଳନ କରିବା ଅତ୍ୟନ୍ତ ଆପତ୍ତିଜନକ ଓ ନୀତି ଅନୁସୃତ ହେଲେ ବଙ୍ଗ ଦେଶର ଲୋକେ ଓଡ଼ିଶାରେ ଓଡ଼ିଆମାନଙ୍କୁ ବିତାଡ଼ିତ କରି ଚାକିରି ପାଇବାର ସୁଯୋଗ ଲାଭ କରିବେ ।’’(୧) ଓଡ଼ିଆ ଭାଷାକୁ ଏପରି ଏକ ସଙ୍କଟରୁ ରକ୍ଷା କରିବାପାଇଁ ମଧ୍ୟ ଏହପିରି ଏକ ଅନୁକୂଳ ମନ୍ତବ୍ୟ ଦେଇଥିଲେ ଆମର ପରମ ହିତୈଷୀ କମିଶନର ରେଭେନ୍‌ସା ସାହେବ । ତାଙ୍କ ସମ୍ପର୍କରେ ଉତ୍କଳ ଦୀପିକା ଲେଖି‌ଥିଲା ‘‘ଶ୍ରୀଯୁକ୍ତ କମିଶନର ରେଭେନ୍‌ସା ସାହେବ ଆମର ହିତୈଷୀ ଅଟନ୍ତି । ତାଙ୍କର ହିତ ଚେଷ୍ଟାରେ ଏ ଦେଶର ଏପର୍ଯ୍ୟନ୍ତ ଉନ୍ନତି ସାଧନ ହେଉଅଛି; ନହେଲେ ଗତ ସମ୍ପସ୍‌ରରେ ଏସ୍ଥାନର କର୍ମକାରକ ବଙ୍ଗଦେଶୀୟମାନେ ଯେପରି ଚେଷ୍ଟା କରିଥିଲେ ଆଜି ପର୍ଯ୍ୟନ୍ତ ଉତ୍କଳ ଭାଷାର ନାମ ନଥାନ୍ତା । ଏହି ଉତ୍କଳ ଭାଷା ଅରକ୍ଷିତ ହୋଇ ଦେଶ ତ୍ୟାଗର ଉନ୍ମୁଖୀ ହୋଇଥିଲା । କେବଳ ଉକ୍ତ ସାହେବ ମହୋଦୟଙ୍କ ସାହାଯ୍ୟରେ ନିଜ ଦେଶର ଅନୁରାଗିଣୀ ହୋଇ ରହିବାର ଇଚ୍ଛା କରିଅଛି । କିନ୍ତୁ ଦୁଃଖର ବିଷୟ ଏହି ଯେ ଏ କର୍ମର ଅଧ୍ୟକ୍ଷତା ବଙ୍ଗଦେଶୀୟ ବ୍ୟକ୍ତିଙ୍କ ହସ୍ତରେ ଅର୍ପଣ ହୋଇଅଛି । ଏଣୁକରି ଆମ୍ଭମାନଙ୍କର ବିଶ୍ଵାସ ହେଉନାହିଁ ଯେ ଉତ୍କଳ ଭାଷାର ଶୀଘ୍ର ଉନ୍ନତି ହେବ ଯେହେତୁ ଭାଷାରେ ବ୍ୟବହାର ଅଛି କି ‘‘ଯେ ଘରପୋଡ଼ି ଦିଅଇ, ସେ ଘର ତୋଳିବା ସରଞ୍ଜାମ ଦିଅଇ ନାହିଁ । ତେଣୁ ପ୍ରକାଶ ଯେ, ଯେଉଁମାନେ ଉତ୍କଳ ଭାଷାକୁ ଘୃଣା କରନ୍ତି ଏବଂ ଉତ୍କଳ ପଣ୍ଡିତମାନଙ୍କୁ ଘୃଣା କରନ୍ତି ତାହାଙ୍କଦ୍ୱାରା ଯେ ଏ ଦେଶର ଉନ୍ନତି ହେବ ଏ କଦାଚ ସମ୍ଭବ ହେଉନାହିଁ ’’। (୨)

 

(୧)

ଡଃ. ନଟବର ସାମନ୍ତରାୟ, ଆଧୁନିକ ଓଡ଼ିଆ ସାହିତ୍ୟ, ପୃ - ୨୧୪ ।

(୨)

ଉତ୍କଳ ଦୀପିକା, ୪ର୍ଥ ଭାଗ/୩ୟ ସଂ. -ତା ୧୬/୧/୧୮୬୯ ।

 

ଉନବିଂଶ ଶତକର ଦ୍ୱିତୀୟାର୍ଦ୍ଧ ବେଳକୁ ଓଡ଼ିଆ ଭାଷାକୁ କେନ୍ଦ୍ର କରି ବିଭିନ୍ନ ବୁଦ୍ଧିଜୀବୀ ଓ ଅଣଓଡ଼ିଆ ଇଂରେଜମାନଙ୍କ ମଧ୍ୟରେ ଯେଉଁ ଯୁକ୍ତି ପ୍ରତିଯୁକ୍ତି ଆରମ୍ଭ ହୋଇଥିଲା, ତାହାକୁ ନେଇ ଗୌରୀଶଙ୍କର ରାୟଙ୍କର ଦୀପିକାରୁ ହିଁ ଆରମ୍ଭ ହୋଇଥିଲା ଓଡ଼ିଆ ସମାଲୋଚନା ସାହିତ୍ୟର ଆଦିପର୍ବ । ‘ଉତ୍କଳ ଦୀପିକା’ ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ସାମିଲ ହୋଇଥିଲେ ‘ଉତ୍କଳ ଦର୍ପଣ’ (୧୯୭୩), ଉତ୍କଳ ମଧୁପ (୧୮୭୮), ନବ ସମ୍ବାଦ (୧୮୮୭), ଓଡ଼ିଆ ନବ ସମ୍ବାଦ (୧୮୮୮), ସମ୍ବଲପୁର ହିତୈଷିଣୀ (୧୮୮୯), ଉତ୍କଳ ପ୍ରଭା (୧୮୯୧), ଉତ୍କଳ ସାହିତ୍ୟ (୧୮୯୭) ପ୍ରଭୃତି ପତ୍ରପତ୍ରିକା ।

 

‘ଉତ୍କଳ ଦୀପିକା’ ଓ ‘ସମ୍ବାଦ ବାହିକା’ରେ ଓଡ଼ିଆ ଭାଷାକୁ କେନ୍ଦ୍ରକରି ଯେଉଁ ଆଲୋଚନା ଓ ସମାଲୋଚନାମାନ ପ୍ରକାଶ ପାଇଥିଲା, ତାହାଥିଲା ସମ୍ବାଦଧର୍ମୀ ଓ ଗଠନମୂଳକ ସମାଲୋଚନା-। କାରଣ ଦୀର୍ଘ ଶହ ଶହ ବର୍ଷ ଧରି ପରାଧୀନତା ମଧ୍ୟରେ କାଳାତୀପାତ କରୁଥିବା ଓଡ଼ିଆମାନଙ୍କର କର୍ଣ୍ଣ କୂହରରେ ଜାତୀୟତାର ମନ୍ତ୍ରଦେବା ଉଭୟ ପତ୍ରିକାର ମୁଖ୍ୟ ଉଦ୍ଦେଶ୍ୟ ଥିଲା-। ଯେଉଁ ଉତ୍କଳର ସୀମା ଏକଦା ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ତାହା ଊନବିଂଶ ଶତକର ଦ୍ୱିତୀୟଭାଗ ବେଳକୁ ମାତ୍ର ତିନୋଟି ଜିଲ୍ଲା ମଧ୍ୟରେ ସଙ୍କୁଚିତ ହୋଇଯାଇଥିଲା । ପୁନଶ୍ଚ ମାନବୀକୃତ କୃତ୍ରିମ ନଅଙ୍କ ଦୁର୍ଭିକ୍ଷ ସୃଷ୍ଟି ସହିତ ଓଡ଼ିଆ ଭାଷାକୁ ଓଡ଼ିଆଙ୍କ ମୁହଁରୁ ଛଡ଼ାଇନେବାର ଯେଉଁ ହୀନ ଉଦ୍ୟମ ଆରମ୍ଭ ହୋଇଥିଲା ସେହି ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ସେମାନଙ୍କୁ ଜାଗ୍ରତ କରିବାପାଇଁ ଦୀପିକାର ସମ୍ପାଦକ ଗୌରୀ ଶଙ୍କର ରାୟ ପ୍ରତିଜ୍ଞାବଦ୍ଧ ହୋଇଥିଲେ । ତେଣୁ ଦେଶଗଠନ ପତ୍ରିକାଟିର ମୂଳ ଲକ୍ଷ୍ୟ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାସାହିତ୍ୟର ସୁରକ୍ଷା ଓ ଏହାର ଭିତ୍ତି ଭୂମି ଦୃଢ଼ କରିବା ପତ୍ରିକାର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଦୀପିକାର ୧୮୬୭ ଫେବୃୟାରୀ ମାସ ୨୪ ତମ ସଂଖ୍ୟାରେ ‘କସ୍ୟଚିତ୍‌ ବିଚାରକସ୍ୟ’ଙ୍କ ପ୍ରେରିତ ପତ୍ରରେ ସେନାପତି ଫକୀର ମୋହନଙ୍କର ପ୍ରାଥମିକ ସାହିତ୍ୟ ସୃଷ୍ଟି ସମ୍ପର୍କରେ ପ୍ରକାଶିତ ସମାଲୋଚନାତ୍ମକ ପତ୍ରଟି ହେଉଛି ଯଥାର୍ଥରେ ଓଡ଼ିଆ ସମାଲୋଚନା ସାହିତ୍ୟର ଆଦିରୂପ । ଏ ସମ୍ପର୍କରେ ପରବର୍ତ୍ତୀ କାଳରେ ଦୀପିକାକୁ ପୁନଃ ସଂପାଦନା କରି ପ୍ରଫେସର ଡକ୍ଟର ବଂଶ୍ରୀଧର ମହାନ୍ତି କହନ୍ତି -‘‘୧୮୬୭ ମସିହାରୁ ଓଡ଼ିଆ ସମାଲୋଚନା ସାହିତ୍ୟର ସୃଷ୍ଟି ଘଟିଛି । ଆଲୋଚିତ ପତ୍ର ଦୁଇଟି ମଧ୍ୟରେ ଓଡ଼ିଆ ଭାଷାର ତତ୍ତ୍ୱମୂଳକ ସମାଲୋଚନା ପ୍ରକାଶିତ ହୋଇଛି । ଏହି ସମାଲୋଚନାଗୁଡ଼ିକ ଅତି ଗୁରୁତ୍ୱପୂର୍ଣ, କାରଣ ଏସବୁ ସମାଲୋଚନାରୁ କ୍ରମେ ଓଡ଼ିଆ ଭାଷା ଜାତି-ପ୍ରେମର ଉତ୍ପତ୍ତି ହୋଇଛି । ଓଡ଼ିଆ ଭାଷା ସ୍ଵତନ୍ତ୍ର ଭାଷା ଓ ତାହାର ବୀଜ ଏହି ସମାଲୋଚନା ମୂଳକ ପତ୍ରଗୁଡ଼ିକରେ ରହିଛି । ଓଡ଼ିଆ -ଭାଷା - ସାହିତ୍ୟର ଗଭୀର ପ୍ରେମରେ ସେତେବେଳେ ସମାଲୋଚକଗଣ ଉଦ୍‌ବୁଦ୍ଧ ହୋଇ ଯେଉଁ ବିରାଟ ଜାତୀୟ ଆନ୍ଦୋଳନ ସୃଷ୍ଟି କରିଥିଲେ, ତାହା ଫଳରେ ଓଡ଼ିଆ ଭାଷା ଏକ ପ୍ରଗତିମୂଳକ ସ୍ଵତନ୍ତ୍ର ପଥରେ ଗତି କରି ଚାଲିଲା । ତେଣୁ ଏହି ଆଦ୍ୟ ସମାଲୋଚନାଗୁଡ଼ିକ ଆଧୁନିକ ଓଡ଼ିଆ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଯେ ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ୍‌ ତାହା ଯେ କୌଣସି ବ୍ୟକ୍ତି ସ୍ଵୀକାର କରିବେ । (୩) ମାତ୍ର ପରବର୍ତ୍ତୀ କାଳରେ ଉତ୍କଳ ଦର୍ପଣ, ଉତ୍କଳ ମଧୁପ, ନବ ସମ୍ବାଦ, ଉତ୍କଳ ପ୍ରଭା, ଉତ୍କଳ ସାହିତ୍ୟ, ଇନ୍ଦ୍ରଧନୁ, ବିଜୁଳି ପ୍ରଭୃତି ପତ୍ରପତ୍ରିକା ମାଧ୍ୟମରେ ଓଡ଼ିଆ ସମାଲୋଚନା ସାହିତ୍ୟର ଆଦିପର୍ବ ପୁଷ୍ଟ ହୋଇଥିଲା ।

 

(୩)

ଡଃ. ବଂଶୀଧର ମହାନ୍ତି - ସାହିତ୍ୟ ପତ୍ର (ସାହିତ୍ୟ ତତ୍ତ୍ୱ ବିଶେଷାଙ୍କ), ଓଡ଼ିଆ ବିଭାଗ, ରେଭେନ୍‌ସା କଲେଜ, ପୃ. ୭/୮ ।

 

ଏହିକାଳରେ ଓଡ଼ିଆ ସମାଲୋଚନା ସାହିତ୍ୟର ବିକାଶ କ୍ଷେତ୍ରରେ କମିଶନର ଜନ ବୀମ୍‌ସଙ୍କ ଅବଦାନ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ତାଙ୍କର Folk-lore of Orissa (June & July, 1972), The Indigenous literature of Orissa (March, 1972) ଏବଂ Notes on the Rasakallola (July & October, 1872) ପ୍ରଭୃତି ‘Indian Antiquary’ ରେ ପ୍ରକାଶିତ ପ୍ରବନ୍ଧ ମଧ୍ୟରେ ସେ ଓଡ଼ିଆ ସାହିତ୍ୟର ବିଶ୍ଲେଷଣାତ୍ମକ ଆଲୋଚନା କରି ଓଡ଼ିଆ ଭାଷା ସାହିତ୍ୟର ପ୍ରାଚୀନତା ସମ୍ପର୍କରେ ସୁଧୀବର୍ଗଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ‘‘The Indigenous Literature’’ ପ୍ରବନ୍ଧ ମଧ୍ୟରେ ସେ ଓଡ଼ିଆ ଭାଷାକୁ ଭାଷାତାତ୍ତ୍ୱିକ ଦୃଷ୍ଟିକୋଣରୁ ଆଲୋଚନା କରିଥିଲେ । ‘‘Notes on the Rasakallola’’ ପ୍ରବନ୍ଧରେ ସେ ଦୀନକୃଷ୍ଣ ଦାସଙ୍କର ସମୟ, କାଳ ଓ କଳା କୁଶଳତା ସମ୍ପର୍କରେ ଏକ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ରସକଲ୍ଲୋଳ କାବ୍ୟରେ ଦୀନକୃଷ୍ଣ ଓଡ଼ିଆ ଭାଷା-ସାହିତ୍ୟ ଓ ସଂଗୀତର ଯେଉଁ ସ୍ୱର ଝଂକାର ସୃଷ୍ଟି କରିଥିଲେ ତାହା ବିଦେଶୀ ସମାଲୋଚକ ଜନ୍‌ ବୀମ୍‌ସଙ୍କ ପ୍ରାଣକୁ ଗଭୀରଭାବେ ସ୍ପର୍ଶ କରିଥିଲା । ମନମୋହନ ଚକ୍ରବର୍ତ୍ତୀ ବାଲେଶ୍ଵରରେ ଡେପୁଟୀ ମାଜିଷ୍ଟ୍ରେଟ ଥିବାବେଳେ ଓଡ଼ିଆ ଭାଷା ଓ ବର୍ଣ୍ଣମାଳା, ଧର୍ମାଶ୍ରିତ ପଦ୍ୟ ସାହିତ୍ୟ, ଓଡ଼ିଆ କାବ୍ୟକାର ପ୍ରଭୃତି ଉପରେ ବିଶ୍ଲେଷଣ କରି ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ଓଡ଼ିଆ ସଂଗୀତ ଓ ଧର୍ମାଶ୍ରିତ ପଦ୍ୟ ସାହିତ୍ୟ ପ୍ରସଙ୍ଗରେ ନିଜସ୍ଵ ମତ ପ୍ରଦାନ ପୂର୍ବକ ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ ପ୍ରଭୃତିଙ୍କ ପୁରାଣ ସାହିତ୍ୟ ସହିତ ଉପେନ୍ଦ୍ର ଭଂଜ, ଦୀନକୃଷ୍ଣ, କବିସୂର୍ଯ୍ୟ ବଳଦେବ ରଥ, ଭକ୍ତ ଚରଣ, ବିଶ୍ଵନାଥ ଖୁଣ୍ଟିଆ, ଭୂପତି ପଣ୍ଡିତ ପ୍ରଭୃତି ପ୍ରାଚୀନ ଓ ମଧ୍ୟଯୁଗୀୟ କବିଙ୍କ କୃତିର ଯଥାଯଥ ଓ ଶୃଙ୍ଖଳିତ ଆଲୋଚନା ହେଉଛି ମନମୋହନ ଚକ୍ରବର୍ତ୍ତୀଙ୍କ ଆଲୋଚନାର ବିଶିଷ୍ଟ ଦିଗ । ତାଙ୍କର ଏହି ଆଲୋଚନା ପରବର୍ତ୍ତୀ କାଳରେ ଓଡ଼ିଆ ସମାଲୋଚନା ସାହିତ୍ୟର ନୂତନ ଦିଗନ୍ତ ଉନ୍ମୋଚନ କରିଥିଲା ।

 

ଏହି ସମୟରେ ଓଡ଼ିଆ ସମାଲୋଚନା ସାହିତ୍ୟର ଧାରା ବିଶିଷ୍ଟ ସମାଲୋଚକ ଡକ୍ଟର ଶ୍ରୀନିବାସ ମିଶ୍ରଙ୍କ ଦୃଷ୍ଟିରେ ଥିଲା - ‘ମୁଖ୍ୟତଃ ପାଞ୍ଚ ଭାଗରେ ବିଭକ୍ତ, ଯଥା: ‘ଓଡ଼ିଆ ଭାଷା ଓ ସାହିତ୍ୟର ସାଧାରଣ ପରିସ୍ଥିତି ବିଶ୍ଲେଷଣ’, ଓଡ଼ିଆ ପୁସ୍ତକ’, ଓଡ଼ିଆ ଭାଷା, ଶିରୋନାମାରେ ପ୍ରଚଳିତ ପାଠ୍ୟ ପୁସ୍ତକ ଆଲୋଚନା । ସମକାଳୀନ ପ୍ରକାଶିତ ପୁସ୍ତକ ସମୀକ୍ଷା, ପ୍ରାଚୀନ ଓ ଆଧୁନିକ ସାହିତ୍ୟର ଦ୍ୱନ୍ଦ୍ୱ ଓ ସାହିତ୍ୟ ଇତିହାସ ରଚନାର କ୍ଷୀଣ ପ୍ରୟାସ ମଧ୍ୟ ଦେଇ ସମାଲୋଚନା ସାହିତ୍ୟର ଉପାଦେୟତା ।’’ (୪)

 

(୪)

ଡକ୍ଟର ଶ୍ରୀନିବାସ ମିଶ୍ର, ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟ (ପ୍ର.ସଂ.), ପୃ ୪୩୮/୪୩୯

 

ଏହି ସମୟରେ ଓଡ଼ିଆ ସାହିତ୍ୟର ପରିସ୍ଥିତି ବିଶ୍ଲେଷଣ କରି ଓଡ଼ିଆ ଭାଷାକୁ ସଙ୍କଟ ମୁଖରୁ ରକ୍ଷା କରିବା କ୍ଷେତ୍ରରେ ଐତିହାସିକ ପ୍ୟାରୀମୋହନଙ୍କ ନାମ ସର୍ବାଗ୍ରେ ସ୍ମରଣୀୟ । ଏହି ଉଦ୍ଦେଶ୍ୟରେ ତାଙ୍କର ସମକାଳୀନ ଉତ୍କଳ ସାହିତ୍ୟ, ସମ୍ବାଦ ବାହିକା, ସେବକ, ନବ ସମ୍ବାଦ ପ୍ରଭୃତିରେ ବହୁ ସମାଲୋଚନାତ୍ମକ ପ୍ରବନ୍ଧ ପ୍ରକାଶିତ । ପୁନଶ୍ଚ ଓଡ଼ିଆ ଭାଷାରେ ପାଠ୍ୟ ପୁସ୍ତକର ଅଭାବ ଦୂରକରିବା ପାଇଁ ଏହି ସମୟରେ ଯେଉଁ ପାଠ୍ୟପୁସ୍ତକ ସବୁ ରଚିତ ହୋଇଥିଲା ତାହାର ସମୀକ୍ଷାତ୍ମକ ଆଲୋଚନା ଉତ୍କଳଦର୍ପଣ, ଉତ୍କଳମଧୁପ, ନବସମ୍ବାଦ, ସମ୍ବାଦବାହିକା ପ୍ରଭୃତି ପତ୍ରିକାରେ ପ୍ରକାଶ ପାଇଥିଲା । ଏତଦ୍‌ ବ୍ୟତୀତ ରାଧାନାଥ ରାୟଙ୍କର ‘ନନ୍ଦିକେଶ୍ଵରୀ’, ପାର୍ବତୀ, କାବ୍ୟ, ଜଗନ୍ମୋହନ ଲାଲାଙ୍କର ‘ସତୀ’ ନାଟକ, ରାମଶଙ୍କରଙ୍କର ‘ରାମ ବନବାସ’, ‘କଳିକାଳ’ ପ୍ରଭୃତି ନାଟକ, ନୀଳମଣି ବିଦ୍ୟାରତ୍ନଙ୍କର ‘ସମ୍ବଲପୁର ବରପାଲୀର ଇତିହାସ’, ‘ବାମଣ୍ଡାର ମହାରାଜା’, ସାହିତ୍ୟ ଓ ସଂସ୍କୃତି ପ୍ରେମୀ ସୁଢ଼ଳ ଦେବଙ୍କର ‘ଅଳଙ୍କାର ବୋଧୋଦୟ’ ପ୍ରଭୃତିର ଆଲୋଚନା ସମକାଳୀନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଓଡ଼ିଆ ପାଠକଙ୍କର ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିଥିଲା । ମାତ୍ର ଏସବୁ ଆଲୋଚନା ମଧ୍ୟରେ ଆଲୋଚକମାନେ ବିଷୟବସ୍ତୁର ସଂକ୍ଷିପ୍ତ ସୂଚନା ବ୍ୟତୀତ ଅନ୍ୟ କୌଣସି ଦିଗରୁ ଏହାକୁ ସମୃଦ୍ଧ କରିପାରୁନଥିଲେ । ଏସବୁ ଆଲୋଚନାରେ ଅନେକ ସ୍ଥଳରେ ଭାଷା ଗୁମ୍ଫନରେ ଅସଙ୍ଗତି, ବାକ୍ୟ ଗଠନରେ ଅନେକ ତ୍ରୁଟି ସହିତ ଅତି ସାଧାରଣ ପୁସ୍ତକର ଆଲୋଚନା କରିବାକୁ ସମାଲୋଚକମାନେ ପଶ୍ଚାଦ୍‌ପଦ ହେଉ ନଥିଲେ । ଫଳତଃ ୧୮୮୦ ମସିହାରେ ‘ସମ୍ବାଦ ବାହିକା’ର ୧୩ ଭାଗ ୨୫ ତମ ସଂଖ୍ୟାରେ ‘ସମାଲୋଚନାର ଅର୍ଥ କିସ ?’ ଶୀର୍ଷକ ଶିରୋନାମାରେ ସମାଲୋଚନା କିପରି ହେବା ଉଚିତ ଓ ଏହାର ସ୍ଵଧର୍ମ ଓ ଲକ୍ଷ୍ୟ କ’ଣ ସେ ସମ୍ପର୍କିତ ଏକ ଆଲୋଚନା ପ୍ରକାଶ ପାଇଥିଲା ।

 

ପରବର୍ତ୍ତୀ କାଳରେ ଉତ୍କଳ ପ୍ରଭା (୧୮୯୧) ହିଁ ଓଡ଼ିଆ ସମାଲୋଚନା ସାହିତ୍ୟକୁ ମାର୍ଜିତ ଓ ଶୃଙ୍ଖଳିତ ରୂପ ପ୍ରଦାନ କରିଥିଲା । ୧୮୭୦ ମସିହାର ଓଡ଼ିଆ ସାହିତ୍ୟ ସମାଲୋଚନାର ଧାରା ଯେପରି କେବଳ ପାଠ୍ୟପୁସ୍ତକ ଆଲୋଚନା, ପୁସ୍ତକର ଦୋଷ ଗୁଣ ନିର୍ଣ୍ଣୟ, ଭାଷା- ସାହିତ୍ୟର ଆତ୍ମ ସମୀକ୍ଷା ମଧ୍ୟରେ ସୀମିତ ଥିଲା, ସେଥିରୁ ଉତ୍କଳ ପ୍ରଭା ମୁକ୍ତ ହୋଇ ଓଡ଼ିଆ ସମାଲୋଚନାକୁ ନୂତନ ବିଭାରେ ମଣ୍ଡିତ କରିଥିଲା । ଏହି ପତ୍ରିକାରେ ବିଶିଷ୍ଟ ଐତିହାସିକ ଓ ଗବେଷକ ଶ୍ରୀଯୁକ୍ତ ବିଜୟ ଚନ୍ଦ୍ର ମଜୁମ୍‌ଦାର ସାହିତ୍ୟ ସମାଲୋଚନାକୁ ନୂତନ ଦୃଷ୍ଟିରେ ଆଲୋଚନା କରିଥିଲେ । ତାଙ୍କ ଦୃଷ୍ଟିରେ ସାହିତ୍ୟ ଅଧ୍ୟୟନ ଥିଲା ଚରିତ୍ର ଗଠନ ଓ ଜାତୀୟଜୀବନ ବିକାଶର ମୂଳଭୂମି । ଏହି କ୍ରମରେ ସେ ପ୍ରାଚୀନ ସାହିତ୍ୟ ସହିତ ଆଧୁନିକ ରାଧାନାଥ ମଧୁସୂଦନ ପ୍ରଭୃତିଙ୍କ କବିତାର ଆଲୋଚନା ପୂର୍ବକ ଓଡ଼ିଆସାହିତ୍ୟ ସମାଲୋଚନା କ୍ଷେତ୍ରରେ ଖୁବ୍‌ ଶୀଘ୍ର ନବ ସୂର୍ଯ୍ୟ ଉଦିତ ହେବ ବୋଲି ଆଶାବାଦୀ ହୋଇଥିଲେ । ତାଙ୍କ ଆଲୋଚନା ମଧ୍ୟରେ ସେ କ୍ଲିଷ୍ଟ ଶବ୍ଦ ବର୍ଜନ ସହିତ ଅଳଙ୍କାର ଓ ରସର ମାତ୍ରାଧିକ ବ୍ୟବହାରକୁ ମଧ୍ୟ ନାପସନ୍ଦ କରିଥିଲେ ।

 

ଉତ୍କଳ ପ୍ରଭାର ବିଭିନ୍ନ ସଂଖ୍ୟାରେ ବହୁ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଆଧୁନିକ ସାହିତ୍ୟ ବିଶେଷତଃ ରାଧାନାଥ, ମଧୁସୂଦନ ପ୍ରଭୃତିଙ୍କ କାବ୍ୟ- କବିତାକୁ ପ୍ରଶଂସା କରିଥିଲା ବେଳେ ପ୍ରଭାର ପ୍ରଥମ ଭାଗ ୯ମ ସଂଖ୍ୟାରୁ ୩ୟ ଭାଗ ୪ର୍ଥ ସଂଖ୍ୟା ପର୍ଯ୍ୟନ୍ତ ପ୍ରକାଶିତ ବିଭିନ୍ନ ଆଲୋଚନାତ୍ମକ ଲେଖାରେ ଆଲୋଚକ ଶ୍ରୀ ଲାଲା ରାମ ନାରାୟଣ ରାୟ, ଉପେନ୍ଦ୍ର ସାହିତ୍ୟକୁ ଅଶ୍ଳୀଳ କହି ଏହାର ଦୁର୍ବୋଧ୍ୟତା, ଶ୍ରୁତିକଟୁତା, ବ୍ୟାକରଣଗତ ଦୋଷ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏତଦ୍‌ଭିନ୍ନ ଉପେନ୍ଦ୍ର ଭଂଜଙ୍କ କାବ୍ୟ ଉତ୍କଟ ଶୃଙ୍ଗାର ରସଯୁକ୍ତ ହୋଇଥିବାରୁ ଏହା କାବ୍ୟ ମର୍ଯ୍ୟାଦା କ୍ଷୁଣ୍ଣ କରୁଛି ବୋଲି ତାଙ୍କର ମତ ଥିଲା । ତେଣୁ ଲାଲା ରାମ ନାରାୟଣଙ୍କର ଭଂଜ ସାହିତ୍ୟ ସଂପର୍କିତ ଏହି ଆଲୋଚନା ପରେ ସମକାଳୀନ ଓଡ଼ିଆ ପତ୍ରପତ୍ରିକା ମଧ୍ୟରେ ପ୍ରାଚୀନ ଓ ଆଧୁନିକ ସାହିତ୍ୟକୁ କେନ୍ଦ୍ର କରି ମସୀ ଯୁଦ୍ଧ ଆରମ୍ଭ ହୋଇଥିଲା ।

 

‘ଉତ୍କଳ ପ୍ରଭା’ରେ ପ୍ରକାଶିତ ଗବେଷକ ଓ ଐତିହାସିକ ଶ୍ରୀ ବିଜୟ ଚନ୍ଦ୍ର ମଜୁମ୍‌ଦାରଙ୍କ ‘ସାହିତ୍ୟ ଚର୍ଚ୍ଚା’, ‘ସମାଲୋଚନା’, ଅଭିନ୍ନ ନାୟକଙ୍କର ‘ଉତ୍କଳ କାବ୍ୟ ସମାଲୋଚନା’, ଗଣପତି ଦାସଙ୍କର ‘ଉତ୍କଳ ସାହିତ୍ୟ’, ଲାଲା ରାମ ନାରାୟଣ ରାୟଙ୍କର ‘କବି ଉପେନ୍ଦ୍ର ଭଂଜ’ ପ୍ରଭୃତି ସମାଲୋଚନାଗୁଡ଼ିକ ଆଧୁନିକ ସମାଲୋଚନାର ସମସ୍ତ ଦିଗକୁ ସ୍ପର୍ଶ କରିଥିଲା । ଏହି ସମାଲୋଚନାଗୁଡ଼ିକ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସମାଲୋଚନା ଦୃଷ୍ଟିକୋଣରୁ ଆଲୋଚିତ ହେବା ସଂଗେ ସଂଗେ ଏହି ଆଲୋଚନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ଯଥାର୍ଥ ଥିଲା । ପୁନଶ୍ଚ ପ୍ରଭାର ସମସ୍ତ ଆଲୋଚକ ଆଧୁନିକ ଶିକ୍ଷା ପ୍ରାପ୍ତ ହୋଇଥିବାରୁ ସେମାନେ ତାଙ୍କର ପ୍ରାୟ ସମସ୍ତ ସାହିତ୍ୟାଲୋଚନାକୁ ସୁଚିନ୍ତିତ, ଯୁକ୍ତିମୂଳକ ଓ ବିଶ୍ଲେଷଣାତ୍ମକ କରିଥିଲେ । ତେଣୁ ଉତ୍କଳଦୀପିକା ଆଧୁନିକ ଓଡ଼ିଆ ସମାଲୋଚନାର ଯେଉଁ ଭିତ୍ତିଭୂମି ସ୍ଥାପନ କରିଥିଲା ‘ଉତ୍କଳ ପ୍ରଭା’ ରେ ସେହି ସମାଲୋଚନାର ହର୍ମ୍ୟ ନିର୍ମିତ ହୋଇ ପରବର୍ତ୍ତୀ କାଳର ସମାଲୋଚକଙ୍କ ପାଇଁ ନୂତନ ପଥ ପ୍ରଦର୍ଶନ କରିଥିଲା ।

 

‘ଉତ୍କଳ ପ୍ରଭା’ ସୃଷ୍ଟି ପରେ ଇନ୍ଦ୍ରଧନୁ ଓ ବିଜୁଳିକୁ କେନ୍ଦ୍ର କରି ଓଡ଼ିଆ ସମାଲୋଚନା ସାହିତ୍ୟର ଆଦି ପର୍ବରେ ଦେଖା ଦେଇଥିଲା ମସୀଯୁଦ୍ଧ । ଉତ୍କଳ ପ୍ରଭାରେ ଲାଲା ରାମ ନାରାୟଣ ରାୟ ଉପେନ୍ଦ୍ର ଭଂଜ ସାହିତ୍ୟର ବିରୁଦ୍ଧାଚରଣ କରି ଲେଖାମାନ ପ୍ରକାଶ କରିବା ଫଳରେ ତାଙ୍କର ସେହି ଆଲୋଚନାର ପ୍ରତିକ୍ରିୟାରେ ଉପେନ୍ଦ୍ର ଭଂଜଙ୍କ ସାହିତ୍ୟକୁ ସମର୍ଥନ କରି କଟକରୁ ଦାଶରଥି ରାଉତଙ୍କ ସମ୍ପାଦନାରେ ପ୍ରକାଶ ପାଇଲା ‘ଇନ୍ଦ୍ରଧନୁ, (୧୮୯୩) ପତ୍ରିକା । ଏହାର ଏକମାସ ପରେ ଅର୍ଥାତ୍‌ ତା ୧୬/୯/୧୮୯୩ ରିଖରେ ବାମଣ୍ଡା ରାଜାଙ୍କ ପୃଷ୍ଠପୋଷକତାରେ ରାଧାନାଥ ସାହିତ୍ୟକୁ ସମର୍ଥନ କରି ପ୍ରକାଶିତ ହେଲା ‘ବିଜୁଳି, (୧୮୯୩) । ‘ଇନ୍ଦ୍ରଧନୁ’ରେ ଗୋଲକଧନ୍ଦା ନାମଧାରୀ ଜନୈକ ଛଦ୍ମବେଶୀ ଉପେନ୍ଦ୍ର ଭଂଜଙ୍କୁ ପ୍ରଶଂସା କରି ରାଧାନାଥଙ୍କ ସାହିତ୍ୟକୁ ଅଶ୍ଳୀଳତାରେ ପୂର୍ଣ୍ଣ ଓ ବିଭିନ୍ନ ଦୋଷଯୁକ୍ତ ବୋଲି ବିଚାର କରିଥିଲେ । ସୁତରାଂ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଏହି ବାଦ ବିସମ୍ବାଦ ଲକ୍ଷ୍ୟ କରି ‘ଉତ୍କଳ ସାହିତ୍ୟ’ର ସମ୍ପାଦକ ବାଗ୍ମୀ ବିଶ୍ଵନାଥ କର ଉଲ୍ଲେଖ କରିଥିଲେ - ‘‘ଉତ୍କଳ ସାହିତ୍ୟ କ୍ଷେତ୍ରରେ ଭଂଜ କବିଙ୍କୁ ଘେନି ତୁମୂଳ ଆନ୍ଦୋଳନ ଉପସ୍ଥିତ । ଆମ୍ଭମାନଙ୍କର ବିଶ୍ଵାସ ଯେ, ଏହା ଗୋଟିଏ ନବଯୁଗର ଆରମ୍ଭ । ପ୍ରାଚୀନ ପ୍ରଣାଳୀ ପରିବର୍ତ୍ତିତ ହୋଇ ଧୀରେ ଧୀରେ ନୂତନ ପ୍ରଣାଳୀ ପ୍ରତିଷ୍ଠିତ ହୋଇ ଆସୁଅଛି । କାବ୍ୟ ସାହିତ୍ୟର ଗୋଟିଏ ପ୍ରଧାନ ବିଭାଗ । ସୁତରାଂ ଏହାର ସମ୍ୟକ୍‌ ଆଲୋଚନା ଏକାନ୍ତ ବାଞ୍ଛନୀୟ; କିନ୍ତୁ ବାଦ ପ୍ରତିବାଦ, ଭଦ୍ରତା ଓ ସୁରୁଚିର ସୀମା ଲଘଂନ କରି ବ୍ୟକ୍ତିଗତ ଆକ୍ରମଣରେ ପରିଣତ ହେଲେ ସେଥିରୁ ସୁଫଳର ଆଶା ଅନେକ ପରିମାଣରେ ତିରୋହିତ ହୁଏ । ××× ସାହିତ୍ୟ କ୍ଷେତ୍ରରେ ଆମ୍ଭମାନଙ୍କର କେହି ଶତ୍ରୁ ବା ମିତ୍ର ନାହିଁ । ବ୍ୟକ୍ତି ବିଶେଷ ଅପେକ୍ଷା ସାହିତ୍ୟ ଆମ୍ଭମାନଙ୍କର ଅଧିକ ପ୍ରିୟ ।’’ ପ୍ରାଚୀନ ଓ ଆଧୁନିକ ସାହିତ୍ୟକୁ ଯଥାର୍ଥ ଭାବେ ପ୍ରକାଶ କରିବା ପାଇଁ ତାଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ‘ଉତ୍କଳ ସାହିତ୍ୟ’ (୧୮୯୭) ।

 

‘ଉତ୍କଳ ସାହିତ୍ୟ’ ହେଉଛି ଯଥାର୍ଥରେ ଊନବିଂଶ ଶତକର ଏକ ନିରପେକ୍ଷ ସମାଲୋଚନାତ୍ମକ ସାହିତ୍ୟ ପତ୍ରିକା । ଏଥିରେ ସମକାଳୀନ ପ୍ରକାଶିତ ବହୁ ପୁସ୍ତକ ସମୀକ୍ଷା ସହିତ ଭୋଳାନାଥ ସାମନ୍ତରାୟ, କୃଷ୍ଣ ପ୍ରକାଶ ଚୌଧୁରୀ, ଦାମୋଦର ପଟ୍ଟନାୟକ, ମଦନ ମୋହନ ପଟ୍ଟନାୟକ, ଶ୍ୟାମ ସୁନ୍ଦର ରାଜଗୁରୁ, ଚନ୍ଦ୍ରଶେଖର ନନ୍ଦ, ବାଗ୍ମୀ ବିଶ୍ଵନାଥ କର, ରାମ ଶଙ୍କର ରାୟ ପ୍ରମୁଖ ସମାଲୋଚକ ପ୍ରାଚୀନ ଓ ଆଧୁନିକ ଓଡ଼ିଆ ସାହିତ୍ୟର ତୁଳନାତ୍ମକ ଆଲୋଚନାରେ ମନୋନିବେଶ କରିଥିଲେ । ଏହି ସାହିତ୍ୟ ପତ୍ରିକା ଦୀର୍ଘ ଚାଳିଶ ବର୍ଷକାଳ ତିଷ୍ଠି ରହି ଓଡ଼ିଆ ସମାଲୋଚନା ସାହିତ୍ୟର ଧାରାକୁ ପୁଷ୍ଟ କରିଥିଲା ।

 

ସୁତରାଂ ଓଡ଼ିଆ ସାହିତ୍ୟର ଆଦିପର୍ବର ସମାଲୋଚନା ମୁଖ୍ୟତଃ ବାର୍ତ୍ତାଧର୍ମୀ, ସମ୍ବାଦ ଧର୍ମୀ, ଅସୂୟାଯୁକ୍ତ ଓ ଆତ୍ମକଳହ ଲିପ୍ତ ହୋଇଥିଲେ ମଧ୍ୟ ଏହା ଯଥାର୍ଥରେ ପରବର୍ତ୍ତୀ କାଳର ଓଡ଼ିଆ ସମାଲୋଚନାସାହିତ୍ୟର ଧାରାକୁ ପ୍ରଶସ୍ତ, ଶୃଙ୍ଖଳିତ ଓ ବିଶ୍ଳେଷଣାତ୍ମକ କରିବାକୁ ପ୍ରେରଣା ଦେଇଥିଲା । ଏହି ସମୟର ସମାଲୋଚନା ବିଭିନ୍ନ ପତ୍ରପତ୍ରିକା ମଧ୍ୟରେ ସୀମିତ ହୋଇ ପରବର୍ତ୍ତୀ କାଳର ସାହିତ୍ୟସାଧକଙ୍କ ପାଇଁ ଦିଗ୍‌ବାରେଣୀ ପରି କାର୍ଯ୍ୟ କରିଥିଲା ।

 

 

ଅଧ୍ୟାପକ, ଓଡ଼ିଆ ବିଭାଗ,

ଖ୍ରୀଷ୍ଟ ମହାବିଦ୍ୟାଳୟ, କଟକ - ୭୫୩୦୦୮ ।

 

***

 

ଓଡ଼ିଆ ଶିଶୁ-ସାହିତ୍ୟ ସମାଲୋଚନାର ସମାଲୋଚନା

ଶ୍ରୀ ରମେଶ ଚନ୍ଦ୍ର ଦାସ

 

ସମାଲୋଚନା ହିଁ ସାହିତ୍ୟର ସ୍ଵାସ୍ଥ୍ୟନୀତି । ମାନବର ସୁସ୍ଥ, ସବଳ ଜୀବନ ଯାପନ ପାଇଁ ସ୍ଵାସ୍ଥ୍ୟନୀତିର ଆବଶ୍ୟକତା ରହିଥିବା ଭଳି ଉତ୍ତମ ସାହିତ୍ୟ ସୃଷ୍ଟି ପାଇଁ ଉତ୍ତମ ଓ ନିରପେକ୍ଷ ସମାଲୋଚନାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ସମାଲୋଚକର ଭୂମିକା ଜଣେ ଶରୀର ତତ୍ତ୍ୱବିତ୍ ଭଳି । କି କି ନୀତି ଅବଲମ୍ବନ କଲେ ସାହିତ୍ୟର ପୁଷ୍ଟିସାଧନ ହେବ ତାହା ସମାଲୋଚନାରେ ସ୍ଥାନ ପାଇଥାଏ । ଏଣୁ ସାହିତ୍ୟ କ୍ଷେତ୍ରରେ ସମାଲୋଚନାର ଭୂମିକା ଅତ୍ୟନ୍ତ ଗୁରୂତ୍ୱ ପୂର୍ଣ୍ଣ ।

 

କବି ବା ଲେଖକର ରଚନା ବା ସୃଷ୍ଟିର ଗୁଣ ଓ ଦୋଷ ଉଭୟ ଦିଗ ପ୍ରତି ଆଲୋକପାତ କରିବା ସମାଲୋଚକର କର୍ତ୍ତବ୍ୟ । ରଚନାର କେବଳ ତ୍ରୁଟି ଦର୍ଶାଇବା କିମ୍ବା ତୁଟି ପ୍ରତି ଆଖି ବୁଜି ଦେଇ କେବଳ ଗୁଣଗାନ କରିବା ସୁସ୍ଥ ବା ନିରପେକ୍ଷ ସମାଲୋଚନା ନୁହେଁ ।

 

ବିଶ୍ଵର ଯେ କୌଣସି ଉନ୍ନତ ସାହିତ୍ୟ ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଯେ, ଏହାର ଉନ୍ନତିର ପଶ୍ଚାତ୍‌ରେ ଉନ୍ନତ, ବଳିଷ୍ଠ ଓ ନିରପେକ୍ଷ ସମାଲୋଚନାର ଭୂମିକା ରହିଛି । କେବଳ ପରିମାଣ ଦୃଷ୍ଟିରୁ ପର୍ଯ୍ୟାପ୍ତ ନୁହେଁ, ଗୁଣାତ୍ମକ ଦୃଷ୍ଟିରୁ ସମାଲୋଚନା ଉଚ୍ଚକୋଟୀର ହେବା ଉଚିତ । କାରଣ ସମାଲୋଚନାହଁ ସାହିତ୍ୟର କଷଟି ପଥର ।

 

ଓଡ଼ିଆ ଶିଶୁ-ସାହିତ୍ୟର ଯେଉଁ ସବୁ ସମାଲୋଚନା ଏପର୍ଯ୍ୟନ୍ତ ରଚିତ ହୋଇଛି, ସେ ଗୁଡ଼ିକୁ ଏକ ସାମଗ୍ରିକ ଦୃଷ୍ଟିଭଙ୍ଗୀ ନେଇ ଦେଖିବାର ସମୟ ଆସିଛି । ସାମଗ୍ରିକ ଦୃଷ୍ଟିରେ ଏହି ସମାଲୋଚନାର ଧାରାକୁ ଲକ୍ଷ୍ୟକଲେ, ଓଡ଼ିଆ ଶିଶୁ-ସାହିତ୍ୟର ପ୍ରକୃତ ବିକାଶ କିପରି ସାଧିତ ହୋଇଛି, ତାହା ପାଠକମାନଙ୍କ ନିକଟରେ ସ୍ପଷ୍ଟରୂପେ ପ୍ରକାଶ ପାଇବ । ବର୍ତ୍ତମାନ ଏହି କାର୍ଯ୍ୟ ସଂପନ୍ନ କରାଯାଉଛି ।

 

ଓଡ଼ିଆ ଶିଶୁ-ସାହିତ୍ୟ ସମାଲୋଚନାର ପରିମାଣ ପର୍ଯ୍ୟାପ୍ତ ନୁହେଁ । ଏହି ପ୍ରସଙ୍ଗରେ ଲବ୍‌ଧ ସମାଲୋଚନା ଗୁଡ଼ିକୁ ଲକ୍ଷ୍ୟକଲେ ଏହାର ପ୍ରକାଶ ମାଧ୍ୟମ ଅନୁସାରେ ଏହାକୁ ନିମ୍ନୋକ୍ତ କେତୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇ ପାରେ ।

 

(କ)

ବିଭିନ୍ନ ପତ୍ର ପତ୍ରିକାରେ ଓଡ଼ିଆ ଶିଶୁ-ସାହିତ୍ୟର ସ୍ୱରୂପ ଓ ବିକାଶ କ୍ରମରେ ଆଲୋଚନା ପ୍ରକାଶ ପାଇଛି ।

(ଖ)

କେତୋଟି ସମାଲୋଚନା ପୁସ୍ତକରେ ଶିଶୁ-ସାହିତ୍ୟର ବିକାଶ ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି ।

(ଗ)

କେତୋଟି ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ଶିଶୁ-ସାହିତ୍ୟିକ ସମ୍ମେଳନର ସ୍ମରଣିକାରେ ଓଡ଼ିଆ ଶିଶୁ-ସାହିତ୍ୟର ବିକାଶ ଓ ସମସ୍ୟା ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି ।

(ଘ)

ରାଜ୍ୟ ବା ଜାତୀୟସ୍ତରୀୟ ବିଭିନ୍ନ ଲେଖକ ସମ୍ମେଳନ, ଶିଶୁ-ସାହିତ୍ୟିକ ସମ୍ମେଳନ ଅଥବା ସଂପାଦନରେ ଓଡ଼ିଆ ଶିଶୁ-ସାହିତ୍ୟର ବିକାଶକ୍ରମ ଓ ସମସ୍ୟା ପ୍ରସଙ୍ଗରେ ସମାଲୋଚନାମାନ ସ୍ଥାନ ପାଇଛି ।

(ଙ)

କେତୋଟି ଶିଶୁ ପୁସ୍ତକର ମୁଖବନ୍ଧରେ ଓଡ଼ିଆ ଶିଶୁ-ସାହିତ୍ୟର ପରିଚୟ ଓ ବିକାଶଧାରା ପ୍ରସଙ୍ଗରେ ସୂଚନା ଦିଆଯାଇଛି ।

(ଚ)

ଓଡ଼ିଆ ଶିଶୁ-ସାହିତ୍ୟର ଗବେଷଣା ନିବନ୍ଧ ରଚନା କରାଯାଇ ଓଡ଼ିଆ ସାହିତ୍ୟର ଏହି ନବ ଉଦିତ ଦିଗଟିକୁ ବିଶ୍ଵବିଦ୍ୟାଳୟ ସ୍ତରରେ ସ୍ଵୀକୃତି ଦେବା ସଂଗେ ସଂଗେ ଓଡ଼ିଆ ଶିଶୁ-ସାହିତ୍ୟ ସମାଲୋଚନାର ଉପଯୁକ୍ତ ଓ ନୂତନଧାରା ପ୍ରବର୍ତ୍ତନ କରାଯାଇଛି ।

 

କେବଳ ସେତିକି ନୁହେଁ, ଓଡ଼ିଆ ଶିଶୁ-ସାହିତ୍ୟକୁ ଭାରତର ଅନ୍ୟଭାଷାର ଶିଶୁ-ସାହତ୍ୟ ସହିତ ତୁଳନାକରିବା ପାଇଁ ମଧ୍ୟ ପ୍ରଯତ୍ନ କରାଯାଇଛି ।

 

ଓଡ଼ିଆ ଶିଶୁ-ସାହିତ୍ୟ ସମାଲୋଚନାର ଧାରା :

ଓଡ଼ିଆ ଶିଶୁ-ସାହିତ୍ୟ ସମାଲୋଚନାଗୁଡ଼ିକୁ ଅନୁଧ୍ୟାନ କଲେ ନିମ୍ନ କେତୋଟି କଥା ଆମ ଲକ୍ଷ୍ୟରେ ପଡ଼େ ।

 

ଐତିହାସିକ ବା କ୍ରମବିକାଶମୂଳକ ବା ବିବରଣାତ୍ମକ ସମାଲୋଚନା :

ଓଡ଼ିଆ ଶିଶୁ-ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଏହି ପ୍ରକାର ସମାଲୋଚନା ଅଧିକ । ଓଡ଼ିଆ ସାହିତ୍ୟ ଦରବାରରେ ଶିଶୁ-ସାହିତ୍ୟକୁ ପ୍ରତିଷ୍ଠିତ ରୂପ ଦେବା ଏହି ପ୍ରକାର ସମାଲୋଚନାଗୁଡ଼ିକର ମୁଖ୍ୟ ଲକ୍ଷ୍ୟ । ତେଣୁ ଓଡ଼ିଆ ଶିଶୁ-ସାହିତ୍ୟର ଐତିହ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । କେବଳ ସେତିକି ନୁହେଁ, ଏହା ମୌଖିକରୁ ପାଠ୍ୟପୁସ୍ତକ ମଧ୍ୟଦେଇ ଶେଷରେ ଲିଖିତ ଶିଶୁ-ସାହିତ୍ୟ ଦିଗକୁ କିପରି ପ୍ରବାହିତ ହୋଇ ଆସିଛି, ଏହି ଧାରାଟି ଏହି ସବୁ ସମାଲୋଚନାରେ ସୁସ୍ପଷ୍ଟ । ଓଡ଼ିଆ ଶିଶୁ-ସାହିତ୍ୟକୁ ସୁପ୍ରତିଷ୍ଠିତ କରିବା ଦିଗରେ ଏହି ସବୁ ସମାଲୋଚନାଗୁଡ଼ିକର ଅବଦାନ ଅବଶ୍ୟ ସ୍ମରଣୀୟ ।

 

ଏହି ସବୁ ସମାଲୋଚନା ବିଭିନ୍ନ ଲେଖକଙ୍କର ବିଭିନ୍ନ ରଚନାର ସୂଚନାରେ ଭାରାକ୍ରାନ୍ତ ହୋଇ ପଡ଼ିଛି । ମାତ୍ର ଏହା ଓଡ଼ିଆ ଶିଶୁ-ସାହିତ୍ୟ ସମାଲୋଚନାର ପାଠକମାନଙ୍କ ପାଇଁ ବେଶ୍‌ ଉପାଦେୟ ହୋଇ ପାରିଛି ।

 

ସ୍ଥୂଳତଃ ଓଡ଼ିଆ ଶିଶୁ-ସାହିତ୍ୟ ପ୍ରସଙ୍ଗରେ କିଞ୍ଚିତ୍‌ ଧାରଣା ଦେବା ଏବଂ କ୍ରମଅନୁସାରେ ସେ ସବୁର ସୂଚନା ଦେବା, ଏହି ସବୁ ସମାଲୋଚନାଗୁଡ଼ିକର ଉଦ୍ଦେଶ୍ୟ ।

 

ବିଶ୍ଳେଷଣଧର୍ମୀ ସମାଲୋଚନା :

ଓଡ଼ିଆ ଶିଶୁ-ସାହିତ୍ୟ ସମାଲୋଚନା ଭଣ୍ଡାରକୁ ଲକ୍ଷ୍ୟକଲେ ଏଥିରେ ବିଶ୍ଳେଷଣଧର୍ମୀ ଆଲୋଚନା ମଧ୍ୟ ସ୍ଥାନ ପାଉଥିବାର ଦେଖାଯାଏ । ମାତ୍ର, ପରିମାଣ ଦୃଷ୍ଟିରୁ ଏହା ଅତ୍ୟଳ୍ପ । ଏହି ପର୍ଯ୍ୟାୟର ସମାଲୋଚନାକୁ ପୁଣି ଦୁଇଟି ବିଭାଗରେ ବିଭକ୍ତ କରାଯାଇପାରେ ।

 

୧.

ଓଡ଼ିଆ ଶିଶୁ-ସାହିତ୍ୟର ବିକାଶଧାରା ଆଲୋଚନା ପ୍ରସଙ୍ଗରେ ବିଶ୍ଳେଷଣଧର୍ମୀ ଆଲୋଚନା-

୨.

କେବଳ ବିଶ୍ଲେଷଣଧର୍ମୀ ବା ବିଶୁଦ୍ଧ ବିଶ୍ଲେଷଣଧର୍ମୀ ସମାଲୋଚନା ।

 

ଓଡ଼ିଆ ଶିଶୁ-ସାହିତ୍ୟର ବିକାଶଧାରା - ଆଲୋଚନା ପ୍ରସଙ୍ଗରେ ବିଶ୍ଳେଷଣଧର୍ମୀ ସମାଲୋଚନା :

ଏହି ପ୍ରସଙ୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ (୧୯୮୨) ଏବଂ ଶ୍ରୀ ରାମକୃଷ୍ଣ ନନ୍ଦଙ୍କଦ୍ୱାରା ସଂକଳିତ ‘‘ଓଡ଼ିଆ ଶିଶୁ-ସାହିତ୍ୟ ସଂକଳନ’ ପୁସ୍ତକଟିର ଦୀର୍ଘ ମୁଖବନ୍ଧର ଉଦାହରଣ ଦିଆଯାଇପାରେ । ସେହିପରି ଡକ୍ଟର ଜାନକୀ ବଲ୍ଲଭ ମହାନ୍ତିଙ୍କ ରଚିତ ‘‘ଆଧୁନିକ ଓଡ଼ିଆ ସାହିତ୍ୟ’’ ସମାଲୋଚନା ପୁସ୍ତକରେ ସ୍ଥାନିତ ‘ଓଡ଼ିଆ ଶିଶୁ-ସାହିତ୍ୟ’ ଏବଂ ‘‘A survey of Juvenile Literature in Oriya’’ ( AIJLC- Conference- 13th Volume 1974 ); ଡକ୍ଟର କୃଷ୍ଣ ଚରଣ ବେହେରାଙ୍କ ରଚିତ ‘‘ଅଶ୍ଲୀଳତା ବିପକ୍ଷରେ ଓ ଅନ୍ୟାନ୍ୟ ପ୍ରବଂଧ’’ର ‘ଏବର ଶିଶୁ-ସାହିତ୍ୟ’; ଶ୍ରୀ ବିନୋଦ ରାଉତରାୟଙ୍କ ‘‘ଶିଶୁ-ସାହିତ୍ୟ ପରିକ୍ରମା’’ (ଡଗର/ଡିସେମ୍ବର-୧୯୫୯), ଶ୍ରୀ ଉଦୟନାଥ ଷଡ଼ଙ୍ଗୀଙ୍କ ‘‘ଶିଶୁ-ସାହିତ୍ୟ’’ (ନିଖିଳ ଭାରତ ବଙ୍ଗ-ସାହିତ୍ୟ ସମ୍ମେଳନର ୪୦ତମ ଅଧିବେଶନ, ୧୯୬୪, କଟକ), ଡକ୍ଟର ଦେବେନ୍ଦ୍ର ମହାନ୍ତିଙ୍କର ‘‘ଓଡ଼ିଆ ସାହିତ୍ୟର ଗତି ଓ ପ୍ରକୃତି’’ ପୁସ୍ତକର ‘ଓଡ଼ିଆ ଶିଶୁ-ସାହିତ୍ୟ’ ତଥା ପ୍ରାଧ୍ୟାପକ ମହେଶ୍ଵର ମହାନ୍ତିଙ୍କ ଲିଖିତ ‘‘ଓଡ଼ିଆ ଶିଶୁ-ସାହିତ୍ୟର ପରଂପରା’’ (ପଣ୍ତିତ ଉପେନ୍ଦ୍ର ତ୍ରିପାଠୀ ଗ୍ରନ୍ଥାବଳୀ-୧୯୬୯ର ମୁଖବନ୍ଧ) କେତୋଟି ଉଦାହରଣ ଯୋଗ୍ୟ ସମାଲୋଚନା ।

 

ଏହି ସବୁ ସମାଲୋଚନାରେ ଓଡ଼ିଆ ଶିଶୁ-ସାହିତ୍ୟର କ୍ରମ-ବିକଶିତ ଧାରା ବା ପରଂପରାହିଁ ମୁଖ୍ୟ । କିନ୍ତୁ ବିଶ୍ଳେଷଣ ଗୌଣ । ଏହି ସବୁ ସମାଲୋଚନାଗୁଡ଼ିକ ମଧ୍ୟରୁ ଶିଶୁ-ସାହିତ୍ୟର ସ୍ଵରୂପ ଓ ତାର ବିକାଶଧାରା ପ୍ରକାଶ ଦିଗରେ ଡକ୍ଡର ଜାନକୀ ବଲ୍ଲଭ ମହାନ୍ତି ପାଠକର ଧ୍ୟାନ ଆକର୍ଷଣ କରିଥାଆନ୍ତି । ଓଡ଼ିଆ ଶିଶୁ-ସାହିତ୍ୟର ପ୍ରଥମ ଗବେଷକ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କର ସମଗ୍ର ଗବେଷଣା ନିବନ୍ଧଟି ମଧ୍ୟ ଏହାର ଅନ୍ୟ ଏକ ଉଦାହରଣ । ସେ ସ୍ଵାଧୀନତା ପର୍ଯ୍ୟନ୍ତ (୧୯୪୭ ମସିହା) ଓଡ଼ିଆ ଶିଶୁ-ସାହିତ୍ୟର ଉନ୍ମେଷ ଓ ବିକାଶ ପ୍ରସଙ୍ଗରେ ପ୍ରାୟ ୭୭୪ ପୃଷ୍ଠାର (ପାଣ୍ଡୁଲିପି) ସୁଦୀର୍ଘ ସମାଲୋଚନା କରିଛନ୍ତି ଓ ସ୍ୱାଧୀନତା ପର ଓଡ଼ିଆ ଶିଶୁ-ସାହିତ୍ୟର ପ୍ରାୟ ୧୨୯ ପୃଷ୍ଠାର (ପାଣ୍ଡୁଲିପି )ସୂଚନା ଦେଇଛନ୍ତି । ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ପ୍ରକାଶ ପାଇବା ପାଇଁ ଥିବା ଡକ୍ଟର ଜଗନ୍ନାଥ ମହାନ୍ତିଙ୍କର ପାଣ୍ଡୁଲିପି ‘‘Oriya Childrens' Literature” ମଧ୍ୟ ଅନ୍ୟ ଏକ ଉଦାହରଣ ।

 

କେବଳ ବିଶ୍ଲେଷଣଧର୍ମୀ ବା ବିଶୁଦ୍ଧ ବିଶ୍ଳେଷଣ ଧର୍ମୀ ସମାଲୋଚନା :

ଓଡ଼ିଆ ଶିଶୁ-ସାହିତ୍ୟ ସମାଲୋଚନାର ପ୍ରବଂଧଗୁଡ଼ିକୁ ଲକ୍ଷ୍ୟ କଲେ ବିଶୁଦ୍ଧ ବିଶ୍ଳେଷଣଧର୍ମୀ ସମାଲୋଚନାର ଘୋର ଅଭାବ ପରିଲକ୍ଷିତ ହୁଏ । ଅଧିକାଂଶ ସମାଲୋଚକ ବିଦଗ୍‌ଧ ସାହିତ୍ୟର ସମାଲୋଚନା ପ୍ରଣାଳୀରେ ସମାଲୋଚନା କରିଛନ୍ତି । ମାତ୍ର ଶିଶୁ-ସାହିତ୍ୟର ଆଲୋଚନା ଗର୍ଭିତ ବିଷୟକୁ ଉପଜୀବ୍ୟ କରି ଆଲୋଚନା କରିବାର ଧାରା ସର୍ବ ପ୍ରଥମେ ଗବେଷକ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ଗବେଷଣା ନିବନ୍ଧ ‘‘ଓଡ଼ିଆ ଶିଶୁ-ସାହିତ୍ୟ (ଉନ୍ମେଷ ଓ ବିକାଶ- ୧୯୪୭ ପର୍ଯ୍ୟନ୍ତ)’’ ଏବଂ ଏହାର ବିଭିନ୍ନ ଅଂଶ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ନୂତନ ପରଂପରା ସୃଷ୍ଟି କରିଛି । ଶିଶୁ-ସାହିତ୍ୟ ଆଲୋଚନାର ତତ୍ତ୍ୱ ଦିଗରୁ ଶିଶୁର ପରିବେଶ, କଳ୍ପନା, ବିଶ୍ଵାସ, ଜିଜ୍ଞାସା, ସର୍ବ ପ୍ରାଣବାଦ (Animism), ପରିଚୟବୋଧ, ହସକଥା ପ୍ରକୃତି, ଗଳ୍ପ ଉପାଦାନ, ଭାଷା ଓ ଶୈଳୀ ପ୍ରଭୃତି ଦିଗରୁ ଡକ୍ଟର ମହାନ୍ତିଙ୍କ ଆଲୋଚନାଗୁଡ଼ିକ ସଂପୂର୍ଣ୍ଣ ନୂତନ । ଏଥିରେ ଶିଶୁ-ସାହିତ୍ୟ ଓ ଶିଶୁ ମନୋବିଜ୍ଞାନ - ଉଭୟର ଅପୂର୍ବ ମିଳନ ଘଟିଛି । ଏଥିପାଇଁ ଭାରତୀୟ ଶିଶୁ-ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଏରୂପ ସମାଲୋଚନା ଏହା ସର୍ବ ପ୍ରଥମ ବୋଲି ଗବେଷକ ଡକ୍ଟର ସୁକୁମାର ସେନ୍‌ ମତ ପ୍ରକାଶ କରିଛନ୍ତି । ଏ ଆଲୋଚନାରେ ସାହିତ୍ୟ ଓ ଶିଶୁ ମନୋବିଜ୍ଞାନ ଉଭୟ ମିଶ୍ରରୂପ ଧାରଣ କରିଛି । ଶିଶୁ-ସାହିତ୍ୟ କେବଳ ‘ସାହିତ୍ୟ’ ନୁହେଁ, ଏହା ଦୈନନ୍ଦିନ ଜୀବନର ଏକ ଉପଚାର ମଧ୍ୟ । ଅର୍ଥାତ ଏହାର ବ୍ୟବହାର ଉପଯୋଗିତା ଅଧିକ ଅଛି ବା ଏହାର ବ୍ୟବହାରିକ ମୂଲ୍ୟ ପ୍ରଥମ ଓ ସାହିତ୍ୟିକ ମୂଲ୍ୟ ଦ୍ୱିତୀୟ ।

 

ନିର୍ଦ୍ଦିଷ୍ଟ ଶିଶୁ-ସାହିତ୍ୟିକଙ୍କ କୃତି ପ୍ରସଙ୍ଗରେ ସମାଲୋଚନା :

ଓଡ଼ିଶାର ବିଭିନ୍ନ ଶିଶୁ-ସାହିତ୍ୟକଙ୍କ ଜୀବନୀ ପ୍ରସଙ୍ଗରେ ସେମାନଙ୍କ ଶିଶୁ-ସାହିତ୍ୟକୃତିଗୁଡ଼ିକର ଆଲୋଚନା କରାଯାଇଛି । ଏ ପ୍ରସଙ୍ଗରେ ଲୋକରତ୍ନ ଡକ୍ଟର କୁଞ୍ଜ ବିହାରୀ ଦାଶଙ୍କ ରଚିତ ‘‘କିଶୋର ସାହିତ୍ୟିକ ବାଳକୃଷ୍ଣ’’ (ସହକାର/ଅଗଷ୍ଟ-୧୯୭୩) ଗବେଷକ ଡକ୍ଟର ମନୀନ୍ଦ୍ରମହାନ୍ତିଙ୍କ ରଚିତ ‘‘ଫକୀର ମୋହନଙ୍କ ସାହିତ୍ୟର ଅନାଲୋଚିତ ଦିଗ’’ (ଝଙ୍କାର/ଜୁନ୍‌ ୧୯୭୭), କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସାହିତ୍ୟ ସାଧନାର ଏକ ଅନାଲୋଚିତ ଦିଗ’’ (ଗିରିଝର/ ଅକ୍ଟୋବର- ଡିସେମ୍ବର- ୧୯୭୭), ‘‘ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ସାହିତ୍ୟ ସାଧନାର ଏକ ଅନାଲୋଚିତ ଦିଗ’’ (ବାଇଶି ପାହାଚ/ଡିସେମ୍ବର-ଜାନୁଆରୀ ୧୯୭୬-୭୭), ପଣ୍ଡିତ ନୀଳକଣ୍ଠଙ୍କ ସାହିତ୍ୟ ସାଧନାର ଏକ ଅନାଲୋଚିତ ଦିଗ’’ (ମାନସ/ଫେବୃଆରୀ- ୧୯୭୮) ଏବଂ ‘‘ଶିଶୁଗୀତର ଆଲୋକ ସ୍ତମ୍ଭ: ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ (ଗୋକର୍ଣ୍ଣିକାସାହିତ୍ୟ ସମାଜ ସ୍ମରଣିକା- ୧୯୭୮) ଆଲୋଚନାଗୁଡ଼ିକ ଉଲ୍ଲେଖଯୋଗ୍ୟ ।

 

ଶିଶୁ-ସାହିତ୍ୟର ଗଠନରୀତି ସଂପର୍କରେ ସମାଲୋଚନା :

ଶିଶୁ-ସାହିତ୍ୟର ତାତ୍ତ୍ୱିକ (Theory) ସୂଚନା ବିଭିନ୍ନ ଆଲୋଚନାରେ ଊଣାଧିକେ ସ୍ଥାନପାଇଛି । ମାତ୍ର ବିଧିବଦ୍ଧ ଭାବରେ ଗବେଷକ ଡକ୍ଟର ମହାନ୍ତି ତାଙ୍କର ଗବେଷଣା ଗ୍ରନ୍ଥରେ ଶିଶୁ-ସାହିତ୍ୟର ବିଭିନ୍ନ ବିଭାଗ-ଗଳ୍ପ କବିତା, ନାଟକ ପ୍ରଭୃତିର ନୀତି ନିୟମ ନିର୍ଦ୍ଧାରଣ କରିଛନ୍ତି । ଏହା ମଧ୍ୟ କେତେକ ପତ୍ରପତ୍ରିକାରେ ପ୍ରକାଶିତ । ଯଥା-‘‘ଶିଶୁ ଗଳ୍ପର ଶିଳ୍ପରୀତି’’ (ଗଳ୍ପଝର/ପ୍ରଥମବର୍ଷ/ଚତୁର୍ଥ ସଂଖ୍ୟା-୧୯୭୭), ଶିଶୁଗୀତର ଶିଳ୍ପରୀତି ‘‘(ଅନୁଶୀଳନ/ଜୁଲାଇ- ସେପ୍ଟେମ୍ବର-୧୯୮୧)’’ ଶିଶୁ-ସାହିତ୍ୟରେ ବେତାର ଶିଳ୍ପର ଭୂମିକା’’ (ମାନସ/ମାର୍ଚ୍ଚ-୧୯୭୫) ଏବଂ ଶ୍ରୀ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ‘‘ଶିଶୁ-ସାହିତ୍ୟର ଅନୁବାଦ’’ (ରାଜ୍ୟସ୍ତରୀୟ ଶିଶୁ-ସାହିତ୍ୟିକ ସମ୍ମେଳନ- ୩ୟ ବାର୍ଷିକ ସମ୍ମିଳନୀର ସ୍ମରଣିକା) ଇତ୍ୟାଦି ।

 

ଭାଷା ଓ ଶୈଳୀ ପ୍ରସଙ୍ଗରେ ଡକ୍ଟର ମହାନ୍ତିଙ୍କ ‘‘ଶିଶୁ-ସାହିତ୍ୟର ଭାଷା ଓ ଶୈଳୀ’’ (ଜୀବନ ରଂଗ/ ପୂଜାସଂଖ୍ୟା-୧୯୭୫) ଓ ‘‘Language and style of childrens Literature’’ (AIJLC/14th Session/March, 8-10/1975) ମଧ୍ୟ ଉଲ୍ଲେଖଯୋଗ୍ୟ ।

 

କେବଳ ଶିଶୁ-ସାହିତ୍ୟର ବିଭିନ୍ନ ବିଭାଗର ଶିଳ୍ପରୀତି ନୁହେଁ, ଓଡ଼ିଆ ମୌଖିକ ଶିଶୁ-ସାହିତ୍ୟର ଶିଶୁ-ସାହିତ୍ୟିକ ମୂଲ୍ୟାୟନ ମଧ୍ୟ ଡକ୍ଟର ମହାନ୍ତି କରିଛନ୍ତି ଯଥା- ‘‘ନାନାବୟା ଗୀତକାର : ଓଡ଼ିଆ ମୌଖିକ ଶିଶୁ-ସାହିତ୍ୟର ପ୍ରଥମ ଅଧାୟ’’ (ସପ୍ତର୍ଷି/ଡିସେମ୍ବର-୧୯୭୩), ‘‘ମୌଖିକ ଶିଶୁ ଗଳ୍ପ: ଏକ ମୂଲ୍ୟାୟନ’’ (ଝଙ୍କାର/ଜୁଲାଇ-୧୯୭୫); ‘‘ପ୍ରବଚନ: ଓଡ଼ିଆ ଶିଶୁ-ସାହିତ୍ୟର ବାଇଶି ପାହାଚ’’ (ସପ୍ତର୍ଷି/ଅଗଷ୍ଟ-୧୯୭୪) ଏବଂ ‘‘ନାଁ ଦିଆ: ଏକ ଶିଶୁ-ସାହିତ୍ୟିକ ମୂଲ୍ୟାୟନ’’ (ସପ୍ତର୍ଷି/ଜୁଲାଇ-୧୯୭୫) ଇତ୍ୟାଦି ।

 

ପୁସ୍ତକ ସମାଲୋଚନା :

ଶିଶୁ-ସାହିତ୍ୟ ପୁସ୍ତକର ଏକକ ସମାଲୋଚନା ଆମର ପ୍ରାୟ ନାହିଁ । ପୁସ୍ତକଟିଏ ପ୍ରକାଶ ପାଇଲେ କେବଳ ଗ୍ରନ୍ଥ ବିଚାର (Book Review)ଟିଏ ଅଥବା ସୂଚନାଟିଏ ପ୍ରକାଶ ପାଇଥାଏ-। ମାତ୍ର ପୁସ୍ତକଟିର ବିଧିବଦ୍ଧ ଭାବରେ ଶିଶୁ-ସାହିତ୍ୟକୁ ମୂଲ୍ୟାୟନ କରାଯାଏ ନାହିଁ । ଏହି କ୍ଷେତ୍ରରେ ‘‘ନାନାବାୟା’’ ଶିଶୁ ପତ୍ରିକାରେ (ଅଗଷ୍ଟ-୧୯୮୧) ରାଜକିଶୋର ରାଜଙ୍କ ଶିଶୁ ଗଳ୍ପ ସଂକଳନ ‘ଯୁବରାଜ’ ସମ୍ବନ୍ଧରେ ଆଲୋଚନା କରାଯାଇଥି‌ଲା । ଓଡ଼ିଆ ଶିଶୁ-ସାହିତ୍ୟ ଗବେଷଣା ପରିଷଦ (RIOCL)ର ମୁଖପତ୍ର ଶିଶୁବାର୍ତ୍ତାର ପ୍ରଥମ ସ୍ତବକରେ ଏପରି ଆଲୋଚନା ଆରମ୍ଭ କରାଯାଇଛି ଏବଂ ‘ଟୁଉକି ମୂଷି’ ଶିଶୁପତ୍ରିକାର ସଂପାଦକ ଶ୍ରୀ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କ ଗଳ୍ପପୁସ୍ତକ ‘‘ସୁନାର ଚାବିକାଠି’’ର ଏକ ସମାଲୋଚନା ପ୍ରକାଶ ପାଇଛି ।

 

ତୁଳନାତ୍ମକ ଆଲୋଚନା :

ଓଡ଼ିଆ ଶିଶୁ-ସାହିତ୍ୟକୁ ଅନ୍ୟଭାଷାର ଶିଶୁ-ସାହିତ୍ୟ ସହିତ ତୁଳନା କରାଗଲେ ନିଜ ଶିଶୁ-ସାହିତ୍ୟର ପ୍ରକୃତ ସ୍ଵରୂପ ପ୍ରକାଶ ପାଇ ପାରିବ । ଏଣୁ ଏ କ୍ଷେତ୍ରରେ ଡକ୍ଟର ସ୍ନେହ ମହାପାତ୍ରଙ୍କ ହିନ୍ଦୀ ଔର ଓଡ଼ିଆ ଶିଶୁ-ସାହିତ୍ୟିକା ତୁଳନାତ୍ମକ ଅଧ୍ୟୟନ’’ ଏବଂ ଶ୍ରୀ ରାମଚନ୍ଦ୍ର ଦେଓଙ୍କ ଓଡ଼ିଆ ଏବଂ ବଙ୍ଗଳା ଶିଶୁ-ସାହିତ୍ୟର ତୁଳନାତ୍ମକ ଅଧ୍ୟୟନର ଉଦ୍ୟମ ଅବଶ୍ୟ ପ୍ରଶଂସନୀୟ । ଶ୍ରୀଯୁକ୍ତ ଦେଓଙ୍କର ଗବେଷଣା କାର୍ଯ୍ୟ ଶେଷ ହୋଇନାହିଁ ।

 

ଆନ୍ତର୍ବିଷୟ - ସହଯୋଗମୂଳକ ସମାଲୋଚନା (Inter disciplinary criticism):

ଶିଶୁ-ସାହିତ୍ୟ ସହିତ ‘ଶିକ୍ଷା’ର ସଂପର୍କ ପ୍ରସଙ୍ଗରେ ଡକ୍ଟର ଦିଗ୍‌ରାଜ ବ୍ରହ୍ମା ତାଙ୍କର ଗବେଷଣା ନିବନ୍ଧ ‘‘A study of Educational Implications of childrens, Literature’’ରେ ଆଲୋଚନା କରିଅଛନ୍ତି । ‘‘ଶିଶୁ-ସାହିତ୍ୟରେ ଲୋକ ସାହିତ୍ୟର ପ୍ରଭାବ’’ (ମାନସ/ଅଗଷ୍ଟ-୧୯୮୦) ପ୍ରସଙ୍ଗରେ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ଆଲୋଚନା ଦ୍ରଷ୍ଟବ୍ୟ ।

 

ଶିଶୁ-ସାହିତ୍ୟର ବିଭିନ୍ନ ସମସ୍ୟା ଓ ସଂକଟ ସଂପର୍କିତ ଆଲୋଚନା :

ଓଡ଼ିଆ ଶିଶୁ-ସାହିତ୍ୟର ବିଭିନ୍ନ ସମସ୍ୟା ଓ ତାର ସମାଧାନ ପ୍ରସଙ୍ଗରେ ଡକ୍ଟର ଭାଗବତ ପ୍ରସାଦ ଲେଙ୍କା ‘ଓଡ଼ିଆ ଶିଶୁ-ସାହିତ୍ୟ- ସମସ୍ୟା ଓ ସମାଧାନର କେତୋଟି ଦିଗ’’ (ଶିଶୁ ସାହିତ୍ୟ ଏକାଡେମୀ, ଓଡ଼ିଶାର ସ୍ମରଣିକା- ୧୯୮୮), ଶ୍ରୀ ରମେଶ ଚନ୍ଦ୍ର ଦାସଙ୍କ ‘‘ଆମ ଶିଶୁ-ସାହିତ୍ୟର ସମସ୍ୟା’’ (ବନାନୀ/ ଅପ୍ରେଲ-୧୯୮୯), ଡକ୍ଟର ଦିଗ୍‌ରାଜ ବ୍ରହ୍ମାଙ୍କ ‘‘ଆଜିର ସାହିତ୍ୟମଞ୍ଚ ଓ ଓଡ଼ିଆ ଶିଶୁ-ସାହିତ୍ୟ’’ (ଶି.ସା.ଏ., ଓଡ଼ିଶାର ସ୍ମରଣିକା ୧୯୮୮), ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ‘‘ଆଜିର ଶିଶୁ- ସାହିତ୍ୟ’’ (‘ଶିଶୁ-ସାହିତ୍ୟର ସମସ୍ୟା ଓ ସମାଧାନ’- ପ୍ରକାଶକ: ଶିଶୁ ସାହିତ୍ୟ ଏକାଡ଼େମୀ, ଓଡ଼ିଶା), ମହେଶ୍ଵର ମହାନ୍ତିଙ୍କ, ( Problems of Childrens' Literature' AIJLC Souvenir,1986) ଡକ୍ଟର ଜଗନ୍ନାଥ ମହାନ୍ତିଙ୍କ ‘‘ଆଜିର ଶିଶୁ-ସାହିତ୍ୟ- ସମସ୍ୟା ଓ ସମ୍ଭାବନା’’ (ଶି.ସା.ଏ., ଓଡ଼ିଶାର ସ୍ମରଣିକା-୧୯୮୮) ଡକ୍ଟର ଦୁର୍ଗା ପ୍ରସାଦ ପଟ୍ଟନାୟକଙ୍କ ‘‘Crisis in childrens' Literature’’ (ଶିଶୁବାର୍ତ୍ତା/ସପ୍ତମ କର୍ମଶାଳା- ସ୍ଵତନ୍ତ୍ର ସଂଖ୍ୟା- ୧୯୮୯) ପ୍ରଭୃତି ସମାଲୋଚନାଗୁଡ଼ିକ ଉଦାହରଣୀୟ ।

 

ଶିଶୁ-ସାହିତ୍ୟର ରଚନାଗୁଡ଼ିକୁ ବିଦଗ୍‌ଧ ସାହିତ୍ୟ ଦିଗରୁ ଆଲୋଚନା :

ଓଡ଼ିଆ ଶିଶୁ-ସାହିତ୍ୟର ରଚନା ଗୁଡ଼ିକୁ ବିଦଗ୍‌ଧ ସାହିତ୍ୟ ଦିଗରୁ ଆଲୋଚନା କରିଥିବା ମଧ୍ୟ ଆମ ସମାଲୋଚନା କ୍ଷେତ୍ରରେ ଦେଖାଯାଇଥାଏ । ଯଥା-ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ‘‘ଓଡ଼ିଆ ମୌଖିକ ଶିଶୁ-ସାହିତ୍ୟରେ ‘ବର୍ଷା’: ଏକ ଅନୁଶୀଳନ’’ (ସପ୍ତର୍ଷି/ ସେପ୍ଟେମ୍ବର- ୧୯୭୬), ‘‘ଶିଶୁ-ସାହିତ୍ୟରେ ଲୋକ ସାହିତ୍ୟର ପ୍ରଭାବ’’ (ମାନସ/ ଅଗଷ୍ଟ- ୧୯୮୦) ଓ ଶ୍ରୀ ସୌରାଂଶୁ ପଟ୍ଟନାୟକଙ୍କ ‘‘ଶିଶୁ-ସାହିତ୍ୟରେ ହାସ୍ୟରସର ଭୂମିକା’’ (ଶିଶୁ-ସାହିତ୍ୟ ପ୍ରସଙ୍ଗ- ୧୯୮୮) ।

 

ଅଭିଭାବକ ମାନଙ୍କ ପାଇଁ ଆଲୋଚନା :

ଶିଶୁ ଶକ୍ତିର ଉପଯୁକ୍ତ ମୂଲ୍ୟାୟନ ପାଇଁ ଓ ଅଭିଭାବକମାନଙ୍କର ଶିଶୁ ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ କେତୋଟି ସମାଲୋଚନା ପ୍ରକାଶ ପାଇଛି । ସେମାନଙ୍କ ମଧ୍ୟରେ ଡକ୍ଟର ମନୀନ୍ଦ୍ର ମହାନ୍ତିଙ୍କ ‘‘ଶିଶୁ-ସାହିତ୍ୟ ଓ ଅଭିଭାବକ’’ (ଶିଶୁ-ସାହିତ୍ୟ ପ୍ରସଙ୍ଗ-୧୯୮୮), ‘‘ଶିଶୁ-ସାହିତ୍ୟ କାହଁକି ?’’ (ପୂର୍ବ।ଶା/ଅଗଷ୍ଟ-୧୯୮୦) ଓ ଶ୍ରୀ ନିରଞ୍ଜନ ବେହେରାଙ୍କ ‘‘ଶିଶୁ-ସାହିତ୍ୟ କ’ଣ ଓ କାହିଁକି ?’’ (ଶିକ୍ଷାଲୋକ/ ମାର୍ଚ୍ଚ- ଜୁନ୍‌- ୧୯୮୫) ଆଲୋଚନାଗୁଡ଼ିକ ଅନ୍ୟତମ ।

 

ପ୍ରାନ୍ତ କଥନୀ :

ଓଡ଼ିଆ ଶିଶୁ-ସାହିତ୍ୟର ସମାଲୋଚନା ବିଭିନ୍ନ ଦୃଷ୍ଟିକୋଣରୁ କରାଯାଇଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ । ଓଡ଼ିଆ ଭାଷାର ଗବେଷକଙ୍କର ଅଭାବ ନଥିଲେ ମଧ୍ୟ ଶିଶୁ-ସାହିତ୍ୟ ଗବେଷକଙ୍କ ସଂଖ୍ୟା କମ୍‌ ।

 

ସୁଖର କଥା, ବର୍ତ୍ତମାନ ପ୍ରାୟ ସାତଜଣ ଗବେଷକ ଓଡ଼ିଆ ଶିଶୁ-ସାହିତ୍ୟ କ୍ଷେତ୍ରରେ ବିଭିନ୍ନ ଦୃଷ୍ଟିକୋଣରୁ ଗବେଷଣା ରତ ଅଛନ୍ତି ।

 

ତେବେ ନିମ୍ବଲିଖିତ ବିଷୟଗୁଡ଼ିକ ଉପରେ ଗବେଷଣା କରାଯିବାର ଆବଶ୍ୟକତା ରହିଛି-

 

(କ)

ଓଡ଼ିଆ ଶିଶୁ-ସାହିତ୍ୟର ବିଭିନ୍ନ ବିଭାଗ, ଯଥା-ନାନାବାୟାଗୀତ, ଶିଶୁଗୀତ, ଶିଶୁଗଳ୍ପ, ପ୍ରବଚନ, ନାଁ ଦିଆ, କ୍ରୀଡ଼ାଗୀତ, ପର୍ବପର୍ବାଣି ସମୟର ଗୀତ ତଥା ଶିଶୁନାଟ୍ୟ ଉପରେ ଏକକ ସ୍ଵତନ୍ତ୍ର ଗବେଷଣା ।

(ଖ)

ଓଡ଼ିଆ ଶିଶୁ-ସାହିତ୍ୟ ସହିତ ଅନ୍ୟ ଭାରତୀୟ ଭାଷାମାନଙ୍କର ଶିଶୁ-ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ।

(ଗ)

ଓଡ଼ିଆ ଶିଶୁ-ସାହିତ୍ୟରେ ଶିଶୁର ଆଗ୍ରହର ବିଷୟ ବା ବସ୍ତୁ ସଂପର୍କରେ ସ୍ଵତନ୍ତ୍ର ଗବେଷଣା-। ଯଥା-ଓଡ଼ିଆ ଶିଶୁ-ସାହିତ୍ୟରେ ‘ଜହ୍ନ’, ଓଡ଼ିଆ ଶିଶୁ-ସାହିତ୍ୟରେ ‘ଫୁଲ’ ବା ଓଡ଼ିଆ ଶିଶୁ-ସାହିତ୍ୟରେ ‘ବର୍ଷା’ ଇତ୍ୟାଦି ।

(ଘ)

ସର୍ବଭାରତୀୟ ଭାଷାରେ ଓଡ଼ିଆ ଶିଶୁ-ସାହିତ୍ୟର ବିକାଶ ଓ ବିଶ୍ଳେଷଣ ପ୍ରକାଶ ପାଇବା ଆବଶ୍ୟକ ।

 

ପରିଶେଷରେ ଏତିକି କୁହାଯାଇ ପାରେ ଯେ, କୌଣସି ସାହିତ୍ୟକୁ ସାହିତ୍ୟରାଜ୍ୟରେ ସୁପ୍ରତିଷ୍ଠିତ କରାଇବା ପାଇଁ ଗୁଣାତ୍ମକ ସମାଲୋଚନା ସାହିତ୍ୟର ଯଥେଷ୍ଟ ଆବଶ୍ୟକତା ରହିଥିବା ହେତୁ, ଓଡ଼ିଆ ଶିଶୁ-ସାହିତ୍ୟକୁ ସୁପ୍ରତିଷ୍ଠିତ କରାଇବା ପାଇଁ ଓଡ଼ିଆ ଭାଷାସାହିତ୍ୟର ଗବେଷକମାନେ ଆଗେଇ ଆସିବା ଦରକାର ।

 

 

ଗ୍ରାମ୍ୟ ଉନ୍ନୟନ ଅଧକାରୀ

ଇଉନାଇଟେଡ଼୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

ଚରଂପା, ବାଲେଶ୍ୱର-୭୫୬୧୦୧

 

***

 

Unknown

ଅନୁସୃଜିତ ଗଳ୍ପ

ଡକ୍ଟର କଇଳାଶ ପଟ୍ଟନାୟକ

 

ଏକଦା ନାରୀର ରହସ୍ୟଘନ ମନରଚିତ୍ର ସୁରେନ୍ଦ୍ରଙ୍କଦ୍ୱାରା ‘ନାରୀରମନ’ ଗଳ୍ପରେ ରୂପପାଇ ମୋତେ ଆବିଷ୍ଟ କରି ରଖିଥିଲା ଅନେକଦିନ । ଅଦିନରେ ଆମ୍ବଫଳାଇବାର କୁହୁକଠାରୁ ମୋ’ ପାଇଁ ଆକର୍ଷଣୀୟ ହେଇ ଉଠିଥିଲା ପଞ୍ଚପତି ସତ୍ତ୍ୱେ‌ କର୍ଣ୍ଣଠାରେ ନିଜର ମନଦେଇଥିବା ଦ୍ରୌପଦୀର ଅକଳ୍ପନୀୟ ସ୍ଵୀକାରୋକ୍ତି । କେଡ଼େ କଠୋର ସେ ସତ୍ୟ ! କି ନିର୍ଲଜ ସେ ସ୍ଵୀକାରୋକ୍ତି-!! ଦ୍ରୌପଦୀର ପରିଚିତ ରୂପ ମତେ ଅପରିଚିତ ଅପରିଚିତ ଲାଗିଥିଲା । ଦେବୀଟି ଭିତରେ ଉଭା ହୋଇଥଲା ନାରୀଟିଏ । କେବଳ ମାତ୍ର ସ୍ଵାଭାବିକ ଦେହ, ମନ, ଇଚ୍ଛା ଓ ଆବେଗରେ ଗଢ଼ା ନାରୀଟିଏ । ତାର ଆକାଂକ୍ଷା, ତାର ଗୋପନୀୟ ଇଚ୍ଛାର ପରିପ୍ରକାଶ ଭିତରେ ସୁରେନ୍ଦ୍ର ଯେମିତି ସମଗ୍ର ନାରୀ ସମାଜର ରହସ୍ୟମୟତା ଉନ୍ମୋଚିତ କରିଦେଇଥିଲେ ।

 

ସୁରେନ୍ଦ୍ର ନା ସାରଳା ଦାସ, ପଂଚଦଶ ଶତାବ୍ଦୀର ସେ ଓଡ଼ିଆ କବି ପୁରୁଷ ! ଯେ ନିଜ ମହାଭାରତର ବନପର୍ବରେ ଏମିତି ଏକ ଆଖ୍ୟାନର ସଂଯୁକ୍ତି ଘଟାଇ ସୃଷ୍ଟି କରିଥିଲେ ପାଠକୀୟ ବିସ୍ମୟ ଓ ଉନ୍ମୋଚିତ କରିଥିଲେ ଚିରାୟତ ଏକ ସତ୍ୟ ! ସୁରେନ୍ଦ୍ର ଅବଶ୍ୟ ଆଖ୍ୟାନଟିର ଅନୁସରଣରେ ଆପଣା ଗଳ୍ପ ସୃଷ୍ଟି କରିଛନ୍ତି । ହେଲେ, ଏ ଅନୁସରଣତ ହେଇପାରିଥାନ୍ତା ସୁରେନ୍ଦ୍ରକୃତ ଗଦ୍ୟରୂପାୟନ ? ସୁରେନ୍ଦ୍ର କିନ୍ତୁ ଗଦ୍ୟାନୁବାଦ ପାଇଁ ମନବଳାଇ ନାହାନ୍ତି, ଆଖ୍ୟାନଟିକୁ ଆପଣାଭାବେ ସଜାଇ ତାର ସ୍ଵତନ୍ତ୍ର ସୌନ୍ଦର୍ଯ୍ୟ ଫୁଟାଇଛନ୍ତି । ଗଦ୍ୟ ରୂପାୟନରେ ସାରଳା ଦୀପ୍ତ ହେଇଥାନ୍ତେ, ସୁରେନ୍ଦ୍ରଙ୍କ କଳା - କୁଶଳତାର ସୁଯୋଗ ସେଠି ରହିନଥାନ୍ତା । ସୁରେନ୍ଦ୍ରଙ୍କ ଏ ଗଳ୍ପ ସାରଳାଙ୍କ ଆଖ୍ୟାନର ଫଞ୍ଜରରେ ନୂଆ ଏକ ସୃଷ୍ଟି । ‘ଆଦର୍ଶ’ର ଅନୁସୃଜନ । ଯେଉଁଠି ସାରଳା ଓ ସୁରେନ୍ଦ୍ର ଉଭୟ ଦୀପ୍ତ: ଉଭୟଙ୍କ ସର୍ଜନଶୀଳତା ଦେବୀପ୍ୟମାନ ।

 

ଅନୁସୃଜିତ ଗଳ୍ପ ଏପରିହିଁ ହୁଏ । ସେଠି ‘ଆଦର୍ଶ’ଟିଏ ଥାଏ । ତାହା କୌଣସି ନା କୌଣସି ଭାବେ ଗାଳ୍ପିକକୁ ଆକୃଷ୍ଟ କରେ । ଗାଳ୍ପିକ ତା’ ଭିତରେ ନିଜର ବକ୍ତବ୍ୟ ରୂପାୟିତ କରିବାର ସଂଭାବନା ଦେଖେ । ସେଇ ସଂଭାବନାକୁ ରୂପାୟିତ କରିବାକୁ ସେ ଚେଷ୍ଟା କରେ । ଏମିତି ଚେଷ୍ଟା ଭିତରେ ଜନ୍ମନିଏ ଗୋଟିଏ ଅନୁସୃଜିତ ଗଳ୍ପ ।
 

ଅନୁବାଦ (Translation) ଶବ୍ଦର ଅନୁସରଣରେ ଅନୁସୃଜନ (Transcreation) ଶବ୍ଦର ପ୍ରୟୋଗ, କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳଂ’ ନାଟକର ଭାଷାନ୍ତର ପ୍ରସଙ୍ଗରେ ପ୍ରଥମେ କରିଥିଲେ ପି.ଲାଲ । ମୂଳପାଠ ବା ଆଦର୍ଶ ବା Proto-text ର ଅନୁସରଣରେ ସୃଷ୍ଟିହୁଏ ଅନ୍ୟଏକ ପାଠ ବା ଆଦର୍ଶ ବା text ମୂଳପାଠ ବା ଆଦର୍ଶର ଅଂଶ ବିଶେଷର ଉଦ୍ଦେଶ୍ୟମୂଳକ ପରିବର୍ତ୍ତନ, ବିଶେଷ ଅର୍ଥବହ ନୂଆ ଆଖ୍ୟାନର ସଂଯୁକ୍ତି, ଚରିତ୍ରର ନୂଆ ସ୍ୱରୂପର ଉନ୍ମୋଚନ ଆଦିଦ୍ୱାରା ଅନୁସୃଜନ ପ୍ରକ୍ରିୟା ଘଟେ । ଅନୁସରକ ସ୍ରଷ୍ଟାର ସୃଜନଶୀଳତାର ସ୍ପର୍ଶ ଏଥିରେ ସ୍ପଷ୍ଟ ନିହିତ ଥାଏ । ମୂଳପାଠ ବା ଆଦର୍ଶର ଅନୁସରଣରେ ସୃଷ୍ଟି ହୋଇଥିଲେ ବି ସ୍ରଷ୍ଟାର ସୃଜନଶୀଳ ପ୍ରତିଭାବଳରେ ଏହି ଅନୁସୃଜିତ ଗଳ୍ପ ସ୍ଵତନ୍ତ୍ର ଓ ମୌଳିକ ଗଳ୍ପର ଗୌରବ ପାଇଥାଏ ।

 

ନାରୀରମନ ଗଳ୍ପରେ ଅନୁସୃଜନ ପ୍ରକ୍ରିୟାର ସ୍ପର୍ଶ ଏପରିଭାବେ ସଂଘଟିତ, ଯୁଧିଷ୍ଠିର କ୍ଷୁଧାର୍ତ୍ତ ବ୍ରାହ୍ମଣକୁ ଆଶ୍ୱିନ ମାସରେ ସୁଦ୍ଧା ପକ୍ୱ ଆମ୍ବଟିଏ ଖାଇବାକୁ ଦେବାର ସତ୍ୟ କରିଥିବା ନଚେତ୍‌ ଆତ୍ମବଳି ଦେବାର ସିଦ୍ଧାନ୍ତ କଥା ଶୁଣି ଭୀମ ଆମ୍ବଟିଏ ଖୋଜିବା ଅପେକ୍ଷା ବଣରୁ କାଠ ସଂଗ୍ରହ କରୁଛି ସମସ୍ତଙ୍କ ପାଇଁ ଜୁଇ ପ୍ରସ୍ତୁତ କରିବାକୁ । ସେ ପ୍ରକ୍ରିୟା ଭିତରେ ଭୀମର କ୍ରୋଧ, ହତାଶା, ଯୁଧୁଷ୍ଠିରଙ୍କ ପ୍ରତି ଅସନ୍ତୋଷ ସ୍ପଷ୍ଟ ପ୍ରତୀତ । ତାର ସାରଳାକୃତ ବ୍ୟକ୍ତିତ୍ୱ ସହ ଏ କ୍ରିୟାକଳାପ ସମତା ରଖେ । ମୂଳ ଆଖ୍ୟାନରେ ଏପରି ଚିତ୍ରଣ ନାହିଁ । ଭୀମର ବ୍ୟକ୍ତିତ୍ୱ ଓ ପାରିବାରିକ ସଂକଟ ଏ ଚିତ୍ରଣ ମାଧ୍ୟମରେ ସୁରେନ୍ଦ୍ର ଯଥାଯଥ ଚିତ୍ରଣ କରିପାରିଛନ୍ତି । ଏହି ସମୟରେ ଦ୍ରୌପଦୀର ଏ ସମସ୍ତ ସଂକଟରୁ ବୀତସ୍ପୃହ ରହି କର୍ଣ୍ଣ କଥା ଭାଳିହେବା ଓ ଆପଣା କଳ୍ପଲୋକରେ ମଗ୍ନ ରହିବା ଗଳ୍ପର ପରବର୍ତ୍ତୀ ଘଟଣାକୁ ପୁଷ୍ଟି କରାଇବା ସହ ସଂଯୋଗ ସ୍ଥାପନ କରେ । ମୂଳ ଆଖ୍ୟାନ ଏପ୍ରକାର ମନସ୍ଥିତିକୁ ଚିତ୍ରଣ କରିନାହିଁ । ସୁରେନ୍ଦ୍ରଙ୍କ ଗଳ୍ପରେ କୁନ୍ତୀ ନିଜର ସ୍ଵୀକାରୋକ୍ତି ଦିଅନ୍ତି, ‘ବୁଢ଼ୀ ବୟସରେ ବି କାମଜ୍ଜ୍ୱାଳା ଗଲାନାହିଁ । ସାରଳା ଆଖ୍ୟାନରେ ‘କୁନ୍ତୀ’ ପ୍ରସଙ୍ଗ ବହିର୍ଭୂତ । କୃଷ୍ଣ କେବଳ ପାଞ୍ଚଭାଇ ଓ ଦ୍ରୌପଦୀଙ୍କୁ ସତ୍ୟ କଥନ ମାଧ୍ୟମରେ ଆମ୍ବ ଫଳାଇବାର ନିର୍ଦ୍ଦେଶ ଦେଇଛନ୍ତି । କୁନ୍ତୀଙ୍କ ସ୍ଵୀକାରୋକ୍ତି ‘ନାରୀର ମନ’କୁ ହିଁ ଉନ୍ମୋଚିତ କରିବାର ଅପର ଏକ କଥା- କୌଶଳ ଭାବେ ସୁରେନ୍ଦ୍ରଙ୍କଦ୍ୱାରା ପ୍ରଯୁକ୍ତ । ଦ୍ରୌପଦୀ ସତ୍ୟ କଥନ ପାଇଁ ଆସିବାକୁ କୁଣ୍ଠିତ ବୋଲି ଗଳ୍ପରେ ଉଲ୍ଲିଖିତ । ତାଙ୍କୁ ବାରମ୍ବାର ଆହ୍ୱାନ କରିବାକୁ ପଡ଼ୁଛି । ଯୁବାନାରୀର ସ୍ଵାଭାବିକ ସଂକୋଚ ଦ୍ରୌପଦୀର ନଆସିବାର କାରଣ ସାଜିଚି । ମୂଳ ଆଖ୍ୟାନରେ ସେ ନିଜ ବକ୍ତବ୍ୟ ଉପସ୍ଥାପିତ କରିଛନ୍ତି ନିଃସଂକୋଚ ଭାବେ ଅଥଚ ଏହା ବଡ଼ ଅସ୍ଵାଭାବିକ !! ଦ୍ରୌପଦୀ ମୂଳ ଆଖ୍ୟାନରେ କହିଛନ୍ତି, ସ୍ତ୍ରୀମାନେ ଶୂରବନ୍ତ ସୁନ୍ଦର ପୁରୁଷ ଦେଖିଲେ ଅବଶ୍ୟ ମତି ବଦଳାନ୍ତି । ଭାଇ ବା ପୁଅ ହେଉନା କାହିଁକି, ‘ସୁବେଶ ପୁରୁଷ ଦେଖିଲେ ଚିତ୍ତ ନେଇ ଥୋଉ’ ଆଉ ଏହାରି ପରେ ପରେ ଆର୍ତ୍ତବଲ୍ଲଭ ସଂପାଦିତ ସାରଳା ମହାଭାରତରେ ଉଲ୍ଲେଖ ଅଛି;

 

ଯୁଗତେ ଯେ ମୋହୋର ଅଟନ୍ତି ପଞ୍ଚୁପତି

ୟେକାମାତ୍ର ଅର୍ଜ୍ଜୁନରେ ମୋହୋର ଅଧିକ ପୀରତି ।

 

ପୁନଶ୍ଚ ଅନ୍ୟ ଏକ ପାଠରେ, ‘ୟେ ମାନେ ଥାନ୍ତେ ମୋହୋର କର୍ଣ୍ଣେବଳେ ମତି’ । ସୁରେନ୍ଦ୍ର କର୍ଣ୍ଣ ପ୍ରସଙ୍ଗକୁ ହିଁ ଗଳ୍ପରୂପ ଦେଇଛନ୍ତି । ଅର୍ଜୁନଠାରେ ‘ଅଧିକ ପୀରତି’ ଗଳ୍ପର ଉତ୍କର୍ଷ ଓ ଉଦ୍ଦେଶ୍ୟ ସାଧିତ କରିପାରିବ ନାହିଁ । ନାରୀମନର ଅନ୍ଧକାରକୁ ଉନ୍ମୋଚିତ କରିବା ଲାଗି କର୍ଣ୍ଣପ୍ରସଙ୍ଗ ଅଧିକ ଉପଯୁକ୍ତ ଓ ଉପଯୋଗୀ । ସେଇଥିଲାଗି ସୁରେନ୍ଦ୍ରଙ୍କ ଦ୍ରୌପଦୀ କହେ, ‘ମୋର ପଞ୍ଚପତି ଅଛନ୍ତି । ତଥାପି କର୍ଣ୍ଣଙ୍କ ପ୍ରତି ମୁଁ ଟିକିଏ ଅଧିକ ଆକୃଷ୍ଟ’ । ଆଉ ତା’ ପରେ ପରେ ଗଳ୍ପର ଉତ୍କର୍ଷ ପ୍ରତିଫଳିତ ହୋଇଛି ଭାଇମାନଙ୍କ ପ୍ରତିକ୍ରିୟାରେ । ସାରଳା ଯେଉଁ ସ୍ଵାଭାବିକ ମାନବିକ ମନସ୍ଥିତି ସଂପର୍କରେ ନୀରବ ସୁରେନ୍ଦ୍ରଙ୍କ ଭାଷାରେ, ‘ଦ୍ରୌପଦୀଙ୍କ ଆଡ଼େ ଚାହିଁ ଯୁଧିଷ୍ଠିର ସ୍ତମ୍ଭୀଭୂତ-। ଭୀମଙ୍କ ମାଂସପେଶୀ ସବୁ ଥରି ଉଠିଲା । ଅର୍ଜ୍ଜୁନ ଗୋଧୂଳି ଆକାଶକୁ ଚାହିଁ ଦୀର୍ଘଶ୍ୱାସ ପକାଇଥିଲେ । ନକୁଳଙ୍କର ଆଖିରେ ବିସ୍ମୟ । ସହଦେବଙ୍କ ଆଖିରେ କିନ୍ତୁ କୌତୂହଳ ନାହିଁ, ଉତ୍ତେଜନା ନାହିଁ । ଏକଥା କଣ ସେ ଜାଣି ନଥିଲେ ?’

 

ସାରଳାଆଖ୍ୟାନ ଘଟଣାପ୍ରଧାନ ହୋଇଥିବାବେଳେ ସୁରେନ୍ଦ୍ରଙ୍କ ଗଳ୍ପ ବ୍ୟକ୍ତି-ପ୍ରଧାନ । ମାନବିକ ପ୍ରବୃତ୍ତି ଓ ପ୍ରତିକ୍ରିୟାରେ ଏହା ଉଜ୍ଜ୍ୱଳ । ସତ୍ୟଆମ୍ବ ସେଠି କେନ୍ଦ୍ରବିନ୍ଦୁ ନୁହେଁ, ବ୍ୟକ୍ତିର ମନସ୍ଥିତି ଚିତ୍ରଣର କେବଳ ଏକ ମାଧ୍ୟମ ।

 

ସାରଳା ମହାଭାରତର ଆଖ୍ୟାନ ଭିତ୍ତିରେ କେବଳ ଏଇ ଗଳ୍ପଟି ଓଡ଼ିଶାରେ ଲେଖା ହୋଇନାଇଁ, ମହାଭାରତ ସମେତ ଭାଗବତ, ଦାଣ୍ଡି ରାମାୟଣ, ହରିବଂଶ, ନୃସିଂହ ପୁରାଣ ଆଦିର ଆଖ୍ୟାନ ଭିଭିରେ ଲେଖାହେଇଛି ଦୁଇଶହରୁ ଉର୍ଦ୍ଧ୍ୱ ଗଳ୍ପ । ସାରେଳୀ କଥା ସରିତ (୧୯୮୭), ସାରୋଳ କଥା କଲ୍ଲୋଳ (୧୯୯୦) କଥା ଭାଗବତ (୧୯୯୧), କଥା ରାମାୟଣ (୧୯୯୨), ସାରଳା କଥାବିତାନ (୧୯୯୨), ଅଚ୍ୟୁତାନନ୍ଦ କଥା ସରିତ (୧୯୯୩), ନୃସିଂହ କଥା ସମ୍ଭାର (୧୯୯୪) ଆଦି ସଂକଳନଗୁଡ଼ିକର ଗଳ୍ପ ଏକ୍ଷେତ୍ରରେ ସ୍ମର୍ତବ୍ୟ । ତେବେ ଏସବୁ ଗଳ୍ପ ଅନୁସୃଜନର ପରିଧି ମଧ୍ୟକୁ ଆସନ୍ତି ନାହିଁ । ଅନୁସୃଜିତ ଗଳ୍ପର ସ୍ଵରୂପକୁ ଅଧିକ ପ୍ରାଞ୍ଜଳ କରିବା ଲାଗି ମହାଭାରତର ଆଖ୍ୟାନରୁ ଆଉ ଅନ୍ୟୂନ ଦୁଇଟି ନମୁନା ଦିଆଯାଇପାରେ ।

 

ଚନ୍ଦ୍ରଶେଖରଙ୍କ ‘ଯଦୁବଂଶରେ ସୂର୍ଯ୍ୟାସ୍ତ’ ଗଳ୍ପଟିର ଉସ୍‌ ସାରଳାଙ୍କ ନାରୀପର୍ବସ୍ଥ ଗାନ୍ଧାରୀଙ୍କ କୃଷ୍ଣଙ୍କୁ ଅଭିଶାପ, ‘ୟେକ ସୋଦରେ ଯେ ଅନ୍ୟୋଅନ୍ନିକରାଉ/ ୟେହିମତି ତୋହ ବଂଶନାଶଯାଉ’, ଆଶ୍ରମିକପର୍ବସ୍ଥ ଅଷ୍ଟବକ୍ର ରଷିଙ୍କ ଦ୍ଵାରା ଶାମ୍ବକୁ ପ୍ରଦଉଶାପ- ‘ଅଷ୍ଟବକ୍ର ବୋଇଲେ ୟେହାର ଯିସଅଛି ଗର୍ଭେ/ତେଣେ ନାଶଯିବ ତୁମ୍ଭେ ସମସ୍ତ ଯାଦବେ’ ତଥା ମୂଷଳୀପର୍ବର ଜାରାଶବର କର୍ତ୍ତୃକ ଶ୍ରୀକୃଷ୍ଣ ନିଧନ ଅଖ୍ୟାନ । ଗଳ୍ପଟି ଏସମସ୍ତ ଆଖ୍ୟାନର ପୃଷ୍ଠଭୂମିରେ ପରିକଳ୍ପିତ ଓ ଦାରା ତଥା ତା’ ସ୍ତ୍ରୀ ବିନ୍ଧ୍ୟା ମାଧ୍ୟମରେ ଚିତ୍ରିତ ଗଳ୍ପର ଆରମ୍ଭରୁ ଜାରାର କୋପୀଭାବର ସୂଚନା, ଚତୁର୍ଦ୍ଦିଗରେ ଯାଦବକୁଳର ଗୋଳ ଆଦି ମାଧ୍ୟମରେ ଗୋଟାଏ କିଛି ଅଘଟଣ ଘଟିବ ଏମିତି ଏକ ସଂଭାବନା ଜନ୍ମ ନେଇଛି । ଗଳ୍ପର ଗଠନକଳା ଓ କଥା ଉପସ୍ଥାପନ ରୀତି ଅନନ୍ୟ । ଜାରା ଓ ବିନ୍ଧ୍ୟା ସ୍ଵତନ୍ତ୍ରଭାବେ ଦୁଇଟି ପର୍ଯ୍ୟାୟକୁ ସାମନା କରୁଛନ୍ତି । ବିନ୍ଧ୍ୟା ଯାଦବକୁଳର ସେ ଉନ୍ନତ୍ତ ଗୋଳଯୋଗକୁ ପ୍ରତ୍ୟକ୍ଷ କରୁଚି, ରଥଟିଏ ପ୍ରଦ୍ୟୁମ୍ନର!!) ଘର୍ଘର ନାଦରେ ଚତୁର୍ଦ୍ଦିଗ ମାଡ଼ିଯିବା ଓ କୃଷ୍ଣଙ୍କ ଚକ୍ର ତାକୁ ନିଧନ କରିବା ଦେଖି ସେ ସ୍ତମ୍ଭୀଭୂତ । ଅପରପକ୍ଷରେ ଶିକାର ଅନ୍ୱେଷଣକାରୀ ଜାରା ଯେତେବେଳେ ଭାରି ପାହୁଣ୍ଡରେ ଫେରିଥିଲା ଘରକୁ, ‘ସେ ଦିଶୁଥିଲା ଅତି ଭୟଙ୍କର । ତା’ଆଖି, ତା’ଭ୍ରୂଲତା, ତା’ମୁହଁ, ନିଶ ବିକଟାଳ ଦିଶୁଥିଲା । ହତଶ୍ରୀ ଦିଶୁଥିଲା । ସେଇ ଅବସ୍ଥାରେ ସେ କହିଥିଲା, ଆଜି ଦ୍ରୋହ କରିଛି । ଏଇ ଶରମାଡ଼ରେ ଦ୍ୱାରକାର ରାଜାଙ୍କୁ ମାରିଦେଇଛି । ××× ମୁଁ କହୁଚି, ମତେ ବିଶ୍ଵାସକର, ମୋ ଅଜାଣତରେ ମିରିଗକାନ ଲାଗି ମୁଁ ଶର ମାରିଥିଲି । ××× ତା ଆଖିରଙ୍ଗ ଜରଜର ହୋଇ ମନ୍ଦାର ପାଖୁଡ଼ା ପରି ଥୋପି ପଡ଼ୁଥିଲା-।’ ଆଉ ଏମିତି ଅବସ୍ଥା ଭିତରେ ସାରଳା ଆଖ୍ୟାନର ଏଇ ଅନୁସୃଜିତ ଗଳ୍ପରୂପ ଏକ ଉତ୍ତୁଙ୍ଗତାରେ ପହଞ୍ଚି ପାରିଛି । ସାରଳାଙ୍କ ଯଦୁବଂଶଧ୍ଵଂସ ଜନିତ ଅଭିଶାପ ଆଜିର ବ୍ୟପାକ ପୃଷ୍ଠଭୂମି ଏଠି ସୂଚନାତ୍ମକ ଭାବେ ଉପସ୍ଥାପିତ ଯାହା ଗଳ୍ପର ଭାବସାନ୍ଧ୍ରତା ଆଣିଛି । ଶ୍ରୀକୃଷ୍ଣ ସାରଳା ଆଖ୍ୟାନର କେନ୍ଦ୍ରବିନ୍ଦୁ ହୋଇଥିବା ବେଳେ ଜାରାଦଂପତି ଏଗଳ୍ପର କେନ୍ଦ୍ର । ଫଳରେ ଏ ଗଳ୍ପ ପାଇଛି ଏକ ନୂଆ ଦୀପ୍ତି । ସାରଳା ଯାଦବକୁଳର ଉନ୍ମତ୍ତତାର ଦୀର୍ଘ ବିବରଣୀ ଏପିକ୍‌ଗତ କଳା ହେତୁ ଦେଇଥିବା ବେଳେ ଗଳ୍ପରେ ତାହା ପୃଷ୍ଠଭୂମିଭାବେ ପରିସ୍ପୁଟିତ ତଥା ଏକ ସଂଦ୍ଭାବ୍ୟ ଦୁର୍ଘଟଣାର ଯଥାର୍ଥ ପରିମଣ୍ଡଳ ସୃଷ୍ଟିରେ କ୍ଷମ । ସାରଳାଙ୍କ ଜାରା ଓ ତା ସ୍ତ୍ରୀ (ମୂଳଆଖ୍ୟାନରେ ସେ ନାମହୀନ) ଶରାଘାତପରେ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରି କ୍ଷମା ମାଗିବା ଓ କୃଷ୍ଣ କର୍ତ୍ତୃକ ଜାରା ଅର୍ଜ୍ଜୁନକୁ ଡାକିବାକୁ ଇନ୍ଦ୍ରପ୍ରସ୍ଥ ଯିବା ପ୍ରସଙ୍ଗ ଗଳ୍ପରେ ନାହିଁ । କୃଷ୍ଣଙ୍କୁ ଶରାଘାତ ଗଳ୍ପର କ୍ଳାଇମାକ୍‌ସ । ଗଳ୍ପରେ ଜାରା ସ୍ଵତନ୍ତ୍ର ବ୍ୟକ୍ତିତ୍ୱରେ ଉଭା । ତାର ଆତ୍ମଦହନ, ତା’ ବ୍ୟକ୍ତିତ୍ୱକୁ ବହୁଭାବେ ସ୍ଵତନ୍ତ୍ର ଓ ବିଶିଷ୍ଟ କରି ଦେଉଛି । ଚନ୍ଦ୍ରଶେଖର ଏକ ବ୍ୟାପକ କଥାବୃତ୍ତକୁ ବିନ୍ଦୁଟିଏରେ ସାର୍ଥକଭାବେ ଥୋଇ ଆପଣାର ସ୍ୱାତନ୍ତ୍ର୍ୟ ଓ ସୃଜନଶୀଳତାର ସ୍ୱାକ୍ଷର ଦେଇପାରିଛନ୍ତି । ଗଳ୍ପଟି ଆତଙ୍କଗ୍ରସ୍ତ ପରିପାର୍ଶ୍ୱ ଓ ଉନ୍ମତ୍ତ ହନନର ଭୟାନକତା ଫୁଟାଇ ଆଖ୍ୟାନର ଭୟାନକତା ଓ କାରୁଣ୍ୟ ଦର୍ଶାଇବାରେ ସଫଳ ।

 

ଗାନ୍ଧାରୀଙ୍କ ସାହାଡ଼ାବୃକ୍ଷ ବିବାହ ଭିତ୍ତିରେ ତାଙ୍କର ଉଆଁସୀକନ୍ୟାଦୋଷ ଖଣ୍ଡନ କିଶୋରୀ ଚରଣଙ୍କ ‘ତ୍ରୟୋବିଂଶ ମୃତ୍ୟୁ’ର ପୃଷ୍ଠଭୂମି । ସାରଳାଙ୍କ ଆଦିପର୍ବରେ ବ୍ୟାସଦେବଙ୍କ ଗାନ୍ଧାରସେନଙ୍କୁ ସାକ୍ଷାତ୍‌, ଗାନ୍ଧାରୀର ଦୋଷ ଖଣ୍ଡନର ପ୍ରତିଶ୍ରୁତି, ତାଙ୍କୁ ସାହାଡ଼ା ବୃକ୍ଷର ମାହାତ୍ମ୍ୟମୂଳକ ଆଖ୍ୟାନର କଥନ, ଗାଂଧାରୀ ଓ ସାହାଡ଼ା ବୃକ୍ଷର ବିବାହ ଆଦି ବିସ୍ତାରିତ ଭାବେ ଚିତ୍ରିତ । ଆଖ୍ୟାନଟି ଘଟଣାପ୍ରଧାନ ଓ ସାହାଡ଼ା ବୃକ୍ଷସହ ଗାନ୍ଧାରୀର ବିବାହ ଥିଲା ତ୍ରୟୋବିଂଶ ବିବାହ । ଯେଉଁ ବିବାହ ଫଳରେ ପୂର୍ବର ବାଇଶଜଣ ରାଜପୁତ୍ରଙ୍କ ସମେତ ସାହାଡ଼ା ଗଛର ମୃତ୍ୟୁ ଘଟିଥିଲା । କାରଣ ଅଭିଶପ୍ତା ଉଆଁସୀକନ୍ୟା ହେତୁ ଗାନ୍ଧାରୀର ଥିଲା ଏହାହିଁ ଭବିତବ୍ୟ । କିଶୋରୀ ଚରଣଙ୍କ ଗଳ୍ପରେ ଗାନ୍ଧାରୀର ମନସ୍ଥିତି ପ୍ରାଧାନ୍ୟ ପାଇଛି । ବାରମ୍ବାର ତାକୁ ବିବାହ କରୁଥିବା ରାଜପୁତ୍ରମାନଙ୍କ ମୃତ୍ୟୁ ତା’ ଭିତରେ ନିଜପାଇଁ କ୍ଷୋଭ ଓ ହତାଶା ସୃଷ୍ଟି କରିଛି । କୋଉ ରାଶିନକ୍ଷତ୍ରଙ୍କ ହାତଗଢ଼ା ପାପ ? ତାହେଲେ ଏଇ ପାପରେ ଆଖି, କାନ ଆଉ ନିଲଠା ହ଼ଦୟକୁ ଖଂଜିଦେଲା କିଏ ବୋଲି ନିଜକୁ ନିଜେ ଗଳ୍ପରେ ପ୍ରଶ୍ନକରେ ଗାନ୍ଧାରୀ । କିଶୋରୀଚରଣ ମଣିଷମନର ରୂପକାର । ଅଭିଶପ୍ତ ଏ ଅଙ୍ଗନାର ଆକୁଳମନର ଚିତ୍ର ଦେବାର ଦୂର୍ଲଭ ସଂଭାବନାଟିଏ ପାଇଛନ୍ତି ଗାଳ୍ପିକ । ଏପରି ଅଭାବନୀୟ ସ୍ଥିତି ଭିତରେ ଯୁବତୀଟିଏର ଦୁଃଖ ଓ ହତାଶାକୁ ସେ ସୁନ୍ଦରଭାବେ ରୂପାୟିତ କରିଛନ୍ତି । ମୂଳ ଆଖ୍ୟାନରେ ଗାନ୍ଧାରୀ ପୃଷ୍ଠଭୂମିରେ ଥାଏ, ସକ୍ରିୟ ଥାନ୍ତି ଗାନ୍ଧାରସେନ ଓ ବ୍ୟାସଦେବ । ଗଳ୍ପରେ ଗାନ୍ଧାରୀ କେନ୍ଦ୍ରୀୟ ଚରିତ୍ର ଓ ତାର ପ୍ରତିକ୍ରିୟାଦ ଗଳ୍ପର ବୀଜ । ବକ୍ତବ୍ୟ ଗତ ନବୀନ ସଂଭାବନା ସତ୍ତ୍ୱେ, ମଣିଷ ମନର ଆଶ୍ଚର୍ଯ୍ୟ ରୂପକାର ଭାବେ କିଶୋରୀ ଚରଣଙ୍କ ସ୍ଵୀକୃତି ପ୍ରତିଷ୍ଠା ସତ୍ତ୍ୱେ ଅନୁସୃଜନ ପ୍ରକ୍ରିୟାରେ ସଙ୍ଗତିହୀନତା ଯୋଗୁଁ ଗଳ୍ପଟି ବଡ଼ ଦୂର୍ବଳ । ଏକ ସୁନ୍ଦର ସଂଭାବନାର ଘଟିଛି ଅଭାବିତ ମୃତ୍ୟୁ । ସାହାଡ଼ା ଗଛର ମାହାତ୍ମ୍ୟ କୈନ୍ଦ୍ରିକ ସାରଳାଙ୍କ ଆଖ୍ୟାନ ଅନୁରୂପ ବିସ୍ତାରିତ ବର୍ଣ୍ଣନାଦ୍ୱାରା ଗଳ୍ପର ତୀବ୍ରତା ଓ ଭାବସାନ୍ଧ୍ରତା ରକ୍ଷିତ ହୋଇପାରିନାହିଁ । ଗାନ୍ଧାରୀର ମନସ୍ଥିତିର ପ୍ରଦର୍ଶନ ଗଳ୍ପର ମୂଳଉଦ୍ଦେଶ୍ୟ ଅଥଚ ସାହାଡ଼ାଗଛ ପ୍ରସାଦରୁ ବାସୁଆ ବଳଦର ଉତ୍ତମ ଭୋଜନ ପ୍ରାପ୍ତି ସେଇ ଏକନିଷ୍ଠ ଉଦ୍ଦେଶ୍ୟ ଦିଗରେ ପାଠକକୁ ପରିଚାଳିତ କରାଇପାରୁନାହିଁ । ଧ୍ରୁତରାଷ୍ଟ୍ରଙ୍କୁ ଗାନ୍ଧାରୀ ବିବାହ କରିବା ପ୍ରସଙ୍ଗ ଆଦୌ ଗଳ୍ପରେ ନଥିଲେ ଏହାର କଳା ଗୌରବ ହୋଇଥାନ୍ତା ଅଧିକ ସୁରକ୍ଷିତ । ବକ୍ତବ୍ୟ ହୋଇଥାନ୍ତା ସ୍ଵଚ୍ଛ । ଗଳ୍ପରେ ଏହି ବିବାହ ବର୍ଣ୍ଣନା ପ୍ରସଙ୍ଗରେ, ‘ଗାନ୍ଧାରସେନ ମନେ ମନେ କୁରୁଳି ଖାଇଲେ - ମୁଁ କହୁନଥିଲି, ମୁଁ କହୁନଥିଲି ?’ ଆଦିର ଉଲ୍ଲେଖ ରାଜୋଚିତ ଗାମ୍ଭୀର୍ଯ୍ୟର ପରିପନ୍ଥୀ । ଗଳ୍ପର ସାମ୍ଭ୍ରାନ୍ତ୍ୟ ପରିମଣ୍ଡଳ (Milieu) ଏହାଦ୍ୱାରା ବିଘ୍ନିତ ହୋଇଛି । ଅତିକଥନ ଓ ଅନାବଶ୍ୟକ ଅତିରଞ୍ଜନଦ୍ୱାରା ଗଳ୍ପଟି ଦୁର୍ବଳ ।

 

ଗୋଟିଏ ଭାଷାର ନିର୍ଦ୍ଦିଷ୍ଟ ଏକ ସାହିତ୍ୟ-ପ୍ରାରୂପ (Literary form) ସମଗ୍ରପାଠ ବା ଅଂଶବିଶେଷ ସେହି ଭାଷାର ଅନ୍ୟଏକ ସାହିତ୍ୟପ୍ରାରୂପରେ ରୂପାୟିତ ହେଲେ ତାହା ଅନୁବାଦ ବିଜ୍ଞାନର ଭାଷାରେ ହୁଏ Intralingual translation . ତସରଙ୍କ (Jeoferry Chaucer) middle English ରଚିତ କାବ୍ୟଧର୍ମୀ Centebury Talesର ଆଧୁନିକ ଇଂରାଜୀର ଏକାଧିକ ଗଦ୍ୟରୂପ ଏପରି ଅନୁବାଦର ନମୁନା । ଏହିଧାରାର ଅନୁସରଣରେ ଉପରୋକ୍ତ ପ୍ରକ୍ରିୟାରେ ଓଡ଼ିଆରେ ସୃଷ୍ଟ । ଗଳ୍ପଗୁଡ଼ିକୁ କୁହାଯାଇପାରେ Intralingual transcreation.

 

ପୁରାଣ-ପୃଥିବୀର ସମକାଳୀନ ରୂପ ଦର୍ଶନ କରୁ କରୁ ମୋର ମନେହେଲା ମୁଁ ବିସ୍ମୃତ ହେଉଛି ସମଭାଷିକ ଅନୁସୃଜନର ଅନ୍ୟଏକ ଦିଗ ସଂପର୍କରେ । ଯେଉଁଠି ଫକରୀମୋହନଙ୍କ ରେବତୀ (ଅକ୍‌ଟୋବର ୧୮୯୮)କୁ ଆଦର୍ଶ କରି ଅନ୍ୟୂନ ଛଅଟି ଗଳ୍ପ ଓଡ଼ିଆରେ ସୃଷ୍ଟି ହୋଇ ଅନୁସୃଜନର ଏକ ଅଭିନବ ଓ କୌତୂହଳୋଦ୍ଦୀପକ ପରଂପରା ସୃଷ୍ଟି କରିଛି । ବିବିଧ ସାମାଜିକ ଓ ମାନସିକ ପର୍ଯ୍ୟାୟରେ ରେବତୀକୁ ଚିତ୍ରଣ କରି ଏବର ଲେଖକମାନେ ତାର ଏକ କାଳାନୁସାରୀ ସାରସ୍ଵତ ଯାତ୍ରା କରାଇବାର ପ୍ରୟାସ କରିଛନ୍ତି । ସେ ଯାତ୍ରାର କେଉଁଠି ମୁଁ ରେବତୀକୁ ସିଧା ସଳଖ ସେଇନାଁରେ ପାଏ ତ ପାଏବି ଅନ୍ୟ କୌଣସି ନାଁରେ । ମାତ୍ର ନାଁ ବଦଳିଗଲେବି ଫକୀର ମୋହନଙ୍କ ନିରୀମାଖି ଝିଅର ସେ ଗଭୀର ଛାଇ କଣ ତାକୁ ଅଚିହ୍ନା ରଖିଦବ ? ସେଇଥିଲାଗି ଗ୍ରାମ୍ୟ ପୃଷ୍ଠଭୂମିରେ ରଚିତ ବୀଣାପାଣିଙ୍କ ‘ଅନ୍ଧକାରର ଛାଇ’ର କୋଇଲି ଆଉ କେହି ନୁହେଁ, ରେବତୀର ପ୍ରତିରୂପ ମାତ୍ର । ଅନୁସୃଜନର ସ୍ଵାଭାବିକ ପ୍ରକ୍ରିୟାରେ କୋଇଲିର ଶିକ୍ଷାର ବାଧକ ହେଇଛି ତା’ ପରିବାରର ଦାରିଦ୍ର୍ୟ । ତାର ଶିକ୍ଷାଭିମୁଖୀନତାକୁ ବିରୋଧ କରୁଛି ଜେଜୀମା-ଛାୟା ସୃଷ୍ଟି କୋଇଲିର ମା’ । ଝିଅକୁ ଦି’ହାତ କରିବା ତାଙ୍କର ପ୍ରଧାନ ଚିନ୍ତା । ଏ ଚିନ୍ତା ସମକାଳର ଅବଦାନ । କେବଳ ଏଇ ଚିନ୍ତା ନୁହେଁ, ଅପରାପର ଚିନ୍ତା ଓ ଚିତ୍ରଣରେ ଜଗଦୀଶ ମହାନ୍ତିଙ୍କ ରେବତୀ (ଅଗଷ୍ଟ, ୧୯୭୮), ହୃଷୀକେଶ ପଣ୍ଡାଙ୍କ ରେବତୀ (୧୯୮୩) କବିତା ବାରିକଙ୍କ ରେବତୀ (୧୯୮୫), ପ୍ରତାପ ବିଶ୍ୱାଳଙ୍କ ରେବତୀ (ଜୁଲାଇ, ୧୯୯୧), ସ୍ଵୟଂବରା ପଟ୍ଟନାୟକଙ୍କ ରେବତୀ (୧୯୯୪) ଆଦି ବିଚିତ୍ରବର୍ଣ୍ଣା । ରେବତୀ କେଉଁଠି କେଉଁ କଣ୍ଟ୍ରାକ୍ଟରର ସ୍ତ୍ରୀ ଓ ବାସୁ ତାର ଭୂତପୂର୍ବ ପ୍ରେମିକତ କେଉଁଠି ସେ ସ୍ଵାଧିକାର ସଚେତନ ଶିକ୍ଷିତା ସ୍ଵାବଲମ୍ବନଶୀଳ ଚାକିରୀଜୀବୀ, କେଉଁଠି ବା ସେ ବାସୁମାଷ୍ଟର ସହ ପଳାଇଯାଇ ତା’ସହ ଘର କରିଥିବା ଝିଅଟିଏ । ଫକରୀମୋହନଙ୍କ ରେବତୀ, ଅନୁସୃଜନର ଏ ବିନ୍ଧାଣୀମାନଙ୍କ ହାତରେ ନୂଆରୂପ, ନୂଆ ତେଜରେ ଉଭା । ମନେହୁଏ ଜେଜୀମାର ରେବତୀ ପ୍ରତି ସେ ଭକ୍ତି, ‘ପାଠ କ’ଣଲୋ ? ମାଈକିନିଆ ଝିଅଟା ପାଠ କ’ଣ ? ରନ୍ଧାବଢ଼ା, ପିଠାପଣା କରିଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କ’ଣ ?’ ଭାରତର ଏ ବିନ୍ଧାଣୀମାନେ ଆପଣାମତେ ଦେଇ ଦେଇ ପ୍ରମାଣ କରିଦେଇଛନ୍ତି ଝିଅପିଲାର ପୃଥିବୀ ଖାଲି ରଂଧାଘରର ଚାରିକାନ୍ଥ ଭିତରେ ଆଜି ଆଉ ବାଛି ହେଇନାଇଁ, ତା’ ଅପେକ୍ଷା କେତେନାଇଁ କେତେ ବ୍ୟାପକ ! ସେ ସାହସିନୀ, ପରିସ୍ଥିତିକୁ ଆପଣାମତେ ସାମ୍ନା କରିପାରେ । ତାର ବିଚାରଶକ୍ତି ଅଛି, ସେ ଭଲ ମନ୍ଦ ବୁଝେ । ତାର ସ୍ଵାଭିମାନ ଅଛି, ନିଜ ସମ୍ମାନ ଓ ଅଧିକାର ପାଇଁ ସେ ସଚେତନା ଫକୀରମୋହନଙ୍କ ଗଳ୍ପର ଚରିତ୍ରଟିଏ ରେବତୀ, ଆଜି ଓଡ଼ିଆଝିଅର ପ୍ରତୀକ । ସେ ପ୍ରତିନିଧିତ୍ୱ କରିଚାଲିଛି ସମୟର ।

 

ଥାଏ ଆଉ ପ୍ରକାରେ ଅନୁସୃଜନ । ସେଠି ଆଦର୍ଶଟି ସମଭାଷିକ ନୁହେଁ ଭିନ୍ନ ଭାଷିକ । ଗୋଟିଏ ଭାଷାର ଉତ୍ସରୁ (source language) ଅନ୍ୟ ଏକ ଭାଷାକୁ (target language) କଥା ଆସିଥାଏ । ଏହି ଆଗମନ ଘଟେ ଆଦର୍ଶର ଚିଚିତ୍ର ରୂପାୟନଦ୍ୱାରା । ପଞ୍ଚତନ୍ତ୍ରର ଖଡ଼୍‌ଗଧାରୀ ବାନରଭୃତ୍ୟଟିର ରାଜାଙ୍କ ମୁହଁରେ ବସିଥିବା ମାଛିକୁ ମାରିବାର ଚେଷ୍ଟା ଭିତରେ ରାଜାଙ୍କ ହନନ ଭିତ୍ତିକ ଆଖ୍ୟାନରୁ ଏପରି ରୂପାୟନରେ ବ୍ୟାଖ୍ୟା କରାଯାଇପାରେ, ମାଙ୍କଡ଼ର ଅବଚେତନରେ ରାଣୀଙ୍କ ପାଇଁ ଥିବା ଆବେଗ ଏହାର କାରଣ ବୋଲି ! ମାଙ୍ଗଡ଼ ଜାତିର ଉନ୍ନତି କଳ୍ପେ ସେ ମାଙ୍କଡ଼କୁ ପୁଣି ରାଣୀଙ୍କ ପ୍ରେମାସ୍ପଦ ହେବାର ପ୍ରଶିକ୍ଷଣ ମିଳେ । ମୂଳ ଆଖ୍ୟାନର ଭିତ୍ତିରେ ଗଢ଼ାହୁଏ ନୂଆ ବକ୍ତବ୍ୟର ଗଳ୍ପଟିଏ ମନୋଜଙ୍କ ‘ମୂର୍ଖଭୃତ୍ୟ ଉପାଖ୍ୟାନ’ । ଅନୁରୁପ ଭାବେ କଙ୍କଣ ଲୋଭରେ ବାଘର ଶିକାର ହେବାର ପଞ୍ଚତନ୍ତ୍ରୀୟ କାହାଣୀର ପୁନର୍ନିମାଣରେ ମନୋଜ ଲେଖନ୍ତି ‘ବ୍ୟାଘ୍ର ଓ କଙ୍କଣ ଲୋଭୀ ପଥଚାରୀ’ - ଯେଉଁଠି ପଥଚାରୀ ଜଣକର ପ୍ରଥମ ପୁରୁଷୀୟ ବର୍ଣ୍ଣନା ଶୈଳୀରେ ଗଳ୍ପଟି ଉପସ୍ଥାପିତ । ଆତ୍ମହତ୍ୟାକାମୀ ସେ ଯୁବକ କଙ୍କଣରେ ପ୍ରଲୁବ୍‌ଧ ହୋଇ ଆତ୍ମହତ୍ୟା ନକରି ଫେରି ଆସିଛି ସତ ମାତ୍ର ପାଲଟିଚି ଅପରଏକ ବ୍ୟାଘ୍ର ! ମୋହଗ୍ରସ୍ତ ଜୀବନର ଦୁର୍ଭାରତାରେ ସେ’ବା ଆଉ ହୁଅନ୍ତା କ’ଣ ? ପ୍ରାଚୀନ ଏକାହାଣୀ ମାନଙ୍କ ଭିତରେ ସମକାଳ ଓ ତାର ଭାବବ୍ୟଂଜନାକୁ ଦର୍ଶାଇବାରେ ସୁଯୋଗର ସଦ୍‌ବ୍ୟବହାର କରିଛନ୍ତି ମନୋଜ । ସେଥିଲାଗିତ ‘ଆକାଶ କଇଁଛ’ ରେ ପଞ୍ଚତନ୍ତ୍ରୀୟ କଇଁଛ କମ୍ବୁଗ୍ରୀବ ପରି ହଂସଦ୍ଵୟଙ୍କଦ୍ୱାରା ଆକାଶଚାରୀ ହେବାବେଳେ ମନୋଜଙ୍କ କଇଁଚ ପଞ୍ଚତନ୍ତ୍ରୀୟ ପରିଣତି ପାଇନଥିଲା, ଖସିପଡ଼ିବାର ଅବ୍ୟବହିତ ପରେ ଜନୈକ ଶାସକଙ୍କଦ୍ୱାରା ତାର ଗୁଣାଗୁଣ ପରୀକ୍ଷିତ ହୋଇଥିଲା ମାନୁଷିକ ଛଦ୍ମତା ଓ ଶାସକୀୟ ମୂଢ଼ତାର ନିଦର୍ଶନ ଦେଇ ପଞ୍ଚତନ୍ତ୍ରୀୟ ଆଖ୍ୟାନର ଏ ଗଳ୍ପ ଏକ ସ୍ଵତନ୍ତ୍ର ଅନୁସୃଷ୍ଟି ।

 

ଖାଲି ସମକାଳର ପ୍ରାସଙ୍ଗିକତା ପରିପ୍ରେକ୍ଷିତରେ କୌଣସି ଆଦର୍ଶର ନବ ରୂପାୟନ ଅନୁସୃଜିତ ଗଳ୍ପର ଲକ୍ଷ୍ୟ ନୁହେଁ । ମାନବିକ ଆବେଗ ଓ ଭାବସଂପର୍କର ଗଭୀରତା ଦର୍ଶାଇବାକୁ ମଧ୍ୟ ଏପରି ଗଳ୍ପ ସଚେଷ୍ଟ । ସେଇଥିଲାଗିତ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ବୃଢ଼ାଶଂଖାରୀ ପଢ଼ି, ବୋହୂଟିର ବୈଧବ୍ୟ ଦେଖି, ତାକୁ ଆସମାନ ତାରା ଶଂଖା ପିନ୍ଧେଇ ପାରୁନଥିବାର କ୍ଷୋଭ ଓ ବେଦନା ଭିତରେ ଶଂଖାରି ବୁଢ଼ାର ବାତ୍ସଲ୍ୟ ନିବିଡ଼ ପିତୃରୂପ ମତେ ଅଭିଭୂତ କରି ରଖିଥିବାବେଳେ ପଢ଼ିଲି ଚାରୁଚନ୍ଦ୍ର ବନ୍ଧୋପାଧ୍ୟାୟ (୧୮୭୬-୧୯୩୮) ‘ଚୂଡ଼ିଓୟାଲା’ । ୧୯୧୩ ମସିହା ଜୁଲାଇମାସରେ ‘ମୁକୁରରେ’ ‘ବୁଢ଼ାଶଂଖାରି’ ପ୍ରଥମେ ପ୍ରକାଶ ପାଇଥିବା ବେଳେ ସେଥିରେ ଉଲ୍ଲେଖ ଥିଲା, ‘ଏକ ବଂଗଳା ଗଳର ଛାୟାରେ’.... । ବୁଢ଼ାଶଙ୍ଖାରି ଚୂଡ଼ିଓୟାଲାର ଅନୁସୃଷ୍ଟି ? ବେଳେ ବେଳେ ଅନୁସୃଷ୍ଟିଗୁଡ଼ିକ କି ଦୂରନ୍ତ ଶକ୍ତିଶାଳୀ ହୋଇ ମୂଳ ଆଦର୍ଶକୁ ବି ମ୍ଳାନ କରିଦେବାର ସ୍ପର୍ଦ୍ଧା ଦେଖାଏ, ବୁଢ଼ାଶଂଖାରି ତାରି ନମୁନା । ବୋହୂର ବୈଧବ୍ୟ ଭିତ୍ତିକ କାରୁଣ୍ୟ ଭୟ ଲେଖକଙ୍କର ଏକ ଉଦ୍ଦେଶ୍ୟ ହେଲେବି କଥା ଉପସ୍ଥାପନ, ଶଂଖାରିବୁଢ଼ାର ଚିତ୍ରଣ, କାରୁଣ୍ୟକୁ ଏକ ଅନୁପମ ଉଚ୍ଚତାରେ ପହଞ୍ଚାଇ ପାରିଥିବା ଦୃଷ୍ଟିରୁ ବୃଢ଼ାଶଂଖାରି ଅସାଧାରଣ ।

 

ଏହାରି ପ୍ରତିଲୋମରେ ମନେପଡ଼େ ଅନନ୍ତ ପ୍ରସାଦଙ୍କ ଚଣାଚୂର । ରବୀନ୍ଦ୍ରନାଥଙ୍କ କାବୁଲିଓୟାଲାର ଉତ୍କଳୀୟରୂପ । ପୃଷ୍ଠଭୂମି ବ୍ରହ୍ମପୁରର ହିଲପାଟଣା ସାହି । କାବୁଲିବାଲାର ଭୁମିକାରେ ଆସେ ଚଣାଚୂର ବାଲାଟିଏ । ବନ୍ଧୁତା ବନ୍ଧେ ପୁଣି ଜଣେ ମିନି ସହିତ । ଯାହାଭିତରେ ସେ ଖୋଜିପାଏ ଆପଣା ମୃତକନ୍ୟା ମଣିକୁ । ଦିନେ ହଠାତ୍‌ ବୁଢ଼ା ଡାକୁଥିଲେ ବି ମିନି ଆସିଲାନି, ଜାଣିଲା ତାର ବାହାଘର । ବୁଢ଼ା ଉପହାରଟିଏ ନେଇ ଫେରିଚି । ଅନୁସୃଜନର ପ୍ରକ୍ରିୟାରେ ଅନନ୍ତ ଗ୍ରହଣ କରିଛନ୍ତି ରବୀନ୍ଦ୍ରନାଥଙ୍କ କଥା ପଂଜର, ପରିତ୍ୟାଗ କରିଛନ୍ତି ଶିଳ୍ପ । ମିନିକୁ ଖ୍ରୀଷ୍ଟାନ ଘରଝିଅ କରିଛନ୍ତି । ବିବାହର ଗହଳି ଓ ସାଜସଜ୍ଜା ତେଣୁ ବୁଢ଼ା ଦେଖିନାହିଁ । ନାୟକର ମନୋବେଦନା ପ୍ରକାଶକରିବାର, ଆକୁଳିତ ହେବାର, ସ୍ମୃତିମଥିତ ହେବାର ଯେଉଁ ସୁଯୋଗ ରବୀନ୍ଦ୍ର ଗଳ୍ପରେ ଅଛି, ‘ମଣି’କୁ ମାରିଦେଇ ଅନନ୍ତ ସେ ସୁଯୋଗ ଓ ତତ୍‌ ସଂପର୍କୀୟ ସମସ୍ତ ସମ୍ଭାବନା ହରାଇ ଦେଇଛନ୍ତି । ଦ୍ୱନ୍ଦହୀନ କଥାବସ୍ତୁର ସାଧାରଣ ଉପସ୍ଥାପନ ଭିତରେ ଚଣାଚୂର ହେଇଯାଇଛି ନିଷ୍ପ୍ରଭ ଅନାକର୍ଷକ ।

 

ଅନୁସୃଜିତ ଗଳ୍ପ ସଂପର୍କରେ ଭାବିଲାବେଳେ ମୋର ଛାୟାନୁବାଦିତ ଅନେକଗଳ୍ପ ମନେପଡ଼ୁଛି । ସାଧାରଣତଃ ଛାୟାନୁବାଦଗୁଡ଼ିକ ଅନୁସୃଜନର ଭ୍ରାନ୍ତି ସୃଷ୍ଟି କରିଥାଏ । ସେ ଭ୍ରାନ୍ତି ଆମକୁ ଗ୍ରାସ ନକରୁ । ଉଭୟର ଲକ୍ଷଣ ବିଚାର ପୂର୍ବକ ଉଭୟର ସ୍ଵରୂପ ନିର୍ଦ୍ଧାରଣ, ଭାବୁଚି ଏହି ପରିପ୍ରେକ୍ଷୀତରେ ସଙ୍ଗତ ହେବ ।

 

ଛାୟାନୁବାଦ ମୂଳ ଆଦର୍ଶ (Text)ର ଗଠନକୁ (Structure) ଆଶ୍ରୟ କରିଥାଏ । ଏହି ଗଠନ କୌଶଳର କୌଣସି ପ୍ରକାର ଅଦଳ ବଦଳ ଛାୟାନୁବାଦର କ୍ଷମତା ବହିର୍ଭୂତ । ସେଇଥିଲାଗି Somerset Maughamଙ୍କ The Vergerର ଛାୟାରେ ବସନ୍ତ ଶତପଥୀ ଅର୍ଦ୍ଦଳୀ ଲେଖିଲାବେଳେ ପ୍ରଥମରୁ ଶେଷ ବାକ୍ୟଟି ପର୍ଯ୍ୟନ୍ତ ସମାନ ରଖିଛନ୍ତି । ନିରକ୍ଷର ଜାଣି St.Peter’s Neville Square Churchର କର୍ତ୍ତୃପକ୍ଷ ସେଠାକା Verger ଭାବେ କର୍ମରତ Albert Edward Foremanକୁ କର୍ମଚ୍ୟୁତ କରିବା । ସେ ଟବାକୋ ଦୋକାନ ଦେବା, କମଶଃ ବିତ୍ତବାନ ହେବା ଓ ବିଭିନ୍ନ ସ୍ଥାନରେ ଟବାକୋ ଦୋକାନ ଖୋଲିବା, ବ୍ୟାଙ୍କରେ ପ୍ରଚୁର ଅର୍ଥ ସଂଚୟ କରିବା, ବ୍ୟାଙ୍କ ମ୍ୟାନେଜର ଏକଦା ସେ ଅଶିକ୍ଷିତ ଜାଣି ତାକୁ ‘Pre historic monster’ (ବସନ୍ତ: ପ୍ରାଗୈତିହାସିକ ଯୁଗର ଗୋଟାଏ ଜାନୁଆର) ପ୍ରାୟ ଦେଖିବା ସବୁ କିଛି ଅର୍ଦ୍ଦଳୀରେ ଯଥାକ୍ରମେ ଘଟୁଛି । ଅନୁସୃଜନରେ ସେଇ ସୀମାବଦ୍ଧତା ନଥାଏ । ମୂଳଆଦର୍ଶର ଗଠନାତ୍ମକ ସଂକୋଚନ, ନୂଆ ଆଖ୍ୟାନର ସଂଯୁକ୍ତିଗତ ପ୍ରସାରଣରେ ଅନୂସରକ ସ୍ରଷ୍ଟାର ସ୍ଵାଧୀନତା ଅବାଧ !!

 

ଛାୟାନୁବାଦରେ ଅନୁବାଦକ ଘଟଣା, ଚରିତ୍ର ଆଦିକୁ ଆଂଚଳିକ ରୂପରେ ଉପସ୍ଥାପିତ କରେ । ଏହା ଛାୟାନୁବାଦର ପ୍ରଧାନଗୁଣ । ଶେଖରଙ୍କ ‘ଚାମେଲିଅନ’ (୧୮୮୪) ଛାୟାସୃଷ୍ଟ ସଚ୍ଚିରାଉତରାୟଙ୍କ ‘ବିଭ୍ରାଟ’ର ପୃଷ୍ଠଭୂମି ଯାଜପୁର ଟାଉନର ବଡ଼ବଜାର । ଦାରୋଗା ଗୋବର୍ଦ୍ଧନ ବାବୁ, ଜମାଦାର ଖୋଦାବକ୍‌ସ, କୁକୁର କାମୁଡ଼ାରେ ଆହତ ମୂଳିଆ ଆଦି ହେଉଛନ୍ତି Police Inspector Ochumelov, Constable ତଥା Khryakinଙ୍କ ଉତ୍କଳୀୟ ରୂପ କୁକୁର କାମୁଡ଼ାର ମୁଳ କାରଣ ଅନ୍ୱେଷଣରେ ମୂଳକାହାଣୀର ‘He burned the end of its nose with a lighted cigarette’ କହିବା ବେଳେ ଓଡ଼ିଆରେ ଘଟିଚି ତାର ଦେଶୀ ଚିତ୍ରଣ- ‘କୁକୁର ମୁହଁରେ ବିଡ଼ି ଗେଂଜି ମଜା ଦେଖୁଥିଲ’ । ଛାୟାନୁବାଦକ ଆଂଚଳିକ ପରିବେଶରେ ମୂଳ କାହାଣୀଟି ଉପସ୍ଥାପିତ କରେ, ମାତ୍ର ଘଟଣା, ଚରିତ୍ର ବା ବର୍ଣ୍ଣନାର ବୃହତ୍ତର ପରିବର୍ତ୍ତନ ତାର ସାଧ୍ୟାତୀତ । ଅନୁସୃଜନର ପୃଷ୍ଠଭୂମି ଆଞ୍ଚଳିକ ତ ହୋଇପାରେ ନ ହେଇବି ପାରେ ତେବେ ପ୍ରସଙ୍ଗ, କାଳ ଚିତ୍ରଣ ଆଦିର ପରିବର୍ତ୍ତନ ସେଠି ଅବଶ୍ୟ ହିଁ ଘଟିବ ।

 

ଛାୟାନୁବାଦକ ଗଳ୍ପ ମୌଳିକ ଗଳ୍ପର ଭ୍ରାନ୍ତି ସୃଷ୍ଟି କରେ । ସଚ୍ଚି ରାଉତରାୟ ତେଣୁ ନିଜର ଏ ପ୍ରକାର ଗଳ୍ପ ସଂକଳନର ନାମ ଦେଇଥିଲେ ଛାଇ(୧୯୪୯) । ନିଜ ଅନୁବାଦିତ ଓ ଛାୟାନୁବାଦିତ ଗଳ୍ପଗୁଡ଼ିକର ସଂକଳନର ନାମ ପ୍ରତିଭା ଦେବୀ ରଖିଥିଲେ ବିଦେଶୀ (୧୯୨୬) । ଗଳ୍ପଗୁଡ଼ିକର ଉତ୍ସର ବ୍ୟଞ୍ଜନା ଦିଏ ଏପରି ନାମକରଣ । ଅନୁସୃଜିତ ଗଳ୍ପ ଆଦର୍ଶର ଉତ୍ସକୁ ଅସ୍ଵୀକାର କରେ ନାଇଁ ମାତ୍ର ଉତ୍ସର ଭାବ ବାସଂରଚନାରେ ବାନ୍ଧି ହେଇ ରହେନାଇଁ । ଉତ୍ସର ସୂଚନା ସହ ମୌଳିକ ଗଳ୍ପଟିଏ ଗଢ଼ି ହେଇଯାଏ । ଅନୁସୃଜନ, ମୌଳିକ ଗଳ୍ପ ରଚନାର ଏକ ପ୍ରକ୍ରିୟା ମାତ୍ର ।

 

 

ଓଡ଼ିଆ ବିଭାଗ,

ଶାନ୍ତି ନିକେତନ -୭୩୧୨୩୫ ।

 

***

 

ପୂର୍ବ ଭାରତର ରେବତୀମାନେ

ଡକ୍ଟର ମନୋରଂଜନ ପ୍ରଧାନ

 

ଓଡ଼ିଆ ସାହିତ୍ୟର ‘ରେବତୀ’ ପରି ‘ମଧୁମତୀ’, ‘ଇନ୍ଦୁମତୀ’ ଓ ‘କନ୍ୟା’ ଆଦି ଯଥାକ୍ରମେ ବଙ୍ଗଳା, ହିନ୍ଦୀ ଓ ଅସମୀୟା ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ । ଏଗୁଡ଼ିକ ପ୍ରଥମେ ଉତ୍କଳ ସାହିତ୍ୟ ୨ୟ ବର୍ଷ ଅକ୍ଟୋବର ମାସ ୧୮୯୮, ବଙ୍ଗ ଦର୍ଶନ ୨ୟ ବର୍ଷ ୨ୟ ସଂଖ୍ୟା ୧୮୭୩, ସରସ୍ଵତୀ ଜୁନ୍‌ସଂଖ୍ୟା ୧୯୦୦ ଓ ଜୋନାକୀ ୧୯୧୨ ପ୍ରଭୃତି ପତ୍ରିକା ପୃଷ୍ଠାରେ ପ୍ରକାଶିତ । ପ୍ରସଙ୍ଗ କ୍ରମେ କୁହାଯାଇପାରେ, ପ୍ରଥମ ଗଳ୍ପଭାବେ ହିନ୍ଦୀ ଗଳ୍ପଟି ସାମାନ୍ୟ ବିବାଦୀୟ । ମାତ୍ର ହିନ୍ଦୀ ସାହିତ୍ୟର ବିଖ୍ୟାତ ସମାଲୋଚକ । ଆଚାର୍ଯ୍ୟ ହଜାରୀ ପ୍ରସାଦ ଦ୍ୱିବେଦୀ, ଡକ୍ଟର ନଗେନ୍ଦ୍ର ଓ ପ୍ରଫେସର ବାସୁଦେବ ପ୍ରମୁଖଙ୍କ ଆଂଶିକ ମତାନୁଯାୟୀ ଇନ୍ଦୁମତୀହିଁ ହିନ୍ଦୀ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପ । କାରଣ ଶୈଳୀରେ ଆଧୁନିକତାର ଲକ୍ଷଣ, ବାତାବରଣରେ ଭାରତୀୟତା ଓ ଭାବରେ ମାର୍ମିକତା ହିଁ ଏହାର ନିଃସନ୍ଦେହତାର ପ୍ରମାଣ ।

 

ଉକ୍ତ ଗଳ୍ପଗୁଡ଼ିକ ଉନବିଂଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧ ଓ ବିଂଶଶତାଦ୍ଦୀର ଆଦ୍ୟ ଭାଗରେ ଭାରତର ସାମାଜିକ/ପାରିବାରିକ ପୃଷ୍ଠଭୂମିରେ ବିକଶିତ ସାର୍ବଜନୀନତାର ପରିଚୟ ଦେଇ କରୁଣରସରେ ରସୋତ୍ତୀର୍ଣ୍ଣ । ଅଥଚ ଏଗୁଡ଼ିକରେ ପ୍ରବାହିତ ଏକ ବିଦଗ୍‌ଧ ପୁଲକିତ ପ୍ରଣୟର ନୀରବ-ପ୍ରକାଶିତ ସଜଳଧାରା । ଜଣେ ଜଣେ ଯୁବକ ଓ ଯୁବତୀଙ୍କ ମାଧ୍ୟମରେ ପ୍ରତିଫଳିତ ହେଇଛି ମାନବାତ୍ମାର କଥା ।

 

ଆଧୁନିକ ଭାରତୀୟ ସାହିତ୍ୟ ପାଶ୍ଚାତ୍ୟ ଜ୍ଞାନ-ବିଜ୍ଞାନଦ୍ୱାରା ପରିଚାଳିତ ଓ ସଂପୂର୍ଣ୍ଣ ନିୟନ୍ତ୍ରିତ । ଇଂରେଜ ଶାସନ ଏ ସାହିତ୍ୟର ମୂଳଭିତ୍ତି ପ୍ରତିଷ୍ଠାତା । ରାଜନୈତିକ ଘଟ ପରିବର୍ତ୍ତନ ଭାରତର ସମାଜ, ଧର୍ମ ଓ ଶିକ୍ଷା କ୍ଷେତ୍ରରେ ତୁମୂଳ ପରିବର୍ତ୍ତନର ସଂଚାରକ । ଆଲୋଚ୍ୟ ଭାଷାମାନଙ୍କର ସାହିତ୍ୟ ମଧ୍ୟ ଏହାର ଦୁର୍ଲଂଘନୀୟ ପରିଣତି । ବିଶେଷତଃ ଏମାନଙ୍କ କ୍ଷୁଦ୍ରଗଳ୍ପ ଏହି ପରିଣତିର ସଂବାହକ ।

 

କ୍ଷୁଦ୍ରଗଳ୍ପ ଏକ ଆଧୁନିକଧର୍ମୀ ସାହିତ୍ୟିକ ବିଭାବ । ସୁତରାଂ ଏହାର ଆଲୋଚନା ସାଧାରଣତଃ କଥାବସ୍ତୁ, ଚରିତ୍ର, ଶୈଳୀ, ଦୃଷ୍ଟିକୋଣ ପ୍ରଭୃତି କେତୋଟି ତାତ୍ତ୍ୱିକ ନିୟମରେ ବିଚାର୍ଯ୍ୟ ।

 

ଉପରୋକ୍ତ ଗଳ୍ପଗୁଡ଼ିକରେ କଥାବସ୍ତୁର କାର୍ଯ୍ୟକାରୀ ସମୟ ପରିଧି ଯଥାକ୍ରମେ ରେବତୀ-୪ ବର୍ଷ ୫ ମାସ ବାରଦିନ, ମଧୁମତୀ- ୬ବର୍ଷ, ଇନ୍ଦୁମତୀ- ୧୧ ବର୍ଷ ୭ ମାସ ଓ କନ୍ୟା ଅଳ୍ପ କେତେ ଦିନର ଏବଂ ଏଥିରେ ଅଛି ଓଡ଼ିଶାର ଏକ ନିମ୍ନ ମଧ୍ୟବିତ୍ତ ପରିବାରର ନିଷ୍କପଟ ଚିତ୍ର । ପୁନଶ୍ଚ ମଧୁମତୀରେ ଜଣେ ବ୍ରାହ୍ମଧର୍ମୀଙ୍କ ପ୍ରେମପ୍ରଣୟର ନିରାଶାଭାବ ଓ ହିନ୍ଦୀ ଗଳ୍ପଟିରେ ପ୍ରତିଶ୍ରୋଧ ପାଇଁ ସଂକଳ୍ପିତ ପିତାର ଦିଦି ସହିତ ଅସମୀୟା ଗପରେ କୋହ୍ଲା ଯୁବକ ଯୁବତୀଙ୍କର ଏକ ମାର୍ମିକ ପ୍ରେମଚିତ୍ର ।

 

ପ୍ରତ୍ୟେକଟି ଗପର ଘଟଣା ଚକ୍ର ପ୍ରାୟତଃ ନିର୍ଦ୍ଦିଷ୍ଟ :

ରେବତୀ- କଟକ ଜିଲ୍ଲା, ହରିହରପୁର ପ୍ରଗନା, ପାଟପୁର ଗ୍ରାମ

ମଧୁମତୀ-ବଂଗଳା ଦେଶର ଏକ ଛୋଟ ଗ୍ରାମ

ଇନ୍ଦୁମତୀ- କୌଣସି ଏକ ଜଂଗଲସ୍ଥଳୀ

କନ୍ୟା-କୌଣସି ଏକ ନଦୀକୂଳର କୋହ୍ଲ ବସତି ।

 

କଥାବସ୍ତୁଗତ ସଂରଚନା ନିମ୍ନମତେ ନିଧାର୍ଯ୍ୟ:

*

ଶ୍ୟାମବଂଧୁ ବାବୁଙ୍କ ସଂସାର ।

*

ରେବତୀର ପାଠପଢ଼ା ପରିକଳ୍ପନା ଓ ତା ମନରେ ପ୍ରେମ

*

ମହାମାରୀର ପ୍ରକୋପରେ ଶ୍ୟାମବଂଧୁବାବୁ ଓ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ

*

ଘଟଣାଚକ୍ରରେ ଶିକ୍ଷକ ବାସୁଦେବ ଓ ରେବତୀର ମୃତ୍ୟୁରେ ଗଳ୍ପର ସମାପ୍ତି

 

ମଧୁମତୀ -

*

ଚାକିରୀର ସଂଧାନରେ ନାୟକ (କରଲି ପ୍ରସନ୍ନ)ର କଲିକତା ଅଭିମୁଖେ ଆଗମନ

*

ଜାହାଜକୁ ଯିବା ପୂର୍ବରୁ ନଦୀକୂଳରେ ନାୟିକା (ମଧୁମତୀ)ର ମୃତପ୍ରାୟ ଅବସ୍ଥା ସହିତ ନାୟକର ଭେଟ

*

ନାୟିକାର ସେବାଯତ୍ନ କରି ତାକୁ ଜାହାଜରେ ନିଜ ଦେଶକୁ ନେବା ରାସ୍ତାରେ ଜାହାଜରେ ପ୍ରେମ ଓ ପରେ ସ୍ଵଦେଶରେ ବିବାହ

*

ଆକସ୍ମିକ ଭାବରେ ପୂର୍ବ ସ୍ୱାମୀ ସହିତ ନାୟିକାର ସାକ୍ଷାତ ଓ ସମସ୍ତ ଘଟଣା ପ୍ରକାଶ ପୂର୍ବକ ପୂର୍ବ ସ୍ଵାମୀ ସହିତ ଗଂଗାରେ ଝାସ

 

ଇନ୍ଦୁମତୀ -

*

ଶତ୍ରୁଭୟରେ ବାପା ଓ ଝିଅ (ଇନ୍ଦୁମତୀ)ର ଜଂଗଲକୁ ପଳାୟନ

*

ଇନ୍ଦୁମତୀ ଓ ନାୟକ (ଚନ୍ଦ୍ରଶେଖର)ର ଜଂଗଲ ମଧ୍ୟରେ ସାକ୍ଷାତ ଓ ପ୍ରେମ

*

ନାୟକଦ୍ଵାରା ପୂର୍ବ ବୃତ୍ତାନ୍ତ ବର୍ଣ୍ଣନ ଓ ନାୟିକା ସହିତ ବିବାହ

*

ନାୟିକାର ପିତାଙ୍କ ହିମାଳୟ ଗମନ

 

କନ୍ୟା -

*

ଗାଳ୍ପିକଙ୍କର ‘କନ୍ୟା’ ନଦୀ କୂଳରେ ଭ୍ରମଣ

*

ନାୟକ ନାୟିକା ନଦୀକୂଳରେ ମାଛ ଧରୁଥିବା ଓ ମାଠିଆ ମାଜୁଥିବା ଭିତରେ ଉଭୟଙ୍କ ଚାହାଣୀରେ ପ୍ରେମ

*

ନାୟକର ଅଜାଣତରେ ଅଜଗର ପିଠିରେ ବସିବା ଓ ଅଜଗର ହଲଚଲରେ ଚମକି ଯାଇ ନଈରେ ପଡ଼ି ମରିବା

*

ଆକସ୍ମିକ ଭାବରେ ତିନିଦିନ ପରେ ନାୟିକାର ମୃତ୍ୟୁ

 

ଅଥଏବ, ପ୍ରତ୍ୟେକଟି ଗପର କଥାବସ୍ତୁର ମୂଳାଧାର ପ୍ରେମ ଓ ପରିଣତିର ସଂବଧ ହେଇଛି ଫଳାନୁକ୍ରମିତ । ତୃତୀୟ ଗପଟି ବ୍ୟତୀତ ଅନ୍ୟଗୁଡ଼ିକରେ ଆକସ୍ମିକ ଭାବରେ ନାୟକ ନାୟିକାଙ୍କ ମଧ୍ୟରେ ହେଇଛି ପ୍ରେମ ଓ ଗପର ପରିଣତି ବିଚ୍ଛେଦରେ ପରିଣତ । ଏଥିରେ ଅଛି କେବଳ ଶାଶ୍ଵତର ସ୍ମାରକୀ, ପ୍ରଣୟର ପରିଣତି ଜନିତ କାରୁଣ୍ୟ ।

 

ଆଲୋଚ୍ୟ ଗପର ମୁଖ୍ୟ, ପ୍ରାସଂଗିକ ଓ ଅପ୍ରତ୍ୟକ୍ଷ ଚରିତ୍ରସବୁ ସାଭିପ୍ରାୟିକ । ନିର୍ଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ଦାୟିତ୍ୱ ସଂପାଦନ ନିମନ୍ତେ ଏମାନେ ପ୍ରୟାସୀ । ତେବେ ଅନେକ ସମୟରେ ମୂଳ କାହାଣୀର ସ୍ଵାଭାବିକତା ରକ୍ଷା ପାଇଁ ମଧ୍ୟ ଏମାନେ ସହାୟକ ହୋଇନାହାଁନ୍ତି । ତଥାପି ପ୍ରତ୍ୟେକଙ୍କ ହୃଦୟାବେଗ ଯଥାଯଥ ଭାବେ ପ୍ରକାଶିତ ।

 

ଗଳ୍ପଗୁଡ଼ିକର ଶୈଳ୍ପିକ ଅଭିବ୍ୟକ୍ତି ମଧ୍ୟ କଳାତ୍ମକ ପ୍ରକ୍ରିୟାରେ ବର୍ଣ୍ଣିତ । ସବୁ ଗଳ୍ପରେ ଗାଳ୍ପିକଙ୍କ ଅନୁପ୍ରବେଶ ଘଟିଛି ସଂଯୋଜକ ଭାବରେ । ଫଳରେ ଏମାନେ ହେଇଛନ୍ତି ଗଳ୍ପ ଅନ୍ତର୍ଭୁକ୍ତ ଚରିତ୍ର ।

 

ରେବତୀ ଗଳ୍ପରେ ଗାଳ୍ପିକଙ୍କ ଦୃଷ୍ଟିକୋଣ ଦର୍ଶାଏ ସ୍ତ୍ରୀଶିକ୍ଷା ପ୍ରବର୍ତ୍ତନ ବିରୁଦ୍ଧରେ ସାମାଜିକ ଅନ୍ଧବିଶ୍ଵାସର ନିରାକରଣ । ମଧୁମତୀରେ ଅଛି ନାରୀଶିକ୍ଷା ଓ ବ୍ରାହ୍ମଧର୍ମର ସାମାନ୍ୟ ଆଦର୍ଶ ସହିତ ବିଧବା ବିବାହ ସପକ୍ଷରେ ଲେଖକୀୟ ମତାମତ । ଇନ୍ଦୁମତୀ ଓ କନ୍ୟା ଗପ ରେବତୀ ଓ ମଧୁମତୀ ପରି ସ୍ପଷ୍ଟଭାବରେ ସଂସ୍କାରଧର୍ମୀ ନୁହଁ । ଏହି ଗପ ଦୁଇଟିର କଳାତ୍ମକ ମୂଲ୍ୟ ସଂଯୋଜକଘଟଣା ସମାବେଶ ଯୋଗୁଁ ଲେଖକଙ୍କ ଦୃଷ୍ଟିକୋଣର ଉର୍ଦ୍ଧ୍ୱରେ । ଏଥିରେ ଲେଖକଙ୍କ ଅଭିପ୍ରାୟ ପ୍ରଚ୍ଛନ୍ନ ।

 

ତୁଳନାତ୍ମକଭାବେ ଚାରୋଟି ଗପର ଆତ୍ମାନୁସଂଧାନ ଲକ୍ଷଣୀୟ ରେବତୀ ଗପରେ କୋଡ଼ିଏ ବାଇଶି ବର୍ଷର କରଣ ଯୁବକ ବାସୁଦେବ ଓ ଦଶ ବାରବର୍ଷର ଝିଅ ରେବତୀର ନୀରବ ପ୍ରଣୟବ୍ୟଂଜନା ଏ ପରିପ୍ରେକ୍ଷୀରେ ଲକ୍ଷର ବିଷୟ । ‘‘ତାକୁ (ରେବତୀ) ବାପା ଆଗରେ ବାସୁଭାର ପଢ଼ାଇଦେଲେ କିପରି ଗୋଟାଏ ଲାଜମାଡ଼େ । ଅକାରଣ ସକାରଣ ସବୁବେଳେ ହସମାଡ଼େ । ମୁଣ୍ଡତଳକୁ ପୋତିଦେଇ ଦୁଇ ଓଠ ବୁଜି ହସ ଲୁଚାଏ । ଏଣିକି ବାସୁଭାଇ ପଢ଼ାଇଦେଲେ କେତେବେଳେ ତୁନି ହେଇ ପଢ଼େ କେତେବେଳେ ତୁନି ଖାଲି ହୁଁ ହୁଁ କରେ । ପଢ଼ା ସଇଲେ ପାଟି ବୁଜି ହସି ହସି ଘରକୁ ପଳାଏ । ଏଇ ବ୍ୟବହାର ରେବତୀର ନିଜ ପ୍ରଣୟ ତଥା ବିବାହ ସଂପର୍କରେ ସଚେତନ ହେବା ପରବର୍ତ୍ତୀ ବ୍ୟାପାର । ଏହାପରେ ଦୁର୍ଭାଗ୍ୟ ଆସିଛି, ଜେଜିମା’ର ଇଛା ହେଇଛି ଫଳବତୀ । ଶ୍ୟାମବଂଧୁଙ୍କ ପରିବାରର ଅର୍ଦ୍ଧେକଙ୍କର ମୃତ୍ୟୁ ଘଟିଛି ମହାମାରୀରେ । ଅନ୍ୟମାନଙ୍କ ମଧ୍ୟରୁ ରେବତୀର ଆଶା ଆକାଂକ୍ଷାର କେନ୍ଦ୍ରବିନ୍ଦୁ ବାସୁଦେବର ମୃତ୍ୟୁ ଘଟେ । ପରବର୍ତ୍ତୀ ସମୟରେ ରେବତୀର ସନ୍ନିପାତ ଜନିତ ମୃତ୍ୟୁ ଗପକୁ କରିଛି ମର୍ମସ୍ପର୍ଶୀ ଓ ଶାଶ୍ୱତ ଅଥଚ ରେବତୀ ଓ ବାସୁଦେବ ପ୍ରେମର ଚମତ୍କାର ରୂପାନ୍ତର ଘଟିଛି କନ୍ୟା ଗପରେ । ପ୍ରତିଦିନ ବେଳ ଲେଉଟାଣିଠାରୁ ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ କୋଡ଼ିଏ ବର୍ଷୀୟ କୋହ୍ଲ ଯୁବକ କନ୍ୟା ନଈରେ ମାଛ ଧରିବା ପାଇଁ ବନ୍‌ଶୀ ପକାଏ । ଆଉ ଠିକ୍‌ ପ୍ରାୟ ସେତିକି ବେଳକୁ ନଈ ଆରପଟ ପାଣି ଘାଟରେ କୋହ୍ଲ କିଶୋରୀଟିଏ ମାଠିଆ ଧରି ପାଣି ନେବାକୁ ଆସେ ଯେ, ମାଠିଆ ମାଜୁଥାଏ ଯେ ମାଜୁଥାଏ । ନଜର ଥାଏ ନଈ ଆରପଟର ସେଇ କଳା ମଚମଚ ପିଟା ଦେହ କୋହ୍ଲ ଯୁବକକୁ । ତେଣେ କୋହ୍ଲ ଯୁବକର ବନ୍‌ଶୀରେ କେବେବି ମାଛ ଧରା ଦିଅନ୍ତି ନାହିଁ । ବନ୍‌ଶୀର ସୋଲ ଭାସୁଥାଏ ପାଣିରେ । କୋହ୍ଲ ଟୋକାର ନଜର ଥାଏ ନଈ ଆରପାଖ ଘାଟ କିଶୋରୀ ଉପରେ । ମଝିରେ ମଝିରେ ଏ ଆଖି ସେ ଆଖି ମିଶିଯାଏ; ବାସ୍‌ ସେତିକି । ଅକୁହା କଥାକୁ ଛାତିରେ ଧରି ବେଳ ବୁଡ଼କୁ ଘରକୁ ଫେରନ୍ତି ଦୁଇଟି ଚିନ୍ତାରତ ପ୍ରାଣ । ଏମିତି ଦିନେ କୋହ୍ଲ ଯୁବକ ହଠାତ୍‌ ନଈ କୂଳରେ ଚମକି ପଡ଼ିଲା । ନିଜ ଅଜାଣତରେ ଛିଟିକି ଯାଇ ପଡ଼ିଲା ନଈରେ । କଥାକାର ଦୌଡ଼ିଗଲେ ତାକୁ ବଂଚେଇବାକୁ । ସେତେବେଳକୁ ସେ ଖସିସାରିଥିଲା ନଈ ଭିତରକୁ । ଚାରି ପାଞ୍ଚ ଜଣ ଲୋକ ବି ଦୌଡ଼ି ଆସିଲେ । କାନ୍ଦବୋବାଳିରେ ଫାଟି ପଡ଼ିଲା ନଈକୂଳ । କଥା କ’ଣ କି ଯାହା ଉପରେ ବସି ଯୁବକ ଜଣକ ବନ୍‌ଶୀ ପକାଉଥିଲା, ସେଇଟା ଥିଲା ଏକ ଅଜଗର । ଏ ଘଟଣାର ତିନିଦିନପରେ ଗାଳ୍ପିକଙ୍କ ଚାକରପିଲା ତାଙ୍କୁ ଡାକି ଦେଖେଇଲା ନଈକୂଳରେ ଏକ ମର୍ମନ୍ତୁଦ ଦୃଶ୍ୟ - କୋହ୍ଲ କିଶୋରୀର ମୃତ ଶରୀର । ଏହା କନ୍ୟା ଗପର ସଂକ୍ଷିପ୍ତ କାହାଣୀ, କରୁଣ ରସୋତ୍ତୀର୍ଣ୍ଣ କିଂତୁ ପ୍ରଣୟ ବିଦଗ୍ଧ ।

 

ମଧୁମତୀ ଗପରେ ଦିନେ ଗଳ୍ପନାୟକ କରଲିପ୍ରସନ୍ନ କଲିକତା ଯିବା ରାସ୍ତାରେ ମଧୁମତୀ ନଦୀକୂଳରେ ଦେଖିଛି ଏକ ମୃତ ପ୍ରାୟ ନାରୀ ଦେହ । ଯାହାର ବୟସ ପ୍ରାୟ ବାଇଶି ବର୍ଷ । ନାନା ସେବାଯତ୍ନ କରି ତାକୁ ପୁନର୍ଜନ୍ନ ଦେଇ ନାୟକ ନିଜ ବାଂଲାଦେଶକୁ ଜାହାଜରେ ନେଇଯିବାବେଳେ ରାସ୍ତାରେ ତାର ରୂପ ସୌନ୍ଦର୍ଯ୍ୟରେ ବିମୋହିତ ହେଇଛି । ନାୟିକା ପୂର୍ବ କଥା ସବୁ ବିସ୍ମରି ଯାଇଥିବାରୁ କରଲିପ୍ରସନ୍ନ ଦ୍ୱନ୍ଦରେ ପଡ଼ିଛି ଯେ ସେ ସଧବା କି ବିଧବା । ନିଜେ ବ୍ରାହ୍ମଧର୍ମୀ ହୋଇଥିବାରୂ ନାୟିକା ବିଧବା ହେଇଥିଲେ ମଧ୍ୟ ବିବାହ କରିବା ପାଇଁ ସିଦ୍ଧାନ୍ତ ନେଇଛି । କିଂତୁ ନାୟିକା ନିଜ ନାମ ପର୍ଯ୍ୟନ୍ତ ଭୁଲିଯାଇଛି । ତେଣୁ ଉଭୟଙ୍କ ମଧ୍ୟରେ ପ୍ରେମ ଓ ପରେ ବିବାହ ଅନୁଷ୍ଠିତ ହେଇଛି । କରଲିପ୍ରସନ୍ନ ଦେଇଥିବା ମଧୁମତୀ ନାଁରେ ନାୟିକା ପାଇଛି ପୁନର୍ଜନ୍ମ । ବର୍ତ୍ତମାନଠାରୁ ଚାରିବର୍ଷ ପର୍ଯ୍ୟନ୍ତ ନାୟକଠାରୁ ଶିକ୍ଷା ଗ୍ରହଣ କରିଛି ମଧୁମତୀ । ଗଳ୍ପର ଦିଗ ବଦଳିଛି ଏଇଠାରୁ । ଆକସ୍ମିକଭାବେ ନାୟିକାର ପୂର୍ବ ସ୍ୱାମୀର ଆଗମନ ଓ ପ୍ରେମ ପ୍ରାର୍ଥନାରେ ନାୟିକା ନିଜକୁ ଦୋଷୀ ମନେକରି ଗଂଗାରେ ଝାସ ଦେବାକୁ ସିଦ୍ଧାନ୍ତ ନେଇଛି । ପୂର୍ବସ୍ମୃତିକୁ ମନେପକାଇ ଭାବବିହ୍ୱଳତା ମଧୁମତୀ ଗଂଗାରେ ଝାସ ଦେଇଛି । ଏକ ପତ୍ନୀବ୍ରତ ପାଳନ କରୁଥିବା ପୂର୍ବସ୍ଵାମୀ ମଧ୍ୟ ସ୍ତ୍ରୀ ସହିତ ସ୍ଵର୍ଗବାସୀ ହୁଏ ସେଇ ଗଂଗାରେ ।

 

ହିନ୍ଦୀ ଗଳ୍ପରେ ନିଜ ବାପା ସହିତ ଜଂଗଲ ବାସିନୀ ଇନ୍ଦୁମତୀ । ବାପା ପୂର୍ବ ଶତ୍ରୁତାର ପ୍ରତିଶୋଧ ପାଇଁ ସାହସିନୀ କରାଇଛନ୍ତି ତାକୁ । କିଂତୁ ଗୋପନରେ ବଢ଼ାଇଛନ୍ତି ଜଂଗଲ ଭିତରେ । ମାତ୍ର, ୧୬ ବର୍ଷ ବୟସରେ ଥରେ ନଦୀକୂଳରେ ସୌମ୍ୟବନ୍ତ ପୁରୁଷ ଚନ୍ଦ୍ରଶେଖରକୁ ଦେଖି ଅତିଥିଭାବରେ ନିମନ୍ତ୍ରଣ କରେ ତାକୁ । ନାୟିକାର ବାପା ଏଥିରେ ରୋଷ ହେଲେ ଓ ନାନା କଷ୍ଟକର କାମ ମାଧ୍ୟମରେ ପରୀକ୍ଷା କଲେ ନାୟକର ପ୍ରେମକୁ । ଇନ୍ଦୁମତୀକୁ ଆକସ୍ମିକ ଭାବରେ ଦେଖି ସ୍ଵର୍ଗସୁଖ ପାଇଥିବା ଚନ୍ଦ୍ରଶେଖର ହସି ହସି ଏହାକୁ ଗ୍ରହଣ କଲା କେବଳ ତାକୁ ପାଇବା ଇଚ୍ଛାରେ । ଶେଷରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ଓ ସମସ୍ତ ପରିଚୟ ସହିତ ସୁଖରେ କାଳାତିପାତ କରିଥିବା ହିଁ ଇନ୍ଦୁମତୀର ସାରକଥା ।

 

ଗଳ୍ପଗୁଡ଼ିକର ଆତ୍ମସତ୍ତା ଏକ ଧରଣର । ଇନ୍ଦୁମତୀ ବ୍ୟତୀତ ଅନ୍ୟଗୁଡ଼ିକର ପରିଣତି କରୁଣ ରସରେ । ସବୁ ଗଳ୍ପର ନାମକରଣ ମଧ୍ୟ ସ୍ତ୍ରୀ ଲିଙ୍ଗରେ । ମୁଖ୍ୟ ଚରିତ୍ର ମଧୁମତୀ ଓ କନ୍ୟା ଦୁଇଟି ନଦୀ ଓ ଅନ୍ୟ ଦୁଇଟି ନାରୀ । ରେବତୀ ବ୍ୟତୀତ ଅନ୍ୟ ତିନୋଟିରେ ନାୟକ ନାୟିକାଙ୍କର ମିଳନସ୍ଥଳ ନଦୀ ଓ ସବୁ ଗପର ପ୍ରଣୟ ବ୍ୟାପାରରେ ଅପୂର୍ବ ସାମ୍ୟ ମଧ୍ୟ ଲକ୍ଷଣୀୟ ।

 

ଚାରୋଟି ଭାଷାର ପ୍ରଥମ ଚାରୋଟି ଗଳ୍ପ ସେଇ ଭାଷାର କବିତା ଇଲାକାକୁ କରିଛି ପରାହତ । ସାହିତ୍ୟ ସମୃଦ୍ଧ ହେଇଛି ଗଳ୍ପ ମାଧ୍ୟମରେ । ମାତ୍ର ଗଳ୍ପଗୁଡ଼ିକ ହେଇଯାଇଛି ପ୍ରେମ-ମୂଳକ । ଏହାର କାରଣ ହେଇପାରେ ପାଠକୀୟ ଆବେଦନ ପାଇଁ ସଚେତନତା । ପ୍ରେମର ବର୍ଣ୍ଣନାରେ ପାଠକ ହୁଏ ପୁଲ୍ଲକିତ ଓ ତା’ର ଆସ୍ୱାଦନରେ ପାଏ ନବଜନ୍ମ । ଏଣୁ ପ୍ରାୟତଃ ସଚେତନ ଗାଳ୍ପିକଗଣ ସଂସ୍କାରାଭିମୁଖୀ ଦୃଷ୍ଟିରେ ବର୍ଣ୍ଣନା କରିଛନ୍ତି କେତେଜଣ ପ୍ରେମିକ ପ୍ରେମିକାଙ୍କ ଜୀବନକଥା । ପୁନଶ୍ଚ ଏଇ ପ୍ରେମ-କାହାଣୀଗୁଡ଼ିକ ମଧ୍ୟ ବର୍ଜନ କରିଛି ସାହିତ୍ୟର କୋଷ । ନାୟିକାର ମୃତ୍ୟୁ ହେଇଛି ପରିଣତିରେ ଅବଶ୍ୟମ୍ଭାବୀ (ଇନ୍ଦୁମତୀ ବ୍ୟତୀତ) । ନାୟିକାଙ୍କ ନାମରେ ଗଳ୍ପଗୁଡ଼ିକ ନାମିତ । ନାୟିକାମାନଙ୍କର ରସାଣିତ ନୀରବ ପ୍ରେମ ମଧ୍ୟ ସବୁ ଗଳ୍ପର ଭୋଗ୍ୟାବସ୍ତୁ । ଅଥଚ ଏଇ ପ୍ରେମପାଗଳିନୀର ମୃତ୍ୟୁ ପର୍ଯ୍ୟନ୍ତ ପାଠକ ସ୍ଥିର ଚିତ୍ତରେ ଅପେକ୍ଷା କରୁଛି । ଶେଷରେ ଆହା ପଦେ କହି ସାଧୁବାଦ ଜଣାଉଛି ଲେଖକଙ୍କ କଲମ ମୁନକୁ । ସୂତରାଂ ଲେଖକଙ୍କ ଉଦ୍ଦେଶ୍ୟ ଆଉ କ’ଣ ହୋଇପାରେ, ସହାନୁଭୂତି ବ୍ୟତୀତ । ପୁନରାୟ କେବଳ ନାୟିକାର ମୃତ୍ୟୁପରେ ଗାଳ୍ପିକ ଯଥେଷ୍ଟ ପରିମାଣର ସହାନୂଭୂତିରୁ ବଂଚିତ ହେବେ ଭାବି ଯେଉଁ ନାୟକ ମାଧ୍ୟମରେ ନାୟିକାର ମୁକ୍ତି ସଂଭବ ହେଇପାରିଥାନ୍ତା ତାକୁ ମଧ୍ୟ ସ୍ରଷ୍ଟା ପ୍ରେରଣ କରିଛନ୍ତି ପରଲୋକକୁ । ଏଣୁ ନାରୀଶିକ୍ଷା, ବିଧବା ବିବାହର ସଫଳତା କିମ୍ବା କୋହ୍ଲ ଯୁବକଯୁବତୀଙ୍କର ପ୍ରେମପ୍ରଣୟର ପରିଣତି ଘଟିଛି ଅଘଟଣରେ ।

 

ପୂର୍ବ ଭାରତର ଭୂଖଣ୍ଡରେ ଏ ପ୍ରକାର ଗଳ୍ପ-ଚେତନା ବାସ୍ତବିକ ଆଶ୍ଚର୍ଯ୍ୟଜନକ । ବୈଚିତ୍ୟପୂର୍ଣ୍ଣ ଭାରତର ଭାଷା, ଜାତି, ଧର୍ମ, ସଂସ୍କୃତିର ବିଭିନ୍ନତା ଏ ଦେଶକୁ ଏକ ଅନନ୍ୟ ସାଧାରଣ ରାଷ୍ଟ୍ରରେ ପରିଣତ କରିଥିଲେ ହେଁ ଏ ବୈଷମ୍ୟରେ ମଧ୍ୟ ଏକ ଅନ୍ତରଂଗ ଐକ୍ୟସୂତ୍ର ବିଦ୍ୟମାନ । ଗଳ୍ପ ମାଧ୍ୟମରେ ଏଇ ସୂତ୍ରର ସଂଯୋଜକ ହେଇଛନ୍ତି ସମ୍ରାଟ ଫକୀରମୋହନ (୧୮୪୩-୧୯୧୮), ପୂର୍ଣ୍ଣଚନ୍ଦ୍ର ଚଟ୍ଟୋପାଧ୍ୟୟ (୧୮୪୮-୧୯୧୨), କିଶୋରୀ ଲାଲ ଗୋସ୍ଵାମୀ (୧୮୬୫-୧୯୩୨) ଓ ଲକ୍ଷ୍ମୀନାଥ ବେଜବଡ଼ୁଆ ( ୧୮୬୮-୧୯୩୮) ପ୍ରମୁଖ ।

 

ସଂକେତ ସୂଚୀ - ଡକ୍ଟର ରାମବାହାଲ ତିୱାରୀ ତାଙ୍କ ‘ହିନ୍ଦୀ ସାହିତ୍ୟର ଇତିହାସ’ ଗ୍ରନ୍ଥରେ ହିନ୍ଦୀ ସାହିତ୍ୟର ପ୍ରଥମ ମୌଳିକ କ୍ଷୁଦ୍ରଗଳ୍ପଭାବରେ ‘ଏକ ଟୋକରୀଭର ମିଟ୍ଟୀ’ ( ମାଧବରାଓ ସପ୍ରେ-୧୮୭୯:୧୯୧୩)କୁଗ୍ରହଣ କରିଛନ୍ତି । ହିନ୍ଦୀ ସାହିତ୍ୟର ଇତିହାସ-ବିଶ୍ଵଭାରତୀ ପ୍ରକାଶନ ବିଭାଗ, ଶାନ୍ତିନିକେତନ (୧୯୯୦) ପୃଷ୍ଠା-୨୬୯ ଓ ୨୮୬ । ଡଃ ରାମରତନ ଭଟ୍ଟନାଗର ‘ହିନ୍ଦୀ କହାନୀ ଔର କହାନୀକାର’ ଗ୍ରନ୍ଥରେ ରାନୀ କେତକୀ କି କହାନୀ’କୁ ହିନ୍ଦୀର ପ୍ରଥମ କ୍ଷୁଦ୍ରଗଳ୍ପ ବୋଲି କହିଛନ୍ତି । ଏହିପରି ଡଃ ଶ୍ରୀକୃଷ୍ଣଲାଲ ‘ଆଧୁନିକ ହିନ୍ଦୀ ସାହିତ୍ୟକା ଇତିହାସ’ ଗ୍ରନ୍ଥରେ ‘ଦୁଲାଇବାଲୀ’କୁ ସର୍ବ ପ୍ରଥମ କାହାଣୀ ଭାବରେ ଗ୍ରହଣ କରିଛନ୍ତି ।

 

 

ଅଧ୍ୟାପକ

ବିଶ୍ଵଭାରତୀ, ଶାନ୍ତିନିକେତନ ।

 

***

 

ସାହିତ୍ୟ ତୁଳନାତତ୍ତ୍ୱ ଓ ଅନୁବାଦ

ଡକ୍ଟର ବସନ୍ତ କୁମାର ପଣ୍ଡା

 

ଊନବିଂଶ ଶତକର ପ୍ରାରମ୍ଭରେ ଜର୍ମାନୀର ମହାକବି ଗ୍ୟେଟେ ପ୍ରଥମେ ‘‘ବିଶ୍ଵସାହିତ୍ୟ’’ର ସ୍ଵରୂପ ବିଷୟରେ ଧାରଣା ଦେଇଥିଲେ । ୧୯୦୭ରେ ଜାତୀୟ ଶିକ୍ଷା ପରିଷଦ ଗଠନ ଅବସରରେ କବିଗୁରୁ ରବୀନ୍ଦ୍ରନାଥ ‘ବିଶ୍ଵ ସାହିତ୍ୟ’ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ । ଏହାପୂର୍ବରୁ ୧୮୪୮ରେ ମାର୍କସ୍‌ ଓ ଏଞ୍ଜେଲସଙ୍କ ଦ୍ୱୈତଚିନ୍ତାରେ ଏହି ଚେତନାର ସଂକ୍ଷିପ୍ତ ଅବତାରଣା ଘଟିଥିଲା । ‘କମ୍ୟୁନିଷ୍ଟ ମାନିଫେଷ୍ଟୋ’ରେ ସେମାନେ ଲେଖିଥିଲେ: “ପୁରାତନ ଆଂଚଳିକତା ଓ ଜାତୀୟ ସଂକୀର୍ଣ୍ଣତା ତଥା ଆତ୍ମତୃପ୍ତିକୁ ପରିହାର କରି ଆମେ ପ୍ରତ୍ୟେକ ଦିଗରୁ ବିଶ୍ଵର ଆନ୍ତର୍ଜାତିକ ପରସ୍ପର ନିର୍ଭରଶୀଳତାକୁ ଗୁରୁତ୍ୱ ଦେବାକୁ ହେବ ଓ ବସ୍ତୁତାନ୍ତ୍ରିକ ତଥା ବୌଦ୍ଧିକ ଉଭୟ କ୍ଷେତ୍ରରେ ଉତ୍ପାଦନର ଅଭିବୃଦ୍ଧି ଘଟାଇବାକୁ ପଡ଼ିବ । ପ୍ରତ୍ୟେକ ଦେଶର ବୌଦ୍ଧିକ ସୃଷ୍ଟିକୁ ସମଗ୍ର ମାନବଜାତିର ସମ୍ପତ୍ତି ବୋଲି ଭାବିବାକୁ ହେବ । ତା’ଫଳରେ ଜାତୀୟ ଏକପକ୍ଷତା ଓ ସଂକୀର୍ଣ୍ଣ ମନୋଭାବ କ୍ରମଶଃ ଦୂରୀଭୂତ ହେବ । ଅଗଣିତ ଆଂଚଳିକ ଓ ଜାତୀୟସାହିତ୍ୟରୁ ଉଦ୍‌ଭୂତ ହେବ ବିଶ୍ଵସାହିତ୍ୟର ସାର୍ବଭୌମ ଚେତନା ।” (୧)

 

ପ୍ରାୟ ଅଷ୍ଟାଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଶିଳ୍ପ, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ମଧ୍ୟ ସଂକୀର୍ଣ୍ଣ ଆଂଚଳିକତା ଓ ବିଭଙ୍ଗଚେତନା ହିଁ ବିରାଜମାନ କରୁଥିଲା, ବିଶ୍ୱବ୍ୟାପୀ । ୧୭୮୯ରେ ଫରାସୀ ରାଷ୍ଟ୍ରବିପ୍ଳବ ବୋଧହୁଏ ଏଇ ଭାବଧାରାର ବୈପ୍ଲବିକ ପରିବର୍ତ୍ତନର ଏକ ଐତିହାସିକ ସମୟ; ପରିବର୍ତ୍ତନ ପଥର ଏକ ମାଇଲ ଖୁଣ୍ଟ । ଏହି ବିପ୍ଳବ ଫଳରେ ମାନବଜ୍ଞାନରେ ଜାତୀୟଭାବନା ଗୌଣବୋଧ ହୋଇ ଏକ-ବିଶ୍ଵ, ଏକ ସଂସ୍କୃତି ଓ ଏକ ସାହିତ୍ୟର ଚିନ୍ତା ଉଦ୍ରେକ ହେଲା । ଦେଶ ଦେଶ, ଜାତି ଜାତି, ବିଭିନ୍ନ ସଂସ୍କୃତି ଓ ସାହିତ୍ୟ ଭିତରେ ଥିବା ଭେଦ ଓ ଆତ୍ମନିଷ୍ଠତାକୁ ଦୂରକରି ଏକତ୍ୱ, ଭାତୃତ୍ୱ ଓ ଉଦାରତନ୍ତ୍ରର ଆବାହନଦ୍ୱାରା ସମଗ୍ର ମାନବ ସମାଜକୁ ଏକ ଓ ଅଭିନ୍ନ ଭାବରେ ପ୍ରତିପାଦନ କରିବା ପାଇଁ ପ୍ରୟାସ ଆରମ୍ଭ ହେଲା । ତା'ପରେ ଦୀର୍ଘ ଦୁଇ ଶତାବ୍ଦୀଧରି ଜାତି, ଦେଶ, ସଭ୍ୟତା ଓ ସାହିତ୍ୟ- ପ୍ରତ୍ୟେକ ସ୍ତରରେ ଏକ ଅନ୍ତର୍ମିଳନ ପ୍ରକ୍ରିୟା ବିକାଶ ଲାଭ କରି ଆସିଛି । ଏହି ପ୍ରକ୍ରିୟାର ପ୍ରକାର୍ଯ୍ୟ ଓ ପ୍ରକାର ବହୁବିଧ । ଗଭୀର ଓ ବିସ୍ତୃତ । ତନ୍‌ମଧ୍ୟରୁ ମାନବଜାତିର ମାନସସୃଷ୍ଟ ସାହିତ୍ୟ ଅନ୍ୟତମ । କ୍ରମଶଃ ତାହା ବିଶ୍ଵ ସାହିତ୍ୟ ନାମରେ ପରିଚିତ । ଆଧୁନିକ ବିଜ୍ଞାନର ଉଦ୍‌ବର୍ତ୍ତନରେ ବୈଷୟିକ ଉନ୍ନତି ଗମନାଗମନ ଓ ପରିବହନର ଆଶାତୀତ ସୁବିଧା ଫଳରେ ଆନ୍ତର୍ଜାତିକ ସାହିତ୍ୟ ସଂଯୋଗ ଓ ପାରସ୍ପରିକ ମତ ବିନିମୟର ସୁଯୋଗ ସମ୍ଭବ ହେଲା । ଦର୍ଶନ ଓ ସାହିତ୍ୟ ବିଦ୍ୟାର ବୈପ୍ଲବିକ ଉତ୍‌ଥାନ ଘଟିଲା । ବିଜ୍ଞାନ ଓ ପୁରାତନ ସାହିତ୍ୟତ୍ତ୍ଵ ପ୍ରତି ଏକ ପ୍ରତିଦ୍ୱନ୍ଦୀ ମନୋଭାବ ଘେନି ଏସବୁ ଦିଗରେ ଅବାରିତ ସାଧନାର ସୂତ୍ରପାତ ହେଲା । ଏହାରି ଫଳରେ ଜଣା ପଡ଼ିଲା ଯେ ଆନ୍ତର୍ଜାତିକ ସାହିତ୍ୟର ଧାରାପ୍ରବାହଠାରୁ ବିଚ୍ୟୁତ ହୋଇ କେବଳ କୌଣସି ଏକ ନିର୍ଦ୍ଦିଷ୍ଟ ସାହିତ୍ୟ କୃତି, ସ୍ରଷ୍ଟା ବା ଏକ ସାହିତ୍ୟିକ ଧାରାର ମୂଲ୍ୟାୟନ କରିବାରେ ବିଶେଷ କିଛି ଫଳ ମିଳିବ ନାହିଁ । ତେଣୁ ସାହିତ୍ୟ କ୍ଷେତ୍ରରେ ଆନ୍ତର୍ଜାତିକ ପ୍ରାସଙ୍ଗିକତା ଓ ସଂପର୍କ ସଂସ୍ଥାପନ ପାଇଁ ଏକ ସୁଚିନ୍ତିତ ନିୟମ ବା ପ୍ରଣାଳୀ ପ୍ରଣୟନ କରିବାର ପ୍ରୟୋଜନୀୟତା କ୍ରମଶଃ ସମସ୍ତଙ୍କ ନିକଟରେ ଗୁରୁତ୍ୱ ଲାଭ କଲା ଓ ବହୁଭାବରେ ଆଲୋଚିତ ହେଲା । ଏହାରି ଭିତ୍ତିରେ କୌଣସି ଏକ ସାହିତ୍ୟିକ ଉପାଦାନ ଓ ଅନୁଷଙ୍ଗ, ସ୍ରଷ୍ଟା ସୃଷ୍ଟି, ଯୁଗ ଓ ଚେତନାକୁ ତୁଳନାତ୍ମକଭାବେ ଆଲୋଚନା କରିବାର ଯେଉଁ ପ୍ରବୃତ୍ତି ଆରମ୍ଭ ହେଲା ତାହାହିଁ ଆଜି ସାହିତ୍ୟ ତୁଳନାତତ୍ତ୍ୱ ବା ତୁଳନାତ୍ମକ ସାହିତ୍ୟ ତତ୍ତ୍ୱ‌ (Literary Comparativistics) ଭାବରେ ପରିଚିତ ।

 

ଅବଶ୍ୟ ଆପେକ୍ଷିକଭାବେ ନୂତନ ଏଇ ବିଦ୍ୟା ବା ଅଧ୍ୟୟନ କ୍ଷେତ୍ରରେ ଯଥାର୍ଥ ଶବ୍ଦ ବିନ୍ୟାସର ଉଦ୍‌ଭାବନ ଯେତିକି କଠିନ ତା’ଠାରୁ ଅଧିକ କଠିନ ହେଉଛି କୌଣସି ଏକ ପରିଭାଷାକୁ ସୁପ୍ରଯୁକ୍ତ ଓ ସୁପ୍ରବିଷ୍ଟ ଭାବେ ବ୍ୟବହାର କରି ତାହା ମଧ୍ୟରେ ଐକ୍ୟ ଆଣିବା ଓ ସର୍ବଗ୍ରାହ୍ୟ କରିବା । ସାହିତ୍ୟିକ ଅନ୍ତର୍ମିଳନ ଓ ଅନ୍ତଃସାହିତ୍ୟିକ ସଂପର୍କର ସଂଜ୍ଞା ନିରୂପଣ ଓ ବିଶ୍ଲେଷଣର ସମସ୍ୟା ବିଷୟରେ ପୃଥିବୀର ସବୁ ପ୍ରାନ୍ତର ସାହିତ୍ୟତତ୍ତ୍ଵବିତ୍‌ମାନଙ୍କର ଚିନ୍ତାରେ ଏହି ନୂତନ ବିଚାର ବୋଧର ତତ୍‌କାଳିକ ଉପଯୋଗିତା ଅନୁଭବ୍ୟ । ସାଂସ୍କୃତିକ ଅଥବା ସାହିତ୍ୟିକ ଆଦାନପ୍ରଦାନ ଘଟଣାପ୍ରବାହ ଭିତରେ ସାହିତ୍ୟତତ୍ତ୍ଵବିତ୍‌ମାନେ ଆନନ୍ଦ ଅନୁଭବ କରିପାରନ୍ତି । କିନ୍ତୁ ତାହା ଏହି ନବଧାରାର ମୁଖବନ୍ଧ ବା ମୁଖଶାଳା ମାତ୍ର । ଏହାର ମନ୍ଦିର ପ୍ରବେଶ ଓ ଦେବଦର୍ଶନ ବହୁ ସାଧନାସାପେକ୍ଷ ଓ ଗଭୀର ମନୋନିବେଶ ଉପରେ ନିର୍ଭର କରେ । ବୋଧହୁଏ ଏହି କାରଣରୁ ତୁଳନାତ୍ମକ ସାହିତ୍ୟ ଆନ୍ଦୋଳନର ଆରମ୍ଭରୁ ତୁଳନାତତ୍ତ୍ଵବିତ୍‌ମାନେ କେବଳ ଆନ୍ତର୍ଜାତିକ ସାହିତ୍ୟ ସଂପର୍କରେ ଖବର ଓ ଖସଡ଼ା ତିଆରି କରି ସନ୍ତୁଷ୍ଟ ରହୁଥିଲେ । କ୍ରମଶଃ ତୁଳନାତତ୍ତ୍ଵ ଏକ ନିର୍ଦ୍ଦିଷ୍ଟ ସ୍ଵନିର୍ଭର ଅଧ୍ୟୟନ ବା ‘ସାହିତ୍ୟ ଘଟଣାବିନ୍ୟାସର ବିଜ୍ଞାନ’ରୂପେ ଆନ୍ତର୍ଜାତିକ ସାହିତ୍ୟ ସଂପର୍କିତ ଉପାଦାନ ଉପରେ ପର୍ଯ୍ୟବସିତ ହୋଇଥିଲା । ଫଳତଃ ତୁଳନାତ୍ମକ ସାହିତ୍ୟତତ୍ତ୍ଵ ନିଜର ପରିସରକୁ ଏଭଳି ଭାବେ ସୀମିତ ରଖି ଆତ୍ମବିକାଶ ପଥରେ ଅନ୍ତରାୟ ହେଲା ।

 

ଏହି ସମସ୍ୟା ବିଷୟରେ ତୁଳନାତ୍ମକସାହିତ୍ୟତତ୍ତ୍ୱବିତ୍‍ମାନେ ଯଥାଶୀଘ୍ର ସଚେଚନ ହୋଇ ଉଠିଥିଲେ । ରୁଷ୍‍ର ସାହିତ୍ୟତ୍ତ୍ୱବିତ୍‍ ଭେସ୍ୱୋଲୋଭସ୍କିଙ୍କ (A.N. Vesyolovsky) ରଚିତ ‘ଐତିହାସିକ କାବ୍ୟତତ୍ତ୍ୱ’ (Historical) ଗ୍ରନ୍ଥ ଏ ଦିଗରେ ଏକ ଉଲ୍ଲେଖଯୋଗ୍ୟ ଅବଦାନ । କିନ୍ତୁ ତୁଳନାତତ୍ତ୍ୱବିତ୍‌ମାନେ ଯେ ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ପାଇଁ ଗୋଟିଏ ସଠିକ ଓ ସାର୍ଥକ ନିୟାମକ ପ୍ରତିଷ୍ଠା କରିପାରିଛନ୍ତି ତାହା ହୃଦବୋଧ ହେଉନାହିଁ । ଏ ପର୍ଯ୍ୟନ୍ତ ଯେଉଁ ସବୁ ପ୍ରଣାଳୀ ଓ ପ୍ରକ୍ରିୟା ତୁଳନାତ୍ମକ ବିଚାର ପାଇଁ ବ୍ୟବହୃତ ହେଉଛି ସେଗୁଡିକ କୌଣସି ଦିଗରୁ ଯଥେଷ୍ଟ ନୁହେଁ । ଅନେକ ଦେଶରେ ସାହିତ୍ୟତତ୍ତ୍ଵବିତ୍‌ମାନେ ଏହି ସମସ୍ୟାର ସମାଧାନ କରୁଛନ୍ତି ଆକସ୍ମିକ ଓ ବିକ୍ଷୁଗ୍ଧ ଭାବରେ । ସେମାନେ ‘ବୃହତ୍ତର ସାହିତ୍ୟ’ର ‘କ୍ଷୁଦ୍ରତର’ ସାହିତ୍ୟ ଉପରେ ପ୍ରଭାବ ଓ ‘ମହାନ ଲେଖକ’ଙ୍କର ‘ଗୌଣ ବା ସାମାନ୍ୟ’ ଲେଖକମାନଙ୍କ ଉପରେ ପ୍ରଭାବ ପ୍ରଭୃତି ଆଲୋଚନାର ପାରଂପାରିକ ଓ ଅନୁଭବସିଦ୍ଧ ପଦ୍ଧତି ପ୍ରଚଳନ କରି ତାହାକୁ ତୁଳନାତ୍ମକ ସାହିତ୍ୟର ସୂତ୍ରଭାବରେ ପ୍ରତିଷ୍ଠା ଦେଇଛନ୍ତି ।

 

ଏହାହିଁ ସାହିତ୍ୟର ଇତିହାସରେ ‘ଧାର ତତ୍ତ୍ୱ’ (Theory of barrowing ) ବା ‘ପ୍ରଭାବବାଦ’କୁ ଜନ୍ମଦେଇ ଦୀର୍ଘଦିନ ପର୍ଯ୍ୟନ୍ତ ତୁଳନାତ୍ମକସାହିତ୍ୟ ଆଲୋଚନାର ମୂଳନୀତିଭାବରେ ଅବଲମ୍ବିତ ହେଉଥିଲା । ସାହିତ୍ୟ ତୁଳନାତତ୍ତ୍ୱ ବର୍ତ୍ତମାନ ସୁଦ୍ଧା କେତେକ ସମସ୍ୟାର ଓ ବିରୋଧାଭାସର ସମ୍ମୁଖୀନ ହୋଇ ଆସୁଛି ଓ କେତେକ ସିଦ୍ଧାନ୍ତ ପାଇଁ ଅପେକ୍ଷା ରଖୁଛି । ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ପାଇଁ ଏକ ସମନ୍ୱିତ ପଦ୍ଧତିର ସ୍ଵରୂପ ନିର୍ଦ୍ଧାରଣର ପ୍ରୟୋଜନ ସର୍ବାଦୌ ଜରୁରୀ । ଏହା ସମ୍ଭବ ହୋଇ ନପାରିବାର କେତେକ ସମସ୍ୟା ରହିଛି । ପ୍ରଥମ କଥା ହେଲା ଅଧିକାଂଶ ତୁଳନାତତ୍ତ୍ଵବିତ୍‌ ବହୁବିଧ ସାହିତ୍ୟତତ୍ତ୍ୱ ବା ଦର୍ଶନଦ୍ୱାରା ଆକ୍ରାନ୍ତ ହୋଇ ବିଭିନ୍ନ ଧାରାରୁ ସାର ଗ୍ରହଣ କରିଥାନ୍ତି ଯାହାକୁ Eclecticism କୁହାଯାଏ । ଏହାକୁ ଅତିକ୍ରମ କରିବା ତତ୍ତ୍ୱବିତ୍‌ଙ୍କ ପକ୍ଷରେ ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ । ବିଶ୍ଵ ସାହିତ୍ୟ (World Literature) ଓ ତୁଳନାତ୍ମକ ସାହିତ୍ୟର (Comparative Literature) ସଂଜ୍ଞା ଓ ସ୍ଵରୂପ ନିର୍ଦ୍ଧାରଣ ସଠିକ ହୋଇପାରୁନାହିଁ । ଏ ଦୁଇଟି ଏକ ନା ଭିନ୍ନ ତାହା ବୁଝାଯାଉନାହିଁ । ଅନେକେ Comparative Literature ବା ‘ତୁଳନାତ୍ମକ ସାହିତ୍ୟକୁ Comparative Study of Literature ବା ‘ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ସହିତ ଦୃନ୍ଦ୍ୱ ସୃଷ୍ଟି କରିବାରେ ତୁଳନାତ୍ମକ ଗବେଷଣାର ଲକ୍ଷ୍ୟ ଓ ମାଧ୍ୟମ ଠିକ୍‌ କ'ଣ, ତାହା ସ୍ଥିର ହୋଇପାରୁନାହିଁ । ସାହିତ୍ୟ ତତ୍ତ୍ୱ‌ର ପରିସର ମଧ୍ୟରେ ତୁଳନାତ୍ମକ ଅଧ୍ୟୟନର ସ୍ଥାନ କେଉଁଠି ? ତୁଳନାତ୍ମକ ବିଶ୍ଳେଷଣର ପ୍ରଧାନ ଅନୁଷଙ୍ଗ ଭାବରେ ଯଥେଷ୍ଟ ବିପରୀତାତ୍ମକ ଆଲୋଚନା ଅନ୍ତଃସାହିତ୍ୟିକ ସଂପର୍କର ଧାରାବାହିକତା, ପରିଭାଷିକ ଶବ୍ଦ ପ୍ରଚଳନ ଓ ଆନ୍ତଃସାହିତ୍ୟିକ ସଂଯୋଗର ମାଧ୍ୟମ ଓ ଆଙ୍ଗିକର ପ୍ରକାରଭେଦ ନିର୍ଣ୍ଣୟ ପ୍ରଭୃତିକୁ ଗ୍ରହଣ କରି ସେହି ବିଦ୍ୟାର ଅପରାପର Interdisciplinary) ବିନିଯୋଗ କରିବାକୁ ପଡ଼ିବ ।

 

ଶେଷୋକ୍ତ ବିଷୟଟି ଆମର ଧ୍ୟେୟ । କାରଣ ଅନୁବାଦକୁ ଅନ୍ତଃସାହିତ୍ୟିକ ସଂଯୋଗ ଓ ସଂପର୍କର ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରିବାକୁ ହିଁ ପଡ଼ିବ ।

 

ସାଦୃଶ୍ୟ ଖୋଜିବାକୁ ଯାଇ ଦୁଇ ବା ତତୋଧିକ ସାହିତ୍ୟସୃଷ୍ଟିରେ ମୁଖ୍ୟ କଥାବସ୍ତୁ, ଉପକଥା ବା ଅନୁଷଙ୍ଗଗତ ପୂର୍ଣ୍ଣ ବା ଆଂଶିକ ସାମଞ୍ଜସ୍ୟକୁ ମୁଖ୍ୟତଃ ଜନ୍ମଗତ ଓ ପ୍ରକୃତିଗତ (Genetic and typological) - ଏଇ ଦୁଇ ପ୍ରକାରେ ବିଭକ୍ତ କରନ୍ତି ଆଧୁନିକ ତୁଳନାତତ୍ତ୍ୱବିତ୍‌ମାନେ । ଏହାକୁ ସାଦୃଶ୍ୟ ଅଧ୍ୟୟନ ବିଦ୍ୟା (Study of Analogies) କୁହାଯାଏ । ବିଭିନ୍ନ ଜନଗଣ ଓ ସେମାନଙ୍କ ଭାଷା ସାହିତ୍ୟର ପ୍ରତ୍ୟକ୍ଷ ଓ ଜୈବିକ ସଂପର୍କରୁ ଜାତହୁଏ ଜନ୍ମଗତ ସାଦୃଶ୍ୟ । ଦୁଇ ବା ତତୋଧିକ ସାହିତ୍ୟ ଭିତରେ କୌଣସି ବିଶେଷ ଉପାଦାନ ବା ବିଷୟବସ୍ତୁର ସମାନ ପରିଚୟ ମିଳିଲେ ତାହାକୁ ପ୍ରକୃତିଗତ ସାଦୃଶ୍ୟ କୁହାଯାଇପାରେ ।

 

ଆପଣାର ସାଂସ୍କୃତିକ ପରିମଣ୍ଡଳକୁ ଘୋନି ପ୍ରତ୍ୟେକ ସାହିତ୍ୟର ଗୁଣଗତ ବା ବିଷୟଗତ ବିଶେଷତା ପରିଦୃଷ୍ଟ ହୋଇଥାଏ । ଜନ୍ମଗତ ସାଦୃଶ୍ୟ ଉଭୟ ବହିଃ ଓ ଅନ୍ତଃ ଯୋଗାଯୋଗଦ୍ୱାରା ସମ୍ଭବ ହୋଇପାରେ । ଅନ୍ତଃ ସାହିତ୍ୟିକ ପାରସ୍ପରିକତାରେ ବହିଃ ଯୋଗାଯୋଗ ପ୍ରଭାବ ଅଗଭୀର । କିନ୍ତୁ ଅନ୍ତଃ ଯୋଗାଯୋଗର ପରିଣତି ଏଥିରେ ସୁଗଭୀର ଛାପ ପକାଇଥାଏ ।

 

ସମକାଳୀନ ସାହିତ୍ୟର ସ୍ଥିତି ଦୃଷ୍ଟିରୁ ଅନ୍ତଃ ଯୋଗାଯୋଗର ପ୍ରାସଙ୍ଗିକତା ଆମ ପାଖରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ତାହା ଯୁଗଧାରା, ଭାବବାଦ, ରୀତି ବା ପ୍ରଣାଳୀ ଓ ଭାଷା ସଂପଦ ପ୍ରଭୃତି ସାହିତ୍ୟର ବିଭିନ୍ନ ଦିଗକୁ ସାମଗ୍ରିକ ଭାବେ ଚାଳିତ ଓ ପ୍ରଭାବିତ କରିଥାଏ । ଏହି ପ୍ରସଙ୍ଗରେ ବୁଝିବାକୁ ପଡ଼ିବ ଯେ ଏହି ଅନ୍ତଃଯୋଗାଯୋଗକୁ ସମ୍ଭବତଃ ପ୍ରତ୍ୟକ୍ଷ ଓ ପରୋକ୍ଷ-ଏପରି ଦୁଇଭାଗରେ ବିଭକ୍ତ କରାଯାଇପାରେ । ଗୋଟିଏ ଦେଶ ବା ଭାଷାର ସାହିତ୍ୟକୃତି ଅନ୍ୟଦେଶର ଜନସାଧାରଣଙ୍କଦ୍ୱାରା ପ୍ରତ୍ୟକ୍ଷଭାବେ ସେହିଁ ଭାଷାରେ ପଠିତ ଓ ଗୃହୀତ ହେଉଥିଲେ ଏହି ପ୍ରତ୍ୟକ୍ଷ ଯୋଗ ସାଧିତ ହୁଏ । ଯେପରି ଇଂରାଜୀ ସାହିତ୍ୟ ଭାରତୀୟମାନଙ୍କଦ୍ୱାରା ସେହି ଇଂରାଜୀରେ ହିଁ ପଠିତ ଓ ଗୃହୀତ ହୋଇଥାଏ ।

 

କିନ୍ତୁ ପରୋକ୍ଷ ଯୋଗ, ଯାହା କୌଣସି ଏକ ମାଧ୍ୟମଦ୍ୱାରା ସାଧିତ ହୋଇଥାଏ, ତାହା ହିଁ ତୁଳନାତାତ୍ତ୍ୱିକମାନଙ୍କ ପାଇଁ ସମଧିକ ଜଟିଳତା ସୃଷ୍ଟିକରେ । ଏହି ମାଧ୍ୟମ ଭାବେ ସାହିତ୍ୟକୃତିର ଅନୁବାଦ ଅନ୍ତଃସାହିତ୍ୟିକ ଯୋଗାଯୋଗ ପାଇଁ ପ୍ରକୃଷ୍ଟ ଭୂମିକା ଗ୍ରହଣ କରିଥାଏ ।

 

ତେବେ ସାହିତ୍ୟ ତୁଳନାତତ୍ତ୍ୱ ପାଖରେ ଏପର୍ଯ୍ୟନ୍ତ ଗୋଟିଏ ପ୍ରଶ୍ନ ଅସମାଧିତ ହୋଇ ରହିଛି ଯେ ଅନ୍ତଃସାହିତ୍ୟିକ ସହାବସ୍ଥାନ ପାଇଁ ଅନୁବାଦକୁ ଏକ ସହଜାତ କ୍ରିୟାଭାବରେ ଗ୍ରହଣ କରାଯିବ ନା କେବଳ ପ୍ରକୃତି ବା ଗୁଣଗତ ସାଦୃଶ୍ୟର ବାହକ ଭାବେ ତାହା ସ୍ଵୀକୃତ ହେବ । ତେବେ ଯେ କୌଣସି ସାହିତ୍ୟର ପ୍ରସାର ଓ ପ୍ରଭାବବିସ୍ତାର ପାଇଁ ଅନୁବାଦ ହିଁ ପ୍ରଧାନ ମାଧ୍ୟମ ଭାବେ ଗୃହୀତ ।

 

ଅଧିକାଂଶ କ୍ଷେତ୍ରରେ କୌଣସି ମହନୀୟ ସାହିତ୍ୟକୃତିର ଅନୁବାଦ ଦୁଇଟି ମିଳନାତ୍ମକ ସଂସ୍କୃତିର ଦ୍ୱୈତ ସଂପର୍କର ସେତୁଭାବେ କାର୍ଯ୍ୟକରିଥାଏ । ମୂଳଭାଷା ଓ ଅନୁବାଦ କରାଯାଇଥିବା- ଦୁଇଭାଷାର ସଂଯୋଗ ସେତୁ ହୁଏ ଅନୁବାଦ । ସଂସ୍କୃତି କହିଲେ ଏଠି ସାହିତ୍ୟିକ ସମଗ୍ରତାର ପୃଷ୍ଠଭୂମି ଭାବେ କଳ୍ପିତ । ତିନୋଟି ସ୍ତରରେ ଏହାର ଆଲୋଚନା କରାଯାଇପାରେ ।

 

(କ)

ଅନୁବାଦ ପ୍ରସଙ୍ଗରେ ଏକଥା ଲକ୍ଷ୍ୟଣୀୟ ଯେ ମୂଳ ଭାଷାର ସାହିତ୍ୟ ଓ ସଂସ୍କୃତିର ସ୍ତର ( Cultural Phase) ଅନୁବାଦ କରାଯାଉଥିବା ଭାଷାର ସାଂସ୍କୃତିକ ସମୟ ବା ସାହିତ୍ୟକ ପରିବେଶ (Cultural time)ଠାରୁ ନିମ୍ନମାନର ହେଲେ ଅନୁବାଦ ଗ୍ରନ୍ଥ ମୌଳିକଗ୍ରନ୍ଥଠାରୁ ସାମାନ୍ୟ ଉନ୍ନତ ସାଂସ୍କୃତିକ ଅବସ୍ଥାକୁ ପ୍ରତିଫଳିତ କରି ଟିକିଏ ଅଧିକ ରୁଚିକର ହୋଇଥାଏ । ଫଳତଃ ଅପେକ୍ଷାକୃତ ନ୍ୟୂନ ସାହିତ୍ୟ ଅନୁବାଦ ମାଧ୍ୟମରେ ଗୋଟିଏ ପରିପକ୍ୱ ସାହିତ୍ୟିକ ପରିମଣ୍ଡଳ ଭିତରକୁ ପ୍ରବେଶ କରିବାର ସୁଯୋଗ ପାଏ । ଉଦାହରଣ ସ୍ୱରୂପ ଗୋଟିଏ ଆଂଚଳିକ ଭାଷା ବା ଉପଭାଷାରେ ରଚିତ ଗ୍ରନ୍ଥ ସେ ଦେଶର ମୁଖ୍ୟ ଜାତୀୟ ଭାଷାରେ ଅନୂଦିତ ହେଲେ ସେହି ଆଂଚଳିକ ସାଂସ୍କୃତିକ ପରଂପରା ତାହାର ପ୍ରଧାନ ସାଂସ୍କୃତିକ ସ୍ରୋତ ସହିତ ମିଳିତ ହେବା ସହଜ ହୋଇଥାଏ ।

 

(ଖ)

ଦ୍ୱିତୀୟତଃ ଯଦି ମୂଳଭାଷାର ସାହିତ୍ୟ ଓ ସାଂସ୍କୃତିକ ସ୍ତର ଅନୂଦିତ ଭାଷାର ସାଂସ୍କୃତିକ ସ୍ତରଠାରୁ ଅଧିକ ବିକଶିତ ହୋଇଥାଏ ତେବେ ଅନୁବାଦଟିର ନାନ୍ଦନିକ ଉତ୍କର୍ଷ ଓ ଅନ୍ୟାନ୍ୟ ଗୁଣ ଟିକିଏ ଊଣା ହୋଇଥାଏ ।

 

(ଗ)

ତୃତୀୟତଃ ଯଦି ମୂଳ ଓ ଅନୂଦିତ ଉଭୟଭାଷାର ସାହିତ୍ୟ ଓ ସାଂସ୍କୃତିକ ସ୍ତର ସମାନ ଓ ନିକଟତମ ପର୍ଯ୍ୟାୟର ହୋଇଥାଏ ତେବେ ଅନୁବାଦ ସମୟରେ କୌଣସି ପରିବର୍ତ୍ତନ ହୁଏନାହିଁ । ମୌଳିକ ଓ ଅନୂଦିତଗ୍ରନ୍ଥ ସମାନ ସାଂସ୍କୃତିକ ଓ ନାନ୍ଦନିକ ଆବେଦନ ସୃଷ୍ଟି କରିଥାଏ ।

 

ପ୍ରଥମ ଦୁଇଟିରେ ଅନ୍ତଃସାହିତ୍ୟିକ ଯୋଗାଯୋଗ ସ୍ଵଭାବତଃ ଆଭ୍ୟନ୍ତରୀଣ (inner) କିନ୍ତୁ ତୃତୀୟଟିର ଯୋଗାଯୋଗ ହେଇଛି ବହିଃରଙ୍ଗ (outer) । କିନ୍ତୁ ଅନୁବାଦ ପ୍ରକ୍ରିୟାରେ କୌଣସି ପ୍ରଭାବ ନଥିବା ଘଟଣା ପ୍ରାୟତଃ ଅସମ୍ଭବ । ସାହିତ୍ୟର ତୁଳନାତ୍ମକ ଅଧ୍ୟୟନ ପାଇଁ ଅଧିକାଂଶ କ୍ଷେତ୍ରରେ ଅନୁବାଦକର୍ମ ଆଭ୍ୟନ୍ତରୀଣ ସଂପର୍କ ଉପରେହିଁ ନିର୍ଭର କରେ ।

 

ସାହିତ୍ୟକୃତିର ଅନୁବାଦ କର୍ମ ସାଧାରଣତଃ ଉଭୟ ଭାଷାରେ ଏକ ଭାବସାମ୍ୟର ପ୍ରତିଫଳନ ପାଇଁ ହିଁ ସାଧିତ ହୋଇଥାଏ । ପ୍ରକୃତିଗତ ବା ରୂପଗତ ଦିଗରୁ ତାହାକୁ କ୍ୱଚିତ୍‌ ତୁଳନା କରାଯାଇଥାଏ । ଫଳତଃ ଭାବଗତ ଓ ରୂପଗତ ପ୍ରତ୍ୟୟର ଏକ ପାରସ୍ପରିକ ଚୁକ୍ତିବଦ୍ଧତା ଓ ସଙ୍କର ଜାତୀୟ ସାହିତ୍ୟ ସୃଷ୍ଟିର ସମ୍ଭାବନା ଦେଖାଦେଇଥାଏ । ଆଲୋଚକମାନେ ଏହାକୁ ‘Miscegenation in Literature’ ବୋଲି ଆଖ୍ୟା ଦେଇଛନ୍ତି । ଅନୁବାଦକର ମୂଳଗ୍ରନ୍ଥ ପ୍ରତି ଦୃଷ୍ଟିକୋଣକୁ ବିଚାରକୁ ନେଇ ଏହି କଥାର ବିଶ୍ଲେଷଣ କରାଯାଇପାରେ । ଅନ୍ୟ ଭାବରେ କହିଲେ ଅନୁବାଦ କର୍ମରେ ବସ୍ତୁନିଷ୍ଠ ଓ ଭାବନିଷ୍ଠ - ଏ ଉଭୟ ପଦ୍ଧତି ନିହିତ ଥାଏ ।

 

ଉଦାହରଣ ସ୍ଵରୂପ ଯଦି ଜଣେ ଅନୁବାଦକ ମୌଳିକ ଭାଷା ସହିତ ଅନୁବାଦ ଭାଷାର ପ୍ରକୃତିଗତ ସାମ୍ୟ ଉପରେ ନିର୍ଭର କରି ଗ୍ରନ୍ଥଟିକୁ ଅନୁବାଦ କରିବାକୁ ବାଛିଥାନ୍ତି ତାହେଲେ ଭାଷା, ପ୍ରକାଶଭଙ୍ଗୀ ଓ ନାନ୍ଦନିକ ଅବବୋଧ ଦୃଷ୍ଟିରୁ ଏହା ଅନୁକୂଳ ହୁଏ । ମୂଳ ସାହିତ୍ୟର ଅନେକ ଉପାଦାନ ଅନୁଦିତ ସାହିତ୍ୟରେ ଆପଣାର ଉପଯୁକ୍ତ ସ୍ଥାନ ଖୋଜି ମଧ୍ୟ ପାଇଥାନ୍ତି । ଏହି କ୍ଷେତ୍ରରେ ସାହିତ୍ୟିକ ସମାନ୍ତରାଳବାଦ Cultural Parallelism ଓ ପାରସ୍ପରିକ ଆଦାନପ୍ରଦାନର (reciprocal currents) ଗୁରୁତ୍ୱ ସ୍ଥାପିତ ହୁଏ । ଏହି ପ୍ରସଙ୍ଗରେ ରୁଷୀୟ ଆଲୋଚକ ଭେସ୍କ୍ୱୋଲୋଭସ୍କିଙ୍କ ମତ ଉଦ୍ଧାର କରାଯାଇପାରେ : ‘‘Borrowing presupposes a conducive and receptive meeting gourd for the motifs and plots coming from outside. Borrowing dose not take place in vaccum. It requires a reciprocal current, an identical mode of thought and analogus imgery’’ (୨)

 

ଅନ୍ୟ କ୍ଷେତ୍ରରେ କୌଣସି ଏକ ସମୃଦ୍ଧ ଓ ଉନ୍ନତ ସାହିତ୍ୟର ଗ୍ରନ୍ଥ ବିଶେଷକୁ ଅନ୍ୟଏକ ବିକାଶଶୀଳ (ରାଜନୀତିକ ବା ଅର୍ଥନୀତିକ ଶବ୍ଦ) ଭାଷା ଓ ସାହିତ୍ୟକୁ ଅନୁବାଦ କରାଗଲେ ମୂଳ ଗ୍ରନ୍ଥର ସାଂସ୍କୃତିକ, ଭାଷାଗତ ଓ ଅନ୍ୟାନ୍ୟ ଶକ୍ତି ସାମର୍ଥ୍ୟ ବିକାଶଶୀଳ ସାହିତ୍ୟକୁ ବହୁଭାବରେ ପ୍ରଭାବିତ ଓ ଅନୁପ୍ରେରିତ କରିଥାଏ ।

 

ଅନୁବାଦ ସଂପର୍କରେ ଆଉ ଏକ ଲକ୍ଷ୍ୟଣୀୟ କଥା ହେଲା ଯେ ଏହାର ଆଙ୍ଗିକ ବସ୍ତୁନିଷ୍ଠ ପଦ୍ଧତି ଅନେକ ସମୟରେ ଅନୁବାଦକର ସାଂସ୍କୃତିକ, ନାନ୍ଦନିକ, ଦାର୍ଶନିକ ଓ ସାମାଜିକ ସ୍ଥିତି ପ୍ରଭୃତି ଭାବନିଷ୍ଠ ବା ବ୍ୟକ୍ତିନିଷ୍ଠ ଅବସ୍ଥାଦ୍ୱାରା ଜଟିଳ ହୋଇ ପଡ଼ିଥାଏ । ଏହାଦ୍ୱାରା ମୂଳ ଗ୍ରନ୍ଥର ମୌଳିକ ଭାବାନୁଷଙ୍ଗ ଓ ବର୍ଣ୍ଣନାନୁକ୍ରମ ହୁଏତ ସଂକ୍ଷିପ୍ତ ବା ଅତିରଂଜିତ ହେବା ଦେଖାଯାଏ । ଉଦାହରଣ ସାରଳାଙ୍କ ମହାଭାରତ ଓ ଜଗନ୍ନାଥଦାସଙ୍କ ଭାଗବତ । ମନେହୁଏ ଏ ଉଭୟ ଗ୍ରନ୍ଥ ଆଦୌ ଅନୁବାଦ ନୁହେଁ, ଏ ଦୁଇଟିକୁ ଅନୁବାଦ ବା ଅନୁକୃତି କହିବାହିଁ ଅନୁଚିତ । ମୂଳଗ୍ରନ୍ଥ ସହିତ ଅନୁବାଦକର ଘନିଷ୍ଠ ସଂଯୋଗ ଉପରେ ଅନୁବାଦର ମହତ୍ତ୍ଵ ନିର୍ଭର କରେ ।

 

ବାସ୍ତବରେ ସାହିତ୍ୟ ତୁଳନାତତ୍ତ୍ଵ ତିନିପ୍ରକାର ଅନୁବାଦର ଆପେକ୍ଷିକ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥାଏ । ୧) ଲେଖକର ନିଜଅନୁବାଦ (author's translation) (୨) ମୁକ୍ତ ଅନୁବାଦ (Polemical translation) ଓ ପ୍ରଚ୍ଛନ୍ନ ବା ଛାୟାନୁବାଦ (Latent translation) । ଏହାକୁ ବ୍ୟତୀତ ସାଧାରଣ ଓ ନିରପେକ୍ଷ ଅନୁବାଦ ବହୁ ପରିମାଣରେ ସାହିତ୍ୟିକ ଯୋଗାଯୋଗର ସେତୁରୂପେ କାର୍ଯ୍ୟ ତୁଲାଇ ଆସିଥାଏ ।

 

ଲେଖକଙ୍କର ନିଜ ଅନୁବାଦ ପ୍ରକୃତଃ ମୂଳରଚନାର ଅନ୍ୟ ଭାଷାରେ ସେହି ଲେଖକଙ୍କଦ୍ୱାରା ସୃଷ୍ଟ ଏକ ଭିନ୍ନ ରୂପ । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ବିଶ୍ଵକବି ରବୀନ୍ଦ୍ରନାଥଙ୍କ ସ୍ଵଅନୂଦିତ ଇଂରାଜୀ ‘ଗୀତାଞ୍ଜଳି’ । ସମକାଳର ଓଡ଼ିଆ କାବ୍ୟ ଜଗତର ସୁପରିଚିତ କବି ରମାକାନ୍ତ ଓ ସୀତାକାନ୍ତ, କଥାକାର କିଶୋରୀଚରଣ ଓ ମନୋଜ ଦାସ ସ୍ଵରଚିତ ରଚନାକୁ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରନ୍ତି । ବହୁ ଭାଷାବିତ୍‌ ଲେଖକମାନଙ୍କର ଏ ପ୍ରକାର ଅନୁବାଦ କରିବାରେ ଅନ୍ତରାୟ ନଥାଏ । ଲେଖକଙ୍କର ନିଜ ଅନୁବାଦ ସର୍ବତ୍ର ସର୍ବୋତ୍କୃଷ୍ଟ ବୋଲି ଯେଉଁ ବଦ୍ଧମୂଳ ଧାରଣା ରହିଆସିଛି ତାହାକୁ ତୁଳନାତତ୍ତ୍ଵର ଆଲୋକରେ ପର୍ଯ୍ୟବେକ୍ଷଣ କଲେ ଦେଖାଯିବ ଯେ ଏହା ସର୍ବଦା ସତ୍ୟ ହୋଇ ନପାରେ । ବିଶେଷ କରି ଅନ୍ତଃସାହିତ୍ୟିକ ବିଚାରଧାରାରେ ମୂଳ ରଚନାର ଲେଖକଙ୍କର ନିଜ ରଚନାର ଭାବ ଓ ରୂପଠାରୁ ଦୂରେଇ ଯିବାର ସମ୍ଭାବନା ନଥିବାରୁ ବିଭିନ୍ନ ସ୍ଥାନରେ ଅସଚେତନଭାବେ ମୂଳ ରଚନାର ଆତ୍ମିକ ପରିଚୟ, ଅନନ୍ୟତା ଓ ଦୁର୍ଲ୍ଲଭ ବୈଶିଷ୍ଟ୍ୟ ତାଙ୍କ ଅନୁବାଦରେ ପରିବର୍ତ୍ତିତ ହୋଇଯିବା ଅସମ୍ଭବ ନୁହେଁ । ତେଣୁ ଲେଖକଙ୍କର ମୂଳ ରଚନା ଓ ତା’ର ଅନୁବାଦ ମଧ୍ୟରେ ଥିବା ଭେଦରେଖାଟି ଏତେ ଅସ୍ପଷ୍ଟ ହୋଇଥାଏ ଯେ ଅନୁବାଦଟି ଲେଖକଙ୍କର ଆଉ ଏକ ମୂଳ ରଚନା ବୋଲି ପ୍ରତୀୟମାନ ହୁଏ ।

 

ମୁକ୍ତ ବା ପୋଲେମିକାଲ ଅନୁବାଦରେ ହିଁ ସବୁଠାରୁ ବେଶୀ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥାଏ । ଏ ପ୍ରକାର ଅନୁବାଦ ଉପରେ ତୁଳନାତତ୍ତ୍ଵବିତ୍‌ମାନେ ସ୍ଵତନ୍ତ୍ର ଭାବେ ଗୁରୁତ୍ୱ ଆରୋପ କରିଥାନ୍ତି । କାରଣ ଏହାର ସବୁ ବିଭାବ ସଂପୂର୍ଣ୍ଣ ଭାବେ ଅନ୍ତଃସାହିତ୍ୟିକ ସଂପର୍କଧାରାର ଅନୁକୂଳ ବା ପ୍ରତିକୂଳ ହୋଇନଥାଏ । ଏ ପ୍ରକାର ଅନୁବାଦ କ୍ଷେତ୍ରରେ ଅନୁବାଦକର ମନୋଭାବ ମୂଳ ରଚନାର ଲେଖକଙ୍କ ପ୍ରତି ସଂପୂର୍ଣ୍ଣ ଭାବେ ବ୍ୟକ୍ତିନିଷ୍ଟ ହୋଇଥାଏ । ମୂଳ ରଚନାର କେତେକ ବିଷୟ ହୁଏତ ଅନୁବାଦକଙ୍କର ଗ୍ରହଣଯୋଗ୍ୟ ହୋଇନପାରେ ବା କେତେକ କ୍ଷେତ୍ରରେ ସେ ମୂଳ ରଚନାର ପରିବର୍ତ୍ତନ ମଧ୍ୟ କରିପାରିଥାନ୍ତି ନିଜର ରୁଚି ଓ ଦୃଷ୍ଟିକୋଣ ଅନୁସାରେ ବା ଅତ୍ୟଧିକ ଆବେଗପ୍ରବଣ ଉଦ୍ଦୀପନାଜନିତ କାରଣରୁ ଅନୁବାଦକର ଏ ପ୍ରକାର ପ୍ରବୃତ୍ତି ଅନୁବାଦର ଆନୁପାତିକ ଶୁଦ୍ଧିତାକୁ ନଷ୍ଟ କରି ଦେଇଥାଏ ଓ ଏହା ମୂଳ ରଚନାର ନିର୍ଭରଯୋଗ୍ୟ ବିଶୁଦ୍ଧ ଅନୁବାଦ ନହୋଇ ଏକ ହାସ୍ୟାସ୍ପଦ ଲାଳିକାର କଦାକାର ରୂପ ଧାରଣ କରିଥାଏ । ଅନ୍ତଃସାହିତ୍ୟିକ ସଂପର୍କର ବିଚାରଧାରାର ବିବର୍ତ୍ତନରେ ଏ ପ୍ରକାର ଅନୁବାଦ ଅଗ୍ରସରଣ ପରିବର୍ତ୍ତେ ପଶ୍ଚାତ୍‌ଗତିର ଭୂମିକା ନେଇଥାଏ । ବିଶ୍ଵ ସାହିତ୍ୟରେ ଏପ୍ରକାର ଅନୁବାଦର ବହୁ ଉଦାହରଣ ଖୋଜିଲେ ମିଳିବ । ଅନୁବାଦକ ମୂଳ ରଚନାର ଶୈଳୀ ଓ ପ୍ରକାଶ ଭଙ୍ଗୀକୁ ଇଚ୍ଛାନୁସାରେ ପରିବର୍ତ୍ତନ କରିବା ଅତିଶୟୋକ୍ତିରେ ତା’ର ମୌଳିକ ରୂପକୁ ଆଚ୍ଛନ୍ନ ବା ନିଶ୍ଚିହ୍ନ କରିଦେଇଥାନ୍ତି । ଓଡ଼ିଆ ସାହିତ୍ୟରେ ରାଧାନାଥ ଯୁଗରୁ ଏ ପର୍ଯ୍ୟନ୍ତ ଏପ୍ରକାର ଅଶୁଦ୍ଧ ଓ ଅସ୍ଵୀକୃତ ଅନୁବାଦର ତାଲିକା ଦେଲେ ବିସ୍ତୃତ ହେବ । ବହୁ ସ୍ରଷ୍ଟା ଓ ସୃଷ୍ଟି ଏପ୍ରକାର ଅନୁବାଦ ମାଧ୍ୟମରେ ଅଯଥାର୍ଥ ଭାବେ ପ୍ରତିପାଦିତ ହୋଇଥାନ୍ତି ଓ ଅନୁବାଦକର ପଲ୍ଲବଗ୍ରାହୀ ପାଣ୍ଡିତ୍ୟ ବା ଔଦ୍ଧତ୍ୟ ମଧ୍ୟ ପ୍ରକାଶ ପାଇଥାଏ । ଅନ୍ତଃସାହିତ୍ୟିକ ସଂପର୍କର ବିଚାରକୁ ଏହା ସମୃଦ୍ଧ ନକରି ଦୁର୍ବଳ କରିଥାଏ ।

 

ଗୌଣ ବା ଅସ୍ୱୀକୃତ ଅନୁବାଦରେ ସାଧାରଣତଃ ଜଣେ ଲେଖକ ନିଜ ରଚନାରେ ପୂର୍ବ ପଠିତ ଅନ୍ୟ ଲେଖକଙ୍କର କିଛି ଉଦ୍ଧୃତିକୁ ଅନୁବାଦ କରି ଅଙ୍ଗୀଭୂତ କରାଇଥାନ୍ତି । ଏହି ପ୍ରକାର କାର୍ଯ୍ୟର ସାଧୁ ଉଦ୍ଦେଶ୍ୟ ହୋଇପାରେ ଲେଖକ ପୂର୍ବସୂରୀଙ୍କ ଶୈଳୀ ଓ ପ୍ରକାଶଭଙ୍ଗୀକୁ ଆତ୍ମସାତ୍‌ କରି ଆପଣାର ରଚନାକୁ ଆକର୍ଷଣୀୟ କରିବାକୁ ଚାହାଁନ୍ତି । କିନ୍ତୁ ସାହିତ୍ୟ ତୁଳନାତତ୍ତ୍ୱ ଏପ୍ରକାର କାର୍ଯ୍ୟକୁ ମୂଲ୍ୟାୟନ କଲାବେଳେ ଅନ୍ତଃସାହିତ୍ୟିକ ସଂଯୋଗ ବିଚାରରେ ଏହାକୁ ସମୀକ୍ଷାତ୍ମକ ଦୃଷ୍ଟିରେ ଅନୁଶୀଳନ କରିବା ଉଚିତ ।

 

ଅନ୍ତଃସାହିତ୍ୟିକ ଯୋଗାଯୋଗ କ୍ଷେତ୍ରରେ ଅନୁବାଦର ଗୁରୁତ୍ୱପୂର୍ଣ୍ଣ ଭୂମି ଓ ଭୂମିକା ବ୍ୟତୀତ ଅନୁବାଦକୁ ଅନ୍ତଃ ସାହିତ୍ୟିକ ପରିପ୍ରକାଶର ମାଧ୍ୟମ ଭାବରେ ମଧ୍ୟ ବିଚାର କରାଯିବା ଉଚିତ । ବିଶେଷତଃ ଗୋଟିଏ ସାହିତ୍ୟ ଅନୁବାଦର ଅତି ସୂକ୍ଷ୍ମ‌ ଭାବରେ ନିକଟତର ହେଉଥିବା ଅନ୍ୟରୂପ ଓ ଭିନ୍ନ ରୂପାନ୍ତରଗୁଡ଼ିକ ବିଷୟରେ ମଧ୍ୟ ବିଚାର କରିବା ଉଚିତ । ସେଗୁଡ଼ିକ ମଧ୍ୟରେ ପ୍ରତିଦାନ ଓ ପରିଗ୍ରହଣ, ଅନୁକରଣ, ଶୈଳୀ କରଣ, ରୂପାକାତ୍ମକ ସାଦୃଶୀକରଣ, ସ୍ମୃତିଚାରଣ, ଅନୁପ୍ରେରଣା, ସାହିତ୍ୟିକ- ସମସ୍ଥାନିକତା, ସାହିତ୍ୟିକ ଅନୁସିଦ୍ଧାନ୍ତ (Literary Corollary), ପରିଶିଷ୍ଟ ଓ ସଂଯୋଜନ ଲାଳିକା, ହାସ୍ୟକର ଅନୁକରଣ (Travesty), ଅନୁଲିଖନ ଓ ସାହିତ୍ୟିକ ଭାବଲୁଣ୍ଠନ ପ୍ରଭୃତି ଅନ୍ତର୍ଭୁକ୍ତ । ବିଭିନ୍ନ ତୁଳନାତତ୍ତ୍ୱବିତ୍‌ ବିଭିନ୍ନ ସମୟରେ ଏହି ପ୍ରକ୍ରିୟାଗୁଡ଼ିକର ସ୍ଵରୂପ ନିର୍ଦ୍ଧାରଣ ପାଇଁ ନାନା ପଦ୍ଧତି ଅବଲମ୍ବନ କରିଥାନ୍ତି ।

 

ସାହିତ୍ୟରେ ବିଶ୍ଵାସନୀୟତାର ଅଭାବ ଓ ଗ୍ରନ୍ଥର ଆଶାତୀତ ସଂକ୍ଷିପ୍ତୀକରଣ ଯୋଗୁଁ ବେଳେ ବେଳେ ଅନୁବାଦ ଓ ଅନୁଲିଖନ ଭିତରେ ଥିବା ସଂପର୍କ ବିଷୟ ବୁଝିବାରେ ସମସ୍ୟା ସୃଷ୍ଟି ହୋଇଥାଏ । ମୂଳ ଗ୍ରନ୍ଥଟି ଭ୍ରମାତ୍ମକ ଭାବେ ବା ଅଯଥେଷ୍ଟଭାବେ ଆପଣାର ସାଂସ୍କୃତିକ ଅବସ୍ଥାକୁ ପ୍ରତିନିଧିତ୍ୱ କରିଥାଏ । ପରୀକ୍ଷାମୂଳକଭାବେ କୌଣସି ଦୁଇଟି ଅନୁବାଦ ଓ ଅନୁଲିଖନକୁ ବିଚାରକୁ ନେଲେ ଦେଖାଯିବ ଯେ ଅନୁଲିଖନରେ ପ୍ରାମାଣିକତାର ଅଂଶ ଆଦୌ ସନ୍ତୋଷଜନକ ନୁହେଁ ।

 

ଅପର ପକ୍ଷରେ କେହି କେହି ଅନୁବାଦକ ମଧ୍ୟ ମୂଳଗ୍ରନ୍ଥର ପାଠକୁ ଅର୍ଦ୍ଧାଧିକ ଭାଗ ସଂଯୋଜନ ବା ବିଯୋଜନକରି ତାହାକୁ ଏପରି କିମ୍ଭୂତ ରୂପ ଦେଇଥାନ୍ତି ଯେ ତଦ୍ୱାରା ମୂଳଗ୍ରନ୍ଥର ସ୍ଵରୂପକୁ ଅବିକଳ ଭାବେ ଚିହ୍ନିବା ଆଦୌ ସହଜ ହୋଇ ନଥାଏ । ସେକ୍‌ସ୍‌ପିୟରଙ୍କ ନାଟକଗୁଡ଼ିକର ଅନୁବାଦକମାନେ ବହୁଭାବରେ ନିଜର ଅନୁବାଦକର୍ମକୁ ମୁକ୍ତ ମନେକରି ତାହାକୁ ବିକ୍ଷିପ୍ତ ବା ସଂକ୍ଷିପ୍ତ କରିଥିବା ଦେଖାଯାଏ । ତଥାପି ଏପରି ପରିବର୍ତ୍ତନ ସତ୍ତ୍ୱେ ପାଠକବର୍ଗ ଏଗୁଡ଼ିକୁ ଅନୁଲିଖନ ନକହି ଅନୁବାଦ ବୋଲି ହିଁ ନାମିତ କରିଥାନ୍ତି । ଅନୁବାଦ ହେଉ ବା ଅନୁଲିଖନ ହେଉ ସେଥିରେ ସାହିତ୍ୟିକ ପ୍ରମାଣିକତା ରହିବା ସର୍ବାଦୌ ପ୍ରୟୋଜନ । ଏ ଉଭୟର ପ୍ରକୃତ ସ୍ଵରୂପ ଓ ଲକ୍ଷଣ ସାହିତ୍ୟ ତୁଳନାତତ୍ତ୍ୱଦ୍ୱାରା ନିର୍ଦ୍ଧାରିତ ହେବା ଉଚିତ ।

 

କୌଣସି ସୁପ୍ରସିଦ୍ଧ ସ୍ରଷ୍ଟାଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଏ ଯେ ତାଙ୍କ ରଚନାର ଅନେକ ଭଲ ଅଂଶ ଅନ୍ୟମାନଙ୍କର ଅବଦାନ । ଏକଥା ହୁଏତ ସେ ନିଜେ ମଧ୍ୟ ସ୍ଵୀକାର ବା ଅସ୍ଵୀକାର କରି ପାରିଥାନ୍ତି କିନ୍ତୁ ଅନ୍ୟର ସୃଷ୍ଟି ସ୍ପନ୍ଦନକୁ ଆହରଣ କରି ନିଜର ଅନୁଭବ ଓ ନିଜ ସାଂସ୍କୃତିକ ପରିମଣ୍ଡଳରେ ତାକୁ ପ୍ରୋଥିତ କରି, ନିଜ ଆତ୍ମରସରେ ରସାଣିତ କରି ସେ ଆଉଏକ ନୂତନ ସୃଷ୍ଟିରେ ତାହାକୁ ପ୍ରକାଶ କରିଥାନ୍ତି । ସୃଷ୍ଟିରେ ଏଇ ରୂପାନ୍ତର ପାଇଁ ପ୍ରୟୋଜନ ହୋଇଥାଏ ଶ୍ରେଷ୍ଠ ପ୍ରତିଭାର ସର୍ଜନ ଦକ୍ଷତା । ସେ ରାଧାନାଥ ହୁଅନ୍ତୁ କି ସଚ୍ଚିଦାନନ୍ଦ ବା ଗୁରୁ ପ୍ରସାଦ ସମସ୍ତଙ୍କ କ୍ଷେତ୍ରରେ ଇଲିୟଟ୍‌ କଥିତ ‘ପରଂପରା ଓ ପ୍ରାତିସ୍ଵିକତା’ ସମାନଭାବରେ ବିଦ୍ୟମାନ୍‌ । ଗୋଟିଏ ମହତ୍‌ ସୃଷ୍ଟିର ଅନ୍ତର୍ନିହିତ ସଂପର୍କ ବା ପ୍ରଭାବରେ ଅନ୍ୟଏକ ସୃଷ୍ଟି ଏପରି ଭାବରେ ସଂଜୀବିତ ହୋଇଥାଏ ଯାହାକୁ ଅନୁବାଦ ବା ଅନୁସୃଷ୍ଟି ବ୍ୟତୀତ ଅନ୍ୟ ଏକରୂପେ ପ୍ରତିଷ୍ଠା ଦେବାକୁ ହୁଏ । ଏପରି କ୍ଷେତ୍ରରେ ସାହିତ୍ୟର ତୁଳନାତତ୍ତ୍ୱ‌ ହିଁ ବିଭିନ୍ନ ଭାଷାର ଶ୍ରେଷ୍ଠ କୃତି ସବୁ କିପରି ପରସ୍ପରକୁ ପ୍ରଭାବିତ ଓ ପରିପୁଷ୍ଟ କରିଥାନ୍ତି, ତାହା ବିଚାର କରିବାରେ ଦେଖାଇପାରେ କିପରି ଗୋଟିଏ ଅନୁବାଦ କର୍ମ ନିଜର ଭାଷାନ୍ତର ପର୍ଯ୍ୟାୟରେ ନରହି ଗୋଟିଏ ମୌଳିକ ଓ ସର୍ଜନଶୀଳ କୃତିର ଗୌରବ ପାଇବାକୁ ପ୍ରୟାସ କରିଥାଏ ।

 

ସାହିତ୍ୟ ତୁଳନାତତ୍ତ୍ୱର ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କର୍ତ୍ତବ୍ୟ ରହିଛି । ତାହା ହେଉଛି ଉଦ୍ଦେଶ୍ୟ ପ୍ରଣୋଦିତ କଦର୍ଥକାରୀ ଅନୁବାଦ ଗୁଡ଼ିକୁ ଆଲୋଚନା କରି ସେଗୁଡ଼ିକର ମନ୍ଦ ଉଦ୍ଦେଶ୍ୟକୁ ପ୍ରକାଶ କରିବା । ଗୋଟିଏ ଜାତି ବା ଜନସମାଜରେ ପ୍ରଚଳିତ ଥିବା କୌଣସି ଜନଶ୍ରୁତି ବା ମୀଥ୍‌କୁ ନେଇ ଗଢ଼ି ଉଠିଥିବା ରଚନାକୁ ଅନୁବାଦ କଲାବେଳେ ସେହି ଜାତି ବା ଜନସମାଜ ପ୍ରତି ବିଦ୍ରୂପାତ୍ମକ ମନ୍ତବ୍ୟ ଦେବା ସାହିତ୍ୟିକ ଅନ୍ତଃମିଳନର ସବୁଠାରୁ ବଡ଼ ଅନ୍ତରାୟ । ଏଭଳି କ୍ଷେତ୍ରରେ ତାହାକୁ ପ୍ରତିରୋଧ କରିବାକୁ ହେବ । ଏହିପରି ଉଦାହରଣ ବିଶ୍ଵ ସାହିତ୍ୟରେ ଦୁର୍ଇ୍ଲଭ ନୁହେଁ । ରୁଷ୍‌ ସାହିତ୍ୟର ପ୍ରସିଦ୍ଧ ସ୍ରଷ୍ଟା ଗୋଗଲ୍‌ଙ୍କର ନାଟକ ‘ଦି ଇନିସ୍ପେକଟ୍‌ର ଜେନେରାଲ’ ରେ ସେସମୟର ଆଞ୍ଚଳିକ ପ୍ରତାରଣାମୟ ଅମଲା ଦୁର୍ନୀତିଚିତ୍ର ଦିଆଯାଇଥିଲା । କିନ୍ତୁ ପ୍ୟାରିସ୍‌ରେ ତାର ଅନୁବାଦର ନାମକରଣ ହୋଇଥିଲା ‘ଏଦ୍‌ ରଷିୟାନ୍‌ସ୍‌ ହାବ୍‌ ଡେପିକ୍ଟଡ ଦେମ୍‌ସେଲଭସ୍‌’ । ପୁଣି ତାଙ୍କ ଉପନ୍ୟାସ ‘ଡେଡ୍‌ ସୋଲସ୍‌’ର ଅନୁବାଦ ହୋଇଥିଲା ‘ଇଣ୍ଟେର୍‌ନାଲ ଲାଇଫ୍‌ ଅଫ୍‌ ରସିଆ’ ନାମରେ । ତେଣୁ ଅନୁବାଦ ମାଧମରେ ଏପ୍ରକାର କୁତ୍ସାକୁ ଉତ୍ସାହିତ କରୁଥିବା ସାହିତ୍ୟିକ ବାତାବରଣ ବିକାଶପଥର ଅନ୍ତରାୟ । ସେମାନଙ୍କ ପ୍ରତି ତୁଳନାତତ୍ତ୍ଵବିତ୍‌ମାନଙ୍କର ବିବେକୀଯଷ୍ଟି ପ୍ରହାରର ପ୍ରୟୋଜନ ସମସ୍ତେ ଆଶା କରିବେ ।

 

ଶେଷରେ ମୂଳ ଭାଷାରୁ ଅନୁବାଦ ନହୋଇ କୌଣସି ମାଧ୍ୟମିକ ବା ସଂଯୋଗକାରୀ ଭାଷା ମାଧ୍ୟମରେ କରାଯାଉଥିବା ଅନୁବାଦ କଥା ବିଚାରକୁ ନିଆଯାଉ । ଏଥିରେ ସନ୍ଦେହ ନାହିଁ ଯେ ପ୍ରତି ଅନୁବାଦବେଳେ ମୂଳଗ୍ରନ୍ଥର ରୂପଗତ ଓ ଭାବଗତ କିଛିଟା ପରିବର୍ତ୍ତନ ଅନିବାର୍ଯ୍ୟ । ପୁଣି ଅନୁବାଦର ଅନୁବାଦ କରାଗଲା ବେଳେ ହୁଏତ ଏପରି ପରିସ୍ଥିତି ହେବ ଯେ ଆମେ ମୂଳଭାଷାର ମୌଳିକଗ୍ରନ୍ଥଠାରୁ ଏତେ ଦୂରେଇ ଯିବୁ ଯାହା ତାର ଆତ୍ମୀକ ସ୍ଵରୂପକୁ ଆମ ପାଖରେ ଆଦୌ ପହଞ୍ଚାଇପାରିବ ନାହିଁ । ତେଣୁ ତୁଳନାତତ୍ତ୍ଵବିତ୍‌ମାନେ ଏ ପ୍ରକାର ଅନୁବାଦକର୍ମ ଅନ୍ତଃସାହିତ୍ୟିକ ସଂପର୍କ ପଥରେ କିପରି ବାଧା ଓ ସମସ୍ୟା ସୃଷ୍ଟି କରିଥାଏ ଓ ଗୋଟିକର ମୌଳିକ ସ୍ଵରୂପକୁ ଅନ୍ୟ ପାଖରେ ପହଞ୍ଚାଇବାରେ କିପରି ଅସଫଳ ହୋଇଥାଏ, ତାହା ପ୍ରତି ସଚେତନ ରହିବା ବାଞ୍ଛନୀୟ ।

 

ଅନ୍ତଃସାହିତ୍ୟିକ ସଂପର୍କର ସୁଦୃଢ଼ ସେତୁ ଭାବରେ କାର୍ଯ୍ୟ କରୁଥିବା ‘ଅନୁବାଦକର୍ମ’କୁ ସାହିତ୍ୟ ତୁଳନାତତ୍ତ୍ୱ ତେଣୁ ଆହୁରି ଗଭୀର ଓ ସହୃଦୟତାର ସହିତ ଅନୁଶୀଳନ କଲେ ବିଶ୍ୱ ସାହିତ୍ୟର ସାମଗ୍ରିକ ସ୍ୱରୂପ ସାକାର ଓ ସାର୍ଥକ ହେବ।

 

ସୂଚନା -

(୧)

Karl Marx and F.E.ngles: Selected Works (Vol.l) Progress Publishers, Moscow(1976) P.112

(୨)

AN. Vesyolovsky: Istoricheskaya Poetika (Historical Poetics) 1940.P.506

 

ସହାୟକ ଗ୍ରନ୍ଥ :

(୧)

C.Morris - Signs, Language and Behaviour, New York 1950

(୨)

C.Morris - signification and Significance, Combridge, Massachusetts, 1964

(୩)

R.Jakobson - Linguistics and Poetics, Style and Language, Cambridge, 1968

(୪)

Tejaswini Niranjana - Siting Translation, Orient Longman 1995

 

 

୨୭,ଅଶୋକ ନଗର,

ଭୁବନେଶ୍ୱର- ୯

 

***

 

ଓଡ଼ିଆ ଉପନ୍ୟାସରେ ନିମ୍ନବର୍ଗ ଚରିତ୍ରର ସ୍ଥିତି

ଡକ୍ଟର ପ୍ରକାଶ କୁମାର ପରିଡ଼ା

୧. ଚରିତ୍ର :

ସାହିତ୍ୟ ଜଗତରେ ଆତଯାତ ହେଉଥିବା ମଣିଷ (ପ୍ରାଣୀ ବି)ମାନଙ୍କୁ ସାହିତ୍ୟର ‘ଚରିତ୍ର’ କୁହାଯାଏ । ଏମାନେ ମଣିଷ ସମାଜରୁ ସିଧାସଳଖ ଗୃହୀତ ହୋଇପାରନ୍ତି କିମ୍ବା ଲେଖକର ମାନସସମ୍ଭୂତ ହୋଇପାରନ୍ତି; କିନ୍ତୁ ସବୁବେଳେ ମଣିଷର ଅନୁକୃତି ହିଁ ହୋଇଥାନ୍ତି । ସାହିତ୍ୟ ବିଚାର ଅନୁଯାୟୀ ସାମାଜିକ ପରିପ୍ରେକ୍ଷୀରେ ବିକାଶଶୀଳ କୌଣସି ଆତ୍ମାର କ୍ରିୟାଶୀଳତା ହିଁ ଚରିତ୍ର । ବସ୍ତୁଜଗତରୁ ସାହିତ୍ୟିକ ମନୋମତ ଚରିତ ଚୟନ କରି ସେମାନଙ୍କୁ ବିଭିନ୍ନ ବ୍ୟକ୍ତିତ୍ୱ ପ୍ରଦାନ କରି ସେମାନଙ୍କର ସ୍ଵରୂପ ଚିତ୍ରଣ କରେ । ଚରିତ୍ର କେବଳ ଗୁଣର ବିବୃତି ନହୋଇ ବ୍ୟକ୍ତିତ୍ୱର ଫଳକ ମଧ୍ୟ ହୋଇଥାଏ (୧) ।

 

ତେବେ ଚରିତ୍ର ଓ ମଣିଷ ମଧ୍ୟରେ ଏକ ସୂକ୍ଷ୍ମ ପାର୍ଥକ୍ୟ ନିହିତ । ସାଧାରଣ ମଣିଷର ନିଜସ୍ଵ ଗୋପନୀୟତା ଥାଏ । ଯେତେ ଅନ୍ତରଂଗ ହେଲେବି ମଣିଷ ତା’ର ବ୍ୟବହାର (ଚିନ୍ତନ)ର କେତେକ ଦିଗ ଅନ୍ୟଠାରୁ ଗୋପନ ରଖେ । ମମ୍‌ ସେଇଥିପାଇଁ ଅନ୍ୟକୁ ନିଜର ଆଲୋକତି ଅଂଶ କେବଳ ଦେଖାଉଥିବା ଚନ୍ଦ୍ର ସହ ମଣିଷକୁ ତୁଳନା କରିଛନ୍ତି । ମାତ୍ର ସାହିତ୍ୟର ଚରିତ୍ର ହେଉଛି ସେହି ମଣିଷ ଯାହାର ସମସ୍ତ ଗୋପନୀୟତା ପ୍ରକାଶ୍ୟ ଓ ଉନ୍ମୁକ୍ତ ।

 

ଉପନ୍ୟାସରେ ଚରିତ୍ରଗୁଡ଼ିକର ରୂପାୟନ ଉପନ୍ୟାସକାରର ନିଜସ୍ଵ ଯୋଜନାମତେ କରାଯାଇଥାଏ । ଏହା ଅନ୍ୟାନ୍ୟ ଚରିତ୍ର, କଥାବସ୍ତୁ, ଆଦର୍ଶ, ପରିବେଶ ଓ କାଳକୁ ଉପଯୋଗ କରିଥାଏ କିମ୍ବା ତଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅତଏବ ଉପନ୍ୟାସର ଚରିତ୍ର ଔପନ୍ୟାସିକର ସ୍ଵାଧୀନ ସୃଷ୍ଟି । ଔପନ୍ୟାସିକ ଓ ପାଠକ ମଧ୍ୟରେ ଚରିତ୍ର ଏକ ଯୋଗସୂତ୍ର । ଔପନ୍ୟାସିକର ଇଚ୍ଛା, ଆବେଗ, ଆଦର୍ଶ, ବ୍ୟକ୍ତିତ୍ୱ ଓ ଅନୁଭୂତିର ବାହକ ତଥା ପ୍ରକାଶକ ହୋଇଥାଏ, ଚରିତ୍ର ।

 

ଔପନ୍ୟାସିକର ମାନସ ସନ୍ତାନ ହେଲେହେଁ, ଚରିତ୍ର ଥରେ ପୂର୍ଣ୍ଣରୂପ ପାଇ ଉପନ୍ୟାସରେ ମୂର୍ତ୍ତ ହେଲେ, ସେ ଏକ ସ୍ଵାଧୀନ ସତ୍ତା ପାଲଟିଯାଏ । ସ୍ଵତନ୍ତ୍ର ପରିଚୟ ତା’ର ରହେ । ସେତେବେଳେ ତା’ର ମଧ୍ୟ କ୍ଷମତା ରହେ ଘଟଣା ଓ ପରିବେଶକୁ ପରିବର୍ତ୍ତିତ କରିଦେବାରେ । ଯେଉଁ ଚରିତ୍ର ଏଭଳି କରିପାରେ ତାକୁ ଗତିଶୀଳ ବା Kinetic ଚରିତ୍ର; ଅପର ପକ୍ଷରେ ଯେଉଁ ଚରିତ୍ର ଆଦ୍ୟପ୍ରାନ୍ତ ଏକକ ଗୁଣାଦର୍ଶ ବିଶିଷ୍ଟ ରହେ ତାକୁ ସ୍ଥାଣୁ ବା Static ଚରିତ୍ର କୁହାଯାଏ । କିନ୍ତୁ ଚରିତ୍ର ସ୍ଥାଣୁ ହେଉ ବା ଗତିଶୀଳ ହେଉ ତା'ର ପ୍ରଧାନ ପରିଚୟ ‘ଚରିତ୍ର’ । ଅନ୍ୟ କଥାରେ କହିଲେ ସାହିତ୍ୟ ଜଗତର ମଣିଷ In truth character is what a person is (୨)-

 

ଏଇ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ - ନିର୍ଦ୍ଦଷ୍ଟ ପ୍ରସଙ୍ଗରେ ଆବିର୍ଭୂତ ଓ ବ୍ୟବହୃତ ହେଲାବେଳକୁ ଚରିତ୍ରଟିଏ ସାହିତ୍ୟିକଠାରୁ କିଛି ଆଶାକରେ କି ? କିଛି ଦାବି ଥାଏ କି ତା’ର ସାହିତ୍ୟିକଠାରେ ? ଅନ୍ୟ କଥାରେ କହିଲେ - ଚରିତ୍ର ଚିତ୍ରଣ କଲାବେଳେ ଔପନ୍ୟାସିକ ସତର୍କ କିମ୍ବା ଯତ୍ନଶୀଳ ହେବା ଲୋଡ଼ା ପଡ଼େକି ? କିମ୍ବା ଚରିତ୍ର କେବଳ ଉପନ୍ୟାସର ପରିସ୍ଥିତି ବା ଅବସ୍ଥାନୁଯାୟୀ ରୂପଗ୍ରହଣ କରେ ? ଏହାର ଉତ୍ତର ସ୍ଵରୂପ ନିମ୍ନ ପ୍ରସଙ୍ଗଟି ବିଚାର୍ଯ୍ୟ ।

 

ଓଡ଼ିଆ ସାହିତ୍ୟରେ କେତେକ ଲଳିତ ନିବନ୍ଧ ଦୃଷ୍ଟିଗୋଚର ହୁଏ, ଯହିଁରେ ପୂର୍ବତନ ପ୍ରସିଦ୍ଧ ସାହିତ୍ୟ - କୃତିର ଚରିତ୍ରମାନଙ୍କର ବକ୍ତବ୍ୟ ଅଙ୍ଗୀଭୂତ । ଏହି ଦୃଷ୍ଟିରୁ ଡକ୍ଟର ନଟବର ସାମନ୍ତରାୟ, ଡକ୍ଟର ଲାବଣ୍ୟ ନାୟକ, ଡକ୍ଟର ଅସିତ କବି, ଡକ୍ଟର କାହ୍ନୁ ଚରଣ ମିଶ୍ର ପ୍ରମୁଖ ଗଦ୍ୟାକାରଙ୍କ ଲଳିତ ନିବନ୍ଧଗୁଡ଼ିକ ବିଚାର୍ଯ୍ୟ । ଏଗୁଡ଼ିକ ମଧ୍ୟରେ ‘ନେତ୍ରମଣିର ଡାଏରୀ’, ‘ଚଂପାର ଜମାନବନ୍ଦୀ’, ‘ଚିନ୍ତେଇସୋଇଁଙ୍କ ସ୍ଵୀକାରୋକ୍ତି’ ପ୍ରଭୃତି ଉଲ୍ଲେଖଯୋଗ୍ୟ । ଏହି ରଚନାଗୁଡ଼ିକରେ ସଂପୃକ୍ତ ଚରିତ୍ରଗୁଡ଼ିକର ବିକାଶ ପ୍ରଦର୍ଶିତ ହେବା ସହ, ଚରିତ୍ରମାନଙ୍କ ନିଜ ତୁଣ୍ଡରେ ସେମାନଙ୍କ ପ୍ରକୃତି, ଆଦର୍ଶ, ଚିନ୍ତା - ଚେତନା ଓ ଅବସ୍ଥା ବର୍ଣ୍ଣିତ ହୋଇଛି । ଅନେକତ୍ର ନିଜର ସ୍ରଷ୍ଟାପୁରୁଷଙ୍କ ପ୍ରତି ଦୋଷାରୋପ ତହିଁରେ ମୁଖ୍ୟସ୍ଥାନ ଲାଭ କରିଛି । ପାଠକଙ୍କ ଦୃଷ୍ଟିରେ ସେମାନେ କିଭଳି ସ୍ରଷ୍ଟାଙ୍କ ବିଚାର ଓ ତର୍କଣାର ପକ୍ଷପାତିତ୍ୱରୁ ହିଁ ନିନ୍ଦିତ ହେବାକୁ ବାଧ୍ୟ ହୋଇଛନ୍ତି- ତାହା ସୂଚିତ କରାଯାଇଛି ।

 

ଚରିତ୍ରଗୁଡ଼ିକୁ ଭିତ୍ତି କରି ପ୍ରଦତ୍ତ ଏଭଳି ବକ୍ତବ୍ୟ ସାର ହେଉ ବା ଅସାର ହେଉ-ସେମାନଙ୍କ ବିକାଶର ଓ ପ୍ରକାଶରେ କିଛି ତ୍ରୁଟି ବିଚ୍ୟୁତି ଥିବାର ହୃଦୟଙ୍ଗମ କରି ସେମାନଙ୍କ ସମ୍ଭାବିତ, ଅନ୍ୟରୂପ ପ୍ରଦର୍ଶନ କରିବାକୁ ହିଁ ପରବର୍ତ୍ତୀକାଳର ବିଶିଷ୍ଟ ଆଲୋଚକବର୍ଗ ଅନୁପ୍ରେରିତ ହୋଇଛନ୍ତି; ଏଥିରେ ଦ୍ୱିରୁକ୍ତି ନାହିଁ ।

 

ଯଦି ଏ ସମସ୍ତ ପରବର୍ତ୍ତୀ କାଳରେ ରଚିତ ପୂର୍ବତନ ଚରିତ୍ର ଭିତ୍ତିକ ସୃଷ୍ଟିଗୁଡ଼ିକର ସାମାନ୍ୟତମ ସାହିତ୍ୟିକ ମୂଲ୍ୟ ଥାଏ, ଏପରିକି ଯାଥାର୍ଥ୍ୟ ମଧ୍ୟ ଥାଏ ତେବେ ଏକଥା ନିଃସଂଶୟରେ କୁହାଯାଇପାରେ ଯେ, ଚରିତ୍ରଟିଏ ତା’ର ସ୍ରଷ୍ଟାଠାରୁ ନିଜର ନିରପେକ୍ଷ ନିର୍ଭୁଲ ଓ ଉପଯୁକ୍ତ ଚିତ୍ରଣ ଆଶାକରେ । ସହାନୁଭୂତି ନୁହେଁ କି ଦ୍ଵେଷ ନୁହେଁ; ଅବହେଳା ନୁହେଁ କି ଅନୁକମ୍ପା ନୁହେଁ । ମଣିଷର ଦାବି, ମଣିଷପଣିଆର ଦାବି- ଗୋଟିଏ ଚରିତ୍ରର ନ୍ୟୂନତମ ଦାବି । “ବ୍ୟକ୍ତି ସାଧାରଣ ହୁଅନ୍ତୁ ବା ଅସାଧାରଣ ହୁଅନ୍ତୁ ତାଙ୍କ ମଧ୍ୟରେ ମଣିଷ ପଣିଆର ସଂଧାନ, ଏହି ଆଶା ଔପନ୍ୟାସିକଙ୍କଠାରୁ କରାଯାଇଥାଏ” ।

 

(୩) କାରଣ ଚରିତ୍ର ହେଉଛି ସାହିତ୍ୟ ଜଗତର ବାସ୍ତବ ମଣିଷ । ପୁନଶ୍ଚ ‘କଳାକାରର ଧର୍ମ ସବୁ ଘଟଣା ସବୁ ଚରିତ୍ରକୁ ବ୍ୟକ୍ତି ନିରପେକ୍ଷ ଭାବେ ଚିତ୍ର କରିଯିବା ପକ୍ଷ ନେଲେ କଳାର କଳାତ୍ମକ ମାନ କମିଯାଏ ।’ (୪)

 

୨. ନିମ୍ନବର୍ଗ ଚରିତ୍ର

ସାହିତ୍ୟଜଗତର ସମାଜ ଭଳି ମଣିଷର ଏତେ ସ୍ତର ଭେଦ ନଥାଏ । ସମାଜରେ ଧର୍ମ, ଜାତି, ଆର୍ଥିକ ସ୍ଥିତି, ବୃତ୍ତି, ସଂପତ୍ତି, ପଦ-ପଦବୀ ତଥା ପ୍ରଭାବ ଓ ପ୍ରତିଷ୍ଠା ଦୃଷ୍ଟିରୁ ମଣିଷର ବହୁସ୍ତର ପରିଲକ୍ଷିତ ହୁଏ । ସାହିତ୍ୟର ଚରିତ୍ରଗୁଡ଼ିକୁ କିନ୍ତୁ ମୋଟ ଉପରେ ଦୁଇଟି ବର୍ଗରେ ବିଭକ୍ତ କରାଯାଇପାରେ । ଗୋଟିଏ ଉଚ୍ଚବର୍ଗ ଓ ଅନ୍ୟଟି ନିମ୍ନବର୍ଗ । ଏହି ବର୍ଗୀକରଣରେ ସମାଜ-ବ୍ୟବସ୍ଥାର ପ୍ରଚ୍ଛନ୍ନ ପ୍ରଭାବ ଅବଶ୍ୟ ରହିଥାଏ ।

 

ତେବେ ଜାତି-ଧର୍ମ-ବର୍ଣ୍ଣର ବିଭିନ୍ନତା-ସମୃଦ୍ଧ ଅଥବା ଅନଗ୍ରସର ଅଞ୍ଚଳରେ ବସବାସ-ଜୀବିକାର୍ଜନ ପାଇଁ ଗୃହୀତ ପନ୍ଥା-ଆର୍ଥିକସ୍ଥିତି ଓ ପେଷା/ବୃତ୍ତିର ମହତ୍ତ୍ଵ ଇତ୍ୟାଦି ଭିତ୍ତିରେ ସାହିତ୍ୟରେ ଚରିତ୍ରର ଯେଉଁ ବର୍ଗୀକରଣ କରାଯାଏ ତା ଫଳରେ ହରିଜନ, ଗିରିଜନ, ନୋଳିଆ, ସାପୁଆ, କୃଷି ଶ୍ରମିକ, ଶିଳ୍ପ ଶ୍ରମିକ, କ୍ଷୁଦ୍ରଚାଷୀ, ଶରଣାର୍ଥୀ, ଫୁଟ୍‌ପାଥ୍‌ ଓ ଝୁପୁଡ଼ି ବାସିନ୍ଦା ଓ ତଳିଆ କର୍ମଚାରୀ ପ୍ରମୁଖ ନିମ୍ନବର୍ଗ ଅନ୍ତର୍ଗତ ହୋଇଥାନ୍ତି । ଅବଶ୍ୟ କ୍ଷେତ୍ରବିଶେଷରେ ଆର୍ଥିକ ସ୍ଥିତିର ଉଚ୍ଚତା ଯୋଗୁଁ ଏହି ବର୍ଗୀକରଣ ଅସ୍ଵୀକୃତ ହୋଇଥାଏ; ତେବେ ସେଭଳି ଉଦାହରଣ ପର୍ଯ୍ୟାପ୍ତ ନୁହେଁ । ଓଡ଼ିଆ ଉପନ୍ୟାସ-ସାହିତ୍ୟରେ ଏହି ବ୍ୟତିକ୍ରମକୁ ବାଦ୍‌ଦେଇ, ସାହିତ୍ୟର ଚରିତ୍ର ପଦବାଚ୍ୟ ହୋଇ ଆତଯାତ ହେଉଥିବା ନିମ୍ନବର୍ଗ ମଣିଷ ତା’ର ଉପଯୁକ୍ତ ମୂଲ୍ୟ ପାଇଛି କି ନାହିଁ, ତାହାର ବିଚାର ଏହି ଆଲୋଚନାର ଲକ୍ଷ୍ୟ ।

 

୩. ନିମ୍ନବର୍ଗ-ଚରିତ୍ର ଭିତ୍ତିକ କେତୋଟି ଉପନ୍ୟାସ

ନିମ୍ନବର୍ଗ ଆଦିବାସୀ, ନୋଳିଆ, ସାପୁଆ କେଳା ଓ ହରିଜନ ଜୀବନ ତଥା ଚଳଣିକୁ ଭିତ୍ତିକରି ଯେଉଁ କେତୋଟି ଉପନ୍ୟାସ ଆମ ସାହିତ୍ୟରେ ସୁଲଭ, ସେଗୁଡ଼ିକ ହେଲା - ଗୋପାଳ ବଲ୍ଲଭ ଦାସଙ୍କ ‘ଭୀମା ଭୂୟାଁ’ ଯମେଶ୍ୱର ମିଶ୍ରଙ୍କ ‘ଖମାରୀ’ ଓ ‘ଗଡ଼ତିଆ’, ଗୋପୀନାଥ ମହାନ୍ତିଙ୍କ ‘ଦାଦିବୁଢ଼ା’, ‘ପରଜା’, ‘ଅମୃତର ସନ୍ତାନ’, ‘ଶିବଭାଇ’ ଓ ‘ଅପହଞ୍ଚ’ କାହ୍ନୁ ଚରଣ ମହାନ୍ତିଙ୍କ ‘କାଡ୍ରାକା ଲେଲି’ ଓ ‘ବନଗହନର ତଳେ’ ଜ୍ଞାନୀନ୍ଦ୍ର ବର୍ମାଙ୍କ ‘ଅରଣ୍ୟର କୁଜ୍ଝଟିକା’ - ଗଣେଶ୍ୱର ମିଶ୍ରଙ୍କ ‘ସାମୁଦ୍ରିକ’ ହରିହର ମିଶ୍ରଙ୍କ ‘ସମୁଦ୍ରର ମନ’- ବ୍ରଜମୋହନ ମହାନ୍ତିଙ୍କ ‘ସାପୁଆ’, ଦେବ୍ରାଜ ଲେଙ୍କାଙ୍କ ‘ପୁନଶ୍ଚ କର୍ଣ୍ଣାର୍ଜ୍ଜୁନ’ ଓ ‘ଧୂର ପୃଥିବୀର ତରା’- ଗୋପୀନାଥ ମହାନ୍ତିଙ୍କ ‘ହରିଜନ’, ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଦକ୍ଷିଣାବର୍ତ୍ତ’ ଇତ୍ୟାଦି ପ୍ରଧାନ ।

 

ଗ୍ରାମୀଣ ଭୂମିହୀନ ଓ ଯତ୍‌ସାମାନ୍ୟ ଭୂସଂପତ୍ତି ବିଶିଷ୍ଟ ଅବହେଳିତ ନିମ୍ନବର୍ଗ ଭିତ୍ତିରେ ଫକୀର ମୋହନ ସେନାପତିଙ୍କ ‘ଛ’ମାଣ ଆଠଗୁଣ୍ଠ’, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’, କାହ୍ନୁ ଚରଣଙ୍କ ‘ଶାସ୍ତି’, ‘ଝଞ୍ଜା’, ବ୍ରଜବାହୁ’, ନିତ୍ୟାନନ୍ଦ ମହାପାତ୍ରଙ୍କ ‘ହିଡ଼ମାଟି, ‘ଭଂଗାହାଡ଼’, ‘ଘରଡିହ’ ଓ ଗୋପୀନାଥ ମହାନ୍ତିଙ୍କ ‘ମାଟିମଟ୍ଟାଳ’, ଦିଗ ଦିହୁଡ଼ି’ ଏବଂ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଶକୁନ୍ତଳା’ ପ୍ରଭୃତି ଉପନ୍ୟାସ ବିଚାର୍ଯ୍ୟ ।

 

ନିମ୍ନବର୍ଗ ଶ୍ରମିକ ଭିତ୍ତିକ ଉପନ୍ୟାସଗୁଡ଼ିକ ମଧ୍ୟରେ ଅନନ୍ତ ପ୍ରସାଦ ପଣ୍ଡାଙ୍କ ‘କୁଲି’, ଲକ୍ଷ୍ମୀଧର ନାୟକଙ୍କ ‘ହାରେ ଦୁର୍ଭାଗା ଦେଶ’, ମୋ ସ୍ୱପ୍ନର ସହର’ ଓ ‘ସର୍ବହରା’, ବ୍ରଜମୋହନ ମହାନ୍ତିଙ୍କ ‘ଅରକ୍ଷିତ ଉପନିଷଦ’ ଇତ୍ୟାଦି ଉଲ୍ଲେଖନୀୟ ।

 

ସହରର ଝୁମ୍ପୁଡ଼ି ବାସିନ୍ଦା-ପିତୃମାତୃ ପରିଚୟହୀନ ଫୁଟ୍‌ପାଥ୍‌ର ମଣିଷଭାବେ ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ନରକିନ୍ନର’ ଏକ ଚମତ୍କାର କୃତି । ଏତଦ୍ଭିନ୍ନ ସାମାନ୍ୟ ଭାବରେ ନିମ୍ନବର୍ଗ ମଣିଷକୁ ଅଙ୍ଗୀଭୂତ କରିଥିବା ବହୁ ଉପନ୍ୟାସ ଓଡ଼ିଆସାହିତ୍ୟରେ ସୁଲଭ । ମାତ୍ର ସେଗୁଡ଼ିକରେ ସେହି ଚରିତ୍ରଗୁଡ଼ିକ ଉପନ୍ୟାସ ପରିସର ମଧ୍ୟକୁ ବିଜୁଳି ଭଳି ଚମକି ଆସି ଅନ୍ତର୍ହିତ ହୋଇଯାଇଥିବା ଦୃଷ୍ଟିରୁ ଆଲୋଚନାରେ ସ୍ଥାନିତ ହୋଇନାହିଁ ।

 

୪. ଓଡ଼ିଆ ଉପନ୍ୟାସର ବଳୟରେ ନିମ୍ନବର୍ଗ ଚରିତ୍ରର ସ୍ଥିତି

(କ) (ପାହାଡ଼-ଝୋଲା-ସମୁଦ୍ର ଓ ବସ୍ତିର ମଣିଷ)

ଭୌଗୋଳିକ ଦୃଷ୍ଟିରୁ ଓଡ଼ିଶାର ବହୁ ଅଞ୍ଚଳ ପାହାଡ଼-ପର୍ବତ ଓ ଜଂଗଲ ପରିପୂର୍ଣ୍ଣ । ପୁଣି ଏହାର ରହିଛି ବିସ୍ତୀର୍ଣ୍ଣ ଉପକୂଳବର୍ତ୍ତୀ ସୀମା । ସଭ୍ୟ ମଣିଷର ଏହି ଅଗମ୍ୟ ସ୍ଥାନରେ ଅନାଦିକାଳରୁ ରହି ଆସିଥିବା ପର୍ବତ ଓ ସାମୁଦ୍ରିକ ମାନରୁ ଓଡ଼ିଆ ସାହିତ୍ୟ (ଉପନ୍ୟାସ) ରେ ବିଶେଷ ସ୍ଥାନ ଦିଆଯାଇନାହିଁ । ସଭ୍ୟ ସମାଜରୁ ବିଚ୍ଛିନ୍ନ ହୋଇ ସେମାନେ ତଥାପି ଏକଘରିକିଆ ହୋଇ ରହିଛନ୍ତି । ତାହା ସତ୍ତ୍ୱେ ସାହିତ୍ୟ ତାର ହସ୍ତ ପ୍ରସାରଣ କରିଛି ଏମାନଙ୍କ ଉଦ୍ଦେଶ୍ୟରେ ଓ ବର୍ଣ୍ଣନା କରିଛି ସେମାନଙ୍କ ଜୀବନଧାରା ଓ ଚଳଣି । ସେହି ରୂପାୟନ କେତେ ନିରପେକ୍ଷ ଅବା ପକ୍ଷପାତିତାଗ୍ରସ୍ତ ହୋଇଛି ତାହାହିଁ ଅନୁଧ୍ୟାନର ବିଷୟ ।

 

(କ-୧) ଓଡ଼ିଆ ଉପନ୍ୟାସର ଏକ ଅସାଧାରଣ ବୈଶିଷ୍ଟ୍ୟ ସ୍ୱରୂପ ଏହାର ଶୈଶବରେ ସୁଦ୍ଧା ଅନାଲୋକିତ, ଅନାଲୋଚିତ ଆଦିବାସୀ ସଂପ୍ରଦାୟ ସାହିତ୍ୟ ସରହଦକୁ ମହାଗୌରବରେ ଆନୀତ । ଅସମ୍ଭ୍ରାନ୍ତ ଏ ଅନଭିଜାତ ହେଲେହେଁ ମଣିଷସମାଜର ଏକ ଅଂଶ ବିଶେଷ ଭାବେ ଏବେ ଆଦିବାସୀ ଓ ହରିଜନ ପ୍ରଭୃତି ନିମ୍ନବର୍ଗର ମଣିଷ ସାହିତ୍ୟରେ ଗୁରୁତ୍ୱ ପାଉଛନ୍ତି । ତେବେ ୧୯୦୮ ମସିହାରେ ରଚିତ ଗୋପାଳ ବଲ୍ଲଭ ଦାସଙ୍କ ‘ଭୀମାଭୂୟାଁ’ ଉପନ୍ୟାସଟି ଏ ଦିଗରେ ଏକ ପଥିକୃତ ଉଦ୍ୟମ ।

 

‘ଭୀମାଭୂୟାଁ’ ଉପନ୍ୟାସର ନାୟକ ନିମ୍ନବର୍ଗ ଉଦ୍ଭୂତ ହେଲେ ହେଁ ତା’ଠାରେ ମଣିଷର ଉଚ୍ଚାକାଂକ୍ଷା ପ୍ରତିଫଳିତ । ସେହି ଉଚ୍ଚାକାଂକ୍ଷା ପୂରଣ ଦିଗରେ ସହାୟକ ହେଲାଭଳି ତା’ର ରହିଛି ବୀରତ୍ୱ, ସାହସିକତା ଓ ବୁଦ୍ଧିମତ୍ତା । ମାତ୍ର ଉପନ୍ୟାସର ପରିଣତିରେ ଭୀମାକୁ ଗୋଟିଏ ନିର୍ବିକାର- ନିର୍ମମ-ପ୍ରେମମୟ ପୁରୁଷରୂପେ ସବୁ ଅର୍ଜନ ତ୍ୟାଗ କରି ଚାଲିଯାଇଥିବାର ଦେଖାଯାଏ । ଏହା ଭୀମା ଚରିତ୍ର ପ୍ରତି ପାଠକମନରେ ଏକ ସଂଶୟଭାବ ସୃଷ୍ଟି କରାଏ । ପାଠକର ଆଶା ଧ୍ୱସ୍ତ ହୁଏ । ଆଦର୍ଶ ଔଚିତ୍ୟକୁ ପରାସ୍ତ କରେ ।

 

ଏହି ଉପନ୍ୟାସ ସୃଷ୍ଟି ହେବାର ଶତାବ୍ଦୀ ପରେ ଏହି ବର୍ଗଟି ପ୍ରତି ଓଡ଼ିଆ ଔପନ୍ୟାସିକର ଦୃଷ୍ଟି ଆକର୍ଷିତ ହୁଏ । ଔପନ୍ୟାସିକ ଗୋପୀନାଥ ମହାନ୍ତି ଏ ଦିଗରେ ଯଥେଷ୍ଟ ପଦକ୍ଷେପ ନିଅନ୍ତି । ଫଳ ସ୍ଵରୂପ ପାଞ୍ଚଗୋଟି ଉପନ୍ୟାସ ଏଇ ପାର୍ବତମାନଙ୍କ ଜୀବନର ନୃତାତ୍ତ୍ୱିକ ଅଭିଲେଖ ଓଡ଼ିଆ ସାହିତ୍ୟକୁ ପ୍ରାପ୍ତ ହୁଏ । ଏଗୁଡ଼ିକରେ ଆଦିବାସୀ ସମାଜର ସାଂସ୍କୃତିକ ଓ ସାମାଜିକ ଚିତ୍ର ସଫଳତାର ସହ ବିନ୍ୟସ୍ତ । ମାତ୍ର ଚରିତ୍ର ?

 

‘ପରଜା’ ଉପନ୍ୟାସ ଆଦିବାସୀ ଜୀବନ ଚିତ୍ର ଆଧାରିତ ଏକ ବଳିଷ୍ଠ ଉପନ୍ୟାସ ଭାବେ ବହୁ ଚର୍ଚ୍ଚିତ ଓ ପ୍ରଶଂସିତ । ମାତ୍ର ତହିଁରେ ଏଇ ନିମ୍ନବର୍ଗ ମଣିଷ ମଣିଷତ୍ୱର ମୂଲ୍ୟ ଲାଭରୁ ବଂଚିତ ହୋଇଛି । ‘ପରଜା’ କନ୍ଧ ଜୀବନବୋଧର ସ୍ଵାଭାବିକ ରୂପାୟନ ହୋଇପାରେ-କନ୍ଧ ମଣିଷର ଅପରାଧବୋଧ ଭୀରୁତା, ପ୍ରତିଶୋଧର ରୀତି ଏସବୁ ନିତାନ୍ତ ସ୍ୱାଭାବିକ ହୋଇପାରେ; ମାତ୍ର ମଣିଷ ପଣିଆରେ ଦୀପ୍ତି ସେଠାରେ ଅନୁଜ୍ଜ୍ୱଳ । ଚରିତ୍ରଗୁଡ଼ିକ ସଭ୍ୟ ଓ ଶୋଷକବର୍ଗର କ୍ରୂରତା ଓ ପୈଶାଚିକାତାକୁ ପ୍ରକଟ କରିବା ଦିଗରେ ମେଣ୍ଢାଭଳି ନିରୀହ, ଭୀରୁ ଓ ଅସହାୟ ହୋଇ ବ୍ୟବହୃତ ହୋଇଥିବା ଭଳି ମନେହୁଏ । ସାହୁକାର ନିକଟରେ ଜିଲି ଓ ବିଲିର ଦେହମନ ସମର୍ପଣ ଓ ଏକ ଉତ୍ତେଜିତ ମୁହୂର୍ତ୍ତରେ ସାହୁକାରକୁ ହତ୍ୟା କରି ସୁକ୍ରୁ ଓ ମାଣ୍ତିଆର ଥାନାରେ ଆତ୍ମସମର୍ପଣ ଚରିତ୍ରଗୁଡ଼ିକର ଭୀରୁତା ଓ ଅସହାୟତାର ବ୍ୟଞ୍ଜନା । ଏଠି ହତ୍ୟା, ଶୋଷିତର ଶୋଷଣଜନିତ ଅନ୍ତର୍ଜ୍ଜ୍ୱଳନର ପ୍ରକାଶ କିମ୍ବା ଶୋଷକଠାରେ ପ୍ରତିହିଂସା ସାଧନର ମାଧ୍ୟମଭାବେ ଯେତେ ସଂଘଟିତ ନୁହେଁ; ସେତେ ଚରିତ୍ରହୀନ ଇତର ସାହୁକାରର ଆକ୍ଷେପୋକ୍ତିର ଆକସ୍ମିକ ପ୍ରତିକ୍ରିୟାରେ ଘଟିତ ।

 

‘ଅମୃତର ସନ୍ତାନ’ ଉପନ୍ୟାସରେ ସମସ୍ତ ପ୍ରତିକୂଳତା ସତ୍ତ୍ଵେ ମଣିଷଠାରେ ଉତ୍‌ଗମନରେ ଅଭୀପ୍ସା ହିଁ ସତ୍ୟ- ଏଇ ଦର୍ଶନର ପ୍ରୟୋଗ ଘଟିଛି । ‘ଜୀବନରେ ସୁଆଦ ଅଛି ମରଣ ନାହିଁ, ଦୁଃଖ ନାହିଁ-‘ପୁୟୁ’ର ଏହି ଘୋଷଣା ମଣିଷଠାରେ ଜୀବନ ସହ ସଂଗ୍ରାମ କରି ଯାବତ ଅନିଭୋଗ ସତ୍ତ୍ୱେ‌ ଜୀଇଁ ରହିବାର ପ୍ରବଣତା ଉପରେ ଗୁରୁତ୍ୱଦିଏ । ମାତ୍ର ପରିଣତିରେ ପୁୟୁର ଗୃହତ୍ୟାଗ ଏହି ସ୍ଥିତିବାଦୀ ଘୋଷଣା ତଥା ନିଜର ବିଫଳତା ହିଁ ପ୍ରମାଣିତ କରେ । ସ୍ଵାମୀର ଦ୍ୱିତୀୟା ଗ୍ରହଣର ମୌନ ପ୍ରତିବାଦରେ ପୁୟୁର ଗୃହତ୍ୟାଗ ଉପନ୍ୟାସର ପାଠକମାନଙ୍କଠାରୁ ଚରିତ୍ରଟି ପାଇଁ ଗଭୀର ସମବେଦନା ସୃଷ୍ଟି କରାଏ ସତ; ମାତ୍ର ଏହାଫଳରେ ଚରିତ୍ରଟି ପ୍ରତି ଅବହେଳା ଓ ଅବିଚାର କରାଯାଇନାହିଁକି ? ଉପେକ୍ଷିତାର ସମସ୍ତ ଜ୍ଜ୍ୱଳନ ସତ୍ତ୍ଵେ ସମସ୍ୟାକୁ ସମ୍ମୁଖୀନ ହେବାକୁ ଚରିତ୍ରକୁ ଅବକାଶ ଦିଆଯାଇ ପାରିଥା’ନ୍ତା ।

 

‘ଅପହଞ୍ଚ’ ଉପନ୍ୟାସରେ ଆଦିବାସୀ ଯୁବକ ଶିକ୍ଷିତ ହୋଇ ଉଚ୍ଚ ବର୍ଗରେ ବିବାହ କରି ଓ ନିଜର ନାମ ପରିବର୍ତ୍ତନ କରି ନୂତନ କୌଳୀନ୍ୟ ଲାଭ କରିଛି । ଅଭିଜାତ ମଣିଷ ଭାବେ ନିଜକୁ ବିଚାର କରିଛି ବସ୍ତୁବାଦୀ ସହରୀ ଜୀବନ ଚର୍ଯ୍ୟାରୁ ଆପଣାର ଆଦିବାସୀ ସମାଜକୁ ଘୃଣ୍ୟ ଓ ହେୟ ଦୃଷ୍ଟିରେ ଦେଖିଛି । ପୁଞ୍ଜି ବଢ଼ିବାରୁ ତା’ର ବାପା ହୋଇଛି ସାହୁକାର- ଶୋଷକ । ରାଜନୀତିରେ ସେ ପରାସ୍ତ ହୋଇଛି ଓ ସଭ୍ୟ ସମାଜର ପ୍ରତାରଣା ତା’ର ଆଖି ଖୋଲିଦେଇଛି । ସେ ଫେରି ଆସିଛି ସେହି ଆଦିବାସୀ ସମାଜ ନିକଟକୁ ଏବଂ କହିଛି - (ଆସ ସମସ୍ତଙ୍କର ସବୁ ଜମି ଏକାଠି ମିଶେଇଦବା । ଆହୁରି ଜମି କାଢ଼ିବା, ସମସ୍ତେ କାମ କରିବା, ସମସ୍ତେ ବାଣ୍ଟିବା ଆଉ ଖାଇବା ।’ ଔପନ୍ୟାସିକ ଆଦର୍ଶ ଦୃଷ୍ଟିରୁ ନାୟକ ଟିମାୟା ବୋରାଠାରେ ଏଭଳି ପରିବର୍ତ୍ତନ ସାର୍ଥକ ହୋଇପାରେ; ମାତ୍ର ଚରିତ୍ରର ଚରିତ୍ରବତ୍ତା ଏଠାରେ ହାସ ପାଇଛି । ଟିମାୟାର ପରିବର୍ତ୍ତନ ତା’ ହୃଦୟର ସଂଶୋଧନାତ୍ମକ ପରିଣତି ନୁହେଁ କିମ୍ବା ଚରିତ୍ରବତ୍ତାର ପ୍ରତିଫଳନ ନୁହେଁ; ପରନ୍ତୁ ପରାସ୍ତ ହେବା ଜନିତ ବିଫଳତା ଓ ସ୍ଵପ୍ନଭଂଗରୁ ସଞ୍ଜାତ ।

 

(କ-୨) ଗଣେଶ୍ୱର ମିଶ୍ରଙ୍କ ‘ସାମୁଦ୍ରିକ’ ଓ ହରିହର ମିଶ୍ରଙ୍କ ‘ସମୁଦ୍ରର ମନ’ ନୋଳିଆ ଜୀବନ ଆଧାରିତ ଦୁଇଟି ପୂର୍ଣ୍ଣାଙ୍ଗ ଉପନ୍ୟାସ । ଏଥିରେ ଗୋଟିଏ ଗୋଷ୍ଠୀଜୀବନର ବିଶେଷତ୍ୱ ଅପେକ୍ଷା ସାର୍ବଜନୀନ ପ୍ରେମ ଓ ପ୍ରତାରଣାର ଚିରାଚରିତ କଥା ବେଶୀ ପରିସ୍ଫୁଟିତ । ଝୋଲା ଟଙ୍କାର ପରିମାଣ ହିଁ ନିର୍ଦ୍ଧାରଣ କରିଛି ପୁରୁଷ (ସ୍ଵାମୀ) ହେବାର ଯୋଗ୍ୟତା - ପ୍ରେମ ନୁହେଁ କି ପ୍ରତୀକ୍ଷା ନୁହେଁ ।

 

(କ-୩) ବ୍ରଜମୋହନ ମହାନ୍ତିଙ୍କ ‘ସାପୁଆ’ ଉପନ୍ୟାସରେ ଯାଯାବର ସାପୁଆ କେଳାଙ୍କ ଜୀବନ ଚିତ୍ର ପ୍ରକାଶିତ । ଏମାନେ ସ୍ଵଭାବତଃ ଯାଯାବର, ଶିକ୍ଷାପ୍ରତି ନିରୂତ୍ସାହିତ ଓ କୌଳିକ ପେଷାନୁରକ୍ତ । ଏଇ ପାରଂପରିକ ଧାରାରୁ ବିଚ୍ୟୁତ ହୋଇ ନବଯୁବକମାନେ ଶିକ୍ଷିତ ଓ ସ୍ଥାୟୀ ବସବାସ ସ୍ଥାପନ କରିବାର ପକ୍ଷପାତୀ । ଉପୋଦ୍‌ଘାତରେ ଲେଖକଙ୍କ ବକ୍ତବ୍ୟ ମତେ -‘‘ପଟିଆ ପଦ୍ମକେଶରୀ ପୁରର ଗଉଡ଼ିଆ ସାପୁଆକେଳା ସମାଜର ଯୁବକମାନେ ଚାହାନ୍ତି ଆମେ ଶିକ୍ଷିତ ହେବୁ, ଅନ୍ୟ ଜାତି ଓ ଅନ୍ୟସ୍ଥାନର ବ୍ୟକ୍ତିଙ୍କ ସହିତ ବୈବାହିକ ସଂପର୍କ ସ୍ଥାପନ କରିବୁ, ଆମ ପିଲାଙ୍କୁ ଶିକ୍ଷିତ କରାଇ ମଣିଷ କରିବୁ, କିନ୍ତୁ ରକ୍ଷଣଶୀଳ ବୟସ୍କ ଲୋକେ ଚାହାନ୍ତି ଆମ ସମାଜ ସ୍ଵତନ୍ତ୍ର ହୋଇ ରହୁ, ଆମେ କୌଳିକ ଜୀବିକା ଛାଡ଼ିବୁ ନାହିଁ, ସ୍ଥାୟୀ ବାସିନ୍ଦା ହେଇ ରହିବୁ ନାହିଁ” ।

 

ଏହି ସାମାଜିକ ଦ୍ୱନ୍ଦ୍ୱ ଏବଂ ରକ୍ଷଣଶୀଳ ତଥା ପ୍ରଗତିକାମୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷର ଏକ ଚିତ୍ର ସାପୁଆ ଉପନ୍ୟାସ । ଉପନ୍ୟାସଟିରେ ଦୁଇ ପିଢ଼ିର ଏଇ ଚିତ୍ତସଂଘର୍ଷ ଭିତରେ ସଭ୍ୟ ମଣିଷର ପ୍ରତାରଣା, ମତ୍‌ଲବ୍‌ ବାଜି ଓ ଶୋଷଣର ରୂପ ପ୍ରକାଶିତ । ଭୂମିହୀନ ଥଇଥାନ ଯୋଜନାର ନୂତନ ଆବାସ ପ୍ରକଳ୍ପରେ ସେମାନଙ୍କର ଗୃହପ୍ରବେଶର ଉଦ୍‌ଘାଟନରେ ଉପନ୍ୟାସ ଶେଷ ହୋଇଛି । ମାତ୍ର ଗୋଟିଏ ଗୋଷ୍ଠୀ ଜୀବନର ଜନ୍ମଜନ୍ମର ରକ୍ତସଂସ୍କାର, ସ୍ଵାତନ୍ତ୍ର୍ୟ ଓ ଅନନ୍ୟତା ଏଥିରେ ବ୍ୟାହତ ହୋଇଛି ।

 

(କ-୪) ହରିଜନ ଜୀବନ ଭିତ୍ତିକ ଉପନ୍ୟାସ ଭାବେ ଗୋପୀନାଥ ମହାନ୍ତିଙ୍କ ‘ହରିଜନ’ ଏକ ଉଲ୍ଲେଖଯୋଗ୍ୟ ସ୍ଥାନ ଦାବି କରେ । ଶାନ୍ତନୁ ଆଚାର୍ଯ୍ୟଙ୍କ ‘ଦକ୍ଷିଣାବର୍ତ୍ତ’ ଉପନ୍ୟାସରେ ଏକ ହରିଜନ ଧୋବାସାହି କେନ୍ଦ୍ରସ୍ଥଳରୂପେ ଗୃହୀତ ।

 

‘ହରିଜନ’ ଉପନ୍ୟାସରେ ନାକଧରାପୁର ହରିଜନ ବସ୍ତିର ଚରିତ୍ରଗୁଡ଼ିକ ଧନୀକ ଅବିନାଶ ବାବୁଙ୍କର ପାଶବିକତା ଓ ସର୍ବଗ୍ରାସୀ ବୁର୍ଜୁୟା ଚେତନାର ନିରୀହ ଶିକାର ଭାବେ ବ୍ୟବହୃତ ହୋଇଛନ୍ତି । ଦୁଇଟି ପିଢ଼ି ଧରି ହରିଜନ ପରିବାରଟି ଧନୀ ଓ ଉଚ୍ଚବର୍ଗ ବିଶିଷ୍ଟ ପରିବାରଟିର ଯୌନବୁଭୁକ୍ଷାର ସାମଗ୍ରୀଭାବେ ବ୍ୟବହୃତ ହୋଇଥିଲେ ହେଁ ତଜ୍ଜନିତ ଗ୍ଲାନିବୋଧରେ ଆଦୌ ପୀଡ଼ିତ ନୁହେଁ । ପରନ୍ତୁ ଏକ ଗର୍ବବୋଧରେ ଚରିତ୍ରଗୁଡ଼ିକ ଆଚ୍ଛନ୍ନ ଥିବାର ସୂଚନା ଉପନ୍ୟାସରୁ ସୁଲଭ ହୁଏ । ସେହି ପରିବାରଦ୍ୱାରା ଘୃଣିତ, ତିରସ୍କୃତ ଏପରିକି ଭିଟାମାଟିରୁ ଉଚ୍ଛେଦ ହେବାକୁ ଗଲାବେଳେ ସୁଦ୍ଧା ତହିଁର ପ୍ରତିବାଦ ବା ପ୍ରତିରୋଧ ବଦଳରେ ଏକ ରିକ୍ତ ଅଭିମାନ ଓ ଅସହାୟବୋଧ ପ୍ରକଟିତ ହୋଇଛି । ‘ବୁକୁଭରା ଦୀର୍ଘଶ୍ୱାସ, ଆଖିଭରା ଲୁହରେ ହରିଜନ ଜୀବନର ଅନ୍ତରଙ୍ଗ ଦୋସର ଧନୀବୁଢ଼ା ସହିତ ଜେମା ଓ ପୁନୀ ଫେରି ଆସିଛନ୍ତି ପୃଥିବୀର କେଉଁ ଏକ ଅପରିଚିତ ସ୍ଥାନକୁ ମୁଣ୍ଡ ଗୁଞ୍ଜବା ପାଇଁ’ । ବସ୍ତୁତଃ ସମଗ୍ର ଉପନ୍ୟାସରେ ହରିଜନମାନେ ଶସ୍ତା ଯୌନସାମଗ୍ରୀ ଓ ଅଧିକାର ବଂଚିତ ଅକିଞ୍ଚନ ହୋଇ ଚିତ୍ରିତ ହୋଇଛନ୍ତି ।

 

ମାତ୍ର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ଦକ୍ଷିଣାବର୍ତ୍ତ’ ହରିଜନ ଜୀବନର କୌଳିକ ବୃତ୍ତିର ଏକଟଣା ଦୈନନ୍ଦିନତାରୁ ମାନବାତ୍ମାର ଉତ୍ତରଣ ଚିତ୍ର ପ୍ରସାର କରେ । ଧୋବାବୁଢ଼ା ଓ ବୁଢ଼ୀ ଚରିତ୍ର ଦୁଇଟି ବୃତ୍ତି ଦୃଷ୍ଟିରୁ ମଇଳା ବୋଝ ସଫା କରୁଥିଲେ ହେଁ ସେମାନଙ୍କ ଅନ୍ତର ନିଷ୍ପାପ ଓ ନିଷ୍କଳୁଷ । ନିର୍ଲିପ୍ତତା ଭିତରେ ଫଲ୍‌ଗୁ ଭଳି ସ୍ନେହର ଝର ପ୍ରବାହିତ ସେ ଦୁହିଁଙ୍କ ଅନ୍ତରରେ । ଏ ସ୍ନେହ ସାହିର ରକ୍ତସଂପର୍କୀୟମାନଙ୍କ ପାଇଁ ଯେମିତି, ଅପରିଚିତ ଓ ବାବାଜିଆ ‘ରୈକ୍ୱ’ଟି ପ୍ରତି ସେମିତି । ଏ ଉପନ୍ୟାସ ପ୍ରମାଣିତ କରିଛି ହରିଜନ ନିମ୍ନବର୍ଗ ମାତ୍ରକେ ଅପରିଚ୍ଛନ୍ନ, ରୁଗ୍ଣ, ଜାନ୍ତବ ଓ ପୂତିଗନ୍ଧମୟ ନୁହେଁ ।

 

(ଖ) (ମାଟି ଓ ମାଟିହୀନ ମଣିଷ)

ଗ୍ରାମ ଓ କୃଷିଭିତ୍ତିକ ସଭ୍ୟତାର ଦେଶ ଭାରତ ଗ୍ରାମ୍ୟ ଓ କୃଷିକାରୀ ମଣିଷର ଦୂରବସ୍ଥାରେ କମ୍‌ ପୀଡ଼ିତ ନୁହେଁ । ଏଣୁ ଏ ଜାତିର ସାହିତ୍ୟରେ ମାଟି ଓ ମାଟିର ମଣିଷ ବହୁକାଳ ଧରି ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରି ଆସିଛି । ଓଡ଼ିଆ ଉପନ୍ୟାସ-ସାହିତ୍ୟର ପ୍ରଥମ ସାର୍ଥକ ସୃଷ୍ଟିତ ଏଇ ମାଟିର ମଣିଷର ବିକଳ ଆର୍ତ୍ତନାଦରେ ଧ୍ଵନିତ ! ସେଇ ପ୍ରାଥମିକ କାଳରୁ ଏ ଯାବତ ନିପୀଡ଼ିତ କୃଷକର ଚିତ୍ର ବହନ କରି ବହୁ ସଂଖ୍ୟକ ଉପନ୍ୟାସ ଓଡ଼ିଆ ସାହିତ୍ୟରେ ପରିଲକ୍ଷିତ ହୁଏ । ଅଧିକାଂଶ ଉପନ୍ୟାସର ବିଷୟବସ୍ତୁ ଭୂମିହୀନ ଓ ସାମାନ୍ୟ ଭୂସଂପତ୍ତି ବିଶିଷ୍ଟ ମଣିଷ ଥିଲାବାଲାର ଶୋଷଣରେ, ତା'ର ଦାମ୍ଭିକତା ଓ ଲୁଣ୍ଠନ ନିକଟରେ, ପବନରେ ଶୁଖିଲା ପତ୍ର ପରି; ନିଜର ଅସ୍ତିତ୍ୱ ରକ୍ଷାରେ ଅସହାୟ । ଏ ଚିତ୍ର ସମକାଳୀନ ଅବସ୍ଥାର ସତ୍ୟରୂପ ହୋଇପାରେ, ମାତ୍ର ସାହିତ୍ୟ ପରିସରକୁ ଆସି ତହିଁର ସମୁଚିତ ପ୍ରତିବିଧାନ କଲାଭଳି ବ୍ୟବସ୍ଥା କୌଣସି ଉପନ୍ୟାସକାରଙ୍କ ସୃଷ୍ଟିରେ ପ୍ରତିଫଳିତ କରାଯାଇପାରିନାହିଁ । ଅବହେଳିତ, ନିଗୃହିତ ଓ ରୋରୁଦ୍ୟମାନ ହେବା ସତେ ଯେମିତି ଏଇ ବର୍ଗଟିର କପାଳଲିଖନ । ଅଧିକାର ସାବ୍ୟସ୍ତର ଦଲିଲ କୌଣସି ଔପନ୍ୟାସିକ କୌଣସି ଚରିତ୍ର ହାତରେ କେବେହେଁ ଧରାଇ ଦେଇ ନଥିବା-ଆମ ଉପନ୍ୟାସର ଏକ ଉଲ୍ଲେଖନୀୟ ବିଲକ୍ଷଣ ।

 

ମାତ୍ର ସଂପୂର୍ଣ୍ଣ ଭୂମିହୀନ ମଣିଷକୁ ନେଇ ରଚିତ କେତୋଟି ଉପନ୍ୟାସରେ ଆମେ ଏ କ୍ଳୀବତ୍ୱ ବଦଳରେ ଅସଫଳ ହେଲେହେଁ ଏକ କ୍ରାନ୍ତିର ସୂଚନା ପାଉ । ଏଇ ଗୋଷ୍ଠୀଦୟର ପ୍ରତିନିଧିତ୍ୱ କରୁଥିବା କେତୋଟି ଉପନ୍ୟାସ ଭିତ୍ତିରେ ନିମ୍ନବର୍ଗ ମଣିଷର ସ୍ଥିତି ବିଚାର୍ଯ୍ୟ ।

 

(ଖ-୧) ଫକୀର ମୋହନଙ୍କ “ଛ'ମାଣ ଆଠଗୁଣ୍ଠ’ ଉପନ୍ୟାସରେ ଚିତ୍ରିତ ଓ ପାଠକୀୟ ଚିତ୍ତବୃତ୍ତିକୁ ଆପଣାର ନିଗୃହିତ ଜୀବନର ଦୟନୀୟ କାରୁଣ୍ୟରେ ସିକ୍ତ କରି ନିଜପ୍ରତି ପ୍ରଚୁର ସମବେଦନା ସଂଗ୍ରହ କରିପାରିଥିବା ଭଗିଚନ୍ଦ, ଶାରିଆ ଓ ଶାମ ଗୋଛେଇତ ଜଣେ ଜଣେ ନିମ୍ନବର୍ଗର ପ୍ରତିନିଧି । ଉପନ୍ୟାସର ବିଷୟ ସଂସ୍ଥିତି ଦୃଷ୍ଟିରୁ ଦେଖିଲେ ମନେହୁଏ, ସତେ ଯେମିତି ନାୟକର ଖଳ ପ୍ରକୃତିକୁ ବିଶିଷ୍ଟତା ଓ ଭୟାବହତା ଦେବାରେ ଏମାନଙ୍କ ଦାରିଦ୍ର୍ୟ, ମୂର୍ଖତା, ଭୀତି ଓ ଅନ୍ଧବିଶ୍ଵାସକୁ ଉପଯୋଗ କରାଯାଇଛି ।

 

‘ମାଟିର ମଣିଷ’ ଉପନ୍ୟାସରେ ଧରମୁ ଏକ ନିମ୍ନବର୍ଗ ଚରିତ୍ର । ଏହି ଚରିତ୍ରଟି ଭିତରେ ଥିବା ଶୋଷଣ ପ୍ରତିରୋଧୀ ସ୍ଫୁଲିଙ୍ଗଟିକୁ ପ୍ରଜ୍ଜ୍ୱଳିତ ହେବାର ସୁଯୋଗ ମିଳିନାହିଁ । ହରିମିଶ୍ରଙ୍କ ପ୍ରତି ତା’ ଅନ୍ତରର ପ୍ରତିକ୍ରିୟାକୁ ନାୟକ ଚରିତ୍ରରେ ବୈଶିଷ୍ଟ୍ୟ ଆରୋପ କରିବା ଲକ୍ଷ୍ୟରେ ନାୟକଦ୍ୱାରା ଭିନ୍ନମୋଡ଼ ଦିଆଯାଇଛି । ଫଳରେ ଘଟଣାଟି ଉପନ୍ୟାସର ଆଦର୍ଶକୁ ଉଜୀବିତ କରିଛି ସତ, ମାତ୍ର ସଂପୃକ୍ତ ଚରିତ୍ରଟି ନିଜେ ଘୋର ଅବହେଳିତ ହୋଇପଡ଼ିଛି । ଚରିତ୍ରଟିଠାରେ ସମାନ୍ତରାଳ ମୁଖ୍ୟ ଚରିତ୍ର ହେବାର ସମସ୍ତ ସମ୍ଭାବନାକୁ ଲୋପ କରିଦିଆଯାଇ ତାକୁ ଗୌଣ ଚରିତ୍ରଟିରେ ପରିଣତ କରିଦିଆଯାଇଛି ।

 

‘ଶାସ୍ତି’ ଉପନ୍ୟାସରେ ଦୁର୍ଭିକ୍ଷ ତିଆରି ଭୂମିହୀନ ବର୍ଗଟି ରୂପନ୍ୟାସ ପାଇଛି । ଦୁର୍ଭିକ୍ଷର ଗ୍ରାସରୁ ବର୍ତ୍ତିଯାଇଥିବା ନାୟକ ସନିଆ ନିଜ ଗ୍ରାମରେ ଯେଉଁ ଜାତି- ଧର୍ମ -ବର୍ଣ୍ଣହୀନ ମେହେନତ ଲଭ୍ୟଫଳ ଭୋଗବିଶିଷ୍ଟ ନୂଆ ସମାଜ ପରିକଳ୍ପନା କରିଛି ତାହା ସଫଳ ହୋଇନାହିଁ । ନିଜ ଆଖି ଆଗରେ ତା’ର ପରିକଳ୍ପିତ ସମାଜର ମୂଳଦୁଆଭୁଶୁଡ଼ି ପଡ଼ିଛି । ‘ଝଞ୍ଜା’ ଓ ‘ବଜ୍ରବାହୁ’ ଉପନ୍ୟାସରେ କିନ୍ତୁ ଏଇଭଳି ସାମ୍ୟବାଦୀ ଆଦର୍ଶ ସାକାର ହୋଇଛି; ହେଉ ପଛକେ ତା’ର ଫଳଶ୍ରୁତି ଗୋଟିଏ ଗାଁ ବା ଛୋଟିଆ ଜମିଦାରୀଟିରେ ସୀମିତ ।

 

‘ହିଡ଼ମାଟି’ ଓ ‘ଭଂଗାହାଡ଼’ (ଗୋଟିଏ ଉପନ୍ୟାସର ପ୍ରତି ସ୍ଵୟଂସଂପୂର୍ଣ୍ଣ ରୂପ) ଉପନ୍ୟାସ ଦୁଇଟିରେ ଥିଲାବାଲା ଓ ନଥିଲାବାଲାଙ୍କ ଭିତରୁ ଦ୍ୱନ୍ଦ୍ୱ ରୂପାୟିତ । ମାତ୍ର ଏଥିରେ ଅଙ୍ଗୀଭୂତ ନଥିଲାବାଲା ନିମ୍ନବର୍ଗ ଚରିତ୍ରଗୁଡ଼ିକ କେବଳ ଶୋଷିତ ଓ ଅତ୍ୟାଚାରିତ ହୋଇଛନ୍ତି । ପ୍ରତିବାଦ ଯାହା ଅଛି, ତାହା କେବଳ ମାନସିକ ସ୍ତରରେ; ସ୍ଵଗତୋକ୍ତିରେ; ମାତ୍ର କାର୍ଯ୍ୟରେ ନୁହେଁ - ‘‘ତୁମେ ଆମକୁ ପେଟରେ ଛାଟରେ ସବୁଥିରେ ମାରୁଚ । ଯାହା କୁହନା ଏହି ଜମିଦାର ମହାଜନଙ୍କ କାଳ ପୂରି ଆସୁଚି ।’’ ଏହିଭଳି ଶୀତଳ ଅଭିଶାପରେ ଶୋଷିତର ପ୍ରତିକ୍ରିୟା ପ୍ରକାଶିତ । ହରିଜନ ଚକରା, କେବଳ ହରିଜନ ଓ ଭୂମିହୀନ ବୋଲି ହିଁ କହିବାଠାରୁ ସହିବାକୁ ଶ୍ରେୟସ୍କର ମଣିଛି । ସହିବା ଏକ ସଦ୍‌ଗୁଣ ହୋଇପାରେ ମାତ୍ର କହିବାର ଅଧିକାର ଛାଡ଼ିବସିବା ମଣିଷ ପଣିଆର ଲକ୍ଷଣ ନୁହେଁ ।

 

‘ଶକୁନ୍ତଳା’ ଉପନ୍ୟାସରେ ନବମାନବର ଉନ୍ମେଷ ଓ ତା'ର ପ୍ରଭାବରେ ସମଗ୍ର ଗାମ ଜନପଦ ସମାଜବାଦୀ ବ୍ୟବସ୍ଥା ପ୍ରତି ଉନ୍ମୁଖ ହେବାର ଚିତ୍ର ରହିଛି । ମାତ୍ର ସରକାରୀ କଳର ରକ୍ଷକ ପୋଲିସ ଗୁଳିରେ ସେଇ ନବମାନବବାଦର ଉଦ୍ୟୋକ୍ତାମାନେ ନିହତ (ଶହୀଦ) ହୋଇଛନ୍ତି । ତଥାପି ଉଦାତ୍ତ କଣ୍ଠରେ ସେମାନେ ଘୋଷଣା କରିଛନ୍ତି- “ଆମେ ଉତ୍ସର୍ଗୀକୃତ । ନବମାନବର ଜନ୍ମ ଅଛି, ମୃତ୍ୟୁନାହିଁ ସେ କେବଳ ଆତ୍ମବଳୀ ଦେଇପାରେ” । ଅଧିକାର ସାବ୍ୟସ୍ତ ପାଇଁ ସଂଗ୍ରାମର ଏଭଳି ଯୋଜନାବଦ୍ଧ ପଦକ୍ଷେପ ଅନ୍ୟ କୌଣସି ଉପନ୍ୟାସରେ ସୁଲଭ ହୁଏନାହିଁ ।’’

 

ଗ- (ଫୁଟ୍‌ପାଥର ମଣିଷ)

ନଗର ସଭ୍ୟତା ସହ ଅବିସମ୍ବାଦିତ ଓ ଅତ୍ୟନ୍ତ ବୈସାଦୃଶ୍ୟ ଭାବେ ଝୁମ୍ପୁଡ଼ି ବସ୍ତିଗୁଡ଼ିକର ଅବସ୍ଥାନ । ଜୀବନ ଜୀଇଁବାପାଇଁ ଯେ କୌଣସି କାର୍ଯ୍ୟକୁ ଜୀବିକାର ଅବଲମ୍ବନଭାବେ ଗ୍ରହଣ କରି ବସ୍ତିବାସିନ୍ଦାମାନେ ମରିବା ପର୍ଯ୍ୟନ୍ତ ଜୀଇଁଥାନ୍ତି । ଶ୍ରମିକ, ରିକ୍ସାଚାଳକ, ପକେଟମାର, ଜୁଆଡ଼ି, ମଦ ବିକ୍ରେତା, ଫେରିବାଲା, ଠୁଙ୍ଗାବାଲା, କବାଡ଼ି ସଂଗ୍ରହକାରୀ ଏମିତି ହରେକ ଜୀବିକାର ଲୋକ ଏକାଠି ହୋଇଥାନ୍ତି ସେଠି । ଦେହ ବି ସେଠି ପଣ୍ୟ ହୁଏ, ସଢ଼ା ପରିବା ଦରରେ । ପୁଣି ଥା’ନ୍ତି ଦଳେ ଯେଉଁମାନଙ୍କ ସମ୍ବଳ କହିଲେ ତଳେ ମାଟି ଉପରେ ଆକାଶ । ଏଇ ଧରଣର ମଣିଷମାନଙ୍କୁ ବି ଉପନ୍ୟାସ ସାହିତ୍ୟ ଆପଣା ପରିସରଭୁକ୍ତ କରିଛି । ଜଗତବଂଧୁ ମହାପାତ୍ରଙ୍କ ‘ବିସର୍ଜନ’, ଲକ୍ଷ୍ମୀଧର ନାୟକଙ୍କ ‘ଉଦ୍‌ଭ୍ରାନ୍ତ’, ‘ସର୍ବହରା’, ‘ମୋ ସ୍ୱପ୍ନର ସହର’, ଶାନ୍ତନୁ ଆଚାର୍ଯ୍ୟଙ୍କ ‘ନର କିନ୍ନର’, ସୁରେନ୍ଦ୍ର ମହାନ୍ତିଙ୍କ ‘ନେତି ନେତି’ ଆଦି କେତୋଟି ଉପନ୍ୟାସରୁ ଏଇ ନିମ୍ନବର୍ଗର ମଣିଷମାନଙ୍କ ପରିଚୟଲିପି ଉଦ୍ଧାର କରାଯାଇପାରେ ।

 

‘ଉଦ୍‌ଭ୍ରାନ୍ତ’ ଉପନ୍ୟାସରେ ତାରୁଣ୍ୟର ସ୍ଵାଭାବିକ ଈର୍ଷା ଓ ଚକ୍ରାନ୍ତ ଫଳରେ ଏକଦା ସୁନ୍ଦର ସୁପୁରୁଷ ନାୟକ ଉମାକାନ୍ତ ଜେଲ୍‌ ବରଣ କରେ । ଜେଲ୍‌ରୁ ମୁକ୍ତ ହେବା ବେଳକୁ ସେ ହେଇପଡ଼ିଥାଏ ଏକାବେଳକେ ନିଃସ୍ଵ ଓ ନିଃସହାୟ । ତେଣୁ ସେ ବାଧ୍ୟହୁଏ ଷ୍ଟେସନରେ କୁଲିଗିରି କରିବାକୁ । ଚକ୍ରାନ୍ତକାରୀ ବଂଧୁର ହତ୍ୟାରେ, (ସୁଦୂର ବର୍ମାରେ) ଉପନ୍ୟାସଟି ଶେଷ ହୁଏ । କଟକ ରେଳ ଷ୍ଟେସନରୁ ସୁଦୂର ବର୍ମା ଏଇ ଦୀର୍ଘ ସମୟ ଉମାକାନ୍ତ ଜୀବନର ଦୁଃଖଦୈନ୍ୟ ଓ ପ୍ରତିହିଂସା ସାଧନର ମନ୍ତ୍ରଜପରେ କ୍ଷୟ ହୋଇଛି ।

 

‘ସେଇ ଆଲୁଅ ପାଇଁ’ ଉପନ୍ୟାସରେ ଅନାଥାଶ୍ରମ ଲାଳିତ । ନାୟିକା ରେବତୀ ଗୋଟିଏ ଶ୍ରେଣୀହୀନ ସାମ୍ୟବାଦୀ ସମାଜର ସ୍ଵପ୍ନ ଦେଖିଛି । ସେ ସ୍ଵପ୍ନ ସାକାର ହେଇପାରିନି ସତ, ମାତ୍ର ସେଥିପାଇଁ ସାଧନାର କଠୋରତାରେ କୃତ୍ରାପି ଊଣା ହୋଇଥିବାର ମନେହୁଏ ନାହିଁ । ଏପରିକି କଏଦୀଖାନାକୁ ନିରନ୍ଧ୍ର ଅନ୍ଧକାର ଭିତରେ ବିପ୍ଳବର ରାସ୍ତା ଖୋଜିବାର ଅନୁସନ୍ଧିତ୍ସା ନେଇ ଆଗାମୀ ଦିନର ନୂତନ ସୂର୍ଯ୍ୟୋଦୟର ପ୍ରତୀକ୍ଷା ରଖିଛି ।

 

‘ନରକିନ୍ନର’ ଉପନ୍ୟାସରେ ଜର୍ଜ ପିତୃମାତୃ ପରିଚୟହୀନ ଫୁଟ୍‌ପାଥ୍‌ର ମଣିଷ । ତା’ର ଜୀବନ ଆରମ୍ଭ ହୁଏ ଗୋଟିଏ ନର୍ଦ୍ଦମା କଡ଼ରୁ । ସେ ଜୀଇଁଥିବା ଜୀବନ ବି ବହୁ ସାଧନା ଅଥଚ ପ୍ରତାରଣାର ଜୀବନ ତେଣୁ ସେ ସଂଗ୍ରାମୀ ଭୂମିକାରେ ଅବତୀର୍ଣ୍ଣ ହୁଏ । ସେ ସଂଗ୍ରାମ ପରାଜୟରେ ପରିଣତ ହେଲେ ହେଁ, ତା’ର ଚେତନା କିନ୍ତୁ ଅପରାଜେୟ । ସେ ମାନବିକ ମୂଲ୍ୟବୋଧ ପ୍ରତିଷ୍ଠା ଉଦ୍ୟମରେ ବଳି ପଡ଼ିଥିବା ଏକ ଶହୀଦ । ନିମ୍ନବର୍ଗ ମଣିଷର ସେ ଯଥାର୍ଥ ପ୍ରତିନିଧି । ବର୍ଗ ନିର୍ବିଶେଷରେ ମଣିଷ ପଣିଆର ଦାବି ଉପସ୍ଥାପିତ କରି ସେ ନିମ୍ନବର୍ଗ ଚରିତ୍ର ପ୍ରତି ଥିବା କାଳକାଳର ଘୃଣା ତଥା ଅନୁକମ୍ପା ଭାବକୁ ପରାଭୂତ କରିଛି ।

 

‘ନେତିନେତି’ ଉପନ୍ୟାସରେ ସହରର ଗଳି ଉପଗଳି ଭିତରର ଜଘନ୍ୟ ନାରକୀୟତା କାନ୍ତୁମାମୁ, ନୁଟ୍‌ନା, ସୁଟ୍‌କା ଓ ଶୋଭା ଆଦି ଚରିତ୍ରରେ ପ୍ରକାଶିତ । ଏଇ ଚରିତ୍ରଗୁଡ଼ିକ ଏମିତି ପରିସ୍ଥିତି ତାଡ଼ିତ ଓ ଶୁଭ ଆଶା ରହିତ ଯେ, ସେହି ନାରକୀୟ ସ୍ଥିତିକୁ ବି ଗୌରବୀୟ ମନେ କରି କାଳଯାପନ କରିଛନ୍ତି । ଏଣୁ ଏହି ଚରିତ୍ରଗୁଡ଼ିକର ବିକାଶ ବାଧାପ୍ରାପ୍ତ ।

 

୫- ନିମ୍ନବର୍ଗର ଅବଶୋଷ ।

ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ନିମ୍ନବର୍ଗ ଚରିତ୍ର ଓରଫ୍‌ ମଣିଷ ତା’ର ଉପଯୁକ୍ତ ମୂଲ୍ୟ ପାଇନାହିଁ । ହୁଏତ ତା’ର ଚିତ୍ରଣ ଯଥେଷ୍ଟ ବାସ୍ତବ ମନେହେଉଛି ମାତ୍ର ମଣିଷର ଦାବି-ମାନବତାବାଦର ଅଧିକାର ଅବଶ୍ୟ ବ୍ୟାହତ ହୋଇଛି । ଉପନ୍ୟାସ ରଚନାରେ ବିବିଧତା ଆଣିବା, ବାସ୍ତବବାଦୀ ଲେଖକର ମୋହର ମାରିହେବା, ଅବହେଳିତ ବର୍ଗକୁ ଚିତ୍ରିତ କରି ଆଲୋଚକମାନଙ୍କଦ୍ୱାରା ପ୍ରଶଂସିତ ହେବା ଲକ୍ଷ୍ୟରେ ଆମ ଔପନ୍ୟାସିକ ଗଣ ଏଇ ବର୍ଗଟିକୁ ସୃଷ୍ଟି ପରିସର ଭୁକ୍ତ କରିଥିବା ଧାରଣା ହୁଏ । ଫକୀରମୋହନଙ୍କଠାରୁ ଏଯାବତ୍‌ ଏଇ ବର୍ଗଟି ବହୁ ଔପନ୍ୟାସିକଙ୍କଦ୍ୱାରା ଚିତ୍ରିତ ମାତ୍ର କ୍ୱଚିତ ଏଇ ବର୍ଗ ଚରିତ୍ର ଯଥାର୍ଥ ଭାବେ ପ୍ରସ୍ଫୁଟିତ ହୋଇପାରିଛି ।

 

ଫକୀରମୋହନଙ୍କ ଉପନ୍ୟାସରେ ମଣିଷ ପ୍ରତି ସୀମାହୀନ ସହାନୁଭୂତି ପ୍ରକାଶିତ । ସେ ମାନବତାବାଦୀ । ତାଙ୍କ ଚରିତ୍ର ପରିସ୍ଥିତି ଚାପରେ ହିଁ ଭୁଲ୍‌କରେ । ଏଣୁ ଶୋଷକ ଓ ଉତ୍ପୀଡ଼କ ହେଲେ ବି ସେ କ୍ଷମଣୀୟ । ଅଥଚ ଠିକ୍‌ ସେହି ସମୟରେ ନିଷ୍ପାପ ଓ ନିରୀହ ମଣିଷ ଅହେତୁକ ଭାବେ ଅତ୍ୟାଚାରିତ ଓ ନର୍ଯ୍ୟାତିତ । ସେମାନଙ୍କ ପାଇଁ ପାଠକର ସୁତୀବ୍ର ସହାନୁଭୂତି ସଂଗ୍ରହ କରି ଔପନ୍ୟାସିକ ନୀରବ । କିନ୍ତୁ ନିମ୍ନବର୍ଗ ମଣିଷ କ’ଣ କେବଳ ବାଚନିକ ସହାନୁଭୂତିର ପାତ୍ର ମାତ୍ର ! ତହିଁରୁ ଅଧିକ ଯୋଗ୍ୟତା କ’ଣ ତା’ର ନାହିଁ ? ସେନାପତି କିନ୍ତୁ ତାଙ୍କର ଏହି ଚରିତ୍ରଗୁଡ଼ିକୁ ଏହାଠାରୁ ଅଧିକ ଯୋଗ୍ୟ କରିପାରିନାହାନ୍ତି । କେବଳ ଫକୀର ମୋହନଙ୍କ କ୍ଷେତ୍ରରେ ନୁହେଁ, ବିଶ୍ଳେଷିତ ଉପନ୍ୟାସଗୁଡ଼ିକରୁ ଗୋଟିଏ ଦୁଇଟିକୁ ବାଦଦେଲେ ଅନ୍ୟଗୁଡ଼ିକରେ ଏହି ସତ୍ୟ ଲକ୍ଷ୍ୟ କରାଯାଇପାରେ ।

 

ସହରୀ ଜୀବନ ଭିତିକ ଉପନ୍ୟାସଗୁଡ଼ିକରେ ଡଃ ଏନ୍‌.ସି.ଯୋଗଲେକରଙ୍କ କହିବା ଭଳି-“ପ୍ରାୟତଃ ଲୋକେ ଏହା ଗ୍ରହଣ କରିନିଅନ୍ତି ଯେ, ଝୁପୁଡ଼ିରେ ରହୁଥିବା ମଣିଷର ଜୀବନ କ୍ଷୋଭ ଓ ଘୃଣାରେ ପରିପୂର୍ଣ୍ଣ । ତେଣୁ ଅନ୍ୟମାନଙ୍କ ନିକଟରେ ସେମାନେ ହେୟ ଓ ନଗଣ୍ୟ । ଏଥିପାଇଁ ଉପନ୍ୟାସ ସାହିତ୍ୟରେ ଏହା କେବଳ ଅନାଚାର, ଦୁରାଚାର, ହିଂସା ଓ ଯୌନତା ମାଧ୍ୟମରେ ପ୍ରକାଶିତ ।’’ (୬) ମାତ୍ର ଏହା ସତ୍ୟନୁହେଁ । ଏହାଠାରୁ ଊର୍ଦ୍ଧ୍ୱକୁ କ’ଣ ଝୁପୁଡ଼ି ମଣିଷଙ୍କ ଚେତନା ଉନ୍ନୀତ ହୋଇପାରେନା ?

 

ଶୋଷଣ ସତ୍ୟ, ଏ ଶୋଷଣର କାରଣ ହେଉଛି ଦେଶର ଧନୀକ ଓ ପୁରୋହିତ ଶ୍ରେଣୀ; ଧନୀକ ଓ ପୁରୋହିତର ବିଲୟରେ ଶୋଷଣର ବିନାଶ ତଥା ବ୍ୟକ୍ତି ସ୍ଵାତନ୍ତ୍ର୍ୟର ପ୍ରତିଷ୍ଠା- ଏହି ମତବାଦରୁ ପ୍ରଥମ ଦୁଇଟି ଆମ ସାହିତ୍ୟରେ ଯେଭଳି ପ୍ରମୂର୍ତ୍ତ, ତୃତୀୟଟିର ପ୍ରୟୋଗରେ ଲେଖକଙ୍କ ଔଦାସୀନ୍ୟ, ଅନାଗ୍ରହ ଓ ସମ୍ମୁଖୀନ ହେବାର ଭୟ ସେମିତି ସ୍ପଷ୍ଟ । ସମଗ୍ରତଃ ଚରିତ୍ରଗୁଡ଼ିକର ନିର୍ବାକ୍‌ କଷ୍ଟ ସହିଷ୍ଣୁତା ପ୍ରକାଶ ପାଇଛି । ଏହି କ୍ଲୀବତ୍ୱ ସାହିତ୍ୟକର ହିଁ, ଚରିତ୍ରର ନୁହେଁ । - ଆଶ୍ଚର୍ଯ୍ୟର ବିଷୟ ବିଶୃଙ୍ଖଳା ବି ଏଠି ଭୟଙ୍କର ବା ଧ୍ୱଂସକାରୀ ନୁହେଁ ଏବଂ ସର୍ଜନାର ପ୍ରାରମ୍ଭିକ ପଦକ୍ଷେପରୂପେ ଯେଉଁ ଭୀମ ତାଣ୍ଡବ ବା ଧ୍ଵଂସ ଦେଖାଯାଏ ତା’ ବି ଏଠି ସୁଦୂର ପରାହତ କାରଣ ଚେତନାକୁ ନଦୋହଲାଇବା ପାଇଁ ଏଠି ଅଛି ଅସଂଯୋଜିତ ପ୍ରଗଳ୍ଭଦର୍ଶନ ଓ ସମୟର ସ୍ଵାନ୍ତ୍ୱନା, ଅସ୍ପଷ୍ଟ ନୀତିବାଦର ନିଷ୍ଠା, ଭୀରୁର ଆତ୍ମ ପ୍ରବଞ୍ଚନା ଓ ଭୀତି, ଅଂଧ ଧାର୍ମିକର କୁଚ୍ଛ ସାଧନା, ଗଣଚେତନାର ହତାଶା ଜନିତ ନିଶ୍ଚେଷ୍ଟତା ଓ ସହଜ ସନ୍ତୋଷ ଏବଂ ସବୌପରି ତଥାକଥିତ ବୁଦ୍ଧିଜୀବୀ ଗୋଷ୍ଠୀର ସାଧାରଣ ଜୀବନ ପ୍ରତି ଅବଜ୍ଞା ଓ ଆତ୍ମାଭିମାନ । (୭) ବୈପ୍ଳବିକ ଚିତ୍ତବୃତ୍ତିର ପ୍ରକାଶ ଯାହା ଅଛି ତାହା ଦହନୀୟ, ମାତ୍ର ତା’ର ନାହିଁ ପ୍ରଚଣ୍ତ ଦାହିକା ଶକ୍ତି-

 

ଦହନ କିମ୍ବା ଧ୍ୱଂସ ନହେଉ ଆଲୋଚକ ପଠାଣୀ ପଟ୍ଟନାୟକଙ୍କ ବକ୍ତବ୍ୟ ମତେ- ‘‘ଯେଉଁମାନେ ଲକ୍ଷ୍ମୀଛଡ଼ା, ସମାଜ ଆଗରେ ଅପାଙ୍‌କ୍ତେୟ, ସେମାନଙ୍କ ଜୀବନର ଅନ୍ତରାଳରେ ସ୍ନେହ, ପ୍ରେମ କରୁଣାର ଯେଉଁ ଫଲ୍‌ଗୁ ପ୍ରବାହିତ ହେଉଛି ଅଥବା ସେମାନେ କିପରି ଅନ୍ୟାୟ ଓ ଅବିଚାରର ରୌରବ ନର୍କରେ ତିଳ ତିଳ ସଢ଼ି ମରୁଛନ୍ତି । ତାହାର କଳାଧର୍ମୀ ବିଶ୍ଳେଷଣ ହୁଏ ଉପନ୍ୟାସରେ । ଔପନ୍ୟାସିକ ମଣିଷ ଜୀବନର ବିଦ୍ରୋହୀ ଆତ୍ମାକୁ ଆବିଷ୍କାର କରେ । ଏହି ବିଦ୍ରୋହ ଧ୍ଵଂସର ଇତିବୃତ୍ତ ନୁହେଁ, ଏହା ହେଉଛି ଏକ ସୁନ୍ଦର ଏବଂ ମଙ୍ଗଳମୟ ଜୀବନର ପ୍ରତିଷ୍ଠା ପାଇଁ ବ୍ୟାକୁଳତା । (୮)” ଏଭଳି ଶୁଭ ଉଦ୍ୟମର ପ୍ରାଗ୍‌ଭାଷ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସରେ ଦୁର୍ଲଭ-

 

ପୁନଶ୍ଚ ଏକା ଆଦର୍ଶ ଆରୋପଣରେ ନିମ୍ନବର୍ଗ କ୍ଷେତ୍ରରେ ବୈଫଲ୍ୟ ଓ ଉଚ୍ଚବର୍ଗ କ୍ଷେତ୍ରରେ ସାଫଲ୍ୟ ସୃଷ୍ଟିକରି ଔପନ୍ୟାସିକ ଏ ଉଭୟ ବର୍ଗ ପ୍ରତି ଦୃଷ୍ଟିକୋଣର ତାରତମ୍ୟ ପ୍ରଦର୍ଶନ କରିଛି । ଉପନ୍ୟାସର ରଚନାକାଳିକ କ୍ରମିକତା ଦୃଷ୍ଟିରୁ ଶାସ୍ତି, ଝଞ୍ଜା ଓ ବଜ୍ରବାହୁର ସମସ୍ୟା ଏକ ହୋଇଥିଲେ ହେଁ, ‘ଶାସ୍ତି’ ଉପନ୍ୟାସର ନାୟକ ସନିଆ ଯେଉଁ ଉଦ୍ୟମ କରି ଶୋଚନୀୟଭାବେ ପରାସ୍ତ, ତାହା ଅନ୍ୟ ଉପନ୍ୟାସ ଦୁଇଟିରେ ଚିତ୍ତଶାଳୀ ଜମିଦାରଙ୍କଦ୍ୱାରା ଅନାୟାସ ସଂପାଦିତ । ସେହିପରି ‘ପରଜା’, ‘ଶିବଭାଇ’ ଓ ‘ଅପହଞ୍ଚ’ ପ୍ରଭୃତି ଉପନ୍ୟାସରେ ଆଦିବାସୀ ନିମ୍ନବର୍ଗଟିଦ୍ୱାରା ଯାହା ଯଥାକ୍ରମେ ସମ୍ଭାବନା, ଆଶା ଓ ଆହ଼୍ୱାନରେ ସୀମିତ ଥିଲା ତାହା ‘ମାଟିମଟାଳ’ରେ ଉଚ୍ଚଶିକ୍ଷିତ ଓ ଯଥେଷ୍ଟ ପୈତୃକ ସଂପତ୍ତି ବିଶିଷ୍ଟ ସଭ୍ୟଯୁବକ ‘ରବି’ଦ୍ୱାରା ସାକାର ହୋଇଛି ।

 

ନିମ୍ନବର୍ଗର ଅବଶୋଷ ଯେ, ଓଡ଼ିଆ ଉପନ୍ୟାସ ସାହିତ୍ୟରେ ତାକୁ କେବଳ ମୁଖ୍ୟ ଚରିତ୍ରର ଚାରିତ୍ରିକ ବୈଶିଷ୍ଟ୍ୟ ପ୍ରକଟ କରିବା ଦିଗରେ ଉପଯୋଗ କରାଯାଇଛି । ସାଧାରଣ ସମର୍ଥ ମଣିଷରୁ ଭିନ୍ନକରି ତାକୁ ଦୟା ଓ ଅନୁକଂପା ପ୍ରଦର୍ଶନ କରାଯାଇଛି । ପୁଣି ତା’ର ଆତ୍ମାର ପରିଚୟ ପାଇବାକୁ ଆଦୌ ଉଦ୍ୟମ କରାଯାଇନାହିଁ । ଯାହା କରାଯାଇଛି ତାହା କେବଳ ପରିସ୍ଥିତି ଓ ପରିବେଶଗତ ବାହ୍ୟ ଦିଗର ନକ୍ସାଅଙ୍କନ । ତା ଅନ୍ତରର ବିଭିନ୍ନ ଭାବ ସ୍ନେହ-ପ୍ରେମ-କରୁଣା; ବିଦ୍ରୋହ-ବିପ୍ଲବ-ଗ୍ରହଣ-ପ୍ରତ୍ୟାଖାନ, ଈଶ୍ୱର ଭକ୍ତି, ମାନବବାଦୀ ଚିନ୍ତାଧାରା, ଏ ସମସ୍ତ ପ୍ରତି ଔପନ୍ୟାସିକ ଅନେକ ସମୟରେ ଆଖିବୁଜି ଦେଇଛନ୍ତି । ଏଣୁ ସମଗ୍ର ଓଡ଼ିଆ ଉପନ୍ୟାସରେ ନିମ୍ନବର୍ଗର ସ୍ଥିତି ଖଣ୍ଡିତ ଓ କଳଙ୍କିତ ।

 

୬- ନିମ୍ନବର୍ଗ ପ୍ରତି ଏଭଳି ଦୃଷ୍ଟି କୋଣ କାହିଁକି ?

ଓଡ଼ିଆ ଉପନ୍ୟାସରେ ନିମ୍ନବର୍ଗ ଚରିତ୍ର କାହିଁକି ଏମିତି ଅସ୍ପଷ୍ଟ, ଖଣ୍ଡିତ ଓ ଅବିଚାରଗ୍ରସ୍ତ-? ଏ ପ୍ରଶ୍ନର ଉତ୍ତର ଦେବାକୁ ଗଲାବେଳେ ଆଉ ଏକ ପ୍ରଶ୍ନ ସ୍ଵତଃ ମନକୁ ଆସେ - ଓଡ଼ିଆ ଔପନ୍ୟାସିକଗଣ କେଉଁ ବର୍ଗ ଅନ୍ତର୍ଭୁକ୍ତ ?

 

ଆମ ସାହିତ୍ୟର ଔପନ୍ୟାସିକ ଗଣ ପ୍ରାୟତଃ ମଧ୍ୟବିତ୍ତ କିମ୍ବା ଉଚ୍ଚବିତ୍ତ ସଂପନ୍ନ । ଏମାନେ ସମସ୍ତେ କୌଣସି ନା କୌଣସି ବୃତ୍ତି ନିର୍ଭର ଓ ତେଣୁ ସ୍ୱଚ୍ଛଳ ଆୟବିଶିଷ୍ଟ । ଏମାନଙ୍କ ବୃତ୍ତି ସାଧାରଣତଃ ଉଚ୍ଚ ପଦାଧିକାର, ଅଧ୍ୟାପନା, ଶିକ୍ଷକତା, ସଂପାଦନା (ଦୈନିକ-ସାପ୍ତାହିକଠାରୁ ବାର୍ଷିକ), ଆଇନ ବ୍ୟବସାୟ, ନିତାନ୍ତ ନ୍ୟୂନରେ ଅମଲାଗିରି । ଏମାନଙ୍କର ପୁଣି ଅଛି ଡିଗ୍ରୀ, ପଦବୀ, ବିତ୍ତ ଓ ସାମାଜିକ ସ୍ଵୀକାର । ଏଣୁ ଏମାନେ ଉଚ୍ଚବର୍ଗର ପ୍ରତିନିଧି । ଉପନ୍ୟାସକାରଙ୍କ ବର୍ଗର ଏଇ ଭିନ୍ନତା ଅନ୍ୟ କଥାରେ କହିଲେ, ସେମାନେ ଉଚ୍ଚବର୍ଗ ବିଶିଷ୍ଟ ହୋଇଥିବାରୁ ସେମାନଙ୍କ ସୃଷ୍ଟିରେ ନିମ୍ନବର୍ଗ ମଣିଷ ଏମିତି ଅବିଚାରଗ୍ରସ୍ତ ହୋଇ ପଡ଼ିଛି କି ? ଏମିତି ଏକ ସମ୍ଭାବ୍ୟ ଉତ୍ତର ମନକୁ ଆସିଥାଏ । ସେହି ଦୃଷ୍ଟିରୁ ଦେଖାଯାଉ ।

 

ଆମେ ଜାଣୁ ଶିଳ୍ପବିପ୍ଳବ, ପୁଞ୍ଜିବାଦୀ ସମାଜବ୍ୟବସ୍ଥା ଏକ ନୂତନ ମଧ୍ୟବିତ୍ତ ଶ୍ରେଣୀର ସୃଷ୍ଟି, ବାସ୍ତବତାବାଦ, ଗୋଷ୍ଠୀ ବଦଳରେ ବ୍ୟକ୍ତିର ପ୍ରାଧାନ୍ୟ ଉପନ୍ୟାସର ଜନ୍ମ ସହିତ ସାହିତ୍ୟର ଇତିହାସରେ ଗୋଟିଏ ସୂତାରେ ଗୁନ୍ଥା ହୋଇ ରହିଛି । ତେଣୁ ମଧ୍ୟବିତ୍ତ ମାନସିକତା ଭିତରେ ଉପନ୍ୟାସର ଜନ୍ମ ଏବଂ ସେହି ଶ୍ରେଣୀର ପାଠକମାନଙ୍କ ଉଷ୍ମ ଆଦର ମଧ୍ୟରେ ତାର ବିକାଶ । (୯) ପୁଣି ବିଶିଷ୍ଟ ଆଲୋଚକ ଭୂଦେବ ଚୌଧୁରୀଙ୍କ ମତରେ - “ଆଧୁନିକ ସାହିତ୍ୟ ବର୍ତ୍ତମାନ କେବଳ ନଗରବାସୀ ବୁଦ୍ଧିଜୀବୀମାନଙ୍କ ପାଇଁ, ବୁଦ୍ଧିଜୀବୀମାନଙ୍କଦ୍ୱାରା ଓ ବୃଦ୍ଧିଜୀବୀମାନଙ୍କର ହୋଇ ରହିଛି ।’ (୧୦) ଅତଏବ ଉପନ୍ୟାସ ଓ ଔପନ୍ୟାସିକ ଉଭୟେ ମଧ୍ୟବିତ୍ତ ଓ ମଧ୍ୟବିତ୍ତୋତ୍ତର ବର୍ଗର ଫଳଶ୍ରୁତି ।

 

ସାହିତ୍ୟକର ଚେତନା ତା’ର ପରିବେଶରୁ ଜନ୍ମନିଏ ଓ ସେହିଠାରେହିଁ ଲାଳିତ ହୋଇ ପୁଷ୍ଟ ହୁଏ । ‘‘ସାହିତ୍ୟକର ଆବେଗାନୁଭୂତି, ଉଚିତ ଅନୁଚିତବୋଧ, ଭଲମନ୍ଦର ଧାରଣା ଅର୍ଥାତ୍‌ ତାଙ୍କର ସମସ୍ତ ମାନସିକତାର ବିଶିଷ୍ଟ ଲକ୍ଷଣ ଗୁଡ଼ିକ ତାଙ୍କ ଅଜ୍ଞାତସାରରେ ହିଁ ତାଙ୍କ ସାହିତ୍ୟରେ ପ୍ରତିଫଳିତ ହୋଇଥାଏ । ଯେଉଁ ଶ୍ରେଣୀ-ଦର୍ଶନର ଧାରା ତାଙ୍କ ଭିତରେ ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ ଭାବରେ ହେଉ କାର୍ଯ୍ୟ କରୁଥାଏ । ତାହା ହେଇଉଠେ ତାଙ୍କ ସାହିତ୍ୟ ଚେତନାର ମୁଖ୍ୟ ଅଂଶ’’ । (୧୧) ଏଣୁ ଉଚ୍ଚବର୍ଗର ଔପନ୍ୟାସିକଦ୍ୱାରା ଉଚ୍ଚବର୍ଗ ପାଇଁ ଲେଖାଯାଉଥିବା ଉପନ୍ୟାସରେ ନିମ୍ନବର୍ଗକୁ ସ୍ଵଭାବତଃ ଅବହେଳା କରି ଆସିଛି । କେତେକ ଉପନ୍ୟାସକାରଙ୍କ ବୃତ୍ତି-ପେଶା-ସାମାଜିକ ସ୍ଥିତି - ଜୀବନୀଭିତ୍ତିରେ ଆମେ ଏ ସତ୍ୟର ନିକଟବର୍ତ୍ତୀ ହୋଇପାରିବା । ଔପନ୍ୟାସିକ ଫକୀରମୋହନ ଜଣେ ଶିକ୍ଷକ ଭାବେ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀକାଳରେ ବିଭିନ୍ନ ଗଡ଼ଜାତ ରାଜ୍ୟ ଓ ଜମିଦାରୀମାନଙ୍କରେ ଦେବାନୀ କରି ଅବସର ନେବାପରେ ସେ କଥାସାହିତ୍ୟରେ ହାତ ଦେଇଥିଲେ । ଚିରକାଳ ସମ୍ଭ୍ରାନ୍ତ ଓ ରାଜାଙ୍କ ମର୍ଜ୍ଜି ଜଗିବାପାଇଁ ଯାହାର ଦରବାରରେ ନିମ୍ନବର୍ଗ ମଣିଷ ସବୁବେଳେ ମୁଣ୍ଡ ନୁଆଁଇ ଠିଆ ହୋଇଆସିଛି । ତାଙ୍କର ସାହିତ୍ୟ ସୃଷ୍ଟିରେ, ଆଲୋଚକମାନଙ୍କ ଯଥେଷ୍ଟ ପ୍ରଶସ୍ତି ସତ୍ତ୍ୱେ ନିମ୍ନବର୍ଗ ଯେ ପ୍ରାଧାନ୍ୟ ପାଇଛି ଏକଥା ସ୍ଵୀକାର୍ଯ୍ୟ ନୁହେଁ । ତାଙ୍କ ଆତ୍ମଜୀବନ ଚରିତ ନିମ୍ନବର୍ଗ ପ୍ରତି ତା’ ର ବୃତ୍ତିହେତୁକ ବହୁ କ୍ରୂର ଓ ଶଠ ଆଚରଣର ସାକ୍ଷ୍ୟ ପ୍ରଦାନ କରେ । ଏଣୁ ତାଙ୍କ କଥା ସାହିତ୍ୟରେ ନିମ୍ନବର୍ଗର ସଂଜ୍ଞା ‘‘ନିର୍ଯ୍ୟାତନାର ନିର୍ବାକ ଭୋକ୍ତା’’ ହୋଇ ରହିବାକୁ ବାଧ୍ୟ ହୋଇଛି ।

 

ଆଦିବାସୀ ଜୀବନକୁ ପ୍ରଥମ ଥର ପାଇଁ ସାହିତ୍ୟର ଆଲୋକିତ ଅଗଣାରେ ସ୍ଥାନିତ କରିଥିବା ଔପନ୍ୟାସିକ ଗୋପାଳବଲ୍ଲଭ ସଂପର୍କରେ ତଥା ‘ଭୀମା ଭୂୟାଁ' ଉପନ୍ୟାସ ଆଧାରରେ ଡକ୍ଟର ନଟବର ସାମନ୍ତରାୟଙ୍କ ମତ ଏହି ପରିପ୍ରେକ୍ଷୀରେ ଉଲ୍ଲେଖନୀୟ । ‘‘ଇନ୍ଦ୍ରଧନୁ ବିଜୁଳି ଆନ୍ଦୋଳନ ବେଳେ ଏକ ସୁରୁଚି ଉପରେ ପ୍ରାଧାନ୍ୟ ଦେଉଥିବା ଲୋକମାନଙ୍କ ଅଭିମତଦ୍ୱାରା ପରିପୁଷ୍ଟ ଓ ପରିବର୍ଦ୍ଧିତ ଗୋପାଳବଲ୍ଲଭଙ୍କ ମନୋବୃତ୍ତି ଯେ ବହୁ ପରିମାଣରେ ଏ ଉଭୟଙ୍କ ଜୀବନକୁ ନିୟନ୍ତ୍ରିତ କରିଛି ଏଥିରେ ସନ୍ଦେହ ନାହିଁ ।’’ ସମସାମୟିକ ଘଟଣା ପ୍ରବାହ ତଥା ଗୋପାଳବଲ୍ଲଭଙ୍କ ସାମନ୍ତବାଦୀ ଚିତ୍ତ ଭୀମା ଭୂୟାଁ ଉପନ୍ୟାସର ଅନ୍ତଃସ୍ଵରକୁ ନିୟନ୍ତ୍ରଣ କରିଛି ।’’-(୧୨)

 

କାଳିନ୍ଦୀ କାହ୍ନୁଚରଣଙ୍କଠାରୁ ଏବର ଔପନ୍ୟାସିକଙ୍କ ଯାଏ ପ୍ରାୟ ସମସ୍ତେ ସରକାରୀ ଚାକିରୀଜୀବୀ ଓ ସ୍ୱଚ୍ଛଳ ଜୀବନ ବିତାଉଥିବା ସୁଖୀ ମଣିଷ । ଏଣୁ ସେମାନଙ୍କ ସୃଷ୍ଟିଗୁଡ଼ିକରେ ନିମ୍ନବର୍ଗର ଚିର ଦୁଃଖୀ ମଣିଷ ଉପଯୁକ୍ତ ମୂଲ୍ୟ ପାଇନଥିବା ସ୍ଵାଭାବିକ ।

 

୭- ଅବଶୋଷର ଶେଷ କେବେ ?

ଉପନ୍ୟାସ ସାହିତ୍ୟରେ ଉପଯୁକ୍ତ ମର୍ଯ୍ୟାଦା ପାଇନଥିବା ନିମ୍ନବର୍ଗ ମଣିଷର ଏ ଅବଶୋଷର ଶେଷ କେବେ ? ଉପଯୁକ୍ତ ଅନୁଭୂତିର ଅଭାବ, ନିମ୍ନବର୍ଗ ପ୍ରତି ଅବଜ୍ଞା, ଉଚ୍ଚବର୍ଗର ଅଭିମାନ ଇତ୍ୟାଦି ସାହିତ୍ୟରେ ଏଇ ବର୍ଗ ମଣିଷକୁ ସଠିକ ରୂପାୟନ କରିବାରେ ବାଧକ ହୋଇଛି-। କାରଣ ଆମେ ଜାଣୁ ଅନୁଭୂତିର ବ୍ୟାପକତା ଓ ପ୍ରକାଶିତ ଅନୁଭବର ସଂକ୍ରମଣ ଶକ୍ତି ଉପରେହିଁ କଳାର ମହତ୍ତ୍ୱ ନିର୍ଭରଶୀଳ । ଯେଉଁଠି ଅନୂଭୂତି କ୍ଷୀଣ, ସେଠାରେ ସଂକ୍ରମଣ ଶକ୍ତି ନିର୍ବୀର୍ଯ୍ୟ । କପଟ ବୌଦ୍ଧିକତା ଅପେକ୍ଷା ଅନୁଭୂତିର ଅନ୍ତରଙ୍ଗତାହିଁ ଉପନ୍ୟାସ ପ୍ରତି ପାଠକଙ୍କୁ ଆକୃଷ୍ଟ କରେ ।’’ (୧୩)

 

ଅନୁଭୂତିବୋଧ ସାର୍ବଜନୀନ ନୁହେଁ, ବ୍ୟକ୍ତିଗତ । ଏଣୁ ଏହା ଏକା ଘଟଣା ପରିପ୍ରେକ୍ଷୀରେ ବି ବ୍ୟକ୍ତି ବ୍ୟକ୍ତି ଭେଦରେ ପୃଥକ ହୋଇପାରେ । ମୃତ୍ୟୁ ଯେମିତି ଦାର୍ଶନିକ, ସୈନିକ, ଡାକ୍ତର ଓ ମୁମୂର୍ଷୁ ରୋଗୀ ନିକଟରେ ଭିନ୍ନ ଭିନ୍ନ ଅନୁଭୂତି ଦେଇଥାଏ, ଜୀବନର ହରେକ ଛନ୍ଦ ଓ ଛନ୍ଦ ପତନ ବି ସେମିତି ବ୍ୟକ୍ତି ବିଶେଷରେ ଭିନ୍ନ ହୋଇଥାଏ । ପୁଣି ଭିନ୍ନ ବର୍ଗର ମଣିଷ ପାଇଁ ବି ସେ ଅନୁଭୂତିବୋଧର ସ୍ଵାତନ୍ତ୍ର୍ୟ ରହେ । ନିମ୍ନବର୍ଗ ମଣିଷର ଏକ ସ୍ଵତନ୍ତ୍ର ନିଜସ୍ଵ ଭାବ ତଥା ବୋଧ ଜଗତ ଅଛି । ଉଚ୍ଚବର୍ଗ ମଣିଷ ଯତ୍ପରୋନାସ୍ତି ଚେଷ୍ଟା କଲେ ସୁଦ୍ଧା ସେହି ଜଗତକୁ ଚିହ୍ନିବା ଦୁଷ୍କର । ଜନ୍ମଜନ୍ମାନ୍ତରର ସଂସ୍କାର, ପାରିବେଶିକ, ପାରିପାର୍ଶ୍ୱିକ ପାରିବାରିକ ସ୍ଥିତିର କାଳ କାଳର ଦୈନ୍ୟ, ଦାରିଦ୍ର୍ୟ-ଅଶିକ୍ଷା-ବ୍ୟାଧିର ଚିରସ୍ଥାୟୀ କବଳରେ କବଳିତ ମାନସିକତା, ଈଶ୍ୱର- ଧର୍ମ- ଅନୁଷ୍ଠାନ- ପୁରୋହିତ ଓ ଉଚ୍ଚବର୍ଗ ମଣିଷ ପ୍ରତି ଦୃଷ୍ଟିକୋଣ ଇତ୍ୟାଦିର ସମନ୍ୱୟରେ ନିମ୍ନବର୍ଗ ମଣିଷର ଯେଉଁ ଚେତନା ତାହା କେବଳ ଅଙ୍ଗେ ନିଭାଇଥିବା ବ୍ୟକ୍ତିର ସ୍ଵାନୁଭବ । ଏହା ପର୍ଯ୍ୟବେକ୍ଷଣରୁ କେବଳ ଅନୁଭୂତି ହୋଇନପାରେ । ଅନୁରୂପ ଜୀବନ ଜୀଇଁବାରୁ କେବଳ ଏହି ଅନୁଭୂତି ସଂଜାତ ହୋଇପାରେ । ଏଣୁ ଉଚ୍ଚବର୍ଗ ସାହିତ୍ୟିକର ସୃଷ୍ଟିରେ ନିମ୍ନବର୍ଗ ମଣିଷ ତଥାପି ଅପୂର୍ଣ୍ଣ- ଖଣ୍ଡିତ- ବିଡ଼ମ୍ବିତ ବି । ତେବେ ସମାଜର ବିପୁଳ ନିମ୍ନବର୍ଗ ମଣିଷର ପ୍ରକୃତ ରୂପରେଖର ପ୍ରତିଫଳନ ସାହିତ୍ୟର ପାଠକ ନିକଟରେ ସତ୍ୟଶୀଳଭାବେ ପହଞ୍ଚିବ କିପରି । କିଏ ପହଁଚାଇବ କେବେ ?

 

ବୋଧହୁଏ ଯେତେବେଳେ ନିମ୍ନବର୍ଗ ମଣିଷ ନିଜେ ନିଜର ଜୀବନ ବେଦ ଲେଖିବ, ସେତେବେଳେ ଯାଇ ପାଠକ ନିକଟରେ ନିମ୍ନବର୍ଗ ମଣିଷ ତା’ର ଅସଲ ସ୍ଵରୂପରେ ପହଁଚିବ । ଏମିତି ଏକ ପ୍ରସଙ୍ଗରେ ଡଃ ଏନ. ସି. ଯୋଗେଲକରଙ୍କ ବକ୍ତବ୍ୟ ଗ୍ରହଣୀୟ - ‘‘ଲେଖକ ଯଦି ସେହି ଆଦିବାସୀ ଗୋଷ୍ଠୀର ପ୍ରତିନିଧି ହୋଇଥାନ୍ତି, ତେବେ ତାଙ୍କର ବର୍ଣ୍ଣନା ଯୁକ୍ତି ଯୁକ୍ତ ଓ ଯଥାର୍ଥ ହେବା’’ (୧୪) (ଆଦିବାସୀ ସ୍ଥାନରେ ଆମେ ନିମ୍ନବର୍ଗ ପଦଟି ବ୍ୟବହାର କରିପାରିବା) ।

 

୮- କିଛି ଆଶଙ୍କା ଓ ଉପସଂହାର

ଆମ ଔପନ୍ୟାସିକଗଣ ଜାଣନ୍ତି ନିମ୍ନବର୍ଗ ମଣିଷ ଉପନ୍ୟାସ ପଢ଼େନାହିଁ । ଏହା କେବଳ ଉଚ୍ଚବର୍ଗ ମଣିଷର ପାଠ୍ୟ ଓ ସଂପାଦ୍ୟ ହୋଇରହିଥାଏ । ଏଣୁ ନିସଂକୋଚରେ ନିମ୍ନବର୍ଗ ମଣିଷକୁ ଘୃଣା, ଅବହେଳା ଓ ଅନୁକଂପା ଦେଖାଇ ଆସିଛି । ନିଜ ଦୃଷ୍ଟିକୋଣରୁ ହିଁ ନିମ୍ନବର୍ଗ ମଣିଷକୁ କଳନା କରିଛି ଓ ସେହି କଳନାକୁହିଁ ସାହିତ୍ୟରେ ପ୍ରକାଶ କରିଛି । ‘‘ବ୍ୟକ୍ତିତ୍ୱର ବିକାଶ ସଂଗେ ସଂଗେ ନିମ୍ନତମ ଶ୍ରେଣୀ ମଣିଷର ମନରେ ଯେଉଁ ଆତ୍ମମର୍ଯ୍ୟାଦା ଭାବ ଜାଗ୍ରତ ହୁଏ ତାହା ସମାଜର ଅନ୍ୟାନ୍ୟ ଶ୍ରେଣୀର ଲୋକେ ଶୀଘ୍ର ହେଉ ବା ବିଳମ୍ବରେ ହେଉ ସ୍ଵୀକାର କରିବାକୁ ବାଧ୍ୟ ହୁଅନ୍ତି ।’’ (୧୫) ବିଳମ୍ବ ହେଉ ପଛକେ ସମୟ ଆସିବ ଏହି ନିମ୍ନବର୍ଗ ମଣିଷ ଉପନ୍ୟାସର ପାଠକ ହେବ ଓ ତା’ ବିଷୟରେ ପରିବେଶିତ ଏହି ବିକଳ ଚିତ୍ର ଦେଖି ସେ ପ୍ରତିକ୍ରିୟା ପ୍ରକାଶ କରିବାକୁ ପଛେଇବ ନାହିଁ । ସେତେବେଳେ ସେହି ଉଦ୍‌ବେଳନର ସାମନା କରିବାକୁ ଲେଖକମାନେ ବାଧ୍ୟ ହୋଇପଡ଼ିବେ ।

 

ସହାୟକ ଗ୍ରନ୍ଥସୂଚୀ

୧.

ନାୟକ ଡକ଼୍ଟର କ୍ଷେତ୍ରବାସୀ, ସାହିତ୍ୟର ସାମାନ୍ୟ କଥନ ସାଥୀ ମହଲ

୨.

Writers new International Dictioanry of English language -P.461.

୩.

ଯୋଗେଲକର ଡକ୍ଟର ଏନ୍‌.ସି., ବିଶ୍ୱଭାରତୀ ଦୀପିକା, ୪: ୧୯୮୩- ବିଶ୍ଵଭାରତୀ ପୃ-୬୭ ।

୪.

ମହାପାତ୍ର ତକ୍ଟର ସୀତାକାନ୍ତ, ଭିନ୍ନ ଆକାଶ ଭିନ୍ନ ଦୀପ୍ତି, ଅଗ୍ରଦୂତ କଟକ ପୃ ୩୦-୩୧, ୧୩୭ ।

୫.

ମହାନ୍ତି ଡକ୍ଟର ବ୍ରଜମୋହନ, ସାପୁଆ, ବୁକସ୍‌ ଏଣ୍ଡ ବୁକ୍‌ସ, କଟକ ।

୬.

ଯୋଗଲେକର ଡକ୍ଟର ଏନ୍‌.ସି.- ବିଶ୍ଵ ଭାରତୀ ଦୀପିକା, ୪: ୧୯୮୩-ପୃ.୬୩ ।

୭,

ମହାପାତ୍ର ଡକ୍ଟର ସୀତାକାନ୍ତ ମହାପାତ୍ର, ଭିନ୍ନ ଆକାଶ ଭିନ୍ନ ଦୀପ୍ତି, ଅଗ୍ରଦୂତ, କଟକ, ପୃ - ୩୦ - ୩୧ ।

୮.

ପଟ୍ଟନାୟକ ପଠାଣୀ ସାହିତ୍ୟ ସଂହତି ଓ ସଂସ୍କୃତି, ଫ୍ରେଣ୍ଡସ୍‌ ପବ୍ଲିସରସ୍‌, କଟକ, ପୃ.୩୭ ।

୯.

ପଟ୍ଟନାୟକ ବିଭୂତି, ବିଶ୍ଵ ଭାରତୀ ଦୀପିକା,୪: ୧୯୮୩, ପୃ୧୧୪-୧୧୫ ।

୧୦.

ଚୌଧୁରୀ ଭୂଦେବ, ବିଶ୍ଵଭାରତୀ ଦୀପିକା,୪: ୧୯୮୩, ପୃ୧୨୬ ।

୧୧.

ଦିଗନ୍ତ, ୮୨-୮୩ ମସିହା,ପୃ - ୭୫ ।

୧୨.

ସାମନ୍ତରାୟ ଡକ୍ଟର ନଟବର, ଗଳ୍ପ ନୁହେଁ ସମାଲୋଚନା, ଗ୍ରନ୍ଥ ମନ୍ଦିର, ପୃ୧୨ ।

୧୩.

ପଟ୍ଟନାୟକ ବିଭୂତି, ବିଶ୍ଵଭାରତୀ ଦୀପିକା, ୪ : ୧୯୮୩ ପୃ : ୧୧୮ ।

୧୪.

ଯୋଗେଲକର ଡକ୍ଟର ଏନ୍‌. ସି. ବିଶ୍ଵଭାରତୀ ଦୀପିକା, ୪ : ୧୯୮୩ ପୃ : ୬୩ ।

୧୫.

ସିଂହ ବ୍ରହ୍ମାନନ୍ଦ । ତୃତୀୟ ନୟନ, ବିଜୟ ବୁକ୍‌ଷ୍ଟୋର, ବ୍ରହ୍ମପୁର, ପୃ ୯ ।

 

 

ଅଧ୍ୟାପକ

ଓଡ଼ିଆ ବିଭାଗ, ଚାନ୍ଦୋଳ ମହାବିଦ୍ୟାଳୟ,

ଚାନ୍ଦୋଳ, କଟକ

 

***

 

Unknown

ଭକ୍ତକବି ଜଗନ୍ନାଥ ଦାସ ଓ ସନ୍ଥ କବୀର : ଏକ ଅଧ୍ୟୟନ

ଶ୍ରୀ ଗଣନାଥ ଦାସ

 

ଆମ ରାଜ୍ୟର ପୂରପଲ୍ଲୀ ସର୍ବତ୍ର ଲୋକପ୍ରିୟ ଓଡ଼ିଆ ଭାଗବତର ରଚୟିତା ପଞ୍ଚସଖା ଭକ୍ତକବିଙ୍କ ମଧ୍ୟରେ ସର୍ବକନିଷ୍ଠ ଜଗନ୍ନାଥ ଦାସ । କନିଷ୍ଠ ହେଲେ ହେଁ ଭକ୍ତକବି ଭାବରେ ବରିଷ୍ଠମାନଙ୍କ ମଧ୍ୟରେ ଅନ୍ୟତମ । ପଞ୍ଚସଖା ଭକ୍ତକବିମାନଙ୍କ ମଧ୍ୟରୁ ବଳରାମ ପୁରୀଠାରେ ସ୍ନ ୧୪୭୩ ରେ, ଅଚ୍ୟୁତାନନ୍ଦ କଟକ ଜିଲ୍ଲା ନେମାଳଠାରେ ୧୪୮୨ରେ, ଯଶୋବନ୍ତ, କଟକ ଜିଲ୍ଲା ଅଢ଼ଙ୍ଗଠାରେ ସ୍ନ ୧୪୮୭ରେ, ଅନନ୍ତ ସ୍ନ ୧୪୯୩ରେ ପୁରୀ ଜିଲ୍ଲା ବାଲିପାଟଣାଠାରେ ଏବଂ ଜଗନ୍ନାଥ ସ୍ନ ୧୪୯୭ରେ ପୁରୀ ଜିଲ୍ଲା କପିଳେଶ୍ଵରପୁର ଶାସନରେ ଭୂମିଷ୍ଠ ହୋଇଥିଲେଲା ।

 

ଭକ୍ତକବି ଜଗନ୍ନାଥଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ତାଙ୍କ ସମସାମୟିକ ଓ ପରବର୍ତ୍ତୀକାଳୀନ କେତେକ କବି, ଲେଖକ ଓ ଗବେଷକଙ୍କ ରଚନାରୁ ଜଣାଯାଏ ଯେ ଜଗନ୍ନାଥ ପୁରୀର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେଲେ । ତାଙ୍କ ପିତା ଭଗବାନ ଦାସ ସଂସ୍କୃତ ପଣ୍ଡିତ ଭାବରେ ପରିଚିତ ହୋଇଥିଲେ । ପ୍ରତ୍ୟହ ଶ୍ରୀମନ୍ଦିରରେ ବ୍ୟାସ ଦେବ ରଟିତ ଶ୍ରୀମଦ୍‍ଭାଗବତ ପାଠ କରି ସରଳ ଓଡ଼ିଆ ଭାଷାରେ ସମବେତ ଜନତା, ଭକ୍ତଗଣଙ୍କୁ ବୁଝାଇ ଥିଲେ । ପୁରାଣପଣ୍ଡିତରୂପେ ଖ୍ୟାତି ଲାଭ କରିଥିଲେ ।

 

ପୁତ୍ର ଜଗନ୍ନାଥଙ୍କୁ ବାରବର୍ଷ ବୟସ ହେଲା ବେଳକୁ ସେ ସଂସ୍କୃତ ପଣ୍ଡିତଙ୍କଠାରୁ ସଂସ୍କୃତ ଶିକ୍ଷା ଲାଭ କରି ତହିଁରେ ବ୍ୟୁତ୍ପତ୍ତି ହାସଲ କରି ସାରିଥିଲେ । ଓଡ଼ିଆ ଭାଷାରେ ମଧ୍ୟ ପ୍ରବୀଣ ହୋଇ ପାରିଥିଲେ । ପ୍ରବାଦ ମତେ ଏହିପରି ସମୟରେ ଦିନେ ତାଙ୍କ ମାତା ପଦ୍ମାବତୀ ଦେବୀ ପୁରାଣପାଠ ଶୁଣିବାକୁ ଶ୍ରୀମନ୍ଦିରକୁ ଯାଇଥିଲେ । ଦରିଦ୍ରତା ହେତୁ ନିଜ ପାଖରେ ପୁରାଣ ପଣ୍ଡିତଙ୍କୁ ବିଦାକି ଦେବା ପାଇଁ ପଇସା ନଥିବା ହେତୁ ତାଙ୍କୁ ଭର୍ତ୍ସନା ଶୁଣିବାକୁ ପଡ଼ିଥିଲା ଏବଂ ଶ୍ରୀମନ୍ଦିର ପରିସରରେ ପୁରାଣ ପାଠ ଶୁଣିବାରୁ ବାରଣ କରାଯାଇଥିଲା । ମାତା ପୁତ୍ରକୁ ଦୁଃଖ ପ୍ରକାଶ କରି ଏକଥା ଜଣାଇବାରେ ଜଗନ୍ନାଥ ଶ୍ରୀମଦ୍‌ଭାଗବତକୁ ସରଳ ଓଡ଼ିଆ ପଦ୍ୟାନ୍ତର କରିବାକୁ ସଂକଳ୍ପ କଲେ । ତାହାହିଁ ତାଙ୍କ ପକ୍ଷରେ ଭାଗବତ ଗ୍ରନ୍ଥ ରଚନା କରିବାର ମୂଳ ପ୍ରେରଣା ଥିଲା ବୋଲି କୁହାଯାଏ ।

 

ନବାକ୍ଷରୀ ଭାଗବତ ଗ୍ରନ୍ଥକୁ ଜଗନ୍ନାଥଙ୍କର ପ୍ରଧାନ ସାହିତ୍ୟିକ କୃତି ବୋଲି ସାହିତ୍ୟିକମାନେ ସିଦ୍ଧାନ୍ତ କରିଛନ୍ତି । ଯଦିଓ ସେ ଅର୍ଦ୍ଧଶ୍ରତାଧିକ ଭଜନ, ଜଣାଣ, ମାଳିକା ଆଦି ଗ୍ରନ୍ଥର ରଚୟିତା ବୋଲି ପ୍ରସିଦ୍ଧି ଲାଭ କରିଛନ୍ତି, ଭାଗବତ ହିଁ ତାଙ୍କର ସର୍ବଶ୍ରେଷ୍ଠ କୃତି ଏବଂ ଓଡ଼ିଆ ସାହିତ୍ୟ ତଥା ସଂସ୍କୃତିକୁ ଅନବଦ୍ୟ ଅବଦାନ ବୋଲି ସ୍ୱୀକାର କରାଯାଏ ।

 

ପଞ୍ଚସଖା ଭକ୍ତକବିଗଣ ରାଜ୍ୟର ବିଭିନ୍ନ ଅଞ୍ଚଳ, ସାମାଜିକ ପରିବେଶ ଜାତି ତଥା କୁଳରେ ଭଦ୍ଭବ ହୋଇଥିଲେ ହେଁ ଆଧ୍ୟାତ୍ମଭାବର ଏକତା ହେତୁ ସମସ୍ତେ ଜଗନ୍ନାଥ କ୍ଷେତ୍ର ପୁରୁଷୋତ୍ତମ ପୁରୀଠାରେ ଏକତ୍ରୀତ ହୋଇ ଏକାତ୍ମଭାବରେ ଜ୍ଞାନ ମିଶ୍ର ଭକ୍ତି ଧାରାର ପ୍ରଚାର ଓ ପ୍ରସାର କରିଥିଲେ । ସେମାନଙ୍କର ରଚନାବଳୀ ମାଧ୍ୟମରେ ।

 

ପଞ୍ଚସଖା ଉକ୍ତକବିଗଣଙ୍କର ଆବିର୍ଭାବ ସ୍ନ ୧୪୭୩ରୁ ୧୪୯୭ ଚବିଶ ବର୍ଷ ମଧ୍ୟରେ ପୁରୀ ଗଜପତି ମହାରାଜା ପ୍ରତାପରୁଦ୍ର ଦେବଙ୍କ ରାଜୁତି କାଳରେ । ସେମାନଙ୍କ ମଧ୍ୟରେ ଜଗନ୍ନାଥ ସର୍ବ କନିଷ୍ଠ ଓ ସର୍ବୋଚ୍ଚ ଶିକ୍ଷିତ ଥିଲେ । ଉଭୟ ଓଡ଼ିଆ ଓ ସଂସ୍କୃତ ଭାଷାରେ ତାଙ୍କର ବ୍ୟୁତ୍ପତ୍ତି ଥିଲା । କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ହେଁ ଏବଂ ବୟୋଜ୍ୟେଷ୍ଠ ସଖା ବଳରାମ ଖଣ୍ଡାୟତ ବଂଶୋଦ୍ଭବ ହୋଇଥିଲେହେଁ ତାଙ୍କରି ଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ଏହା ସେକାଳର ରକ୍ଷଣଶୀଳ ଯୁଗରେ । ଜଗନ୍ନାଥଙ୍କ ପକ୍ଷେ ଅତ୍ୟନ୍ତ ସାହସିକ ତଥା ବିପ୍ଲବିକ ପଦକ୍ଷେପ ବୋଲି ଉଲ୍ଲେଖ କରାଯାଏ ।

 

ପଞ୍ଚସଖାମାନଙ୍କ ମଧ୍ୟରୁ ଅଚ୍ୟୁତାନନ୍ଦ ଜନ୍ମସ୍ଥାନ ନେମାଳଠାରେ ନିଜର ଗାଦି ସ୍ଥାପନ କରି ସେଠାକୁ ବାରମ୍ବାର ଯାଇ ସ୍ଥାନୀୟ ଭକ୍ତ ଓ ଅନୁଗତଙ୍କ ସହିତ ସଂଯୋଗ ରକ୍ଷା କରି ବର୍ଷ ମଧ୍ୟରେ ଥରେ ଦୁଇଥର କେତେକ ବିଶେଷ ଉତ୍ସବ ଅନୁଷ୍ଠିତ କରାଉଥିଲେହେଁ ଅନ୍ୟାନ୍ୟ ସଖାଙ୍କ ସଦୃଶ ପୁରୁଷୋତ୍ତମ ପୁରୀ କ୍ଷେତ୍ରରେ ବର୍ଷର ଅଧିକାଂଶ ସମୟ ଅବସ୍ଥାନ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭକ୍ତି ସେବା ସମର୍ପଣ କରୁଥିଲେ ।

 

ପୁରୀଠାରେ ବିଭିନ୍ନ ଧର୍ମର ପ୍ରତିଷ୍ଠାତା ଯଥା ଶ୍ରୀ ଚୈତନ୍ୟ, ଗୁରୁ ନାନକ ଆଦି ମହାତ୍ମା ଏବଂ ବହୁ ସାଧୁସନ୍ଥଙ୍କ ସହିତ ଆଧ୍ୟାତ୍ମିକ ଆଲୋଚନା ତଥା ଭାବ ବିନିମୟର ସୁଯୋଗ ଲାଭ କରୁଥିଲେ ।

 

ପଞ୍ଚସଖା ଭକ୍ତକବିଗଣଙ୍କର ଆବିର୍ଭାବ ହୋଇଥିଲା ଏକ ଘଡ଼ିସନ୍ଧି ସମୟରେ । ସନାତନ ହିନ୍ଦୁଧର୍ମ ବାହ୍ୟାଚାର ସର୍ବସ୍ଵ ହୋଇ ପୂଜା,ବ୍ରତ, ଉପବାସ, ତୀର୍ଥାଟନ ଯୋଗ ଯଜ୍ଞାଦି କର୍ମକାଣ୍ଡ ପ୍ରଦର୍ଶିତ ମାର୍ଗ ପ୍ରାଧାନ୍ୟ ଲାଭ କରି ଥାଏ । ଧର୍ମାଚରଣ, ସଦାଚାର ବିଲୁପ୍ତ ପ୍ରାୟ । ହିନ୍ଦୁ ଧର୍ମର ଏହି ବିପର୍ଯ୍ୟୟ ଲକ୍ଷ୍ୟ କରି ପ୍ରଭୁ ବୁଦ୍ଧ ତହିଁର ସଂସ୍କାର ବିଧାନସ୍ଵରୂପ ବୌଦ୍ଧ ଧର୍ମ ନାମକ ଏକ ନୂତନ ଧର୍ମ ପ୍ରତିଷ୍ଠା କରିଥିଲେ । ତହିଁରେ କର୍ମକାଣ୍ଡ ପ୍ରକରଣ ଓ ବାହ୍ୟାଚାରର ପ୍ରାଧାନ୍ୟକୁ ଲୋପ କରାଯାଇ ସତ୍‌ ଆଚରଣ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଧର୍ମକୁ ଧର୍ମାଚରଣ, ସଦାଚାର, ସହିତ ଏକାଂଗୀଭୁକ୍ତ କରାଯାଇଥିଲା । ଧର୍ମାଚରଣ ଅନୁସରଣ ନକରି ଧର୍ମ କରି ହୁଏ ନାହିଁ ବୋଲି ନୀତିରୂପେ ଗ୍ରହଣ କରାଯାଇଥିଲା ।

 

ପଞ୍ଚସଖା ଭକ୍ତକବିଗଣଙ୍କର ଆବିର୍ଭାବ ସମୟରେ ସନାତନ ହିନ୍ଦୁଧର୍ମର ତଥା ନୁଆକରି ପ୍ରତିଷ୍ଠିତ ବୌଦ୍ଧ ଧର୍ମର ସ୍ଥିତି ଏହି ପ୍ରକାର ଥିଲା । ତଦ୍‌ବ୍ୟତୀତ ହିନ୍ଦୁ ଧର୍ମର ବିବିଧ ଉପଧର୍ମ ଯଥା ଶୈବ, ଗାଣପତ୍ୟ, ବୈଷ୍ଣବ, ଶାକ୍ତ ନାଥପନ୍ଥୀ ମଧ୍ୟ ମୁଣ୍ଡ ଟେକି ଉଠିଥାନ୍ତି । ଏହି ଉପଧର୍ମମାନ ହିନ୍ଦୁଧର୍ମର ଉପ ଦେବାଦେବୀମାନଙ୍କୁ ଆଶ୍ରାକରି ସମାନ୍ତରାଳ ଭାବରେ ଧର୍ମର ବ୍ୟାଖ୍ୟା କରି ଚାଲିଥାନ୍ତି । ପ୍ରତି ଧର୍ମ ନିଜ ନିଜ ଦେବାଦେବୀଙ୍କର ବଡ଼େଇ କରି ଅପର ଦେବାଦେବୀ ହେୟ ବୋଲି ନିନ୍ଦା କରିବା ଫଳରେ ପରସ୍ପର ମଧ୍ୟରେ ବିଦ୍ୱେଷ, କଳହ ଓ ସଂଘର୍ଷ ସଂଘଟିତ ହେଉଥାଏ-

 

ପଞ୍ଚସଖା ଭକ୍ତକବିଗଣ ସମସାମୟିକ ଉଲ୍ଲିଖିତ ଆଧ୍ୟାତ୍ମିକ ଏବଂ ଧାର୍ମିକ ପରିସ୍ଥିତି ସହିତ ପରିଚିତ ହେବା ସଂଗେ ସଂଗେ ଗୁଣ ତଥା ଦୋଷ ଦୁର୍ବଳତାରୁ ପ୍ରତ୍ୟକ୍ଷଜ୍ଞାନ ଅର୍ଜନ କରିଥିଲେ । ସେମାନଙ୍କର ରଚନାବଳୀରୁ ପ୍ରକଟ ହୁଏ ଯେ ଜ୍ଞାନ ମିଶ୍ର ଭକ୍ତି ମାର୍ଗହିଁ ତାଙ୍କର ଧ୍ୟେୟ ହୋଇଥିଲା-। ପରମାତ୍ମା ପରମେଶ୍ୱରଙ୍କୁ ପ୍ରତ୍ୟେକ ପ୍ରାଣୀର ଅନ୍ତରରେ ଦର୍ଶନ କରିଥିଲେ ସେମାନେ । ନିର୍ଗୁଣ ବ୍ରହ୍ମ ସେମାନଙ୍କର ଆରାଧ୍ୟ ଦେବତା ଥିଲେ । ମନ୍ଦିରରେ ପ୍ରତିଷ୍ଠିତ ପଥର ମୂର୍ତ୍ତି ନୁହେଁ । ଶ୍ରୀ ଜଗନ୍ନାଥଙ୍କୁ ନିର୍ଗୁଣ ବ୍ରହ୍ମଙ୍କ ପ୍ରତୀକରୂପେ ଗ୍ରହଣ କରି ତାଙ୍କଠାରେ ଭକ୍ତି ନିବେଦନ କରିଥିଲେ । ତିନି ଦେବତାଙ୍କ କାୟା ରୂପରୁ, କାଷ୍ଠ ବିଗ୍ରହ ହେତୁ, ପ୍ରତି ବାର ବର୍ଷରେ ନବକଳେବର ପ୍ରଥା ଯୋଗୁ, ନିର୍ଗୁଣ ବ୍ରହ୍ମରୂପେ ଗ୍ରହଣ କରିବାରେ ବାଧା ନଥିଲା । ଶ୍ରୀ ଜଗନ୍ନାଥଙ୍କୁ ଇଷ୍ଟରୂପେ ଗ୍ରହଣ କଲେ ।

 

ଶ୍ରୀ ଚୈତନ୍ୟଙ୍କ ବିଷୟରେ କୁହାଯାଏ ଯେ ସେ ୧୫୧୦ ଖ୍ରୀଷ୍ଟାବ୍ଦରେ ସନ୍ନ୍ୟାସ ଗ୍ରହଣ କରି ପ୍ରଥମେ ଶ୍ରୀକ୍ଷେତ୍ରକୁ ଆସି କିଛି ଦିନ ଅବସ୍ଥାନ କଲାପରେ ଆଠ ଦଶ ବର୍ଷକାଳ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିଥିଲେ । ତଦନନ୍ତର ସେ ପୁରୁଷୋତ୍ତମ ପୁରୀ ଶ୍ରୀକ୍ଷେତ୍ରକୁ ଫେରି ଆସି ଶେଷ ଜୀବନ ପର୍ଯ୍ୟନ୍ତ ପୁରୀଠାରେ ଅବସ୍ଥାନ କରିଥିଲେ।

 

ଯଦି ଶ୍ରୀଚୈତନ୍ୟ ସନ୍ନ୍ୟାସ ଗ୍ରହଣର ଦୁଇବର୍ଷ ମଧ୍ୟରେ ପୁରୁଷୋତ୍ତମ ପୁରୀକୁ ଆଗମନ କରିଥିଲେ, ଅର୍ଥାତ୍‌ ସ୍ନ ୧୫୧୨ରେ ପ୍ରଥମ ଆଗମନ କରିଥି‌ଲେ ତେତେବେଳେ ଭକ୍ତକବି ଜଗନ୍ନାଥଙ୍କ ବୟସ ମାତ୍ର ୧୪/୧୫ ବର୍ଷ । ସାଧାରଣତଃ ଅଠର ବର୍ଷ ପୂର୍ବରୁ ଦୀକ୍ଷା ଗ୍ରହଣ କରିବା ପ୍ରଥା ନଥାଏ । ତେଣୁ ପଞ୍ଚସଖା ଭକ୍ତକବିଙ୍କ ମଧ୍ୟରୁ ଜଗନ୍ନାଥ ଶ୍ରୀ ଚୈତନ୍ୟଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିବା ସମ୍ଭବ ଜଣାଯାଏ ନାହିଁ । ଅନ୍ୟମାନଙ୍କ କଥା ସ୍ଵତନ୍ତ୍ର । ତେବେ ବିଶିଷ୍ଟ ଶିକ୍ଷାବିତ୍‌ ସ୍ଵର୍ଗତଃ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ । ନିମ୍ନୋକ୍ତ ଅଭିମତରୁ ବିଶ୍ଵାସ ହୁଏ ଯେ ପଞ୍ଚସଖା କବିମାନଙ୍କ ମଧ୍ୟରୁ କେହି ଟୈତନ୍ୟଙ୍କ ଠାରୁ ଦୀକ୍ଷା ଗ୍ରହଣ କରିନଥିଲେ ।

 

ଗୌଡ଼ୀୟ ମତାନୁସାରେ ସେମାନେ (ପଞ୍ଚସଖାଗଣ) ଚୈତନ୍ୟଙ୍କ ଧର୍ମ ପଦ୍ଧତି ବା ମାର୍ଗର ପଥିକ ନଥିଲେ ବୋଲି ବୋଧହୁଏ । ‘ଚୈତନ୍ୟ ଲୀଳା’ ଲେଖକ ବଂଗୀୟ ବୈଷ୍ଣବ ବୃନ୍ଦାବନ ଦାସ, ଲୋଚନ । ଦାସ, କୃଷ୍ଣ ଦାସ କବିରାଜ ଆଦି ସେମାନଙ୍କୁ ଚୈତନ୍ୟଙ୍କର ଲୀଳାର ପରିକରରୂପେ ଗ୍ରହଣ କରିନାହାନ୍ତି ।

 

ଏହା ଶ୍ରୀଯୁକ୍ତ ମହାନ୍ତି ଉଲ୍ଲେଖ କରିଛନ୍ତି ପ୍ରାଚୀ ଗ୍ରନ୍ଥମାଳା ପକ୍ଷରୁ ପ୍ରକାଶିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ‘ବ୍ରହ୍ମ ଶାଂକୁଳି ଓ ‘ଅଣାକାର ସଂହିତା’ ଗ୍ରନ୍ଥଦ୍ୱୟର ମୁଖବନ୍ଧରେ ।

 

ଶ୍ରୀ ଚୈତନ୍ୟଙ୍କର ଗୌଡ଼ୀୟ ବୈଷ୍ଣବ ଭାବଧାରା ଭକ୍ତିର ପ୍ରାଧାନ୍ୟ ସ୍ଵୀକାର କରିଥିବା ସ୍ଥଳେ ପଞ୍ଚସଖା ଭକ୍ତକବିଗଣ ଉତ୍କଳୀୟ ବୈଷ୍ଣବ ମତବାଦ ଗୃହୀତ ଜ୍ଞାନ ମିଶ୍ର ଭକ୍ତିଭାବ ଧାରା ଗ୍ରହଣ ଓ ପ୍ରସାର କରିଥିବା ଦେଖାଯାଏ । ସାଧକ ନିଜର ବ୍ୟକ୍ତିଗତ ପ୍ରୟାସରେ ତତ୍ତ୍ଵଜ୍ଞାନ ଲାଭ କରି ନିର୍ମଳ ମନା ହୋଇ ସଦାଚାର ରତ ହେଲେ, ପ୍ରଭୁଙ୍କ ପ୍ରତି ପ୍ରେମ ଭକ୍ତି ଭାବ ନିବେଦନ କଲେ ପ୍ରଭୁଙ୍କୁ ଉପଲବ୍ଧ କରିପାରେ । ମନ କ୍ରମ ବଚନରେ ଶୁଦ୍ଧତା ଆଚରଣ ନକରି କେବଳ ଭକ୍ତିଦ୍ୱାରା ପ୍ରଭୁଙ୍କୁ ଉପଲବ୍ଧି କରିପାରିବା ସମ୍ଭବ ନୁହେଁ । ସ୍ଥୂଳତଃ ଏହାହିଁ ଥିଲା ଜ୍ଞାନ ମିଶ୍ର ଭକ୍ତି ମାର୍ଗର ଆଧ୍ୟାତ୍ମିକ ଦୃଷ୍ଟି କୋଣ ଏବଂ ଶ୍ରୀ ଚୈତନ୍ୟଙ୍କ ପ୍ରବର୍ତ୍ତିତ ବିଶୁଦ୍ଧ ଭକ୍ତି ମାର୍ଗଠାରୁ ପାର୍ଥକ୍ୟର ସ୍ଵରୂପ ।

 

ତେଣୁକରି ପଞ୍ଚସଖା ଭକ୍ତକବିଗଣ ଶ୍ରୀ ଚୈତନ୍ୟଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିବା ସମ୍ଭବପର ନୁହେଁ । ସେ ଆଠ ଦଶ ବର୍ଷ ତୀର୍ଥାଟନ କରି ଫେରିଲା ପରେ ପଞ୍ଚସଖାମାନଙ୍କ ସହିତ ଆଳାପ ଆଲୋଚନା ହୋଇଥିବା ଅଧିକ ସମ୍ଭବ । ନେମାଳରେ ଥିବା ଅଚ୍ୟୁତାନନ୍ଦଙ୍କ ପୀଠରେ ଅନ୍ୟ ଦେବାଦେବୀଙ୍କ ଗାଦି ସହିତ ଶ୍ରୀଚୈତନ୍ୟଙ୍କ ଗାଦି ମଧ୍ୟ ଦେଖାଯାଏ । ଯେତେଦୂର ସମ୍ଭବ ଶ୍ରୀ ଚୈତନ୍ୟ ଏହି ସମୟ ମଧ୍ୟରେ ନେମାଳପୀଠ ପରିଦର୍ଶନରେ ଯାଇଥାଇପାରନ୍ତି।

 

ସେତେବେଳକୁ ଭକ୍ତକବି ଜଗନ୍ନାଥଙ୍କ ବୟସ ପ୍ରାୟ ୨୫ ବର୍ଷ । ସେ ମଧ୍ୟ ଭାଗବତ ଗ୍ରନ୍ଥ ରଚନା । ସମାପ୍ତ କରିଥିବା ସମ୍ଭବ । ଜଗନ୍ନାଥଙ୍କ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ଶ୍ରୀଚୈତନ୍ୟ ତାଙ୍କୁ ଅତିବଡ଼ି ଉପାଧିରେ ଭୂଷିତ କରିଥିଲେ ବୋଲି କୁହାଯାଏ ।

 

ଶ୍ରୀ ଟୈତନ୍ୟଙ୍କଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ପଞ୍ଚସଖା ଭକ୍ତକବିଙ୍କ ସହିତ ସାକ୍ଷାତ ଆଳାପ ଓ ଆଲୋଚନା ସନ୍ଥ କବୀରଙ୍କ ସହିତ କବୀରଙ୍କ ପୁରୁଷୋତ୍ତମ କ୍ଷେତ୍ର ପୁରୀ ଆଗମନ ଏକ ଐତିହାସିକ ଘଟଣା । ପ୍ରବାଦ ମତେ ସମ୍ବତ୍‌ ୧୫୬୯ (ଖ୍ରୀ ୧୫୧୬)ରେ ତତ୍କାଳୀନ ଗଜପତି ମହାରାଜା ପ୍ରତାପରୁଦ୍ରଦେବଙ୍କ ନିମନ୍ତ୍ରଣ କ୍ରମେ ସନ୍ଥ କବୀର ପୁରୁଷୋତ୍ତମ ପୁରୀସ୍ଥିତ ଶ୍ରୀମନ୍ଦିରକୁ ସମୁଦ୍ରର ଅଚାନକ ଆକ୍ରମଣରୁ ରକ୍ଷା କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ଏହି ଘଟଣା ମଧ୍ୟ କବୀରପନ୍ଥିମାନଙ୍କର କେତେକ ହିନ୍ଦୀ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି ।

 

ସମ୍ବତ ପନ୍ଦ୍ରହସୌଊନହତ୍ତର ଆବେ

ସଦଗୁରୁ ଚଲେ ଉଡ଼ୀସା ଜାଓୌ ॥

ଏବଂ କାସୀ ଛୋଡ଼ ଉଡ଼ୀସା ଆୟେ;

ଆସା ଗାଡ଼େ ସିନ୍ଧୁ ତୀର ।

ଜାୟ ପୁରୀ ପୁରୁଷୋତ୍ତମ କୋ ପ୍ରଭୁ

ଦେକର ଦଣ୍ଡ ସମୁଦ୍ର ହାଟାୟେ ॥

(କବୀର ବାଣୀ ପୃ ୧୭୦)

 

ସମୁଦ୍ରର ଅଚାନକ ଆକ୍ରମଣରୁ ଶ୍ରୀମନ୍ଦିରକୁ ରକ୍ଷା କରିବାର ଉପାୟ ନଦେଖି ଗଜପତି ମହାରାଜା ପ୍ରତାପରୁଦ୍ର ଶ୍ରୀମନ୍ଦିର ପରିସରରେ ଜଗନ୍ନାଥ ମହାପ୍ରଭୁଙ୍କର ଶରଣାପନ୍ନ ହୋଇଥିଲେ-। ମହାପ୍ରଭୁଙ୍କ ସ୍ଵପ୍ନାଦେଶ ମତେ ଉକ୍ତ ସନ୍ଥରକବୀରଙ୍କୁ ବାରାଣସୀରୁ ତୁରନ୍ତ ନିମନ୍ତ୍ରଣ କରି ଆଣି ତାଙ୍କରି ସହାୟତାରେ ସମୁଦ୍ରର ନିୟନ୍ତ୍ରଣ ବିଧାନ କରିବାକୁ ନିର୍ଦ୍ଦେଶ ଲାଭ କରିଥିଲେ ଗଜପତି ମହାରାଜା । ତଦନୁସାରେ ଗଜପତିଙ୍କ ମହାମନ୍ତ୍ରୀ ସ୍ଵୟଂ ଯାଇ କବୀରଙ୍କୁ ସସମ୍ମାନେ ପୁରୀ ନେଇ ଆସି ଥିଲେ । କବୀର ନିଜର ଆଧ୍ୟାମ୍ମିକ ପ୍ରଭାବଦ୍ୱାରା ସମୁଦ୍ରକୁ ଶ୍ରୀମନ୍ଦିର ପାଦଦେଶରୂ ଅନ୍ତତଃ ତିନି କି.ମି. ଦୂର ହଟାଇ ନେଇ ଯାଇଥିଲେ । ନୂତନ ସମୁଦ୍ର କୂଳରେ ବର୍ତ୍ତମାନ ସ୍ଵର୍ଗଦ୍ୱାରରୂପେ ପରିଚିତ ସ୍ଥଳରେ କବୀର ଏକ ଆଶ୍ରମ ସ୍ଥାପନ କରି ମାସାଧିକ କାଳ ଅବସ୍ଥାନ କରିଥିଲେ ।

 

ସନ୍ଥ କବୀରଙ୍କର ପୁରୀ ଅବସ୍ଥାନ କାଳରେ ପଞ୍ଚସଖା ଉକ୍ତ କବିମାନଙ୍କ ମଧ୍ୟରୁ ଅନ୍ତତଃ ବଳରାମ ଓ ଜଗନ୍ନାଥଙ୍କ ସହିତ ଆଳାପ ଆଲୋଚନା ହୋଇଥିବାର ତତ୍କାଳୀନ କବି ସ୍ଵର୍ଗତଃ ମାଧବ ପଟ୍ଟନାୟକଙ୍କ ରଚିତ ବୈଷ୍ଣବ ଲୀଳାମୃତ ପୁସ୍ତକରୁ ଜଣାଯାଏ । ସନ୍ଥ କବୀରଙ୍କୁ ଏକ ତାମ୍ବୁରା ସହିତ ମଧୁର ସ୍ଵରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭଜନ ଗାଉଥିବାର ଦେଖି ଭକ୍ତକବି ଜଗନ୍ନାଥ ମୁଗ୍ଧ ହୋଇ ତାଙ୍କୁ ପ୍ରେମଭରେ ଆଲିଙ୍ଗନ କରିଥିବା କଥା ଉକ୍ତ ପୁସ୍ତକରେ ଉଲ୍ଲେଖ ରହିଛି -

 

ରାଜାର ଅକଂ ଚଉବିଂଶେ

ଉତ୍ତରୁ ସନ୍ନ୍ୟାସୀ ଏ ଆସେ

ନାମ ତା ଝୋଲିଆ କବୀର

କାଜିରସନ ଦେହେ ତାର

ତାମ୍ବୁରା ଏକ ଧରି ହାତ

ମଧୁର ସ୍ଵରେ ଗାଏ ଗୀତ

ଜଗନ୍ନାଥରେ ଭାବ ତାର

ମନ ତା ବଡ଼ଇ ଉଦାର

ସ୍ଵାମୀ ସେ ଭଜନ ଶୁଣିଲେ

ପ୍ରେମେ ତାହାଙ୍କୁ କୋଳ କଲେ ।

।।

 

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ଭଜନ ସନ୍ଥ କବୀର ଗାଉଥିବାର ଶୁଣି ଭକ୍ତକବି ଜଗନ୍ନାଥ ବିମୋହିତ ହୋଇଥିଲେ ତାହା ନିମ୍ନୋକ୍ତ ଲୋକପ୍ରିୟ ଭଜନ ବୋଲି ଅନୁମିତ ହୁଏ -

 

ଓଡ଼ିଶା ଜଗନ୍ନାଥ ପୁରୀ ମୈଁ ଠାକୁର ଭଲୈ ବିରାଜୋଜୀ ।

କାହେ ଛୋଡ଼େ ମଥୁରା ନଗରୀ କାହାଛୋଡ଼େ କାସୀ ।

ଝାଡ଼ ଖଣ୍ଡ ମୈଁ ଆୟ ବିରାଜୈ ବୃନ୍ଦାବନ କେ ବାସୀ ॥

ଠାକୁର ଭଲୈ ବିରାଜୋଜୀ ॥

 

ବୃନ୍ଦାବନ ମୈଁ ରାସ ରଚାଇ ତବ ହରି ପୁରୀ ସିଧାରେ ।

ବୋଧ ରୂପ ବନକର ପ୍ରଭୁବର ବୈଠେ ସିନ୍ଧୁ କିନାରେ ॥

ଠାକୁର ଭଲୈ ବିରାଜୋଜୀ ॥

 

ନୀଲ୍‌ଚକ୍ର ପର୍‌ ଧ୍ଵଜା ବିରାଜୈ ମସ୍ତକ ସୋହେ ହୀରା ।

ଠାକୁର ଆଗେ ଦାସୀ ନାଚେ ଗାଔ ଦାସ କବୀରା ॥

ଠାକୁର ଭଲୈ ବିରାଜୋଜୀ ॥

 

ନିର୍ଗୁଣ ନିରାକାର ପରଂବ୍ରହ୍ମ ଉପାସକ କବୀର ଶ୍ରୀମନ୍ଦିର ସ୍ଵର୍ଣ୍ଣବେଦୀ ଉପରେ ଶ୍ରୀ ଜଗନ୍ନାଥ ଆଦି ମହାପ୍ରଭୁଙ୍କ ବିଗ୍ରହର ସ୍ଵରୂପ ଦେଖି ତାଙ୍କର ଉଦାର ପୂଜାବିଧି, ମନ୍ଦିର ପରିସରରେ ମହାପ୍ରସାଦ ସେବନରେ ଜାତି, ଧର୍ମ, ଉଚ୍ଚ, ନୀଚ ଭେଦଭାବ ନଥିବା ଲକ୍ଷ୍ୟ କରି କବୀର ଶ୍ରୀ ଜଗନ୍ନାଥଙ୍କଠାରେ । ନିର୍ଗୁଣ ବ୍ରହ୍ମ ବୌଦ୍ଧ ନିରାକାର ପରାତ୍ପର ଭାବ ଆରୋପ କରି ଭକ୍ତି ନିବେଦନ କରିଥିଲେ ବୋଲି ପ୍ରତୀୟମାନ ହୁଏ । ତାହାହିଁ ପଞ୍ଚସଖା ଭକ୍ତକବିଗଣଙ୍କ ଆଭିମୁଖ୍ୟ ହୋଇଥିବା ଦେଖାଯାଏ । ସେମାନେ ଶ୍ରୀ ଜଗନ୍ନାଥଙ୍କଠାରେ ପ୍ରଭୁ ଶ୍ରୀକୃଷ୍ଣ ବାସୁଦେବଙ୍କୁ ଆରୋପ କରି ଭକ୍ତି ନିବେଦନ କରୁଥିଲେ ।

 

ଡକ୍ଟର ପରଶୁରାମ ଚତୁର୍ବେଦୀଙ୍କ ସଦୃଶ କେହି କେହି ଗବେଷକ ତାଙ୍କ ରଚିତ ‘‘ଉତ୍ତର ଭାରତକୀ ସନ୍ଥ ପରମ୍ପରା’’ ଗ୍ରନ୍ଥରେ ସନ୍ଥ କବୀର ଓ ପଞ୍ଚସଖା ଭକ୍ତକବିଗଣଙ୍କର ସାକ୍ଷାତ ଆଳାପ ଆଲୋଚନା ସଂପର୍କରେ ସନ୍ଦେହ ପ୍ରକାଶ କରି କହିଛନ୍ତି ତହିଁର ନିର୍ଭରଯୋଗ୍ୟ ତଥ୍ୟ ମିଳେ ନାହିଁ । ମାତ୍ର ସମସାମୟିକ କବି ମାଧବ ପଟ୍ଟନାୟକଙ୍କ ଉଲ୍ଲିଖିତ ପଦମାଧ୍ୟମରେ ପ୍ରକାଶ କରିଥି‌ବା ବିବରଣୀ ସେ ବିଷୟରେ ସମସ୍ତ ସନ୍ଦେହ ଦୂରକରେ ।

 

ସମ୍ବଲପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପକ ବିଶିଷ୍ଟ ଗବେଷକ ଡକ୍ଟର ବି. ସି. ଆଚାର୍ଯ୍ୟ କବୀରଙ୍କୁ ଓଡ଼ିଶା ଆଗମନ ବିଷୟ ଗବେଷଣା କରି ମାଧବ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ସୂତ୍ର ଯଥା ଦ୍ରାର୍ଢ଼୍ୟତା ଭକ୍ତି ଆଦି ଗ୍ରନ୍ଥରୁ କବୀର ଓ ପଞ୍ଚସଖା ଭକ୍ତକବିମାନଙ୍କ ମଧ୍ୟରେ ଆଳାପ ଆଲୋଚନା ବିଷୟ ଦୃଢ଼ଭାବରେ ଉପସ୍ଥାପିତ କରିଛନ୍ତି । ଉଲ୍ଲିଖିତ ମତେ ବଳରାମ ଓ ଜଗନ୍ନାଥ ଏବଂ ସନ୍ଥ କବୀରଙ୍କ ସାକ୍ଷାତ, ଆଳାପ ଆଲୋଚନା ହୋଇଥିବା ବିଶ୍ଵାସଯୋଗ୍ୟ ବୋଲି ଦୃଢ଼ ଭାବରେ ଅଭିମତ ପ୍ରକାଶ କରିଛନ୍ତି ।

 

ଏହା ମଧ୍ୟ ଉଲ୍ଲେଖନୀୟ ଯେ ପଞ୍ଚସଖା ଭକ୍ତକବିଙ୍କ ମଧ୍ୟରେ ଅନ୍ୟତମ ମହାପୁରୁଷ । ଅଚ୍ୟୁତାନନ୍ଦଙ୍କ ସାଧନାପୀଠ ନେମାଳଠାରେ ଗଣେଶ ଆଦି ଦେବାଦେବୀଙ୍କ ଗହଣରେ ସନ୍ଥ କବୀରଙ୍କର ଏକ ଗାଦି ମଧ୍ୟ ଦେଖିବାକୁ ମିଳେ । ତହିଁରୁ ଅନୁମାନ କବୀର ପୁରୀଠାରେ ଅବସ୍ଥାନ କାଳରେ ଅଚ୍ୟୁତାନନ୍ଦଙ୍କ ନିମନ୍ତ୍ରଣ କ୍ରମେ ନେମାଳ ଆଗମନ କରିଥିବା ସମ୍ଭବ ପର । ଏହା କବୀର ଓ ପଞ୍ଚସଖାଙ୍କ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ଥିବାର ନିଶ୍ଚିତ ସୂଚନା ଦିଏ । କବୀରଙ୍କ ଭଜନ ତାଙ୍କ ନିଜ ମୁଖରୁ ଶୁଣି ଭାବବିହ୍ୱଳିତ ହୋଇ ଭକ୍ତକବି ଜଗନ୍ନାଥ ତାଙ୍କୁ ପ୍ରେମରେ କୋଳାଗ୍ରତ କରିବା ଯେପରି ତାତ୍ପର୍ଯ୍ୟପୂର୍ଣ୍ଣ । ତାଙ୍କୁ ଉଦାର ଭାବାପନ୍ନ ମହାନ୍‌ ଭକ୍ତରୂପେ ଆଖ୍ୟାତ କରିବା ତତୋଧିକ ତାତ୍ପର୍ଯ୍ୟପୂର୍ଣ୍ଣ ।

 

ଉଭୟ କବୀର ଏବଂ ପଞ୍ଚସଖା ଉକ୍ତକବିଗଣ ନିର୍ଗୁଣ ବ୍ରହ୍ମଙ୍କ ଉପାସକ ଓ ରହସ୍ୟବାଦୀ ଭକ୍ତକବି ହେତୁ ସେମାନଙ୍କର ଆଧ୍ୟାତ୍ମିକ ଦୃଷ୍ଟିକୋଣ ଓ ଭାବଧାରାରେ ଥିବା ସହମତା ତଥା ପାର୍ଥକ୍ୟରେ ଦୃଷ୍ଟିପାତ କରିବା ସଫଳ ପ୍ରୟାସ ହେବ । ଏହି କ୍ଷୁଦ୍ର ନିବନ୍ଧରେ କବୀର ଓ ଭକ୍ତକବି ଜଗନ୍ନାଥ ଦାସଙ୍କ ବାଣୀରେ ପ୍ରକାଶିତ ତାଙ୍କର ଦୃଷ୍ଟି କୋଣ ଲକ୍ଷ୍ୟ କରିବାର ପ୍ରୟାସ କରାଯାଇଛି ।

 

(କ)

ଗୁରୁଙ୍କର ପ୍ରାଧାନ୍ୟ -

 

ଜଗନ୍ନାଥଙ୍କ ଦୃଷ୍ଟିରେ -

 

ସାକ୍ଷାତେ ଗୁରଯେ ଈଶ୍ଵର । ଗୁରୁଙ୍କୁ ନ ମଣିବ ନର ॥ ( ଭାଗବତ)

 

ଅର୍ଥାତ୍‌ ଗୁରୁ ସ୍ଵୟଂ ପରମେଶ୍ୱରଙ୍କ ସହିତ ସମାନ । ତାଙ୍କୁ ସାଧାରଣ ମନୁଷ୍ୟ ବୋଲି ବିଚାରବି । ଅନୁଚିତ । ପଞ୍ଚସଖାଙ୍କ ଦୃଷ୍ଟିରେ ପ୍ରଭୁ କୃପାରୁ ସଦଗୁରୁ ଲାଭ ହୋଇଥାଏ । ଗୁରୁଙ୍କ ପ୍ରତି ଏକାଗ୍ର ଭାବରେ ଅନୁରକ୍ତ ରହିବା ଶିଷ୍ୟର ପରମ କର୍ତ୍ତବ୍ୟ ।

 

କବୀରଙ୍କ ଦୃଷ୍ଟିରେ -

(୧)

ଗୁରୁ ଗୋବିନ୍ଦ ଦଉଖଡ଼ୈ କାକୈ ଲାଗୁଁ ପ୍ରାୟ ।

 

ବଲିହାରୀଗୁରୁ ଅପନେ ଗୋବିନ୍ଦ ଦିଓ ବତାୟ ॥

(୨)

ଗୁରୁ କିଜିୟେ ଜାନିକୈ ପାନୀ ପୀବୈ ଛାନି ।

 

ବିନା ବିଚାରେ ଗୁରୂ କରୈ ପରେ ଚୌରାସି ଖାନି ॥

(୩)

ସଦଗୁରୂ ଐସା କିଜିୟେ ଲୋଭ ମୋହ ଭ୍ରମ ନାହିଁ ।

 

ଦରିଆସେ ନ୍ୟାରା ରହୈ ଦିସୈ ଦରିଆ ମାହିଁ ॥

(୪)

ଝୁଠେ ଗୁରୁକେ ରକ୍ଷକୋ ତଜତ ନ ଜୀଜୈ ବାର ।

 

ଗ୍ୟାନ ନ ପାବେ ସବଦ କା ଭଟକେ ବାରମ୍ବାର ॥

(୫)

ସଦଗୁରୁ ମିଲ୍ୟା ତୋ କ୍ୟାଭୟା ଜୋମନ ପାଡ଼ୀ ଭୋଲ ।

 

ପାସୀ ବିନଠରା କପଡାଃ କ୍ୟା କରେ ବିଚାରୀ ଚୋଲ ॥

 

ଉପରୋକ୍ତ ବାଣୀଗୁଡ଼ିକରୁ କବୀରଙ୍କ ଦୃଷ୍ଟି କୋଣ ଲକ୍ଷ୍ୟ କରିହୁଏ । ପଞ୍ଚସଖା ଭକ୍ତକବିଙ୍କ ସଦୃଶ କବୀର ମଧ୍ୟ ସଦଗୁରୁଙ୍କୁ ପରମେଶ୍ୱରଙ୍କ ତୁଲ୍ୟ ବରଂ ତହଁରୁ ଅଧିକ ବୋଲି ପ୍ରକାଶ କରିଛନ୍ତି । ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ ପରମେଶ୍ଵରହିଁ ସଦଗୁରୁ ପ୍ରଦାନ କରିଥାନ୍ତି, ମାତ୍ର କବୀରଙ୍କ ମତରେ ସାଧକ ନିଜେ ନିଜ ଗୁରୁଙ୍କୁ ବାଛି ନେବାକୁ ହୁଏ । ଏବଂ ଅତ୍ୟନ୍ତ ସାବଧାନତା ସହ ବାଛିବା ଉଚିତ । ଅପର ପକ୍ଷେ ସ୍ୱୟଂ ସାଧକ ସଦଗୁରୁଙ୍କ ଉପଦେଶ ଗ୍ରହଣ ଏବଂ ହୃଦୟଙ୍ଗମ କରିବା ନିମିତ୍ତ ନିଜ ମନ, ଚେତନାକୁ ଉପଯୁକ୍ତ, ନିର୍ମଳ କରିନଥିଲେ ସଦ୍‌ଗୁରୁଙ୍କ ଉପଦେଶ ତାର କୌଣସି ଉପକାରରେ ଆସିବ ନାହିଁ । ସଦ୍‌ଗୁରୁଙ୍କୁ ବାଛିବା ଯେପରି ତାର ବ୍ୟକ୍ତିଗତ ଦାୟିତ୍ୱ ନିଜକୁ ସଦଗୁରୁଙ୍କ ଉପଦେଶଦ୍ୱାରା ଉପକୃତ ହେବା ପାଇଁ ପ୍ରସ୍ତୁତ କରି ରଖିବା ମଧ୍ୟ ତାର ଦାୟିତ୍ୱ-। ଏ ଦିଗରେ ତାର ପ୍ରୟାସ ନଥିଲେ ସଦଗୁରୁଙ୍କଦ଼୍ୱାରା ଉପକୃତ ହେବା ଅସମ୍ଭବ ବୋଲି ଚେତାଇଛନ୍ତି କବୀର ଏବଂ କଦାଚିତ୍‌ ଯଦି ଅଯୋଗ୍ୟ ବ୍ୟକ୍ତିଙ୍କୁ ଗୁରୁରୂପେ ବରଣ କରି ଦିଆଯାଏ ତାଙ୍କର ପ୍ରକୃତ ସ୍ଵରୂପ ଚିହ୍ନାମାତ୍ରେ ପରିତ୍ୟାଗ କରିବାରେ ସଂକୋଚ ରଖିବା ଉଚିତ ନୁହେଁ ବୋଲି ପରାମର୍ଶ ଦେଇଛନ୍ତି କବୀର ।

 

ଗୁରୁଙ୍କୁ ନିର୍ବାଚନ କରିବା ଦିଗରେ ସାଧକର ଦାୟିତ୍ୱ ବିଷୟ ପଞ୍ଚସଖା ଭକ୍ତକବିଗଣ କେହି ସୂଚନା ଦେଇଥିବା ଦେଖାଯାଏ ନାହିଁ । ମାତ୍ର ମନକୁ ଆୟତ୍ତ ଓ ନିର୍ମଳ କରି ରଖିବା ଦିଗରେ ବହୁ ଉପଦେଶ ବାଣୀ ଦେଇଛନ୍ତି ପଞ୍ଚସଖା ଭକ୍ତକବି ଗଣ । ଜଗ୍ନନାଥଙ୍କ ଭାଗବତ ଗ୍ରନ୍ଥରେ ତହିଁର ବହୁ ଦୃଷ୍ଟାନ୍ତ ଅଛି ।

 

(ଖ)

ପରମେଶ୍ୱରଙ୍କ ସ୍ଵରୂପ –

 

ଭକ୍ତକବି ଜଗନ୍ନାଥଙ୍କ ଦୃଷ୍ଟିରେ -

 

(୧)

କୀଟ ପତଙ୍ଗ ତରୁତୃଣେ

ବସଇ ଶରୀର ପ୍ରମାଣେ

 

ସୂକ୍ଷ୍ମେ ବସଇ ସର୍ବ ଦେହେ

ସ୍ଥୂଳ ନୟନେ ଭେଦ ନୋହେ

(୨)

ସ୍ଵଭାବେ ରୂପ ନାହିଁ ଯାର

ମହାମହିମ ନିର୍ବିକାର

 

ଯାହାର ଜନ୍ମ ଜଣା ନାହିଁ

ତା ତହୁଁ ଜାତ ସର୍ବ ଦେହୀ

(୩)

ନିର୍ମଳ ଆତ୍ମାରୂପ ହୋଇ

ପ୍ରାଣୀଙ୍କ ହୃଦେ ସେ ବସଇ

 

ଯାହାର ଗୁଣ ଅନ୍ତ ନାହିଁ

ସ୍ଵଭାବେ ନିର୍ଗୁଣ ବୋଲାଇ

(୪)

ତୁ ଏକ ପ୍ରଭୁ ଭଗବାନ

ତୋ ଶକ୍ତି ଅନେକ ବିଧାନ

(୫)

ଏକଇ ପୁରୁଷ ମୁରାରୀ

ସକଳ ଘଟେ ଛନ୍ତି ପୁରି

 

ଅନେକ ଘଟ ଜଳ ଥୋଇ

ଚାହିଁଲେ ଆକାଶ ଦିଶଇ

 

ଛାଣି ତା କଲେ ଏକ ଗୋଟି

ତହିଁ ଆକାଶ ଥାଏ ଘୋଟି

 

ଆକାଶ ନୁହଁଇ ନା ଭିନ୍ନ

ବିନାଶ ହୋୟେ ଘଟ ମାନ

(୬)

କାଷ୍ଠ ପାଷାଣ ତରୁ ତୃଣ

ସକଳ ଦେହେ ନାରାୟଣ

(୭)

ସ୍ଵଭାବେ ତରୁ ଅନନ୍ତ ରୂପୀ

ଜଗତ ଅଛି ଦେହ ବ୍ୟାପୀ

(୮)

ସ୍ଵଭାବେ ଜନ୍ମ ନାହଁ ଯାର

ଭକତ ହିତେ ଅବତାର

(୯)

ସକଳ ଦେହେ ନରହରି

ବସନ୍ତି ଆତ୍ମା ରୂପ ଧରି

 

ଅଛନ୍ତି ପରମାଣୁ ବତ

ସେ ପାଦେ ମୋର ପ୍ରଣିପାତ ॥

 

(ଭାଗବତ)

 

ଅର୍ଥାତ୍‌ ପରମାତ୍ମା ସୂକ୍ଷ୍ମ ରୂପରେ, ଜୀବାତ୍ମା ଭାବରେ ସକଳ ପ୍ରାଣୀଙ୍କ ହୃଦୟରେ ନିଜକୁ ଅବସ୍ଥାପିତ କରିଛନ୍ତି । ସ୍ଥାବର ଜଙ୍ଗମ ସର୍ବତ୍ର ବିଦ୍ୟମାନ ସେ । ତାଙ୍କର ରୂପରେଖ କିଛି ନାହିଁ । ସେ ନିର୍ଗୁଣ ନିର୍ବିକାର ପରଂବ୍ରହ୍ମ । ଅପର ପକ୍ଷେ ତାଙ୍କରିଠାରୁ ସକଳ ବିଶ୍ଵ ବ୍ରହ୍ମାଣ୍ଡ ଉପଜାତ । ଭକ୍ତ ଓ ଜଗତର ହିତ ଅର୍ଥେ ସେ ନିଜକୁ ଅବତାରରୂପେ ପ୍ରକଟ କରିଥାନ୍ତି । ପୃଥିବୀରେ ଅବତୀର୍ଣ୍ଣ ହେଇ ଭକ୍ତଜନଙ୍କର ସାଧୁ ସଜ୍ଜନଙ୍କର ଦୁଃଖ ମୋଚନ କରନ୍ତି । ଦୁଷ୍ଟମାନଙ୍କୁ ସଂହାର କରି ଜଗତରେ ପାପ ଭାର ଲାଘବ କରନ୍ତି, ଦୁର କରନ୍ତି ।

 

କବୀରଙ୍କ ଦୃଷ୍ଟିରେ -

(୧)

ପୈଠା ହୈ ଘଟ ଭିତର ବୈଠା ହୈ ସାଚେତ୍‌

 

ଜବ ଜୈସୀଗତି ଚାହତ ତବ ତୈସୀ ମତି ଦେତ୍‌ ॥

(୨)

କସ୍ତୁରୀ କୁଣ୍ଡଲି ବସୈ ମୃଗ ତୁଣ୍ଡେ ବନ ମାହିଁ ।

 

ଐସି ଘଟି ଘଟି ରାମହୈ ଦୁନିୟା ଦେଖେ ନାହିଁ ॥

(୩)

ଅଗମ୍‌ ଅଗୋଚର ଗମି ନାହିଁ ତହିଁ ଜଗମଗେ ଜୋତି ।

 

ଜହଁ କବୀରା ବନ୍ଦଗୀ ପାପ୍‍ ପୂଣ୍ୟ ନହଁ ଛୋତି ॥

(୪)

ସଂପଟି ମାହିଁ ସମାରୟା ସୋ ସାହବ ନହିଁ ହୋର ।

 

ସକଲ ମାଉଁ ମେ ରହ୍ୟା ସାହବ କହା ବୈ ସୋଇ ॥

(୫)

ଅନ ଗଢ଼ିୟା ଦେବା କୌନ କରେ ତେରେ ସେବା ।

 

ଗତେ ଦେବ କୋ ସବକୋଇ ପୂଜୈ ନିତହୀ ଲାଓୌ ସେବା ॥

 

ପୂରନ ବ୍ରହ୍ମ ଅଖଣ୍ଡିତ ସ୍ଵାମୀ ତାକୌନଗନେ ଦେବା ॥

 

ଦସ ଅୱତାର ନିରଞ୍ଜନ କହିୟେ ସୋ ଅପନା ନ ହୋଇ ।

 

ଇହତ ଅପନୀ କରନୀ ଭୋଗୈ କରତ ଔର ହୀ କୋଇ ॥

(୬)

କୋଟି କୃଷ୍ଣ ଜହାଁ ଜୋଡ଼େ ହାଥାକାଟି ବିଷ୍ଣୁ ଜହିଁନାଓୌ ମାଥ ॥

 

କୋଟିନ ବ୍ରହ୍ମା ପଢ଼ୈ ପୁରାନ । କୋଟି ମହେସ ଧରେ ଜହାଁ ଧ୍ୟାନ ॥

 

ସୁର ଗନ୍ଧର୍ବ ମୁନି ଗନେ ନ ଜାୟ, ଜହାଁ ସାହବ ପ୍ରଗଟେ ଆୟଆୟ ॥

(୭)

କତେକ ସିବ ସଙ୍କର ଗୟେ ଉଠି । ରାମ ସମାଧ୍‌ ଆଜହ୍ଁ ନହିଁ ଛୁଟି ॥

 

ପଞ୍ଚସଖା ଭକ୍ତକବି ଗଣଙ୍କ ସଦୃଶ କବୀର ପ୍ରାଣୀମାନଙ୍କ ଅନ୍ତରରେ ସୂକ୍ଷ୍ମଭାବରେ ଅବସ୍ଥିତ ଜୀବାତ୍ମା ସାରାବିଶ୍ୱ ବ୍ରହ୍ମାଣ୍ଡ ସ୍ଥାବର ଜଙ୍ଗମ ସର୍ବତ଼୍ର ପରିବ୍ୟାପ୍ତ ଅଦୃଶ୍ୟ ଶକ୍ତିଙ୍କୁ ହଁ ପରମାତ୍ମାରୂପେ ସ୍ଵୀକାର କରିଛନ୍ତି । ମନ୍ଦିର ମଧ୍ୟରେ ଥିବା ହାତ ଗଢ଼ା ମୂର୍ତ୍ତି ଅବା ଦଶ ଅବତାର ଭାବେ ପୂଜିତ ଦେବତା ପରମାତ୍ମା ନୁହଁନ୍ତି । ସର୍ବଶକ୍ତିମାନ, ସର୍ବତ୍ର ବିଦ୍ୟମାନ ଯାହାଙ୍କର ରୂପରେଖ କିଛିନାହିଁ, ଅଗମ୍ୟ ଅଚେତର ଶୂନ୍ୟ ମଣ୍ଡଳରେ ଜ୍ୟୋତିରୂପେ ଚିରନ୍ତନ ଭାବରେ ବିଦ୍ୟମାନ କବୀରଙ୍କର ଇଷ୍ଟ ପରମାତ୍ମା ‘‘ରାମ’’ । କୃଷ୍ଣ, ବିଷ୍ଣୁ ମହେଶ୍ଵର, ବ୍ରହ୍ମା ତାଙ୍କରି ସହାୟକ ଶକ୍ତି ମାତ୍ର । ସେହିସ୍ଥଳୀରେ ସେମାନେ ନତ ମସ୍ତକ ହୋଇ ପରମାତ୍ମାଙ୍କ ଅଦୃଶ୍ୟ ଇଙ୍ଗିତ ମତେ ତାଙ୍କ ଇଚ୍ଛା ଅନୁରୂପ କାର୍ଯ୍ୟ କରିବାରେ ବ୍ୟାପୃତ । ପରମାତ୍ମା ଚିର ସମାଧିସ୍ଥ । ପଞ୍ଚସଖା ଭକ୍ତଗଣ ଅବତାରଙ୍କୁ ପରମାତ୍ମାଙ୍କ ଅଂଶ ବୋଲି ଗ୍ରହଣ କରୁଥିବା ସ୍ଥଳେ କବୀର ସେମାନଙ୍କୁ ପରମାତ୍ମାଙ୍କ ଦୂତ ଭାବରେ ସ୍ଵୀକାର କରିଛନ୍ତି । କବୀରଙ୍କର ନିମ୍ନ ପଦ ପ୍ରତି ଧ୍ୟାନ ଦିଅନ୍ତୁ –

 

ଅପରଂପାର ଉପଜୈ ନହି ବିନସେ । ଅର୍ଥାତ୍‌ ତାଙ୍କର ଉତ୍ପତ୍ତି ନାହିଁ ବା ବିନାଶ ନାହିଁ ।

 

(ଗ)

ଆତ୍ମା ପରମାତ୍ମା, ମୋକ୍ଷ -

 

ପଞ୍ଚସଖା ଭକ୍ତକବି ଜଗନ୍ନାଥଙ୍କ ଦୃଷ୍ଟିରେ –

 

(୧)

ଯେମନ୍ତେ ଅଗ୍ନି ଧୂମ ବଳେ

କେବେହେଁ ନ ଦିଶେ ନିର୍ମଳେ

 

ସେ ରୂପ ବିଷୟାରେ ପ୍ରାଣୀ

କେବେହେଁ ଆତ୍ମାକୁ ନଚିହ୍ନି

(୨)

ସେ ଆତ୍ମା ବ୍ୟାପତ ସକଳ

ନ ଜାଣେ ବିଷୟା ଜଂଜାଳ

 

ଯାବତ ଆତ୍ମଜ୍ଞାନ ନାହିଁ

ସଂସାରୁ ନିବୃତ୍ତି ତା କାହିଁ

 

ସେ ଆତ୍ମା ନିର୍ଗୁଣଯେ ବ୍ରହ୍ମ

ସେହିଟି ମୁହଁ ବୋଲି ଜାଣ

(୩)

ଉପାଧି ବସ୍ତୁ ନାଶ ଯାଇ

ଆତ୍ମା କେବେହେଁ ନ ମରଇ

 

ସକଳ ଦେହେ ଆତ୍ମା ଏକ

ଅଜ୍ଞାନୀ ଜନଙ୍କୁ ଅନେକ

(୪)

ତୋତେ ନ ଜାଣି ଧର୍ମ ଚିନ୍ତି

ଯାତ୍ରା ବ୍ରତ ତୀର୍ଥେ ଭ୍ରମନ୍ତି

 

ଆତ୍ମାକୁ ନିସ୍ତାରି ନପାରେ

ତା ବୋଲେ ସଂସାର କି ତରେ ॥

 

(୫)

ଦୂର୍ଲଭ ନର କଳେବର

କେବଳ ମୁକତି ଦୂଆର

(ଭାଗବତ )

 

ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ ମାନବ ଏବଂ ସକଳ ପ୍ରାଣୀଙ୍କ ହୃଦଗତ ଆତ୍ମା(ଜୀବାତ୍ମା) ପରମାତ୍ମାଙ୍କ ଅଂଶ ବିଶେଷ । ପଞ୍ଚସଖା ଭକ୍ତକବି ଯଶୋବନ୍ତଙ୍କ ଭାଷାରେ -

 

ଯେଉଁ ବିନ୍ଧାଣୀ ତୋତେଟି କଲା ନିର୍ମାଣ ।

ସେହି ତୋ ଦେହେ ରହିଲା ଏହାତୁ ଜାଣ ॥

 

ପ୍ରାଣୀଙ୍କ ହୃଦଗତ ଆତ୍ମା (ଜୀବାତ୍ମା)ଙ୍କ ଲକ୍ଷ୍ୟ ଅନ୍ତିମରେ ପରମାତ୍ମାଙ୍କ ସହିତ ମିଳନ ବା ମୋକ୍ଷ । ଯେଉଁ ବ୍ୟକ୍ତି ଏହି ମିଳନ ପାଇଁ ପ୍ରୟାସ କରି ନପାରେ ଆତ୍ମାକୁ ବିସ୍ତାରି ନପାରେ, ତାର ମୋକ୍ଷ ନାହିଁ ବୋଲି ପ୍ରକାଶ କରିଛନ୍ତି (୪) । ଆତ୍ମଜ୍ଞାନ ଅର୍ଥାତ୍‌ ନିଜ ଆତ୍ମଗତ ଜୀବାତ୍ମା ସଦୃଶ ସକଳ ପ୍ରାଣୀଙ୍କ ଅନ୍ତରରେ ମଧ୍ୟ ଆତ୍ମା ନିବସିତ ହୋଇଥିବା ହେତୁ ସକଳ ମାନବ ଓ ପ୍ରାଣୀ ନିଜ ସହିତ, ପରସ୍ପର ସହିତ ସମାନ, ଏହି ସମଦୃଷ୍ଟିଜ୍ଞାନ ମାନବର ଲାଭ ନହେବା ପର୍ଯ୍ୟନ୍ତ ତାର ସଂସାରରୁ ନିବୃର୍ତ୍ତି ବା ମୋକ୍ଷ ନାହିଁ ବୋଲି ଗବେଷଣା କରିଛନ୍ତି (୨) । ନିସ୍ତାର, ନିବୃତ୍ତି ବା ମୋକ୍ଷ ଲାଭ ପରେ ମାନବ ଓ ଜୀବାତ୍ମାଙ୍କର ପୁନର୍ଜନ୍ମ ହୁଏ ନାହିଁ ।

 

ଅନ୍ୟଥା ପୁନରାୟ ମାନବ ବା ଇତର ଯୋନିରେ ଜନ୍ମ ଲାଭ କରିବାକୁ ହେବ । ପୁନର୍ଜନ୍ମ ନେବାକୁ ପଡ଼ିବ । ଇତର ଯୋନିରେ ଜନ୍ମ ହେଲେ ପ୍ରଥମେ ମାନବ ଯୋନିରେ ଜନ୍ମ ହେବାକୁ ପ୍ରୟାସ କରିସେହି ଯୋନିରୁ ପୁନରାୟ ମୁକ୍ତି ବା ମୋକ୍ଷ ଲାଭ ପାଇଁ ପ୍ରୟାସ କରିବାକୁ ହେବ (୫)-

 

କବୀରଙ୍କ ଦୃଷ୍ଟିରେ -

(୧)

ଉଲଟିସମାନା ଆପ ମୈଁ ପ୍ରଗଟି ଜୋତ ଅନନ୍ତ ।

 

ସାହାବ ସେବକ ଏକ ଅଂଗ ଖେଳୈ ସଦା ବସନ୍ତ ॥

(୨)

ଏକ ଏକତୈ ଅନ୍ତ ହ୍ୱୈ ଅନ୍ତ ଏକ ହୋ ଆୟ ।

 

ଏକ ସେ ଏକ ପରଚୈଭୟା ଏକୈ ମାହି ସମାୟା ॥

(୩)

ବହୁତ ଦିନନ କେ ବିଛୁରେ ହରି ପାୟେ,

 

ଭାଗବଡ଼େ ଘର ବୈଠେ ଆୟେ ।

 

ଚରନନି ଲାଗୌଁ କରୌଁ ବରିଆଇ,

 

ପ୍ରେମ ପ୍ରୀତି ରାଖୌଁ ଉରଝାଇ ॥

(୪)

ସଂଗକୀ ବିଛୁରୀ ମିଲନ ନା ପାୱ ସୋଚ କରୈ ଅରୁ କାହୈ ।

 

ଜତନ କରୈ ଅରୁ ଜୁଗତି ବିଚାରୈ ରଟେ ରାମ କୁଁ ଚାହୈ ॥

(୫)

ବହୁତ ଦିନନଥୈ ବିଛୂରୈ ମାଧୋ ମନ ନହିଁ ବାଂଧେ ଧୀର ।

 

ଦେହ୍‌ଛତାଁ ତୁମ ମିଲହୁ କିରପା କରି, ଆରତିବନ୍ତ କବୀର ॥

 

କବୀର ସ୍ପଷ୍ଟ ଭାବରେ ଦର୍ଶାଇଛନ୍ତି ଯେ ପରମାତ୍ମା ମାନବକୁ ନିଜ ପ୍ରତିଛବିରେ ସ୍ଵର୍ଗୀୟ ଯନ୍ତ୍ରୀଙ୍କ ସାହାଯ୍ୟରେ ସର୍ଜନାକରି ତା’ହୃଦ ମନ୍ଦିରରେ ନିଜର ଅଂଶ ବିଶେଷ ସ୍ଵରୂପ ଜୀବାତ୍ମାଙ୍କୁ ନିହିତ କରିଛନ୍ତି । ଅନ୍ତିମ ଲକ୍ଷ୍ୟ ଜୀବାତ୍ମା ଓ ପରମାତ୍ମାଙ୍କର ମିଳନ । ତାହାହିଁ ଜୀବାତ୍ମା ଓ ଜୀବ ବା ମାନବର ମୋକ୍ଷ । ତତ୍ପରେ ଜୀବତ୍ମାଙ୍କର ପୂନର୍ଜନ୍ନ ହୁଏ ନାହିଁ । ନଚେତ୍‌ ସେ ଜୀବର କର୍ମ ଅନୁସାରେ ପୁନରାୟ ମାନ ବା ଇତର ଯୋନିରେ, ଜନ୍ମ ଗ୍ରହଣ କରି ପରମାତ୍ମାଙ୍କ ସହିତ ମିଳିତ ହେବାକୁ ପ୍ରୟାସ ରତ ରହନ୍ତି । ଇତର ଯୋନିରେ ଜନ୍ମ ଲାଭ କଲେ କ୍ରମଶଃ ନର ଯୋନି ଲାଭ କଲା ପରେ ପୁନରାୟ ମିଳିତ ହେବାର ସୁଯୋଗ ମିଳେ ।

 

ଜୀବାତ୍ମାଙ୍କର ମୋକ୍ଷ ବା ନିସ୍ତାର ଲାଭ ପାଇଁ ମାନବର ପ୍ରୟାସ ଅପରିହାର୍ଯ୍ୟ । ସେ ଶୁଭ କର୍ମରତ ହୋଇ ରହିଲେ ଜୀବାତ୍ମା ସ୍ଵର୍ଗଗାମୀ ହୋଇ ପରମାତ୍ମାଙ୍କ ସହିତ ମିଳିତ ହୁଅନ୍ତି । ମୋକ୍ଷ ଲାଭ କରନ୍ତି । ଅଥଚ ଦୃଷ୍କର୍ମ ରତ ହେଲେ ଇତର ଯୋନିରେ ପୁନର୍ଜନ୍ମ ଲାଭ କରନ୍ତି । ମୋକ୍ଷ ଲାଭ ହୁଏ ନାହିଁ ।

 

ଅନୁରୂପ ଭାବଧାରା ମଧ୍ୟ ପଞ୍ଚସଖା ଭକ୍ତକବି ପ୍ରକାଶ କରିଛନ୍ତି । ଉଲ୍ଲିଖିତ ପଦ(୪)ରେ ‘‘ଆତ୍ମକୁ ନିସ୍ତାରି ନପାରେ । ତା ବୋଲେ ସଂସାର କିତରେ’’ କହି । ଜୀବାତ୍ମାଙ୍କ ମୋକ୍ଷ ସହିତ ସଂପୃକ୍ତ ମାନବର ମଧ୍ୟ ମୋକ୍ଷ ଲାଭ ହୁଏ । ତାହାହିଁ ମାନବର ଅନ୍ତିମ ଲକ୍ଷ୍ୟ ।

 

(ଘ)

ଭକ୍ତ ଓ ଭକ୍ତି

 

ପଞ୍ଚସଖା ଭକ୍ତ ଜବି ଜଗନ୍ନାଥଙ୍କ ଦୃଷ୍ଟିରେ -

 

(୧)

ନିଷ୍କର୍ମ ମାର୍ଗେ ଆତ୍ମଜ୍ଞାନ

ସର୍ବତ୍ର ଦେଖଇ ସମାନ

 

ପୁରୁଷୋତ୍ତମ ଭାବେ ଭଜି

ପରମ ଆତ୍ମା ମନେ ହେଜି

 

ନିର୍ଗୁଣ ଭକ୍ତି ଏହା କହି

ଏହାକୁ ଶୁଣ ମନ ଦେଇ

(୨)

ଦାରା ମନ୍ଦିର ସତୁ ଧନ

କେବେହେଁ ନ କଳ୍ପେ ତା ମନ

 

ଯେ ପ୍ରାଣ ଛାଡ଼େ ମୋର ହିତେ

ମୁଁ ତାକୁ ଛାଡ଼ିବି କେମନ୍ତେ

 

ମୁଁ ତାକୁ ଦିଶେ ସର୍ବ ଭୂତେ

ହୃଦୟେ ଥାଏଁ ଅବିରତେ

(୩)

ତୋହର ଶତୁ ମିତ୍ର ନାହିଁ

ତୋର ଭିଆଣ ସର୍ବ ଦେହି

 

ଭକତି କରନ୍ତି ଯେ ତୋତେ

ଯେ ଅବା ଭଜେ ଶତୁ ମତେ

।।

 

ଦୁହଁଙ୍କି ଦେଇ ଏକମତି

ଦ୍ରୟା ସାଗର ଦାଶରଥି

 

ପଞ୍ଚସଖା ଭକ୍ତକବିଗଣଙ୍କ ଭାବଧାରାରେ ସମସ୍ତ ଭୌତିକ ସମ୍ପଦ ତଥା ପାର୍ଥିବ ସମ୍ପର୍କ ଛିନ୍ନ କରି ପାରିଲେ, ଅନନ୍ୟ ଭାବେ ପରମେଶ୍ୱରଙ୍କଠାରେ ଲକ୍ଷ୍ୟ ରଖି ତାଙ୍କ ଶରଣାଗତ ହେଲେ, ପୂର୍ଣ୍ଣ ଆତ୍ମ ସମର୍ପଣ କଲେ, ସର୍ବ ଜୀବରେ ପରମାତ୍ମାଙ୍କ ସ୍ଥିତିକୁ ସ୍ଵୀକାର କରି ସମସ୍ତଙ୍କୁ ନିଜପରି ଦେଖି ପାରିଲେ ମାନବ ପରମାତ୍ମାଙ୍କଠରେ ନିଷ୍କାମ ଉକ୍ତି ସମର୍ପଣ କରିଥାଏ । ଏରୂପ ବ୍ୟକ୍ତିକୁ ପରମାତ୍ମାଙ୍କ ଆଶ୍ରୟ ମିଳିଥାଏ ।

 

କବୀରଙ୍କ ଦୃଷ୍ଟିରେ -

(୧)

କବୀରା ଭକ୍ତି ବଗରିୟା କଙ୍କର ପଥର ହୋୟ ।

 

ଅନ୍ତର ମୈଁ ବିଷ ରାଖକେ ଅମୃତ ଡାର, ନ ଖୋୟ ॥

(୨)

ଭଗତି ଦୁହେଲୀ ରାମକୀ ଜୈସେ ଖାଣ୍ଡେକା ଧାର ।

 

ଡୋଲୈ ତୋ କଟି ପଡ଼େ ନହିଁ ତୋ ଉତରେ ପାର ॥

(୩)

ଦ୍ୱାର ଧନୀ କା ପଡ଼ି ରହୈ ଧକ୍କା ଧନୀକା ଖାୟ ।

 

କବହୁକ ଧନୀ ନିବାଜିହେ, ଦର ଛାଡ଼ି ନ ଜାୟ ॥

(୪)

ପ୍ରେମ ବିନା ଜୋ ଭକ୍ତି ହୈ ସୋ ନିଳ ଦମ୍ଭ ବିଚାର ।

 

ଉଦର ଭରନ କେ କାରନେ ଜନମ ଗଁବାୟୋ ସାର ॥

(୫)

ଜବ ଲଗ ଭକ୍ତି ସକାମତା ତବ ଲଗ ନିଷ୍ଫଲ ସେବତ ।

 

କହୈ କବୀର ଓ କୁଁ ମିଲୈ ନିହକାମ ନିଜଦେବ ॥

 

ପଞ୍ଚସଖାଙ୍କ ସଦୃଶ କବୀର ମଧ୍ୟ ନିଷ୍କାମ ଭକ୍ତିର ପ୍ରାଧାନ୍ୟ ଦର୍ଶାଇଛନ୍ତି । ସକାମ ଭକ୍ତି ନିଷ୍ଣଳ ବୋଲି ଦୃଢ଼ଭାବରେ କହିଛନ୍ତି । ଭକ୍ତିହୀନ ହୃଦୟ ଟାଙ୍ଗରା ଭୂମି ସହିତ ସମାନ, ଶ୍ମଶାନ ସଦୃଶ । ସର୍ବୋପରି ପ୍ରଭୁପ୍ରତି ପ୍ରେମ ଅନୁରାଗ ବ୍ୟତୀତ ଭକ୍ତି ନିରର୍ଥକ ବୋଲି ଘୋଷଣା କରି କହିଛନ୍ତି । ପ୍ରେମ ବିହିନ ଭକ୍ତିକୁ ଭକ୍ତି କହିବା ନିଜର ଦମ୍ଭିତା ମାତ୍ର । ପଞ୍ଚସଖା ଗଣଙ୍କ ପୂର୍ଣ୍ଣ ଆତ୍ମ ସମର୍ପଣକୁ ପ୍ରେମଭାବ ସହିତ ସମତୁଲ କରାଯାଇପାରେ । ମାତ୍ର କବୀରଙ୍କ ପ୍ରେମ ଆତ୍ମସମର୍ପଣଠାରୁ ଅଧିକ ଗଭୀର, ଅଧିକ ବ୍ୟକ୍ତିଗତ ସମ୍ପର୍କ ।

 

(ଙ)

ମନ ନିୟନ୍ତ୍ରଣ ଗୁରୁତ୍ୱ -

 

ପଞ୍ଚସଖା ଉକ୍ତକବି ଜଗନ୍ନାଥଙ୍କ ଦୃଷ୍ଟିରେ -

 

(୧)

ମନକୁ ନିର୍ବିଷୟ କର

ସକଳ ଚିନ୍ତା ପରିହରି

 

ମନ ପ୍ରସନ୍ନ ଯେତେବେଳେ

ଜ୍ଞାନ ପ୍ରସାରେ ସୁନିଶ୍ଚଳେ

(୨)

ଏ ମନ ସ୍ଵଭାବେ ଚଞ୍ଚଳ

କେବେହେଁ ନୁହଁଇ ନିଶ୍ଚଳ

 

ନିରତେ ସାଧୁସଂଗ ଯେବେ

ମନ ନିଶ୍ଚଳ ହେବ ତେବେ

(୩)

ମନର ବଶ ଯେବା ହୋଇ

ଇନ୍ଦ୍ରିୟ ଅର୍ଥେ ସେ ଭ୍ରମଇ

 

ଯେ ତାକୁ ବଶ କରିପାରେ

ସର୍ବ ଇନ୍ଦ୍ରିୟ ଜୟକରେ

(୪)

ମନହିଁ ଦେହ ଗୁଣ କର୍ମ

ଆପଣେ କରଇ ସୃଜନ

 

ଏ ମନ ଭାବୁଥାଇ ଯାହା

କାଳେ ପ୍ରାପତ ହୁଏ ତାହା

(୫)

ମନର ମୂଳେ ପାଞ୍ଚ ମନ

ଅନ୍ତେ ତୋ ପଦେ ହୁଏ ଲୀନ

(୬)

ମନର ମୂଳେ ଏ ଜଗତ

ପ୍ରାଣୀ ଏ ହୋନ୍ତି ଆତଜାତ

 

ମନଟି ସୁଖ ଦୁଃଖ ଦାତା

ସେ ପାପ ପୁଣ୍ୟର କରତା

(୭)

ମନ ତୋହର ନିଜ ଗୁରୁ

ଉଦ୍ଧବ କେତେ ତୁ ପଚାରୁ

 

ମନ ସ୍ଵଭାବତଃ ଚଞ୍ଚଳ । ପର୍ଯ୍ୟାପ୍ତ ସାଧୁସଙ୍ଗଦ୍ୱାରା ମନକୁ ନିୟନ୍ତ୍ରିତ କରି ହୁଏ । ମନକୁ ନିୟନ୍ତ୍ରଣ କରି ପାରିଲେ ମାନବ ତାର ଇନ୍ଦ୍ରିୟ ଗଣକୁ ବଶ କରିପାରେ, ଯାହା ଫଳରେ ତା ଅନ୍ତରର ଷଡ଼ ରିପୁଙ୍କୁ ଜୟ କରିବା ସମ୍ଭବ ହୁଏ । ନିୟନ୍ତ୍ରିତ ମନ ମାନବଙ୍କୁ ସତ୍‍କର୍ମରେ ସହାୟତା କରିବାର ଅମାପ ବଳ ଧାରଣ କରେ । ମନର ବଳଦ୍ୱାରା ଅସମ୍ଭବକୁ ସମ୍ଭବ କରାଯାଇପାରେ ।

 

ଅପର ପକ୍ଷେ ଅନିୟନ୍ତ୍ରିତ ମନର ବଶ ହେଲେ ଇନ୍ଦ୍ରିୟଗଣଙ୍କ କବଳରେ ପଡ଼ି ବିପଥଗାମୀ ହେବା ସୁନିଶ୍ଚିତ ।

 

ପଞ୍ଚସଖା ଭକ୍ତକବିଙ୍କ ମତରେ ମାନବର ମୃତ୍ୟୁପରେ ପଞ୍ଚତତ୍ତ୍ୱମୟ ତାର କାୟା, କ୍ଷିତି, ଅପ୍‌, ତେଜ, ଆଦି ପଞ୍ଚ ତତ୍ତ୍ୱରେ ମିଶିଯିବା ସ୍ଥଳେ ମନ ପରମାତ୍ମାଙ୍କଠାରେ ଲୀନ ହୁଏ -

 

କବୀରଙ୍କ ଦୃଷ୍ଟିରେ -

(୧)

କବୀରା ମନ ନିର୍ମଲ ଭୟା ଜୈସେ ଗଙ୍ଗା ନୀର ।

 

ତବ ପାଁଛେ ଲଗା ହରି ଫିରୈ କହତ କବୀର କବୀର ॥

(୨)

ବାଜୀଗରକା ବାଁଦରା ଜୀବା ମନକେ ସାଥ ।

 

ନାନା ନାଟ ନଚାୟକେ ରାଖୈ ଅପନେ ହାଥ ॥

(୩)

କାୟା ଦେବଲ ମନ ଧଳା ବିଷୈ ଲହରୀ ଫହରାଇ ।

 

ମନ ଚଲ୍ୟା ଦେବଲ ଚଲୈ ତାକା ସରସ ଜାଇ ॥

(୪)

ମନ ନ ମାରୟା ମନ କରି ସକୈ ନ ପଞ୍ଚ ପ୍ରହରୀ ।

 

ସୀଲ ସାଁଚ ସରଧା ନାହିଁ ଇନ୍ଦ୍ରୀ ଆଜହୁଁ ଉଧାରୀ ॥

(୫)

କବୀରା ମନ ପରବତ ହତା ଅବମୈ ପାୟା କାନୀ ।

 

ଟାଙ୍କୀ ଲାଗି ସକଦକୀ ନିକସି କଂଚନ ଖାନୀ ॥

(୬)

ମାଲା ଫିରୈ କରମୈଁ ଜିଭ ଫିରୈ ମୁଖ ମାହିଁ ।

 

ମନୁଆ ତୋ ଚହଦିସି ଫିରୈ ୟେ ତୋ ସୁମିରନ ନାହିଁ ॥

(୭)

ମହମନ୍ତା ମନ ମାରିଲୈ ଘଟହିଁ ମାହିଁ ଘେର ।

 

ଜବହୀ ଚାଲୈ ପିଠ ଦୈ ଅଙ୍କୁସ ଦୈ ଦୈ ଫେର ॥

(୮)

ଜୋ ତନ ନାହିଁ ମନ ଧରୈ ମନ ନିର୍ମଲ ହୋଇ ।

 

ସାହାବ ସୋ ସନମୁଖ ରହୈ ତୋଫିର ବାଲକ ହୋଇ ॥

(୯)

କୂଁଭୈ ବାଧା ଜଲ ରହୈ ଜଲ ବିନା କୁମ୍ଭନ ହୋୟ ।

 

ଗ୍ୟାନେ ବାଁଧା ମନ ରହୈ ମନ ବିନା ଗ୍ୟାନ ନ ହୋୟ ॥

 

କବୀର ମଧ୍ୟ ମନକୁ ଅତ୍ୟନ୍ତ ଚଞ୍ଚଳ ଓ ଅନିର୍ଭରଶୀଳ ବୋଲି କହି ପଦେ ପଦେ ତାକୁ ଆକଟ କରି ନିୟନ୍ତ୍ରଣ କରିବା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି । ଅନିୟନ୍ତ୍ରିତ ମନ ହେତୁ ମାନବ ତାର ଚରିତ୍ର, ସତ୍‌ ଆଚରଣ ହରାଏ । ଅଥଚ ମନକୁ ନିୟନ୍ତ୍ରଣ କରି ନିର୍ମଳ କରି ପାରିଲେ ତାହା ମାନବକୁ ଭୌତିକ ସମ୍ପଦଠାରୁ ଆଧ୍ୟାତ୍ମିକ ପ୍ରଗତି ଓ ମୋକ୍ଷ ପର୍ଯ୍ୟନ୍ତ ଲାଭ କରିବାରେ ସହାୟତା କରିଥାଏ ।

 

ପଞ୍ଚସଖା ଭକ୍ତକବିଙ୍କ ସଦୃଶ ମୃତ୍ୟୁ ପରେ ମାନବର ପଞ୍ଚତତ୍ତ୍ଵ ନିର୍ମିତ ଶରୀର ପଞ୍ଚତତ୍ତ୍ୱ ଉପାଦାନରେ ମିଶିଯାଏ କେବଳ ମନ ବା ପରମାତ୍ମାଙ୍କଠାରେ ଲୀନ ହୁଏ ବୋଲି କବୀର ଦର୍ଶାଇଛନ୍ତି -

 

କବୀରା ସଂସା ଦୂରକର ଜାମଣ ମରଣ ଭରମ ।

ପଞ୍ଚତତ୍‌ ତତ ହୀ ମିଲୈ ସୁରତ ସମାନା ମନ ॥

 

(ଚ)

କର୍ମ ଓ ଫଳ -

 

ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ -

 

(୧)

ଏ ଜୀବରୂପେ କଳେବରେ

କର୍ମ କରଇ ନିରନ୍ତରେ

 

ସେ କର୍ମ ବଶେ ଗତା ଗତ

କର୍ମ କରଇ ଅବିରତ

 

କର୍ମର ସମାପତି ନାହିଁ

ତେଣୁ ତା ସନ୍ତତ କରଇ

(୨)

ସତ୍‌ କର୍ମ ଯେ ମାନେ କରନ୍ତି

ସତ କର୍ମଫଳ ସେ ଲଭନ୍ତି

 

ମନ୍ଦ କର୍ମରେ ଯୁକ୍ତ ଯେହୁ

ସୁଫଳ ଲଭିବେ ସେ କାହୁଁ

 

ବିହିତ କର୍ମ ଯେ କରଇ

ତାର ପାପକୁ ଡର ନାହିଁ

 

ନିଷେଧ କର୍ମ କରେ ଯେହୁ

ସକଳ ଦଣ୍ଡ ସହେ ସେହୁ

(୩)

କର୍ମାନୁସାରେ ଫଳ ପାଇ

ଉଦ୍ଧବ କହିଲି ବୁଝାଇ

 

କର୍ମର ମତେ ଦୁଃଖ ସୁଖ

ଜନ୍ମ ମରଣ ହୋୟେ ଦେଖ

 

କର୍ମଟି ଦୁଃଖ ସୁଖ ଦାତା

ବିଶ୍ଵ ସଂସାରେ ବଳବନ୍ତା

(୪)

କର୍ମର ବଳେ ଦେହଘେନି

ଜୀବ ଭ୍ରମଇ ନାନା ଯୋନି

 

କର୍ମ ଯେ ଶତ୍ରୁ ମିତ୍ର ହୋଇ

ଗୁରୁଙ୍କ ପ୍ରାୟେ ଶିକ୍ଷା ଦେଇ

(୫)

ଯେସନେ ନଦୀ ସ୍ରୋତ ଜଳେ

ବାଲୁକା ନରହେ ନିଶ୍ଚଳେ

 

ତେସନେ ପ୍ରାଣୀ ଯଥା କାଳେ

ଆସଇ ଯାଇ କର୍ମ ବଳେ

(୬)

ଆପଣା ହସ୍ତେ ଜିହ୍ୱା ଛେଦି

କେ ତାର ଅଛି ପ୍ରତିବାଦୀ

(୭)

ମୁଁ କାହା ପରମାଦେ ନାହିଁ

ମୋତେ ପ୍ରମାଦ ଅଛି କାହିଁ

 

କର୍ମ ଅନୁରୂପ ଫଳଭୋଗ କରିବା, ସୁଖ ଦୁଃଖ ଲାଭ କରିବା ପଞ୍ଚସଖା ଭକ୍ତକବିଙ୍କର ଅଭିମତ ବୋଲି ଦେଖାଯାଏ । କେବଳ ତେତିକି ନୁହେଁ କର୍ମ ଅନୁସାରେ ଅନ୍ତିମରେ ମାନବ ଇତର ଯୋନୀରେ ପୂନର୍ଜନ୍ମ ଅଥବା ମୋକ୍ଷ ଲାଭ କରେ ।

 

ଅପର ପକ୍ଷେ ପ୍ରକୃତି ଗତ ଭାବରେ ମାନବ ସତତ କର୍ମରତ ହୋଇରହେ । କର୍ମ ନକରି ସେ ଆଦୌ ରହି ନପାରେ । ପ୍ରକୃତିର ତାଡ଼ନାରେ କର୍ମ କରିବାକୁ ବାଧ୍ୟ ହୁଏ ।

 

କବୀରଙ୍କ ଦୃଷ୍ଟିରେ -

 

(୧)

କଥନୀ ଥୋ ଥିଁ ଜଗତ ମେଁ କରନୀ ଉତ୍ତମ ସାର ।

 

କହତ କବୀର କରନୀ ସଫଲ ଉତରେ ମଂଜିଲ ପାର ॥

(୨)

ରାମ ରାଇ ତେରୀ ମତି ଜାନି ନ ଜାଇ ।

 

ଜୋ ଜସ କରି ହୈ ସୋତସ ପାଇହୈ ରାଜା ରାମ ନିଆଇ ॥

 

ଜୈସୀ କହେ କରେ ଜୋ ତୈସୀ ତରତ ନଲାଗେ ବାରା ।

 

କହତା କହଗଯା ସୁଣତ ସୁଣିଗୟା କରନୀ କଠିନ ଅପାରା ॥

(୩)

କଲିକାଲ ତତ୍‌କାଲ ହୈ ବୁରା କରୈ ଜନି କୋଇ ।

 

ଅନବାବେ ଲୋହ ଦାହିଣୈ, ଜୋବେ ସୁ ଲୁଣତା ହୋଇ ॥

(୪)

କାମ ମିଲାବେ ରାମ ସୂଁ ଜୋ କୋଇ ଜାଣେ ରାଷି ।

 

କବୀର ବିଚାରା କ୍ୟା କରେ ଜା କା ସୁଖଦେବ ବୋଲେ ସାଷି ॥

(୫)

କବୀରା କମାଇ ଅପନୀ କବହୁଁନ ନିଷ୍ଠଲ ଜାୟ ।

 

ସାତ ସମୁଦର ଆଡାପଡ଼ୈ ମିଲେ ଅଗାଡ଼ି ଆୟ ॥

(୬)

କହତା ହୁଁ କହ ଜାତା ହୁଁ କାହାଜୁ ମାନ୍‌ ହମୀର ।

 

ଜିସିକା ଗଲତୀ କହୈ ଓ୍ୟଗଲ କାଟେ ତୁହ୍ମାର ॥

 

ଚେତାବନୀ ଦେଇ କବୀର ଦୁଷ୍କର୍ମଠାରୁ ନିବୃତ୍ତ ହେବାକୁ କହିଛନ୍ତି । କର୍ମ ଅନୁରୂପ ଫଳ ପ୍ରାପ୍ତି ଅନିବାର୍ଯ୍ୟ ବୋଲି ଘୋଷଣା କରିଛନ୍ତି । କର୍ମଫଳ କେହି ଏଡ଼ାଇ ପାରିବ ନାହିଁ, ସାତ ସମୁଦ୍ର ତେର ନଦୀ ପାର ହୋଇ ଲୁଚିଲେ ମଧ୍ୟ ନୁହେଁ ବୋଲି ଚେତାବନୀ ଦେଇଛନ୍ତି ।

 

ବାକ୍ୟ ବୀର ନହୋଇ କର୍ମବୀର ହେବା ପାଇଁ କବୀର ଉପଦେଶ ଦେଇଛନ୍ତି । ଉଭୟ ପଞ୍ଚସଖା ଭକ୍ତକବି ଓ କବୀରଙ୍କ ମଧ୍ୟରେ କର୍ମ ଓ ତହିଁର ଫଳପ୍ରାପ୍ତି ବିଷୟରେ ସମାନ ଅଭିମତ ଥିବା ଲକ୍ଷ୍ୟ କରାଯାଏ । ପଦ(୭) ରେ ଥିବା ପଞ୍ଚସଖାଙ୍କ ଭାବ ଧାରା ସହିତ ଦୋହା(୭)ରେ ଥିବା କବୀରଙ୍କ ଭାବ ଧାରାର ସାମଞ୍ଜସ୍ୟ ଲକ୍ଷ୍ୟ କରନ୍ତୁ ।

 

(ଛ)

ମାୟା ଓ ତହିଁର ନିରାକରଣ -

 

ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ -

 

(୧)

ବୃକ୍ଷର ତଳେ ଯେହ୍ନେ ଆସି

ପଥିକେ ବିଶ୍ରମନ୍ତି ବସି

 

ଶ୍ରମ ସାରିଣ ଯାନ୍ତି ଚଳି

ସେ ବୃକ୍ଷ ନୁହଇ କାହାରି

 

ତେମନ୍ତ ମାୟା ଏ ସଂସାର

କେ ପିତା କେ କାହା କୁମର

(୨)

ଅଧ୍ୟାତ୍ମ ବିଦ୍ୟା ସାଧ୍ୟ କରି

ଏ ମାୟା ବନ୍ଧନୁ ନିସ୍ତରି

(୩)

ମାୟା ରଚିତ ଏ ସଂସାର

ଦୁର୍ଗମ ପଥ ଯେ ଏହାର

 

ଏ ମାୟା ମୟ ଗୃହ ବାସେ

ପ୍ରାଣୀ ଯନ୍ତ୍ରିତ ମୋହ ପାଶେ

 

ସଂସାରର ଭୌତିକ ସମ୍ପଦ ଓ ସମ୍ପର୍କ ସମସ୍ତ ଅନିତ୍ୟ ଓ ମିଥ୍ୟା, ମରିଚିକାମୟ ବୋଲି କହି । ପଞ୍ଚସଖା ଭକ୍ତକବି ଆଧାତ୍ମ ଜ୍ଞାନ ବଳଦ୍ୱାରା ତହିଁର ପ୍ରକୃତ ସ୍ଵରୂପ ହୃଦୟଙ୍ଗମ କରି ମାୟା ମୋହ ବନ୍ଧନରୁ ମୁକ୍ତ ହେବାକୁ ଦିଗ୍‌ଦର୍ଶନ ଦେଇଛନ୍ତି ।

 

କବୀରଙ୍କ ଦୃଷ୍ଟିରେ -

(୧)

ମାୟା ଦୀପକ ନର ପତଙ୍ଗ ଭ୍ରମି ଭ୍ରମି ଭବୈ ପତଙ୍ଗ ।

 

କହୈ କବୀର ଗୁର ଗ୍ୟାନ ଥୈ ଏକ ଆଧ ଉବରନ୍ତ ॥

(୨)

ମାୟା ସଞ୍ଚେ ସଂଗ୍ରହୈ ଓ୍ୱ ଦିନ ଜାନେ ନାହିଁ ।

 

ସହସ ବରସ କୀ ସବ କରୈ ମରେ ମୁହରତ ମାହିଁ ॥

(୩)

କବୀର ମାୟା ଜାତହେ ହୈ ସୁନେ ସବ୍ଦ ନିଜ ମୋର ।

 

ସୁଖିୟାଁକେ ଘର ସାଧୁଜନ ସୂମୋକେ ଘର ଚୋର ।।

(୪)

ମାୟା ମରେ ନ ମନ ମରେ ମର ମର ଜାୟ ସରୀର ।

 

ଆସା ତୃଷ୍ଣା ନ ମରୈ କହ ଗୟେ ଦାସ କବୀର ॥

(୫)

ମୋର ତୋର କୀ ଜେଦଡ଼ୀ ବଂଟି ବାନ୍ଧ୍ୟା ସଂସାର ।

 

ଦାସ କବୀରା କ୍ୟୂଁ ବାଧେ ଜାକା ନାମ ଆଧାର ॥

(୬)

ମାୟା ତଜୁଁ ତଜି ନହିଁ ଜାଇ ।

 

ଫିର ଫିର ମାୟା ମୋହ ଲିପଟାର ॥

 

ମାୟା ଆବର, ମାୟା ମାନ, ମାୟା ନାହିଁ ତହିଁ ବ୍ରହ୍ମ ଗିଆନ ॥

 

ମାୟା ଜପତପ ମାୟା ଜୋଗ, ମାୟା ବାଂଧେ ସଗଲି ଲୋଗ ॥

 

ମାୟା ମାତା ମାୟା ପିତା ଅତି ମାଯା ଅସ୍ଥିରୀ ସୂତା ॥

 

ମାୟା ମାରି କରେ ବ୍ୟୋହାର କବୀର ମେରେ ରାମ ଆଧାର ॥

 

ସଂସାରର ଅଳିକ ସମ୍ପଦ ଓ ସମ୍ପର୍କ ମାନବକୁ ବାନ୍ଧି ରଖେ । ଦେହ ଓ ମନ ମରିଗଲେ ମଧ୍ୟ ଏହି ମାୟା ମୋହ ମାନବକୁ ଛାଡ଼େ ନାହିଁ । ଏପରିକି ଦେବାଦେବୀମାନେ ମଧ୍ୟ ମାୟା ମୋହଗ୍ରସ୍ତ ହୋଇ ରହନ୍ତି । ଆଧ୍ୟାତ୍ମିକ ଜ୍ଞାନ, ଗୁରୁଙ୍କ ସଦୁପଦେଶ, ସାଧୁ ସଂଗ ଇତ୍ୟାଦିଦ୍ୱାରା ମାୟାର କଠିନ ପାଶରୁ ମୁକ୍ତି ଲାଭ କରେ ମାନବ । ପ୍ରଭୁଙ୍କର ଆଶ୍ରୟ ନେଇ ତାଙ୍କ ନାମ ଜପ ଧ୍ୟାନ କଲେ ମାୟାକୁ ବଶ କରାଯାଇପାରେ ।

 

ଏ ଦିଗରେ ମଧ୍ୟ ଉଭୟ ପଞ୍ଚସଖା ଭକ୍ତକବି ଓ କବୀର ସହମତ ଥିବାର ଲକ୍ଷ୍ୟ କରାଯାଏ ।

 

(ଜ)

ପରୋପକାରର ବିଶେଷତା -

 

ପଞ୍ଚସଖା କବିଙ୍କ ଦୃଷ୍ଟିରେ -

 

(୧)

ଧନ୍ୟ ଜୀବନ ଏ ଜଗତେ

ଯେ ପ୍ରାଣ ଧରେ ପରହିତେ

 

ଯେ କରେ ଦୀନ ଉପକାର

ସେ ଧର୍ମଜ୍ଞାନୀଙ୍କର ସାର

(୨)

ଦୁଃଖୁ ଯେ ପରିତ୍ରାଣ କରେ

ସଙ୍କଟୁ ପ୍ରାଣୀଙ୍କି ଉଦ୍ଧରେ

 

ତା ଜନ୍ମ ଧନ୍ୟ ଏ ସଂସାରେ

ଯେ ରହେ ପର ଉପକାରେ

(୩)

ଯେ ହିତ କରେ ପର ହୋଇ

ତା ତହୁଁ ଆତ୍ମବନ୍ଧୁ କାହଁ

।।

 

ସେ ସାଧୁ ବୋଲଇ ସଂସାରେ

ଯେ ପ୍ରାଣୀଠାରେ ଦୟା କରେ

 

ପରହିତ ପାଇଁ ପ୍ରାଣ ଧାରଣ କରିବା ମହତ୍‌ ଗୁଣ । ପରୋପକାରୀ ମାନବର ଜୀବନ ଧନ୍ୟ ବୋଲି ଭକ୍ତକବି ଜଗନ୍ନାଥ ଦର୍ଶାଇଛନ୍ତି । ପ୍ରାଣୀଙ୍କଠାରେ ଦୟା ଭାବ ବହନ କରିବା ହିଁ ସାଧୁର ଲକ୍ଷଣ ବୋଲି ଘୋଷଣା କରିଛନ୍ତି ।

 

ସନ୍ଥ କବୀରଙ୍କ ଦୃଷ୍ଟିରେ -

(୧)

କବୀର ସୋହି ପୀରହୈ ଜୋ ଜାଣୈ ପର ପୀର

 

ଜୋ ପର ପୀର ନ ଜାଣଇ ସୋ କାଫିର ବେପୀର

(୨)

ତରବର ସରବର ସନ୍ତ ଜନ ଚାରୋଁ ବରସେ ମେହ

 

ପରମା ରଥକେ କାରନୈ ଚାରୌଁ ଧରୈ ଦେହ

(୩)

ଓ୍ୱହୀ ପଶୁ ପ୍ରବୃତ୍ତି ହୈ ଜୋ ଆପହି ଲିୟେ ବରୈ

 

ତାହି ମନୁଷ୍ୟ ହୈ ଜୋ ମନୁଷ୍ୟ ଲିୟେ ମରୈ

(୪)

କବୀରା ଖଡ଼ା ବାଜାର ମୈ ମାଁଗେ ସବକୀ ଖୈର

 

ନା କାହୁସେ ଦୋସତି ନା କାହୁ ସୈ ବୈର

 

ଉଭୟ ପଞ୍ଚସଖା ଭକ୍ତକବି ଜଗନ୍ନାଥ ଓ ସନ୍ଥ କବୀର ପରୋପକାର ଉପରେ ଗୁରୂତ୍ୱ ଆରୋପ କରିଛନ୍ତି । ଜଗନ୍ନାଥ ପରୋପକାରୀ ପୁରୁଷର ଜୀବନ ଧନ୍ୟ ବୋଲି ପ୍ରକାଶ କରିଥିବା ସ୍ଥଳେ, ପରୋପକାର ହିଁ ମାନବକୁ ପଶୁଠାରୁ ପୃଥକରୂପେ ନିର୍ଣ୍ଣୟ କରେ ବୋଲି କବୀର ଘୋଷଣା କରି କହିଛନ୍ତି ଉପରୋକ୍ତ ଦୋହା (୩) ରେ ।

 

(ଝ)

କାଳ ବା ମୃତ୍ୟୁ -

 

ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ

 

(୧)

କାଳର ବଶଏ ଜଗତ

ପ୍ରାଣୀ ଏ କାଳର ଆୟତ୍ତ

 

ସେକାଳ ସକଳ ନାଶଇ

ଏଣୁ ତା ଗତି କେ ଜାଣଇ

 

ସକଳ କରଇ ଭକ୍ଷଣ

କ୍ଷୁଧାର୍ତ୍ତେ ଯେସନେ କୃପଣ

(୨)

କଳ୍ପନା ମୂଳେ କାଳ ଥାଇ

ପ୍ରାଣୀ ଏକଥା ନଜାଣଇ

 

ତାହାରି କାହିଁ ପକ୍ଷାପକ୍ଷ

ସକଳ କରଇ ସେ ଭକ୍ଷ

(୩)

ମର୍ତ୍ତ୍ୟ ମଣ୍ଡଳେ ଦେହ ବହି

ଦେବତା ହୋଇଲେ ମରଇ

 

ଦେହ ବହିଲେ ନିଶ୍ଚେ ମରି

ମରଣ ଛାରେ କିପାଁ ଡରି

(୪)

ଜୀବର ଉଲ ମନ୍ଦ ବାଣୀ

ମରଣ କାଳେ ତାହା ଜାଣି

 

ଜଗତର ସମସ୍ତ ପ୍ରାଣୀ, ସ୍ଥାବର, ଜଙ୍ଗମ ସକଳେ ମୃତ୍ୟୁର ଅଧୀନ । ଅମର କେହି ନୁହେଁ-

ମାନବର ସକଳ କଳ୍ପନା ବା କାମନା ମୂଳରେ ମୃତ୍ୟୁ ନିହିତ ଥାଏ ।

 

କବୀରଙ୍କ ଦୃଷ୍ଟିରେ -

(୧)

କାଲ କାଲ ସବ କୋଇ କହୈ କାଲ ନଚିହ୍ନେ କୋୟ

 

ଜେତୀ ମନକୀ କଳ୍ପନା କାଲ କହାବୈ ସୋୟ

(୨)

ଜ୍ୟୋ କୋରିରେଜାବିନୈ ନୀରା ଆଓ୍ୱେ ଛୌର

 

ଐସା ଲେଖା ମୀଚ କା ଦୌର ସକେ ତୋ ଦୌର

(୩)

କବୀର ଗର୍ବ ନ କୀଜିୟେ କାଲ କହେ କର କେସ

 

ନଜାନେ କିତ୍‌ ମାରିସୀ କ୍ୟା ଦେସ କ୍ୟା ପରଦେସ

(୪)

ଆୟେହୈଁ ସୋ ଜାୟେଙ୍ଗେ ରାଜା ରଙ୍କ ଫକିର

 

ଏକ ସିଂହାସନ ଚଢ଼ି ବୈଠେ ଏକ ବନ୍ଧେ ଜଂଜୀର

 

ମୃତ୍ୟୁ ପ୍ରାଣୀର ଚିର ସହଚର । ତାର ଜୀବନର ଅନ୍ତ ମୃତ୍ୟୁରେ । କବୀର ଜଗତକୁ ‘‘ମୃତ ମଣ୍ଡଲ’’ ବୋଲି ଆଖ୍ୟାତ କରି ସମସ୍ତେ ମୃତ୍ୟୁର ଅଧୀନ ବୋଲି ସ୍ଵୀକାର କରିଛନ୍ତି । କେହି ମୃତ୍ୟୁକୁ ଏଡ଼ାଇ ଦେଇ ପାରିବ ନାହିଁ । ବରଂ କେତେବେଳେ କେଉଁଠି ମୃତ୍ୟୁ ତାକୁ କବଳିତ କରିବ ଏଥି ନିମିତ୍ତ ତତ୍ପର ହୋଇ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ଉଚିତ, ଆଳସ୍ୟ ପରିହାର କରିବା ବାଞ୍ଛନୀୟ ବୋଲି ସୂଚାଇଛନ୍ତି କବୀର ‘‘ଦୌର ସକେ ତୋ ଦୌର’’ ବୋଲି କହି (୨) ।

 

ସନ୍ଥ କବୀର ଓ ପଞ୍ଚସଖା ଭକ୍ତକବି ସମ୍ପୂର୍ଣ୍ଣ ଭାବରେ ସହମତ ଥିବାର ଦେଖାଯାଏ ଏହି ବିଷୟରେ ।

 

(ଟ)

ସତ୍‍ସଂଗର ସୁଫଳ -

 

ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ -

 

(୧)

ଉତ୍ତମ ସଂଗେ ସଙ୍ଗ ଯାର

ସେ କରେ ଉତ୍ତମ ବେଭାର

।।

 

ହୀନ ସଂଗତେ ହୀନ ଗତି

ହସି କହନ୍ତି ଯଦୁପତି

(୨)

କୁସଙ୍ଗେ ସର୍ବନାଶ ହୋୟେ

ପଡ଼ଇ ମିଥ୍ୟା ମାୟା ମୋହେ

 

ଦୁର୍ଜନ ସଙ୍ଗତେ ଆଳାପ

ଆବର ନ କରିବ ପାପ

 

କବୀରଙ୍କ ଦୃଷ୍ଟିରେ -

(୧)

କବୀର ସଙ୍ଗତି ସାଧକି କଦୈନ ନିରଫଲ ହୋଇ

 

ଚନ୍ଦନହୋସି ବାବନା ନୀବ ନ କହସି କୋଇ

(୨)

କବୀର ଚନ୍ଦନ କେ ନିଡ଼ୈ ନୀବ ଭି ଚନ୍ଦନ ହୋଇ

 

ବୁଡା ବଂସ ବଡାଇତାଁ ଜୋ ଜନି ବୁଡୈ କୋଇ

(୩)

ଭୁଜଙ୍ଗମ ବାସନା ବେଧଇ ଚନ୍ଦନ ଦୋସ ନ ଲାୟ

 

ସବ ଅଙ୍ଗ ବିସ ସୋ ଭରୀ ଅମୃତ କହା ସମାୟ

 

ସତ ସଙ୍ଗର ସୁଫଳ ବିଷୟରେ ଉଭୟ ପଞ୍ଚସଖା ଭକ୍ତକବି ଓ ସନ୍ଥକବୀର ଏକମତ ଥିବାର । ଲକ୍ଷ୍ୟ କରାଯାଏ । ମାତ୍ର କବୀର ଦର୍ଶାଇଛନ୍ତି ଯେ ସତ୍‌ସଙ୍ଗରେ ସଦ୍‍ଗୁଣ ଗ୍ରହଣ କରିବାକୁ ଗ୍ରହୀତାର ସାମର୍ଥ୍ୟ ଥିବା ପ୍ରୟୋଜନ । ବିଷଧର ସର୍ପ ଓ ବାଉଁଶର ଦୃଷ୍ଟାନ୍ତ ଦେଇ ସର୍ପ ଚନ୍ଦନ ଗଛକୁ ବେଢ଼ି ରହିଥିଲେ ହେଁ, ବାଉଁଶ ଚନ୍ଦନ ଗଛକୁ ଲାଗି ବଢ଼ୁଥିଲେହେଁ ଉଭୟଙ୍କର ଚନ୍ଦନର ସୁବାସ ଗ୍ରହଣ କରିବାର ଯୋଗ୍ୟତା ନଥିବା ହେତୁ ଉପକୃତ ହୋଇ ପାରନ୍ତି ନାହିଁ । ଅଥଚ ଲିମ୍ବ ଗଛ ପିତା ହୋଇଥିଲେ ମଧ୍ୟ ଚନ୍ଦନ ଗଛ ନିକଟରେ ଥିଲେ ଚନ୍ଦନ ସୁଗନ୍ଧ ଗ୍ରହଣ କରି ନିଜେ ଚନ୍ଦନରେ ପରିଣତ ହୋଇଯାଏ ଲିମ୍ବ ପାଲଟି ଯାଏ ନାହିଁ । ଅପରର ସୁଗୁଣ ଗ୍ରହଣ କରିବା ଯୋଗ୍ୟତା ଥିବା ଏକାନ୍ତ ଆବଶ୍ୟକ ବୋଲି କବୀର ଦର୍ଶାଇଛନ୍ତି । ଅନ୍ୟତ୍ର ଗୁରୁଙ୍କର ଉପଦେଶ ବାଣୀ ହୃଦୟଙ୍ଗମ କରି ତହିଁରୁ ଉପକୃତ ହେବା ସଂକ୍ରାନ୍ତରେ ମଧ୍ୟ ଅନୁରୂପ ମତ ପ୍ରକାଶ କରିଛନ୍ତି । କହିଛନ୍ତି - ସଦଗୁରୁ ମିଲ୍ୟା ତୋ କ୍ୟାଭୟା- ଉଲ୍ଲିଖିତ (କ) ବିଭାଗର କବୀରଙ୍କ ଦୃଷ୍ଟି କୋଣ ସମ୍ପର୍କିତ (୫) ଦୋହା ଦ୍ରଷ୍ଟବ୍ୟ ।

 

(୦)

ବାଣୀର ଶୁଦ୍ଧତା -

 

ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ -

 

(୧)

ଅମୃତ ବିନୟ ବଚନ

କହି ତୋଷିବ ପ୍ରାଣୀମନ

 

କବୀରଙ୍କ ଦୃଷ୍ଟିରେ -

(୧)

ସାଧୁ ଉୟୋତୋ କ୍ୟାଭୟା ଜୋ ନହୀ ବୋଲ ବିଚାର

 

ହତେ ପରାଇ ଆତମା ଜୀଭ ଲିଯେ ତରବାର

(୨)

ଐସି ବାଣୀ ବୋଲିୟେ ମନକା ଆପା ଖୋୟ.

 

ଅପନା ମନ ସିତଲ କରୈ ଔରନକୋ ସୁଖ ହୋୟ

(୩)

ବାଣୀ ତୈ ପହଟାନିୟେ ଚୋର ସାଧୁକା ଘାଟ

 

ଜୋ କରଣୀ ଅନ୍ଦରବସୈ ନିକିସେ ମୁଖକୀ ବାଟ

 

ଉଭୟ ପଞ୍ଚସଖା ଭକ୍ତକବି ଓ କବୀର ବଚନ ଶୁଦ୍ଧତା ଉପରେ ଗୁରୁତ୍ଵ ଆରୋପ କରିଥିଲେ ହେଁ, କବୀର ତହିଁର ପ୍ରାଧାନ୍ୟ ଦର୍ଶାଇଛନ୍ତି ।

 

(ଡ଼)

ଗ୍ୟାନମିଶ୍ର ଭକ୍ତିର ସ୍ୱରୂପ -

 

ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ -

 

(୧)

ଗୀତା ଭାଗବତ ପୁରାଣ ପଢ଼ିବା କହିବା ଚାତୁରୀ ଥିବ

 

ତତ୍ତ୍ୱ ଅଣାକାର ନାମ ବ୍ରହ୍ମ ଭେଦ ନପାଇ ବିଅର୍ଥ ହେବ

(୨)

ସମ୍ପୂର୍ଣ୍ଣ ଲହରୀ କୁଳକୁ ପ୍ରବେଶ ମଧ୍ୟରୁ କେ ରାଖି ଯାଇ

 

ତେସନ ତତ୍ତ୍ୱ ନ ପାଇଲେ ପ୍ରଭୁର ନିକଟୁ ଦୂରକୁ ଯାଇ

 

କବୀରଙ୍କ ଦୃଷ୍ଟିରେ -

(୧)

ଅବଧୂ ଭଜନ ଭେଦହୈ ନ୍ୟାରା

 

କ୍ୟା ସଂଧ୍ୟା କ୍ୟା ତରପନ କେ କିହ୍ନେ ଜୋ ନାହିଁତତ୍ତ ବିଚାରା

 

ଜ୍ଞାନଧାନ କା ମରମ ନ ଜାନୈ ବାଦ କରୈ ଅନ୍ଧେରା

 

ସୋ ପାୟେ ଜୋ କରେ ଆଧାରା କେବଲ ସତ୍ୟ ବିଚାରା

।।

(୨)

ଜାବିଧି ମନକୋ ଲଗାଔ ମନକୋ ଲଗାୟେ ପ୍ରଭୁ ପାଔେ

 

ଧୂପ ଦୀପ ନୈବେଦ ଅରଗଜା ଜ୍ଞାନ କା ଆରତୀ ଲାଔେ

 

କହୈ କବୀର ସୁନୋ ଭାଇ ସାଧୋ ଫେର ଜନ୍ମ ନାହିଁ ଫୋଡ଼େ

(୩)

କୌନ ବିଚାରି କରତ ହୌ ପୂଜା, ଆତମ ରାମ ଅବର ନହୀ ଦୂଜା

 

ବିନ ପ୍ରତୀତେ ପାନୀ ତୋଡ଼ୈ ଜ୍ଞାନ ବିନ ଦେଓ୍ୟଲ ସିର ଫୌଡ଼େ

(୪)

ଆଗ କହି ଦାଭୈ ନାହିଁ ପାଓ୍ୟ ନ ଦୀଜୈ ମାଁହି

 

ଜାପୈ ଭେଦ ନ ଜାନହି ରାମ ରଟେ ତୋ କାହି

(୫)

ପ୍ରେମ ବିନା ଜୋ ଭକ୍ତି ହୈ ସୋ ନିଳ ଦମ୍ଭ ବିଚାର

 

ଉଦର ଭରନ କେ କାରନେ ଜନମ ଗଁବାୟୋ ସାର

 

ଉଭୟ ପଞ୍ଚସଖା ଭକ୍ତକବି ଜଗନ୍ନାଥ ଓ କବୀରଙ୍କ ଦୃଷ୍ଟିରେ ପ୍ରଭୁଙ୍କ ଅଥବା ତାଙ୍କର ନାମ ପ୍ରତି ଭକ୍ତି ନିବେଦନ ଅର୍ଥାତ ତାଙ୍କର ଯଶ ଗୁଣ ଗାନ ବା ନାମ ଜପ, ଭଜନ ଆଦି କରିବା ପୂର୍ବରୁ । ପ୍ରଭୁଙ୍କର, ତାଙ୍କ ନାମର ମୂଳତତ୍ତ୍ୱ ବିଷୟରେ ସ୍ପଷ୍ଟ ଭାବରେ ଅବହିତ ହେବା ଉଚିତ । ତାହା ନକରି ଯନ୍ତ୍ର ଚାଳିତବତ୍‌ ପ୍ରଭୁଙ୍କ ନାମ ରଟିଲେ ଅଥବା ଯଶ ଗୁଣ ଗାନ, ନାମ ଜପ ଆଦି କଲେ ତାହା ନିଷ୍ପଳ ପ୍ରୟାସ ହେବା ସୁନିଶ୍ଚିତ ବୋଲି ଦର୍ଶାଇଛନ୍ତି ।

 

କବୀର ତତ୍ତ୍ୱଜ୍ଞାନ ସହିତ, ସତ୍ୟ ବିଚାର ଓ ସର୍ବୋପରି ପ୍ରେମ ଭାବର ପ୍ରାଧାନ୍ୟ ଉଲ୍ଲେଖ କରିଛନ୍ତି । ପ୍ରେମହୀନ ଭକ୍ତିକୁ ଦମ୍ଭ ବିଚାର ବୋଲି କହି ତହଁର ନିଃସାରତା ପ୍ରତିପାଦିତ କରିଛନ୍ତି । ଅନ୍ୟତଃ ପ୍ରଭୁ ଭକ୍ତିର ମର୍ମ ନଜାଣି ପ୍ରଭୁଙ୍କର ପୂଜା ଅର୍ଚ୍ଚନା ନାମ ଜପ ବା ଭଜନ ଆଦି କରିବା ମଧ୍ୟ ନିଷ୍ଫଳ ପ୍ରୟାସ ବୋଲି ପ୍ରକାଶ କରିଛନ୍ତି । ଅଗ୍ନିର ଦାହିକା ଶକ୍ତି ଥିଲେହେଁ ତହିଁରେ ଗୋଡ଼ ବା ହାତ ନ ଦେଲେ । ତାହା ପୋଡ଼ି ପାରିବ ନାହିଁ । ଏହି ତତ୍ତ୍ୱଜ୍ଞାନ ଅଗ୍ନିର ଦାହିକା ଶକ୍ତି ବିଷୟରେ ଥିବା ପ୍ରୟୋଜନ । ସେହିପରି ପ୍ରଭୁ ଏବଂ ପ୍ରଭୁନାମର ତତ୍ତ୍ଵ ବା ମର୍ମ ବିଷୟ ମଧ୍ୟ ଅବହିତ ହେବା ବାଞ୍ଚନୀୟ । ପ୍ରେମ ବିନା ପ୍ରଭୁଙ୍କ ବିଷୟରେ ଜ୍ଞାନ ଅର୍ଜନ କରି ସୁଦ୍ଧା ତାଙ୍କୁ ଉପଲବଧି କରିହୁଏ ନାହିଁ ବୋଲି ଘୋଷଣା କରିଛନ୍ତି କବୀର । ପଞ୍ଚସଖା ଭକ୍ତକବିଙ୍କ ଜ୍ଞାନମିଶ୍ର ଭକ୍ତି କବୀରଙ୍କର ପ୍ରେମଭାବଦ୍ୱାରା ରଞ୍ଜିତ ହୋଇଥିବା ଦେଖାଯାଏ ।

 

ଉଭୟ କବୀର ଓ ପଞ୍ଚସଖା ଭକ୍ତକବି ଧର୍ମକୁ ଧର୍ମାଚରଣ ପ୍ରଧାନ ବୋଲି ଦର୍ଶାଇ ଧର୍ମାଚରଣ ମଧ୍ୟରେ ମନ, କର୍ମ ଓ ବଚନର ଶୁଦ୍ଧତା, ଅନ୍ତର୍ଭୁକ୍ତ ବୋଲି ଘୋଷଣା କରିଛନ୍ତି । ପ୍ରତ୍ୟେକଟିର ଗୁରୂତ୍ୱ ପ୍ରତିପାଦନ କରିବା ନିମିତ୍ତ ବହୁ ବାଣୀ ଓ ପଦ ମାଧ୍ୟମରେ ତାହା ପ୍ରକାଶ କରିଛନ୍ତି । ଜନସାଧାରଣଙ୍କୁ ଚେତାବନୀ, ଉପଦେଶ ଦେଇ ସଚେତନ କରିବାକୁ ଚେଷ୍ଟା କରିଛନ୍ତି ।

 

ସତ୍‌ଚିନ୍ତା, ସତ୍‌କର୍ମ ଓ ବଚନ ଶୁଦ୍ଧତା ସହିତ ମାନବ କେତେକ ବିଶେଷ ଗୁଣର ଅଧିକାରୀ ହେବା ଅପରିହାର୍ଯ୍ୟ ବୋଲି ସୂଚାଇଛନ୍ତି । ସେଗୁଡ଼ିକ ମଧ୍ୟରେ ଦୟା, କ୍ଷମା, ସମଦର୍ଶୀଭାବ, ବିଷୟବାସନା, କାମ, କ୍ରୋଧ, ଲୋଭ, ମୋହ, ଅହଂକାର ଆଦିରୁ ନିବୁତ୍ତି ଉଭୟ ପଞ୍ଚସଖା ଭକ୍ତକବି ଓ ସନ୍ଥ କବୀର ବିଶେଷ ଭାବରେ ଦର୍ଶାଇଛନ୍ତି ।

 

ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ -

ଦୟା

(୧)

ଯାହାର ହୃଦେ ଦୟା ନାହିଁ

ଉଦ୍ଧବ ଚାଣ୍ଡାଳଟି ସେହି

(୨)

ମାଂସ ଭକ୍ଷଣେ ପଶୁମାରେ

ଯେ ଦୟା ଧର୍ମ ନ ବିଚାରେ

(୩)

ଯେ ପ୍ରାଣୀ ପରେ ହିଂସା କରେ

ଦେବତା ପୂଜି ସେ ନତରେ

 

ସମଦରଶୀଭାବ      

(୧)

ସମଦରଶୀ ଯାର ଚିତ୍ତ

ତାହାର ନାହିଁ ଶତ୍ରୁ ମିତ୍ର

(୨)

ଏକଇ ଆତ୍ମା ସର୍ବଦେହେ

ଶୁଦ୍ଧ ଅଶୁଦ୍ଧ ଭେଦ ନୋହେ

(୩)

ଯେ ସର୍ବ ସମାନ ଦେଖଇ

ତାହାକୁ ଜ୍ଞାନୀ ବୋଲି କହି

 

ଅହଂକାର

(୧)

ନିରତେ ଅହଂକାର ଘେନି

ଜୀବ ଭ୍ରମଇ ନାନା ଯୋନୀ

(୨)

ପର କଥାକୁ ଅଭିମାନ

ଘେନନ୍ତି ନାହିଁ ସାଧୁଜନ

 

ବିଷୟ ବାସନା

(୧)

ଯେତେ ଏ ଦ୍ରବ୍ୟ ପରିଗ୍ରହ

ସର୍ବ ତୁ ଜାଣ ଦୁଃଖ ମୟ

(୨)

ଦାରା ମନ୍ଦିର ସୁତ ଧନ

କେବେହେଁ ନ କଳ୍ପେ ତା ମନ

 

 

କାମ ଓ ଲୋଭ      

୧.

ଯେ ପ୍ରାଣୀ ମଦ୍ୟପାନ କରେ

ପର ରମଣୀ ଯେହୁ ହରେ

।।

 

ଚୋର କରନ୍ତି ଲୋଭ ବହି

ଜୁଆ ଖେଳନ୍ତି ମେଳ ହୋଇ

 

ଅଜ୍ଞାନ ମୋହେ ହୋନ୍ତି ମତ୍ତ

ନରକେ ପଡ଼ନ୍ତି ତୁରିତ

 

ଅଧର୍ମ ମାର୍ଗେ ମୂଢ଼ ପ୍ରାଣୀ

ଧନ ସଞ୍ଚଇ ଗୃହେ ଆଣି

 

ପୁତ୍ର କଳତ୍ର ଶତ୍ରୁ ହୋଇ

ସଞ୍ଚିଲା ଧନ ତାର ଖାଇ

 

ଦ୍ୟୁତ ଯୁବତୀ ମଦ୍ୟପାନ

ପ୍ରାଣୀ ମାରଣ ଯେବା ସ୍ଥାନ

 

ମିଥ୍ୟା ବସଇ ଦ୍ୟୁତ ମଧ୍ୟେ

କାମ କାମିନୀ ମଦ ମନ୍ଦେ

 

ଜାଣି ନ ଜାଣି ପକ୍ଷ ବହି

ନରକେ ପଡ଼ନ୍ତି ସେ ଯାଇ

 

କ୍ଷମା      

ସେ ସାଧୁ ବୋଲାଇ ସଂସାରେ

ଯେ ପ୍ରାଣୀ ଠାରେ ଦୟା କରେ

ଦଣ୍ଡିବା ଶକ୍ତି ଯାର ଥାଇ

ସେ ଯେବେ କ୍ଷମା ଆଚରଇ

ସାଧୁଙ୍କ ଶ୍ରେଷ୍ଠ ସେହି ନର

ସୁଖ ଦୁଃଖରୁ ସେ ବାହାର

କ୍ରୋଧ

ପ୍ରାଣୀଙ୍କୁ ହିଂସା ନ କରିବ

କ୍ରୋଧରେ ଶାପକୁ ନଦେବ

 

ସନ୍ଥ କବୀରଙ୍କ ଦୃଷ୍ଟିରେ -

ଲୋଭ      

ଲୋଭ ସରସ ଅବଗୁଣ ନାହିଁ, ତପ ନାହିଁ ସତ୍ୟ ସମାନ ॥

ତୀରଥ ନାହିଁ ମନ ଶୁଦ୍ଧ ସମ ବିଦ୍ୟା ସମ ଧନବାନ ॥

 

ଦୟା -

କହ କବୀର କଛୁ ଉଦିଅମ କୀଜୈ, ଆପ ଖାଔ ଔରକୋ ଦୀଜୈ

ଜୀବ ଦୟା ଅରୁ ଆତମ ପୂଜା, ଇନସମ ଦେବ ଅବର ନହୀ ଦୂଜା ॥

ଦୟା ଭାବ ହିଦେ ନାହିଁ ଗ୍ୟାନ କଥୈ ବେହଦ ।

ତେ ନର ନର ନାହିଁ ଜାହିଙ୍ଗେ ସୁନି ସୁନି ସାଖି ସବଦ ॥

 

କ୍ଷମା

ସବଲ କ୍ଷମୀ, ନିର୍ଗବ ଧନୀ, କୋମଲ ବିଦ୍ୟାବନ୍ତ ।

ଭବମେ ଭୂଷଣ ତିନ ହୈ ଓର ସବ ଅନନ୍ତ ॥

 

ଗର୍ବ, ଅହଂକାର

କବୀରା ଗର୍ବ ନ କିଜୀୟେ କାଲ ଗହୈ କର କେସ ।

ନା ଜାନୈ କିତ ମାରିସୀ କ୍ୟାଦେସ କ୍ୟା ପରଦେସ ॥

ୟା ଦୁନିୟାମେଁ ଆଇକୈ ଛାଡ଼ି ଦେତୁ ଏଁଠ ।

ଲେନା ହୈ ସୋ ଲେଇଲୈ ଉଠି ଗତହୌ ପୈଠ ॥

 

(ଡ଼)

ପ୍ରଭୁ ପ୍ରାପ୍ତି ନିମିତ୍ତ ବିରହ ବା ଉତ୍ସୁକତା -

 

ପଞ୍ଚସଖା ଭକ୍ତକବିଙ୍କ ଦୃଷ୍ଟିରେ -

 

(୧)

ଯେ ମୋତେ ଦୂରେ ଥାଇ ଚିନ୍ତି

ସେ ମୋତେ ନିକଟେ ଦେଖନ୍ତି

 

କବୀରଙ୍କ ଦୃଷ୍ଟିରେ -

(୧)

ବିରହ ବୁରହା ଜନିକଜୈ ବିରହାହେ ସୁଲିତାନ ।

 

ଜିସ ଘଟି ବିରହାନ ସଞ୍ଚରେ ସୋ ଘଟ ସଦା ମସାନ ॥

 

ଭାଷାନ୍ତର -

(୧)

ବିରହ ଅସାର ବୋଲି କହନାହିଁ ଶ୍ରେଷ୍ଠ ପୁଞ୍ଜି ସାଧକର ॥

 

ପ୍ରଭୁ ବିରହରେ ଯେ ନୁହେଁ ବ୍ୟଥି‌ତ ଶ୍ମଶାନ ତାର ଅନ୍ତର ॥

(୨)

ବିରହ କହୌ କବୀରସୂଁତୁ ଜନି ଛୋଡ଼ୈ ମୋହି ।

 

ପରବ୍ରହ୍ମ କେ ତେଜମେଁ ତହଁଲେ ରାଖୌଁ ତୋହି ॥

 

ଭାଷାନ୍ତର -

ବିରହ ଡାକି କହଇ କବୀରକୁ ଛାଡ଼ନାହିଁ ମୋତେ ତୁହି ।

ପରମବ୍ରହ୍ମଙ୍କର ସମୀପକୁ ନେଇ ପହୁଞ୍ଚାଇ ଦେବି ମୁହିଁ ॥

 

(୩)

ୟହତନ ଜାରୀ ମସୀ କରୁଁ ଜ୍ୟୁଁ ଧୂଆଁ ଜାର ସରରାଗୀ ।

 

ମତ ୱେ ରାମ ଦୟା କରୈ ବରସି ବୁଝାୱେ ଅଗ୍‌ଗୀ ॥

 

ଭାଷାନ୍ତର -

ତତୁ ମୋ ଜାଳିବି ଧୂଆଁ ଆକାଶେ ଉଠିବ । .

ପ୍ରଭୁ ଦୟା ବାରି ବର୍ଷି ଅନଳ ଲିଭିବ ॥

 

ବିରହ ଭାବ, ପ୍ରଭୁଙ୍କୁ ପାଇବା ନିମିତ୍ତ ଅଧୀର ଉତ୍ସୁକତା ସାଧକ ପକ୍ଷେ ଅତ୍ୟନ୍ତ ପ୍ରୟୋଜନ ବୋଲି ଉଭୟ ପଞ୍ଚସଖା ଭକ୍ତକବି ଓ କବୀର ଦର୍ଶାଇଥିଲେ ମଧ୍ୟ କବୀରଙ୍କ କ୍ଷେତ୍ରରେ ତହିଁର ପ୍ରୟୋଜନୀୟତା ଅଧିକ ଦୃଢ଼ ଓ ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇଥିବା ଦେଖାଯାଏ । ଅଧୀର ଉତ୍ସୁକତା, ବିରହ ବିନା ପ୍ରଭୁ ଉପଲବ୍‌ଧି କରିବା ଅସମ୍ଭବ ବୋଲି ସୂଚାଇଛନ୍ତି କବୀର । ଯେଉଁ ସାଧକର ହୃଦୟରେ ସେ ଭାବ ଅଭାବ ତାହା ଶ୍ମଶାନ ସଦୃଶ ରୁକ୍ଷ, ମଳିନ ଓ ଅକର୍ମଣ୍ୟ ବୋଲି କହିଛନ୍ତି କବୀର ।

 

ଉପରୋକ୍ତ ଆଲୋଚନାରୁ ଲକ୍ଷ୍ୟ କରିହୁଏ ଯେ ଭକ୍ତକବି ଜଗନ୍ନାଥ ଓ ସନ୍ଥ କବୀରଙ୍କ ଆଧ୍ୟାତ୍ମିକ ଭାବ ଧାରାରେ ଅନେକ କ୍ଷେତ୍ରରେ ସହମତତା ଅଛି । ଯେଉଁ ସାମାନ୍ୟ କେତେକ କ୍ଷେତ୍ରରେ ଯଥା ଗୁରୁଙ୍କ ନିର୍ବାଚନରେ ସାଧକର ବ୍ୟକ୍ତିଗତ ଦାୟିତ୍ୱ, ଭକ୍ତିରେ ପ୍ରେମ ଭାବର ପ୍ରାଧାନ୍ୟ ଉଭୟଙ୍କ ଭାବ ଧାରାରେ କିଛି କିଛି ଭିନ୍ନତା ପରିଲକ୍ଷିତ ହୁଏ ସେ ସବୁର ଅଧିକ ଗବେଷଣା କରିବା ସମୀଚୀନ ମନେ ହୁଏ । ତହିଁ ପୂର୍ବରୁ କୌଣସି ସ୍ଥିର ସିଦ୍ଧାନ୍ତରେ ପହଞ୍ଚିବା ଉଚିତ ହେବନାହିଁ । ତେବେ ଏତିକି କହିହେବ ଯେ ଭକ୍ତକବି ପଞ୍ଚସଖାଙ୍କ ମଧ୍ୟରୁ କେତେକଙ୍କ ସହିତ କବୀରଙ୍କର ଆଳାପ ଆଲୋଚନାରୁ ଉଭୟ ସୁସ୍ପଷ୍ଟତର ଓ ପରିପୁଷ୍ଟ ହୋଇଥିବା ସମ୍ଭବ ମନେହୁଏ । କବୀରଙ୍କର ବୟୋଜ୍ୟେଷ୍ଠତା ତଥା ଅଭିଜ୍ଞତା ଦୃଷ୍ଟେ ପଞ୍ଚସଖା ଭକ୍ତକବିମାନେ ତାଙ୍କଦ୍ୱାରା ପ୍ରଭାବିତ ନହେଲେ ମଧ୍ୟ ଅନୁପ୍ରାଣିତ ହୋଇଥିବା ଅସମ୍ଭବ ନୁହେଁ । ଏ ଦିଗରେ ଅଧିକ ଗବେଷଣା ଫଳପ୍ରଦ ହୋଇ ପାରେ । ଏ ଦିଗରେ ପ୍ରାରମ୍ଭିକ ଅଧ୍ୟୟନ ସ୍ଵରୂପ ସନ୍ଥ କବୀର ଓ ପଞ୍ଚସଖା ଜଗନ୍ନାଥ ଦାସଙ୍କ ସଦୃଶ୍ୟ ଅନ୍ୟ ଚାରି ଭକ୍ତକବି ଓ କବୀରଙ୍କର ଅଧ୍ୟୟନ କରିବାର ବାସନା ରହିଲା ।

 

***

 

ଓଡ଼ିଆ କାହାଣୀ-ଗଳ୍ପ

ଶ୍ରୀ ସତ୍ୟପ୍ରିୟ ମହାଳିକ

 

ଅଚାନକେ ଏକ ପୂର୍ଣ୍ଣିମା ନିଶାର୍ଦ୍ଧରେ ତରୁଣୀ ଭାର୍ଯ୍ୟାଙ୍କ ପ୍ରଗାଢ଼ ଆଲିଙ୍ଗନରେ ଆବଦ୍ଧ ହୋଇ ବୃଦ୍ଧ ଜଣକ ହେଲେ ପୁଲକିତ । ପରେ ପରେ ମନେ କଲେ ଏଇଟା ସ୍ଵପ୍ନ । ବୃଦ୍ଧ ଧୀରେ ଧୀରେ ମୁଣ୍ତ ତୋଳି ଇତସ୍ତତଃ ଦୃଷ୍ଟିପାତ କଲେ ଓ ଦେଖିଲେ ଚାଳ କଣା କରି ସେହି କୋଣରେ ଯାହାର ଅବତରଣ ଘଟିଛି, ସେ ପୁଷ୍ପଧନୁ ସଜ୍ଜିତ କନ୍ଦର୍ପ ଦେବ ନୁହନ୍ତି, ଲହ ଲହ ଉଦ୍ୟତ ଛୁରୀକା ହସ୍ତେ ଭୀଷଣ ଦସ୍ୟୁ ମୂର୍ତ୍ତି । ପତ୍ନୀଙ୍କର ସେ ଅପୂର୍ବ ବ୍ୟବହାରର ହେତୁ ବୃଦ୍ଧ ବର୍ତ୍ତମାନ ବୁଝିଲେ ।

 

ମଣିଷ ମନର ବିଚିତ୍ର ଗତି-ପ୍ରକୃତି, ବୃଦ୍ଧର ବିକଳ ଅବସ୍ଥା ଦସ୍ୟୁ ମନର ସମ୍ବେଦନ-ମନସ୍ତତ୍ତ୍ୱର ସୂକ୍ଷ୍ମ‌ ପର୍ଯ୍ୟବେକ୍ଷଣରେ ସମୃଦ୍ଧ ଏ କାହାଣୀ ମହାନ ବିଷ୍ଣୁଶର୍ମା ଏଇଠି ସମାପ୍ତ କରିଛନ୍ତି-। କିନ୍ତୁ ପରବର୍ତ୍ତୀ ବ୍ୟାପାର ଭିନ୍ନ ପର୍ଯ୍ୟାୟର କାହାଣୀ (୧) ।

 

(୧)

ମନୋଜ ଦାସ, ଶେଷ ରଜନୀ (ନୂତନ ଅବୋଲକରା କାହାଣୀ), ଝଂକାର (ପୂଜାସଂଖ୍ୟା- ୧୯୯୦- ପୃ.୪୬୩।)

 

ଆଧୁନିକ କ୍ଷୁଦ୍ରଗଳ୍ପ ଏହି ଲୋକ କାହାଣୀ ଗତ ପ୍ରାଚୀନ ପରଂପରାର ଏକ ସାର୍ଥକ ଶୃଙ୍ଖଳିତ ପ୍ରତିରୂପ । ରୂପଗତ ଓ ଗୁଣଗତ ବିଭିନ୍ନତା ସତ୍ତ୍ୱେ ଏହାର ଚେର ପ୍ରାଚୀନ କାହାଣୀ ପୁଞ୍ଜରୁ ହିଁ ସାର ସଂଗ୍ରହ କରି ଆଣିଛି । ଗଳ୍ପ ଆଧୁନିକ ମଣିଷର ଜୀବନ ଚର୍ଯ୍ୟାକୁ ଚିହ୍ନଟ କରେ । ଅପୂର୍ଣ୍ଣ ଆବେଦନକୁ ମୂର୍ତ୍ତି କରେ । କାହାଣୀ ଭଳି ଅବଶ୍ୟ ଏହା ସମାଧାନ କରେ ନାହିଁ । ଶେଷ ହୋଇ ମଧ୍ୟ ଶେଷ ହୋଇ ପାରେ ନାହିଁ । ସେପାଇଁ ଗଳ୍ପକାର ଆପଣାର କଥାଟିକୁ କେଉଁ ବାଗରେ କହିପାରିବ ତାରି ଉପରେ ନେଇ କରିଛି ଅନେକ ପରୀକ୍ଷା । ଅନେକ ପ୍ରୟୋଗ । ସମକାଳୀନ ଗଳ୍ପରେ ବହୁ ପ୍ରାୟୋଗିକ ବୈଚିତ୍ର୍ୟ ଭିତରେ ତଥାପି ଗଳ୍ପକାରର କାହାଣୀ ମନସ୍କତା ତାକୁ ଗଳ୍ପ ଭିତରେ କାହାଣୀଟିଏ ଗଢ଼ି ଥୋଇ ଦେବାର ପ୍ରେରଣା ଯୋଗାଇଛି ।

 

ପାଠକର ଚିତ୍ତବୃତ୍ତିକୁ ଅଧିକ ରସାଣିତ ଓ ଅଧିକ ଉପଯୁକ୍ତ କରି ଧରି ରଖି ପାରିବାର କୌଶଳ ଉପରେ ସେ ଗଳ୍ପହୀନ ଗଳ୍ପ କହିବା ଅପେକ୍ଷା ବରଂ ‘କାହାଣୀ -ଗଳ୍ପ’ କହିବାର କୌଶଳ ଆୟତ୍ତ କରିଛି । ପାଠକ ବା ଶ୍ରୋତାର ମାନସିକତାକୁ ଚାଞ୍ଚିଲ୍ୟକାରୀ ପକ୍ଷୀରାଜ ଘୋଡ଼ା କି ବାରହାତ ଖଣ୍ଡା କି ରାଜା-ରାଣୀର ପୁଟ ଦେଇ କରିପାରିଛି ଅଧିକ ଆୟତ୍ତ ଓ ଅଧିକ ମନସ୍କ । ପ୍ରାଚୀନ କାହାଣୀ ପରଂପରାରେ କଥିତ ଓ ବହୁଶ୍ରୁତ ସୁଖ୍ୟାତ କାହାଣୀମାନଙ୍କର ପୃଷ୍ଠଭୂମିରେ ବରଂ ପ୍ରକଟିତ ହୋଇ ପାରିଛି ସାମାଜିକ-ରାଜନୀତିକ ଶ୍ଳେଷ । ଏହି ଶ୍ଳେଷ ଅଧିକ ତୀକ୍ଷ୍ମ ଓ ଅଧିକ ଭେଦ୍ୟ । କଥା ସରିତ ସାଗର, ପଞ୍ଚତଂତ୍ର, ହିତକଥା, ଜାତକ କାହାଣୀ, ଆରବିଆନ ନାଇଟସ୍‌ କିମ୍ବା ଯାବତୀୟ ଦେଶ-ବିଦେଶର ରୂପକଥା ଓ ପରୀ କାହାଣୀ ଇତ୍ୟାଦିର ନବୀକୃତ ରୂପ ହିଁ ସମକାଳୀନ ଜୀବନଧାରାର ଉଗ୍ର ବାସ୍ତବତାକୁ କରିପାରିଛି ଅଧିକ ସ୍ପଷ୍ଟ । ଚଳନ୍ତି ସମୟର ବ୍ୟକ୍ତି ଜୀବନର ଅସହାୟତା, ପ୍ରତାରଣା, ମୂଲ୍ୟବୋଧ ହୀନତା, ନିଷ୍ଠୁର ନିର୍ବିବେକତା, ନିଷ୍କରୁଣ ସନ୍ଧିଗ୍‌ଧତାକୁ ପ୍ରାଚୀନ କାହାଣୀମାନଙ୍କ ଛାଞ୍ଚରେ ଆଧିନିକୀକୃତ କରି, ବୌଦ୍ଧିକ ପାଠକ (ଶ୍ରୋତା) ଆଗରେ ଠିଆ କରାଇ ପାରିବାର କଳା କୁଶଳତା ଓ ସତର୍କ ସଂଯତ କଥା ଚାତୁରୀର ଦକ୍ଷତା ଯଥାର୍ଥରେ କଥକର ଲକ୍ଷ୍ୟ ଓ କଥନର ଲକ୍ଷଣକୁ କରିପାରିଛି ଅଧିକ ଉଷ୍ମ ଓ ଅଧିକ ଭାବୋଦ୍ଦୀପକ ।

 

ସମକାଳୀନ ଓଡ଼ିଆ ଗଳ୍ପରେ ଏହି ଶୈଳୀର ପ୍ରୟୋଗ ବହୁ ପ୍ରବୀଣ ଓ ତରୁଣ ଗଳ୍ପକାରଙ୍କ ଗଳ୍ପରେ ହୋଇଛି ପ୍ରମୂର୍ତ୍ତ । ରାଜା କି ରାଜକନ୍ୟାଙ୍କ ରୂପକଥା ଭିତରେ ନିର୍ଦ୍ଦେଶିତ ହୋଇ ଉଠିଛି ଚଳିତ ସମୟର ପ୍ରଶାସନିକ ପ୍ରବୃତ୍ତି । ‘ବାନର ସେବକ’ ଭିତରେ ଦଳ ଦଳ ହୋଇ ଦେଖାଯାଇଛି ସମକାଳୀନ ରାଜନୀତିକ ଅବକ୍ଷୟର ଚିତ୍ର । ‘ଭେରଣ୍ଡ ପକ୍ଷୀ’ର କାହାଣୀ ହେଉ କି ହେଉ ଆକାଶରୁ ଖସି ପଡ଼ୁଥିବା ‘କଇଁଛ’; ଏହି ମାନବେତର ଚରିତ୍ରଙ୍କ ଭିତରେ ସୂକ୍ଷ୍ମ ଭାବରେ ଉକୁଟି ଉଠିଛି ତୀବ୍ର ସାମାଜିକ ଓ ରାଜନୀତିକ ଶ୍ଳେଷ । କଂକଣ ଲୋଭୀ ପଥଚାରୀର ଆସକ୍ତି ଭିତରେ କେଡ଼େ ସଯତ୍ନରେ ଉତୁରି ଯାଇଛି ମୋହ ଓ ତଜ୍ଜନିତ ଅପମୃତ୍ୟୁର ଅଶ୍ରୁଳ ସମ୍ବେଦନା ।

 

ଏକଦା ଅବାସ୍ତବ, ଉଦ୍ଭଟ ଓ କଳ୍ପିତ ବୋଧ ହେଉଥିବା ଲୋକ କାହାଣୀର କହୁକ ଖଣ୍ଡା, ଭୋକଲଡ଼ୁ, ଯାଦୁଶକ୍ତି, କଥାକୁହା ପଶୁପକ୍ଷୀ ରାଜା-ରାଣୀ କି ରାକ୍ଷସ-ରାକ୍ଷସୀମାନେହିଁ ଆଧୁନିକ କ୍ଷୁଦ୍ର ଗଳ୍ପର ବୌଦ୍ଧିକ ପାଠକ ନିକଟରେ ହୋଇ ଯାଇଛନ୍ତି ସ୍ଵାଭାବିକ ଓ ବିଶ୍ଵାସ ଯୋଗ୍ୟ । କାରଣ ଲୋକ କାହାଣୀରେ ଅଭିପ୍ରାୟ (motif)ଗୁଡ଼ିକର ପ୍ରୟୋଗଦ୍ୱାରାହିଁ ଲୋକ କାହାଣୀ ଗଣ ସମ୍ମୋହନ ଶକ୍ତି ପାଇଥାଏ (୨) ସେହି ମୋଟିଫ୍‌ର ଯଥାଯଥ ପ୍ରୟୋଗହିଁ ସମକାଳୀନ ‘କାହାଣୀ-ଗଳ୍ପ’ର ସାଫଲ୍ୟ ହେତୁ । ଫଳତଃ ଅବାସ୍ତବ ଭିତରେ ଦ୍ୟୋତିତ ହୋଇ ପାରିଛି ବାସ୍ତବ । ଉଦ୍ଭଟ ମନେ ହୋଇଛି ବିଶ୍ଵାସଯୋଗ୍ୟ ।

 

(୨)

ଡକ୍ଟର କଇଳାଶ ପଟନାୟକ, ଲୋକ ସାହିତ୍ୟ ଚର୍ଚ୍ଚା- ପୃ.୬୯

 

ଆଧୁନିକ କବିତାରେ ସଚରାଚର ଗୃହୀତ ମିଥି ପରି ସମକାଳୀନ କ୍ଷୁଦ୍ର ଗଳ୍ପରେ ଏହି ପ୍ରାଚୀନ କାହାଣୀଗୁଡ଼ିକର ଉପଯୋଗିତା ସାଂପ୍ରତିକ ପରିବର୍ତ୍ତିତ ପରିସ୍ଥିତିରେ ଉପଲବ୍ଧ କରାଯାଇପାରେ । ଜଣେ ମହାନ ଶିଳ୍ପୀ ହିଁ କେବଳ ପ୍ରାଚୀନ-ବର୍ତ୍ତମାନ ଓ ପାର୍ତ୍ରିକ ଭିତରେ ଏପରି ଏକ ଯୋଗସୂତ୍ର ସ୍ଥାପନ କରି ପାରେ । ପ୍ରାକ୍ତନ ଶିଶୁ ମନୋରଂଜନକାରୀ, କଳ୍ପନା ପ୍ରବଣ -ଉଦ୍ଭଟ କାହାଣୀ ଆଧୁନିକ ସାହିତ୍ୟରେ ଉଗ୍ର ବାସ୍ତବତାରେ ରୂପାନ୍ତରିତ ହେଉ ହେଉ କ୍ରମେ ସର୍ବକାଳୀନ ଅତି ଭୌତିକ ସତ୍ତା ପାଖରେ ପହଞ୍ଚି ଯାଏ । ଏଠାରେ କାଳର ବ୍ୟବଧାନ ପ୍ରସାରିତ ହୋଇଯାଇ କାଳୋତ୍ତରରେ ମିଳେଇଯାଏ (୩) ।

 

(୩)

ଡକ୍ଟର ନିତ୍ୟାନନ୍ଦ ଶତପଥୀ, ଗଳ୍ପ ଓ ଗାଳ୍ପିକ - ପୃ୧୨୬-୧୨୭ ।

 

ଯାହା ସହଜ ଭାବେ ପ୍ରତ୍ୟକ୍ଷ କହି ହୁଅନ୍ତା ନାହିଁ ତାହା ରୂପକଥା ମାଧ୍ୟମରେ ପ୍ରତୀକିତ କରାଯାଇପାରେ । ଭୟଙ୍କର ବାସ୍ତବତାର ସମ୍ମୁଖୀନ ହେଲାବେଳେ କଥାକାର ସତ୍ୟ ପ୍ରକାଶନ ପାଇଁ ଅକୁଣ୍ଠ ପ୍ରଚେଷ୍ଟା କରେ । ସେହି ପ୍ରଚେଷ୍ଟା ଅନେକାଂଶରେ ନିର୍ଭୀକ ଦୁଃସାହସିକତାରେ ପରିଣତ ହୁଏ । ପ୍ରତ୍ୟକ୍ଷ ଭାବେ ନିଆଁକୁ ନିଆଁ ବୋଲି କହି ଦେଇ ଏକ ଅସ୍ଵାଭାବିକ ଅନାକାଂକ୍ଷିତ ବିବାଦୀୟ ସମସ୍ୟାକୁ ଆହ୍ୱାନ କରିବା ଅପେକ୍ଷା ବରଂ ପ୍ରତୀକାତ୍ମକ ଭାବେ ସମକାଳୀନ ସାମାଜିକ-ରାଜନୀତିକ ଅବ୍ୟବସ୍ଥାକୁ ରାଜା-ମଂତ୍ରୀକି କଥା କୁହା ପଶୁ-ପକ୍ଷୀଙ୍କ ଜରିଆରେ କହି ପାରିବା ବୋଧହୁଏ ଅଧିକ ଚତୁରତା ଓ ଅଧିକ ଶୃଙ୍ଖଳିତ, ସଂଯତ ସଂପନ୍ନତା । ଲୋକ କାହାଣୀର ଛାଇରେ କାହାଣୀଟିଏ ଗଢ଼ିବା ଓ ଆଧୁନିକ ଜୀବନ ଚର୍ଯ୍ୟାରେ ତାକୁ ରୂପାନ୍ତରିତ କରି ସଫଳ ଭାବେ ଠିଆ କରାଇ ପାରିବାର ଦୁଃସାହସିକତା ଅବଶ୍ୟ ସମକାଳୀନ ଗଳ୍ପକାର ପାଇଁ ଏକ ଚ୍ୟାଲେଞ୍ଜ ।

 

ସେହି ପ୍ରାଚୀନ କାହାଣୀମାନଙ୍କ ଅବଲମ୍ବନରେ ନବୀକୃତ ଆଧୁନିକ କ୍ଷୁଦ୍ରଗଳ୍ପଗୁଡ଼ିକର ଶୀର୍ଷକ ନିର୍ବାଚନ, ଚରିତ୍ର ମନୋନୟନ, ଭାଷା ସଂରଚନ ଓ ଶୈଳୀ ଉପସ୍ଥାପନ ଗତ ପାରଂପରିକତା ଅବଶ୍ୟ ଉଲ୍ଲେଖନୀୟ । ଭାଷା ପ୍ରୟୋଗରେ, କାହାଣୀ ନିର୍ବାଚନରେ, କଥନ ଶୈଳୀରେ ଘଟଣାର ଉପସ୍ଥାପନାରେ ଓ ସର୍ବୋପରି ଚରିତ୍ର ଚିତ୍ରଣରେ ପାରଂପରିକତା ପ୍ରତି ସଂଯତ-ସଚେତନ ଆସକ୍ତି ଏଭଳି ଗଳ୍ପମାନଙ୍କର ବୈଶିଷ୍ଟ୍ୟକୁ ପ୍ରତୀକିତ କରେ ।

 

ଗଳ୍ପର ଶୀର୍ଷକ ନିର୍ବାଚନରେ ଏହି ପ୍ରାଚୀନ ପରଂପରାର ପ୍ରଭାବ କେତେ ସ୍ପଷ୍ଟ ତାହା ନିମ୍ନସ୍ଥ କେତେକ ଉଦାହରଣରୁ ବୁଝି ହେବ ।

 

ଗାଳ୍ପିକ

 

ଗଳ୍ପର ଶୀର୍ଷକ

ମନୋଜଦାସ

ରାଜକନ୍ୟା, ବାକ୍‌ ପଟୁ ହଂସ, ବ୍ୟାଘ୍ର ଓ କଂକଣ ଲୋଭୀ ପଥଚାରୀ, ଆକାଶ କଇଁଛ, ନୂତନ ଅବୋଲକରା କାହାଣୀ ଇତ୍ୟାଦି ।

ମହାପାତ୍ର ନୀଳମଣି ସାହୁ

ବନଗହନର କାକଳି, ସମୁଦ୍ର-ନୀଳକୁଣ୍ଡ ଓ ନୀଳବର୍ଣ୍ଣ ଶୃଗାଳ ଉପାଖ୍ୟାନ ।

ଅଚ୍ୟୁତାନନ୍ଦ ପତି

ମନୁଷ୍ୟ ଉପାଖ୍ୟାନମ୍‌, ରାକ୍ଷସଗପ, ଅବୋଲକରାର ଅନୁଚିନ୍ତା, ମୌନାବତୀର ମାନ ।

ଚଉଧୁରୀ ହେମକାନ୍ତ ମିଶ୍ର

ଟୁଆଁଟିଏ ଟୁଇଁଟିଏ

କୃଷ୍ଣପ୍ରସାଦ ମିଶ୍ର

କଳ୍‌କୀ

କଇଳାଶ ପଟ୍ଟନାୟକ

ବାନର ସେବକ କଥା, ବ୍ୟାଘ୍ର ଚର୍ମାବୃତ ଗର୍ଦ୍ଦଭ କଥା, ଭେରଣ୍ଡ ପକ୍ଷୀକଥା, ଗାଈ ମୁଣ୍ଡ କଥା, ସୌଦାଗର ଓ ଶୂକରପକ୍ଷୀ କଥା - ଇତ୍ୟାଦି

ଉତ୍ତମ କୁମାର ପ୍ରଧାନ

ଭୂତ, ବାଘ ମାମୁଁ ଇତ୍ୟାଦି ।

 

ଖାଲି ଶୀର୍ଷକ କାହିଁକି, ପ୍ରାଚୀନ ଲୋକ-କାହାଣୀର ଅନୁସରଣରେ ଚରିତ୍ରମାନେ ମଧ୍ୟ ପରଂପରାନୁସାରୀ । ଏହି ଗଳ୍ପଗୁଡ଼ିକରେ ସାଧାରଣ ନିମ୍ନ ମଧ୍ୟବିତ୍ତ ସହରୀ ମଣିଷ କି ବୁଦ୍ଧିଜୀବୀ ଫମ୍ପା- ମଣିଷ ଅପେକ୍ଷା ବରଂ ପ୍ରାଚୀନ କାହାଣୀର ରାଜା-ରାଣୀ, ବେତାଳ, ଭୂତ ଅସୁର, ପଶୁ-ପକ୍ଷୀ ଓ ସ୍ଥଳ ବିଶେଷରେ ନିମ୍ନବର୍ଗର ମାନବ ଚରିତ୍ରମାନଙ୍କର ସମାହାର ଦେଖିବାକୁ ମିଳେ । ମାନବ, ମାନବେତ୍ତର ଓ ମାନବୋତ୍ତର ଚରିତ୍ରମାନଙ୍କର ଅପୂର୍ବ ସମାଗମ ଓ ସହଗମଦ୍ୱାରାହିଁ ଏହି ଗଳ୍ପମାନଙ୍କର ଲାକ୍ଷଣିକତା ଅଧିକ ସ୍ୱାଦ୍ୟ । ଏହି ଚରିତ୍ରମାନେ ବୌଦ୍ଧିକ ପାଠକର ମାନସିକତାରେ ସ୍ଵାଭାବିକ ମଣିଷମାନଙ୍କ ଭଳି ଆତଯାତ ହୁଅନ୍ତି ଓ ଆଚରଣ ମଧ୍ୟ କରନ୍ତି । ଗଳ୍ପରେ ଏମାନଙ୍କ ଭୂମିକା ସାମାଜିକ ମଣିଷମାନଙ୍କ ଭଳି ବେଶ ସ୍ପଷ୍ଟ ଓ ଲକ୍ଷଣାବ୍ୟଞ୍ଜକ । ଏଠି କଇଁଛ କହେ ‘ବୁଦ୍ଦୁ’ । ପଶୁ-ପକ୍ଷୀ ଓ ସରୀସୃପ ମଣିଷମାନଙ୍କ ଭଳି ସଭା କରନ୍ତି । ମାଙ୍କଡ଼, ଗର୍ଦ୍ଦଭ, ଗାଈ ମୁଣ୍ଡ, ଶୁକପକ୍ଷୀ ବ୍ୟାଘ୍ର ଇତ୍ୟାଦି ମଣିଷ ଭଳି କଥା କହିପାରନ୍ତି ଓ ଚତୁରତା ମଧ୍ୟ ଦେଖାଇ ପାରନ୍ତି । ଗଳ୍ପକାର ଏହିଭଳି ଚରିତ୍ରମାନଙ୍କୁ ଆପଣାର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟର ସାଧନ ପାଇଁ ପ୍ରୟୋଗ କରିଥାଏ-। ସଚେତନଭାବେ ସେ ଏହିଭଳି ଚରିତ୍ରମାନଙ୍କୁ ମନୋନୀତ କରି ନିଜସ୍ଵ ବକ୍ତବ୍ୟରେ ରୂପାନ୍ତରିତ କରିଥାଏ । ପ୍ରାଚୀନ କାହାଣୀର ଚରିତ୍ରଠାରୁ ‘କାହାଣୀ-ଗଳ୍ପ'ର ଚରିତ୍ରମାନେ ଆଉଟିକେ ଭାବ ବ୍ୟଞ୍ଜକ । ଆଉ ଟିକେ ପରୀକ୍ଷାଧର୍ମୀ ।

 

ଗଳ୍ପମାନଙ୍କରେ ପ୍ରୟୋଗ ହୋଇଥିବା ଭାଷା ମଧ୍ୟ ପ୍ରାଚୀନ କାହାଣୀମାନଙ୍କର ଭାଷା ପରି ସାଧୁ ଶବ୍ଦଯୁକ୍ତ, ସମାସ ଯୁକ୍ତ ଓ ବାକ୍ୟଗୁଡ଼ିକ ଯୌଗିକ । ଗଳ୍ପ ଅଧିକାଂଶତଃ ସଂଳାପ ଧର୍ମୀ । ପୁଣି ସଂଳାପ ପାତ୍ର ମୁଖୀନ । ପ୍ରାଚୀନ ଶବ୍ଦପୁଞ୍ଜର ପ୍ରଭୂତ ପ୍ରୟୋଗରେ କାହାଣୀରେ କାହାଣୀ ଧର୍ମିତା ଓ ଭାବ ପ୍ରକାଶନଗତ ଯାଥାର୍ଥ୍ୟ ଅବଶ୍ୟ ସ୍ଵୀକାର୍ଯ୍ୟ ।

 

ବୋଇଲେ, ଆମ୍ଭକୁ, ୟେଥକୁ ଉପାୟ କି, ସେଠେଇଁ, ପାର୍ଷଦ, ଆଜ୍ଞା, ଛାମୁ, ଉଭା, ସାଧୁ-ସାଧୁ, ଉତ୍ତମ, ଅନନ୍ତରେ, ତହିଁକୁ, ବିଜେ ହେଲେ ଇତ୍ୟାଦି ନାନା ପ୍ରାଚୀନ ଶବ୍ଦ ପୁଞ୍ଜର ପ୍ରୟୋଗରେ ଗଳ୍ପର ପାରଂପରିକ ରୁଚିଗତ ବୈଶିଷ୍ଟ୍ୟ ପାଠକ ଓ ଶ୍ରୋତାର ଚିତ୍ତକୁ ଆକର୍ଷିତ କରିରଖେ । ଏହି ଭାଷା ପ୍ରୟୋଗଗତ ନବୀକୃତ । ଏଭଳି ଗଳ୍ପମାନଙ୍କର ମର୍ଯ୍ୟାଦା ଓ ଶ୍ଳେଷ ପ୍ରକାଶନର ଆବଶ୍ୟକତାକୁ ପ୍ରକଟିତ କରାଏ ।

 

କଥନର ଶୈଳୀରେ ଘଟଣାର ଉପସ୍ଥାପନରେ ପାରଂପରିକତା ସତ୍ତ୍ୱେ ଅଭିନବତା ଏ ଜାତୀୟ ଗଳ୍ପର ଏକ ବୈଶିଷ୍ଟ୍ୟ । କାହାଣୀ ଶୈଳୀୟ ସ୍ୱାଭାବିକ ପ୍ରାରମ୍ଭ ଓ ଦ୍ୱନ୍ଦ ସମସ୍ୟାର ଉତ୍‌ଥାପନ, ସମାଧାନଗତ କାବ୍ୟିକ ନ୍ୟାୟ (Poetic justice) ତଥା ପରିପୂର୍ଣ୍ଣ ପରିସମାପ୍ତି ଇତ୍ୟାଦି କ୍ରମାନ୍ୱୟରେ ଏହିଭଳି ଗଳ୍ପରେ ପ୍ରୟୋଗ ହୋଇଥାଏ । ଦୁଷ୍ଟ ବା ଖଳ ଚରିତ୍ର ପ୍ରତି ଦଣ୍ଡ ବିଧାନ, ଗଳ୍ପଶେଷରେ ସମାଧାନର ସୂତ୍ର ଉନ୍ମୋଚନ ଏଭଳି ଗଳ୍ପକୁ କରିଥାଏ କାହାଣୀ ମୁଖୀ । ଅଧିକାଂଶ ଗଳ୍ପ କାହାଣୀ ଗତ ପ୍ରାଣା । କାହାଣୀ କଥନର ଯାବତୀୟ ସୂକ୍ଷ୍ମ କଳା ଓ ଭାସ୍କର୍ଯ୍ୟକୁ ସତର୍କ ଓ ସଂଯତ ଭାବେ ପ୍ରୟୋଗ କରିପାରିଲେ ଯାର ଏଭଳି କାହାଣୀ-ଗଳ୍ପ ରଚନା କରିପାରିବାର ଦକ୍ଷତା ହାସଲ କରିହେବ।

 

ମନୋଜଦାସଙ୍କ ‘ଅବୋଲକରା’ କାହାଣୀ ଗୋଟିଏ ପ୍ରାଚୀନ କାହାଣୀର ଛାଞ୍ଚରୁ ଉତୁରି ଆସେ । ପ୍ରାପ୍ତ ବୟସ୍କର ପଞ୍ଚତନ୍ତ୍ର ସେହିଭଳି ଉଦ୍ୟମର ପରିପ୍ରକାଶ । ମୂଳ କାହାଣୀକୁ ନବୀକୃତ କରି ଗଳ୍ପକାର ନିଜର ବକ୍ତବ୍ୟ ଉପସ୍ଥାପନ କରିଥାଏ । ଏ କ୍ଷେତ୍ରରେ ନିଜସ୍ଵ ମୌଳିକତା ଓ ଅଭିନବତା ଲକ୍ଷଣୀୟ କଇଳାଶ ପଟ୍ଟନାୟକଙ୍କ ଅଧିକାଂଶ ଗଳ୍ପରେ ଏହି ଧର୍ମ ଅବଶ୍ୟ ଲକ୍ଷଣୀୟ । ଅନେକତ୍ର ମୌଳିକ କାହାଣୀ କଥନର ସ୍ଵକୀୟତା ମଧ୍ୟ ପରିଦୃଷ୍ଟ । (୪) ଆଉ କେତେକ ଗଳ୍ପରେ ସ୍ଵାଭାବିକ ଗଳ୍ପ ଭିତରେ କଥକ ହଠାତ୍‌ ଗୋଟିଏ କାହାଣୀ କହିବାର ପ୍ରୟୋଗ ଦେଖିବାକୁ ମିଳେ । ଫଳତଃ ମୂଳରୁ ଗଳ୍ପଟି ପୂର୍ଣ୍ଣତଃ ଏକ କାହାଣୀ ଧର୍ମୀ ଗଳ୍ପ ନହୋଇ ବରଂ ଗଳ୍ପ ଭିତରେ ଗୋଟିଏ କାହାଣୀ ପ୍ରୟୋଗ କରିବାର ପରୀକ୍ଷାଧର୍ମିତାକୁ ସୂଚିତ କରେ । ଉତ୍ତମ କୁମାର ପ୍ରଧାନଙ୍କ ବାଘମାମୁଁ ଓ ଗୋଟିଏ ହତ୍ୟାକାଣ୍ଡର ବିବରଣୀ, ଅଚ୍ୟୁତାନନ୍ଦ ପତିଙ୍କ ଅବୋଲକରାର ଅନୁଚିନ୍ତା ଇତ୍ୟାଦି ଏହି ଧରଣର ପରୀକ୍ଷାମୂଳକ ଗଳ୍ପ ।

 

(୪)

ଅରଣ୍ୟ ବିଜୟ, ବିହଙ୍ଗ ବିଳାସ, ମାଛ ଶିକାର ଓ ମଂତ୍ରୀ ଚରିତ ଇତ୍ୟାଦ ଗଳ୍ପ ଦ୍ରଷ୍ଟବ୍ୟ ।

 

ଲୋକ-କାହାଣୀରେ ଏକ ନିର୍ଦ୍ଦିଷ୍ଟ ସଂରଚନାତ୍ମକ ପଦ୍ଧତିଥାଏ । ‘ମୋଟିଫ’ ଲୋକ କାହାଣୀ ରଚନାରେ ଏକ ଅପରିହାର୍ଯ୍ୟ ଏକକ (Unit) । ମୋଟିଫକୁ ଛାଡ଼ିଦେଲେ ଲୋକ କାହାଣୀର ଗତି ହୁଏ ଅବରୁଦ୍ଧ । ଦ୍ୱନ୍ଦ୍ୱ ଓ ଉତ୍କଣ୍ଠା ତଥା ଯାଦୁକରୀ ପରିସମାପ୍ତି ଗତ ସମାଧାନ ହୋଇଥାଏ ଅବ୍ୟବସ୍ଥିତ । ସମକାଳୀନ ଗଳ୍ପରେ ସେହି ମୋଟିଫର ପ୍ରୟୋଗ ‘କାହାଣୀ-ଗଳ୍ପ’କୁ କରିପାରିଛି ଅଧିକ ପ୍ରଖର ଓ ଅତ୍ୟନ୍ତ ବାସ୍ତବ । ପ୍ରାଚୀନ କାହାଣୀମାନଙ୍କରେ ଜଟିଳତର ସମସ୍ୟାରୁ ସମାଧାନ ଆଡ଼କୁ ଗତିଶୀଳ ହେବା ପାଇଁ ଏହିଭଳି ମୋଟିଫମାନଙ୍କର ଆବଶ୍ୟକତା ଥିଲା ଗୁରୁତ୍ୱପୂର୍ଣ୍ଣ । ସମକାଳୀନ ଗଳ୍ପରେ ଏହି ମୋଟିଫ ସଚେତନତା ଅବଶ୍ୟ ପରିପ୍ରକାଶିତ । ଏଣୁ କ୍ଷୁଦ୍ରଗଳ୍ପରେ କାହାଣୀ ପ୍ରୟୋଗ ପ୍ରସଙ୍ଗରେ ଗଳ୍ପକାରଙ୍କ ମୋଟିଫ ଆସକ୍ତି ଏଭଳି କାହାଣୀ-ଗଳ୍ପ ପାଇଁ ସ୍ଵାଭାବିକ ।

 

ମନୋଜ ଦାସଙ୍କ ରାଜକନ୍ୟାରେ ଗରିବ ମାଷ୍ଟରର ଉପସ୍ଥିତ ବୃଦ୍ଧି, ମୂର୍ଖ ଭୃତ୍ୟ ଉପାଖ୍ୟାନରେ ମାଙ୍କଡ଼ର ପ୍ରେମାଭିସାର ଇତ୍ୟାଦି କାହାଣୀମାନଙ୍କ ଗତିକୁ ଅଧିକ ପ୍ରଖର କରିପାରିଛି । ବାକ୍‌ ପଟୁ ହଂସରେ ହଂସଟିର ଆକସ୍ମିକ ଉଡ୍ଡୟନ ଓ ଆକାଶ କଇଁଛ ଗଳ୍ପରେ କଇଁଛର ‘ବୁଦ୍ଦୁ’ କଥନ ଏହିଭଳି ଅପ୍ରତ୍ୟାଶିତ ମୋଟିଫ ମାନଙ୍କର ଧାରଣା ଦିଏ । ଏହି ମୋଟିଫ କେତେବେଳେ କୃଷ୍ଣ ପ୍ରସାଦ ମିଶ୍ରଙ୍କ ‘କଳ୍‌କୀ’ ଗଳ୍ପରେ ତାନ୍ତ୍ରିକର ଭୂମିକା ନେଇ ମୂଷାପଲଙ୍କୁ ମଂତ୍ର ଶକ୍ତି ବଳରେ, ସମୁଦ୍ର ଆଡ଼କୁ ନେଇ ଯାଇଛି ତ ପୁଣି କେତେବେଳେ ଅଚ୍ୟୁତାନନ୍ଦ ପତିଙ୍କ ‘ମୌନାବତୀର ମାନ’ ଗଳ୍ପରେ ମାଳୀପୁଅର ଚତୁରତାର ପରୀକ୍ଷା ଦେଇ ପ୍ରକାଶିତ ହୋଇଛି । ରତ୍ନାକର ଚଇନିଙ୍କ ‘କ୍ରୋଧୀରାଜା ଓ ଧୂର୍ତ୍ତ ନାପିତ ଉପାଖ୍ୟାନ’ରେ ରାଜ୍ୟସାରା ବୈଦ୍ୟଙ୍କୁ ରକ୍ଷା କରିବା ପାଇଁ ହଠାତ୍‌ ଚତୁର ନାପିତର ଆକସ୍ମିକ ଅନୁପ୍ରବେଶ କାହାଣୀକୁ କରିଛି ଅଧିକ ତରଙ୍ଗାୟିତ । କଇଳାଶ ପଟ୍ଟନାୟକଙ୍କ ଗଳ୍ପରେ ଏହାର ପ୍ରୟୋଗ ମଧ୍ୟ ପରିଲକ୍ଷିତ । ତାଙ୍କ ବାନର ସେବକ କଥାରେ ଚତୁର ବାନର, ରାଜାଙ୍କ ବକ୍ଷସ୍ଥ ମାଛିକୁ ହତ୍ୟା କରିସାରି ଆପଣାର ଦୋଷ ସ୍ଵୀକାର କରି ନେବା ଓ ସେ ସକାଶେ ଦଣ୍ଡ ପ୍ରାର୍ଥନା କରିବା ଇତ୍ୟାଦି ଅବତାରଣାରେ ଗଳ୍ପର ଗତି ଯଥାର୍ଥରେ ହୋଇଛି ପ୍ରବାହିତ । ତାର ଅନୁତାପହିଁ ତାକୁ ରାଜା ହେବାର ଦେଲା ସୁଯୋଗ । ସୌଦାଗର ଓ ଶୁକପକ୍ଷୀ କଥାରେ ଶୁକପକ୍ଷୀର ମୃତବତ୍‌ ପତନ ଓ ଆକସ୍ମିକ ଉଡ୍ଡୟନ ଏବଂ ପ୍ରତୀକାତ୍ମକ ସନ୍ଦେଶ ପ୍ରେରଣ ଇତ୍ୟାଦି ଏଭଳି ମୋଟିଫ ପ୍ରୟୋଗର ବଳିଷ୍ଠ ଉଦାହରଣ । ଗଳ୍ପ କଥାରେ ଏହି ଶୈଳୀ ସ୍ଵତନ୍ତ୍ରତା ଓ କାହାଣୀ ଉପସ୍ଥାପନଗତ ଚମତ୍କାରିତା ଏହି ଧରଣର ଗଳ୍ପମାନଙ୍କୁ କରିଛି ରସବନ୍ତ ଓ ପ୍ରାଣବନ୍ତ ।

 

ପ୍ରାଚୀନ କାହାଣୀ ଛାଞ୍ଚରେ ନବୀକୃତ ସମକାଳୀନ ଗଳ୍ପରେ ଅତି ସଂଯତ ଓ ସୁତୀକ୍ଷ୍ମ ଭାବେ ପ୍ରକଟିତ ହୋଇପାରେ ସାମସମୟିକ ସାମାଜିକ-ରାଜନୀତିକ ସମସ୍ୟା । ଅତି ତୀବ୍ର ଓ ସଫଳ ଭାବେ ଏହା ଜୀବନ୍ୟାସ ପାଇପାରେ ।

 

କୃଷ୍ଣ ପ୍ରସାଦ ମିଶ୍ରଙ୍କ ‘କଳ୍‌କୀ’ ଗଳ୍ପର ଅସାଧୁ ବ୍ୟବସାୟୀ ଲାଞ୍ଚଖୋର ପ୍ରଶାସକ, ଶୋଷଣଗ୍ରସ୍ତ ରାଜା ଓ ମୂଷାପଲଙ୍କ ପ୍ରତୀକ କେଡ଼େ ଚମତ୍କାରଭାବେ ପରିବେଷିତ ନହୋଇଛି ! ‘ଚଉଧୁରୀ ହେମକାନ୍ତଙ୍କ ଟୁଆଁଟୁଇଁଙ୍କର ପରିବର୍ତ୍ତିତସ୍ୱରୂପ ବାଘର ଯାବତୀୟ ହିଂସ୍ରତାକୁ କରିଛି ଉପହାସ । ଆଧୁନିକ ମଣିଷର ବିକୃତ ମାନବିକ ମୂଲ୍ୟବୋଧ ଓ ସଂକୀର୍ଣ୍ଣ ଅର୍ଥ ଲିପ୍‌ସା ବାଘକୁ ଅସହାୟ କରିଦେଇଛି । ଅଚ୍ୟୁତାନନ୍ଦ ପତିଙ୍କ ‘ମୌନାବତୀର ମାନ’ରେ ଅତ୍ୟାଚାରୀ ରାଜା ପ୍ରସଙ୍ଗରେ ପରିବେଷିତ ହୋଇଛି ଅତ୍ୟାଚାରୀ ପ୍ରଶାସକଙ୍କ ପ୍ରବୃତ୍ତି । ‘ଅବଲୋକରାର ଅନୁଚିନ୍ତା’ରେ ସାଂପ୍ରତିକ ଜୀବନ ଯନ୍ତ୍ରଣାର ଅସହାୟତା କେଡ଼େ ସଯତ୍ନରେ କୁହାଯାଇ ନପାରିଛି-?

 

ଏହି ପରଂପରାର ଦୁଇ ପ୍ରମୁଖ କଥାକାର ଭାବେ ମନୋଜ ଦାସ ଓ କଇଳାଶ ପଟ୍ଟନାୟକଙ୍କ ଗଳ୍ପଗୁଡ଼ିକୁ ବିଚାର କରାଯିବା ଅଧିକ ପ୍ରାସଙ୍ଗିକ ହେବ । ମନୋଜ ଦାସଙ୍କ ପ୍ରାପ୍ତ ବଯସ୍କର ପଂଚତନ୍ତ୍ର ଓ କଇଳାଶ ପଟ୍ଟନାୟକଙ୍କ ଗଳ୍ପ ପୁଣି ମନୋଜ ଦାସଙ୍କ ‘ନୂତନ ଅବୋଲକରା କାହାଣୀ’ ଓ କଇଳାଶ ପଟ୍ଟନାୟକଙ୍କ ‘ଶୁଣ୍‌ ଅବୋଲକରା’ ଏହି ପରଂପରାର ସାର୍ଥକ ପ୍ରତିନିଧିମୂଳକ କାହାଣୀ ଚୟନ ମନୋଜଙ୍କ ଗଳ୍ପରେ ଅଛି ଅତି ଭୌତିକ-ଆଧ୍ୟାତ୍ମିକ ଶ୍ଲେଷ । କଇଳାଶଙ୍କ ଗଳ୍ପରେ ଅଛି ତୀକ୍ଷ୍ଣ ସାମାଜିକ- ରାଜନୀତିକ ବ୍ୟଙ୍ଗ । ବହୁ ଦେଶୀ-ବିଦେଶୀ ପ୍ରାଚୀନ ଲୋକ-କାହାଣୀରୁ ଉଭୟ ଛାଞ୍ଚ (Model) ଗ୍ରହଣ କରିଛନ୍ତି । ଏହି ଛାଞ୍ଚ ସାହାଯ୍ୟରେ ଗଢ଼ି ପାରିଛନ୍ତି ସୁସ୍ୱାଦ ଆଧୁନିକ ଗଳ୍ପ । ମନୋଜ ଦାସ ଅଧିକାଂଶ ଛାଞ୍ଚ ଦେଶୀ କାହାଣୀରୁ ସଂଗ୍ରହ କରିଥିବାବେଳେ କଇଳାଶ ପଟ୍ଟନାୟକ ଦେଶୀୟ ସୀମାକୁ ଡେଇଁ ବହୁ ବିଦେଶୀ ଲୋକ କାହାଣୀ ଓ ଲୋକ-ଉକ୍ତିକୁ ଗଳ୍ପର ଉପଜୀବ୍ୟ ଭାବେ ଗ୍ରହଣ କରିଛନ୍ତି । ‘ଗୁର୍ବେକୁସ୍ତନ କଥା’ ଏହିଭଳି ଏକ ବୈଦେଶିକ ଆଧାର । ଉଭୟଙ୍କ ଗଳ୍ପରେ ଶ୍ଳେଷ ଓ ବ୍ୟଞ୍ଜନା ମୁଖ୍ୟଧର୍ମ ହୋଇଥିଲେ ହେଁ ଉଦ୍ଦେଶ୍ୟ ଓ ଉଦ୍‌ଗମ ଭିନ୍ନ । ଅବୋଲକରା ଭଳି ଏକ ଲୋକ ଚରିତ୍ରକୁ କାହାଣୀ ନିର୍ବାଚନ ପ୍ରସଙ୍ଗରେ ଆଧାରରୂପେ ଉଭୟେ ଗ୍ରହଣ କରିଛନ୍ତି ।

 

ମନୋଜ ଦାସଙ୍କ ‘ମୂର୍ଖଭୃତ୍ୟ ଉପାଖ୍ୟାନ’ ଓ କଇଳାଶ ପଟ୍ଟନାୟକ ତାଙ୍କ ‘ବାନର ସେବକ କଥା’ରେ ମୂଳ ଆଧାର ଭାବେ ଉଭୟେ ପଞ୍ଚତନ୍ତ୍ର ସମାନ କାହାଣୀକୁ ହିଁ ଗ୍ରହଣ କରିଛନ୍ତି ସତ୍ୟ ମାତ୍ର ଗଳ୍ପର ଆଭିମୂଖ୍ୟ ପ୍ରସଙ୍ଗରେ ଦୁଇଜଣଙ୍କର ମାର୍ଗ ଓ ଦର୍ଶନ ଭିନ୍ନ ଭିନ୍ନ । ମନୋଜଙ୍କ ଗଳ୍ପରେ ବ୍ୟକ୍ତି ଜୀବନର ମିଥ୍ୟା ଆସକ୍ତି ଓ ଅସହାୟତା ପ୍ରତି ଶ୍ଳେଷଥିବାବେଳେ କଇଳାଶଙ୍କ ଗଳ୍ପରେ ରାଜନୀତିକ ମୂଲ୍ୟବୋଧର ଅବକ୍ଷୟ ସାମାଜିକ ଅବ୍ୟବସ୍ଥା ପ୍ରତି ତୀକ୍ଷ୍ମ ବ୍ୟଙ୍ଗ ପରିଦୃଷ୍ଟ ।

 

ମଣିଷ ମନର ସୂକ୍ଷ୍ମ ଅବଚେତନ ସ୍ତରରେ ଏହି ପ୍ରାଚୀନ କାହାଣୀମାନଙ୍କ ପ୍ରତି ଥାଏ ମାନସିକ ଦୁର୍ବଳତା । ଏହା ପାଠକୀୟ ଅବଚେତନାର ଏକ ଅବାରିତ ଆକର୍ଷଣ । ଲୋକ କାହାଣୀର ଛାଇରେ ଗଳ୍ପଟିଏ ଗଢ଼ିବା ଓ ଆଧୁନିକ ଜୀବନ ଚର୍ଯ୍ୟାରେ ତାକୁ ରୂପାନ୍ତରିତ କରି ସଫଳ ଭାବେ ଠିଆ କରାଇ ପାରିବାର ଦୁଃସାହସିକତା ଅବଶ୍ୟ ସମକାଳୀନ ଗଳ୍ପକାର ପାଇଁ ଏକ ଚ୍ୟାଲେଞ୍ଜ । ଏକ ଅଭିନବ ପରୀକ୍ଷା । ତଥାପି ଏସବୁ ସତ୍ତ୍ୱେ ଏଭଳି ଗଳ୍ପର ମଧ୍ୟ ଅଛି କିଛି ସୀମିତତା (Limitation) । କିଛି ନିର୍ଦ୍ଦିଷ୍ଟ ଧରଣର ବକ୍ତବ୍ୟ ପାଇଁ ଏହଭଳି ଶୈଳୀ (Form)ର ପ୍ରୟୋଗ ସ୍ୱାଗତଯୋଗ୍ୟ ମନେ ହୋଇଥିଲେ ହେଁ ଆଧୁନିକ ଗଳ୍ପ-ପୃଥିବୀର ପରିବ୍ୟାପ୍ତ ସମସ୍ୟା ପାଇଁ ସବୁବେଳେ ଓ ସବୁ ଧରଣର ଗଳ୍ପ ପାଇଁ ଏହି ଶୈଳୀକୁ ପ୍ରୟୋଗ କରାଯାଇ ପାରିବ ନାହିଁ । ଏକ ନିର୍ଦ୍ଦିଷ୍ଟ ଧରଣର ବକ୍ତବ୍ୟ ଓ ଏକ ସ୍ଵତନ୍ତ୍ର ଧରଣର ଉପସ୍ଥାପନାକୁ ଆଖି ଆଗରେ ରଖି ଏଭଳି ଗଳ୍ପ ସଂରଚନା କରାଯାଇଥାଏ । ଏହି ପରୀକ୍ଷା ଆଜି ସଫଳତାର ଚୁଡ଼ା ଆରୋହଣ କରିଛି । କାହାଣୀ ଭିତରେ ଗଳ୍ପ ବାନ୍ଧି ରଖି ପାରିବାର ଏକ କଳାଚାତୁରୀକୁ କରିଛି ଆୟତ୍ତ । ସେପାଇଁ ଏହାକୁ ‘‘କାହାଣୀ- ଗଳ୍ପ’’ କହିବା ଅଧିକ ଯୁକ୍ତିଯୁକ୍ତ, ଅଧିକ ପ୍ରାସଙ୍ଗକ ।

 

 

ବାଲିଖଣ୍ଡ କଲେଜ

ବାଲିଖଣ୍ଡ, ଭଦ୍ରଖ

 

***

 

Unknown

ଅନୁବାଦ ଓ ଓଡ଼ିଆ ସାହିତ୍ୟ

ଶ୍ରୀ ଚିତ୍ତରଞ୍ଜନ ଦାସ

 

ଯେତେବେଳେ ଗୋଟିଏ ସାହିତ୍ୟ ଆଉଗୋଟିଏ ସାହିତ୍ୟକୁ ଚିହ୍ନିବା ସକାଶେ ମନ କରେ, ସେତେବେଳେ ତାହାର ସେହି ପ୍ରବୃତ୍ତି ଏବଂ ସେହି ଆଗ୍ରହରୁ ହଁ ଅନୁବାଦ ଲାଗି ଏକ ଅବସରର ସୃଷ୍ଟି ହୋଇଥାଏ । ଯେତେବେଳେ ଜଣେ ମଣିଷ ଆଉଜଣେ ମଣିଷ ବିଷୟରେ ଆଗ୍ରହୀ ହୁଏ, ତାହାର ନିକଟବର୍ତ୍ତୀ ହେବାକୁ ଇଚ୍ଛାକରେ ସେତେବେଳେ ସାଂସାରିକ ଭାବର ଭାଷାରେ ତାହାକୁ ସଖ୍ୟ କୁହାଯାଏ । ଅନେକ ମଣିଷ ଅଛନ୍ତି, ଯେଉଁମାନେ ଆମ ସଂସାର ଭିତରେ ସତେଅବା ଗୋଟିଏ ଗୋଟିଏ ଦୀପ ହୋଇ ରହିଥାନ୍ତି । ସେମାନେ ନିଜକୁ ସତେଅବା ସ୍ଵୟଂସମ୍ପୂର୍ଣ୍ଣ ବୋଲି ଅନୁଭବ କରୁଥାନ୍ତି । ସେମାନେ ସଂକ୍ରମଣକୁ ଭୟ କରନ୍ତି । ଆଉଗୋଟଏ ପ୍ରକାରର ମଣିଷ ଆଉ କାହାର ସମ୍ପର୍କରେ ଆସିବା ମାତ୍ରକେ ତାହାକୁ ଗ୍ରାସ କରିବାକୁ ବାହାରି ପଡ଼ନ୍ତି ଅଥବା ଆପେ ସେହି ଅନ୍ୟଜଣକର ଗ୍ରାସ ମଧ୍ୟରେ ଯାଇ ପଡ଼ିଯାଆନ୍ତି । ଏମାନେ ସଖ୍ୟ କରି ପାରନ୍ତି ନାହିଁ । ଗୋଟିଏ ସାହିତ୍ୟ ଆଉ ଏକ ସାହିତ୍ୟ ସହିତ ସଖ୍ୟ ଲୋଡ଼ିଲେ ସାହିତ୍ୟରେ ଅନୁବାଦର ପର୍ବ ଆରମ୍ଭ ହୋଇଥାଏ ଓ ଅନୁବାଦର ପ୍ରୟୋଜନ ଅନୁଭୂତ ହୋଇଥାଏ । ଅନୁବାଦ, ଅର୍ଥାତ୍‌ ସାହିତ୍ୟରେ ଏକ ଆଦାନପ୍ରଦାନର ରୀତି ।

 

ମୂଳତଃ ଏକ ପାରସ୍ପରିକ ଆଦାନ ପ୍ରଦାନର ପ୍ରକ୍ରିୟାଦ୍ୱାରା ହିଁ ପୃଥିବୀର ବିଭିନ୍ନ ଭାଷାର ଉଦ୍‌ଭବ ହୋଇ ଆସିଛି । ପୃଥିବୀରେ ଏଭଳି କୌଣସି ଗୋଟିଏ ଭାଷା ନାହିଁ, ଯାହାକି ଅନ୍ୟ ବହୁ ଭାଷାଠାରୁ ସମ୍ପୂର୍ଣ୍ଣ ଅସଂଲଗ୍ନ ରହି ତଥାକଥିତ ସମ୍ପୂର୍ଣ୍ଣ ଶୁଦ୍ଧ ଭାବରେ ଆପଣାର ବିକାଶ ସମ୍ଭବ କରି ପାରିଛି । ବସ୍ତୁତଃ, ଯାବତୀୟ ବିକାଶ ଏବଂ ବିବର୍ତ୍ତନ ଲାଗି ପ୍ରତ୍ୟେକ ଭାଷାକୁ ଆପଣାର ଗ୍ରହଣଦ୍ୱାରଗୁଡ଼ିକୁ ଯଥାସମ୍ଭବ ଅଧିକ ପରିମାଣରେ ଉନ୍ମୁକ୍ତ କରି ରଖିବାକୁ ହୋଇଥାଏ । ଇତିହାସରେ ଯେଉଁଭାଷା ଯେତେ ଅଧିକ ସଂକ୍ରମଣ ଓ ତେଣୁ ଅଧିକ ସଂସ୍ରବର ଇଚ୍ଛା କରିଛି, ତାହାର ବିବର୍ତ୍ତନ ହୁଏତ ସେତିକି ଅଧିକ ସୁସ୍ଥ ଏବଂ ପ୍ରସାରଯୁକ୍ତ ହୋଇ ପାରିଛି । ମାତ୍ର, ସାହିତ୍ୟର କ୍ଷେତ୍ରରେ ସାଧାରଣତଃ ସେହି ପାରସ୍ପରିକ ସଂକ୍ରମଣଟି ଆଦୌ ସେତେ ସୁଲଭ ଭାବରେ ଘଟି ପାରିନାହିଁ । ଅନ୍ତତଃ, ପ୍ରତ୍ୟେକ ସାହିତ୍ୟର ଆଦ୍ୟ ତଥା ମଧ୍ୟ ଯୁଗ ବିଷୟରେ ସେକଥା ଅଧିକ ଦୃଢ଼ ଭାବରେ କୁହାଯାଇ ପାରିବ । ସେହି ଆଦ୍ୟ ଓ ମଧ୍ୟକାଳରେ ସାହିତ୍ୟ ସାହିତ୍ୟ ମଧ୍ୟରେ ଯଥେଷ୍ଟ ପରିମାଣରେ ଏକ ସଂସ୍ରବ ସୃଷ୍ଟି କରିପାରିବା ଲାଗି ହୁଏତ ଏକ ଭୌତିକ ଭୂମି ମଧ୍ୟ ତିଆରି ହୋଇ ନଥିଲା । ଭୌଗୋଳିକ ଦୂରତାମାନେ ଅତିମାତ୍ରାରେ ରହିଥିଲେ ଏବଂ ତେଣୁ ଏକ ମିଛ ସ୍ଵୟଂସମ୍ପୂର୍ଣ୍ଣା ମଧ୍ୟ ମନୁଷ୍ୟର ଦୃଷ୍ଟିକୁ ଭାରି ସଙ୍କୁଚିତ କରି ରଖିଥିଲା । ଆଧୁନିକ ଯୁଗରେ ଯାଇ ସେହି ସଙ୍କୋଚର ଦୂରୀକରଣ ହେଲା । ସ୍ଥଳଭାଗ ତଥା ସମୁଦ୍ରରେ ନୂଆ ବାଟମାନ ଫିଟିବା ସଙ୍ଗେ ସଙ୍ଗେ ଗୋଟିଏ ସଂସ୍କୃତି ଆଉ ଗୋଟିଏ ସଂସ୍କୃତିକୁ ଜାଣିଲା, ଭାଗବତ ସଂସ୍ରବମାନ ବୃଦ୍ଧି ପାଇଲା-। ସେହି ସଂସ୍ରବର ପ୍ରଭାବ ସାହିତ୍ୟର କ୍ଷେତ୍ରରେ ମଧ୍ୟ ଅନୁଭୂତ ହେଲା । ସେହି ଅଭୂତପୂର୍ବ ଦ୍ଵାର-ଉନ୍ମୋଚନର ଯୁଗରେ ଜର୍ମାନୀର ମହାକବି ଗୁଏଟେ ପ୍ରାୟ ସର୍ବପ୍ରଥମେ ଏକ ବିଶ୍ଵସାହିତ୍ୟର କଥା କହିଥିଲେ । ଏହି ବିଶ୍ଵସାହିତ୍ୟ କହିଲେ ଧର୍ମତଃ ପରସ୍ପରଠାରୁ ଅଲଗା ହୋଇ ରହିଥିବା ଭିନ୍ନ ଭିନ୍ନ ସାହିତ୍ୟର ଏକ ସମାହାରକୁ ଆଦୌ ବୁଝାଏ ନାହିଁ । ବିଶ୍ଵସାହିତ୍ୟ,-ଅର୍ଥାତ୍‌ ପରସ୍ପରଦ୍ୱାରା ସଂକ୍ରମିତ ହେବାର ଇଚ୍ଛାକୁ ବହନ କରି ପ୍ରାୟ ଅନୁମ୍ବ ଭାବରେ ଏକ ଅନ୍ୟସ୍ତରୀୟ ସମୃଦ୍ଧି ନିମନ୍ତେ ପରସ୍ପରର ନିକଟବର୍ତ୍ତୀ ହୋଇଥିବା ସାହିତ୍ୟଗୁଡ଼ିକୁ ଏକତ୍ର ଗଅଁଠାଇ ରଖି ଏକ ଅନ୍ୟ ପୂର୍ଣ୍ଣତରତାର ଉଦ୍‌ବୋଧନ ଦେଇ ପାରୁଥିବା ଏକ ପ୍ରେରଣା । ସାହିତ୍ୟରେ ଏହି ପ୍ରେରଣା ହେଉଛି ଏକ ଆଧୁନିକ ପ୍ରେରଣା । ଯଥାର୍ଥ ଶ୍ରଦ୍ଧା ଓ ଆତ୍ମୀୟତା ସହିତ ଅନ୍ୟ କୌଣସି ସଂସ୍କୃତି ଅଥବା ଅନ୍ୟ କୌଣସି ସାହିତ୍ୟକୁ ଚିହ୍ନିଲେ ଆପଣାର ସଂସ୍କୃତି ଏବଂ ସାହିତ୍ୟକୁ ଯେ ଅଧିକ ନିବିଡ଼ ଓ ଅଧିକ ସମ୍ପୂର୍ଣ୍ଣ ଭାବରେ ଚିହ୍ନିବାର ଅବକାଶ ମିଳିଥାଏ, ଏଇଟି ହେଉଛି ଆମ ସଂସ୍କୃତିର କ୍ଷେତ୍ରରେ ଏକ ଆଧୁନିକ ଆବିଷ୍କାର । ସେହି ଆବିଷ୍କାରଟି ହିଁ ପୃଥିବୀରେ ସାହିତ୍ୟର କ୍ଷେତ୍ରରେ ଅନୁବାଦ ନିମନ୍ତେ ପ୍ରଶସ୍ତତର କ୍ଷେତ୍ରଟିଏ ଆଣି ଯୋଗାଇ ଦେଇଛି ।

 

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସେହି ପ୍ରଥମକାଳୀନ ଅନୁବାଦ - ସାହିତ୍ୟ ହେଉଛି ପ୍ରଧାନତଃ ପ୍ରତିବାଦ – ସାହତ୍ୟ । ସେତେବେଳେ ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାରେ ମଧ୍ୟ ସଂସ୍କୃତ ଭାଷାରେ ହିଁ ଯାହାକିଛି ସାହତ୍ୟ ଲେଖା ଯାଉଥିଲା । ପୁନଶ୍ଚ, ସେହି ସାହିତ୍ୟ ପ୍ରଧାନତଃ ରାଜସଭାର ସାହିତ୍ୟ ଥିଲା । ରାଜସଭାରେ ପଣ୍ଡିତମାନେ ରହିଥିଲେ, ସେମାନେ ପ୍ରାୟ ଫରମାସ ଅନୁସାରେ କାବ୍ୟ ଏବଂ କାବ୍ୟତାତ୍ତ୍ୱିକ ସନ୍ଦର୍ଭମାନ ଲେଖୁଥିଲେ । ସେତେବେଳେ ସେମାନେ, ହୁଏତ ସେହି ଫରମାସ ଅନୁସାରେ ସ୍ଵୟଂ ରାଜାଙ୍କ ନାମରେ ଭଣିତା କରି ଲେଖୁଥିଲେ ଓ ତଦ୍ଦ୍ୱରା ରାଜାମାନଙ୍କୁ ଜଣେ ଜଣେ ସାହତ୍ୟକାରରୂପେ ମଧ୍ୟ ପରିଚିତ କରାଉଥିଲେ । ସେହି ରାଜା ଓ ପଣ୍ଡିତ ଉଭୟେ ଯେ ସେତେବେଳେ ଯାବତୀୟ କଥୋପକଥନର କ୍ଷେତ୍ରରେ ସ୍ଥାନୀୟ କଥିତ ଭାଷାକୁ ବ୍ୟବହାର କରୁଥିଲେ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ, ମାତ୍ର କାବ୍ୟ ଓ ସାହିତ୍ୟ ଭିତରେ ପ୍ରଦେଶ କରିବା ମାତ୍ରକେ ସଂସ୍କୃତ ଭାଷାର ଆଶ୍ରୟ ଗ୍ରହଣ କରୁଥିଲେ । ଓଡ଼ିଶାରେ ଶୁଦ୍ରମୁନି ସାରଳା ଦାସ ସେହି ରୀତିରେ ପ୍ରତିବାଦ କରି ପଞ୍ଚଦଶ ଶତାବ୍ଦୀରେ ତାଙ୍କର ଓଡ଼ିଆ ମହାଭାରତ ଲେଖୁଥିଲେ । ସାରଳାଙ୍କ ମହାଭାରତ ଆଦୌ ସଂସ୍କୃତ ମହାଭାରତର ଅନୁବାଦ ନୁହେଁ, ଯାବତୀୟ ଦୃଷ୍ଟିକୋଣରୁ ବିଚାର କରି ଦେଖିଲେ ଏହା ଏକ ବଳିଷ୍ଠ ଅନୁସୃଜନ । ସେତେବେଳେ ଖୁବ୍‌ କମ୍‌ ଲୋକ ସଂସ୍କୃତ ଭାଷାରେ ଲିଖିତ ମହାଭାରତ ପାଠ କରିଥିଲେ ମଧ୍ୟ ମହାଭାରତର ଗାଥା ଏବଂ ଆଖ୍ୟାୟିକାଗୁଡ଼ିକ ଲୋକମୁଖରେ ବହୁ ପରିଚିତ ହୋଇ ରହିଥିଲା । ମୁହଁରୁ ମୁହଁକୁ ହେବାର ପ୍ରକ୍ରିୟାରେ ତାହା ନାନାପ୍ରକାରେ ପରିବର୍ତ୍ତିତ ମଧ୍ୟ ହୋଇ ଯାଉଥିଲା । ସୃଜନଶୀଳ କଥାନୁରାଗୀମାନଙ୍କର ହାତକୁ ଆସି ସେଥିରେ ଆହୁରି ଅନେକ କଥା ଅତ୍ୟନ୍ତ ସ୍ଵାଭାବିକ ଭାବରେ ଯୋଡ଼ା ବି ହୋଇ ଯାଉଥଲା । ସାରଳାଦାସ ସେହି ସବୁଗୁଡ଼ିକୁ ଏକାଠି ଗୁନ୍ଥି ଓ ସେଗୁଡ଼ିକୁ ଏକ ମନୋରମ ଲୋକ କାବ୍ୟର ଅତ୍ୟୁଦାର ରୂପ ଦେଇ ଓଡ଼ିଆ ମହାଭାରତର ପ୍ରଣୟନ କରିଥିଲେ ।

 

ସାରଳାଦାସଙ୍କ ପରେ ଓଡ଼ିଆ ସାହତ୍ୟର ପଞ୍ଚସଖାଯୁଗରେ ସେହି ପରମ୍ପରାଟି ଅଧିକ ପ୍ରସାରିତ ହୋଇଥିଲା । ରାମାୟଣ ଓଡ଼ିଶାର ବଳରାମ ଦାସଙ୍କ ହାତରେ ଜଗମୋହନ ରାମାୟଣ ହେଲା । ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଲେଖିଲେ । ଅଚ୍ୟୁତାନନ୍ଦ ହରିବଂଶର ଓଡ଼ିଆ କଲେ । ଉଭୟେ ଜଗନ୍ନାଥ ଦାସ ଓ ବଳରାମ ଦାସ ଶ୍ରୀମଦ୍‌ଭଗବଦ୍‌ ଗୀତାର ଓଡ଼ିଆ ଅନୁବାଦ ଲେଖିଲେ । ଜଗନ୍ନାଥ ତାହାକୁ ନବାକ୍ଷରୀରେ ପକାଇଲେ ଓ ବଳରାମ ତାକୁ ନାନାବିଧ ଓଡ଼ିଆ ଛାନ୍ଦର କଳେବର ପ୍ରଦାନ କରିଥିଲେ । ଏଗୁଡ଼ିକୁ ଆମେ ଗୋଟିଏ ଗୋଟିଏ ଅନୁସୃଜନ ବୋଲି କହି ପାରିବା । ପ୍ରଧାନତଃ ଏକ ପ୍ରତିବାଦଦ୍ୱାରା ହଁ ପ୍ରେରିତ ହୋଇ ସେମାନେ ଏଗୁଡ଼ିକୁ ଲେଖିଥିଲେ । ପଞ୍ଚସଖାଙ୍କ ପରେ ଓଡ଼ିଆ ସାହିତ୍ୟକୁ ଯେଉଁ ରୀତିଯୁଗ ଆସିଲା, ତହା ଓଡ଼ିଆ ଭାଷାର ଚଳନ୍ତି ଗଢ଼ଣଗୁଡ଼ିକୁ ଭାଙ୍ଗିଦେଇ ତୁଚ୍ଛା ଏକ ସଂସ୍କୃତ-ଗଢ଼ଣର ଆଳଙ୍କାରିକତା ଦେଇ ଓଡ଼ିଆ କାବ୍ୟସୃଜନକୁ ମନ ବଳାଇଥିଲା । ଅନ୍ୟପ୍ରକାରେ କହିଲେ ରୀତିର ଚୟନରେ ତାହା ସଂସ୍କୃତର ଅନୁକରଣ କରି ହିଁ ସଂସ୍କୃତର ବାଡ଼କୁ କାଟିବା ଲାଗି ଚେଷ୍ଟା କରିଥିଲା । ଅବଶ୍ୟ ଏକଥା ମଧ୍ୟ ସତ ଯେ, ଓଡ଼ିଶାର ସନ୍ଥମାନେ ଚଳନ୍ତି ଓଡ଼ିଆ ଭାଷାକୁ ତଥାପି ବଞ୍ଚାଇ ରଖିଥିଲେ ।

 

ଉନବିଂଶ ଶତାବ୍ଦୀର ପ୍ରଥମ ଓ ଦ୍ୱିତୀୟ ଭାଗରେ ଯାଇ ଓଡ଼ିଆ ସାହତ୍ୟରେ ଏକ ଯଥାର୍ଥ ଅନୁବାଦ ଯୁଗ ଆରମ୍ଭ ହୋଇଥିଲା । ଏହି ପର୍ଯ୍ୟାୟରେ ଆମକୁ ପ୍ରଧାନତଃ ଦୁଇ କିସମର ଅନୁବାଦ ସାହିତ୍ୟ ଦେଖିବାକୁ ମିଳିବ । ପ୍ରଥମ କିସମଟି ହେଉଛି ସଂସ୍କୃତ ଭାଷାରୁ ଓଡ଼ିଆ ଭାଷାକୁ ଅନୁବାଦ । ସେହି ପର୍ଯ୍ୟାୟରେ କେତୋଟି ସଂସ୍କୃତ କାବ୍ୟ ଓ ନାଟକର ଓଡ଼ିଆ ଅନୁବାଦ ହୋଇଥିଲା । ତତ୍କାଳୀନ କେତେକ ରାଜା ସେହି ଅନୁବାଦଗୁଡ଼ିକୁ ପ୍ରୋତ୍ସାହିତ କରିଥିଲେ । ସେହି ଅନୁବାଦଗୁଡ଼ିକରେ କାବ୍ୟିକତା କମ୍‌ ଏବଂ ପାଣ୍ଡିତ୍ୟ ଅଧିକ । ଭାରି ଅସାବଲୀଳ, ଭାରି କର୍କଶ । ସତେଅବା ସଂସ୍କୃତରୁ ଆନୀତ ଶବ୍ଦବୋଝ ଗୁଡ଼ିକୁ ଓଡ଼ିଆ ଅନ୍ଧାରର ବେଶ ପିନ୍ଧାଇ ତାହାକୁ ହିଁ ଓଡ଼ିଆ ବୋଲି ଦେଖାଇବାର ପ୍ରୟାସ କରାଯାଇଥିଲା । ପଣ୍ଡିତ ଶ୍ରୀ ଗୋପୀନାଥ ନନ୍ଦଙ୍କର ଅନୁବାଦକୁ ତାହାର ନମୁନା ବୋଲି ଗ୍ରହଣ କରା ଯାଇପାରେ ଏବଂ କିଞ୍ଚିତ୍‌ ପରବର୍ତ୍ତୀ ଯୁଗରେ ଶ୍ରୀ ରାଧାନାଥ ରାୟଙ୍କର ଅନୂଦିତ ଗଦ୍ୟ ମଧ୍ୟ ତାହାର ପରିଚୟ ପ୍ରଦାନ କରିଥାଏ । ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ରାଧାନାଥ ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତ ପାଠ କରି ନଥିଲେ । ଦ୍ୱିତୀୟ କିସମର ଅନୁବାଦର ନମୁନା ମିଶନାରୀମାନଙ୍କର ଲେଖାରୁ ଦେଖିବାକୁ ମିଳିବ । ମିଶନାରୀମାନେ ପ୍ରୟୋଜନରେ ପଡ଼ି ବାଇବେଲର ତଥା କେତେକ ଖ୍ରୀଷ୍ଟିଆନ୍‌ ସାହତ୍ୟର ଓଡ଼ିଆ ଅନୁବାଦ କରାଇଥିଲେ ସତ, ମାତ୍ର ସେଗୁଡ଼ିକ ଯାବତୀୟ ଦୃଷ୍ଟିରୁ କଦାପି ଏକ ପ୍ରତିନିଧିମୂଳକ ଅନୁବାଦ ସାହିତ୍ୟର ଅନ୍ତର୍ଗତ ହୋଇ ପାରିବ ନାହିଁ । ସେହି କାଳର ପ୍ରତିନିଧିମୂଳକ ଅନୁବାଦ ଆମକୁ ଫକୀର ମୋହନଙ୍କର ଅନୁବାଦଗୁଡ଼ିକରେ ହିଁ ଠାବ କରିବାକୁ ହେବ । ଫକୀର ମୋହନ ଈଶ୍ଵର ଚନ୍ଦ୍ର ବିଦ୍ୟାସାଗରଙ୍କଦ୍ୱାରା ଲିଖିତ କେତେକ ଜୀବନୀର ଓଡ଼ିଆ ଅନୁବାଦ କରିଥିଲେ । ବୌଦ୍ଧାବତାର କାବ୍ୟ ତାଙ୍କର ଆଉ ଗୋଟିଏ ସଫଳ ଅନୁବାଦକୃତି ।

 

ଓଡ଼ିଆ ସାହିତ୍ୟରେ ଯେ ସାହିତ୍ୟିକ ସୁଖାନୁବାଦ ଅବଶ୍ୟ ସମ୍ଭବ ଏବଂ, ଯଥାର୍ଥ ଶ୍ରଦ୍ଧା ରହିଥିଲେ ତାହା ଯେ ଏକ ସୃଜନାତ୍ମକ ସ୍ତରକୁ ଉନ୍ନୀତ ହୋଇ ପାରିବ, ଫକୀର ମୋହନଙ୍କର ଅନୁବାଦଗୁଡ଼ିକୁ ଓଡ଼ିଆ ସାହିତ୍ୟରେ ସମ୍ଭବତଃ ସେହି କଥାଟିର ସର୍ବପ୍ରଥମ ପ୍ରତ୍ୟୟ ଦେଇ ପାରିଥିଲା । ପରବର୍ତ୍ତୀ ସତ୍ୟବାଦୀ ଯୁଗରେ ସାହିତ୍ୟର ଗବାକ୍ଷ ଓ ପରିଧିଗୁଡ଼ିକ ଆହୁରି ଅନେକ ଆଡ଼କୁ ପ୍ରସାରିତ ହୋଇ ଯାଇଥିଲା । ନୀଳକଣ୍ଠ ଓ ଗୋଦାବରୀଶଙ୍କର ଅନୁବାଦଗୁଡ଼ିକ ମୂଳତଃ ସେହି ପ୍ରସାରଣ ନିମନ୍ତେ ହିଁ ଉର୍ଦ୍ଦିଷ୍ଟ ହୋଇ ରହିଥିଲା । ଭାରତବର୍ଷ ସ୍ଵାଧୀନତା ଲାଭ କରିବା ପରେ ଏବଂ ତାପରେ ଭାରତୀୟ ଭାଷାଗୁଡ଼ିକର କ୍ଷେତ୍ରରେ ଏକ ବିଶେଷ ସାହିତ୍ୟସଚେତନତାର ଉଦ୍‌ବେଳନ ଘଟିବା ଫଳରେ ଅନୁବାଦର କ୍ଷେତ୍ରରେ ମଧ୍ୟ ଏକ ସମୃଦ୍ଧି ଅବଶ୍ୟ ଦୃଷ୍ଟିଗୋଚର ହୋଇଛି । ବିଗତ ଚାରି ପାଞ୍ଚ ଦଶକ ମଧ୍ୟରେ ଇଉରୋପୀୟ ସାହିତ୍ୟରୁ ଓଡ଼ିଆକୁ ବହୁ ଗ୍ରନ୍ଥର ଅନୁବାଦ ହୋଇଛି । ଜ୍ଞାନର ଏକାଧିକ କ୍ଷେତ୍ରରେ ଅନୁବାଦମାନ ହୋଇଛି ଓ ତାହା ଓଡ଼ିଆ ଜ୍ଞାନଭଣ୍ଡାରକୁ ସମୃଦ୍ଧ କରିଛି । ଜାତୀୟ ଏବଂ ରାଜ୍ୟସ୍ତରରେ ପ୍ରତିଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ସାହିତ୍ୟ ସଂସ୍ଥାମାନେ ଅନୁବାଦକୁ ଏକ ବିଶେଷ କାର୍ଯ୍ୟକ୍ରମରୂପେ ଗ୍ରହଣ କରିଛନ୍ତି । ଅନୁବାଦ ଏବଂ ଅନୁବାଦକମାନଙ୍କର ଏକ ସୁବିସ୍ତୃତ ନାମ ତାଲିକା ଯୋଗାଇ ଦେବା ପ୍ରସ୍ତୁତ ପ୍ରବନ୍ଧଟିର ଉଦ୍ଦେଶ୍ୟ ନୁହେଁ । ତଥାପି ବିଶେଷ ଭାବରେ ନୋବେଲ ପୁରସ୍କାର ପ୍ରାପ୍ତ ସାହିତ୍ୟର ଓଡ଼ିଆ ଅନୁବାଦକୁ ଅପାଣାର ପ୍ରାୟ ଏକ ଧର୍ମରୂପେ ଗ୍ରହଣ କରିଥିବା ଶ୍ରୀଯୁକ୍ତ ପ୍ରଫୁଲ୍ଲଚନ୍ଦ୍ର ଦାସଙ୍କର ନାମୋଲ୍ଲେଖ ଅବଶ୍ୟ କରିବାକୁ ହେବ । ବିଭିନ୍ନ ଅନୁବାଦକଙ୍କଦ୍ୱାରା ଅନୁବାଦ କରାଇ ଶ୍ରୀଯୁକ୍ତ ଦାସ ପ୍ରାୟ ଅର୍ଦ୍ଧଶତାଧିକ ଗ୍ରନ୍ଥ ପ୍ରକାଶ କରିଛନ୍ତି । ନିଜେ ମଧ୍ୟ କେତୋଟି ଗ୍ରନ୍ଥର ଅନୁବାଦ କରିଛନ୍ତି । ଜଣେ ପ୍ରକାଶକ ସାହିତ୍ୟଶ୍ରଦ୍ଧାଳୁ ହେଲେ ଏହି ସାନ ଏବଂ ଅଳ୍ପବିତ୍ତ ଓଡ଼ିଶାରେ ମଧ୍ୟ କେତେ କଥା ଯେ ସମ୍ଭବ ହୋଇପାରେ, ଶ୍ରୀଯୁକ୍ତ ଦାସ ଆହୁରି ବହୁଦିନ ପର୍ଯ୍ୟନ୍ତ ତାହାର ଦୃଷ୍ଟାନ୍ତ ହୋଇ ରହିଥିବେ ।

 

ସାହିତ୍ୟରେ ଅନୁବାଦର କାର୍ଯ୍ୟକୁ ଏକ ବିଶେଷ ପ୍ରୋତ୍ସାହନ ଦେବାଲାଗି ଜାତୀୟ ଏବଂ ରାଜ୍ୟସ୍ତରରେ ସାହିତ୍ୟ ସଂବର୍ଦ୍ଧକ ଏକାଡ଼େମୀଗୁଡ଼ିକ ରହିଛି । ଦିଲ୍ଲୀଠାରୁ ସାରା ଭାରତର ସାହିତ୍ୟିକ ଗ୍ରନ୍ଥାନୁବାଦ ଓ ତାହାରି ମାଧ୍ୟମରେ ସାହିତ୍ୟିକ ଆଦାନପ୍ରଦାନର ହାଲ୍‌ଚାଲ୍‌ ବଝୁଥିବା ନ୍ୟାସନାଲ ବୁକ୍‌ ଟ୍ରଷ୍ଟ ମଧ୍ୟ ରହଛି । ଏହି ସଂସ୍ଥାଗୁଡ଼ିକର ଆନୁକୂଲ୍ୟରେ କେତେକ ଉପାଦେୟ ଗ୍ରନ୍ଥର ଓଡ଼ିଆ ଅନୁବାଦ କରାଯାଇଛି । ତଦ୍ଦ୍ୱାରା ଓଡ଼ିଆ ଅନୁବାଦଭଣ୍ଡାରର ଲକ୍ଷ୍ମୀ ବଢ଼ିଛନ୍ତି ସତ, ମାତ୍ର କେତେକ ବିଡ଼ମ୍ବନା ମଧ୍ୟ ସୃଷ୍ଟି ହୋଇଛି । ଓଡ଼ିଆ ସମେତ ଭାରତୀୟ ବିଭିନ୍ନ ଭାଷାରେ କେଉଁସବୁ ଗ୍ରନ୍ଥର ଅନୁବାଦ ପ୍ରସ୍ତୁତ କରାଯିବ, ତାହକୁ ଉକ୍ତ ସଂସ୍ଥାଗୁଡ଼ିକର କର୍ତ୍ତାମାନେ ହଁ ସ୍ଥିର କରିଛନ୍ତି । ଅବଶ୍ୟ ଏକଥା ସତ ଯେ, ସେମାନେ ଗୋଟିଏ ଗୋଟିଏ ସ୍ଥାନୀୟ ପରାମର୍ଶଦାତା କମିଟିର ସାହାଯ୍ୟ ଗ୍ରହଣ କରନ୍ତି । ସେହି କର୍ତ୍ତମାନଙ୍କର ସ୍ତରରେ ହିଁ ଅନୁବାଦକମାନଙ୍କୁ ବଛା ଯାଇଥାଏ । ଏହି କାର୍ଯ୍ୟଗୁଡ଼ିକ ସହିତ ଜଡ଼ିତ ହୋଇ ରହିଥିବା ଅର୍ଥପ୍ରତିଶ୍ରୁତିମାନ ଅନେକ ସମୟରେ ଏକାନ୍ତ ଅନ୍ୟ କ୍ଷେତ୍ରୀମାନଙ୍କୁ ମଧ୍ୟ ଏହି କ୍ଷେତ୍ରଟି ଭିତରକୁ ପ୍ରଲୁବ୍ଧ କରିଆଣେ ଓ ସେମାନେ ମଧ୍ୟ ଏହି ଭୋଗବଣ୍ଟାରୁ ଲାଭବାନ୍‌ ହେବାପାଇଁ ଆସି ପହଞ୍ଚି ଯାଆନ୍ତି । ଯଥାର୍ଥ ଶ୍ରଦ୍ଧା ନଥିଲେ କୌଣସି ଅନୁବାଦ ଆଦୌ ସମ୍ଭବ ନୁହେଁ । ଜଣେ ସିଦ୍ଧ ଅନୁବାଦକ ମଧ୍ୟ କଦାପି ଯେକୌଣସି ଗ୍ରନ୍ଥର ଅନୁବାଦ କରି ପାରିବନାହିଁ । ଏବଂ, ପ୍ରକୃତରେ ଶ୍ରଦ୍ଧା ରହିଥିବା ଜଣେ ବ୍ୟକ୍ତି ଅନୁବାଦ ପାଇଁ ଫରମାସ ଆସିଛି ବୋଲି ହିଁ ସେଥିଲାଗି ଶ୍ରଦ୍ଧା ପ୍ରକଟ କରିବାକୁ ଅବଶ୍ୟ ସଙ୍କୋଚ ବୋଧ କରିବ । ହୁଏତ ଅଧିକ ଭଲ ହୁଅନ୍ତା, ଯଦି ସଂପୃକ୍ତ ସଂସ୍ଥାମାନେ ଅନୁବାଦ କରାଯିବାକୁ ନିର୍ବାଚିତ ହୋଇଥିବା ଗ୍ରନ୍ଥଗୁଡ଼ିକୁ ମନୋନୀତ ଅନୁବାଦକମାନଙ୍କ ପାଖକୁ ପଠାଇ ଦିଅନ୍ତେ, ଅନୁବାଦକ ନିଜର ରୁଚି ଅନୁସାରେ ସେଥିରୁ ବହିଟିଏ ବାଛନ୍ତା ଓ ତାହାର ଅନୁବାଦ କରି କର୍ତ୍ତାମାନଙ୍କର ଚୂଡ଼ାନ୍ତ ନିଷ୍ପତ୍ତି ନିମନ୍ତେ ପଠାଇ ଦେଉଥା’ନ୍ତା । ଅବଶ୍ୟ ସ୍ମରଣ ରହିଥି‌ବା ଉଚିତ୍‌ ଯେ, ଯେକୌଣସି ସରକାରୀ ବା ତଥାକଥିତ ଅର୍ଦ୍ଧସରକାରୀ ଅନୁଷ୍ଠାନର ସର୍ବଦା ଏକ ସାମର୍ଥ୍ୟସୀମା ମଧ୍ୟ ରହିଛି, ବିଶେଷତଃ, ସାହତ୍ୟ ପରି ଏକ ସୃଜନାତ୍ମକ କ୍ଷେତ୍ରରେ ସେହି ସୀମାଗୁଡ଼ିକ ହୁଏତ ଆହୁରି ଅଧିକ ପରିମାଣରେ ସୀମିତ ହୋଇ ରହିବା ଅତ୍ୟନ୍ତ ସ୍ଵାଭାବିକ ।

 

ଓଡ଼ିଶାର ଯେଉଁ ସରକାରୀ ସଂସ୍ଥାକୁ ଏବେ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ - ସଂସ୍ଥା ବୋଲି କୁହାଯାଉଛି, ସାହିତ୍ୟିକ ଅନୁବାଦର କ୍ଷେତ୍ରରେ ଆମେ ସଂପୃକ୍ତ ସମସ୍ତେ ଇଚ୍ଛା କରିଥିଲେ ତାହା ହୁଏତ କେତେ ଓ ପ୍ରଶଂସାଯୋଗ୍ୟ କାର୍ଯ୍ୟ କରି ପାରିଥାନ୍ତା । ବିଭିନ୍ନ ବିଦ୍ୟା ତଥା ବିଜ୍ଞାନର କ୍ଷେତ୍ରରେ ପ୍ରଧାନତଃ ପ୍ରତିଷ୍ଠିତ ପୁସ୍ତକଗୁଡ଼ିକର ଓଡ଼ିଆ ଅନୁବାଦ କରାଇବା ସକାଶେହିଁ କେନ୍ଦ୍ରରୁ ଅନୁଦାନରୂପେ ମିଳିଥିବା ଗୋଟିଏ କୋଟି ଟଙ୍କାରେ ସେହି ସଂସ୍ଥାକୁ ଗଢ଼ା ଯାଇଥିଲା । ଅଯୋଗ୍ୟ ଅଥଚ ଉଚ୍ଚସ୍ଥାନସ୍ଥ ହାକିମମାନଙ୍କର କବଳରେ ପଡ଼ି ତାହା ପାଠ୍ୟପୁସ୍ତକ ପ୍ରଣୟନ କରିବାରେ ହଁ ଏକ ମହକୁମାରେ ପରିଣତ ହୋଇ ରହିଗଲା । ଯେଉଁମାନେ ଓଡ଼ିଆରେ କେବେ କିଛି ଲେଖି ନଥିଲେ କିମ୍ବା ଚିନ୍ତା କରି ନଥିଲେ, ବିଦ୍ୟାକୁ ଜୀବିକାରେ ପରିଣତ କରିଥିବା ଅର୍ଥଲୋଭୀ କେତେ କିଏ ସେଠାରେ ଆସି ପହଞ୍ଚିଲେ ଏବଂ ସଂସ୍ଥାଟିର ଅସଲ ଉଦ୍ଦେଶ୍ୟଗୁଡ଼ିକୁ ପଣ୍ଡ କରିବାରେ ନିମିତ୍ତ ହେଲେ । ତଥାପି, କେତେଗୁଡ଼ିଏ ଅନୁଦିତ ପାଠ୍ୟପୁସ୍ତକ ପ୍ରକାଶ ପାଇଲା ସତ ମାତ୍ର ତାହା ବସ୍ତୁତଃ କାର୍ଯ୍ୟରେ ଲାଗିଲା ନାହିଁ । ଜୀବନଯାକ ଭୁବନେଶ୍ଵରରେ ଚାକିରି କରି ରହିବାକୁ ଇଚ୍ଛା କରୁଥିବା କେତେକ ବୃଦ୍ଧମନ ବାବୁମାନଙ୍କ ପାଇଁ ଏକ ଆଶ୍ରୟବିହାର ଯୋଗାଇଦେବା ନିମନ୍ତେ ସଂସ୍ଥାଟି ସରକାରଙ୍କ ହାତରେ ପ୍ରାୟ ଏକ ସୁବିଧାଜନକ ସ୍ଥାନ ହୋଇ ରହିଲା । ଅନୁବାଦର କାର୍ଯ୍ୟ ଏକ ସାହିତ୍ୟିକ କାର୍ଯ୍ୟ, ତାହା ଏକ ଅନୁରାଗର କାର୍ଯ୍ୟ; ଅନୁରାଗୀ ଆତ୍ମକାମୀ ଅସାହିତ୍ୟିକମାନଙ୍କର ଅଠାଭିତରେ ପଡ଼ି ଉକ୍ତ ସଂସ୍ଥା ନିଷ୍କ୍ରିୟ ହୋଇ ରହିବାକୁ ହିଁ ଆପଣାର ଧର୍ମ ବୋଲି ଗ୍ରହଣ କରି ନେଲା । ବିଶ୍ୱସାହିତ୍ୟକୁ ବରଣ କରି ଆଣିବା ନିମନ୍ତେ ଓଡ଼ିଶାକୁ ଯେଉଁ ବହୁ ପ୍ରତିଶ୍ରୁତିଯୁକ୍ତ ସୁଯୋଗଟିଏ ମିଳିଥିଲା, ଆମ ସରକାରୀ ଧୁରନ୍ଧରମାନେ ତାହାକୁ ଅତ୍ୟନ୍ତ ଧୂର୍ତ୍ତ ଭାବରେ ଏକ ଚରମ ଅକୁଶଳତାରେ ପରିଣତ କରି ରଖିଲେ, ଏବେ ତାହାକୁ ଆହୁରି ଅଧିକ କାବୁ କରି ରଖିଛନ୍ତି । ଏବେ ଯୁକ୍ତ ଦୁଇ ସ୍ତରର ପାଠ୍ୟପୁସ୍ତକ ପ୍ରସ୍ତୁତ କରିବାରେ ତାହାକୁ ଦାମୁଡ଼ି ପରି ବ୍ୟବହାର କରାଯାଉଛି ।

 

ଓଡ଼ିଆ ଭାଷାରେ ବିଶ୍ଵସାହତ୍ୟରୁ ଯାହାକିଛି ଅନୁବାଦ ହୋଇଛି ତାହା ପ୍ରଧାନତଃ ଇଂରାଜୀ ଭାଷାରୁ ହୋଇଛି । ସତେଅବା ନିୟମତଃ ସେହିଭଳି ହୋଇଛି । ଏକାଧିକ କାରଣରୁ ଓଡ଼ିଶାରେ ଇଂରାଜୀ ଭାଷା ବ୍ୟତୀତ ଅନ୍ୟ କୌଣସି ଇଉରୋପୀୟ ଭାଷା ଶିକ୍ଷା କରିବାପାଇଁ ପ୍ରଶସ୍ତ ସୁଯୋଗ ନାହଁ । ଓଡ଼ିଶାର ବିଶ୍ୱବିଦ୍ୟାଳୟମାନେ ତାହାକୁ ଏକ ଅତ୍ୟାବଶ୍ୟକତାରୂପେ ଏବେ ମଧ୍ୟ ଗ୍ରହଣ କରିନାହାନ୍ତି । ଇଂରାଜୀ ବ୍ୟତୀତ ଅନ୍ୟାନ୍ୟ ଭାଷାରେ ରହିଥିବା ଇଉରୋପୀୟ ଗ୍ରନ୍ଥଗୁଡ଼ିକୁ ଆମେ ଇଂରାଜୀ ଅନୁବାଦରେ ହିଁ ପଢ଼ୁଛୁ । ଅନୁବାଦ କଲାବେଳେ ସେହି ଇଂରାଜୀ ଅନୁବାଦରୁ ଓଡ଼ିଆକୁ ଅନୁବାଦ କରୁଛୁ । ଏହି ଦୃଷ୍ଟିରୁ ଓଡ଼ିଆ ଅନୁବାଦ ସାହିତ୍ୟ ଅତ୍ୟନ୍ତ ଅପୂର୍ଣ୍ଣାଯୁକ୍ତ ହୋଇ ରହିଛି । ଏକ ଭାଷାଭାଷୀ ହେବା ଆଧୁନିକତା ଏବଂ ଆଧୁନିକ ଜୀବନ ଦୃଷ୍ଟିର ଏକାନ୍ତ ବିରୋଧୀ । ତଥାପି ଓଡ଼ିଶାରେ ଆମେ ଅନେକେ ଏକ ଭାଷାଭାଷୀ ହୋଇ ରହିଛୁ ଓ ତାହାକୁ ହୁଁ ଯଥେଷ୍ଟ ବୋଲି ମନେ କରୁଛୁ କେବଳ ଭାଷାର କ୍ଷେତ୍ରରେ ନୁହେଁ, ଭାବର କ୍ଷେତ୍ରରେ ମଧ୍ୟ ଆମର ଅନେକ ଅନୁବାଦକ ଏକପ୍ରସ୍ଥଯୁକ୍ତ ଏବଂ ଏକଭାଷାଭାଷୀ ହୋଇ ରହିଛନ୍ତି । ଏହି ଅଳ୍ପତା ଓ ଏହି ଦୈନ୍ୟ ଅପସାରିତ ହୋଇଯିବା ଉଚିତ୍‌ । ତାହା ଫଳରେ ଓଡ଼ିଶାରେ ସାହିତ୍ୟର କ୍ଷେତ୍ରଟି ଅଧିକ ପୁଷ୍କଳ ହୋଇ ପାରିବ ଓ ଆମର ସାହିତ୍ୟାନୁବାଦକୁ ମଧ୍ୟ ତାହା ଆହୁରି ଅନେକ ପ୍ରସ୍ଥ ଆଣି ଦେଇଯିବ ।

 

ଭାରତୀୟ ଅନ୍ୟାନ୍ୟ ଭାଷାଗୁଡ଼ିକ ଓଡ଼ିଆ ଭାଷାର ସହୋଦର ଭାଷା । ଏପରିକି, ତଥାକଥିତ ଦ୍ରାବିଡ଼ ବା ଦକ୍ଷିଣ - ଭାରତୀୟ ଭାଷାଗୁଡ଼ିକୁ ଆମେ ଉତ୍ତର ଭାରତରେ ସାଧାରଣତଃ ଯେତେ ଅଲଗା ପ୍ରକାରର ବୋଲି ଭାବୁ ସେଗୁଡ଼ିକ ଆଦୌ ସେତେ ଅଲଗା ପ୍ରକାରର ନୁହଁନ୍ତି । ଦକ୍ଷିଣ ଭାରତର ଭାଷାଗୁଡ଼ିକରେ ସଂସ୍କୃତମୂଳ ଶବ୍ଦଗୁଡ଼ିକ ବହୁତର ବ୍ୟଞ୍ଜନାରେ ଭର୍ତ୍ତି ହୋଇ ରହିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ମାଲୟଲମ୍‌ ଭାଷା ଓ ସାହିତ୍ୟର ଗୋଟିଏ ଯୁଗକୁ ଏବେ ମଧ୍ୟ ମଣି ପ୍ରବାଳମ୍‌ ଯୁଗ ଅର୍ଥାତ୍‌ ଦ୍ରାବିଡ଼ୀୟ ମଣି ସହିତ ସଂସ୍କୃତରୁ ଆହୃତ ପ୍ରବାଳଗୁଡ଼ିକ ଆସି ମିଶିଥିବାର ଯୁଗ ବୋଲି କୁହାଯାଇଥାଏ । ଓଡ଼ିଶାର ସଂସ୍କୃତିକୁ ମଧ୍ୟ ଅନେକ ଶିକ୍ଷିତ ଓଡ଼ିଆ ବିହ୍ୱଳ ଭାବରେ ଯେତେ ପରିମାଣରେ ତଥାକଥିତ ଆର୍ଯ୍ୟସଂସ୍କୃତିର ଏକ ଆଞ୍ଚଳିକ ପ୍ରକାଶ ବୋଲି ମନେ କରିଥାନ୍ତି, ପ୍ରକୃତରେ ସେକଥା ମୋଟେ ସେପରି ନୁହେଁ । ଏକାଧିକ ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଗୋଟିଏ ସେତୁ ପରି କାର୍ଯ୍ୟ କରି ଆସିଛି । ତେଣୁ ଉତ୍ତର ତଥା ଦକ୍ଷିଣ ଉତ୍ତର ଭାରତର ଭାଷା ଏବଂ ସାହିତ୍ୟରୁ ରତ୍ନ ଆହରଣ କରିବା ସକାଶେ ଓଡ଼ିଶାରେ ସ୍ଵଭାବତଃ ଏକ ପ୍ରଶସ୍ତ ଅବକାଶ ରିହିଥିବା ଉଚିତ୍‌ । ମାତ୍ର, ଅତ୍ୟନ୍ତ ଦୁଃଖର ବିଷୟ ଯେ, ଇଂରାଜୀ ଭାଷାରୁ ଓଡ଼ିଆକୁ ଯେତିକି ଅନୁବାଦ ହୋଇଛି, ଭାରତୀୟ ବିଭିନ୍ନ ଭାଷାରୁ ତାହାର ଦଶଭାଗରୁ ଭାଗେ ମଧ୍ୟ ଅନୁବାଦ ହୋଇନାହିଁ । ଦକ୍ଷିଣ ଓଡ଼ିଶାରେ ବହୁସଂଖ୍ୟକ ତେଲେଗୁ ଭାଷାଭାଷୀ ବାସ କରୁଥିଲେ ମଧ୍ୟ ହୁଏତ ଖଣ୍ତିଏ ତେଲେଗୁ ଗ୍ରନ୍ଥର ମଧ୍ୟ ସିଧା ଓଡ଼ିଆ ଅନୁବାଦ ହୋଇନାହିଁ । ପଂଜାବୀ, ତାମିଳ, କାଶ୍ମିରୀ ଏବଂ ମରାଠୀ ପ୍ରଭୃତି ଦୂରତର ଭାଷାଗୁଡ଼ିକରୁ ଓଡ଼ିଆକୁ ହୋଇଥିବା ଅନୁବାଦ ବିଷୟରେ କିଛି କହିବାର ପ୍ରଶ୍ନ ହିଁ ଉଠୁନାହିଁ । ଭାରତୀୟ ସଂସ୍କୃତିର ଅସଲ ଗର୍ବ ହେଉଛି ବୈଚିତ୍ର୍ୟ ମଧ୍ୟରେ ଐକ୍ୟର ଅନ୍ୱେଷଣ କରିବା ଓ ଯାବତୀୟ ବୈଚିତ୍ର୍ୟ ସତ୍ତ୍ୱେ ଏକ ସଂହତିଗତ ବିପୁଳତାକୁ ଅନୁଭବ କରିବା ! ଭାରତୀୟ ବିଭିନ୍ନ ରାଜ୍ୟଖଣ୍ଡ ସାହିତ୍ୟର ଅନୁବାଦଦ୍ୱାରା ପରସ୍ପରକୁ ଅଧିକ ଆତ୍ମୀୟତା ସହିତ ଜାଣି ପାରୁଥିଲେ ତାହା ଆମର ଏହି ଭୂମିଟିକୁ ଆମ ଜୀବନରେ ପ୍ରକୃତରେ ଗୋଟିଏ ବୋଲି ଅନୁଭୂତ କରାଇବାରେ ଅନେକ ସହାୟକ ହେଉଥାନ୍ତା । ଏବେ ଭାରତବର୍ଷରେ ଆଞ୍ଚଳିକତାର ନାନା ଭାବନା ଯେପରି ପ୍ରାୟ ଏକ ରାଜନୀତିକ ରାକ୍ଷସର ରୂପ ଧରି ଆମର ଏହି ସମଗ୍ର ଘରଟିକୁ ମିଛଟାରେ ଉତ୍ତେଜିତ କରି ରଖୁଛି । ଆମେ ଯେ ପରସ୍ପରକୁ ଭାରି କମ୍‌ ଜାଣିଛୁ ଏଇଟି ମଧ୍ୟ ତାହାର ଗୋଟିଏ ମୁଖ୍ୟ କାରଣ । ଆମ ଶିକ୍ଷିତମାନଙ୍କର ଅନ୍ୟ ଭାରତୀୟ ଭାଷାଗୁଡ଼ିକର ତୁଳନାରେ ଇଂରାଜୀ ଭାଷାସହିତ ଯେ ଅଧିକ ନାଡ଼ ଲାଗିଛି, ଓଡ଼ିଆକୁ ଅନ୍ୟ ଭାରତୀୟ ଭାଷାଚୟର ସାହିତ୍ୟରୁ ପର୍ଯ୍ୟାପ୍ତ ଅନୁବାଦ ହୋଇପାରିଲେ ତାହା ନିଃସନ୍ଦେହ ଭାବରେ ଏକ ବୃହତ୍‌ ପ୍ରତିକାରକରୂପେ କାର୍ଯ୍ୟ କରି ପାରନ୍ତା ।

 

ସେହି ପରିପ୍ରେକ୍ଷୀରେ ନ୍ୟାଶନାଲ୍‌ ବୁକ୍‌ ଟ୍ରଷ୍ଟ୍‌ର ଆଦାନପ୍ରଦାନ ପୁସ୍ତକଯୋଜନା ପ୍ରକୃତରେ ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରି ପାରିଛି । ଆନୁଷ୍ଠାନିକ ଭାବରେ ଓ ଜାତୀୟ ସ୍ତରରେ ଏଭଳି ପଦକ୍ଷେପ ଆଗରୁ କେବେହେଲେ ଗ୍ରହଣ କରାଯାଇ ନଥି‌ଲା । ମାତ୍ର, ସେହି ଉଦ୍ୟମଟିରେ ମଧ୍ୟ ବହୁତ ଖୁଣ ରହିଯାଉଛି । ଭାରତୀୟ ଭାଷାର ପୁସ୍ତକଗୁଡ଼ିକୁ ପ୍ରଥମେ ହିନ୍ଦୀକୁ ଅଥବା ଇଂରାଜୀକୁ ଅନୁବାଦ କରାଯାଉଛି ଏବଂ ତା’ପରେ ଯାଇ ସେହି ଅନୁବାଦଟାରୁ ହିଁ ଅନ୍ୟ ଏକ ଭାଷାକୁ ଅନୁବାଦ ହେଉଛି । ଏହା ଗୋଟିଏ ଲଜ୍ଜାକର ପ୍ରକ୍ରିୟା । ଭାରତୀୟ ପ୍ରତ୍ୟେକ ରାଜ୍ୟରେ ଏକାଧିକ ଦ୍ୱିଭାଷୀ ସୀମାଞ୍ଚଳମାନ ରହିଛି ଏବଂ ସେଠାରେ ଏପରି କୁଶଳ ଅନୁବାଦକାରୀ ମଧ୍ୟ ରହିଛନ୍ତି ଯେଉଁମାନେ କି ନିଜ ମାତୃଭାଷା ସହିତ ପାଖ ଭାଷାଟିକୁ ଭଲ ଭାବରେ ଜାଣିଛନ୍ତି । ସେମାନଙ୍କୁ ଆବିଷ୍କାର କରାଯାଇପାରନ୍ତା । ସେମାନେ ଯେଉଁ ଅନୁବାଦ କରନ୍ତେ, ଅନୁବାଦରୁ ଅନୁବାଦ କରିଦେବା ନିମନ୍ତେ ହାତପାଆନ୍ତାରେ ମିଳୁଥିବା ଚିହ୍ନା ପଣ୍ଡିତମାନଙ୍କର ପଣ୍ୟଗୁଡ଼ିକର ତୁଳନାରେ ତାହା ବହୁଗୁଣରେ ଅଧିକ ଉପାଦେୟ ହୋଇପାରନ୍ତା ।

 

ଓଡ଼ିଆ ଅନୁବାଦ-ସାହିତ୍ୟ କହିଲେ ସାଧାରଣତଃ ଭାରତବର୍ଷ ତଥା ପୃଥିବୀର ଅନ୍ୟାନ୍ୟ ଭାଷାରୁ ଓଡ଼ିଆକୁ ହେଉଥିବା ସାହିତ୍ୟକୁ ବୁଝାଇଲେ ମଧ୍ୟ ଏବେ, ଗତ ପ୍ରାୟ ଦୁଇ ଦଶନ୍ଧି ହେଲା ଓଡ଼ିଶାରେ ଅନୁବାଦର ଯେଉଁ ଆଉ ଏକ ବିପରୀତ ରତି କୌତୁହଳ ଆସି ଦେଖାଦେଇଛି, ପ୍ରବନ୍ଧଟି ଶେଷ କରିବା ପୂର୍ବରୁ ତାହାର ଉଲ୍ଲେଖ କରିବାକୁ ହିଁ ପଡ଼ିବ । ଆମ ଆଧୁନିକମାନଙ୍କ ମଧ୍ୟରୁ ଯେଉଁମାନେ ଉଚ୍ଚତର ଜୀବିକା ସ୍ଥାନମାନଙ୍କରେ ରହିଛନ୍ତି ଏବଂ ତେଣୁ ଏକ ଅନୁକୂଳତର ଯୋଗସୂତ୍ର ସ୍ଥାପନ କରି ପାରୁଛନ୍ତି, ସେମାନେ ପ୍ରବଳ ଆଗ୍ରହର ସହିତ ନିଜର ଲେଖାଗୁଡ଼ିକୁ ଇଂରାଜୀରେ ଅନୁବାଦ କରାଇ ନେବାରେ ନାନା ପ୍ରୟାସ କରୁଛନ୍ତି । ପ୍ରାୟ ଏକ କୋପନ - ପ୍ରବୃତ୍ତିର ବଶବର୍ତ୍ତୀ ହୋଇଥିବା ପରି ଆଉକେହି ସେହି ଅନୁବାଦ ଲାଗି ମନ କରିବା ପୂର୍ବରୁ ସେମାନେ ନିଜେ ସେଗୁଡ଼ିକର ଅନୁବାଦ ଲାଗି ବ୍ୟାକୂଳ ହୋଇ ପଡ଼ୁଛନ୍ତି । ସେମାନଙ୍କ ଭିତରୁ କେତେଜଣ ବେଳେ ବେଳେ ହୁଏତ ପ୍ରଥମେ ଇଂରାଜୀରେ ଲେଖୁଛନ୍ତି ଏବଂ ତା’ପରେ ସତତ ଅନ୍ୟ ଏକ ଦ୍ୱିତୀୟ କର୍ମରୂପେ ତାହାର ଓଡ଼ିଆ ଅନୁବାଦ କରୁଛନ୍ତି । ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ସେମାନଙ୍କର ଆମର ଏହି ଭୂମିଟା ପ୍ରତି ମୋଟେ ମନ ନାହିଁ, ହୁଏତ ଆଉ କେଉଁ ଅନ୍ୟ ଭୂମିରେ ଯାଇ ମନ ରହିଛି, ସମ୍ଭବତଃ ଆପଣା ପ୍ରତି ହିଁ ସର୍ବାଧିକ ରତି ରହିଛି କିମ୍ବା, ଅଧିକ ଯଥାର୍ଥ ଭାବରେ କହିଲେ କୌଣସି ସାହିତ୍ୟ ବୃଦ୍ଧିରେ ମନ ନାହିଁ, ଆତ୍ମ ବୃଦ୍ଧିରେ ହିଁ ଅଧିକ ମନ ରହିଛି । ଏହିଭଳି ଗୋଟିଏ ଅପଲାଳସାଦ୍ୱାରା ସଂକ୍ରମିତ ହୋଇ ସେମାନଙ୍କ ଦେଖାଦେଖି ଆହୁରି ଅନ୍ୟମାନେ ମଧ୍ୟ ସେହି ଦିଗରେ ଭାରି ମାତି ଯାଉଛନ୍ତି । କ୍ଷିପ୍ରତର ସିଦ୍ଧିଲାଭର ଆକାଂକ୍ଷାରେ ଓଡ଼ିଶାରେ ଇଂରାଜୀ ସାହିତ୍ୟାନୁବାଦର ପତ୍ରିକାମାନ ମଧ୍ୟ ବାହାରୁଛି, ବେଳେ ବେଳେ ମଫସଲରୁ ମଧ୍ୟ ବାହାରୁଛି । ଅବର୍ଜିଆ ଇଂରାଜୀ ଭାଷାରେ ବାହାରୁଥିଲେ ମଧ୍ୟ ଇଂରାଜୀ ଛାପାରେ ବାହାରୁଥିବାରୁ ତାହା ସଂପୃକ୍ତ ଅଭିସାରସ୍ପର୍ଦ୍ଧୀମାନଙ୍କୁ ସତେ ଅବା ପ୍ରଭବସଂଯୁକ୍ତ ହେବାର ଏକ ମିଛ ପରିତୋଷ ଆଣି ଦେଇ ଯାଉଛି । ଭଗବାନ କରନ୍ତୁ, ସେମାନେ ସିଦ୍ଧିଲାଭ କରନ୍ତୁ । ସେମାନେ ଯେଉଁ ଗଡ଼ଗୁଡ଼ିକୁ ଜୟ କରିବାର ଅଭିଳାଷରେ ବାହାରିଛନ୍ତି ସେମାନଙ୍କୁ ସେହି ଗଡ଼ ମଧ୍ୟରେ ଅବଶ୍ୟ ଆନ ମିଳୁ । ମାତ୍ର, ସେମାନଙ୍କ ବାହାରେ ଆମେ ଯେଉଁମାନେ ଆମର ଏହି ଘରଟିକୁ ଓ ଏହି ଭୂମିଟିକୁ ପ୍ରକୃତରେ ଭଲ ପାଉ, ସେମାନଙ୍କୁ ସେହି ଯାବତୀୟ ବିଟବୃତ୍ତି ବିଷୟରେ ଅବଶ୍ୟ ସାବଧାନ ହୋଇ ରହିବାକୁ ପଡ଼ିବ ।

 

ପୃଥିବୀର ଜ୍ଞାନ ଓ ବିଜ୍ଞାନ ଦିନକୁ ଦିନ ବହୁଗୁଣିତ ହେବାରେ ଲାଗିଛି । ଅନୁବାଦର ମାଧ୍ୟମରେ ହିଁ ତାହା ଓଡ଼ିଶାକୁ ଆସିପାରିବ ଏବଂ ଏଠାରେ ଏହି ସ୍ଥାନୀୟ ଭୂମିଟିକୁ ମଧ୍ୟ ବିଶ୍ୱତୋଦୃଷ୍ଟି କରିପାରିବ । ଆଧୁନିକ ପରିଭାଷାର କ୍ଷେତ୍ରରେ ଆମେ ଓଡ଼ିଆରେ ଭାରି ଦାରିଦ୍ର୍ୟ ଅନୁଭବ କରିଥାଉ । ଅଧିକରୁ ଅଧିକ ଅନୁବାଦଦ୍ୱାରା ହିଁ ଆମର ସେହି ଅଭିଳଷିତ ପରିଭାଷାଟି କ୍ରମେ ବିବର୍ତ୍ତିତ ହୋଇ ଆସିପାରନ୍ତା । ଓଡ଼ିଆକୁ ରାଜ୍ୟ ପ୍ରଶାସନର ଭାଷାରେ ପରିଣତ କରିବା ପରେ ସେହିଭଳି ଏକ ବିବର୍ତ୍ତନ ଅତ୍ୟାବଶ୍ୟକ ହୋଇ ପଡ଼ିଛି ପରବର୍ତ୍ତୀ ସୋପାନରେ ଓଡ଼ିଆ ଯେ ଆମ ଉଚ୍ଚ ଶିକ୍ଷାର ମାଧ୍ୟମ ହେବାକୁ ଯାଉଛି, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ଓଡ଼ିଆ ଭାଷାରେ ସବୁ କଥାକୁ ପ୍ରକାଶ କରି ହେବନାହିଁ, ଆମ ଶିକ୍ଷିତମାନଙ୍କ ମଧ୍ୟରେ ଏହିପରି ଗୋଟିଏ ଶଙ୍କା ରହିଯାଇଛି ବୋଲି ଉପରେ ଥୋକେ ମଣିଷ ସେହି ପଦକ୍ଷେପଟିକୁ ସତେଅବା ଓଗାଳି ରହିଛନ୍ତି । ଓଡ଼ିଆ ସାହିତ୍ୟାନୁବାଦର ସମ୍ଭାବନା ତଥା ଫଳ ଶ୍ରୁତିକୁ ତାହା ଆହୁରି ଅଧିକ ବ୍ୟାପକ କରିଦେଉଛି । ନାନା କାରଣରୁ ଅନେକ ଉଚ୍ଚପଦସ୍ଥ ଓଡ଼ିଆଙ୍କର ଓଡ଼ିଆ ଭାଷା ବିଷୟରେ ଏକ ହୀନମନ୍ୟତା ରହିଛି ଓ ସେହି ସାମନ୍ତମାନେ ହିଁ ଫଳଶ୍ରୁତିଗୁଡ଼ିକୁ ବାଟ ଓଗାଳି ବସିଛନ୍ତି । ବର୍ତ୍ତମାନ ଯେଉଁଠି ପ୍ରାୟ ଏକ ଅବଜ୍ଞା ରହିଛି, ସେଠାରେ ତାହାର ସ୍ଥାନାପନ୍ନ ଭାବରେ ଶ୍ରଦ୍ଧାର ପ୍ରତିଷ୍ଠା କରିବାକୁ ହେବ । ନିଜ ଘରଟିକୁ ପ୍ରକୃତରେ ଭଲ ପାଇବାକୁ ହେବ । ନିଜର ଅସଲ ଚେରଗୁଡ଼ିକୁ ଅନୁଭବ କରିବାକୁ ହେବ । ତେବେ ଯାଇ ଉଚିତ ପଦକ୍ଷେପଗୁଡ଼ିକୁ ଗ୍ରହଣ କରିବା ଲାଗି ଆମ ଭିତରେ ଯଥାର୍ଥ ପ୍ରତ୍ୟୟଟି ଉପଲବ୍ଧ ହୋଇପାରିବ ।

 

ଅନୁବାଦ ଗବାକ୍ଷ ଖୋଲେ । ନୂତନ ଆଖି ଗୁଡ଼ିକୁ ଯୋଗାଇଦିଏ ଏକ ବୃହତ୍ତର ପରିପ୍ରେକ୍ଷୀରେ ଆପଣାର କଳନା କରି ପାରିବାଲାଗି ତାହା ଆମକୁ ଏକ ସୁସ୍ଥ ତୁଳନାତ୍ମକ ମାନଦଣ୍ଡ ପ୍ରଦାନ କରେ । ଆମକୁ ଅନେକ ମିଛ ସ୍ଵୟଂସମ୍ପୂର୍ଣ୍ଣାବୋଧରୁ ରକ୍ଷା କରେ । ଏକ ସ୍ଥାନୀୟ ଭୂମି ଉପରେ ବିତରଣ କରୁଥିଲେ ମଧ୍ୟ ତାହା ଆମକୁ ବିଶ୍ଵର ବୋଧ ଆଣିଦିଏ । ଆମକୁ ଅନେକାନେକ ସଂକୀର୍ଣ୍ଣତା ଭିତରୁ ଉଦ୍ଧାର କରେ । ଓଡ଼ିଆ ଅନୁବାଦ-ସାହିତ୍ୟ ଆହୁରି ଅଧିକ ସମୃଦ୍ଧିଯୁକ୍ତ ହେଉ । ତେବେଯାଇ ଆମେ ସମଗ୍ର ବିଶ୍ଵର ଦର୍ପଣ ଉପରେ ନିଜକୁ ତଉଲି ଦେଖିବାର ଯଥାର୍ଥ ଅବସରଟିଏ ପାଇ ପାରିବା । ଆମର ନିଜ ସମ୍ଭାବନାଗୁଡ଼ିକ ବିଷୟରେ ଆମରି ଭିତରୁ ହଁ ଆବଶ୍ୟକ ଉଦ୍‌ବୋଧନଗୁଡ଼ିକୁ ଲାଭ କରି ପାରିବା ।

 

 

୮୩ / ଏ, ବାପୁଜୀ ନଗର

ଭୁବନେଶ୍ୱର

 

***

 

ଏକାଡେମୀ ସମାଚାର

ଶଶିଭୂଷଣ ରଥ ଜୟନ୍ତୀ

 

ତା ୧-୧-୧୯୯୭ ରିଖ ଦିନ ଓଡ଼ିଶାର ସାହିତ୍ୟ ଏକାଡ଼େମୀ ପକ୍ଷରୁ ବ୍ରହ୍ମପୁରସ୍ଥ ଟାଉନହଲଠାରେ ସାହିତ୍ୟିକ ଶଶିଭୂଷଣ ରଥଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ଡକ୍ଟର ସୌଭାଗ୍ୟ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ । ଶଶିଭୂଷଣ ରଥ ଓଡ଼ିଆ ସ୍ଵାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶାର ସାଂସ୍କୃତିକ ଅନ୍ଧକାର ମଧ୍ୟରେ ସେ ଆଲୋକ ବର୍ତ୍ତିକାଭାବେ ଉଭା ହୋଇଥିଲେ। ଦକ୍ଷିଣାଞ୍ଚଳରେ ତାଙ୍କର ସାପ୍ତାହିକ ‘ଆଶା’, ପ୍ରଶାସନିକ ଭାଷା, ସାହିତ୍ୟ,ସଂସ୍କୃତି, ସାମାଜିକତା, ରାଜନୀତି ଏବଂ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ନିୟନ୍ତ୍ରଣ କକ୍ଷ ବା କଣ୍ଟ୍ରୋଲ ରୁମଭାବେ କାମ କରୁଥି‌ଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ ।

 

ମୁଖ୍ୟ ଅତିଥି ଭାବେ ପ୍ରଫେସର ହରିହର ଦାସ ଓଡ଼ିଶାର ଭାଷା ସାହିତ୍ୟ, ସଂସ୍କୃତି ଓ ନିର୍ଭୀକ ସାମ୍ବାଦିକତା ତଥା ପ୍ରଦେଶ ଗଠନ ପାଇଁ ୧୯୨୮ରେ କଲିକତାଠାରେ ସର୍ବଦଳୀୟ ମହାସଭାରେ ଶଶିଭୂଷଣଙ୍କ ଦକ୍ଷତା ଯେ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଭିତ୍ତି ପ୍ରତିଷ୍ଠା କରିଥିଲା ସେ ସଂପର୍କରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ବାଉରୀବଂଧୁ କର ଶଶିଭୂଷଣ ରଥଙ୍କ ଜୀବନୀ ପ୍ରବନ୍ଧ ପାଠ କରିଥିଲେ । ପ୍ରାରମ୍ଭରେ ଏକାଡେମୀ ସଂପାଦକ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସହରରେ ଏ ଅଞ୍ଚଳର ସ୍ଵର୍ଗତ ବରପୁତ୍ର ମାନଙ୍କ ଜୟନ୍ତୀ ପାଳନ ପାଇଁ ଏକାଡେମୀ ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି କହିବା ସଂଗେ ସଂଗେ ଅପ୍ରକାଶିତ ରହିଯାଇଥିବା ବିଶିଷ୍ଟ ଲେଖକଙ୍କ ଉତ୍କୃଷ୍ଟ କୃତିଗୁଡ଼ିକୁ ପୁସ୍ତକାକାରରେ ଏକାଡେମୀ ପକ୍ଷରୁ ପ୍ରକାଶନ ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଥିଲେ । ଶଶିଭୂଷଣ ରଥଙ୍କ ଜୀବନୀ ଲେଖକ ସାହିତ୍ୟିକ ପଦ୍ମ ଚରଣ ସାହୁ ପ୍ରଥମେ ଶଶିଭୂଷଣଙ୍କ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସଂଗେ ସଂଗେ ତତ୍‌କାଳୀନ ପରିସ୍ଥିତିରେ ସେଭଳି ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଆ-ପ୍ରାଣ ବ୍ୟକ୍ତିଙ୍କର ଓଡ଼ିଶା ପାଇଁ ଏକାନ୍ତ ଆବଶ୍ୟକତା ରହିଥିଲା ବୋଲି କହିଥିଲେ । ବ୍ରହ୍ମପୁର ତଥା ଦକ୍ଷିଣ ଅଞ୍ଚଳର ଲୋକେ ଶଶିଭୂଷଣଙ୍କ ସେ କାଳର କାର୍ଯ୍ୟାବଳୀ ଯୋଗୁଁ ହିଁ ଆଜି ଓଡ଼ିଆ ଭାବେ ପରିଚୟ ଦେବାକୁ ସକ୍ଷମ ହୋଇଛନ୍ତି ବୋଲି ମତ ପ୍ରକାଶ କରିଥିଲେ । ସଭାପତି ଡକ୍ଟର ସୌଭାଗ୍ୟ କୁମାର ମିଶ୍ର ଏକାଡେମୀ କାର୍ଯ୍ୟଧାରା ଓ ଆଗାମୀ କାର୍ଯ୍ୟକ୍ରମର ସୂଚନା ଦେବା ସଂଗେ ସଂଗେ ଓଡ଼ିଆ ଭାଷାରେ ପ୍ରକାଶିତ ସାହିତ୍ୟ ଏକାଡେମୀ ମୂଖପତ୍ର କୋଣାର୍କର ଇଂରାଜୀ ସଂସ୍କରଣ ସ୍ଵତନ୍ତ୍ରଭାବେ ପ୍ରକାଶ ପାଇବ ବୋଲି ହର୍ଷ ଓ କରତାଳି ଧ୍ଵନି ମଧ୍ୟରେ ଘୋଷଣା କରିଥିଲେ ।

 

ଏହି ସଭାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଉତ୍ସାହ ଉଦ୍ଦୀପନା ମଧ୍ୟରେ ଭରପୂର ଟାଉନ ହଲରେ ଶଶିଭୂଷଣ ରଥଙ୍କ ପ୍ରତିକୃତିରେ ମାଲ୍ୟାର୍ପଣ ପୂର୍ବକ ଗମ୍ଭୀର ପରିବେଶର ମଧ୍ୟରେ ଏହି ସଭା ଅତ୍ୟନ୍ତ ସଫଳତାର ସହିତ ସମାପିତ ହୋଇଥଲା ।

 

ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଥମ ବିତର୍କ ସଭା- ‘‘ସାହିତ୍ୟ ବନାମ ସାମ୍ୱଦିକତା’’

କଟକର ପ୍ୟାରିମୋହନ ଏକାଡେମୀ ପଡ଼ିଆରେ ତା ୧୩.୧.୯୭ ରିଖରେ ଅନୁଷ୍ଠିତ ସପ୍ତମ ଓଡ଼ିଶା ପୁସ୍ତକମେଳା ପରିସର ମଧ୍ୟରେ ‘‘ସାହିତ୍ୟ ବନାମ ସାମ୍ବାଦିକତା’’ ଶୀର୍ଷକ ଏକ ଅନ୍ତରଙ୍ଗ ବିତର୍କ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହୋଇଥିଲା । ଏଥିରେ ସାହିତ୍ୟ ପକ୍ଷରେ ଓଡ଼ିଶାର ଖ୍ୟାତନାମା ସାହିତ୍ୟିକ ଶ୍ରୀ ଚନ୍ଦ୍ରଶେଖର ରଥ, ଶାନ୍ତନୁ କୁମାର ଆଚାର୍ଯ୍ୟ ଡକ୍ଟର ପ୍ରଫୁଲ୍ଲ ମହାନ୍ତି ଓ ଶ୍ରୀ ସାତକଡ଼ି ହୋତା ଏବଂ ସାମ୍ବାଦିକତା ପକ୍ଷରେ ଶ୍ରୀମତୀ ମନୋରମା ମହାପାତ୍ର, ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ, ଶ୍ରୀ ପ୍ରଦ୍ୟୁମ୍ନ କିଶୋର ବଳ, ଡକ୍ଟର ଭର୍ତ୍ତୁହରି ମହତାବଙ୍କ ଭଳି ଦୈନିକ ସମାଜ ପତ୍ରର ପ୍ରବୀଣ ସାମ୍ବାଦିକମାନେ ଅଂଶ ଗ୍ରହଣ କରି ସେମାନଙ୍କର ଯୁକ୍ତିନିଷ୍ଠ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରି ପ୍ରଥମେ ବିଷୟ ଉତ୍‌ଥାପନ ପୂର୍ବକ ଏହାର ଭିତ୍ତିଭୁମି, ପରିସର ସଂପର୍କରେ ମାର୍ଗଦର୍ଶନ କରିଥିଲେ ଏବଂ ସାମ୍ବାଦିକତା ଅଧିକ ସତ୍ୟନିଷ୍ଠ ବୋଲି ମତ ପ୍ରକାଶ କରିଥିଲେ । ଉଭୟ ସାହିତ୍ୟିକ ଓ ସାମ୍ବାଦିକ ନିର୍ଭୀକ ଓ ନିରପେକ୍ଷ ହେବାକୁ ସେ ଆହ୍ୱାନ ଦେଇଥିଲେ ।

 

ପ୍ରଥମେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଚନ୍ଦ୍ରଶେଖର ରଥ ସାହିତ୍ୟ ପକ୍ଷରୁ କହିଲେ ସମ୍ବାଦପତ୍ରରେ ସାପେକ୍ଷିକତା ଓ ସାହିତ୍ୟରେ ବାସ୍ତବତା ପ୍ରବେଶ କରୁଛି । ସତ୍ୟନିଷ୍ଠତା ଉଭୟ ସ୍ଥଳେ ବାଞ୍ଚନୀୟ ହେଲେ ହେଁ ଉଭୟଙ୍କର ଭୂମି ନିର୍ଦ୍ଦିଷ୍ଟ ଓ ନିର୍ଦ୍ଧାରିତ ହେବା ଦରକାର । ସାହିତ୍ୟ ଯଦି ସାମ୍ବାଦିକତାରେ ପ୍ରବେଶ କରେ ତାର ବିଶ୍ଵସନୀୟତା ନିଶ୍ଚିତରୂପେ ବୃଦ୍ଧି ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

 

ସମ୍ବାଦ ଓ ସନଟାଇମସ୍‌ର ସଂପାଦକ ତଥା ଲୋକସଭା ସଦସ୍ୟ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସବୁ ସାମ୍ବାଦିକ ସତୁଆ ନୁହନ୍ତି କି ସବୁ ସାହିତ୍ୟିକ ମିଛୁଆ ନୁହନ୍ତି । ସେମାନଙ୍କର ଲକ୍ଷ୍ୟ କିନ୍ତୁ ଗୋଟିଏ-ପାଠକ ଉପରେ ! ବିନା ପାଠକରେ ସମ୍ବାଦପତ୍ରର ଯେପରି ମାନେ ନାହିଁ, ସାହିତ୍ୟରେ ମଧ୍ୟ ସେପରି ମାନେ ନାହିଁ । ଉଭୟ ମୁଦ୍ରଣ ଶିଳ୍ପ ଉପରେ ନିର୍ଭରଶୀଳ । ଅଗଣିତ ପାଠକଙ୍କ ମଧ୍ୟରେ ସାହିତ୍ୟର ସନ୍ଦେଶକୁ ପହଞ୍ଚାଇବାର ଦାୟିତ୍ୱ ନେଇଛି ସମ୍ବାଦପତ୍ର । ଏଣୁ ଉଭୟଙ୍କର ଭିତ୍ତିଭୂମି ଏକ ଏବଂ ଏମାନେ ପରସ୍ପର ପରିପୂରକ ।

 

ଅନ୍ୟତମ ବକ୍ତା ବିଶିଷ୍ଟ ଔପନ୍ୟାସିକ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଲେ ସମ୍ବେଦନରେ ସାହିତ୍ୟ ରହିଛି ଏବଂ ଯେଉଁ ସମ୍ବାଦିକତାରେ ସମ୍ବେଦନ ଥାଏ ତାହା ନିଶ୍ଚିତରୂପେ ସାହିତ୍ୟ ପଦବାଚ୍ୟ ହେବ । ସମ୍ବାଦପତ୍ର ହେଉଛି ରାଷ୍ଟ୍ରର ଜାଗ୍ରତ ପ୍ରହରୀ । ସାମ୍ବାଦିକତା ଓ ସାହାଯ୍ୟ କ୍ଷେତ୍ରରେ ଉତ୍କଳମଣି ଗୋପବଂଧୁ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତିଷ୍ଠିତ ଆଦର୍ଶରେ ସମସ୍ତେ ଅନୁପ୍ରାଣୀତ ହେବାକୁ ସେ ଆହ୍ୱାନ ଦେଇଥିଲେ ।

 

ପ୍ରଜାତନ୍ତ୍ରର ସଂପାଦକ ଶ୍ରୀ ଭର୍ତ୍ତୃହରି ମହତାବ କହିଲେ ଯେ ଯାହା କାଳକୁ ଜୟ କରିଯାଏ ଏବଂ ହୃଦୟକୁ ସ୍ପର୍ଶକରେ ସେ ହିଁ ପ୍ରକୃତ ସାହିତ୍ୟ । ଭାଗବତ ହେଉଛି ଏକ ସଫଳ ସାହିତ୍ୟ । ସ୍ଵାଧୀନତା ସଂଗ୍ରାମ ଓ ଜରୁରୀକାଳୀନ ପରିସ୍ଥିତି ସମୟରେ ସମ୍ବାଦପତ୍ରହିଁ ତତ୍‌କାଳୀନ ସମାଜର ବାସ୍ତବ ଚିତ୍ର ଲୋକ ସମକ୍ଷରେ ପ୍ରଦାନ କରି ସାମାଜିକ ସଚେତନତା ସୃଷ୍ଟି କରି ପାରିଥିଲା ଯାହା ସାହିତ୍ୟ ପୁସ୍ତକ କରି ପାରି ନଥିଲା । ଏକାଡେମୀ ପ୍ରଥମ ଥର ପାଇଁ ଏପରି ଏକ ବିତର୍କ ଆୟୋଜନ କରିଥି‌ବାରୁ ସେ ଏକାଡେମୀ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଶିକ୍ଷାବିତ୍‌ ତଥା ସୁସାହିତ୍ୟିକ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି କହିଲେ ଯେ ସାହିତ୍ୟ ଓ ସମ୍ବାଦିକତାର ପରିଧି ସ୍ୱତନ୍ତ୍ର । ସାହିତ୍ୟର ଭାଷା ସାମ୍ବାଦିକତାରେ ବ୍ୟବହାର ଉପଯୋଗୀ ନୁହେଁ, ଏବଂ ସାମ୍ବାଦିକତାର ଭାଷାମଧ୍ୟ ସାହିତ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ । ସାମ୍ବାଦିକ ଓ ସାହିତ୍ୟିକ ଭିନ୍ନ ପୃଥିବୀରେ ବିଚରଣ କରନ୍ତି ତେଣୁ ସାମ୍ବାଦିକତା ଓ ସାହିତ୍ୟ କେବେହେଁ ପରିପୂରକ ହୋଇ ପାରିବେ ନାହିଁ ।

 

‘ପ୍ରଗତିବାଦୀ’ର ସଂପାଦକ ଶ୍ରୀ ପ୍ରଦ୍ୟୁମ୍ନ କିଶୋର ବଳ କହିଲେ ଯେ ସାମ୍ବାଦିକତା ଓ ସାହିତ୍ୟ ମଧ୍ୟରେ କୌଣସି ବିଭେଦ କି ବିତର୍କ ନାହିଁ । ଯଦିଓ ଦୁଇଟିଯାକର କ୍ଷେତ୍ର ଅଲଗା ଅଲଗା-। ସାହିତ୍ୟିକର ପରିସର ବ୍ୟାପକ ଏବଂ ଉତ୍ତରଦାୟୀ ନୁହେଁ । କିନ୍ତୁ ସାମ୍ବାଦିକର କ୍ଷେତ୍ର ସୀମିତ ଏବଂ ସେ ଉତ୍ତରଦାୟୀ । ଉଭୟ ସାହିତ୍ୟ ଓ ସାମ୍ବାଦିକତା ଭୀଷଣ ପ୍ରଦୂଷିତ । ଏହାର ଦୂରୀକରଣ ପାଇଁ ଯତ୍ନବାନ ହେବା ଆବଶ୍ୟକ । ଡକ୍ଟର ମହତାବଙ୍କ ‘ଗାଁ ମଜଲିସ’ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି । ଏଣୁ ସାମ୍ବାଦିକତା ମଧ୍ୟ ସାହିତ୍ୟର ମର୍ଯ୍ୟାଦା ଲାଭ କରିପାରେ ।

 

‘ସମାଜ’ର ସହଯୋଗୀ ସଂପାଦିକା ଶ୍ରୀମତୀ ମନୋରମା ମହାପାତ୍ର କହିଲେ ଯେ ସାମ୍ବାଦିକତା ଓ ସାହିତ୍ୟ ମଧ୍ୟରେ କୌଣସି ବିଭେଦ ନାହିଁ । ସମ୍ବେଦନଶୀଳତା ଉଭୟ କ୍ଷେତ୍ରରେ ପ୍ରସାରିତ ହେବା ବାଞ୍ଛନୀୟ ଏବଂ ଏ ଦିଗରେ ସାହିତ୍ୟିକ ଓ ସାମ୍ବାଦିକର ଗୁରୁଦାୟିତ୍ୱ ରହିଛି ।

 

ଅନ୍ୟତମ ବକ୍ତା ସୁସାହିତ୍ୟିକ ତଥା ‘ସମୟ’ର ସଂପାଦକ ଶ୍ରୀ ସାତକଡ଼ି ହୋତା ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କଲେ ଯେ ସାହିତ୍ୟ ଭିତରେ ଜ୍ଞାନ ଓ ତଥ୍ୟର ଝଲକ ରହିଛି, କିନ୍ତୁ ସାମ୍ବାଦିକତା କେବଳ ତଥ୍ୟ ଭିତ୍ତିକ । ସାହିତ୍ୟିକ ଓ ସାମ୍ବାଦିକ ଉଭୟେ ନିଜନିଜର ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରୁଛନ୍ତି । ଏଣୁ ସାହିତ୍ୟ ସାମ୍ବାଦିକତା ଉଭୟ କ୍ଷେତ୍ରରେ ସାମାଜିକ ପ୍ରତିବଦ୍ଧତା ରହିଛି । ଏହି ବିତର୍କ ସଭାକୁ ଅଧ୍ୟାପିକା ଡକ୍ଟର ଅର୍ଚ୍ଚନା ନାୟକ ସଂଯୋଜନା କରିଥିଲେ । ପ୍ରାରମ୍ଭରେ ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଆମନ୍ତ୍ରିତ ବକ୍ତା, ଶ୍ରୋତାମଣ୍ଡଳୀକୁ ସ୍ଵାଗତ କରି କହିଥିଲେ ଯେ ସାହିତ୍ୟ ସବୁଦିନ ପାଇଁ, ସାମ୍ବାଦିକତା ଆଜିଦିନ ପାଇଁ । ଶହେ ବର୍ଷ ଭିତରେ ଓଡ଼ିଆସାହିତ୍ୟର ରକ୍ଷଣଶୀଳ ମନୋଭାବ ଯୋଗୁଁ ଶବ୍ଦ ବ୍ୟବହାର କମି କମି ଆସୁଛି । ଅନ୍ୟ ପକ୍ଷରେ ସାମ୍ବାଦିକତାରେ ଅଜସ୍ର ନୂତନ ଶବ୍ଦ ପ୍ରବେଶ କରି ପାଠକଙ୍କ ପ୍ରିୟ ହୋଇପାରିଛି ।

 

ଶେଷରେ ପୁସ୍ତକମେଳା ସଂଯୋଜକ ଶ୍ରୀ ବିଜୟ କୁମାର ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ । ବହୁ ସାହିତ୍ୟିକ, ସାମ୍ବାଦିକ, ପୁସ୍ତକ ପ୍ରକାଶକ ଏବଂ ସୁଧୀ ମଣ୍ଡଳୀଙ୍କ ଉପସ୍ଥିତିରେ ବିତର୍କ ସଭା ସାଫଲ୍ୟ ମଣ୍ଡିତ ହୋଇଥିଲା ।

 

ବ୍ୟାସକବି ଫକୀରମୋହନ ଜୟନ୍ତୀ

ତା ୧୪-୧-୯୭ ରିଖ ସଂଧ୍ୟା ଘ ୫.୩୦ ରେ ଖୋର୍ଦ୍ଧ ଟାଉନହଲଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଶହେ ପଞ୍ଚାବନତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି ।

 

ପ୍ରାରମ୍ଭରେ ବ୍ୟାସକବିଙ୍କ ତୈଳ ପ୍ରତିକୃତିରେ ବରେଣ୍ୟ ଅତିଥିମାନେ ପୁଷ୍ପ ପ୍ରଦାନ କରିଥିଲେ । ଜୟନ୍ତୀସଭାର ଉଦ୍‌ଘାଟକ ଭାବରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସର୍ବେଶ୍ୱର ମହାନ୍ତି ତାଙ୍କର ଉଦ୍‌ଘାଟନୀ ଭାଷଣରେ ପ୍ରକାଶ କଲେ ଯେ ଓଡ଼ିଆ ଜନଜୀବନର ଚିତ୍ରକୁ ସାହିତ୍ୟ ମାଧ୍ୟମରେ ନିଖୁଣ ବର୍ଣ୍ଣନା କରିବାରେ ଫକୀର ମୋହନଙ୍କ ମୌଳିକତା ଥିଲା । ତାଙ୍କର ଗଳ୍ପ, ଉପନ୍ୟାସ, କବିତା ଓଡ଼ିଶାର ଦେଢ଼ଶହ ବର୍ଷରୁ ଉର୍ଦ୍ଧ୍ୱକାଳର ଇତିହାସ କହିଲେ ଅତ୍ୟୁକ୍ତି ହେବ ନାହିଁ-। ରକ୍ଷଣଶୀଳ ମନୋଭାବ ଛାଡ଼ି କଥିତ ଭାଷାରେ ବ୍ୟବହୃତ ହେଉଥିବା ସବୁ ଅଞ୍ଚଳର ଶବ୍ଦକୁ ମୂଳସୂତ୍ରରେ ନ ମିଶାଇଲେ ଓଡ଼ିଆଭାଷା ଆଉ ବଢ଼ି ପାରିବ ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ ।

 

ପ୍ରଖ୍ୟାତ ଔପନ୍ୟାସିକ ଡକ୍ଟର ବିଭୂତି ପଟ୍ଟନାୟକ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପ୍ରକାଶ କଲେ ଯେ ବର୍ତ୍ତମାନ ପାଠ ପଢ଼ି ଯେଉଁମାନେ ସାହିତ୍ୟ ସୃଷ୍ଟି କରୁଛନ୍ତି, ବ୍ୟାସକବି ସେଭଳି ନଥିଲେ । ସେ ଜୀବନକୁ ଗଢ଼ି କାଳଜୟୀ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି । ତାଙ୍କ ସାହିତ୍ୟର ସର୍ବଭାରତୀୟ ପ୍ରଚାର, ପ୍ରସାର କରାଯାଇ ପାରିଲେ ସେ ଜାତୀୟ କ୍ଷେତ୍ରରେ ଶ୍ରେଷ୍ଠ ସାହିତ୍ୟିକ ସମ୍ମାନ ଲାଭ କରିପାରନ୍ତେ ବୋଲି ମତ ପୋଷଣ କରିଥିଲେ-। କେନ୍ଦ୍ର ସାହିତ୍ୟ ଏକାଡେମୀ ଫକୀର ମୋହନ ସାହିତ୍ୟ ଉପରେ ସନ୍ତୋଷଜନକ କାର୍ଯ୍ୟ କରୁନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଖଗେଶ୍ୱର ମହାପାତ୍ର ମତ ପୋଷଣ କଲେ ଯେ ଫକୀର ମୋହନଙ୍କୁ ଚିହ୍ନିବା ଅର୍ଥ ଆମ ସଂସ୍କୃତି ଓ ସାହିତ୍ୟକୁ ଚିହ୍ନିବା ଓ ତାଙ୍କୁ ଭୁଲିଯିବାଦ୍ୱାରା ଆମେ ନିଜକୁ ନିମ୍ନଗାମୀ କରୁଛେ ବୋଲି ପ୍ରକାଶ କରିଥିଲେ । ତାଙ୍କ ସାହତ୍ୟର ଉପଯୁକ୍ତ ସମୀକ୍ଷା ହେଲେ ସେ ଆମ ସମାଜ ଓ ସାହତ୍ୟକୁ କିଭଳି ସମୃଦ୍ଧ କରି ଯାଇଛନ୍ତି ତାହା ଜଣା ପଡ଼ନ୍ତା ବୋଲି ଡକ୍ଟର ମହାପାତ୍ର କହିଥିଲେ ।

 

ଏକାଡେମୀ ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ଅବସରରେ ଫକୀର ମୋହନଙ୍କୁ ଏପଟେ ବ୍ୟାସକବି କହି ସେପଟେ ତାଙ୍କ କବିତାର ଉଚିତ ମୂଲ୍ୟାୟନ ନହେବା ଦୁଃଖଦାୟକ ବୋଲି କହିଥିଲେ । ସହ-ସଚିବ ଶ୍ରୀ ମହେନ୍ଦ୍ରକୁମାର ଛୁଆଳସିଂହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଓ ଖୋର୍ଦ୍ଧାସ୍ଥ ଜିଲ୍ଲା ସଂସ୍କ୍ଢୃତି ଅଧିକାରୀ ଶ୍ରୀ ସୌରଜିତ ଦାସଙ୍କଦ୍ୱାରା ଧନ୍ୟବାଦାର୍ପଣ କରାଯାଇଥିଲା । ପରିଶେଷରେ ଖୋର୍ଦ୍ଧାର ନିତ୍ୟ ନୂତନ ସଂସ୍କୃତି ସଂସଦ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 

ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଶ୍ରାଦ୍ଧୋତ୍ସବ ପାଳନ

ତା ୩୦-୧-୯୭ ରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଜିଲ୍ଲା ସଂସ୍କୃତି ପରିଷଦ ଓ ବାଣପୁର ପୂଜ୍ୟପୂଜା ସାଂସଦର ମିଳିତ ଆନୁକୂଲ୍ୟରେ କବିଙ୍କ ଜନ୍ମପୀଠ ଭୀମପୁର ଗ୍ରାମରେ ଏକାଡେମୀ ଉପାଧ୍ୟକ୍ଷ କବି ଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରାଦ୍ଧୋତ୍ସବରେ ଏକାଡେମୀ ପକ୍ଷରୁ ପ୍ରକାଶିତ ଏକ ସ୍ମରଣିକାକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ତଥା କବି ଶ୍ରୀ ଦେବେନ୍ଦ୍ରନାଥ ମାନସିଂହ ଉନ୍ମୋଚନ କରିଥିଲେ ।

 

କବି, ବିଧାୟକ ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ସମ୍ମାନିତ ଅତିଥିଭାବେ ଯୋଗଦେଇ କହିଲେ ଯେ କ୍ଷମତା ଓ ରାଜନୀତି କାଳର ଗର୍ଭରେ ଲୀନ ହୋଇଯିବ । କିନ୍ତୁ କବି ଓ କବିତା ଚିର ଅମର ହୋଇ ରହିଥିବ । କବି କୃଷଚନ୍ଦ୍ର ଥିଲେ ଚେତନାର ଅନନ୍ତ ଆକାଶରେ ଏକ ଉଜ୍ଜ୍ୱଳ ଜ୍ୟୋତିସ୍କ । କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ମରଣୋତ୍ତର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରିବାକୁ ଓ ଏକ ମାର୍ବେଲର ଆବକ୍ଷ ପ୍ରତିମୂର୍ତ୍ତୀ ସ୍ଥାପନ କରିବାକୁ ସରକାରଙ୍କୁ ସେ ନିବେଦନ କରିଥିଲେ ।

 

ଯେଉଁମାଟି କାଳି ଓ ତୁଳିର ମୂର୍ଚ୍ଛନାରେ ସମୃଦ୍ଧ ସେଇ ମାଟିର ଛାନ୍ଦ ଓ ଉପମାରେ ପ୍ରସ୍‌ଫୁଟିତ କବି କୃଷ୍ଣଚନ୍ଦ୍ର ସମଗ୍ର ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ପ୍ରେରଣାର ଉତ୍ସ ବୋଲି ବର୍ଣ୍ଣନା କରି ସଂଧ୍ୟାର ଅନ୍ୟତମ ସମ୍ମାନିତ ଅତିଥି ଡକ୍ଟର ମାନସିଂହ କହିଲେ ଯେ ବୀର ଚେତନାର ବାଣୀ ପ୍ରଚାର କରି, ଓଡ଼ିଆ ଜାତିର ପ୍ରାଣରେ ରଣ-ଝଙ୍କାର ସୃଷ୍ଟି କରିବାରେ କବି ତ୍ରିପାଠୀ ଥିଲେ ସିଦ୍ଧହସ୍ତ । କବି ତ୍ରିପାଠୀଙ୍କ କାବ୍ୟ-କୃତିରେ ପଲ୍ଲୀଜୀବନ ଚିତ୍ର, ଅତି ଜୀବନ୍ତ ଓ ନିଖୁଣ ଭାବେ ପ୍ରତିଫଳିତ ହୋଇଥିଲା ବୋଲି ସାମ୍ବାଦିକ ଶ୍ରୀ ଗୋରାଚାନ୍ଦ୍ର ମିଶ୍ର କହିଥିଲେ ।

 

କବି ପ୍ରାଣର ଗଭୀର ମାଟି ପ୍ରୀତି, ଜାତୀୟତା, ଦେଶ ପ୍ରାଣତା ତଥା ମଣିଷଜୀବନ ପ୍ରତି ସମ୍ବେଦନଶୀଳତାର ମନୋଜ୍ଞ ରୂପାୟନରେ କବି ତ୍ରିପାଠୀ ଥିଲେ ସିଦ୍ଧ ହସ୍ତ ବୋଲି ପ୍ରକାଶ କରି ପୂଜ୍ୟପୂଜା ସଂସଦର ସଂପାଦକ ଶ୍ରୀ ବ୍ରଜବନ୍ଧୁ ଦାଶ, ନାଟ୍ୟକାର ଶ୍ରୀ ପଦ୍ମଚରଣ ପଟ୍ଟନାୟକ, ଅଧକ୍ଷ ଶ୍ରୀ ନଳିନୀକାନ୍ତ ପଟ୍ଟନାୟକ, ଉପ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ, କବି ଶ୍ରୀ ତପନ ପଟ୍ଟନାୟକ ପ୍ରମୁଖ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ । ଏହି ଉତ୍ସବରେ ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା କହିଥିଲେ ଯେ କବି କୃଷ୍ଣଚନ୍ଦ୍ରଙ୍କ କାବ୍ୟ ସୃଷ୍ଟିରେ ସରସ୍ଵତୀଙ୍କର ପ୍ରତ୍ୟକ୍ଷ ଆଶୀର୍ବାଦ ଥିଲା । ତେଣୁ କବି ଜୀବନର ପରମ ସତ୍ୟ ଏବଂ ଯଥାର୍ଥର ଦ୍ରଷ୍ଟା ଥିଲେ ବୋଲି ମାନବୀୟ ଭାବମୟତା, ଜୀବନ ବୋଧ, ଆପଣାର ପରିପାର୍ଶ୍ୱର ପ୍ରକୃତିର ସୂକ୍ଷ୍ମ‌ କଳାତ୍ମକ ଚିତ୍ରଣରେ ଅଧ୍ୟାତ୍ମ ତଥା ଦାର୍ଶନିକ ଭାବକଳ୍ପର ବିନ୍ୟାସରେ ତାଙ୍କର କବିତା ରଦ୍ଧିମନ୍ତ ଥିଲା ।

 

ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପଟ୍ଟନାୟକ ପରିଛା ପ୍ରାରମ୍ଭିକ ସୂଚନା ଦେଇ କବି କୃଷ୍ଣଚନ୍ଦ୍ରଙ୍କ ମହନୀୟତା ବର୍ଣ୍ଣନା କରି କହିଲେ ଯେ ଜୀବନର ନାନା ଘାତ, ପ୍ରତିଘାତକୁ ଭ୍ରୂକ୍ଷେପ ନକରି କବି ତ୍ରିପାଠୀ ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ନିଷ୍ଠାପର ସାରସ୍ଵତ ସାଧନାରେ ବ୍ରତୀ ହୋଇ ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବାରୁ ଓଡ଼ିଆ ଜାତି ଆଜି ତାଙ୍କ ନାମରେ କୃତଜ୍ଞ ।

 

କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରପୌତ୍ର ଅଧ୍ୟାପକ ଚନ୍ଦ୍ର କିଶ୍ରୋର ତ୍ରିପାଠୀ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ନିକଟକୁ ଆସିଥିବା ଶୋକବାର୍ତ୍ତାଗୁଡ଼ିକ ପାଠ କରିଥିଲେ । ପ୍ରଥମେ କବିଙ୍କ ରଚିତ ‘ନାବିକ’ କବି ଗୀତର କିୟଦଂଶ ଉଦ୍‌ବୋଧନ ସଂଗୀତରୂପେ ଗାନ କରାଯାଇଥିଲା । ବହୁ ବିଶିଷ୍ଟ କବି, ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ କୃଷ୍ଣ ଚନ୍ଦ୍ରଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

 

ଅତିବଡ଼ି ପୁରସ୍କାର ପ୍ରଦାନ

ତା ୮-୨-୯୭ ରିଖର ପୂର୍ବାହ୍ନରେ ଗାଳ୍ପିକ ତଥା ଔପନ୍ୟାସିକ ଶ୍ରୀ ରାଜକିଶୋର ପଟ୍ଟନାୟକଙ୍କୁ ଗୁରୁତର ଅସୁସ୍ଥତା ହେତୁ ସ୍ଥାନୀୟ ତଳ ତେଲଙ୍ଗା ବଜାରସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘‘ଅତିବଡ଼ି ଜଗନ୍ନାଥ ଦାସ’’ ପୁରସ୍କାର ପ୍ରଦାନ କରାଯାଇଥିଲା । ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସ ତାଙ୍କୁ ଏହି ସାରସ୍ଵତ ସମ୍ମାନ ପ୍ରଦାନ କରିଥିଲେ । ଏହି ସମ୍ମାନ ସହିତ ତାଙ୍କୁ ନଗଦ ପଚିଶ ହଜାର ଟଙ୍କା, ଏକ ଶାଲ ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଲେଖକଙ୍କୁ ତାଙ୍କର ସାରସ୍ଵତ ସାଧନା ନିମନ୍ତେ ସାହଚର୍ଯ୍ୟ ଦେଇ ଆସିଥିବା ତାଙ୍କର ପତ୍ନୀ ଶ୍ରୀମତୀ ଶୈଳବାଳା ପଟ୍ଟନାୟକଙ୍କୁ ଏକ ସମ୍ବଲପୁରୀ ଶାଢ଼ୀ ଅର୍ଘ୍ୟ ସ୍ଵରୂପ ଦିଆଯାଇଥିଲା ।

 

ପ୍ରାରମ୍ଭରେ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ଲେଖକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସଂଗେ ସଂଗେ ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ରାଜକିଶୋର ବାବୁଙ୍କ ଭଳି ଓଡ଼ିଆ କଥାସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟାଙ୍କୁ ସମ୍ମାନିତ କରିପାରିଥିବାରୂ ଏକାଡେମୀ ନିଜକୁ କୃତଜ୍ଞ ମଣୁଛି ବୋଲି ପ୍ରକାଶ କରିଥିଲେ ।

 

ସାହିତ୍ୟ ଏକାଡେମୀ ସଭାପତି ଶ୍ରୀ କିଶୋରୀ ଚରଣ ଦାସ ତାଙ୍କ ବକ୍ତବ୍ୟରେ ରାଜକିଶୋରଙ୍କର ସୃଷ୍ଟି ଓ ସୃଜନଶୀଳ ଦୃଷ୍ଟିଭଙ୍ଗୀ ଉପରେ ସଂକ୍ଷିପ୍ତ ଆଲୋକପାତ କରିଥିଲେ । ସେ କହିଲେ ଯେ, ଓଡ଼ିଆ ସାହିତ୍ୟର ଅନେକ ନୂଆ ଲେଖକଙ୍କୁ ଦିଗ୍‌ଦର୍ଶନ ଦେଇ ଆସିଥିବା ରାଜକିଶୋର ବାବୁଙ୍କୁ ଆଜିଯାଏ ବିଷୁବ ମିଳନ ବ୍ୟତୀତ କୌଣସି ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ବା ପୁରସ୍କୃତ କରାନଯିବା ଅତ୍ୟନ୍ତ କ୍ଷୋଭର ବିଷୟ । ଡେରିରେ ହେଲେ ବି ଓଡ଼ିଶା ସାହିତ୍ୟ ଏକାଡେମୀ ଏହି ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ମନେ କରୁଛି ବୋଲି ପ୍ରକାଶ କରିବା ସଂଗେ ସଂଗେ ସେ ଲେଖକଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀର ନିଦ୍ଦେଶକ ଡକ୍ଟର ଖଗେଶ୍ୱର ମହାପାତ୍ର ଲେଖକଙ୍କ କୃତି ସମୂହ ଉପରେ ସଂକ୍ଷିପ୍ତ ଆଲୋଚନା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଔପନ୍ୟାସିକ ଶ୍ରୀ ପଟ୍ଟନାୟକ କହିଲେ ମତେ ଲାଗୁଛି ଯେମିତି ଓଡ଼ିଆ ସାହିତ୍ୟ କ୍ରମଶଃ ଲୋପ ହେବାକୁ ଯାଉଛି । ଓଡ଼ିଆ ଏକ ଆଞ୍ଚଳିକ ଭାଷା ଭାବରେ ହିଁ ଓଡ଼ିଶାରେ ସୀମିତ ରହିଛି । ଓଡ଼ିଆ ସାହିତ୍ୟର ଯେଭଳି ବିକାଶ ହେବା କଥା, ହେଉନାହିଁ । ସେ କ୍ଷୋଭ ପ୍ରକାଶ କରି କହିଲେ ଯେ ଆଜି ଓଡ଼ିଆ ଭାଷା ଭଲ ଭାବରେ ଜାଣି ନଥିବା ଲୋକେ ଇଂରାଜୀ ପଢ଼ୁଛନ୍ତି । ଅପର ପକ୍ଷରେ ଇଂରାଜୀ ଭାଷା ମଧ୍ୟ ଭଲ ଭାବରେ ନଜାଣି ଇଂରାଜୀ ମିଡ଼ିୟମ ସ୍କୁଲ କିଛି ଲୋକ ଖୋଲୁଛନ୍ତି । ଏହାଦ୍ୱାରା ଓଡ଼ିଆ ଭାଷା, ସାହିତ୍ୟର ଉନ୍ନତି ହେବ କିପରି ?

 

ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି କିପରି ସମ୍ଭବ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଲେ ଯେ ପ୍ରତ୍ୟେକ ଓଡ଼ିଆ ନିଜ ଘରେ କିଛି କିଛି ସାହତ୍ୟ ପୁସ୍ତକ କ୍ରୟ କରି ରଖିବା ଦରକାର-। ଏହାଦ୍ୱାରା ସାହିତ୍ୟ ପ୍ରତି ପରିବାର ଲୋକଙ୍କ ଆଗ୍ରହ ସୃଷ୍ଟି ହେବ । ସେ କହିଲେ ଯେ ଆଜି ଅନେକ ଉପଦେଶ ଦେବାରେ ବ୍ୟସ୍ତ, ମାତ୍ର ଜୀବନରେ ଯେଉଁମାନେ ସ୍ଵାର୍ଥ ତ୍ୟାଗ କରନ୍ତି ନାହଁ, ସେମାନେ କଣ ଉପଦେଶ ଦେବେ ?

 

୧୯୭୦ ମସିହାର ପ୍ରଜାତନ୍ତ୍ର ବିଷୁବ ପୁରସ୍କାର ବିଜେତା କଥା ଶିଳ୍ପୀ ଶ୍ରୀ ପଟ୍ଟନାୟକଙ୍କୁ ସାହିତ୍ୟ ଏକାଡେମୀ ସମେତ ପ୍ରଜାତନ୍ତ୍ର ପକ୍ଷରୁ ସାମ୍ବାଦିକ ଶ୍ରୀ ନିରାକାର ସାହୁ, ବିଶିଷ୍ଟ ଲେଖିକା ଡଃ ପ୍ରତିଭା ରାୟ, ବିଶିଷ୍ଟ ପ୍ରକାଶକ ଅଭିରାମ ମହାପାତ୍ର, ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ପକ୍ଷରୁ ଶ୍ରୀ ବିଜୟ କୁମାର ପଢ଼ିଆରୀ, ଡକ୍ଟର ଖଗେଶ୍ୱର ମହାପାତ୍ର ଓ ଅନ୍ୟମାନେ ପୁଷ୍ପ ଗୁଚ୍ଛ ଅର୍ପଣ କରି ଅଭିନନ୍ଦନ ଜଣାଇଥିଲେ ।

 

ଉତ୍କଳ ଭାରତୀ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ତଥା ଓଡ଼ିଶା ଲେଖିକା ସଂସଦର ମିଳିତ ଆନୁକୂଲ୍ୟରେ ତା ୮-୨-୯୭ ରିଖ ଦିନ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ଉତ୍ସବ ସ୍ଥାନୀୟ ପ୍ରାଚୀ ହୋଟେଲ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ସାହିତ୍ୟର ବିଶିଷ୍ଟ ଆଲୋଚିକା ଡକ୍ଟର ଅର୍ଚ୍ଚନା ନାୟକଙ୍କ ପ୍ରାକ୍‌ସୂଚନା ପରେ ସଭା ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାହିତ୍ୟିକ ମହାପାତ୍ର ଶ୍ରୀ ନୀଳମଣି ସାହୁ କୁନ୍ତଳା କୁମାରୀ ସାବତଙ୍କୁ ପ୍ରେମର ଏକ ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କୁ ଅତ୍ୟନ୍ତ ପ୍ରତିଭାବତୀ, ଜ୍ଞାନୀ, ମନସ୍ଵିନୀ, ଦୀପ୍ତିମୟୀ ତଥା ଆବେଗମୟୀ ଭାବେ ଉଲ୍ଲେଖ କରିଥିଲେ । ତାଙ୍କ ମୁହଁରୁ ବିଶ୍ଵପ୍ରେମ ବିଶେଷ କରି ଉତ୍କଳୀୟ ପ୍ରେମର ଆଭାସ ସ୍ପଷ୍ଟଭାବେ ମିଳିପାରେ ବୋଲି ସେ କହିଥିଲେ । କୁନ୍ତଳାଙ୍କ ଉପରେ ବିଶଦ ଭାବେ ଯଦି କେହି ଗୋଟିଏ ଉପନ୍ୟାସ ଲେଖିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ସମସ୍ତ ପ୍ରକାଣ ସହଯୋଗ କରିବା ସହିତ ପାଞ୍ଚ ହଜାର ଟଙ୍କା ପୁରସ୍କାର ଦେବାକୁ ଶ୍ରୀ ସାହୂ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ପ୍ରାବନ୍ଧିକ ତଥା ସମାଲୋଚକ ଡକ୍ଟର ଖଗେଶ୍ୱର ମହାପାତ୍ର ଉକ୍ତ ସମାରୋହରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କୁନ୍ତଳା କୁମାରୀ ସାବତଙ୍କ ସମ୍ବନ୍ଧରେ ଅନେକ ଗୂଢ଼ ତଥ୍ୟ ପ୍ରକାଶ କରିଥିଲେ । କୁନ୍ତଳାଙ୍କ ସଂପର୍କରେ ହିନ୍ଦୀ ସାହିତ୍ୟରେ ଜନୈକ ପ୍ରସିଦ୍ଧ ଔପନ୍ୟାସିକ ଜୈନେନ୍ଦ୍ରଙ୍କ ରଚିତ କଲ୍ୟାଣୀ ଉପନ୍ୟାସ ସଂପର୍କରେ ଜୈନେନ୍ଦ୍ରଙ୍କ ସହ ହୋଇଥିବା ତାଙ୍କ ବ୍ୟକ୍ତିଗତ ଆଲୋଚନା ବିଷୟରେ ଉଲ୍ଲେଖ କରି କୁନ୍ତଳାଙ୍କର ପ୍ରଭାବ ଦେଶର ବଡ଼ ବଡ଼ ସାହିତ୍ୟିକମାନଙ୍କ ଉପରେ କିପରି ପଡ଼ି ପାରୁଥିଲା ସେ ବିଷୟ ବର୍ଣ୍ଣନା କରିଥିଲେ ।

 

ଉକ୍ତ ଉତ୍ସବରେ ପୌରୋହିତ୍ୟ କରି ସାହିତ୍ୟ ଏକାଡେମୀର ସଭାପତି ତଥା ଖ୍ୟାତନାମା ଗାଳ୍ପିକ ଶ୍ରୀ କିଶୋରୀ ଚରଣ ଦାସ କୁନ୍ତଳାଙ୍କୁ ତାଙ୍କର ଧାତ୍ରୀଭାବେ ବର୍ଣ୍ଣନା କରି ତାଙ୍କୁ ବାତ୍ସଲ୍ୟ ପ୍ରେମର ଏକ ଅସରନ୍ତି ଭଣ୍ଡାର ଭାବେ ବର୍ଣ୍ଣନା କରିଥିଲେ ।

 

ବିଭୁପ୍ରେମ, ଦେଶପ୍ରେମ, ପ୍ରକୃତି ପ୍ରେମର ଏକ ଅନନ୍ୟ ସାଧିକା କୁନ୍ତଳା ନିଜର ସାହିତ୍ୟ ସାଧନା ନାରୀ ସମାଜର ଜାଗରଣ ତଥା ବିଶେଷ କରି ଓଡ଼ିଆର ଓଡ଼ିଆତ୍ୱକୁ ଜାଗ୍ରତ କରାଇବାରେ ଯେଉଁ ଅପୂର୍ବ ପ୍ରୟାସ କରିଯାଇଥିଲେ ତାହା ପାଇଁ ଆଜି ଓଡ଼ିଶାବାସୀ ତାଙ୍କ ପାଖରେ ଚିର ଋଣୀ ହୋଇ ରହିଛି ବୋଲି ଉଲ୍ଲେଖ କରି ଓଡ଼ିଶା ଲେଖିକା ସଂସଦର ସଭାନେତ୍ରୀ ତଥା ବିଶିଷ୍ଟଗଳ୍ପିକା ବୀଣାପାଣି ମହାନ୍ତି ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

 

ଉତ୍ସବ ଶେଷରେ ସଂସଦର ଅନ୍ୟତମ ନେତ୍ରୀ ଡକ୍ଟର ସଂଘମିତ୍ରା ମିଶ୍ଵ ଧନ୍ୟବାଦ ଅର୍ପଣ କରିଥିଲେ ।

 

କବି ବ୍ରଜରାଜ ସିଂହଦେବ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଖଡ଼ିଆଳ ସାହିତ୍ୟ ସମିତି ତଥା ନୂଆପଡ଼ା ଜିଲାର ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ଖଡ଼ିଆଳସ୍ଥ ବୀର ବିକ୍ରମ ମଣ୍ଡପଠାରେ ତା ୧୧-୨-୯୭ରିଖ ପବିତ୍ର ବସନ୍ତ ପଞ୍ଚମୀ ତିଥିରେ କବି ବ୍ରଜରାଜ ସିଂହଦେବଙ୍କ ଜୟନ୍ତୀ ଉତ୍ସବ ଅପରାହ୍ନ ତିନି ଘଣ୍ଟା ସମୟରେ ଆୟୋଜନ କରାଯାଇଥିଲା । ମାନ୍ୟବର ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଭୂପିନ୍ଦର ସିଂହ ଏକ ଭାବ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ପରିବେଶରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ସଭାକୁ ଉଦ୍‌ଘାଟନ କରିଥିଲେ । ନୂଆପଡ଼ା ଜିଲ୍ଲାପାଳ ଶ୍ରୀ ସତ୍ୟବ୍ରତ ସାହୁ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । କବି ସୌରଭ ଅନୁପସିଂହଦେବ ଏବଂ କବି ଡକ୍ଟର ପ୍ରସନ୍ନ କୁମାର ପାଟଶାଣୀ ଯଥାକ୍ରମେ ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତାଭାବେ ଯୋଗଦାନ କରିଥିଲେ । ସାହିତ୍ୟ ଏକାଡେମୀ ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ସଭାରେ ଅଧ୍ୟକ୍ଷତା କରିଥିଲେ । ନୂଆପଡ଼ା ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାହିତ୍ୟିକ, ସାଂସ୍କୃତିକ ଅନୁଷ୍ଠାନ ଏ ଅବକାଶରେ ବରେଣ୍ୟ କବିଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ଜୟନ୍ତୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତା ୧୨-୨-୯୭ ରିଖ ସନ୍ଧ୍ୟାରେ ପାରଳାଖେମୁଣ୍ଡିସ୍ଥିତ ମହାରାଜା ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଏକ ଜୟନ୍ତୀ ସଭା ଆୟୋଜନ କରାଯାଇଥି‌ଲା । ପ୍ରଫେସର ସୌଭାଗ୍ୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ସମ୍ମାନିତ ଅତିଥି ଜୀବନୀକାର ପଦ୍ମ ଚରଣ ସାହୁ ସ୍ଵର୍ଗତ ରାଜଗୁରୁଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ବଳିଷ୍ଠ ପଦକ୍ଷେପର ସୂଚନା ଦେଇଥିଲେ । ଓଡ଼ିଶାର ସତ୍ୟବାଦୀ ବନବିଦ୍ୟାଳୟର ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନିଶ ଆନ୍ଦୋଳନର ପ୍ରାୟ କୋଡ଼ିଏ ବର୍ଷ ପୂର୍ବେ ଶ୍ୟାମ ସୁନ୍ଦର ରାଜଗୁରୁ ନିଶ ରଖି କୁସଂସ୍କାର ଗ୍ରସ୍ତ ରକ୍ଷଣଶୀଳ ସମାଜର ମାନସିକତା ପ୍ରତି କୁଠାରଘାତ କରିଥିଲେ ବୋଲି ଶ୍ରୀ ସାହୁ ଦର୍ଶାଇ ଥିଲେ । ମୁଖ୍ୟବକ୍ତା ଶ୍ରୀ ସଚ୍ଚିଦାନନ୍ଦ ମିଶ୍ର ସ୍ୱର୍ଗତ ରାଜଗୁରୁ-ସାରଳା ଦାସ, ବଳରାମ ଦାସ, କୃଷ୍ଣ ସିଂହ, ଗୋପାଳ ତେଲଙ୍ଗା, ନିଶଙ୍କରାୟରାଣୀ, ଦୀନକୃଷ୍ଣ ଦାସ ପ୍ରମୁଖଙ୍କ ଜୀବନୀ ଓ କୃତିର ସମୀକ୍ଷା କରି ଓଡ଼ିଆ ସମାଲୋଚନା ସାହିତ୍ୟର ମୂଳଦୁଆ ପକାଇଥିଲେ ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନିତ ବକ୍ତା ଡକ୍ଟର ହରିହର କାନୁନଗୋ ପାରଳା ରାଜବଂଶର ସ୍ଵନାମଧନ୍ୟ ମହାରାଜାମାନଙ୍କ ସମେତ ଗୋପାଳକୃଷ୍ଣ, ରଘୁନାଥ ପରିଛା, ଗୋପୀନାଥ ନନ୍ଦ ପ୍ରମୁଖଙ୍କ ସ୍ମୃତି ଚାରଣ ସଂଗେ ସଂଗେ ଶ୍ୟାମ ସୁନ୍ଦର ରାଜଗୁରୁ ଏକ ବଳିଷ୍ଠ ତଥା ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ବୋଲି ମତ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଡକ୍ଟର ମିଶ୍ର ଓଡ଼ିଆ ଆନ୍ଦୋଳନରେ ସ୍ଵର୍ଗତ ରାଜଗୁରୁଙ୍କ ଭୂମିକାର ଆଲୋଚନା କରିବା ସହ ପାରଳାର ଐତିହ୍ୟ ପ୍ରତି ଆଲୋକପାତ କରିଥିଲେ ଏବଂ ବିଦ୍ୟାନଗରୀ ପାରଳା ଯୁଗେ ଯୁଗେ ଓଡ଼ିଆ ସାହିତ୍ୟ, ସଂସ୍କୃତି, ରାଜନୀତି ଓ ସାମାଜିକତାରେ ପଥ ପ୍ରଦର୍ଶକ ଥିଲା ବୋଲି ନିଜ ଅଭିଭାଷଣରେ କହିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏଭଳି ଜୟନ୍ତୀ ପାଳନ ଯୋଗୁଁ ସର୍ବ ସାଧାରଣରେ ଆନନ୍ଦ ପ୍ରକାଶ ପାରଥିବା ଜଣା ଯାଇଥଲା । ସଭା ପ୍ରାରମ୍ଭରେ ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସଂସ୍କୃତି ଅଧିକାରୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ଏହି ଏକାଡେମୀର କାର୍ଯ୍ୟକ୍ରମରେ ପୂଣ୍ଣ ସହଯୋଗ ପ୍ରଦାନ କରିଥିଲେ ଏବଂ ପାରଳାର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ରାଜକିଶୋର ଦାସ, ତ୍ରିପତି ପ୍ରସାଦ ପଣ୍ଡା, ଗୋପୀନାଥ ପାଢ଼ୀ ପ୍ରମୁଖ ସଭା ଆୟୋଜନରେ ସହାୟତା କରିଥିଲେ ।

 

ବିଦଗ୍ଧକବି ଅଭିମନ୍ୟୁ ସାମନ୍ତ ସିଂହାର ଜୟନ୍ତୀ

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୪୦ ତମ ଜୟନ୍ତୀ ଉତ୍ସବ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅଭିମନ୍ୟୁ ସାହିତ୍ୟ ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ତା ୧୩-୨-୯୭ ରିଖ ମାଘ ସପ୍ତମୀ ଦିନ ଅପରାହ୍ନ ପାଞ୍ଚ ଘଣ୍ଟା ସମୟରେ କବିଙ୍କ ଜନ୍ମପୀଠ ଯାଜପୁର ଜିଲ୍ଲାର ଅଭିମନ୍ୟୁ ବାଲିଆଠାରେ ଆଯୋଜନ କରାଯାଇଥି‌ଲା । ବିଶିଷ୍ଟ ସମାଲୋଚକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଏହି ସାରସ୍ଵତ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ବରେଣ୍ୟ ସାହିତ୍ୟିକ ଶ୍ରୀ ଘନଶ୍ୟାମ ମିଶ୍ର ଏବଂ ବିଶିଷ୍ଟ ସଂସ୍କୃତବିତ୍‌ ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ ଯଥାକ୍ରମେ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରିଥିଲେ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସାରଳା ସ୍ମାରକର ମିଳିତ ଆନୁକୂଲ୍ୟରେ ତା ୧୩-୨-୯୭ ରିଖ ମାଘ ସପ୍ତମୀ ଦିନ ଆଦିକବି ସମାଧିପୀଠ, ତେନ୍ତୁଳିପଦା ଝଙ୍କଡ଼ଠାରେ ଏକ ସାହିତ୍ୟ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ସଭାପତିତ୍ୱ କରିଥିଲେ ସାରଳା ସ୍ମାରକର ସଭାପତି ଶ୍ରୀ ସାତକଡ଼ି ହୋତା । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ସଭାର ପ୍ରାରମ୍ଭରେ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ମାନିତ ବକ୍ତାଭାବେ ଗଣେଶ ପ୍ରସାଦ ପରିଡ଼ା ସାରାଳା ସାହିତ୍ୟର କେତୋଟି ଦିଗ ଉପରେ ଆଲୋଚନା କରି ତାଙ୍କ ସାହିତ୍ୟର ଉତ୍କୃଷ୍ଟତା ଦର୍ଶାଇ କିଭଳି ତାଙ୍କ ପରବର୍ତ୍ତୀ ବଳରାମ ଜଗନ୍ନାଥଙ୍କ ସହିତ ଉପେନ୍ଦ୍ର ଭଂଜ କବିବର ରାଧାନାଥାଦି ପ୍ରଭାବିତ ହୋଇଛନ୍ତି ତାହା ଉଦାହରଣ ସହିତ ଦର୍ଶାଇଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା ତାଙ୍କର ଓଜସ୍ଵିନୀ ବକ୍ତୃତା ମଧ୍ୟରେ ସଂସ୍କୃତ କବିଙ୍କ ଭଳି ସାରଳା କିଭଳି ତାତ୍ତ୍ୱିକ ଭାବଗର୍ଭକ ବିଷୟ ସବୁ ତାଙ୍କ ପୁରାଣମାନଙ୍କରେ ଉଲ୍ଲେଖ କରିଛନ୍ତି ତାହା ଉଦାହରଣ ସହ ଦର୍ଶାଇଥିଲେ। ସଭାପତି ଶ୍ରୀ ହୋତା ନିଜର ସଭାପତି ଭାଷଣରେ କହିଲେ ଯେଉଁ ଜାତିର ସାହିତ୍ୟ ଯେତେ ବଳିଷ୍ଠ ସେ ଜାତି ସେତେ ସମ୍ମାନିତ । ସାରଳା ଦାସ ଓଡ଼ିଆରେ ବଳିଷ୍ଠ ସାହିତ୍ୟ ରଚନା କରି ଦେଶ, ଜାତିକୁ ଉପଯୁକ୍ତ ଆସନ ଦେଇଥିବାରୁ ସେ ଯୁଗେ ଯୁଗେ ଏ ଜାତିର ନମସ୍ୟ ହୋଇ ରହିବେ ।

 

ସନ୍ଥଳବି ଭୀମଭୋଇ ମହାପ୍ରୟାଣ ଶ୍ରାଦ୍ଧୋତ୍ସବ

ଓଡ଼ିଶା ସାହିତ୍ୟ ଏକାଡେମୀ, ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ, ଭୀମଭୋଇ ସାଂସ୍କୃତିକ ପରିଷଦ, ସୋନପୁର ଜିଲ୍ଲା ସାମ୍ବାଦିକ ସଂଘ ଓ ମହାନଦୀ ସାହିତ୍ୟ ସଂସଦଙ୍କ ମିଳିତ ଆନୁକୂଲ୍ୟରେ ସନ୍ଥକବି ଭୀମଭୋଇଙ୍କର ଶ୍ରାଦ୍ଧୋତ୍ସବ ଉପଲକ୍ଷେ ତା ୨୧-୨-୯୭ ରିଖ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ୯.୩୦ ସମୟରେ ସୁବର୍ଣ୍ଣପୁର ଜିଲ୍ଲାର ସନ୍ଥ କବିଙ୍କ ଜନ୍ମପୀଠ ଜଟାସିଂଘାଠାରେ ଅପରାହ୍ନ ୨.୩୦ ସମୟରେ ସମାଧିପୀଠ ଖଲିଆପାଲିଠାରେ ଏବଂ ସଂଧ୍ୟା ୬ ଘଣ୍ଟା ସମୟରେ ଟାଉନହଲ୍‍ଠାରେ ସ୍ମୃତି ସଭାମାନ ଆୟୋଜନ କରାଯାଇଥି‌ଲା।

 

ଏ ସମସ୍ତ କାର୍ଯ୍ୟକ୍ରମରେ ଏକାଡେମୀର ଉପ-ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଅଧ୍ୟକ୍ଷତା କରିଥିଲେ । ଏହି ସାରସ୍ଵତ ଉତ୍ସବରେ ରାଜ୍ୟ ନିର୍ବାଚନ କମିଶନର ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ମିଶ୍ର ଏବଂ ସୁବର୍ଣ୍ଣପୁରର ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟଚନ୍ଦ୍ର ଜେନା ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ଏହି ସଭାର ବିଶିଷ୍ଟ ସାହିତ୍ୟିକ ଶ୍ରୀ ଭାଗୀରଥି ନେପାକ୍‌ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଭୀମଭୋଇଙ୍କ ସାରସ୍ୱତ୍ୱ ବାଣୀ ଓ ଧର୍ମବୋଧ ସମ୍ବନ୍ଧରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ବିଶିଷ୍ଟ ସମାଲୋଚକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ ସମ୍ମାନିତ ଅତିଥିଭାବେ ଯୋଗଦାନ କରି ମହିମାଧର୍ମ ଓ ଭୀମଭୋଇଙ୍କର ସାରସ୍ୱତ ପ୍ରତିଭା ଉପରେ ସମ୍ୟକ୍‌ ଆଲୋକପ୍ରାତ କରିଥିଲେ ।

 

ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତୃତାମାଳା

ତା ୨୮-୨-୯୭ ଏବଂ ୧-୩-୯୭ ଦୁଇଦିନ ବ୍ୟାପୀ ଭୁବନେଶ୍ୱରସ୍ଥ ପାନ୍ଥନିବାସ ସଭାକକ୍ଷରେ ସାହିତ୍ୟ ଏକାଡେମୀ ପକ୍ଷରୁ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତୃତାମାଳାର ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

 

ଓଡ଼ିଆ ସାହିତ୍ୟର ଲବ୍‌ଧପ୍ରତିଷ୍ଠ ସମାଲୋଚକ ତଥା ଗବେଷକ ଡକ୍ଟର କୃଷ୍ଣଚରଣ ସାହୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାରସ୍ଵତ ସାଧକ ଆର୍ତ୍ତବଲ୍ଲଭଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ଏହି ନବମ ସ୍ମାରକୀ ବକ୍ତୁତାମାଳା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଓଡ଼ିଶାରେ ଗବେଷଣା କ୍ଷେତ୍ରରେ ଗବେଷକମାନେ କିପରି ବହୁ ବାଧା ବିଘ୍ନ ଓ ପ୍ରତିବନ୍ଧକର ସମ୍ମୁଖୀନ ହୁଅନ୍ତି ସେ ବିଷୟରେ ଉଲ୍ଲେଖ କରିଥିଲେ ।

 

ପ୍ରଖ୍ୟାତ ସଂସ୍କୃତବିଦ୍ୱାନ ତଥା ହିନ୍ଦୀ ସାହିତ୍ୟର ବିଶିଷ୍ଟ ନିବନ୍ଧକାର ଓ ସମାଲୋଚକ ଡକ୍ଟର ବିଦ୍ୟାନିବାସ ମିଶ୍ର ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ତଥା ବକ୍ତାଭାବରେ ଯୋଗଦେଇ Classical roots of India Literature (ଭାରତୀୟ ସାହିତ୍ୟର ସାରସ୍ଵତ ଉତ୍ସ) ଶୀର୍ଷକ ଇଂରାଜୀ ବକ୍ତୃତା ପ୍ରଦାନ ଅବସରରେ ମହାଭାରତ ଓ ରାମାୟଣର ଏକ ତୁଳନାତ୍ମକ ବିଶ୍ଲେଷଣ କରି ଶ୍ରୋତାମାନଙ୍କୁ ଚମତ୍‌କୃତ କରିଥିଲେ । ଓଡ଼ିଆ ସାହିତ୍ୟର ଖ୍ୟାତନାମା ଗାଳ୍ପିକା ଡକ୍ଟର ବୀଣାପାଣି ମହାନ୍ତି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଓଡ଼ିଆ ସାହିତ୍ୟର ଆଦିଉତ୍ସ ଭାବରେ ସାରଳାଦାସଙ୍କ ସାରଳାମହାଭାରତ, ବଳରାମଦାସଙ୍କ ଜଗମୋହନ ରାମାୟଣ ଓ ଜଗନ୍ନାଥ ଦାସ କୃତ ଶ୍ରୀମଦ୍‌ଭାଗବତ ପରବର୍ତ୍ତୀ ବହୁକବି ଓ ଲେଖକଙ୍କ ରଚନାକୁ ପ୍ରଭାବିତ କରିଛି ବୋଲି ତାଙ୍କ ଅଭିଭାଷଣ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ ।

 

ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସ୍ମାରକୀ ବକ୍ତୃତାମାଳା କାର୍ଯ୍ୟକ୍ରମ ସଂପର୍କରେ ସମ୍ୟକ୍‌ ସୂଚନା ପ୍ରଦାନ କରି ଚାରିବର୍ଷ ବ୍ୟବଧାନରେ ଏହି କାର୍ଯ୍ୟକ୍ରମ ପୁନଶ୍ଚ ଆୟୋଜନ କରାଯାଇ ପାରିଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ଏକାଡେମୀର ଉପସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ମୁଖ୍ୟ ଅତିଥି ଡକ୍ଟର ମିଶ୍ରଙ୍କର ସାରସ୍ଵତ ବ୍ୟକ୍ତିତ୍ୱ ଉପରେ ସମ୍ୟକ୍‌ ଆଲୋକପାତ କରିଥିଲେ । ବିଶିଷ୍ଟ ସମାଲୋଚକ ଡକ୍ଟର ଶଙ୍କରଲାଲ ପୁରୋହିତ ସ୍ଵତଃସ୍ଫୂର୍ତ୍ତ ଆବେଗମୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡକ୍ଟର ସୀତାକାନ୍ତ ମହାପାତ୍ର, ଶ୍ରୀ ଚିତ୍ତରଞ୍ଜନ ଦାସ, ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା, ଡକ୍ଟର ପ୍ରତିଭା ରାୟ, ଡକ୍ଟର ପ୍ରତିଭା ଶତପଥୀ, ଡକ୍ଟର ନିତ୍ୟାନନ୍ଦ ଶତପଥୀ, ଡକ୍ଟର ଗଗନେନ୍ଦ୍ରନାଥ ଦାସ, ଡକ୍ଟର ଅର୍ଚ୍ଚନା ନାୟକ, ଡକ୍ଟର ଗଣେଶ୍ୱର ମିଶ୍ର, ଡକ୍ଟର ଭଗବାନ ପଣ୍ଡା, ଡକ୍ଟର ଶକୁନ୍ତଳା ବଳିଆରସିଂହ, ଡକ୍ଟର ସଂଘମିତ୍ରା ମିଶ୍ର, ଶ୍ରୀମତୀ ଚନ୍ଦ୍ରମଣି ନାରାୟଣସ୍ଵାମୀ, ଶ୍ରୀ ଇନ୍ଦୁଭୂଷଣ କର, ଡକ୍ଟର ସୁରେନ୍ଦ୍ର ମହାରଣା, ଶ୍ରୀ ଗୋପାଳଚନ୍ଦ୍ର ପଟ୍ଟନାୟକ, ଡକ୍ଟର ଜିତେନ୍ଦ୍ର ନାରାୟଣ ପଟ୍ଟନାୟକ ଇତ୍ୟାଦି ବହୁ ସାହିତ୍ୟିକ ଓ ବହୁ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ ।

 

ହାସ୍ୟରସ କବି ସମ୍ମିଳନୀ

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବ୍ରହ୍ମପୁରସ୍ଥ ଟାଉନ ହଲଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ ଓ ସଂସ୍କୃତି ବିଭାଗ, ଓଡ଼ିଶାଙ୍କ ମିଳିତ ଆନୁକୂଲ୍ୟରେ ଏକ ଦୁଇ ଦିନିଆ ହାସ୍ୟରସ କବି ସମ୍ମିଳନୀ ଆବେଗ ତଥା ହର୍ଷ ଉଲ୍ଲାସ ମଧ୍ୟରେ ପ୍ରଥମଥର ଥର ପାଇଁ ବ୍ରହ୍ମପୁର ସହରରେ ଗତ ତା ୧୫-୩-୯୭ ରିଖ ଓ ତା ୧୬-୩-୯୭ ରିଖରେ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତି ମନ୍ତ୍ରୀ ଶ୍ରୀ ଭୂପିନ୍ଦର ସିଂହଙ୍କଦ୍ୱାରା ଉତ୍ସବଟି ଉଦ୍‌ଘାଟିତ ହୋଇଥିଲା । ଯେଉଁ ସାହିତ୍ୟିକ ନିଜର ଦୁଃଖ ଯନ୍ତ୍ରଣାକୁ ଭୁଲି ଅନ୍ୟକୁ ହସାଇ ପାରିଛି ସେହିମାନେ ମଧ୍ୟ ନିଜର ଲେଖନୀ ମୁନରେ ଆଜିର ଅବକ୍ଷୟିଷ୍ଣୁ ସମାଜକୁ ଦିଗ୍‌ଦର୍ଶନ ଦେବା ସହିତ କାହାରି ଗୋଡ଼ାଣିଆ ନହୋଇ ନିଜ ନିଜ ଗୋଡ଼ରେ ନିଜେ ଛିଡ଼ା ହେବାକୁ ସଂସ୍କୃତି ମନ୍ତ୍ରୀ ଆହ୍ୱାନ ଜଣାଇଥିଲେ । ଏକାଡେମୀର ସଚିବ ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ତାଙ୍କର ସ୍ଵାଗତ ଭାଷଣ ଅବସରରେ ମଣିଷ ସମାଜ ନାନା ଦୁଶ୍ଚିନ୍ତା, ମାନସିକ ଯନ୍ତ୍ରଣା, ଦୂଃଖ ଗ୍ଲାନିରେ ଯେତେବେଳେ ପେଶି ହୋଇ ଯାଉଅଛି, ହସିବାକୁ ଚାହିଁ ମଧ୍ୟ ହସି ପାରୁନାହିଁ ସେତେବେଳେ ତାକୁ ହାସ୍ୟ ପରିବେଶ ସହ ଜଡ଼ିତ କରାଇବାରେ ହାସ୍ୟ କବିମାନଙ୍କର ମଧ୍ୟ ଭୂମିକା ରହିଥି‌ବା ଦର୍ଶାଇ ହାସ୍ୟରସ କବିସମ୍ମିଳନୀର ଉଦ୍ଦେଶ୍ୟ ସଂପର୍କରେ ମତ ବ୍ୟକ୍ତି କରିଥିଲେ । ଅଧିବେଶନର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ କିଶୋରୀ ଚରଣ ଦାସ ହାସ୍ୟରସ କିପରି ସାହିତ୍ୟର ଅଙ୍ଗ ଓ ଏହା ମନୁଷ୍ୟ ସମାଜ ସହିତ କିପରି ଭାବେ ଜଡ଼ିତ ତାହା ବର୍ଣ୍ଣନା କରିଥିଲେ । ଏହାପରେ ଚିରଞ୍ଜୀବୀ ରାଉତରାୟଙ୍କ ସଂଯୋଜନାରେ ହାସ୍ୟରସ କବିତା ପାଠ କରାଯାଇଥିଲା । ଏଥିରେ କବି ରମାକାନ୍ତ ମିଶ୍ର, ବ୍ରଜନାଥ ରଥ, ମନୋରଂଜନ ସାହୁ, ମାଧବ ସ୍ୱାଇଁ, ରାଧୁ ମିଶ୍ର, ଡକ୍ଟର କୁଳମଣି ମହାପାତ୍ର, ନିଶିଥ କୁମାର ବୋଷ, ଉଦୟନାରାଯଣ ପାଢ଼ୀ ଇତ୍ୟାଦିଙ୍କ କବିତା ପଠନ ବେଳେ ସଭାରେ ବାରମ୍ବାର ହାସ୍ୟରୋଳ ସୃଷ୍ଟି ହୋଇଥିଲା । ଅଧିବେଶନର ମୁଖ୍ୟ ଅତିଥି ଅଚ୍ୟୁତାନନ୍ଦ କର ହାସ୍ୟରସ ଶୈଳୀରେ ତାଙ୍କର ବକ୍ତବ୍ୟ ପ୍ରଦାନ କରି ହାସ୍ୟ କବିତାକୁ ଅଧିକ ରୁଚିଶୀଳ ଓ ଆକର୍ଷଣୀୟ କରିବା ପାଇଁ ଏହାର ପଠନ ଶୈଳୀ ଶିକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅଧିବେଶନର ସଭାପତି ରବିସିଂ ହାସ୍ୟରସ କବିତାର ମୂଲ୍ୟବୋଧ ସଂପର୍କରେ ଦୀର୍ଘ ଭାଷଣ ପ୍ରଦାନ କରିବା ସହ କେତେକ ବ୍ୟଙ୍ଗ କବିତା ଆବୃତ୍ତି କରିଥିଲେ ।

 

ଦ୍ୱିତୀୟଦିନ ଉଦ୍‌ଯାପନୀ ଦିବସରେ ଶ୍ରୀ ଗଗନେନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ପୂର୍ବାହ୍ମରେ ଏକ ପ୍ରବନ୍ଧ ପାଠର ଆୟୋଜନ କରାଯାଇଥିଲା । ହାସ୍ୟରସର ବିଭିନ୍ନ ଦିଗ ସଂପର୍କରେ ପ୍ରଫୁଲ୍ଲ କୁମାର ମହାନ୍ତି, ସୌରୀନ୍ଦ୍ର ବାରିକ, ମୃଣାଳ ଚାଟାର୍ଜୀ, ସଚ୍ଚିଦାନନ୍ଦ ମିଶ୍ର ପ୍ରଭୃତି ସେମାନଙ୍କର ପ୍ରବନ୍ଧ ପାଠ କରିଥିଲେ । ହାସ୍ୟରସର ତାତ୍ତ୍ୱିକ ଆଲୋଚନା ଉପରେ ବିଭିନ୍ନ ପର୍ଯ୍ୟପେକ୍ଷକ ଓ ସମୀକ୍ଷକ ଶିବରାମ ପାତ୍ର, ଉଦୟ ନାରାୟଣ ପାଢ଼ୀ, ବ୍ରଜନାଥ ରଥ, ଉପେନ୍ଦ୍ର ମହଲା, ସଦାନନ୍ଦ ତ୍ରିପାଠୀ, ବ୍ରଜକିଶୋର ଦାସ, ପଙ୍କଜିନୀ ଦାସ, ହୁସେନ ରବି ଗାନ୍ଧୀ, କୁଳମଣି ମହାପାତ୍ର ସେମାନଙ୍କର ମତାମତ ଉପସ୍ଥାପନ କରିବା ସହ ହାସ୍ୟରସ ଭିତରେ ଲୁଚି ରହିଥିବା କରୁଣ ଦୃଶ୍ୟ ସାମାଜିକ ମୂଲ୍ୟବୋଧ ଉପରେ ରେଖାପାତ କରି ହାସ୍ୟରସକୁ ଅଧିକ ବ୍ୟଙ୍ଗାତ୍ମକ କିମ୍ବା ଉଗ୍ରଭାବ ନକରିବା ପାଇଁ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ପ୍ରସନ୍ନ ପାଟଶାଣୀ, ହୁସେନ ରବିଗାନ୍ଧୀ, ଜ୍ଞାନୀନ୍ଦ୍ର ହୋତା, ଦିଲ୍ଲୀପ କୁମାର ମିଶ୍ର, ଭିକାରୀ ଚରଣ ରଥ, ମାଧବ ଚନ୍ଦ୍ର ଶତପଥୀ, ଦେବାଶିଷ ମହାପାତ୍ର, କିଶୋର ରଥ, ସତ୍ୟାନାଶ, ଅରକ୍ଷିତ ପ୍ରଧାନ ଇତ୍ୟାଦି ହାସ୍ୟରସ କବିମାନେ ହାସ୍ୟ କବିତାମାନ ପାଠ କରି ଉପସ୍ଥିତ ଶ୍ରୋତା ସମୂହକୁ ହସାଇ କବି ସମ୍ମିଳନୀର ଉଦ୍ଦେଶ୍ୟକୁ ସାର୍ଥକ କରିଥିଲେ । ଏହାକୁ ସଂଯୋଜନା କରିଥିଲେ ରମାକାନ୍ତ ମିଶ୍ର । ଏହି ଅଧିବେଶନରେ ମୁଖ୍ୟ ଅତିଥିରୂପେ ଡକ୍ଟର ସୌଭାଗ୍ୟ କୁମାର ମିଶ୍ର ଯୋଗଦେଇ ହାସ୍ୟରସ କବିତାରେ ରହିଥିବା ସାହିତ୍ୟିକ ମୂଲ୍ୟବୋଧକୁ କଳୁଷିତ ନକରିବା ପାଇଁ ଏହାକୁ ଅଧିକ ବ୍ୟଙ୍ଗାତ୍ମକ ବା ସମାଲୋଚନା ମୂଳକ ନହେବା ଦିଗରେ ଯତ୍ନବାନ ହେବା ପାଇଁ ନିଜର ଅଭିମତ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ସମ୍ମାନିତ ଅତିଥିଭାବେ ବସନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ପାଇଁ ଏହିଭଳି ସମ୍ମିଳନୀ ସର୍ବତ୍ର ଅନୁଷ୍ଠିତ ହେବା ଉଚିତ ବୋଲି ମତ ଦେଇଥିଲେ । କବି ସମ୍ମିଳନୀରେ ଭାଗ ନେଇଥିବା ସମସ୍ତ କବି ବଂଧୁ ଓ ସାହିତ୍ୟିକମାନେ ପ୍ରଥମଥର ପାଇଁ ଆୟୋଜନ କରାଯାଇଥିବା ଏଭଳି ହାସ୍ୟରସ କବି ସମ୍ମିଳନୀ ପାଇଁ ଏକାଡେମୀ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ଉଦ୍‌ଗାତା ତାଙ୍କର ଅଭିଭାଷଣ ପ୍ରସଙ୍ଗରେ କହିଲେ ଯେ ଆଲୋକ ଅନ୍ଧାର ଭଳି ଦୁଃଖ ଓ ସୁଖ ମଧ୍ୟ ଜୀବନାନୁଭୂତିର ଦୁଇଟି ଦିଗ । ସେମାନେ ପରିପୂରକ । ଗୋଟାଏକୁ ନବୁଝିଲେ ଅପରକୁ ବୁଝିହୁଏ ନାହିଁ । ହାସ୍ୟରସର ପରିବେଷଣ ଦୁଃଖକୁ ଗଭୀର ଭାବରେ ନବୁଝିଲେ ହେବ ନାହିଁ । ଉଦ୍‌ଯାପନୀ ଶେଷରେ ଶିବରାମ ପାତ୍ର ଏକାଡେମୀ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରହ୍ମପୁରଠାରେ ଅନୁଷ୍ଠିତ ଏହି ହାସ୍ୟରସ କବି ସମ୍ମିଳନୀ ଶ୍ରୋତାମଣ୍ଡଳୀଙ୍କଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା ।

 

ସାକ୍ଷାତକାର କାର୍ଯ୍ୟକ୍ରମ

ତା ୩୧-୩-୯୭ ରିଖ ଭୁବନେଶ୍ଵରସ୍ଥ ପାନ୍ଥନିବାସ ସଭାକକ୍ଷରେ ସଂଧ୍ୟା ୫.୩୦ ମିନିଟ ସମୟରେ ହିନ୍ଦୀ ସାହିତ୍ୟର ଲବ୍‌ଧ ପ୍ରତିଷ୍ଠ ଔପନ୍ୟାସିକ, ଗାଳ୍ପିକ ଲଳିତ ନିବନ୍ଧକାର ଓ ସମାଲୋଚକ ପ୍ରଫେସର ଏମେରିଟସ ଡକ୍ଟର ଶିବପ୍ରସାଦ ସିଂହଙ୍କ ସହିତ ଏକ ଅନ୍ତରଂଗ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜନ କରାଯାଇଥିଲା । ଡକ୍ଟର ସିଂହ ପ୍ରଥମେ ସାଂପ୍ରତିକ ହିନ୍ଦୀ କଥା ସାହିତ୍ୟର ଗୌରବମୟ ପରଂପରା ସଂପର୍କରେ ତାଙ୍କର ସାରଗର୍ଭକ ଭାଷଣ ପ୍ରଦାନ ପରେ ଓଡ଼ିଶାର କେତେକ ବିଶିଷ୍ଟ ସାହିତ୍ୟିକଙ୍କ ସହ ଅନ୍ତରଙ୍ଗ ଭାବ ବିନିମୟ କରିଥିଲେ । ଓଡ଼ିଶାକୁ ତାଙ୍କର ଆଗମନ ତାଙ୍କ ପକ୍ଷରେ ଜ୍ଞାନ ଲାଭର ଏକ ସୁବର୍ଣ୍ଣ ସୁଯୋଗ ବୋଲି ଅତି ନମ୍ରତାର ସହ ସେ ପ୍ରକାଶ କରିଥିଲେ । ଲେଖକର ଜୀବନ ଯଦି ସଂଗ୍ରାମୀ ଓ ସଂଘର୍ଷମୟ ହୁଏ ସେଥିରେ ବଳିଷ୍ଠ ସୃଜନ ଶକ୍ତିର ଉଦ୍‌ଭବ ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ । ଯନ୍ତ୍ରଣା ଓ ସମ୍ମାନ ଉଭୟକୁ ସେ ଜୀବନରେ ସାନନ୍ଦ ଗ୍ରହଣ କରିଛନ୍ତି ବୋଲି ସ୍ଵୀକାର କରିଛନ୍ତି ।

 

ପ୍ରଥମେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ କବି ଡକ୍ଟର ହରପ୍ରସାଦ ପରିଛା ପଟ୍ଟନାୟକ ସମବେତ ସୁଧୀମଣ୍ଡଳୀଙ୍କୁ ଅଭିବାଦନ ଜଣାଇବା ସଂଗେ ସଂଗେ ଅତିଥିଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ବି.ଜେ.ବି. କଲେଜର ହିନ୍ଦୀ ବିଭାଗର ମୁଖ୍ୟ ଡକ୍ଟର ଶଙ୍କର ଲାଲ ପୁରୋହିତ ଅତିଥି ଡକ୍ଟର ସିଂହଙ୍କର ସାରସ୍ଵତ ବ୍ୟକ୍ତିତ୍ୱ ପରିଚୟ ପ୍ରଦାନ କରିଥିଲେ । ଏକାଡେମୀ ଉପ ସଭାପତି ଶ୍ରୀ ଶ୍ରୀନିବାସ ଉଦ୍‌ଗାତା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ତାଙ୍କର ଅଭିଭାଷଣରେ କହିଲେ ଯେ ଯେଉଁମାନେ ରାଜନୈତିକ ମତର ପ୍ରଚାର ପାଇଁ ସାହିତ୍ୟ ପ୍ରତି ଅନୁରକ୍ତି ପ୍ରକାଶ କରନ୍ତି ସେମାନଙ୍କର ସର୍ଜନା ରାଜନୈତିକ ନାରୀର ରୂପ ନେଇଥାଏ । ପରିଶେଷରେ ଏକାଡେମୀର ସଚିବ ଡକ୍ଟର ପରିଛା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅନ୍ତରଙ୍ଗ ଭାବ ବିନିମୟ କାର୍ଯ୍ୟକ୍ରମରେ ରାଜ୍ୟର ବହୁ ପ୍ରତିଷ୍ଠିତ ଯୁବ ସାହିତ୍ୟିକ ଉପସ୍ଥିତ ଥିଲେ ।

 

***